Categories
ଅପରାଧ ଆଜିର ଖବର ଜାତୀୟ ଖବର

କେବଳ ୯୦୦ ଟଙ୍କା ପାଇଁ ବାପାଙ୍କୁ ହତ୍ୟା କଲା ପୁଅ, ଅଭିଯୁକ୍ତ ଗିରଫ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ନିଜ ପିତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ୩୫ ବର୍ଷ ବୟସ୍କ ଯୁବକଙ୍କୁ ପୋଲିସ ଗିରଫ କରିଛି। ଟଙ୍କା ଦେବାକୁ ମନା କରିଦେବାରୁ ଯୁବକଜଣଙ୍କ ତାଙ୍କ ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଜିଲ୍ଲା ଗ୍ରାମୀଣ ପୋଲିସ ନିୟନ୍ତ୍ରଣ କକ୍ଷର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଘଟଣା ଫେବୃଆରୀ ୧ ତାରିଖରେ ଜବାହର ଅଞ୍ଚଳର ରଂଜନପଡା ଠାରେ ଘଟିଛି। ଅଭିଯୁକ୍ତଙ୍କ ପିତା ଜାନୁ ମାଲି (୭୦) ବ୍ୟାଙ୍କ ଆକାଉଣ୍ଟରୁ ୯୦୦ ଟଙ୍କା ଉଠାଇ ନେଇଥିଲେ, ଯାହାକୁ ସେ ମାସିକ ସରକାରୀ ଯୋଜନା ଅଧୀନରେ ପାଉଥିଲେ। ଅଭିଯୁକ୍ତ ରବିନ୍ଦ୍ର ମାଲି ତାଙ୍କ ପିତାଙ୍କଠାରୁ ଟଙ୍କା ମାଗିଥିଲେ, ଯାହା ସେ ଦେବାକୁ ମନା କରିଦେଇଥିଲେ। ଏହା ପରେ ସେ ତାଙ୍କ ପିତାଙ୍କୁ କଦର୍ଯ୍ୟ ଭାବେ ପିଟିଥିଲେ। ଫଳରେ ଜାନୁ ଗୁରୁତର ହୋଇପଡିଥିଲେ।

ତାଙ୍କୁଙ୍କୁ ଗୁରୁତର ଅବସ୍ଥାରେ ମୋଖଦାସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ନାଶିକର ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ପରଦିନ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ପରିବାରର ଏକ ସଦସ୍ୟର ପୋଲିସ ନିକଟରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୨ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।