Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୧୦ କୋଟି ଗ୍ରାହକଙ୍କୁ ଯୋଡ଼ିବାର କ୍ଷମତା ରଖିଛି ଜିଓ ଭାରତ ଫୋନ୍‌: ବୋଫା ସିକ୍ୟୁରିଟିଜ୍ ରିପୋର୍ଟ

ଭୁବନେଶ୍ୱର: ରିଲାଏନ୍ସ ଜିଓର ନୂଆ ଜିଓ ଭାରତ ମୋବାଇଲ୍ ଆଗାମୀ ଦୁଇ ତିନି ବର୍ଷରେ ୧୦ କୋଟିରୁ ଅଧିକ ନୂଆ ଗ୍ରାହକ ଯୋଡ଼ିପାରିବା ସମ୍ଭାବନା ସୃଷ୍ଟି ହୋଇଛି। ପ୍ରତିଷ୍ଠିତ ବ୍ରୋକରେଜ୍ ସଂସ୍ଥା ବୋଫା ସିକ୍ୟୁରିଟିଜ୍‌ର ରିପୋର୍ଟରେ ଏହା ପ୍ରକାଶ କରାଯାଇଛି। ରିପୋର୍ଟ ଅନୁଯାୟୀ, ଯଦି ବଜାରର ଚାହିଦା ଅନୁସାରେ ଜିଓ ଭାରତ ଫୋନର ଉତ୍ପାଦନ ବୃଦ୍ଧି କରାଯାଇପାରିବ ତେବେ ରିଲାଏନ୍ସ ଜିଓର ଜିଓ ଭାରତ ୪ଜି ଫିଚର ଫୋନ୍ ଅନ୍ୟ ଟେଲିକମ୍ କଂପାନିଗୁଡ଼ିକର ବହୁ ସଂଖ୍ୟକ ୨ଜି ଫିଚର୍ ଫୋନ୍ ଗ୍ରାହକଙ୍କୁ ଆକୃଷ୍ଟ କରିପାରିବ। ୨ଜି ଗ୍ରାହକଙ୍କୁ ନିଜ ପାଖରେ ରଖିବା ଏୟାରଟେଲ ଓ ଭୋଡାଫୋନ୍ ଆଇଡିଆ ଭଳି କମ୍ପାନୀ ପାଇଁ ବେଶ କଷ୍ଟକର ହୋଇପଡ଼ିବ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ବୋଫା ସିକ୍ୟୁରିଟିଜ୍ ଅନୁଯାୟୀ, ୨ଜି ଏବଂ ଫିଚରଫୋନ୍ ଗ୍ରାହକମାନଙ୍କ ପାଇଁ ଜିଓ ଭାରତ ଫୋନ୍ ଆକର୍ଷଣୀୟ ପ୍ୟାକେଜ୍ ସହ ଉପଲବ୍ଧ ହୋଇଛି। ରିପୋର୍ଟ ଅନୁସାରେ ୯୯୯ ଟଙ୍କିଆ ଜିଓ ଭାରତ ୪ଜି ଫିଚର ଫୋନ୍ ବଜାରରେ ଉପଲବ୍ଧ ଅଧିକାଂଶ ଫିଚର ଫୋନ୍ ତୁଳନାରେ ବେଶ ଶସ୍ତା। ଏହା ସହିତ ସେଥିରେ ଅସୀମିତ ମାଗଣା ଭଏସ୍ କଲିଂ ସୁବିଧା ପ୍ରଦାନ କରାଯାଉଛି ଯାହା ୨ଜି ଗ୍ରାହକଙ୍କୁ ଆକୃଷ୍ଟ କରିବ।

ବଜାର ବିଶ୍ଳେଷଣ ଅନୁଯାୟୀ, ଭାରତରେ ପ୍ରାୟ ୨୫ କୋଟି ୨ଜି ଗ୍ରାହକ ରହିଛନ୍ତି ଏବଂ ସେଥିରୁ ପାଖାପାଖି ୧୩ କୋଟି ଭାରତୀ ଏୟାରଟେଲ୍ ପାଖରେ ରହିଛି। ସେହି ୧୩ କୋଟି ଗ୍ରାହକଙ୍କ ମଧ୍ୟରୁ ପ୍ରାୟ ୧୦ କୋଟି ଏଭଳି ଗ୍ରାହକ ରହିଛନ୍ତି ଯେଉଁମାନେ କେବଳ କଥାବାର୍ତା କରିବା ଲାଗି ଏୟାରଟେଲ୍‌କୁ ମୂଲ୍ୟ ଦେଉଛନ୍ତି। ଅସୀମିତ ମାଗଣା ଭଏସ୍ କଲିଂ ସହିତ ଉପଲବ୍ଧ ଥିବା ଜିଓ ଭାରତ ଫିଚର ଫୋନ୍ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆର ୨ଜି ଗ୍ରାହକଙ୍କ ସଂଖ୍ୟାକୁ ପ୍ରଭାବିତ କରିପାରିବ ବୋଲି ମତପ୍ରକାଶ ପାଇଛି।

ଅନ୍ୟ ଏକ ବ୍ରୋକରେଜ୍ ସଂସ୍ଥା ଜେଫେରିଜ୍ ଏହାର ରିପୋର୍ଟରେ ସ୍ୱୀକାର କରିଛି ଯେ ଜିଓ ଭାରତ ମୋବାଇଲ୍‌ରେ ଫିଚର ଫୋନ୍ ଗ୍ରାହକମାନଙ୍କ ମୋବାଇଲ୍ ଖର୍ଚ୍ଚ (ଡିଭାଇସ୍ ସହ ସେବା)ରେ ୨୬ ପ୍ରତିଶତ ପର୍ଯ୍ୟନ୍ତ ସଂଚୟ ହେବାର ସମ୍ଭାବନା ରହିଛି। ଜେଫେରିଜ୍ ଅନୁସାରେ ୨ଜି ଫିଚର ଫୋନ୍ ବଜାରର ସବୁଠୁ ବଡ଼ ସେବା ପ୍ରଦାନକାରୀ ହେଉଛି ଏୟାରଟେଲ୍। ତେଣୁ ଜିଓ ଭାରତ ଫିଚର ଫୋନ୍‌ର ସର୍ବାଧିକ ପ୍ରଭାବ ଏହା ଉପରେ ପଡ଼ିପାରେ। ଜେଫେରିଜ୍ ଏହାର ରିପୋର୍ଟରେ ପୂର୍ବାନୁମାନ କରିଛି ଯେ ୨୦୨୬ ପର୍ଯ୍ୟନ୍ତ ଏୟାରଟେଲ୍ ଛାଡ଼ୁଥିବା ୨ଜି ଗ୍ରାହକଙ୍କ ସଂଖ୍ୟାରେ ଲାଗାତାର ବୃଦ୍ଧି ଘଟିବ। ସେଥିପାଇଁ ୨୦୨୪-୨୦୨୬ ପର୍ଯ୍ୟନ୍ତ ଭାରତୀ ଏୟାରଟେଲ୍ ପାଇଁ ଜେଫେରିଜ୍ କରିଥିବା ପୂର୍ବାନୁମାନରେ ୧-୪% ହ୍ରାସ କରିଛି।