Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଲଜିଷ୍ଟିକ୍ସ କ୍ଷେତ୍ରରେ ପରିବର୍ତ୍ତନ ଉପରେ ଆୟୋଜିତ ଜି-୨୦ ପ୍ରାକ୍‌ ସମ୍ମିଳନୀକୁ ସମ୍ବୋଧିତ କଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର ସୋମବାର ଦିନ କାର୍ଯ୍ୟର ଭବିଷ୍ୟତ ଉପରେ ଆୟୋଜିତ ପ୍ରଦର୍ଶନୀର ଦ୍ୱିତୀୟ ଦିନର ବୈଠକକୁ ଉଦଘାଟନ କରିଛନ୍ତି। ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଏହି ବିଶେଷ ପ୍ରଦର୍ଶନୀ ଆୟୋଜନ କରାଯାଉଛି। ଆଜିର ଉଦଘାଟନୀ ସମାରୋହରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ସଚିବ ଶ୍ରୀ ଅତୁଲ କୁମାର ତିୱାରୀ, ସିଆଇଆଇର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଟିଭିଏସ ସପ୍ଲାଇ ଚେନ ସଲ୍ୟୁସନ୍ସର ଉପସଭାପତି ଆର. ଦିନେଶ, ଡେଲଏଟ୍‌ର ଭାଗିଦାର ଏନ.ଏସ.ଏନ ମୂର୍ତ୍ତି ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।

ସମାରୋହକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର କହିଥିଲେ ଯେ, ଏହି ସମ୍ମିଳନୀରେ ଲଜିଷ୍ଟିକ୍ସ କ୍ଷେତ୍ରରେ ସମନ୍ୱୟ, ଉପକୂଳ ଅର୍ଥବ୍ୟବସ୍ଥା ଏବଂ ଦୀର୍ଘସ୍ଥାୟିତ୍ୱ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଉଛି। ଉପକୂଳ ଅର୍ଥବ୍ୟବସ୍ଥାରେ ଦକ୍ଷତାବିକାଶ ପରିଦୃଶ୍ୟ ପାଇଁ ଏସବୁ ଆଲୋଚନା ଜରୁରୀ। ସେ ଆହୁରି କହିଥିଲେ ଯେ, ଆଗାମୀ ଦିନରେ ଲଜିଷ୍ଟିକ୍ସ କ୍ଷେତ୍ରରେ ଯୁବ ଛାତ୍ରଛାତ୍ରୀଙ୍କ ପାଇଁ ଅପାର ସୁଯୋଗ ତଥା ସମ୍ଭାବନା ସୃଷ୍ଟି ହେବ। ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିର ବିକାଶ ସହିତ ନିବେଶ, ଉଦ୍ୟମିତା ଓ ନିଯୁକ୍ତି ପାଇଁ ଅନେକ ସୁଯୋଗ ସୃଷ୍ଟି ହେବ। ଆଗାମୀ ଦିନରେ ଲଜିଷ୍ଟିକ୍ସ ଏକ ଆକର୍ଷଣୀୟ କ୍ଷେତ୍ର ହେବାକୁ ଯାଉଛି ଏବଂ ଆମ ଯୁବପିଢ଼ିଙ୍କ ପାଇଁ ଏଥିରେ ଅପାର ସମ୍ଭାବନା ରହିଛି । ଏହାକୁ ପ୍ରଯୁକ୍ତି ଦ୍ୱାରା ସଶକ୍ତ କରାଗଲେ ନିବେଶ, ଉଦ୍ୟମିତା ଓ ନିଯୁକ୍ତି ପାଇଁ ବ୍ୟାପକ ସମ୍ଭାବନା ସୃଷ୍ଟି ହେବ। ନୂଆ ବ୍ୟବସାୟ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ଆହୁରି ଅନେକ ସୁଯୋଗ ସୃଷ୍ଟି ହୋଇପାରିବ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ସୁଯୋଗର ପ୍ରତିନିଧିତ୍ୱ କରିବା ଏବଂ ଆହ୍ୱାନର ମୁକାବିଲା କରିବା ଲାଗି ସମଗ୍ର ବିଶ୍ୱ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ପରିପ୍ରେକ୍ଷୀରେ, ଭାରତ ବିଶ୍ୱର ଦ୍ରୁତ ବିକାଶଶୀଳ ରାଷ୍ଟ୍ରରେ ପରିଣତ ହୋଇଛି ଏବଂ ଭାରତକୁ ବିଶ୍ୱବ୍ୟାପୀ ଅଧିକ ସମ୍ମାନ ମିଳୁଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ଶ୍ରୀ ଚନ୍ଦ୍ର ଶେଖର ବିଶେଷ ଗୁରୁତ୍ୱାରୋପ କରିଥିଲେ ଯେ ବିଶ୍ୱ ଏବେ ଅଧିକ ଦୀର୍ଘସ୍ଥାୟୀ ଲଜିଷ୍ଟିକ୍ସ ଏବଂ ଭରସାଯୋଗ୍ୟ ଯୋଗାଣ ଶୃଙ୍ଖଳା ଚାହୁଁଛି। ବିପଦ ଠାରୁ ଦୂରକୁ ଯାଇ ଅଧିକ ଭରସାଯୋଗ୍ୟ ଦୀର୍ଘସ୍ଥାୟୀ ଅର୍ଥବ୍ୟବସ୍ଥା ଦିଗରେ ଅଗ୍ରସର ହେଉଛି। ଏହା ସହିତ ଓଡ଼ିଶା ଭଳି ଉପକୂଳବର୍ତ୍ତୀ ରାଜ୍ୟରେ ଲଜିଷ୍ଟିକ୍ସ ଉପରେ ଧ୍ୟାନ ଦେବା ଏବଂ ଆଲୋଚନା କରିବା ଗୁରୁତ୍ୱପୂର୍ଣ୍ଣ।

ଦେଶରେ ମୋବାଇଲ ଫୋନ ଉତ୍ପାଦନ ସମ୍ପର୍କରେ ଉଦାହରଣ ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ୨୦୧୪ରେ ଭାରତରେ ବ୍ୟବହୃତ ୮୨% ମୋବାଇଲ ଫୋନ ବାହାରୁ ଆମଦାନୀ କରାଯାଉଥିଲା, ୨୦୨୨ରେ ଭାରତରେ ଉପଯୋଗ କରାଯାଉଥିବା ପ୍ରାୟ ୧୦୦% ମୋବାଇଲ ଫୋନ ଭାରତରେ ହିଁ ନିର୍ମାଣ କରାଯାଉଛି। ୨୦୧୪ରେ ଭାରତର ମୋବାଇଲ ଫୋନ୍‌ ରପ୍ତାନି ସମ୍ପୂର୍ଣ୍ଣ ଶୂନ୍ୟ ସ୍ତରରେ ଥିଲା, କେବଳ ଚଳିତ ବର୍ଷ ଭାରତ ୧୧ ବିଲିୟନ ଡଲାର ମୂଲ୍ୟର ଆପଲ ଏବଂ ସାମସଙ୍ଗ ଫୋନ ବିଦେଶକୁ ରପ୍ତାନି କରିଛି । ବହୁ ଦଶନ୍ଧି ଧରି ଭାରତକୁ ନେଇ ଏକ ଅପବାଦ ରହିଥିଲା ଏବଂ ତାହା ହେଉଛି ଏକ ଉପଯୁକ୍ତ ବଜାର ଏବଂ ବିଶ୍ୱ ଉତ୍ପାଦନର କେନ୍ଦ୍ରସ୍ଥଳୀ ହେବା ଲାଗି ଭାରତ ପାଖରେ କ୍ଷମତା ନାହିଁ।

କାରଣ ଏଠାରେ ଲଜିଷ୍ଟିକ୍ସ ଖର୍ଚ୍ଚ ଅଧିକ ଥିଲା ଓ ବ୍ୟବସାୟିକ କାରବାର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ନଥିଲା। ହେଲେ ଆଜି ପରିସ୍ଥିତି ବଦଳି ଯାଇଛି। ବିଶ୍ୱର ବଡ଼ ବଡ଼ ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ, ମୋବାଇଲ ଏବଂ ଅନ୍ୟାନ୍ୟ ଉତ୍ପାଦ ନିର୍ମାତା ଭାରତରେ ସେମାନଙ୍କ ସାମଗ୍ରୀ ନିର୍ମାଣ କରିବା, ଏଠାରୁ ରପ୍ତାନି କରିବା ଓ ଭାରତରେ ବିକ୍ରି କରିବା ଲାଗି ଆଗ୍ରହୀ ହେଉଛନ୍ତି। ଦେଶରେ ଲଜିଷ୍ଟିକ୍ସ ଇକୋସିଷ୍ଟମ ଏବେ ଅଧିକ ଦକ୍ଷ ହୋଇପାରିଛି।

ସେ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁମୁଖୀ ଯୋଗାଯୋଗ ନିମନ୍ତେ ଗତିଶକ୍ତି, ଜାତୀୟ ମାଷ୍ଟର ପ୍ଲାନ୍‌ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହା ଆଧୁନିକ ଲଜିଷ୍ଟିକ୍ସ ଭିତ୍ତିଭୂମି ନିର୍ମାଣ କରିବା ଲାଗି ଜରୁରି। ଏଭଳି କାର୍ଯ୍ୟକ୍ରମ ଯୋଗୁ ଭାରତ ଆଜି ନୀଳ ଅର୍ଥବ୍ୟବସ୍ଥା ଉତ୍ପାଦ, ଖାଦ୍ୟ ଓ କୃଷି ଭଳି କ୍ଷେତ୍ରରେ ଏକ ବୈଶ୍ୱିକ କେନ୍ଦ୍ର ଭାବେ ଉଭା ହେବାକୁ ଯାଉଛି।

କେନ୍ଦ୍ର ମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଭବିଷ୍ୟତରେ ସ୍କିଲିଂ, ଅପସ୍କିଲିଂ ଓ ରିସ୍କିଲିଂ ବା ନିରନ୍ତର ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରାଯିବ। ତେଣୁ ଦକ୍ଷତା ବିକାଶ ସବୁବେଳେ ଏକ ନିରନ୍ତର ପ୍ରକ୍ରିୟା ହୋଇ ରହିବ। ସମାରୋହରେ ଉପସ୍ଥିତ କଲେଜ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଅନୁସରଣ କରି ଆପଣମାନେ ଡିଗ୍ରୀ ହାସଲ କରିବା ସହିତ ଦକ୍ଷତା ବିକାଶ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ୍‌। ଏହାଦ୍ୱାରା ଆଧୁନିକ ଓ ମହାମାରୀ ପରବର୍ତ୍ତୀ ଟେକେଡ୍‌ ବା ପ୍ରଯୁକ୍ତି ଦଶନ୍ଧିରେ ଆପଣମାନଙ୍କ ମଧ୍ୟରେ ଅଧିକ ନିଯୁକ୍ତି ଯୋଗ୍ୟତା ସୃଷ୍ଟି ହେବ। ପ୍ରଧାନମନ୍ତ୍ରୀଙ୍କ ଉକ୍ତି ଅନୁଯାୟୀ ଦକ୍ଷତା ବିକାଶ ଏକ ନିରନ୍ତର ପ୍ରକ୍ରିୟା, ସେ କହିଥିଲେ।

ଉଦଘାଟନୀ ସମାରୋହ ପରେ, କେନ୍ଦ୍ର ମନ୍ତ୍ରୀ ପ୍ରାୟ ୭୦ ପ୍ରଦର୍ଶକଙ୍କ ଷ୍ଟଲ ବୁଲି ଦେଖିଥିଲେ ଏବଂ ସେମାନଙ୍କର ପ୍ରୟାସକୁ ପ୍ରଶଂସା କରି ମନୋବଳ ବଢ଼ାଇଥିଲେ। ପ୍ରଦର୍ଶନକାରୀମାନଙ୍କ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ, ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ଏନଆଇଇଏସବିୟୁଡି, ୟୁନିସେଫ, ଏନସିଇଆରଟି, ଏନଆଇଟି ରାଉରକେଲା, ଆଇଆଇଟି ଭୁବନେଶ୍ୱର, ଆଇଆଇଏମ ସମ୍ବଲପୁର, ସିଭି ରମଣ ଗ୍ଲୋବାଲ୍‌ ଇନଷ୍ଟିଚ୍ୟୁଟ୍‌, ଓଡ଼ିଶା ଭଳି ବିଭିନ୍ନ କ୍ଷେତ୍ରର ପ୍ରମୁଖ ଶିକ୍ଷାନୁଷ୍ଠାନ ଓ ପ୍ରତିଷ୍ଠାନମାନେ ରହିଛନ୍ତି। ଓଡ଼ିଶାର ଏବଂ ରାଜ୍ୟ ବାହାରର ବିଭିନ୍ନ ଷ୍ଟାର୍ଟଅପ୍‌ମାନେ ମଧ୍ୟ ପ୍ରଦର୍ଶନୀରେ ଯୋଗ ଦେଇ ସେମାନଙ୍କର ପ୍ରଯୁକ୍ତିକୁ ପ୍ରଦର୍ଶନ କରିଛନ୍ତି। ଏସବୁ ପ୍ରଦର୍ଶନୀ ଭବିଷ୍ୟତରେ କାର୍ଯ୍ୟଶୈଳୀକୁ ପ୍ରଭାବିତ କରିବ, ଆଧୁନିକ କାର୍ଯ୍ୟଶୈଳୀ, ଭବିଷ୍ୟତର ଦକ୍ଷତା ବିକାଶ ଅଭିନବ ବିତରଣ ମଡେଲ ଆଦି କ୍ଷେତ୍ରରେ ନିରନ୍ତର ନବସୃଜନ ଆଣିବ।

କୃଷି, ପରିବହନ ଓ ସ୍ୱାସ୍ଥ୍ୟସେବା ଆଦି ୩ଟି କ୍ଷେତ୍ର ଉପରେ ପ୍ରାଥମିକତା ଦେଇ କାର୍ଯ୍ୟର ଭବିଷ୍ୟତ ଉପରେ ପ୍ରଦର୍ଶନୀକୁ ଅତିଥି ଓ ପରିଦର୍ଶକମାନେ ଦେଖିବାକୁ ପାଉଛନ୍ତି।

ମେଟାଭର୍ସ – ଏଆର/ଭିଆର, ରିଭର୍ସ ଇଞ୍ଜିନିଅରିଂ ଏବଂ ସ୍ୱୟଂଚାଳିତ ଡିଜାଇନ ସମାଧାନ, ଡ୍ରୋନ ପ୍ରଯୁକ୍ତି, ଏଆର/ଭିଆର ଉପଯୋଗ କରି ଏଡ୍‌-ଟେକ୍‌ ସମାଧାନ, ଶିଳ୍ପ 4.0 କୌଶଳ, ଭର୍ଣ୍ଣାକୁଲର ଅଧ୍ୟୟନ ଆଧାରିତ ପ୍ରଯୁକ୍ତି ସମାଧାନ, ଭର୍ଚୁଆଲ ଇଣ୍ଟର୍ଣ୍ଣସିପ ସମାଧାନ, ଇମର୍ସିଭ୍‌ ଟେକ୍‌ ଅଧ୍ୟୟନ ସମାଧାନ, ସହାୟକ ପ୍ରଯୁକ୍ତି ନବସୃଜନର ଲାଇଭ୍‌ ଡେମୋ ସହିତ ଅନ୍ତର୍ଭୂକ୍ତିକରଣ ପାଇଁ ସହାୟକ ପ୍ରଯୁକ୍ତି ଓ ଟାକ୍ଟାଇଲ୍‌ ଡିସପ୍ଲେ ଆଦି ମଧ୍ୟ ପ୍ରଦର୍ଶନୀରେ ସ୍ଥାନ ପାଇଛି। ଭୁବନେଶ୍ୱର ଠାରେ ଆୟୋଜିତ ହେବାକୁ ଥିବା ଶିକ୍ଷା କାର୍ଯ୍ୟଗୋଷ୍ଠୀ ଉପଲକ୍ଷେ ଏପ୍ରିଲ ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ସିଏସଆଇଆର – ଖଣିଜ ଓ ବସ୍ତୁବିଜ୍ଞାନ ପ୍ରଯୁକ୍ତି ପ୍ରତିଷ୍ଠାନ ଠାରେ ଏହି ବିଶେଷ ପ୍ରଦର୍ଶନୀ ଆୟୋଜନ କରାଯାଉଛି।

ଦକ୍ଷତା ବିକାଶ ଓ ଉଦ୍ୟମିତା ଏବଂ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ‘ଦୀର୍ଘସ୍ଥାୟିତ୍ୱ ଉପରେ ଗୁରୁତ୍ୱ ଦିଆଯାଇ ଲଜିଷ୍ଟିକ୍ସ ଓ ଉପକୂଳ ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନ’ ଉପରେ ଏହି ଦ୍ୱିତୀୟ ପ୍ରାକ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ସରକାର, ଉଦ୍ୟୋଗ ଜଗତ ଓ ଶିକ୍ଷା ଜଗତ ପାଇଁ କାର୍ଯ୍ୟର ଭବିଷ୍ୟତ ବିଚାରବିମର୍ଶ ଲାଗି ବିଭିନ୍ନ କ୍ଷେତ୍ରର ପେସାଦାରମାନଙ୍କୁ ଏକତ୍ରିତ କରିବା ଜରିଆରେ ନବସୃଜନ, ସହଭାଗିତା ଏବଂ ଅଧ୍ୟୟନକୁ ପ୍ରୋତ୍ସାହନ ଦେବା । ଆଜିର ପାନେଲ ଆଲୋଚନାରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ସଞ୍ଜୟ ମିଶ୍ର, ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଜିନ୍ଦ ଷ୍ଟେନଲେସ ଗ୍ରୁପର ମୁଖ୍ୟ ଲଜିଷ୍ଟିକ୍ସ ଅଧିକାରୀ ଶ୍ରୀ ଭି. ଭେଙ୍କଟେଶ୍ୱର ରାଓ, ହରାଇଜନ ଇଣ୍ଡଷ୍ଟ୍ରିଆଲ ପାର୍କରସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାହୁଲ ପଣ୍ଡିତ, କିଟ୍‌ର କୁଳପତି ପ୍ରଫେସର ସସ୍ମିତା ରାଣୀ ସାମନ୍ତ, ଇନ୍ଧନ, ପରିବେଶ ଓ ଜଳ ପରିଷଦର ସଦସ୍ୟ ଡକ୍ଟର ବୈଭବ ଚତୁର୍ବେଦୀ, ଆଇଟିସି ଲିମିଟେଡର ମୁଖ୍ୟ ସ୍ଥାୟିତ୍ୱ ଅଧିକାରୀ ଶ୍ରୀ ମଧୁଲିକା ଶର୍ମା ପ୍ରମୁଖ ବକ୍ତା ଭାବେ ଯୋଗ ଦେଇଥିଲେ ।

କାର୍ଯ୍ୟର ଭବିଷ୍ୟତ ଆଗକୁ କିଭଳି ବଦଳିବ ତା’ ଉପରେ ସ୍ୱତନ୍ତ୍ର ଅନୁଭୂତି କେନ୍ଦ୍ର ପ୍ରଦର୍ଶନୀ ପରିସରରେ ଖୋଲାଯାଇଛି । ଏହି ଜୋନରେ ଜରୁରି ଆଧୁନିକ ବୈଷୟିକ ଦକ୍ଷତା ଓ କୋମଳ ହସ୍ତାନ୍ତର କୌଶଳ ପ୍ରଦର୍ଶିତ ହୋଇଛି । ବଜାରରେ ପ୍ରାସଙ୍ଗିକ ରହିବାକୁ ହେଲେ ଏସବୁ ବିଷୟରେ ଅଭିଜ୍ଞତା ହାସଲ କରିବା ଜରୁରି । ଏହି ପ୍ରଦର୍ଶନୀରେ ବିଭିନ୍ନ କ୍ଷେତ୍ରରୁ ଭିନ୍ନ ଭିନ୍ନ ପ୍ରକାରର ପ୍ରଯୁକ୍ତି ପ୍ରଦର୍ଶିତ ହେଉଛି । ଏସବୁ ପ୍ରଯୁକ୍ତି ଆଗାମୀ ଦିନରେ ଆଧୁନିକ କାର୍ଯ୍ୟସ୍ଥଳୀ, ପାରମ୍ପରିକ କ୍ଷେତ୍ରରେ ପ୍ରଯୁକ୍ତିର ସମନ୍ୱୟ ଏବଂ ଆଦର୍ଶ ବିତରଣ ମଡେଲ ସମେତ କାର୍ଯ୍ୟର ଭବିଷ୍ୟତରେ ବ୍ୟାପକ ପରିବର୍ତ୍ତନ ଆଣିବ। କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ଆଣିବା ଓ ଆଧୁନିକ ପ୍ରଯୁକ୍ତିକୁ ଗ୍ରହଣ କରିବା ଲାଗି ଶ୍ରେଷ୍ଠ ପଦ୍ଧତିକୁ ପ୍ରଦର୍ଶିତ କରିବା ନିମନ୍ତେ ଏହି ପ୍ରଦର୍ଶନୀ ପ୍ରଯୁକ୍ତି ନେତୃବର୍ଗ, ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଓ ଶିକ୍ଷାବିତମାନଙ୍କୁ ଏକ ଚମତ୍କାର ସୁଯୋଗ ଆଣିଦେଇଛି।