Categories
ବିଶେଷ ଖବର

ଜି୨୦ ଶକ୍ତି ମନ୍ତ୍ରୀଙ୍କ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ଜରିଆରେ ଗୋଆରେ ଅନୁଷ୍ଠିତ ଜି -୨୦ ଶକ୍ତି ମନ୍ତ୍ରୀମାନଙ୍କ ବୈଠକକୁ ସମ୍ବୋଧିତ କରିଛନ୍ତି।

ଭାରତକୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭବିଷ୍ୟତ, ସ୍ଥିରତା, ଅଭିବୃଦ୍ଧି ଏବଂ ବିକାଶ ବିଷୟରେ କୌଣସି ଆଲୋଚନା ଶକ୍ତି ବିନା ଅସମ୍ପୂର୍ଣ୍ଣ ଅଟେ କାରଣ ଏହା ସବୁ ସ୍ତରରେ ବ୍ୟକ୍ତିବିଶେଷ ଏବଂ ରାଷ୍ଟ୍ରର ବିକାଶ ଉପରେ ପ୍ରଭାବ ପକାଇଥାଏ।

ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଯଦିଓ ଶକ୍ତି ରୂପାନ୍ତରଣ ପାଇଁ ପ୍ରତ୍ୟେକ ଦେଶର ଭିନ୍ନ ବାସ୍ତବତା ଏବଂ ଲକ୍ଷ୍ୟ ଅଛି, ତଥାପି ସେ ଦୃଢ ଭାବରେ ବିଶ୍ୱାସ କରନ୍ତି ଯେ ପ୍ରତ୍ୟେକ ଦେଶର ଲକ୍ଷ୍ୟ ସମାନ। ସବୁଜ ଅଭିବୃଦ୍ଧି ଏବଂ ଶକ୍ତି ରୂପାନ୍ତରଣରେ ଭାରତର ପ୍ରୟାସ ଉପରେ ଆଲୋକପାତ କରି ସେ ଦର୍ଶାଇଛନ୍ତି ଯେ ଭାରତ ହେଉଛି ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଏବଂ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ଏବଂ ତଥାପି ଏହାର ଜଳବାୟୁ ପ୍ରତିଶ୍ରୁତି ପୂରଣ ଆଡକୁ ଦୃଢ ଭାବରେ ଗତି କରୁଛି।

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଭାରତ ନଅ ବର୍ଷ ପୂର୍ବରୁ ଅଣ-ଜୀବାଶ୍ମ ସ୍ଥାପିତ ବିଦ୍ୟୁତ କ୍ଷମତା ଲକ୍ଷ୍ୟ ହାସଲ କରିଛି ଏବଂ ନିଜ ପାଇଁ ଏକ ଉଚ୍ଚ ଲକ୍ଷ୍ୟ ସ୍ଥିର କରିଛି। ୨୦୩୦ ସୁଦ୍ଧା ଦେଶ ୫୦ ପ୍ରତିଶତ ଅଣ-ଜୀବାଶ୍ମ ସ୍ଥାପିତ ଶକ୍ତି କ୍ଷମତା ହାସଲ କରିବାକୁ ଯୋଜନା କରିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସୌର ଏବଂ ପବନ ଶକ୍ତି କ୍ଷେତ୍ରରେ ଭାରତ ମଧ୍ୟ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ଅଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କାର୍ଯ୍ୟ ଗୋଷ୍ଠିର ଅତିଥିମାନଙ୍କ ପାଇଁ ପାଭଗଡ ସୋଲାର ପାର୍କ ଏବଂ ମୋଧେରା ସୌର ଗ୍ରାମ ପରିଦର୍ଶନ କରି ସ୍ୱଚ୍ଛ ଶକ୍ତି ପ୍ରତି ଭାରତର ପ୍ରତିବଦ୍ଧତାର ସ୍ତର ଏବଂ ଲକ୍ଷ୍ୟ ଦେଖିବାର ସୁଯୋଗ ମିଳିଲା।

ଗତ ୯ ବର୍ଷ ମଧ୍ୟରେ ଦେଶର ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଭାରତ ୧୯୦ ମିଲିୟନରୁ ଅଧିକ ପରିବାରକୁ ଏଲପିଜି ସହିତ ଯୋଡିଛି ଏବଂ ପ୍ରତ୍ୟେକ ଗ୍ରାମକୁ ବିଦ୍ୟୁତ ସଂଯୋଗ କରିବାର ଐତିହାସିକ ମାଇଲଖୁଣ୍ଟକୁ ମଧ୍ୟ ରେକର୍ଡ କରିଛି। ଲୋକଙ୍କୁ ପାଇପ୍ ଯୋଗେ ରନ୍ଧନ ଗ୍ୟାସ୍ ଯୋଗାଇବା ପାଇଁ କାର୍ଯ୍ୟ କରିବା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ଯାହାକି କିଛି ବର୍ଷ ମଧ୍ୟରେ ୯୦% ରୁ ଅଧିକ ଜନସଂଖ୍ୟା ନିକଟରେ ପହଞ୍ଚିବାର କ୍ଷମତା ରଖିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତଙ୍କ ପାଇଁ ଅନ୍ତର୍ଭୂକ୍ତି, ସ୍ଥିର, ସମାନ ଏବଂ ନିରନ୍ତର ଶକ୍ତି ପାଇଁ କାର୍ଯ୍ୟ କରିବା ଆମର ପ୍ରୟାସ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୧୫ ରେ, ଏଲଇଡି ଲାଇଟ୍ ବ୍ୟବହାର ପାଇଁ ଏକ ଯୋଜନା ଆରମ୍ଭ କରି ଭାରତ ଏକ ଛୋଟ ଆନ୍ଦୋଳନ ଆରମ୍ଭ କରିଥିଲା ଯାହା ଆମକୁ ବିଶ୍ୱର ସବୁଠୁ ବଡ ଏଲଇଡି ବିତରଣ କାର୍ଯ୍ୟକ୍ରମ ଭାବରେ ପରିଣତ କରିଥିଲା ଏବଂ ବାର୍ଷିକ ୪୫ ବିଲିୟନ ୟୁନିଟ୍ ଶକ୍ତିରୁ ଅଧିକ ସଞ୍ଚୟ କରୁଛି। ସେ ବିଶ୍ୱର ସର୍ବବୃହତ କୃଷି ପମ୍ପର ସୌର ଶକ୍ତି ରୂପାନ୍ତରଣ ପଦକ୍ଷେପ ଏବଂ ୨୦୩୦ ସୁଦ୍ଧା ଭାରତର ଘରୋଇ ବୈଦ୍ୟୁତିକ ଯାନ ବଜାରର ବାର୍ଷିକ ୧୦ ନିୟୁତ ବିକ୍ରୟ ଆରମ୍ଭ କରିବା ଉପରେ ମଧ୍ୟ ଆଲୋକପାତ କରିଛନ୍ତି। ସେ ଚଳିତ ବର୍ଷ ୨୦ ପ୍ରତିଶତ ଇଥାନଲ ମିଶ୍ରିତ ପେଟ୍ରୋଲ ଆରମ୍ଭ କରିବା ଉପରେ ମଧ୍ୟ ଆଲୋକପାତ କରିଛନ୍ତି। ଭାରତକୁ କାର୍ବନ ମୁକ୍ତ କରିବା ପାଇଁ ମିଶନ ମୋଡରେ ଗ୍ରୀନ୍ ହାଇଡ୍ରୋଜେନକୁ ବିକଳ୍ପ ଭାବେ ବ୍ୟବହାର ସହିତ ଭାରତକୁ ଗ୍ରିନ ହାଇଡ୍ରୋଜେନ୍‍ର ଉତ୍ପାଦନ, ବ୍ୟବହାର ଏବଂ ରପ୍ତାନି ହବ୍‍ କରିବାଲାଗି କାର୍ଯ୍ୟ ଜାରି ରହିଛି।

ନିରନ୍ତର, ଯଥାର୍ଥ, ସୁଲଭ, ଅନ୍ତର୍ଭୂକ୍ତ ଏବଂ ସ୍ୱଚ୍ଛ ଶକ୍ତି ପରିବର୍ତ୍ତନକୁ ଆଗକୁ ବଢାଇବା ପାଇଁ ବିଶ୍ୱ ଜି -୨୦ ଗୋଷ୍ଠୀକୁ ଦୃଷ୍ଟିରେ ରଖୁଥିବାରୁ ପ୍ରଧାନମନ୍ତ୍ରୀ ଗ୍ଲୋବାଲ ସାଉଥକୁ ନେଇ ବିକାଶଶୀଳ ଦେଶମାନଙ୍କ ପାଇଁ ସ୍ୱଳ୍ପ ସୁଧ ହାରରେ ଅର୍ଥ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଜ୍ଞାନକୌଶଳର ପାର୍ଥକ୍ୟକୁ ଦୂର କରିବା, ଶକ୍ତି ନିରାପତ୍ତାକୁ ପ୍ରୋତ୍ସାହିତ କରିବା ଏବଂ ଯୋଗାଣ ଶୃଙ୍ଖଳାକୁ ବିବିଧ କରିବା ଉପରେ କାର୍ଯ୍ୟ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଭବିଷ୍ୟତ ପାଇଁ ଇନ୍ଧନ ଉପରେ ସହଯୋଗକୁ ମଜବୁତ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଏବଂ ହାଇଡ୍ରୋଜେନ ଉପରେ ଉଚ୍ଚ ସ୍ତରୀୟ ନୀତିଗୁଡିକ ସଠିକ୍ ଦିଗରେ ଏକ ପଦକ୍ଷେପ ବୋଲି ମନ୍ତବ୍ୟ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆର୍ନ୍ତଜାତୀୟ ଗ୍ରିଡ୍‍ ଆନ୍ତଃ ସଂଯୋଗ ଶକ୍ତି ସୁରକ୍ଷାକୁ ବଢାଇପାରେ ଏବଂ ଭାରତ ଏହାର ପଡ଼ୋଶୀ ଦେଶମାନଙ୍କ ସହ ଏହି ପାରସ୍ପରିକ ଲାଭଦାୟକ ସହଯୋଗକୁ ପ୍ରୋତ୍ସାହିତ କରୁଛି। ଆନ୍ତଃ- ସଂଯୁକ୍ତ ସବୁଜ ଗ୍ରୀଡଗୁଡିକର ଦୃଷ୍ଟିକୁ ହୃଦୟଙ୍ଗମ କରିବା ପରିବର୍ତ୍ତନ ଆଣିପାରେ। ଏହା ଆମ ସମସ୍ତଙ୍କୁ ଆମର ଜଳବାୟୁ ଲକ୍ଷ୍ୟ ପୂରଣ କରିବାରେ, ସବୁଜ ନିବେଶକୁ ଉତ୍ସାହିତ କରିବାରେ ଏବଂ ଲକ୍ଷ ଲକ୍ଷ ସବୁଜ ନିଯୁକ୍ତି ସୃଷ୍ଟି କରିବାରେ ସକ୍ଷମ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ସମସ୍ତ ଅଂଶଗ୍ରହଣକାରୀ ରାଷ୍ଟ୍ରମାନଙ୍କୁ ଗ୍ରୀନ୍ ଗ୍ରୀଡ୍ ଇନିସିଏଟିଭ୍ – ଆନ୍ତର୍ଜାତୀୟ ସୌର ମଞ୍ଚର “ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ, ଗୋଟିଏ ଗ୍ରୀଡ୍‌” ରେ ଯୋଗଦେବାକୁ ଆମନ୍ତ୍ରଣ କରିଥିଲେ।

ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ପରିବେଶର ଯତ୍ନ ନେବା ପ୍ରାକୃତିକ କିମ୍ବା ସାଂସ୍କୃତିକ ହୋଇପାରେ କିନ୍ତୁ ଏହା ହେଉଛି ଭାରତର ପାରମ୍ପାରିକ ଜ୍ଞାନ ଯାହା ମିଶନ୍ ଲାଇଫ୍‍ – ଜୀବନଶୈଳୀ ପାଇଁ ପରିବେଶକୁ ଦୃଢ କରିଥାଏ, ଯାହା ଆମ ପ୍ରତ୍ୟେକଙ୍କୁ ଜଳବାୟୁ ଚାମ୍ପିଅନ୍ କରିବ। ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଆମର ଚିନ୍ତାଧାରା ଏବଂ କାର୍ଯ୍ୟ ସର୍ବଦା ଆମର “ଗୋଟିଏ ପୃଥିବୀ” କୁ ବଞ୍ଚାଇବାରେ ସାହାଯ୍ୟ କରିବ, ଆମର “ଗୋଟିଏ ପରିବାର” ର ସ୍ୱାର୍ଥ ରକ୍ଷା କରିବ ଏବଂ ଆମେ ଯେକୌଣସି ପରିବର୍ତ୍ତନ କରୁ ନା କାହିଁକି ତାହା ସବୁଜ “ଗୋଟିଏ ଭବିଷ୍ୟତ” ଆଡକୁ ଗତି କରିବା ଆବଶ୍ୟକ।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ଜି-୨୦ ଶ୍ରମ ନିଯୁକ୍ତି ମନ୍ତ୍ରୀ ବୈଠକରେ ଉଦ୍‌ବୋଧନ

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୧.୭.୨୦୨୩)  ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଆଭାସୀ ମାଧ୍ୟମରେ  ଜି-୨୦ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସମୂହ ବୈଠକରେ ଉଦ୍‌ବୋଧନ ଦେଇଛନ୍ତି।

ଗଣ୍ୟମାନ୍ୟ ଅତିଥିଙ୍କୁ ଇନ୍ଦୋରକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଐତିହାସିକ ଓ ଚଳଚଞ୍ଚଳ ନଗରୀ  ଏହାର ସମୃଦ୍ଧ ପାକ ପ୍ରସ୍ତୁତି ପରମ୍ପରା ପାଇଁ ଗର୍ବିତ। ଅତିଥିଗଣ ନଗରୀକୁ ଉପଭୋଗ କରିବା ସହ ଏହାର ଭବ୍ୟ ରଙ୍ଗ ଓ ବାସ୍ନାକୁ  ଭଲ ପାଇବେ ବୋଲି ସେ ଆଶା କରିଥିଲେ।

ନିଯୁକ୍ତିକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଓ ସାମାଜିକ ବିଷୟ ଭାବେ ବିବେଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ବର୍ତ୍ତମାନ ନିଯୁକ୍ତି କ୍ଷେତ୍ରରେ ସବୁଠାରୁ ବଡ ଆହ୍ୱାନର ସାମ୍ନା କରୁଛି। ଏ ପ୍ରକାର ଦ୍ରୁତ ଅବସ୍ଥାନ୍ତରର ମୁକାବିଲା କରିବା ନିମନ୍ତେ ଦକ୍ଷତାପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରିବାକୁ ପଡିବ। ଚତୁର୍ଥ ଶିଳ୍ପ ବିପ୍ଳବ ଯୁଗରେ ନିଯୁକ୍ତି ପାଇଁ ପ୍ରଯୁକ୍ତିର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହି ଆସିଛି ଓ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଭାରତର ଅସଂଖ୍ୟ ବୈଷୟିକ ନିଯୁକ୍ତି ସାମର୍ଥ୍ୟ ରହିଛି ବୋଲି କହି ପ୍ରଧାନମନ୍ତ୍ରୀ ଗତ ପ୍ରଯୁକ୍ତିଗତ, ଅବସ୍ଥାନ୍ତର କାଳରେ ଏହା ହୋଇଛି ବୋଲି କହିଥିଲେ। ଆୟୋଜକ ଇନ୍ଦୋର ନଗରୀରେ ଅନେକ ଷ୍ଟାର୍ଟଅପ୍ ବିକଶିତ ହୋଇଛି।

ଅତ୍ୟାଧୁନିକ ପ୍ରଯୁକ୍ତି ଓ ପଦ୍ଧତି ଦ୍ୱାରା କାର୍ଯ୍ୟ ବଳକୁ କୁଶଳୀ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି ଭବିଷ୍ୟତରେ କାର୍ଯ୍ୟବଳ ନିମନ୍ତେ ସ୍କିଲିଂ, ରିସ୍କିଲିଂ ଓ ଅପ ସ୍କିଲିଂ ମନ୍ତ୍ର ବୋଲି କହିଥିଲେ। ସେ ସ୍କିଲ ଇଣ୍ଡିଆ ମିଶନ” କିପରି ବାସ୍ତବତାରେ ପରିଣତ ହୋଇଛି ତା’ର ଉଦାହରଣ  ଦେବା ସହ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଭାରତରେ ୧୨.୫ ନିୟୁତରୁ ଅଧିକ ଯୁବାଗୋଷ୍ଠୀଙ୍କୁ ତାଲିମ ପ୍ରଦାନ କରିଛି ବୋଲି କହିଥିଲେ । ଶିଳ୍ପର ‘ଚାରିଟି ଓ’ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ଏହି କ୍ଷେତ୍ରଗୁଡିକ ହେଲ କୃତ୍ରିମ ବୃଦ୍ଧିମତା, ରୋବୋଟିକ୍ସ, ଇଣ୍ଟରନେଟ ଅଫ ଥିଙ୍ଗସ ଓ ଡ୍ରୋନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

କୋଭିଡ ବେଳେ ଭାରତରେ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ସମ୍ମୁଖ ଯୋଦ୍ଧାମାନଙ୍କ କୌଶଳ ଓ ଉତ୍ସର୍ଗ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ ଏହା ଭାରତୀୟ ସଂସ୍କୃତି ସେବା ମନୋଭାବ ଓ ଦୟାର ପ୍ରତିଫଳନ ବୋଲି କହିଥିଲେ। ଭାରତରେ ବିଶ୍ୱର ସବୁଠାରୁ ବୃହତ୍ତମ କୁଶଳୀ କାର୍ଯ୍ୟବଳ ଦେବାର ସାମର୍ଥ୍ୟ ରହିଛି ଓ ଭବିଷ୍ୟତରେ ଏକ ଭ୍ରାମ୍ୟମାଣ ବୈଶ୍ୱିକ କାର୍ଯ୍ୟବଳ ଏକ ବାସ୍ତବତାରେ ପରିଣତ ହେବାକୁ ଯାଉଛି। ଜି-୨୦ର ଭୂମିକା ବୈଶ୍ୱିକ ବିକାଶ ଓ କୌଶଳ ଭାଗିଦାରିତା ହେବା ଉପରେ ସେ ଗୁରୁତ୍ୱ  ଦେଇଥିଲେ। ସଦସ୍ୟ ରାଷ୍ଟ୍ରଗୁଡିକ କୌଶଳ ଓ ଯୋଗ୍ୟତା ଆବଶ୍ୟକତା ଅନୁସାରେ ଆନ୍ତର୍ଜାତିକ ସ୍ତରରେ ବିଚାର ପାଇଁ ପଠାଇବା କାର୍ଯ୍ୟକୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ। ଏଥିରେ ଆନ୍ତର୍ଜାତିକ ସହଯୋଗ, ସମନ୍ୱୟ ପ୍ରବାସ ଓ ଭ୍ରାମ୍ୟମାଣ ଅବସ୍ଥା ପାଇଁ ନୂତନ ମଡେଲ ଆବଶ୍ୟକ। ପରିସଂଖ୍ୟନ ଭାଗିଦାରୀ, ନିଯୁକ୍ତିଦାତା ଓ ଶ୍ରମିକ ମଧ୍ୟରେ ତଥ୍ୟ ଆଦାନ ପ୍ରଦାନ ଦ୍ୱାରା ବିଶ୍ୱବ୍ୟାପୀ ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣ ଆବଶ୍ୟକ। ଏହା ଦ୍ୱାରା ଉନ୍ନତ କୌଶଳ ବିକାଶ, କାର୍ଯ୍ୟବଳ ଯୋଜନା ଓ ଲାଭଜନକ ନିଯୁକ୍ତି ମିଳିପାରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅବସ୍ଥାନ୍ତର ପରିବର୍ତ୍ତନ ହେଉଛି ଏକ ନୂତନ ଶ୍ରେଣୀର କର୍ମଜୀବୀଙ୍କ ଉତ୍ପତ୍ତି ଯାହା ବୈଶ୍ୱିକ ମହାମାରୀ କାଳରେ ଗିଗ୍ ଓ ପ୍ଲାଟଫର୍ମ ଅର୍ଥ ବ୍ୟବସ୍ଥାକୁ ଜନ୍ମ ଦେଇଥିଲା। ଏହା ନମନୀୟ କାର୍ଯ୍ୟ ବ୍ୟବସ୍ଥା ଓ ଆୟର ବାଟ ଦେଖାଏ। ଏହାର ଲାଭଜନକ ନିଯୁକ୍ତି ବିଶେଷକରି ଯୁବାଗୋଷ୍ଠୀ ଓ ମହିଳାଙ୍କ ସଶକ୍ତିକରଣ ନିମନ୍ତେ ଏକ ପରିବର୍ତ୍ତନଶୀଳ ଉପକରଣ ଭାବେ କାର୍ଯ୍ୟ କରିଥାଏ। ଏହି ନୂତନ ଯୁଗର କର୍ମଜୀବୀମାନଙ୍କ  ନିମନ୍ତେ ନୂତନ ଯୁଗର ନୀତି ମଧ୍ୟ ନିର୍ଦ୍ଧାରଣ କରିବା ଦରକାର । ନିୟମିତ କାର୍ଯ୍ୟ ନିମନ୍ତେ ସ୍ଥାୟୀ ଓ ନିରନ୍ତର ସମାଧାନ ପନ୍ଥା ନିର୍ଦ୍ଧାରଣ ସହ ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ଓ ନିରାପତ୍ତା ନିମନ୍ତେ ନୂତନ ମଡେଲ ବିକଶିତ ପାଇଁ ଶ୍ରୀ ମୋଦୀ ପ୍ରସ୍ତାବ ଦେଇଥିଲେ। ପ୍ରଧାନମନ୍ତ୍ରୀ ଭାରତର ‘ଇ -ଶ୍ରମ’ ପୋର୍ଟାଲ ଉପରେ ଆଲୋକପାତ କରିଥିଲେ। ଏହି ପୋର୍ଟାଲ ଜରିଆରେ ୨୮୦ ନିୟୁତ  ପଞ୍ଜୀକରଣ ଶ୍ରମିକମାନଙ୍କ ନିମନ୍ତେ ହୋଇଛି। କାର୍ଯ୍ୟଗୁଡିକ ଦେଶ ବାହାରେ ରହୁଥିବାରୁ ଅନ୍ୟାନ୍ୟ ଦେଶ ମଧ୍ୟ ସେଭଳି ସମାଧାନ ପନ୍ଥା ବାହାର କରିବାର  ଦରକାର।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦିଓ ସାମାଜିକ ସୁରକ୍ଷା ଜନସାଧାରଣଙ୍କୁ ଦେବା ୨୦୩୦ର ଏକ ପ୍ରମୁଖ ବିଷୟ ବର୍ତ୍ତମାନର କାର୍ଯ୍ୟଶୈଳୀ ଆପଣାଇଥିବା ଆନ୍ତର୍ଜାତିକ ସଂଗଠନ କେବଳ ସୁବିଧା ଦେଖୁଛନ୍ତି। ଅବଶ୍ୟ ସେଥିରେ ଅନେକ ବିଷୟ ଏଥିରେ ଅନ୍ତର୍ଭୁକ୍ତ ହୋଇନାହିଁ। ଭାରତରେ ସାମାଜିକ ସୁରକ୍ଷା ପରିଧି ମଧ୍ୟରେ ଥିବା ସାର୍ବଜନୀନ  ଜନସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା, ବୀମା ଓ ପେନ୍‌ସନ୍ କାର୍ଯ୍ୟକ୍ରମକୁ ନିଶ୍ଚିତଭାବେ ଗ୍ରହଣ କରିବା ଉଚିତ।

ଉଦ୍‌ବୋଧନ ଶେଷରେ ପ୍ରଧାନମନ୍ତ୍ରୀ ଏହି ବୈଠକ ବିଶ୍ୱବ୍ୟାପୀ କର୍ମଜୀବୀଙ୍କ କଲ୍ୟାଣ ପାଇଁ ଏକ ଶକ୍ତିଶାଳୀ ସନ୍ଦେଶ ଦେବ ବୋଲି ଆସ୍ଥା ପ୍ରକଟ କରିଥିଲେ। ଏ କ୍ଷେତ୍ରରେ ଅଧିକାଂଶ ପ୍ରତିନିଧି ଅନେକ ଜରୁରୀ ବିଷୟ ଉପରେ ଧ୍ୟାନ ଦେଉଥିବାରୁ ସେ ତାହାର ପ୍ରଶଂସା କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜି-୨୦ ସିଙ୍ଗାପୁର-ଭାରତ ହକାଥନ ୨୦୨୩ ସମାରୋହରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ଲାରେନ୍ସ ଓଙ୍ଗ୍ ରବିବାର ଆଇଆଇଟି ଗାନ୍ଧିନଗରରେ ଅନୁଷ୍ଠିତ ‘ଜି-୨୦ ସିଙ୍ଗାପୁର ଭାରତ ହକାଥନ-୨୦୨୩’ର ତୃତୀୟ ସଂସ୍କରଣରେ ଯୋଗଦେଇଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମାଜର ଆହ୍ୱାନ ଗୁଡିକର ସମାଧାନର ସୂତ୍ର ଅନ୍ୱେଷଣ କରିବା ଦିଗରେ ହକାଥନକୁ ଆଗକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସର୍ବଭାରତୀୟ ବୈଷୟିକ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ଏବଂ ନାନୟାଙ୍ଗ୍ ଟେକ୍ନୋଲୋଜିକାଲ ବୈଷୟିକ ବିଶ୍ୱବିଦ୍ୟାଳୟ(ଏନଟିୟୁ) ପକ୍ଷରୁ ଏହି ହକାଥନର ତୃତୀୟ ସଂସ୍କରଣ ଆୟୋଜିତ ହୋଇଥିଲା । ଏହି ସମାରୋହରେ ଉଭୟ ମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପାଇଁ ସମାଧାନ ସୃଷ୍ଟି କରିବା ପାଇଁ ସହଯୋଗ କରୁଥିବା ହକାଥନର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ପ୍ରଧାନ ହକାଥନରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଏବଂ ଷ୍ଟାର୍ଟଅପ୍ ସହ ଆଲୋଚନା କରିଥିଲେ । ନବନୃଜନ ଏବଂ ଉଦ୍ୟମିତା ମାଧ୍ୟମରେ ଲୋକଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇବା ଏବଂ ବିଶ୍ୱକୁ ଏକ ସର୍ବଶ୍ରେଷ୍ଠ ସ୍ଥାନରେ ରଖିବା ଦିଗରେ ସେମାନଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ । ସିଙ୍ଗାପୁର-ଭାରତ ହକାଥନ ୨୦୨୩ର ସମସ୍ତ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ ଏହିଭଳି ହକାଥନ ଜ୍ଞାନ ବିନିମୟକୁ ସୁଗମ କରିବା ଏବଂ ଉଭୟ ଦେଶର ଯୁବବର୍ଗଙ୍କ ଲୁକ୍କାୟିତ ସାମର୍ଥ୍ୟକୁ ପ୍ରସ୍ଫୁଟିତ କରିବାର ଏକ ଉତ୍ତମ ମାଧ୍ୟମ । ଜ୍ଞାନଶକ୍ତି, ଗବେଷଣା, ନବସୃଜନ ମାଧ୍ୟମରେ ଭାରତ ଓ ସିଙ୍ଗାପୁର ଭବିଷ୍ୟତ ପାଇଁ ବିଶ୍ୱର କଲ୍ୟାଣକୁ ଆଗେଇ ନେବା ପାଇଁ ପ୍ରତିଶ୍ରୁତିବଦ୍ଧ।

ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ସିଙ୍ଗାପୁର ଉପପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍କୁଲରୁ ସ୍କିଲ୍ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆଲୋଚନା ହୋଇଥିଲା । ସ୍କୁଲରେ ଧନ୍ଦାମୂଳକ ଶିକ୍ଷାର ସମନ୍ୱୟ, ଗୁରୁତ୍ୱପୂର୍ଣ୍ଣ ସ୍କିଲ୍ ସହ ଯୁବବର୍ଗଙ୍କୁ ସଶକ୍ତ କରିବା, ଭବିଷ୍ୟତର ମାନବସମ୍ବଳ ପ୍ରସ୍ତୁତ କରିବା ଉପରେ ଚର୍ଚ୍ଚା କରିଥିଲେ କେନ୍ଦ୍ରମନ୍ତ୍ରୀ । ସେହିପରି ଶିକ୍ଷାନୁଷ୍ଠାନ, ଶିକ୍ଷକ ଏବଂ ପ୍ରଶିକ୍ଷକ ମାନଙ୍କ କ୍ଷମତା ନିର୍ମାଣ ଓ ଭାରତର ପ୍ରାଥମିକତାରେ ଥିବା ଗବେଷଣା ଏବଂ ନବଉନ୍ମେଷ ଉପରେ ସହଯୋଗ ହେବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣା ପତ୍ର ଚୂଡ଼ାନ୍ତ କରିବା ଓ ପାରସ୍ପରିକ ବେଷ୍ଟ୍ ପ୍ରାକ୍ଟିସେସକୁ ଯୋଡିବା ଏବଂ ଏବଂ ଆମର ଭବିଷ୍ୟତ ପିଢ଼ି ପାଇଁ ଜ୍ଞାନ ଏବଂ ଦକ୍ଷତା ସହଭାଗିତାର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉପଲବ୍ଧ କରିବା ପାଇଁ ଏକ ଜଏଣ୍ଟ ଓ୍ୱାର୍କିଂ ଗ୍ରୁପ ଗଠନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ସମ୍ମତି ପ୍ରକାଶ କରିଛନ୍ତି ।

ଉଲ୍ଲେଖନୀୟ ଯେ, ପ୍ରାୟ ୮୦୦ ରୁ ଅଧିକ ଛାତ୍ରଛାତ୍ରୀ, ଷ୍ଟାର୍ଟଅପ୍, ନିବେଶକ, ନୀତି ସଂସ୍କାରକ,କର୍ପୋରେଟ ଏବଂ ଏକାଡେମିକ୍ସ ଏହି ହକାଥନରେ ଯୋଗଦେଇଥିଲେ । ଶ୍ରୀ ପ୍ରଧାନ ଏହି ଅବସରରେ ଆଇଆଇଟି ଗାନ୍ଧିନଗର ରିସର୍ଚ୍ଚ ପାର୍କ ମଧ୍ୟ ପରିଦର୍ଶନ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଫ୍ରାନ୍ସ ସିନେଟ ଅଧ୍ୟକ୍ଷଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଜୁଲାଇ ୧୩ରେ ଫ୍ରାନ୍ସ ସିନେଟ ଅଧ୍ୟକ୍ଷ ଜେରାଡ ଲର୍ଚରଙ୍କୁ ଭେଟିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଭାରତ-ଫ୍ରାନ୍ସ ସହଭାଗିତାର ଆଧାର ଭାବେ ‘ଗଣତନ୍ତ୍ର, ସ୍ୱାଧୀନତା ଏବଂ ସମାନତା’ ଉପରେ ଫୋକସ କରିଥିଲେ।

ଆଲୋଚନାରେ ଜି-୨୦କୁ ନେଇ ଭାରତର ପ୍ରାଥମିକତା, ଟେକ୍ନୋଲୋଜିର ବ୍ୟବହାରରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଦୁଇ ସଦନ ମଧ୍ୟରେ ସହଯୋଗ ସମେତ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗରେ ପରସ୍ପରର ମଙ୍ଗଳକୁ ଗୁରୁତ୍ୱ ଦିଆଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ପୁନେରେ ‘ଚତୁର୍ଥ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ଏବଂ ମନ୍ତ୍ରୀସ୍ତରୀୟ ବୈଠକ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ପୁନେ: ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ନିବେଶ କଲେ ମାନବ ଜାତିର ପ୍ରଗତିରେ ହିଁ ନିବେଶ ହୋଇଥାଏ। ଜି-୨୦ର ରାଷ୍ଟ୍ର ସମୂହ ଓ ସଦସ୍ୟମାନେ ଜ୍ଞାନ, କୌଶଳ, ସାମାଜିକ ଆର୍ଥିକ ଦୂରତାକୁ ହ୍ରାସ କରିବା ସହ ଜୀବନବ୍ୟାପୀ ଶିକ୍ଷା ଗ୍ରହଣର ସୁଯୋଗ ମାଧ୍ୟମରେ ନାଗରିକଙ୍କୁ ସଶକ୍ତ କରିବା ସହ ଏକ ସମୃଦ୍ଧ ବିଶ୍ୱ ଗଢିବା ପାଇଁ ଆଗେଇ ଆସିବା ଖୁସିର ବିଷୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପୁନେରେ ଅନୁଷ୍ଠିତ ‘ଚତୁର୍ଥ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ଏବଂ ମନ୍ତ୍ରୀସ୍ତରୀୟ ବୈଠକ’ରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀର ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ ଶିକ୍ଷାକୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଏବଂ ଫଳାଫଳର ପ୍ରତିବଦ୍ଧତାକୁ ଦୋହରାଇଛି। ସବୁ ଦେଶ ନାଗରିକଙ୍କୁ ଶିକ୍ଷା ଏବଂ ଦକ୍ଷତା ଉପରେ ଅଧିକ ପ୍ରଧାନ୍ୟ ଦେବା ସହ ନାଗରିକଙ୍କ ଶିକ୍ଷା ଆହରଣକୁ ଜୀବନବ୍ୟାପୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିବାକୁ ହେବ।

ଜି-୨୦ ବୈଠକରେ ଉଦଘାଟନୀ ସମାରୋହରେ ବିଭିନ୍ନ ଦେଶର ମନ୍ତ୍ରୀ, ପ୍ରତିନିଧି ମଣ୍ଡଳି ଓ ୟୁନିସ୍କୋ, ୟୁନିସେଫ ଓ ଓଇସିଡି ସହ ଆଲୋଚନା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜି -୨୦ ବୈଠକ ମନ୍ତ୍ରୀସ୍ତରୀୟ ଆଲୋଚନାରୁ ଉର୍ଦ୍ଧ୍ୱକୁ ଯାଇ ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା ଏବଂ ଦକ୍ଷତା ପରିସଂସ୍ଥାନର ୫.୨ କୋଟିରୁ ଉର୍ଦ୍ଧ୍ୱ ଷ୍ଟେକହୋଲଡର ଯୋଡି ହେବା ଖୁସିର ବିଷୟ। ଏହା ହିଁ ବାସ୍ତବରେ ବସୁଧୈବ କୁଟୁମ୍ବକମ କଥାବସ୍ତୁ ତଥା ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତର ଆତ୍ମାକୁ ପ୍ରତିଫଳିତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଚାରରେ ମାନବ ଜାତିର କଲ୍ୟାଣ ଏବଂ ଗୁଣାତ୍ମକ ଶିକ୍ଷା ସହ ସୁଶାସନ ହେଉଛି ଭାରତର ଉଦ୍ଦେଶ୍ୟ। ଆମକୁ ସୁନିଶ୍ଚିତ କରିବାକୁ ପଡିବ ଯେ ସମଗ୍ର ବିଶ୍ୱର ଶିଶୁ ଓ ଯୁବପିଢି ସାମଗ୍ରିକ ଶିକ୍ଷାରୁ କିପରି ଲାଭ ପାଇବେ ଏବଂ ଏକବିଂଶ ଶତାବ୍ଦୀର କୌଶଳରେ ସଶକ୍ତ ହେବେ। ବ୍ରାଜିଲର ଅଧ୍ୟକ୍ଷତାରେ ଆଗାମୀ ଦିନରେ ହେବାକୁ ଥିବା ଜି-୨୦ ବୈଠକକୁ ଭାରତ ସମର୍ଥନ କରୁଛି। ଶିକ୍ଷା କ୍ଷେତ୍ରରେ ଥିବା ଆହ୍ୱାନକୁ ଚିହ୍ନଟ କରିବାରେ ଭାରତ ବ୍ରାଜିଲ ସହ କାର୍ଯ୍ୟ କରିବ ତଥା ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପକୁ ସକରାତ୍ମକ ପରିବର୍ତ୍ତନର ପ୍ରେରକ ଭାବେ ଉପସ୍ଥାପନା କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ସାଉଦି ଆରବର ଶିକ୍ଷା ମନ୍ତ୍ରୀ ୟୋସେଫ୍ ଅଲ୍ ବେନୟାନଙ୍କ ସହ ଉଚ୍ଚ ଶିକ୍ଷାରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ବୃତ୍ତି ତଥା ବିଶେଷ ଭାବରେ ଉର୍ଜା ଓ ପେଟ୍ରୋକେମିକାଲ କ୍ଷେତ୍ରରେ ସୁଯୋଗ ପ୍ରଦାନ କରିବା ଦିଗରେ ଆଲୋଚନା କରିଥିଲେ। ଅନୁରୂପ ଭାବେ ଜାପାନର ଶିକ୍ଷା ମନ୍ତ୍ରୀ ନାଗୋକା କେକୋଙ୍କ ସହ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଅଧିକ ସହଭାଗିତା ନେଇ ସମ୍ପର୍କକୁ ମଜଭୂତ କରିବା ନେଇ ଚର୍ଚ୍ଚା ହୋଇଥିଲା। ଭାରତର ପ୍ରତିଭାଶାଳୀ ମାନବ ସମ୍ବଳ ଓ ଜାପାନର କ୍ଷମତା ଉଭୟ ଦେଶ ପାଇଁ ଅନେକ ସମ୍ଭାବନା ରଖିଛି। ଭାରତ ଏବଂ ଜାପାନ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁସାରେ କୌଶଳ, ପାଠ୍ୟକ୍ରମର ବିକାଶ ଏବଂ ପ୍ରଯୁକ୍ତିବିଦ୍ୟା ଗବେଷଣା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ କରିପାରିବେ।

ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ କଲେଜ୍ ଅଫ୍ ଇଞ୍ଜିନିୟରିଂ ପୁନେ ଟେକ୍ନୋଲୋଜି ୟୁନିଭର୍ସିଟିରେ ଇନୋଭେସନ, ଡିଜାଇନ ଓ ଏଣ୍ଟରପ୍ରିନେୟରସିପ ବୁଟ୍ କ୍ୟାମ୍ପର ଉଦଘାଟନ କରିଥିଲେ। ଏହି ବୁଟ୍ କ୍ୟାମ୍ପ ଦେଶର ଯୁବପିଢିଙ୍କୁ ବଡ଼ ଭାବିବା ଓ ବଡ଼ ସ୍ୱପ୍ନ ଦେଖିବା ପାଇଁ ଅନୁପ୍ରାଣିତ କରିବ ଏବଂ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବରେ ପରିଣତ କରିବାରେ ସହାୟକ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।

Categories
ବିଶେଷ ଖବର

ଜି ୨୦ ଶିକ୍ଷା ମନ୍ତ୍ରୀଙ୍କ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ଜରିଆରେ ପୁଣେରେ ଅନୁଷ୍ଠିତ ଜି -୨୦ ଶିକ୍ଷା ମନ୍ତ୍ରୀଙ୍କ ବୈଠକକୁ ସମ୍ବୋଧିତ କରିଛନ୍ତି।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶିକ୍ଷା କେବଳ ଆମର ମୂଳଦୁଆ ନୁହେଁ, ଏହା ଭବିଷ୍ୟତର ମାନବିକତା ପାଇଁ ମଧ୍ୟ ଆୟୁଦ୍ଧ ଅଟେ। ପ୍ରଧାନମନ୍ତ୍ରୀ ଶିକ୍ଷା ମନ୍ତ୍ରୀମାନଙ୍କୁ ଶେରପା ବୋଲି କହିଥିଲେ ଏବଂ ସମସ୍ତଙ୍କ ବିକାଶ, ଶାନ୍ତି ଏବଂ ସମୃଦ୍ଧି ପାଇଁ ସେମାନେ ମାନବଜାତିର ନେତୃତ୍ୱ ନେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ ଆଲୋକପାତ କରି କହିଛନ୍ତି ଯେ ଭାରତୀୟ ଶାସ୍ତ୍ରଗୁଡ଼ିକ ଉଲ୍ଲେଖ କରିଛନ୍ତି ଯେ ଖୁସି ପାଇବାର ଏକ ମାତ୍ର ଚାବିକାଠି ହେଉଛି ଶିକ୍ଷା। ଏକ ସଂସ୍କୃତ ଶ୍ଲୋକ ପଢିବାର ଅର୍ଥ ହେଉଛି ‘ପ୍ରକୃତ ଜ୍ଞାନ ନମ୍ରତା ପ୍ରଦାନ କରେ, ନମ୍ରତା ଠାରୁ ମୂଲ୍ୟବୋଧ, ମୂଲ୍ୟବୋଧରୁ ଧନ ପ୍ରାପ୍ତ ହୁଏ, ଧନ ଜଣେ ବ୍ୟକ୍ତିକୁ ଭଲ କାର୍ଯ୍ୟ କରିବାକୁ ସକ୍ଷମ କରେ ଏବଂ ଏହା ହିଁ ଆନନ୍ଦ ଆଣିଥାଏ’ ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଏ କ୍ଷେତ୍ରରେ ସାମଗ୍ରିକ ଏବଂ ବିସ୍ତୃତ ଯାତ୍ରା ଆରମ୍ଭ କରିଛି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ ମୂଳଦୂଆର ସାକ୍ଷରତା ଯୁବପିଢୀ ପାଇଁ ଏକ ଦୃଢ ଆଧାର ଅଟେ ଏବଂ ଭାରତ ଏହାକୁ ଜ୍ଞାନକୌଶଳ ସହିତ ସମ୍ମିଶ୍ରଣ କରୁଛି। ସେ “ନେସନାଲ ଇନିସିଏଟିଭ ଫର ପ୍ରଫିସିଏନ୍ସି ଇନ୍‍ ରିଡିଂ ୱିଥ୍‍ ଅଣ୍ଡରଷ୍ଟାଣ୍ଡିଂ ଆଣ୍ଡ ନ୍ୟୁମେରେସି” କିମ୍ବା ସରକାରଙ୍କ “ନିପୁଣ ଭାରତ” ପଦକ୍ଷେପ ଆଲୋକପାତ କରି ଖୁସି ବ୍ୟକ୍ତ କରିଛନ୍ତି ଯେ “ମୌଳିକ ଶିକ୍ଷା ଏବଂ ସଂଖ୍ୟା” ମଧ୍ୟ ଜି୨୦ ଦ୍ୱାରା ପ୍ରାଥମିକତା ଭାବରେ ଚିହ୍ନଟ ହୋଇଛି। ୨୦୩୦ ସୁଦ୍ଧା ଏକ ର୍ନିଦ୍ଦିଷ୍ଟ ସମୟ ମଧ୍ୟରେ ଏହା ଉପରେ କାର୍ଯ୍ୟ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ।

ନୂତନ ଇ-ଶିକ୍ଷାକୁ ଅଭିନବ ଭାବରେ ଗ୍ରହଣ ଏବଂ ବ୍ୟବହାର କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଏବଂ ଉନ୍ନତ ଶାସନ ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ସେ ଏ ଦିଗରେ ସରକାର ନେଇଥିବା ଅନେକ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ଏବଂ ‘ଯୁବ ଆଙ୍କାକ୍ଷୀ ମାନସିକତା ପାଇଁ ଷ୍ଟଡି ୱେବ୍ସ ଅଫ୍‍ ଆକ୍ଟିଭ୍‌-ଲର୍ନିଙ୍ଗ୍‌’ କିମ୍ବା ‘ସ୍ୱୟମ’ ନାମକ ଏକ ଅନଲାଇନ୍ ପ୍ଲାଟଫର୍ମ ବିଷୟରେ ଉଲ୍ଲେଖ କରିଥିଲେ ଯାହା ୯ମ ଶ୍ରେଣୀରୁ ସ୍ନାତକୋତ୍ତର ସ୍ତର ପର୍ଯ୍ୟନ୍ତ ସମସ୍ତ ପାଠ୍ୟକ୍ରମ ଆୟୋଜନ ଏବଂ ସକ୍ଷମ କରିଥାଏ ଏବଂ ରିମୋଟ୍‍ ଜରିଆରେ ପାଠପଢା ସହିତ ଗ୍ରହଣୀୟତା, ସମାନତା ଏବଂ ଗୁଣବତ୍ତା ଉପରେ ଧ୍ୟାନ ଦେଇଥାଏ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୩୪ ମିଲିୟନରୁ ଅଧିକ ନାମଲେଖା ଏବଂ ୯୦୦୦ ରୁ ଅଧିକ ପାଠ୍ୟକ୍ରମ ସହିତ ଏହା ଏକ ପ୍ରଭାବଶାଳୀ ଶିକ୍ଷଣ ଉପକରଣ ହୋଇପାରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜ୍ଞାନ ବାଣ୍ଟିବା ପାଇଁ ଡିଜିଟାଲ୍ ଭିତ୍ତିଭୂମି କିମ୍ବା “ଦୀକ୍ଷା ପୋର୍ଟାଲ୍‌” ଯାହା ଦୂରନିରନ୍ତର ଶିକ୍ଷା ମାଧ୍ୟମରେ ବିଦ୍ୟାଳୟ ଶିକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ଏହା ୨୯ ଟି ଭାରତୀୟ ଏବଂ ୭ ଟି ବିଦେଶୀ ଭାଷାରେ ଶିକ୍ଷାକୁ ସମର୍ଥନ କରେ ଏବଂ ଏପର୍ଯ୍ୟନ୍ତ ୧୩୭ ମିଲିୟନରୁ ଅଧିକ ପାଠ୍ୟକ୍ରମ ସମାପ୍ତ ହୋଇଛି। ଶ୍ରୀ ମୋଦୀ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ ଗ୍ଲୋବାଲ ସାଉଥରେ ଥିବା ଲୋକଙ୍କ ସହ ଏହି ଅଭିଜ୍ଞତା ଏବଂ ସମ୍ବଳ ସେୟାର କରି କରି ଭାରତ ଖୁସି ହେବ।

କ୍ରମାଗତ ଭାବରେ ଦକ୍ଷ, ପୁନଃ ଦକ୍ଷ ଏବଂ ଅଧିକ ଦକ୍ଷ କରି ଆମର ଯୁବକମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କାର୍ଯ୍ୟ ବିବରଣୀ ଏବଂ ଅଭ୍ୟାସଗୁଡ଼ିକର ବିକାଶ ସହିତ ସେମାନଙ୍କର ଦକ୍ଷତାକୁ ସମାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ଆମେ ଏହି ଦକ୍ଷତା ମ୍ୟାପିଂ କରୁଛୁ ଯେଉଁଠାରେ ଶିକ୍ଷା, ଦକ୍ଷତା ଏବଂ ଶ୍ରମ ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇ କାର୍ଯ୍ୟ କରୁଛନ୍ତି। ଶ୍ରୀ ମୋଦୀ ଏହା ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ଜି -୨୦ ଦେଶ ବିଶ୍ୱ ସ୍ତରରେ ଦକ୍ଷତା ଆକଳନ କରିପାରିବେ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ କରୁଥିବା ପାର୍ଥକ୍ୟଗୁଡିକ ଖୋଜି ପାରିବେ।

ଡିଜିଟାଲ ଜ୍ଞାନକୌଶଳ ଏକ ସମାନତାକାରୀ ଭାବରେ କାର୍ଯ୍ୟ କରିଥାଏ ଏବଂ ଅନ୍ତର୍ଭୂକ୍ତିକୁ ପ୍ରୋତ୍ସାହିତ କରେ ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଶିକ୍ଷାକୁ ବୃଦ୍ଧି ତଥା ଭବିଷ୍ୟତର ଆବଶ୍ୟକତା ସହ ଖାପ ଖୁଆଇବା ପାଇଁ ଏହା ଏକ ଶକ୍ତି। ସେ କୃତ୍ରିମ ବୁଦ୍ଧିମତାର ସମ୍ଭାବନା ଉପରେ ମଧ୍ୟ ମତ ରଖିଥିଲେ ଯାହା ଶିକ୍ଷା, ଦକ୍ଷତା ଏବଂ ଶିକ୍ଷା କ୍ଷେତ୍ରରେ ବହୁତ ସମ୍ଭାବନା ପ୍ରଦାନ କରିଥାଏ। ଜ୍ଞାନକୌଶଳ ଦ୍ୱାରା ସୃଷ୍ଟି ହୋଇଥିବା ସୁଯୋଗ ଏବଂ ଆହ୍ୱାନ ମଧ୍ୟରେ ସଠିକ୍ ସନ୍ତୁଳନ ସୃଷ୍ଟି କରିବାରେ ସେ ଜି -୨୦ ର ଭୂମିକା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ଅନୁସନ୍ଧାନ ଏବଂ ନବସୃଜନ ଉପରେ ଗୁରୁତ୍ୱ ଦିଆଯାଇଥିବା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଛନ୍ତି ଯେ ଭାରତ ସାରା ଦେଶରେ ଦଶ ହଜାର “ଅଟଳ ଟିଙ୍କରିଂ ଲ୍ୟାବ” ପ୍ରତିଷ୍ଠା କରିଛି ଯାହା ଆମ ସ୍କୁଲ ପିଲାମାନଙ୍କ ପାଇଁ ଅନୁସନ୍ଧାନ ଏବଂ ନବସୃଜନ ନର୍ସରୀ ଭାବରେ କାର୍ଯ୍ୟ କରୁଛି। ସେ ସୂଚନା ଦେଇଛନ୍ତି ଯେ ୭.୫ ମିଲିୟନରୁ ଅଧିକ ଛାତ୍ରଛାତ୍ରୀ ଏହି ଲ୍ୟାବରେ ୧.୨ ମିଲିୟନରୁ ଅଧିକ ଅଭିନବ ପ୍ରକଳ୍ପରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି ଯେ ଜି୨୦ ଦେଶଗୁଡିକ ନିଜସ୍ୱ ଶକ୍ତି ସହିତ ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବାରେ ବିଶେଷ ଭୂମିକା ଗ୍ରହଣ କରିପାରନ୍ତି, ବିଶେଷ କରି ଗ୍ଲୋବାଲ ସାଉଥରେ। ଅନୁସନ୍ଧାନ ସହଯୋଗ ବୃଦ୍ଧି ପାଇଁ ଏକ ପଥ ସୃଷ୍ଟି କରିବାକୁ ସେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଅନୁରୋଧ କରିଥିଲେ।

ଆମର ଶିଶୁ ଏବଂ ଯୁବକଙ୍କ ଭବିଷ୍ୟତ ଦିଗରେ ଜି -୨୦ ଶିକ୍ଷା ମନ୍ତ୍ରୀଙ୍କ ବୈଠକର ମହତ୍ୱକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଯେ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ତ୍ୱରାନ୍ୱିତତକାରୀ ଗୋଷ୍ଠୀ ସବୁଜ ପରିବର୍ତ୍ତନ, ଡିଜିଟାଲ ପରିବର୍ତ୍ତନ ଏବଂ ମହିଳା ସଶକ୍ତିକରଣକୁ ତ୍ୱରାନ୍ୱିତକାରୀ ଭାବରେ ଚିହ୍ନଟ କରିଛନ୍ତି। ଏହି ସବୁ ପ୍ରୟାସର ମୂଳରେ ଶିକ୍ଷା ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବୈଠକର ଫଳାଫଳ ଏକ ଅନ୍ତର୍ଭୂକ୍ତ, କାର୍ଯ୍ୟ-ଆଧାରିତ ଏବଂ ଭବିଷ୍ୟତ-ପ୍ରସ୍ତୁତ ଶିକ୍ଷା ଏଜେଣ୍ଡା ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ବସୁଧୈବ କୁଟୁମ୍ବକମ୍ – ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ର ପ୍ରକୃତ ଆବେଗରେ ସମଗ୍ର ବିଶ୍ୱର ଲାଭ କରିବ ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷ କରିଥିଲେ।

Categories
ଆଞ୍ଚଳିକ

ରଣପୁର: ଜି-୨୦ ଜନ ଭାଗିଦାରୀ କାର୍ଯ୍ୟକ୍ରମ ପାଳିତ

ରଣପୁର: ସରକାରଙ୍କ ଜି-୨୦ ନିୟମ ଅନ୍ତରଗତ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଆଜି ସାରା ରାଜ୍ୟରେ ପାଳିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ଏହି କାର୍ଯ୍ୟକ୍ରମ ମଧ୍ୟ ପାଳିତ ହୋଇ ଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନରସିଂହପୁର ୱାର୍ଡ ଶ୍ରଦ୍ଧାଞ୍ଜଳି ବେହେରା, ସମ୍ମାନିତ ଅତିଥି ଭାବେ ହଂସରା ମଧ୍ୟ ଇଁରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳାଦ୍ରି ସୁବୁଦ୍ଧି, ସି.ଆର.ସି.ସି. ସୁଶୀଲ କୁମାର ରଣା, ପାମ୍ପଡା ମଧ୍ୟ ଇଁରାଜୀ ବିଦ୍ୟାଳୟର ଶିକ୍ଷୟତ୍ରୀ ବୀଣାପାଣି ମିଶ୍ର, ପାମ୍ପଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ମଧୁଛନ୍ଦା ମହାନ୍ତି, ନାଟିମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମନୋରଞ୍ଜନ ମହାରଣା, ଅବସର ପ୍ରାପ୍ତ ଶିକ୍ଷକ ମହେନ୍ଦ୍ର କୁମାର ସାହୁ, ସାନଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ଦାଶ ସୁବୁଦ୍ଧି ପ୍ରମୁଖ ଯୋଗ ଦେଇଥିଲେ।

ଏହି ସଭାକାର୍ଯ୍ୟ ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶଙ୍କ ସଭାପତିତ୍ବରେ ପରିଚାଳିତ ହୋଇଥିଲା। ଶିକ୍ଷକ ସୁକାନ୍ତ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପିଲାମାନଙ୍କ ମଧ୍ୟରେ ଗପ କହିବା ଓ ଗଣିତ କୁଇଜ ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଦିଆଯାଇ ପୁରସ୍କୃତ କରାଯାଇଥିଲା। ଅତିଥି ଓ ଶିକ୍ଷକମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କରେ ବୁଝାଇବା ସହ ଏହାର ଆବଶ୍ୟକତା ଓ ଉପକାରିତା ସମ୍ବନ୍ଧରେ ଆଲୋଚନା କରିଥିଲେ। ଶିକ୍ଷୟତ୍ରୀ ସରୋଜିନୀ ମଙ୍ଗରାଜ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ନେଇ ଏକ ଗୀତ ମାଧ୍ୟମରେ ସଚେତନ ବାର୍ତା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟା ଭାନୁମତି ପ୍ରଧାନ, ଇତିଶ୍ରୀ ରଣା, ଗାୟତ୍ରୀ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷକ ଅଜୟ କୁମାର ସାହୁ, ଶରତ ନାୟକ, ବିଜୟ ଚମ୍ପତି, ରମେଶ ନାୟକ, ପୂର୍ଣଚନ୍ଦ୍ର ପତି, କୁମୁଦିନୀ ଦେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।  ଶିକ୍ଷକ ଭ୍ରମର ତାଡ଼ ଧନ୍ୟବାଦ ପ୍ରଦାନ କରିଥିଲେ।

ସେହିପରି ରଣପୁର ବ୍ଲକର ମଝିଆଖଣ୍ଡ, କାଶନ୍ଦା, ରଣପୁର, ଗୌରାଙ୍ଗପୁର, ଡମସାହି, ସୁନାଖଳା, କୁଳାସର ଆଦି କ୍ଲଷ୍ଟରରେ ମଧ୍ୟ ଏହି କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି।

Categories
ଆଞ୍ଚଳିକ

ବାଣପୁରରେ ଜନ ଭାଗିଦାରୀ ଦିବସ ପାଳିତ

ସୀତାରାମ ଅଗ୍ରୱାଲ
ବାଣପୁର: ସରକାରଙ୍କ ନିର୍ଦ୍ଦେଶ ମୁତାବକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଜାଣିବାର ଅଧିକାରକୁ ସାବ୍ୟସ୍ତ କରିବା ଲକ୍ଷ୍ୟରେ ସମସ୍ତଙ୍କୁ ସେଚେତନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବାଣପୁର ବିଇଓ ସନାତନ ଜାଲି ବ୍ଲକରେ ସମୁଦାୟ ୧୨ଟି ସ୍କୁଲକୁ କ୍ଲଷ୍ଟର ଭାବେ ଗ୍ରହଣ କରି ସେଠାରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିଛନ୍ତି।

ଉକ୍ତ କ୍ଲଷ୍ଟର ଅଧୀନରେ ଥିବା ସ୍କୁଲର ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଓ ସେମାନଙ୍କର ପିତାମାତା ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆସନ୍ତା ୨୦୨୬ /୨୭ ମସିହା ସୁଦ୍ଧା ଯେପରି ସମସ୍ତେ ମୌଳିକ ସାକ୍ଷାରତା ଓ ସଂଖ୍ୟାଜ୍ଞାନ ହାସଲ କରିବା ଥିଲା କାର୍ଯ୍ୟକ୍ରମର ଲକ୍ଷ୍ୟ। ଅର୍ଥାତ ମିଶାଣ, ଫେଡାଣ, ଗୁଣନ, ହରଣ ଏବଂ ପଢିବା ବୁଝିବା ଓ ଲେଖିବା ହାସଲ କରିବାକୁ ବିଭିନ୍ନ ପ୍ରକାର କୌଶଳ ଶିକ୍ଷା ଦିଆଯାଇଥିଲା।

ଉକ୍ତ ଯୋଜନା ଭାରତ ସରକାରଙ୍କ ଜି-୨୦ ର ଗୋଟିଏ ଏଜୁକେସନ ପାର୍ଟ ଯାହାକି ଜନ ଭାଗିଦାରୀ ଦିବସ ନାମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ବୋଲି ଶ୍ରୀଯୁକ୍ତ ଜାଲି ମତବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ୱରରେ ପ୍ରସିଦ୍ଧ ଉଦୟଗିରି ଗୁମ୍ଫା ପରିଦର୍ଶନ କଲେ ଜି-୨୦ ଦ୍ୱିତୀୟ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀ ପ୍ରତିନିଧି

ଭୁବନେଶ୍ୱର: ‘‘ସଠିକ ଚିନ୍ତାଧାରା, ସଠିକ ସଂକଳ୍ପ ଏବଂ ସଠିକ କାର୍ଯ୍ୟାନୁଷ୍ଠାନ’’ ଭାରତକୁ ଉପଯୁକ୍ତ ସମ୍ମାନ ଦେଇପାରିବ ବୋଲି କହିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ। ଆଜି ଭୁବନେଶ୍ୱର ଠାରେ ଜି ୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱିତୀୟ ବୈଠକ ସମାପନ ହେବା ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀମତୀ .ଲେଖୀ ଏହି ବକ୍ତବ୍ୟ ରଖିଛନ୍ତି।

ଅମୃତ କାଳ ଅର୍ଥାତ୍‌ ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତକୁ ବିକାଶର ନୂତନ ଶିଖରକୁ ନେଇଯିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଦୋହରାଇ ଶ୍ରୀମତୀ ଲେଖୀ କହିଥିଲେ ଯେ, ଭାରତକୁ ନିଜର ହୃତଗୌରବ ଫେରି ପାଇବା ଲାଗି କଠିନ ପରିଶ୍ରମ କରିବାକୁ ହେବ। ସଂସ୍କୃତିର ସାମଞ୍ଜସ୍ୟପୂର୍ଣ୍ଣ ପ୍ରକୃତି ଉପରେ ରେଖାଙ୍କିତ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ‘‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ କରିବା ଲାଗି ସମ୍ପର୍କ ସ୍ଥାପନର ଏକ ମାଧ୍ୟମ ହୋଇପାରିବ। ବିଶେଷ କରି ବିଶ୍ୱବ୍ୟାପୀ ଅଧିକ ଉତ୍ତେଜନା ଓ ଚାପ ଦେଖା ଦେଇଥିବା ସମୟରେ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ସଂସ୍କୃତି ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ‘‘ସଂସ୍କୃତି ସମ୍ପର୍କ ଯୋଡ଼ିଥାଏ’’ ବୋଲି ମତବ୍ୟକ୍ତ କରିବା ସହିତ ସେ କହିଥିଲେ ଯେ ଜି-୨୦ ସଂସ୍କୃତିକ କାର୍ଯ୍ୟଗୋଷ୍ଠୀକୁ ପ୍ରଥମ ଥର ପାଇଁ ଏକ ଭିନ୍ନ ଗୋଷ୍ଠୀ ଭାବେ ଗଠନ କରାଯାଇଛି।

ଆମେ ଜି-୨୦ରେ ସଦଭାବ ଏବଂ ଶାନ୍ତିର କଥା କହୁଥିବା ସମୟରେ ସଂସ୍କୃତି ଉପରେ ଗୁରୁତ୍ୱାରୋପ କରିବାର ଆବଶ୍ୟକତା ରହିଛି। ଓଡ଼ିଶା ବା ଉତ୍କଳ ରାଜ୍ୟରେ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଆୟୋଜନକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ। କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଉତ୍କଳ ବା ‘ଉତ୍କର୍ଷ କଳାର ଭୂମି’ ଓଡ଼ିଶା ନିଜର ସମୃଦ୍ଧଶାଳୀ କଳା ଓ ସଂସ୍କୃତି ପାଇଁ ପରିଚିତ। ଏଠାରେ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ।

ବିଦେଶାଗତ ଅତିଥିମାନେ ଭୁବନେଶ୍ୱର ଉପକଣ୍ଠରେ ଥିବା ଉଦୟଗିରି ଗୁମ୍ଫା ବୁଲି ଦେଖିବା ସମ୍ପର୍କରେ ପ୍ରଶ୍ନ କରାଯିବାରୁ ଶ୍ରୀମତୀ ଲେଖୀ କହିଥିଲେ ଯେ, ଏହା ପ୍ରତିନିଧିମାନଙ୍କ ପାଇଁ ଏକ ଜ୍ଞାନ ବିନିମୟ ଅନୁଭୂତି ଥିଲା। ସେମାନେ ପ୍ରାଚୀନ କାଳର କଳାସ୍ଥାପତ୍ୟ ଏବଂ ଓଡ଼ିଶାର ସଂସ୍କୃତିକୁ ଦେଖି ଅଭିଭୂତ ହୋଇଥିଲେ।

ଏଥିପୂର୍ବରୁ କେନ୍ଦ୍ର ମନ୍ତ୍ରୀ ନିଜେ ବିଦେଶାଗତ ଅତିଥିମାନଙ୍କ ସହିତ ୨ହଜାର ବର୍ଷ ପୁରୁଣା ପ୍ରସିଦ୍ଧ ଉଦୟଗିରି ଗୁମ୍ଫା ବୁଲି ଦେଖିଥିଲେ। ସେମାନେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଜୀବନ ଓ ଆଦର୍ଶ ପ୍ରତି ସମର୍ପିତ ଗାନ୍ଧୀ ଶାନ୍ତି କେନ୍ଦ୍ର ପରିଦର୍ଶନ କରିଥିଲେ।

ଏଥିସହିତ ଚାରି ଦିନିଆ ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଶେଷ ହୋଇଛି। ବୈଠକ ଅବସରରେ ବିଭିନ୍ନ କାର୍ଯକ୍ରମ ଏବଂ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା।  ଦ୍ୱିତୀୟ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀ ବୈଠକରେ ଜି୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ସେମାନେ ସଂସ୍କୃତି କ୍ଷେତ୍ରରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ଏକ ବାସ୍ତବବାଦୀ ଏବଂ କାର୍ଯ୍ୟ ଉନ୍ମୁଖୀ ସୁପାରିସ  କରିବା ଲାଗି ବ୍ୟାପକ ଆଲୋଚନା ତଥା ବିଚାରବିମର୍ଶ କରିଥିଲେ। ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକରେ ମୋଟ୍‌ ଦୁଇ ଦିନ ଧରି ଛଅଟି ଅଧିବେଶନରେ ଆଲୋଚନା ହୋଇଥିଲା। ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ୪ଟି ପ୍ରାଥମିକତା କ୍ଷେତ୍ର  : ସାଂସ୍କୃତିକ ସମ୍ପତ୍ତିର ସଂରକ୍ଷଣ ଏବଂ ପୁନଃପ୍ରତିଷ୍ଠା; ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ; ସଂସ୍କୃତି ଏବଂ ସୃଜନଶୀଳ ଉଦ୍ୟୋଗ ଓ ଅର୍ଥବ୍ୟବସ୍ଥାର ପ୍ରୋତ୍ସାହନ; ଏବଂ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ ଉପରେ ଆଲୋଚନା କରାଯାଇଥିଲା।

ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକର ଅଂଶବିଶେଷ ସ୍ୱରୂପ ‘ସଷ୍ଟେନ : ଦ କ୍ରାଫ୍ଟ ଇଡିଅମ୍’ ଶୀର୍ଷକ ପ୍ରଦର୍ଶନୀ ଭୁବନେଶ୍ୱରସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ – କଳାଭୂମି ପରିସରରେ ଆୟୋଜନ କରାଯାଇଥିଲା। ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ଗ୍ରହଣ କରାଯାଇଥିବା ଦ୍ୱିତୀୟ ପ୍ରାଥମିକତା – “ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ” ବିଷୟବସ୍ତୁକୁ ଆଧାର କରି ଏହି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ସେହିପରି ‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ କରିଥାଏ’ ଶୀର୍ଷକ ବାର୍ତ୍ତା ନେଇ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା କଳା ପ୍ରଦର୍ଶନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭାରତର ଜି-୨୦ ସଭାପତିତ୍ବକୁ ନେଇ ଏମ୍‌ସ ଭୁବନେଶ୍ୱର ଛାତ୍ରଛାତ୍ରୀଙ୍କ ପକ୍ଷରୁ ମାନବଶୃଙ୍ଖଳ

ଭୁବନେଶ୍ୱର: ଭାରତର ଜି-୨୦ ସଭାପତିତ୍ବର ସଫଳତାକୁ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ନିଆରା ଢଙ୍ଗରେ ପାଳନ କରାଯାଇଛି। ଆଜି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ବିଶାଳ ମାନବଶୃଙ୍ଖଳ ଗଠନ କରାଯାଇଥିଲା। ପ୍ରାୟ ସାଢ଼େ ତିନିଶହ ଛାତ୍ରୀଙ୍କୁ ନେଇ ଜି୨୦କୁ ଚିତ୍ରଣ କରୁଥିବା ଏକ ପ୍ରତିସ୍ବରୂପ ସୃଷ୍ଟି କରାଯାଇଥିଲା। ଏମ୍‌ସ ପରିସରରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏପରି ମାନବଶୃଙ୍ଖଳ ବେଶ ଆକର୍ଷଣୀୟ ହୋଇଥିଲା।  ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ  ବିଷୟବସ୍ତୁର ବିଶେଷତାକୁ ସାରା ବିଶ୍ବରେ ପହଞ୍ଚାଇବାର ପ୍ରୟାସ କରିଥିଲେ ଏମ୍‌ସର ଛାତ୍ରଛାତ୍ରୀ।

ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଜି୨୦ ଜନଭାଗିଦାରୀ ଅଭିଯାନ ଅନ୍ତର୍ଗତ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଛାତ୍ରଛାତ୍ରୀ ଏବଂ ରୋଗୀଙ୍କ ଖାଦ୍ୟରେ ମିଲେଟ୍‌ର ବ୍ୟବହାର ସମେତ ପାର୍ଶ୍ୱିବର୍ତ୍ତୀ ଗ୍ରାମଗୁଡିକରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ, ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏମ୍‌ସର ଜାତୀୟ ସେବା ଯୋଜନା(ଏନଏସଏସ) ପକ୍ଷରୁ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ ଭଳି ଏକାଧିକ କାର୍ଯ୍ୟକ୍ରମ ଜନ ଭାଗିଦାରୀ ଅଭିଯାନର ଅଂଶ ଥିଲା।

ଜି୨୦ ଅଭିଯାନରେ ଏମ୍‌ସ ଭୁବନେଶ୍ୱରର ସକ୍ରିୟ ସହଭାଗୀତାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ। ଏମ୍‌ସ ଭୁବନେଶ୍ୱର ସର୍ବଦା ନୂତନ ଜ୍ଞାନକୌଶଳ ଏବଂ ସମ୍ବେଦନଶୀଳତା ସହିତ ଜନସାଧାରଣଙ୍କ ସେବା କରିବାକୁ ପ୍ରତିଶ୍ରୁତିବଦ୍ଧ। ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏପରି ମାନବଶୃଙ୍ଖଳ ସୃଷ୍ଟି ଭାରତର ବିଶ୍ୱସ୍ତରୀୟ ନେତୃତ୍ୱ ତଥା ନାରୀଶକ୍ତିର ଜାଗରଣକୁ ପ୍ରମାଣିତ କରୁଥିବା ଡ. ବିଶ୍ବାସ ପ୍ରକାଶ କରିଛନ୍ତି।

ଏଥିସହିତ ଆଜି ଏମ୍‌ସର ଛାତ୍ରଛାତ୍ରୀ କୋଭିଡ୍‌ ଏବଂ ଅନ୍ୟାନ୍ୟ ବିଭିନ୍ନ ସାମାଜିକ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଓପିଡି ପରିସରରେ କଳାତ୍ମକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଜି୨୦ ଅଭିଯାନର ଉଦ୍‌ଯାପନୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

କୁଳସଚିବ ବି ବି ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡିନ୍‌ ଡ. ପି ଆର ମହାପାତ୍ର, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡା, ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ, ପିଆର୍‌ ସେଲ୍‌ ମୁଖ୍ୟ ଡ. ପ୍ରଭାସ ରଂଜନ ତ୍ରିପାଠୀ, ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଏବଂ କର୍ମଚାରୀ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ ସୋଆ

ଭୁବନେଶ୍ୱର: ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ଉଚ୍ଚ ଶିକ୍ଷା ବିଭାଗର ସଚିବ କେ ସଞ୍ଜୟ ମୂର୍ତ୍ତି ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍‌କୁ ବୁଲି ଦେଖିବା ସହ ସୋଆରେ ଚାଲିଥିବା ଭାରତୀୟ ଜ୍ଞାନ ପରମ୍ପରା ପ୍ରକଳ୍ପମାନ ଦେଖିଥିଲେ।

ଜ୍ୟୋତିର୍ବିଜ୍ଞାନୀ ଓ ଗଣିତଜ୍ଞ ପଠାଣି ସାମନ୍ତ ବ୍ୟବହାର କରୁଥିବା ଜ୍ୟୋତିର୍ଯନ୍ତ୍ରର ଲଘୁରୁପର ପରିକଳ୍ପନାଠାରୁ ଆରମ୍ଭ କରି ମହାନ ଭାରତୀୟ ବିଦ୍ଵାନ ଏବଂ ଗଣିତଜ୍ଞ ରାମାନୁଜନ, ବ୍ରହ୍ମଗୁପ୍ତ, ଆଚାର୍ଯ୍ୟ ପିଙ୍ଗଳ , ଆର୍ଯ୍ୟଭଟ୍ଟ ଏବଂ ମାଧବ ଆଦିଙ୍କ କାର୍ଯ୍ୟକୁ ଇଣ୍ଟର୍ଣ୍ଣସିପରେ ଅଧୟନ କରିବା ଦେଖି ଖୁସି ହୋଇଥିଲେ। ଅନ୍ୟ ଏକ ପ୍ରକଳ୍ପରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପାଇଁ ପ୍ରସ୍ତୁତ ଆଇକେଏସ ଆଧାରିତ ବିଜ୍ଞାନ ବହିରୁ ସ୍କୁଲ ପିଲାମାନେ ଶୀଘ୍ର ପ୍ରାଚୀନ ଭାରତୀୟ ଜ୍ଞାନର ଝଲକ ପାଇବେ ବୋଲି କହିଥିଲେ ପ୍ରକଳ୍ପର ପ୍ରମୁଖ ଅନୁସନ୍ଧାନକାରୀ ପ୍ରଫେସର ନଚିକେତା ଶର୍ମା। ଏହା ଏକ ଗୌରବର ବିଷୟ ଯେ ସୋଆରେ ସ୍ଥାପିତ ହେବାକୁ ଯାଉଛି ଆଇକେଏସ ଡିଭିଜନ ତରଫରୁ ଓଡ଼ିଆ ଭାଷା କେନ୍ଦ୍ର। ଏନ୍ଇପି ୨୦୨୦ର ଅଂଶ ରୁପେ ପରିଚାଳିତ ପ୍ରକଳ୍ପ ଦେଖି ଶ୍ରୀ ମୂର୍ତ୍ତି ଖୁସୀ ହୋଇଥିଲେ।

ସେ ସିଆଇଆଇ ଏଗଜିବିଟର ବୁଥ୍ ବୁଲି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କ ଷ୍ଟାର୍ଟ ଅପ୍‌ ସମ୍ବନ୍ଧୀୟ ତଥ୍ୟ ଛାତ୍ରଛାତ୍ରୀଙ୍କ ଠାରୁ ବୁଝିବା ସହ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଶ୍ରୀ ମୂର୍ତ୍ତି ସୋଆର ଅତିରିକ୍ତ ଡିନ୍ (ଷ୍ଟୁଡ଼େଣ୍ଟସ୍ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମାଙ୍କ ସହ ମଧ୍ୟ ଏ ସଂପର୍କରେ ଆଲୋଚନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଅଧୀନରେ ଭୁବନେଶ୍ୱରରେ ଆରମ୍ଭ ହେଲା ତୃତୀୟ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସିଏସଆଇଆର-ଆଇଏମଏମଟି ଠାରେ ‘ଭବିଷ୍ୟତର କାର୍ଯ୍ୟ ପରିପ୍ରେକ୍ଷୀରେ ଆଜୀବନ ଅଧ୍ୟୟନ ପାଇଁ ଦକ୍ଷତା ବିକାଶ’ ଉପରେ ସେମିନାର ଆୟୋଜନ ସହିତ ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ବୈଠକ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ପୂର୍ବରୁ ଜି୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ଦୁଇଟି ବୈଠକ ଚେନ୍ନାଇ ଓ ଅମୃତସରରେ ଆୟୋଜିତ ହୋଇଥିଲା। ବିଶ୍ୱସ୍ତରରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲାଗି ଅଭିନବ ଉପାୟ ଓ ନୀତିଗୁଡ଼ିକ ଉପରେ ଆଲୋଚନା କରିବା ଏବଂ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକ ଆୟୋଜନ କରାଯାଉଛି। ଆଜି ଠାରୁ ଭୁବନେଶ୍ୱରରେ ଆୟୋଜିତ ହେଉଥିବା ତିନି ଦିନିଆ ବୈଠକରେ ଜି୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନର ୬୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି।

ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକର ପ୍ରଥମ ଦିନର କାର୍ଯ୍ୟକ୍ରମକୁ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁଭାଷ ସରକାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମ୍ବୋଧିତ କରିଥିଲେ। ରାଷ୍ଟ୍ରର ଭବିଷ୍ୟତକୁ ରୂପ ଦେବା କ୍ଷେତ୍ରରେ ଶିକ୍ଷାର ଗୁରୁତ୍ୱ ଉପରେ ସେ ସ୍ୱତନ୍ତ୍ର ଅଭିଭାଷଣ ରଖିଥିଲେ। ସେ ଦକ୍ଷତା ବିକାଶର ମୂଲ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଭବିଷ୍ୟତ ଲାଗି କୁଶଳୀ ଶ୍ରମଶକ୍ତିଙ୍କୁ ପ୍ରସ୍ତୁତ କରିବା ଲାଗି ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ସେ ଜ୍ଞାନ, ଅନୁଭୂତି ଏବଂ ଶ୍ରେଷ୍ଠ ପଦ୍ଧତି ବିନିମୟ କରିବା ଲାଗି ଜି୨୦ ଭଳି ମଞ୍ଚର ଆବଶ୍ୟକତା ଉପରେ ଜୋର ଦେଇଥିଲେ ଯାହାକି ଶିକ୍ଷା କ୍ଷେତ୍ରରେ ସହଭାଗୀ ସଂସ୍କାର ଆଣିବା ଲାଗି ଉପାଦେୟ ହୋଇପାରିବ।

ଏହି ଅବସରରେ ଶ୍ରୀ ସରକାର କହିଥିଲେ ଯେ, କାର୍ଯ୍ୟକ୍ଷେତ୍ରରେ ଆସିଥିବା ପରିବର୍ତ୍ତନ ଏବଂ ମୌଳିକ ଦକ୍ଷତା ବିକାଶ ଓ ଆଜୀବନ ଅଧ୍ୟୟନ ଉପରେ ବିଚାରବିମର୍ଶ କରିବା ଲାଗି ଦୁଇଟି ଆଲୋଚନା ହୋଇଥିଲା, ତାହା ଉପରେ ଆଧାର କରି ଆଜିର ସେମିନାର ଆୟୋଜନ କରାଯାଉଛି। ଅପସ୍କିଲିଂ, ରିସ୍କିଲିଂ ଓ ଆଜୀବନ ଅଧ୍ୟୟନ ଜରିଆରେ ‘ଭବିଷ୍ୟତ ଲାଗି ପ୍ରସ୍ତୁତ’ କାର୍ଯ୍ୟଶକ୍ତି ପାଇଁ ‘ଭବିଷ୍ୟତର କୌଶଳ’ ବିତରଣ ପାଇଁ ମାନବୀୟ ଓ ସଂସ୍ଥାଗତ କ୍ଷମତାକୁ ସୁଦୃଢ଼ କରିବା ଜି-୨୦ ସେମିନାରର ଲକ୍ଷ୍ୟ ବୋଲି ସେ କହିଥିଲେ। ଶ୍ରୀ ସରକାର କହିଥିଲେ ଯେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର ବ୍ୟବସ୍ଥା ଅନୁରୂପ ଭାରତ ସରକାର ମୁଖ୍ୟତଃ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷାର ଏକୀକରଣ ଜରିଆରେ ଦକ୍ଷତା ବିକାଶ ଢାଞ୍ଚା ବିକଶିତ କରିବା, ମୂଲ୍ୟାଙ୍କନ କରିବା ଏବଂ ମାନ୍ୟତା ଦେବା ଲାଗି ପ୍ରୟାସ କରୁଛନ୍ତି।

ଜାତୀୟ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦର ଅଧ୍ୟକ୍ଷ ଡକ୍ଟର ନିର୍ମଲଜିତ ସିଂ କାଲସୀ ମଧ୍ୟ ସେମିନାରରେ ଉଦବୋଧନ ଦେଇଥିଲେ। ଜି୨୦ ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନ ଠାରୁ ମିଳିଥିବା ମତାମତ ଓ ପରାମର୍ଶ ସମ୍ପର୍କରେ ଡକ୍ଟର କାଲସୀ ଏକ ଉପସ୍ଥାପନା ଦେଇଥିଲେ। ଏହାଛଡ଼ା ଶିକ୍ଷା ମନ୍ତ୍ରଣାଳୟର ସଚିବ ଶ୍ରୀ କେ. ସଞ୍ଜୟ ମୂର୍ତ୍ତି, ଜାତୀୟ ଶିକ୍ଷା ବୈଷୟିକ ମଞ୍ଚ (ଏନଇଟିଏଫ)ର ଅଧ୍ୟକ୍ଷ ଡକ୍ଟର ଅନୀଲ ଡି. ସହସ୍ରବୁଦ୍ଧେ ମଧ୍ୟ ସେମିନାରକୁ ସମ୍ବୋଧିତ କରିଥିଲେ। ଆଜୀବନ ଅଧ୍ୟୟନ ପାଇଁ ଏକ ଡିଜିଟାଲ ଇକୋସିଷ୍ଟମ ନିର୍ମାଣ କରିବା ଲାଗି ସେମାନେ ଆବଶ୍ୟକ ମତାମତ ଦେଇଥିଲେ।

ଏହି ସେମିନାରରେ ତିନୋଟି ପାନେଲ ଆଲୋଚନା ହୋଇଥିଲା। ବ୍ରାଜିଲ, ସ୍ପେନ, ୟୁଏଇ, ସିଙ୍ଗାପୁର, ରୁଷ, ଦକ୍ଷିଣ ଆଫ୍ରିକା, ମରିସସ, ଓଇସିଡି, ୟୁନିସେଫ, ଅଷ୍ଟ୍ରେଲିଆ ଏବଂ ବ୍ରିଟେନର ପାନେଲିଷ୍ଟମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ନିମ୍ନ ବିଷୟବସ୍ତୁଗୁଡ଼ିକ ଉପରେ ପାନେଲ ଆଲୋଚନା ହୋଇଥିଲ :

ପାନେଲ ଆଲୋଚନା 1: କାର୍ଯ୍ୟର ଭବିଷ୍ୟତ ସନ୍ଦର୍ଭରେ ଶ୍ରମ ବଜାର ଓ ସଂସ୍ଥାଗତ କ୍ଷମତା ନିର୍ମାଣର ଆବଶ୍ୟକତା ଲାଗି ଏକ ସକ୍ରିୟ ବ୍ୟବସ୍ଥା ନିର୍ମାଣ : ଉଚ୍ଚ ଗୁଣବତ୍ତା ଆଧାରିତ ପ୍ରଯୁକ୍ତି ଏବଂ ଧନ୍ଦାମୂଳକ ଶିକ୍ଷାକୁ ସକ୍ଷମ କରିବା। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ସଚିବ ଶ୍ରୀ ଅତୁଲ କୁମାର ତିୱାରୀ ପାନେଲ ଆଲୋଚନାରେ ଅଧ୍ୟକ୍ଷତା କରିଥିଲେ।

ପାନେଲ ଆଲୋଚନା 2 : ଉଚ୍ଚ ଶିକ୍ଷା ଏବଂ ଧନ୍ଦାମୂଳକ ଶିକ୍ଷା ମଧ୍ୟରେ ମାର୍ଗ ସୃଷ୍ଟି କରିବା। ଏଲଆଣ୍ଡ ଟି ଏଡୁ ଟେକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସବ୍ୟସାଚୀ ଦାସ ଆଲୋଚନାରେ ଅଧ୍ୟକ୍ଷତା କରିଥିଲେ।

ପାନେଲ ଆଲୋଚନା 3 : ପିଲାମାନଙ୍କୁ ଆଜୀବନ ଅଧ୍ୟୟନର ଧାରାକୁ ଆଣିବା ଲାଗି ବିଭିନ୍ନ ପ୍ରକାରର ଭବିଷ୍ୟତ କୌଶଳ ସେଟ୍‌ ଜରିଆରେ ସେମାନଙ୍କୁ ସକ୍ଷମ କରିବା । ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ସଚିବ ଶ୍ରୀ ସଞ୍ଜୟ କୁମାର ଏଥିରେ ଅଧ୍ୟକ୍ଷତା କରିଥିଲେ।

ଜି-୨୦, ନିମନ୍ତ୍ରିତ ଦେଶ ଏବଂ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଜି୨୦ ଭବିଷ୍ୟତର କାର୍ଯ୍ୟ ପ୍ରଦର୍ଶନୀକୁ ମଧ୍ୟ ପରିଦର୍ଶନ କରିଥିଲେ। ଯେଉଁଥିରେ ସେମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ନୂତନ ବିଚାରକୁ ଦେଖିଥିଲେ ଯାହା ଆମର କାର୍ଯ୍ୟଶୈଳୀ ଏବଂ ଅଧ୍ୟୟନର ପଦ୍ଧତିରେ ପରିବର୍ତ୍ତନ ଆଣୁଛି। ପ୍ରତିନିଧିମାନେ ପ୍ରଦର୍ଶନକାରୀ ଏବଂ ଉଦ୍ଭାବକମାନଙ୍କ ସହିତ ମତବିନିମୟ କରିଥିଲେ।

ଏହି ପ୍ରଦର୍ଶନୀରେ ଶିଳ୍ପ, ଶିକ୍ଷାଜଗତ, ସରକାରୀ ସଂସ୍ଥା, ବହୁପକ୍ଷୀୟ ସଂସ୍ଥା, ଷ୍ଟାର୍ଟଅପ୍‌ ଏବଂ ଅନ୍ୟାନ୍ୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିବା ସହିତ ସେମାନଙ୍କର ସୃଜନଶୀଳ ସାମଗ୍ରୀ ଓ ପ୍ରଯୁକ୍ତି ପ୍ରଦର୍ଶନ କରୁଛନ୍ତି। ସେହିପରି ଏଠାରେ ଭବିଷ୍ୟତର କାର୍ଯ୍ୟ ଉପରେ ଏକ ସ୍ୱତନ୍ତ୍ର ଅନୁଭୂତି ଜୋନ ସହିତ ବ୍ୟାପକ ଜ୍ଞାନକୌଶଳ ପ୍ରଦର୍ଶିତ ହୋଇଛି। ମେଟା, ହେକ୍ସାଗନ, ଇନଫୋସିସ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ, ୟୁନିସେଫ, ଭାରତୀୟ ଜ୍ଞାନ ବ୍ୟବସ୍ଥା ଡିଭିଜନ, ଆଇଆଇଟି ଭୁବନେଶ୍ୱର, ଆଇଆଇଏମ ସମ୍ବଲପୁର, ଟ୍ରାଇଫେଡ ଏବଂ ଆହୁରି ଅନେକ ଷ୍ଟଲ୍‌ ଜରିଆରେ ଭବିଷ୍ୟତର କାର୍ଯ୍ୟ, ସ୍ୱାସ୍ଥ୍ୟ ସେବା, ମୋବିଲିଟୀ, କୃଷି ଏବଂ ଅନ୍ୟାନ୍ୟ ଭବିଷ୍ୟ ଉନ୍ମୁଖି ବିଷୟବସ୍ତୁ ଏଥିରେ ପ୍ରଦର୍ଶିତ ହୋଇଛି । ପ୍ରଯୁକ୍ତି ଏବଂ ବଜାର ଧାରାରେ ବ୍ୟାପକ ପରିବର୍ତ୍ତନ ଆସିବା କାରଣରୁ ଆଜୀବନ ଅଧ୍ୟୟନ ପଦ୍ଧତି ପାଇଁ ପ୍ରାସଙ୍ଗିକ ଓ ସମନ୍ୱିତ ପଦ୍ଧତି ସହିତ ନୀତି ନିର୍ମାତା ଓ ଶିକ୍ଷାବିତମାନଙ୍କ ପାଇଁ ଏହି ପ୍ରଦର୍ଶନୀ ଏକ ବିଶେଷ ସୁଯୋଗ ଆଣିଦେଇଛି ।

ଏହି ଆଲୋଚନା ବ୍ୟତୀତ ତିନି ଦିନିଆ ବୈଠକରେ ସାଂସ୍କୃତିକ କାର୍ଯକ୍ରମ ମଧ୍ୟ ସାମିଲ ରହିଛି ଯେଉଁଥିରେ ପାରମ୍ପରିକ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ । ବୈଠକରେ ଯୋଗ ଦେଇଥିବା ପ୍ରତିନିଧିମାନେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଦେଖିବା ଏବଂ ରାଜ୍ୟର ଇତିହାସ ଓ ପରମ୍ପରା ସମ୍ପର୍କରେ ଜାଣିବା ଲାଗି ସୁଯୋଗ ପାଇବେ । ସେମିନାରର ଅନ୍ତିମ ଦିନରେ ପ୍ରତିନିଧିମାନେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିବାର ସୁଯୋଗ ପାଇବେ । ଏହି ମନ୍ଦିର ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଏବଂ ଏକ ଲୋକପ୍ରିୟ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱର ଠାରେ ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ” ଉଦଘାଟିତ

ଭୁବନେଶ୍ୱର: ଓଡ଼ିଶାର ପରମ୍ପରାରେ ଦକ୍ଷତାର ଗୁରୁତ୍ୱ ବହୁ ପୂର୍ବରୁ ରହିଆସିଛି। ଆବାହାମାନ କାଳରୁ ଓଡ଼ିଶାର ଭୂମିରେ କଳା, ସାହିତ୍ୟ, ସଂସ୍କୃତି ଓ ବାଣିଜ୍ୟରେ ଦକ୍ଷତାର ପରାକାଷ୍ଠା ରହିଛି ବୋଲି ରବିବାର ଭୁବନେଶ୍ୱର ସ୍ଥିତ ଆଇଏମଏମଟି ପରିସରରେ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ”ର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ “ଭବିଷ୍ୟତ କାର୍ଯ୍ୟଶୈଳୀରେ ଗହନ ପ୍ରଯୁକ୍ତି ସହ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ” କଥାବସ୍ତୁ ଉପରେ ଆୟୋଜିତ ସମ୍ମିଳନୀରେ ସମ୍ବୋଧନ କରିଥିଲେ। ସେ କହିଛନ୍ତି ଯେ ବିଶ୍ୱ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ବିଶ୍ୱର ପରିବର୍ତ୍ତନ ସହ ତାଳ ଦେବାକୁ ଦକ୍ଷତା ବିକାଶ ନିତ୍ୟାନ୍ତ ଆବଶ୍ୟକ। ଦକ୍ଷତା ବିକାଶ ଉପରେ ପ୍ରଧାନମନ୍ତ୍ରୀ ମୋଦି ସର୍ବଦା ଗୁରୁତ୍ୱ ଦେଇଛନ୍ତି। ଭବିଷ୍ୟତର କାର୍ଯ୍ୟଶୈଳୀ ପାଇଁ ଆମର ଯୁବଶକ୍ତିଙ୍କୁ ନିଯୁକ୍ତିଦାତା ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କଳ୍ପନା ରହିଛି। ଆଗାମୀ ଦିନରେ ୨୦୪୭ ସୁଦ୍ଧା ବିଶ୍ୱର ଯୁବବର୍ଗଙ୍କ ସଂଖ୍ୟାରେ ୨୫ ପ୍ରତିଶତ ଯୁବବର୍ଗ ଭାରତର ରହିବ। ଆଗାମୀ ୨୫ ବର୍ଷର ଅମୃତ କାଳରେ ଡିଗ୍ରୀ ନୁହେଁ ଦକ୍ଷତା ଓ ସାମର୍ଥ୍ୟ ହିଁ ଗୁରୁତ୍ୱ ବହନ କରିବ। ତେଣୁ ଏହି ସମୟରେ ଆଗାମୀ ଦିନର କାର୍ଯ୍ୟଶୈଳିର ରୂପରେଖ ଅନୁସାରେ ଦେଶର ଯୁବ ସମ୍ବଳ ପ୍ରସ୍ତୁତ କରିବାକୁ ହେବ। ଏ ଦିଗରେ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ ବିଶେଷ ଭାବରେ ସହାୟକ ହେବ।

ଆଜି ସାରା ଦେଶ ଏବଂ ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ସମୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ଜି-୨୦ର ପ୍ରେସିଡେନ୍ସି କରୁଛି ଏବଂ ଆମର କଥାବସ୍ତୁ “ଏକ ପୃଥିବୀ, ଏକ ପରିବାର ଏବଂ ଏକ ଭବିଷ୍ୟତ” ସହ ଭାରତ ବିଶ୍ୱ କଲ୍ୟାଣରେ ବ୍ରତୀ ହୋଇଛି। ବସୁଧୈବ କୁଟୁମ୍ବକମ୍ ଆମର ମୂଳ ମନ୍ତ୍ର ରହି ଆସିଛି। ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ପ୍ରଚୁର ଖଣିଜ ସମ୍ପଦ, ମାନବ ସମ୍ବଳ, ସୁଦୀର୍ଘ ବେଳାଭୂମି ରହିଛି। ଏହି ମର୍ମରେ ଓଡ଼ିଶା ବିଶ୍ୱ ଦକ୍ଷତା ପରିସଂସ୍ଥାନରେ କିପରି ନିଜ ସ୍ଥାନ ନିରୁପଣ କରିବ ତାହା ଉପରେ ଚର୍ଚ୍ଚା ଆଲୋଚନା ହେବ। ଏକବିଂଶ ଶତାବ୍ଦୀରେ ରୋଜଗାର ଓ କାର୍ଯ୍ୟର ସ୍ୱଭାବ କଣ ରହିବ, ତା’ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।

ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଏବଂ ଟେକ୍ନୋଲୋଜିର ଯୁଗ ହେବ । ଭାରତ ମଧ୍ୟ ଭୌଗଳିକ ସ୍ଥିତି, ଜ୍ଞାନର ଭଣ୍ଡାର ସହ ସୃଜନଶୀଳ ସମ୍ବଳ, ସୁଦୃଢ ବଜାର ରହିଛି । ଏହା ମାଧ୍ୟମରେ ଭାରତ ଏକବିଂଶ ଶତାବ୍ଦୀରେ ସବୁ କ୍ଷମତାକୁ ଉପଯୋଗ କରି ବ୍ୟାପକ ପରିବର୍ତ୍ତନର ସାରଥୀ ହେବ । ଏକବିଂଶ ଶତାବ୍ଦୀରେ ଭାରତ ବିଶ୍ୱ ଆକାଂକ୍ଷାକୁ ପୂରଣ କରିବ । ଅଟୋମେସନ, ମେକାନାଇଜେସନ, ଡିଜିଟାଇଜେସନ ଏବଂ ଟେକ୍ନୋଲୋଜି କାର୍ଯ୍ୟ କରିବାର ପୁରୁଣା ପଦ୍ଧତିକୁ ପରିବର୍ତ୍ତନ କରୁଛି ଏବଂ ନୂଆ ନୂଆ ଚାକିରି ସୁଯୋଗ ସୃଷ୍ଟି କରୁଛି । ଏହାର ଅର୍ଥ ହେଉଛି ଆମକୁ ସବୁବେଳେ ସ୍କିଲ, ରି ସ୍କିଲ ଏବଂ ଅପ ସ୍କିଲର ଆବଶ୍ୟକତା ରହିଛି । କୋ-ଓ୍ୱିନ ଆପରେ ଟିକାକରଣ, ୟୁପିଆଇ ପେମେଣ୍ଟ ଭାରତର ଡିଜିଟାଲ କ୍ଷମତାର ଶକ୍ତିକୁ ଦର୍ଶାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣୀତ ଜାତୀୟ ଶିକ୍ଷା ନୀତି ଏକ ଦସ୍ତାବିଜ ନୁହେଁ ବରଂ ବିଶ୍ୱ କଲ୍ୟାଣର ରୋଡମ୍ୟାପ୍ ବୋଲି ସେ କହିଛନ୍ତି ।

ଜି-୨୦ ଜନଭାଗିଦାରୀରେ ଓଡ଼ିଶାବାସୀଙ୍କ ଯୋଗଦାନ ଉତ୍ସାହପୂର୍ଣ୍ଣ । ଓଡ଼ିଶାର ମାସ ବ୍ୟାପୀ ଚାଲିଥିବା ଜି- ୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଓଡ଼ିଶାର ୧ ଲକ୍ଷ ଯୁବକଙ୍କ ଅଂଶଗ୍ରହଣ ପ୍ରଶଂସନୀୟ । ଅକ୍ଷୟ ତୃତୀୟାର ପବିତ୍ର ଅବସରରେ ଶିଳ୍ପସମୂହ, ଶିକ୍ଷାନୁଷ୍ଠାନ, ଷ୍ଟର୍ଟଅପ୍ ପରିସଂସ୍ଥାନ ଏବଂ ଷ୍ଟେକହୋଲ୍ଡର ଜି-୨୦ ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ଫ୍ରେମଓ୍ୱାର୍କରେ ସାମିଲ ହୋଇ ଭାରତକୁ ବିଶ୍ୱ ମାନବ ସମ୍ବଳର ପେଣ୍ଠସ୍ଥଳୀ କରିବା ପାଇଁ ଆହ୍ୱାନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ଶିକ୍ଷା, ସ୍ୱାସ୍ଥ୍ୟ, ମୋବିଲିଟି, ମେଟାଭର୍ସ, ରିଭର୍ସ ଇଞ୍ଜିନିୟରିଂ, ଡ୍ରୋନ ଟେକ୍ନୋଲୋଜି ସହ ହସ୍ତତନ୍ତ, ଓଡ଼ିଆ ଭାସ୍କର୍ଯ୍ୟ, କଳା ସଂସ୍କୃତି, ପାଶ୍ଚାତ୍ୟ ପଢ଼ା ଶୈଳୀକୁ ନେଇ ବିଭିନ୍ନ ସାମଗ୍ରୀକୁ ବୁଲି ଦେଖିଥିଲେ । ସେ କହିଥିଲେ ଏହି ପ୍ରଦର୍ଶନୀ ଡିଜିଟାଲ ନବସୃଜନରେ ଆସିଥିବା ବ୍ୟାପକ ପରିବର୍ତ୍ତନ ଓ ବିଶ୍ୱର ପୁନଃକାର୍ଯ୍ୟଶୈଳୀର ପ୍ରତଫଳନ । ଜି-୨୦ ଭବିଷ୍ୟତର ଆଧୁନିକ କାର୍ଯ୍ୟଶୈଳୀ, କୌଶଳ ଏବଂ ଭବିଷ୍ୟତର ରୋଜଗାର ସହ ଉଭା ହେଉଥିବା ଶିକ୍ଷା ଆହରଣ, ଦକ୍ଷତା ଏବଂ ନିଯୁକ୍ତି ଦୃଶ୍ୟପଟ୍ଟର ଏକ ଝଲକ ।

ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ କ୍ଷେତ୍ରର ଅନେକ ବ୍ୟକ୍ତି ବିଶେଷ ଏବଂ ଆଇଆଇଟି, ଭୁବନେଶ୍ୱର, ଏନଆଇଟି, ରାଉରକେଲା, ଆଇଆଇଏମ, ସମ୍ବଲପୁର ଆଇଜର, ନାଇଜର ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ।

—————–

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜି୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ: କାର୍ଯ୍ୟର ଭବିଷ୍ୟତ ଉପରେ ସ୍ଵତନ୍ତ୍ର ପ୍ରଦର୍ଶନୀକୁ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା କାଲି ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ଅଧୀନରେ କାର୍ଯ୍ୟର ଭବିଷ୍ୟତକୁ ନେଇ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିବେ। ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ଭୁବନେଶ୍ୱର ଠାରେ ଆୟୋଜିତ ହେବାକୁ ଥିବା ତୃତୀୟ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ଉପଲକ୍ଷେ ସ୍ଥାନୀୟ ସିଏସଆଇଆର – ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ପରିସରରେ ପ୍ରଦର୍ଶନୀ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରଦର୍ଶନୀ ପ୍ରଯୁକ୍ତି ନେତୃବର୍ଗ, ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଓ ଶିକ୍ଷାବିତମାନଙ୍କୁ କାର୍ଯ୍ୟର ଭବିଷ୍ୟତକୁ ନେଇ ସେମାନଙ୍କର ଦୃଷ୍ଟିକୋଣ ଓ ଦୂରଦୃଷ୍ଟିକୁ ପ୍ରଦର୍ଶିତ କରିବା ଲାଗି ସୁଯୋଗ ପ୍ରଦାନ କରିବ।

ଏନଆଇଟି ରାଉରକେଲା, ଆଇଆଇଟି ଭୁବନେଶ୍ୱର, ଆଇଆଇଏମ ସମ୍ବଲପୁର, ମେଟା, ୟୁନିସେଫ, ଏନସିଇଆରଟି ଏବଂ ଆହୁରି ଅନେକ ସମେତ ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠାନ ଓ ସଂଗଠନମାନେ କାର୍ଯ୍ୟର ଭବିଷ୍ୟତ, ଆଧୁନିକ କାର୍ଯ୍ୟସ୍ଥଳୀରେ ନିରନ୍ତର ନବସୃଜନ, ଭବିଷ୍ୟତର ଦକ୍ଷତା ବିକାଶ ଏବଂ ଅଭିନବ ଡେଲିଭରୀ ମଡେଲ ଉପରେ ଆଧାରିତ ପ୍ରଯୁକ୍ତି ପ୍ରଦର୍ଶିତ କରିବେ। ପ୍ରଦର୍ଶନୀ ସମୟରେ ଭାରତ ଏବଂ ଜି୨୦ ସଦସ୍ୟ ରାଷ୍ଟ୍ରର ୧୦୦ରୁ ଅଧିକ ପ୍ରଦର୍ଶନକାରୀ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ କରିବେ।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏପ୍ରିଲ ୨୩ ଓ ୨୪ ତାରିଖରେ ପ୍ରାକ୍ କାର୍ଯ୍ୟକ୍ରମ ଆୟୋଜନ କରୁଛି। ପ୍ରଥମ ଦିନରେ କାର୍ଯ୍ୟର ଭବିଷ୍ୟତରେ ଆଧୁନିକ ପ୍ରଯୁକ୍ତି ଉପରେ ଧ୍ୟାନ ଦିଆଯାଇ ପ୍ରଦର୍ଶନୀ ଆୟୋଜନ କରାଯିବ। ଡିପ ଟେକ ଏବଂ କାର୍ଯ୍ୟର ଭବିଷ୍ୟତ ଉପରେ ଏହାର ପ୍ରଭାବ ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇ ଏକାଧିକ ପ୍ୟାନେଲ ଆଲୋଚନା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ବିଶ୍ୱ ସେମି କଣ୍ଡକ୍ଟର ଇକୋସିଷ୍ଟମରେ ଭାରତର ଦୃଷ୍ଟିକୋଣ, ଡିଜିଟାଇଜେସନ ଏବଂ ନୂଆ ଯୁଗର ଷ୍ଟାର୍ଟଅପ୍ ଆଦି ବିଷୟ ଉପରେ ମଧ୍ୟ ଆଲୋଚନା ହେବ।

ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ପ୍ରଦର୍ଶନୀ ସହିତ ଏକ ଅଭିନବ କାର୍ଯ୍ୟର ଭବିଷ୍ୟତ ଅନୁଭୂତି ଜୋନ୍ ପ୍ରତିଷ୍ଠାନ କରାଯାଉଛି। ଏହି ଜୋନରେ ଯୁବକମାନଙ୍କ ପାଇଁ କାର୍ଯ୍ୟର ଭବିଷ୍ୟତ ଆଗକୁ କିଭଳି ପରିବର୍ତ୍ତନ ହେବ ସେ ସମ୍ପର୍କରେ ପ୍ରଦର୍ଶନୀ ଆୟୋଜନ କରାଯିବ। ବଜାରରେ ପ୍ରାସଙ୍ଗିକ ରହିବାକୁ ହେଲେ ଆବଶ୍ୟକ ଆଧୁନିକ ବୈଷୟିକ କୌଶଳ ଏବଂ କୋମଳ ହସ୍ତାନ୍ତରଯୋଗ୍ୟ କୌଶଳ ସମ୍ପର୍କରେ ଏହି ଜୋନରେ ଯୁବବର୍ଗଙ୍କୁ ସୂଚନା ମିଳିପାରିବ। ହୋଲୋଗ୍ରାମ, ଇଣ୍ଟରଆକ୍ଟିଭ ସଫେର୍ସ ଟେବୁଲ ଏବଂ ଇଣ୍ଟରଆକ୍ଟିଭ ୱାଲ୍ ଭଳି ଆଧୁନିକ ପ୍ରଯୁକ୍ତି ବ୍ୟବହାର କରାଯାଇ ଏହି ଜୋନରେ କାର୍ଯ୍ୟର ଭବିଷ୍ୟତକୁ ପ୍ରଦର୍ଶିତ କରାଯିବ ଯାହା ଦର୍ଶକମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବାନ୍ଧି ରଖିବ। ବିଭିନ୍ନ କ୍ଷେତ୍ରରେ ଅଟୋମେସନ ଏବଂ ଡିଜିଟାଇଜେସନ ଦ୍ୱାରା କାର୍ଯ୍ୟ ପଦ୍ଧତି କିଭଳି ବଦଳୁଛି ତାହା ଦର୍ଶକମାନେ ଏଠାରେ ଜାଣିବାକୁ ପାଇପାରିବେ।

ପ୍ରଦର୍ଶନୀ ସମୟରେ କୃଷି, ପରିବହନ ଓ ସ୍ୱାସ୍ଥ୍ୟସେବା ଆଦି ୩ଟି କ୍ଷେତ୍ର ଉପରେ ପ୍ରାଥମିକତା ଦେଇ କାର୍ଯ୍ୟର ଭବିଷ୍ୟତ ଉପରେ ପ୍ରଦର୍ଶନୀ ଆୟୋଜନ କରାଯିବ। ମେଟାଭର୍ସ – ଏଆର/ଭିଆର, ରିଭର୍ସ ଇଞ୍ଜିନିଅରିଂ ଏବଂ ସ୍ୱୟଂଚାଳିତ ଡିଜାଇନ ସମାଧାନ, ଡ୍ରୋନ ପ୍ରଯୁକ୍ତି, ଏଆର/ଭିଆର ଉପଯୋଗ କରି ଏଡ୍-ଟେକ୍ ସମାଧାନ, ଶିଳ୍ପ ୪.୦ କୌଶଳ, ଭର୍ଣ୍ଣାକୁଲର ଅଧ୍ୟୟନ ଆଧାରିତ ପ୍ରଯୁକ୍ତି ସମାଧାନ, ଭର୍ଚୁଆଲ ଇଣ୍ଟର୍ଣ୍ଣସିପ ସମାଧାନ, ଇମର୍ସିଭ୍ ଟେକ୍ ଅଧ୍ୟୟନ ସମାଧାନ, ସହାୟକ ପ୍ରଯୁକ୍ତି ନବସୃଜନର ଲାଇଭ୍ ଡେମୋ ସହିତ ଅନ୍ତର୍ଭୂକ୍ତିକରଣ ପାଇଁ ସହାୟକ ପ୍ରଯୁକ୍ତି ଓ ଟାକ୍ଟାଇଲ୍ ଡିସପ୍ଲେ ଆଦି ମଧ୍ୟ ପ୍ରଦର୍ଶନୀରେ ସ୍ଥାନ ପାଇବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ସମ୍ମିଳନୀ ଅଧୀନରେ ବିଶେଷ ପ୍ରଦର୍ଶନୀ ଆୟୋଜନ କରିବ କେନ୍ଦ୍ର

ନୂଆଦିଲ୍ଲୀ: ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଜି୨୦ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ। ଏହି ଅବସରରେ ଏପ୍ରିଲ ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଏକ ବିଶେଷ ପ୍ରଦର୍ଶନୀ ଆୟୋଜନ କରାଯିବ। କାର୍ଯ୍ୟର ଭବିଷ୍ୟତ ବିଷୟବସ୍ତୁ ଉପରେ ଏହି ପ୍ରଦର୍ଶନୀ ଭୁବନେଶ୍ୱରସ୍ଥିତ ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ପରିସରରେ ଅନୁଷ୍ଠିତ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଅଧୀନରେ ଭାରତ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିବା ସହିତ ପ୍ରଯୁକ୍ତି ଆଧାରିତ ଅଧ୍ୟୟନକୁ ଅଧିକ ଗୁଣାତ୍ମକ କରିବା ଏବଂ କାର୍ଯ୍ୟର ଭବିଷ୍ୟତ ପରିଦୃଶ୍ୟରେ କ୍ଷମତା ନିର୍ମାଣ କରିବାର ଯାତ୍ରାରେ ଆଗକୁ ବଢ଼ୁଛି। ଏହି କ୍ରମରେ ଆୟୋଜିତ ହେବାକୁ ଥିବା ପ୍ରଦର୍ଶନୀକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିବେ। ଏହା ପ୍ରଯୁକ୍ତି ନେତୃବର୍ଗ, ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଏବଂ ଶିକ୍ଷାବିତ୍‌ମାନଙ୍କ ପାଇଁ ଏକ ଅଭିନବ ପ୍ଲାଟଫର୍ମ ରୂପରେ କାର୍ଯ୍ୟ କରିବ।

ଏହି ପ୍ରଦର୍ଶନୀରେ ବିଭିନ୍ନ କ୍ଷେତ୍ରର ଅଂଶଗ୍ରହଣକାରୀମାନେ ଯୋଗ ଦେବେ। କାର୍ଯ୍ୟର ଭବିଷ୍ୟତକୁ ପରିଚାଳିତ କରିବାକୁ ଥିବା ପ୍ରଯୁକ୍ତି, ଆଧୁନିକ କାର୍ଯ୍ୟସ୍ଥଳୀରେ ନିରନ୍ତର ନବସୃଜନ, ପାରମ୍ପରିକ ହସ୍ତଶିଳ୍ପରେ ପ୍ରଯୁକ୍ତିର ଅନ୍ତର୍ଭୂକ୍ତିକରଣ, ଭବିଷ୍ୟତର କୌଶଳ ଏବଂ ଅଭିନବ ବିତରଣ ମଡେଲ ଆଦି ଏଠାରେ ପ୍ରଦର୍ଶିତ ହେବ। ଏପ୍ରିଲ ୨୬ ତାରିଖରେ କେବଳ ଜି୨୦ ପ୍ରତିନିଧିମାନେ ପ୍ରଦର୍ଶନୀ ବୁଲି ଦେଖିପାରିବେ।

ପ୍ରଦର୍ଶନୀ ସମୟରେ ଭାରତ ଏବଂ ଜି୨୦ ସଦସ୍ୟ ରାଷ୍ଟ୍ରର ୧୦୦ରୁ ଅଧିକ ପ୍ରଦର୍ଶନକାରୀ ସେମାନଙ୍କର ଉତ୍ପାଦ, ପ୍ରକାଶନୀ, କଳାକୃତି ଏବଂ ଅନ୍ୟାନ୍ୟ ପ୍ରଚାରଧର୍ମୀ ସାମଗ୍ରୀ ପରିଦର୍ଶକମାନଙ୍କୁ ପ୍ରଦର୍ଶନ କରିବେ । ବିଶେଷ କରି ନୂଆ ଯୁଗର ଉତ୍ପାଦ/ପ୍ରଯୁକ୍ତି ଯୋଗାଇ ଦେଉଥିବା ସଂଗଠନ, ପ୍ରଯୁକ୍ତିକୁ ଗ୍ରହଣ କରିଥିବା ପାରମ୍ପରିକ ହସ୍ତଶିଳ୍ପ କ୍ଷେତ୍ରର କମ୍ପାନୀ, ଭବିଷ୍ୟତର କୌଶଳ ଓ ଶିକ୍ଷା ଯୋଗାଇ ଦେଉଥିବା ପ୍ରତିଷ୍ଠାନ ଓ ଚିନ୍ତାନାୟକମାନେ ପ୍ରଦର୍ଶକ ଭାବେ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ।

ଏହି କାର୍ଯ୍ୟକ୍ରମରେ ଜି୨୦ ସଦସ୍ୟ ରାଷ୍ଟ୍ରମାନଙ୍କର ପ୍ରତିନିଧି, ବିଭିନ୍ନ ମନ୍ତ୍ରଣାଳୟ ଓ ସଂଗଠନର ପ୍ରତିନିଧି, କୌଶଳ ବିକାଶ ବିଶ୍ୱବିଦ୍ୟାଳୟ ସମେତ କୌଶଳ ଇକୋସିଷ୍ଟମରେ ଥିବା ପ୍ରମୁଖ ଅଂଶୀଦାର ଓ ଶିଳ୍ପ ବିଶେଷଜ୍ଞମାନଙ୍କ ଭଳି ବିଶିଷ୍ଟ ପାନେଲ ବିଶେଷଜ୍ଞମାନେ ଅଂଶଗ୍ରହଣ କରିବେ। ଅଧିକନ୍ତୁ, ପ୍ରଦର୍ଶନକାରୀମାନେ କୃଷି, ଅଟୋମୋଟିଭ, ଖୁଚୁରା ବ୍ୟବସାୟ, ସ୍ୱାସ୍ଥ୍ୟସେବା, ଗଣମାଧ୍ୟମ ଏବଂ ଆହୁରି ଅନେକ ପ୍ରାଥମିକତା କ୍ଷେତ୍ରରେ ପ୍ରଯୁକ୍ତିର ପ୍ରଭାବକୁ ପ୍ରଦର୍ଶିତ କରିବେ।

ପ୍ରଦଶର୍ନୀ ସମୟରେ ପରିଦର୍ଶକମାନେ ନିମ୍ନ ମୁଖ୍ୟ ଦିଗଗୁଡ଼ିକର ଅଂଶବିଶେଷ. ହେବାର ସୁଯୋଗ ପାଇପାରିବେ:

୧- କୃଷି, ପରିବହନ ଓ ସ୍ୱାସ୍ଥ୍ୟସେବା ଆଦି ୩ଟି କ୍ଷେତ୍ର ଉପରେ ପ୍ରାଥମିକତା ଦେଇ କାର୍ଯ୍ୟର ଭବିଷ୍ୟତ ଉପରେ ପ୍ରଦର୍ଶନୀ ଆୟୋଜନ କରାଯିବ। ଏଥିସହିତ ଇମର୍ସିଭ ଟେକ୍ନୋଲୋଜି, ଇଣ୍ଟରଆକ୍ଟିଭ ୱାଲ୍ସ, ହୋଲୋଗ୍ରାଫିକ୍‌ ଡିସପ୍ଲେ ଆଦି ବ୍ୟବହାର କୌଶଳର ଭବିଷ୍ୟତ ଉପରେ ମଧ୍ୟ ପ୍ରଦର୍ଶନୀ ଆୟୋଜନ କରାଯିବ।

୨- ମେଟାଭର୍ସ – ଏଆର/ଭିଆର ଆଧାରତ ସମାଧାନ ଓ ଅନୁଭୂତି।

୩- ରିଭର୍ସ ଇଞ୍ଜିନିଅରିଂ ଏବଂ ସ୍ୱୟଂଚାଳିତ ଡିଜାଇନ ସମାଧାନ ଡିସପ୍ଲେ

୪- ଲାଇଭ୍‌ ଡେମୋ ସହିତ ଡ୍ରୋନ ପ୍ରଯୁକ୍ତି

୫- ଏଆର/ଭିଆର ଉପଯୋଗ କରି ଏଡ୍‌-ଟେକ୍‌ ସମାଧାନ ଏବଂ ପ୍ରୟୋଗାତ୍ମକ ଅଧ୍ୟୟନ ଉତ୍ପାଦ ଡେମା ଓ ସମୃଦ୍ଧ ଐତିହ୍ୟ ପ୍ରଦର୍ଶନ କରୁଥିବା ଥ୍ରୀଡି ମଡେଲ, ଏଜିଭିସି ଡେମୋ ଆଦି

୬- ଶିଳ୍ପ କୌଶଳ ପାଇଁ ପ୍ରୟୋଗାତ୍ମକ ଏବଂ କାର୍ଯ୍ୟ ଅଧ୍ୟୟନ ପରୀକ୍ଷାଗାର

୭- ଭର୍ଣ୍ଣାକୁଲର ଅଧ୍ୟୟନ ଆଧାରିତ ପ୍ରଯୁକ୍ତି ସମାଧାନ, ଭର୍ଚୁଆଲ ଇଣ୍ଟର୍ଣ୍ଣସିପ ସମାଧାନ, ଇମର୍ସିଭ୍‌ ଟେକ୍‌ ଅଧ୍ୟୟନ ସମାଧାନ

୮- ସହାୟକ ପ୍ରଯୁକ୍ତି ନବସୃଜନର ଲାଇଭ୍‌ ଡେମୋ ସହିତ ଅନ୍ତର୍ଭୂକ୍ତିକରଣ ପାଇଁ ସହାୟକ ପ୍ରଯୁକ୍ତି ଓ ଟାକ୍ଟାଇଲ୍‌ ଡିସପ୍ଲେ

ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ପ୍ରଦର୍ଶନୀ ସହିତ ଏକ ଅଭିନବ କାର୍ଯ୍ୟର ଭବିଷ୍ୟତ ଅନୁଭୂତି ଜୋନ୍‌ ପ୍ରତିଷ୍ଠାନ କରାଯାଉଛି। ଏହି ଜୋନରେ ଯୁବକମାନଙ୍କ ପାଇଁ କାର୍ଯ୍ୟର ଭବିଷ୍ୟତ ଆଗକୁ କିଭଳି ପରିବର୍ତ୍ତନ ହେବ ସେ ସମ୍ପର୍କରେ ପ୍ରଦର୍ଶନୀ ଆୟୋଜନ କରାଯିବ। ବଜାରରେ ପ୍ରାସଙ୍ଗିକ ରହିବାକୁ ହେଲେ ଆବଶ୍ୟକ ଆଧୁନିକ ବୈଷୟିକ କୌଶଳ ଏବଂ କୋମଳ ହସ୍ତାନ୍ତରଯୋଗ୍ୟ କୌଶଳ ସମ୍ପର୍କରେ ଏହି ଜୋନରେ ଯୁବବର୍ଗଙ୍କୁ ସୂଚନା ମିଳିପାରିବ। ହୋଲୋଗ୍ରାମ, ଇଣ୍ଟରଆକ୍ଟିଭ ସଫେର୍ସ ଟେବୁଲ ଏବଂ ଇଣ୍ଟରଆକ୍ଟିଭ ୱାଲ୍‌ ଭଳି ଆଧୁନିକ ପ୍ରଯୁକ୍ତି ବ୍ୟବହାର କରାଯାଇ ଏହି ଜୋନରେ କାର୍ଯ୍ୟର ଭବିଷ୍ୟତକୁ ପ୍ରଦର୍ଶିତ କରାଯିବ ଯାହା ଦର୍ଶକମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବାନ୍ଧି ରଖିବ। ବିଭିନ୍ନ କ୍ଷେତ୍ରରେ ଅଟୋମେସନ ଏବଂ ଡିଜିଟାଇଜେସନ ଦ୍ୱାରା କାର୍ଯ୍ୟ ପଦ୍ଧତି କିଭଳି ବଦଳୁଛି ତାହା ଦର୍ଶକମାନେ ଏଠାରେ ଜାଣିବାକୁ ପାଇପାରିବେ।

ଶିକ୍ଷା ଓ ଦକ୍ଷତା ବିକାଶ ଇକୋସିଷ୍ଟମକୁ ବଢ଼ାଇବା ଦୃଷ୍ଟିରୁ ଏହି ପ୍ରଦର୍ଶନୀରେ ପରିବର୍ତ୍ତନକୁ ଗତିକୁ ପ୍ରଦର୍ଶିତ କରାଯିବ ଏବଂ ଏହା ଅପସ୍କିଲିଂ ଓ ରି-ସ୍କିଲିଂର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବ। ଭବିଷ୍ୟତର କାର୍ଯ୍ୟଶକ୍ତିରେ ଦକ୍ଷତାପୂର୍ଣ୍ଣ ଭାବେ ମୌଳିକ ଦକ୍ଷତା ବିକାଶ ନିର୍ମାଣ କରିବାର ଆବଶ୍ୟକତା ଉପରେ ଧ୍ୟାନ ଦେଇ ଏହି ପ୍ରଦର୍ଶନୀ ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆଗକୁ ଆଣିବ।

ସଂସ୍କାରକୁ ପ୍ରାଥମିକତା ଦେବା, ଅଧ୍ୟୟନର ପୁନଃପରିକଳ୍ପନା ଏବଂ ପ୍ରତିଭାକୁ ପୁନଃପରିଭାଷିତ କରିବା ଲାଗି ପ୍ରଗତିଶୀଳ କାର୍ଯ୍ୟର ଭବିଷ୍ୟତକୁ ପ୍ରାସଙ୍ଗିକ କରିବା ଲାଗି ଶିକ୍ଷା ଜଗତ, ସରକାର ଓ ଶିଳ୍ପ କ୍ଷେତ୍ରର ପ୍ରତିନିଧିତ୍ୱ କରୁଥିବା ବିଶ୍ୱସ୍ତରର ଅଂଶୀଦାରମାନଙ୍କୁ ଏକ ସାଧାରଣ ମଞ୍ଚ ଯୋଗାଇ ଦେବା ଜି୨୦ ଶିଖର ସମ୍ମିଳନୀର ଲକ୍ଷ୍ୟ। କାର୍ଯ୍ୟକ୍ରମରେ ଯୋଜନାବଦ୍ଧ ଅଧିବେଶନ ଏବଂ କର୍ମଶାଳା ମୌଳିକ ଦକ୍ଷତା ବିକାଶକୁ ମଜବୁତ କରିବା ଏବଂ ଆଜୀବନ ଶିକ୍ଷାଗ୍ରହଣକୁ ପ୍ରୋତ୍ସାହନ ଦେବା ଲାଗି କ୍ଷମତା ନିର୍ମାଣ ଲାଗି ଅନେକ ବିଷୟରେ ନୀତି ଓ ପ୍ରଥାକୁ ଚିହ୍ନଟ କରିବାରେ ସହାୟତା କରିବ, ଏହା ଏକ ଦକ୍ଷତା ବିକାଶ ଇକୋସିଷ୍ଟମ ପ୍ରତିଷ୍ଠା କରିବ ଯାହାକି କାର୍ଯ୍ୟର ଏକ ନିରନ୍ତର, ସନ୍ତୁଳିତ ଓ ସମାବେଶୀ ଦୁନିଆ ନିର୍ମାଣ କରିପାରିବ।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବର ଦ୍ବାରା ଆନ୍ତଃଜିଲ୍ଲା ପ୍ରତିଯୋଗିତା

ଭୁବନେଶ୍ଵର: ଏପ୍ରିଲ୍ ୧ ତାରିଖରୁ ଆରମ୍ଭ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମରେ ୧୮ ତମ ଦିବସରେ ଆନ୍ତଃଜିଲ୍ଲା କୁଇଜ୍, ତର୍କ, ପ୍ରବନ୍ଧ, ସ୍ଲୋଗାନ ଲିଖନ ତଥା ଛାୟା ଜି-୨୦ ସମ୍ମିଳନୀ ପ୍ରତିଯୋଗିତା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶଚନ୍ଦ୍ର ଅଗ୍ରୱାଲଙ୍କ ଦ୍ବାରା ଆନୁଷ୍ଠାନିକ ଭାବରେ ଉଦ୍‌ଘାଟିତ ହୋଇଯାଇଛି। ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ତଥା ଡି.ଏମ. ସ୍କୁଲରୁ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା ଦ୍ବାରା ଚୟନିତ ଛାତ୍ରଛାତ୍ରୀ ଏହି ପ୍ରତିଯୋଗୀତାରେ ଭାଗ ନେଇଥିଲେ।

କେନ୍ଦ୍ରୀୟ ବିଦ୍ୟାଳୟ, ଜୱାହାର ନବୋଦୟ ବିଦ୍ୟାଳୟ, ରାଜ୍ୟ ବିଦ୍ୟାଳୟ ଓ ଡି.ଏମ. ସ୍କୁଲର ଛାତ୍ରଛାତ୍ରୀ ଜି-୨୦ ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ପ୍ରତିଯୋଗୀତାରେ ଭାଗ ନେଇ ଜି-୨୦ ର ବାର୍ତ୍ତା ବଣ୍ଟନ କରିଥିଲେ। ତର୍କ ପ୍ରତିଯୋଗୀତାରେ କେନ୍ଦ୍ରୀୟ ବିଦ୍ୟାଳୟ, ଜଗତସିଂହପୁରର ପଦ୍ମିନୀ ସୂର୍ଯ୍ୟପ୍ରଭା ସାହୁ, ପ୍ରବନ୍ଧରେ ଡିଏମ ସ୍କୁଲ, ଭୁବନେଶ୍ବର ଛାତ୍ର ସ୍ବୟମଭୁବା ପଟ୍ଟନାୟକ, ସ୍ଲୋଗାନ ଲିଖନରେ ନବୋଦୟ ବିଦ୍ୟାଳୟ, ଜଗତସିଂହପୁରରେ ବେଦପ୍ରକାଶ ମଲ୍ଲିକ, କୁଇଜ୍ ପ୍ରତିଯୋଗୀତାରେ ଡିଏମ୍ ବିଦ୍ୟାଳୟର ସ୍ବପ୍ନିଲ୍ ବେହେରା ଓ ଛାୟା ଜି-୨୦ ସମ୍ମିଳନୀରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତରଣ୍ଡା, କେନ୍ଦ୍ରାପଡ଼ାର ଲିପ୍‌ସା ଶୁଭଦର୍ଶିନୀ ପରିଡ଼ା ଯୋଗ୍ୟ ବିବେଚିତ ହୋଇ ତୃତୀୟ ଶିକ୍ଷା ସମ୍ମିଳନୀରେ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।

ପ୍ରଫେସର ମାନସୀ ଗୋସ୍ବାମୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୋଡାଲ୍ ଅଧିକାରୀ ଜି-୨୦ ପ୍ର. ଲକ୍ଷ୍ମୀଧର ବେହେରା, ଅଧ୍ୟାପକ ଅଭିଷେକ ଶତପଥୀ, ବିଭୂତି ଭୂଷଣ ସାଦ, ଶିକ୍ଷୟତ୍ରୀ ଜ୍ୟୋତି ଜେନା, ଅଧ୍ୟାପିକା ଅଭିପ୍‌ସା ବଳ, ରଶ୍ମିତା ମହାଳିକ, ସରସ୍ବତୀ ମହାରଣା, ଅଖିଲେଶ୍ବର ମିଶ୍ର, ଡିନ୍  ସନ୍ଧ୍ୟାରାଣୀ ସାହୁ ତଥା ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ୱର ଠାରେ ଆସନ୍ତା ୨୭-୨୮ ରେ ଅନୁଷ୍ଠିତ ହେବ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ

ନୂଆଦିଲ୍ଲୀ: ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଏବଂ ଏହାର ପୂର୍ବବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଉଚ୍ଚ ଶିକ୍ଷା ବିଭାଗ ସଚିବ କେ. ସଞ୍ଜୟ ମୂର୍ତ୍ତୀ; ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ସଚିବ ଅତୁଲ କୁମାର ତିୱାରୀ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ଏହି ଅବସରରେ ସଚିବ ଶ୍ରୀ ମୂର୍ତ୍ତି କହିଥିଲେ ଯେ, ଭୁବନେଶ୍ୱର ଠାରେ ଆସନ୍ତା ୨୭-୨୮ ଏପ୍ରିଲ, ୨୦୨୩ରେ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଅନୁଷ୍ଠିତ ହେବ। ଏଥିପୂର୍ବରୁ ଏପ୍ରିଲ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରାକ୍‌ ବୈଠକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ‘କାର୍ଯ୍ୟର ଭବିଷ୍ୟତ’ ବିଷୟବସ୍ତୁ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ ଏବଂ ଏହାକୁ ସାଧାରଣ ଜନତାଙ୍କ ପାଇଁ ଏପ୍ରିଲ ୨୩ରୁ ୨୫ ଏବଂ ଏହାପରେ ଏପ୍ରିଲ ୨୭ ଏବଂ ୨୮ ତାରିଖ ପର୍ଯ୍ୟନ୍ତ ଖୋଲାଯିବ।

ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକରେ ଜି-୨୦ ରାଷ୍ଟ୍ରସମୂହର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟେମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ଓ ମାର୍ଗଦର୍ଶନରେ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ କାର୍ଯ୍ୟକ୍ରମ, ବିଭିନ୍ନ ବିଷୟବସ୍ତୁ ଚୟନ ଏବଂ ଏସବୁ କାର୍ଯ୍ୟକ୍ରମରେ ଦେଶର ଯୁବକମାନଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଥିବା ସଚିବ ଶ୍ରୀ ମୂର୍ତ୍ତି କହିଥିଲେ। ଓଡ଼ିଶା ପରିଦୃଶ୍ୟରେ ‘କାର୍ଯ୍ୟର ଭବିଷ୍ୟତ’ ବିଷୟବସ୍ତୁ ଚୟନ କରାଯାଇଛି ଏବଂ ଏହାକୁ ରାଜ୍ୟର ସବୁ ଜିଲ୍ଲାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଥିଲେ। ଯଦ୍ଦ୍ୱାରା ସମ୍ପୃକ୍ତ ଜିଲ୍ଲାରେ ଭବିଷ୍ୟତର କୌଶଳ ଆବଶ୍ୟକତା ଏବଂ ନିରନ୍ତର ଦକ୍ଷତା ବିକାଶ ତଥା ଉନ୍ନତିକରଣ ବା ସ୍କିଲିଂ, ରିସ୍କିଲିଂ ଏବଂ ଅପ-ସ୍କିଲିଂ ପ୍ରକ୍ରିୟାର ଆବଶ୍ୟକତା ସମ୍ପର୍କରେ ବ୍ୟାପକ ତଥା ପ୍ରଭାବୀ ସଚେତନତା ସୃଷ୍ଟି କରାଯାଇପାରିବ।

ଗଣମାଧ୍ୟମକୁ ସମ୍ବୋଧିତ କରି ଅତୁଲ କୁମାର ତିୱାରୀ କହିଥିଲେ ଯେ, ବିଭିନ୍ନ କ୍ଷେତ୍ରରେ ଆଧୁନିକୀକରଣ ଏବଂ ଡିଜିଟାଲକରଣ ଯୋଗୁ କାର୍ଯ୍ୟର ପ୍ରକୃତିରେ ଏକ ମୌଳିକ ପରିବର୍ତ୍ତନ ଆସିଛି । ଏହି ପରିବର୍ତ୍ତନ ବ୍ୟାପକ ଆର୍ଥିକ ସମ୍ଭାବନା ଉଜାଗର କରିବା ସହିତ ଉତ୍ପାଦକତା ଲାଭ ବଢ଼ାଇବ ଏବଂ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ।

ସେ ଆହୁରି କହିଥିଲେ ଯେ ଜି-୨୦ ରାଷ୍ଟ୍ରମାନେ ବିଭିନ୍ନ କ୍ଷେତ୍ରରେ ସକ୍ରିୟ ପରିବର୍ତ୍ତନର ଅନୁଭୂତି ହାସଲ କରୁଛନ୍ତି। ସେମାନେ ଆବଶ୍ୟକ କୌଶଳ, ଗତି ଏବଂ ସ୍ଫୂର୍ତ୍ତି ପ୍ରଦାନ କରିବା ଦ୍ୱାରା ନିଜ ଦେଶର ଯୁବକମାନଙ୍କୁ ଭବିଷ୍ୟତର କାର୍ଯ୍ୟ ପାଇଁ ପ୍ରସ୍ତୁତ କରିପାରିବେ।

ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକରେ ଆମେ ଏହି ପରିବର୍ତ୍ତନ ଓ ଏହାର ସମାଧାନ ସହିତ କାର୍ଯ୍ୟର ଭବିଷ୍ୟତ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଚାରବିମର୍ଶ କରିବୁ। ପ୍ରାକ୍‌ ବୈଠକ କାର୍ଯ୍ୟକ୍ରମ ଏବଂ ପ୍ରଦର୍ଶନୀରେ ବିଶେଷଜ୍ଞ, ଅଂଶୀଦାର ଏବଂ ବୁଦ୍ଧିଜୀବୀମାନଙ୍କୁ ଏକତ୍ରିତ କରିବା ଦ୍ୱାରା ସଂସ୍କାରକୁ ପ୍ରାଥମିକତା ଦେବା ଲାଗି ଏକ ସମନ୍ୱିତ ଦୃଷ୍ଟିକୋଣ ବିକଶିତ ହୋଇପାରିବ।

ଏହାବ୍ୟତୀତ ଅଧ୍ୟୟନ ପ୍ରକ୍ରିୟାକୁ ପୁନଃପରିକଳ୍ପନା କରିବା, ପ୍ରତିଭାମାନଙ୍କୁ ପୁନଃପରିଭାଷିତ କରିବା ଏବଂ କାର୍ଯ୍ୟର ଭବିଷ୍ୟତ ପାଇଁ ସାମାଜିକ, ରାଜନୈତିକ ଏବଂ ବ୍ୟବସାୟିକ ନେତୃବର୍ଗଙ୍କୁ ପ୍ରସ୍ତୁତ କରିବା ଲାଗି ଏକ ଢାଞ୍ଚା ପ୍ରସ୍ତୁତ କରିବାରେ ସହାୟତା ମିଳିପାରିବ ବୋଲି ସଚିବ ଶ୍ରୀ ତିୱାରୀ କହିଥିଲେ।

ସଞ୍ଜୟ କୁମାର ସିଂ ବିଦ୍ୟାଳୟ ପାଠ୍ୟକ୍ରମରେ ଦକ୍ଷତା ବିକାଶକୁ ଅନ୍ତର୍ଭୂକ୍ତ କରିବା ସମ୍ପର୍କରେ ମତ ରଖିଥିଲେ। ସେ କହିଥିଲେ ଯେ ସ୍କୁଲ ପିଲାମାନଙ୍କୁ ବିଭିନ୍ନ ପ୍ରକାରର ଭବିଷ୍ୟତ କୌଶଳ ସମ୍ପର୍କରେ ପ୍ରଶିକ୍ଷିତ କରିବା ଦ୍ୱାରା ସେମାନେ ଜୀବନବ୍ୟାପୀ ଅଧ୍ୟୟନର ଧାରାକୁ ଆସିପାରିବେ। କାର୍ଯ୍ୟଗୋଷ୍ଠୀ ବୈଠକ ଅବସରରେ ଏପ୍ରିଲ ୨୫ ତାରିଖରେ ଭାରତ ଓ ସିଙ୍ଗାପୁର ମଧ୍ୟରେ ‘କାର୍ଯ୍ୟର ଭବିଷ୍ୟତ’ ଉପରେ ଆୟୋଜିତ ହେବାକୁ ଥିବା କର୍ମଶାଳାରେ ‘‘ବିଦ୍ୟାଳୟ ପାଠ୍ୟକ୍ରମରେ ଦକ୍ଷତା ବିକାଶକୁ ଅନ୍ତର୍ଭୂକ୍ତ କରିବା’’ ବିଷୟବସ୍ତୁକୁ ନେଇ ଏକ ବିଶେଷ ଅଧିବେଶନ ଆୟୋଜନ କରାଯିବ ବୋଲି ସଚିବ ଶ୍ରୀ ସିଂ ସୂଚନା ଦେଇଥିଲେ। ସ୍କୁଲ ପିଲାମାନଙ୍କୁ ବିଭିନ୍ନ ପ୍ରକାରର ଭବିଷ୍ୟତ କୌଶଳ ସମ୍ପର୍କରେ ପ୍ରଶିକ୍ଷିତ କରିବା ମାଧ୍ୟମରେ ସେମାନଙ୍କ ଆଜୀବନ ଅଧ୍ୟୟନ ଧାରାକୁ ଆଣିବା ବିଷୟବସ୍ତୁ ଉପରେ ବିଚାରବିମର୍ଶ କରାଯିବ ବୋଲି ସେ କହିଥିଲେ। ସଚିବ ଆହୁରି ସୂଚନା ଦେଇଥିଲେ ଯେ ଜାତୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ, ଷଷ୍ଠ ଶ୍ରେଣୀ ଠାରୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଯୋଗାଇ ଦିଆଯିବ। ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଏହା ଏକ ବିକଳ୍ପ ବିଷୟ ଭାବେ ରହିବ ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ବାଧ୍ୟତାମୂଳକ ବିଷୟ ଭାବେ ରହିବ।

ଏହି ସାମ୍ବାଦିକ ସମ୍ମିଳନୀରେ ଆହୁରି ସୂଚନା ଦିଆଯାଇଥିଲା ଯେ, ଭାରତର ଜି-୨୦ ଅଧ୍ୟକ୍ଷତାକୁ ଜନଭାଗିଦାରୀ ମାଧ୍ୟରେ ଅଧିକ ଫଳପ୍ରଦ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ କରିଥିଲେ। ପ୍ରଧାନମନ୍ତ୍ରୀ ଆହ୍ୱାନ ଅନୁରୂପ ଓଡ଼ିଶାରେ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପୂର୍ବରୁ ଏକ ମାସ ବ୍ୟାପୀ ଜନଭାଗିଦାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଜି-୨୦ ସମ୍ମିଳନୀ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। ରାଜ୍ୟରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଏପ୍ରିଲ ପହିଲା, ଉତ୍କଳ ଦିବସ ଠାରୁ ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ବିଭିନ୍ନ ଶିକ୍ଷାନୁଷ୍ଠାନର ୮୬ ହଜାରରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଗବେଷକ ଓ କର୍ମକର୍ତ୍ତାମାନେ ଜନଭାଗିଦାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି।

ଏହି ଅବସରରେ ପ୍ରଶ୍ନୋତ୍ତର ପ୍ରତିଯୋଗିତା, ପ୍ରବନ୍ଧ ପ୍ରତିଯୋଗିତା, ଯୁବା ସମ୍ବାଦ କାର୍ଯ୍ୟକ୍ରମ, ସେମିନାର ଆଦି ଆୟୋଜନ କରାଯାଉଛି। ବିଭିନ୍ନ ବିଷୟବସ୍ତୁ ଯଥା : କାର୍ଯ୍ୟ କ୍ଷେତ୍ରର ଭବିଷ୍ୟତ, କୃଷି କ୍ଷେତ୍ରରେ ଡ୍ରୋନର ପ୍ରଚଳନ, ରୋବୋଟିକ୍ସର ଭବିଷ୍ୟତ, ଗୃହପାଳିତ ପ୍ରାଣୀଙ୍କ ଉତ୍ପାଦକତା ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ, ରାସାୟନିକ ଇଞ୍ଜିନିୟରିଂର ଭବିଷ୍ୟତ, ଆଲୁମିନିୟମ ଉତ୍ପାଦନରେ କାର୍ବନ ଶୂନ୍ୟକରଣ – ନେଟ୍‌ ଜିରୋ ଲକ୍ଷ୍ୟ ହାସଲ ଆଦି ଉପରେ ସେମିନାର ଆୟୋଜନ କରାଯାଉଛି। ବିଭିନ୍ନ ବିଦ୍ୟାଳୟ, ଆଇଟିଆଇ, ପଲିଟେକ୍ନିକ, ମହାବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ, ଏନଏସଟିଆଇର ଛାତ୍ରଛାତ୍ରୀ ଏବଂ ଜନ ଶିକ୍ଷଣ ସଂସ୍ଥାନର ହିତାଧିକାରୀମାନେ ଏସବୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ଯୁବବର୍ଗ ଓ ମହିଳାଙ୍କ ନେତୃତ୍ୱରେ ଏସବୁ କାର୍ଯ୍ୟକ୍ରମ ଆୟୋଜନ କରାଉଛି। ଷ୍ଟାର୍ଟ ଟ୍ୱେଣ୍ଟି, ବି-ଟ୍ୱେଣ୍ଟି ଆଦି ଜି-ଟ୍ୱେଣ୍ଟି ଗୋଷ୍ଠୀମାନେ ଏଥିରେ ଅଂଶଗ୍ରହଣ କରିବା ସହିତ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସହାୟତା ଯୋଗାଇ ଦେଉଛନ୍ତି।

ଆଇଆଇଟି ଭୁବନେଶ୍ୱର, ଆଇଆଇଏମ ସମ୍ବଲପୁର, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଏନଆଇଟି, ଆଇଏମଏମଟି ଭୁବନେଶ୍ୱର, ଇଣ୍ଡିଆନ୍‌ ସ୍କୁଲ୍‌ ଅଫ୍‌ ବିଜନେସ ହାଇଦ୍ରାବାଦ ଭଳି ବିଭିନ୍ନ ଶିକ୍ଷାନୁଷ୍ଠାନ ସହଯୋଗରେ ପ୍ରାକ୍‌ ବୈଠକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଡେଲଏଟ, ସିଆଇଆଇ ଏବଂ ୟୁଏସଆଇବିସି ଆଦି ଶିଳ୍ପ ସଂସ୍ଥା ସହଯୋଗ ଯୋଗାଇ ଦେଉଛନ୍ତି। ପ୍ରାକ୍‌ ବୈଠକ କାର୍ଯ୍ୟକ୍ରମ ଏକ ସପ୍ତାହବ୍ୟାପୀ ଆୟୋଜନ କରାଯିବାକୁ ଥିବା ବେଳେ ଏଥିରେ ଅନ୍ତର୍ଜାତୀୟ ସହଭାଗିତା ଏବଂ ଭବିଷ୍ୟତର କାର୍ଯ୍ୟ ଢାଞ୍ଚା ଉପରେ ଗୁରୁତ୍ୱାରୋପ କରାଯିବ।

ବୈଠକ ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମର ସୂଚୀ ନିମ୍ନରେ ଦିଆଗଲା:

  1. ଏକ ମାସ ବ୍ୟାପୀ ‘ଜନଭାଗିଦାରୀ କାର୍ଯ୍ୟକ୍ରମ ଏପ୍ରିଲ ପହିଲା ଠାରୁ ଆରମ୍ଭ ହୋଇସାରିଛି।
  2. କାର୍ଯ୍ୟର ଭବିଷ୍ୟତରେ ଆଧୁନିକ ପ୍ରଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇ ଗହନ ପ୍ରଯୁକ୍ତି ବା ଡିପ୍‌ ଟେକ୍‌ ସମ୍ମିଳନୀ ଏପ୍ରିଲ ୨୩ ତାରିଖରେ ଆୟୋଜନ କରାଯିବ।
  3. ଦୀର୍ଘସ୍ଥାୟୀତ୍ୱ ଉପରେ ଧ୍ୟାନ ଦିଆଯାଇ ଉପକୂଳ ଅର୍ଥବ୍ୟବସ୍ଥା ପାଇଁ ଲଜିଷ୍ଟିକ୍ସରେ ପରିବର୍ତ୍ତନ ଉପରେ ଏକ ସମ୍ମିଳନୀ ଏପ୍ରିଲ ୨୪ ତାରିଖରେ ଅନୁଷ୍ଠିତ ହେବ।
  4. ଏପ୍ରିଲ ୨୫ ତାରିଖରେ କାର୍ଯ୍ୟର ଭବିଷ୍ୟତ ଉପରେ କର୍ମଶାଳା: ଭାରତ ଓ ସିଙ୍ଗାପୁରର ଦକ୍ଷତା ବିକାଶ ଢାଞ୍ଚା ଓ ପ୍ରଶାସନିକ ମଡେଲ ଆୟୋଜନ କରାଯିବ।
  5. ଏପ୍ରିଲ ୨୬ ତାରିଖରେ କାର୍ଯ୍ୟର ଭବିଷ୍ୟତ ପରିଦୃଷ୍ୟରେ ଆଜୀବନ ଅଧ୍ୟୟନ ପାଇଁ କ୍ଷମତା ନିର୍ମାଣ ଉପରେ ଏକ ସେମିନାର ଆୟୋଜନ କରାଯିବ।
  6. ,ପ୍ରିଲ ୨୩ରୁ ୨୫ ତାରିଖ ଏବଂ ଏପ୍ରିଲ ୨୭-୨୮ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟର ଭବିଷ୍ୟତ ଉପରେ ପ୍ରଦର୍ଶନୀ ଆୟୋଜନ କରାଯିବ।
  7. ତୃତୀୟ ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ଏପ୍ରିଲ ୨୭ ଏବଂ ୨୮ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ।

ଛାୟା ଜି ୨୦  କାର୍ଯ୍ୟକ୍ରମ ଆସନ୍ତା ଏପ୍ରିଲ ୨୧ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଠାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଡେମୋଗ୍ରାଫିକ୍‌ ଲିଡରଶିପ୍‌ ସହଯୋଗରେ ଆୟୋଜନ କରାଯିବ। ‘କାର୍ଯ୍ୟର ଭବିଷ୍ୟତ: ଇଣ୍ଡଷ୍ଟ୍ରୀ ଫୋର୍‌ ପଏଣ୍ଟ ଜିରୋ,  ଏବଂ ଏକବିଂଶ ଶତାବ୍ଦୀର କୌଶଳ’ ବିଷୟବସ୍ତୁ ଉପରେ ନିମ୍ନ ଫର୍ମାଟରେ ଆୟୋଜନ କରାଯିବ ୨୦ଟି ଦେଶର ୪ ଜଣ ଲେଖାଏଁ ପ୍ରତିନିଧିଙ୍କୁ ମିଶାଇ ୮୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ଅନ୍ୟ ୨୦ ଜଣ ଛାତ୍ରଛାତ୍ରୀ ଅନ୍ତର୍ଜାତୀୟ ସଂଗଠନ, ବହୁପକ୍ଷୀୟ ପ୍ରତିଷ୍ଠାନ ଏବଂ ନିମନ୍ତ୍ରିତ ରାଷ୍ଟ୍ର ସଦସ୍ୟମାନଙ୍କର ପ୍ରତିନିଧି ଭୂମିକାରେ ରହିବେ।

କାର୍ଯ୍ୟର ଭବିଷ୍ୟତବିଷୟବସ୍ତୁକୁ ନେଇ ଏକ ଛଅ ଦିନିଆ ପ୍ରଦର୍ଶନୀ ଆୟୋଜନ କରାଯିବ। ସିଏସଆଇଆର-ଆଇଆଇଏମଟି ପନିଆରେ ୨୩ରୁ ୨୮ ଏପ୍ରିଲ ପର୍ଯ୍ୟନ୍ତ ଏହା ଆୟୋଜନ କରାଯିବ। ଏଥିରେ ୧୦୦ରୁ ଅଧିକ ଷ୍ଟଲ୍‌ ପ୍ରଦର୍ଶିତ ହେବ। ପ୍ରଦର୍ଶନୀରେ ଉଦ୍ୟୋଗ ଜଗତ, ଶିକ୍ଷାନୁଷ୍ଠାନ, ନାଗରିକ ସମାଜ, ସରକାର ଆଦିଙ୍କ ପ୍ରତିନିଧିମାନେ ଅଂଶଗ୍ରହଣ କରି ଉପରୋକ୍ତ ବିଷୟବସ୍ତୁ ଉପରେ ସେମାନଙ୍କର ପ୍ରକଳ୍ପ ପ୍ରଦର୍ଶିତ କରିବେ। ୫୦ ହଜାର ଦର୍ଶକ ଏହି ପ୍ରଦର୍ଶନୀକୁ ଆସିବେ ବୋଲି ଆଶା କରାଯାଉଛି। ଏଥିରେ ଉତ୍ପାଦନର ଭବିଷ୍ୟତ, ପ୍ରଶାସନର ଭବିଷ୍ୟତ, ଅଧ୍ୟୟନ, ସମାବେଶୀ ବିକାଶର ଭବିଷ୍ୟତ ଆଦି ବିଷୟବସ୍ତୁ ଉପରେ ସ୍ୱତନ୍ତ୍ର ଜୋନ୍‌ ରହିବ। ଇଣ୍ଟରଆକ୍ଟିଭ୍‌ ୱାଲ, ହୋଲୋଗ୍ରାଫିକ୍‌ ଡିସପ୍ଲେ, ଏଆର/ଭିଆର  ସଲ୍ୟୁସନ୍ସ, ଥ୍ରୀ-ଡି ପ୍ରିଣ୍ଟିଂ, ଆସିଷ୍ଟିଭ୍‌ ଟେକ୍ନୋଲୋଜି ଆଦି ଉପରେ ଲାଇଭ୍‌ ଡେମୋ ଦିଆଯିବ।

ଗହନ ପ୍ରଯୁକ୍ତି ଉପରେ ଆୟୋଜିତ ସେମିନାରରେ (୧) ବିଶ୍ୱ ସେମିକଣ୍ଡକ୍ଟର ଇକୋସିଷ୍ଟମରେ ଭାରତର ସମ୍ଭାବନା (୨) ଅଟୋମେସନ, ଗହନ ପ୍ରଯୁକ୍ତି, ଡିଜିଟାଲ ଫର୍ଷ୍ଟଭବିଷ୍ୟତ ଆଦି ଉପରେ ଧ୍ୟାନ ଦିଆଯାଇ ଡିଜିଟାଲକରଣ ଦୁନିଆ (୩) ଗହନ ପ୍ରଯୁକ୍ତି ଷ୍ଟାର୍ଟଅପ୍ସ ଉପରେ ଗୁରୁତ୍ୱାରୋପ କରାଯାଇ ନୂଆପିଢ଼ିର ପ୍ରଯୁକ୍ତି ଉପରେ ବିଚାରବିମର୍ଶ କରାଯିବ। ଏହି ଅଧିବେଶନରେ ଉଦ୍ୟୋଗ ଜଗତ, ସରକାର ଓ ଶିକ୍ଷା କ୍ଷେତ୍ରର ବରିଷ୍ଠ ନେତୃତ୍ୱ ଅଂଶଗ୍ରହଣ କରିବେ।

ଦୀର୍ଘସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇ ଉପକୂଳ ଅର୍ଥବ୍ୟବସ୍ଥା ନିମନ୍ତେ ଲଜିଷ୍ଟିକ୍ସ ପରିବର୍ତ୍ତନ କ୍ଷେତ୍ରରେ ସେମିନାର ଆୟୋଜନ କରାଯିବ। ଏହି ସେମିନାରରେ ପିଏମ ଗତିଶକ୍ତି, ସାଗରମାଳା ଆଦି ବିଷୟ ଉପରେ ଧ୍ୟାନ ଦିଆଯାଇ ଭବିଷ୍ୟତର ଭିତ୍ତିଭୂମି ପ୍ରସ୍ତୁତି ଉପରେ ବିଚାରବିମର୍ଶ କରାଯିବ। ସେହିପରି ଉପକୂଳ ଭିତ୍ତିଭୂମି ନିର୍ମାଣ ଉପରେ ଧ୍ୟାନ ଦେଇ ଜଳବାୟୁ ପରିବର୍ତ୍ତନ ଏବଂ ସମୁଦ୍ର ଜଳସ୍ତର ବୃଦ୍ଧି ଜନିତ ସମସ୍ୟାର ସମାଧାନ ଲାଗି ଏହି ସେମିନାରରେ ଆଲୋଚନା କରାଯିବ।

କାର୍ଯ୍ୟର ଭବିଷ୍ୟତ ଉପରେ କର୍ମଶାଳା: ଭାରତ ଏବଂ ସିଙ୍ଗାପୁରର କୌଶଳ ବିକାଶ ଢାଞ୍ଚା ଏବଂ ପ୍ରଶାସନିକ ମଡେଲ ଉପରେ ଧ୍ୟାନ ଦିଆଯାଇ ତିନୋଟି ପ୍ୟାନେଲ ଆଲୋଚନା ହେବ। (୧) ସ୍କୁଲ ପାଠ୍ୟକ୍ରମରେ କୌଶଳ ବିକାଶକୁ ସାମିଲ କରିବା, (୨) ଭବିଷ୍ୟତର କାର୍ଯ୍ୟଶକ୍ତି ସୃଷ୍ଟି କରିବା ପାଇଁ ସ୍ଫୂର୍ତ୍ତ ଓ ନମନୀୟ ଟିଭିଇଟି ଇକୋସିଷ୍ଟମ ଗଠନ କରିବା ଏବଂ (୩) ଭବିଷ୍ୟତର କାର୍ଯ୍ୟ ପରିଦୃଶ୍ୟରେ ଆଜୀବନ ଅଧ୍ୟୟନ ଏବଂ ଦକ୍ଷତା ବିକାଶ ମାନ୍ୟତା ଆଦି ବିଷୟବସ୍ତୁ ଉପରେ ଏହି ଆଲୋଚନା କରାଯିବ। ଛାତ୍ରଛାତ୍ରୀ-ଉଦ୍ୟୋଗଜଗତ-ଶିକ୍ଷାଜଗତର ପ୍ରତିନିଧିମାନଙ୍କୁ ନେଇ ଆଲୋଚନା କରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ଭାରତ ଏବଂ ସିଙ୍ଗାପୁରର ପ୍ରମୁଖ ଶିକ୍ଷାଗୁଡ଼ିକୁ ଆଧାର କରି ତିନୋଟି ପ୍ରାଥମିକତା କ୍ଷେତ୍ରରେ ଏକ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯିବ।

ଓଡ଼ିଶା ଏକ ପ୍ରମୁଖ ଜନଜାତି ଜନସଂଖ୍ୟା ବହୁଳ ରାଜ୍ୟ ହୋଇଥିବାରୁ ଓଡ଼ିଶାର ଜନଜାତିମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ଜନଜାତି ବର୍ଗଙ୍କ ଉତ୍ପାଦ ପ୍ରଦର୍ଶିତ ହେବ। ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ପାଳନ କରାଯାଉଥିବାରୁ ମାଣ୍ଡିଆ, ବାଜରା ଜାତୀୟ ଶସ୍ୟ ବା ମିଲେଟ୍‌ ଉପରେ ଏକ ଖାଦ୍ୟ ମେଳା ଆୟୋଜନ କରାଯିବା ସହିତ ଏଥିରେ ସ୍ଥାନୀୟ ବ୍ୟଞ୍ଜନ ପ୍ରଦର୍ଶିତ ହେବ। ଜି୨୦ ପ୍ରତିନିଧିମାନଙ୍କୁ ଭାରତର ପାରମ୍ପରିକ ଖାଦ୍ୟଦ୍ରବ୍ୟ ପରିବେଷଣ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଛାୟା ଜି-୨୦ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ପାଇଁ ଚୟନିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ଛାତ୍ରଛାତ୍ରୀଙ୍କ ଦ୍ୱାରା ଛାୟା ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଏହି ସମ୍ମିଳନୀକୁ ଉଦଘାଟନ କରି ଶିକ୍ଷାର୍ଥୀମାନଙ୍କ ସୃଜନଶୀଳତାର ବିକାଶ ତଥା ବିଶ୍ୱ ନାଗରିକ ଗଠନର ଗୁରୁତ୍ୱ ବର୍ଣ୍ଣନା କରିଥିଲେ।

ପ୍ରତିଷ୍ଠାନର ଡିନ ପ୍ରଫେସର ସନ୍ଧ୍ୟାରାଣୀ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଛାୟା ସମ୍ମିଳନୀରେ ଜି-୨୦ର ସଦସ୍ୟ ରାଷ୍ଟ୍ର ଏବଂ ୟୁରୋପୀୟ ସଂଘକୁ ପ୍ରତିନିଧିତ୍ୱ କରୁଥିବା ଛାତ୍ରଛାତ୍ରୀ ଖୁବ ସୁନ୍ଦର ଭାବେ ନିଜ ଦେଶର ଶିକ୍ଷା, ବୈଷୟିକ ଜ୍ଞାନ, ପରିବେଶ ଓ ଜଳବାୟୁ, ବିଶ୍ୱ ଅର୍ଥବ୍ୟବସ୍ଥା ତଥା ସମାଜର ସାମ୍ପ୍ରତିକ ସ୍ଥିତି ଉପସ୍ଥାପନ କରିବା ସହିତ ସମାଧାନର ସୂତ୍ର ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜି-୨୦ ନୋଡାଲ ଅଧିକାରୀ ପ୍ରଫେସର ଲକ୍ଷ୍ମୀଧର ବେହେରା, ପ୍ରଧାନଶିକ୍ଷକ ଅଖିଳେଶ୍ୱର ମିଶ୍ର, ପ୍ରାଧ୍ୟାପିକା ଡକ୍ଟର ଏଲିଜାବେଥ, ଡକ୍ଟର ପୁଷ୍ପଲତା ନେଗୀ, ଡକ୍ଟର ଅଭିଷେକ ଶତପଥୀ ଓ ପ୍ରତିଷ୍ଠାନ ତଥା ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିଥିଲେ। ଶେଷରେ ଡକ୍ଟର ରଶ୍ମୀରେଖା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଜନଭାଗିଦାରୀ ଅଭିଯାନରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଚୟନ କରାଯାଇଥିବା ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ପକ୍ଷରୁ ଭାରତୀୟ ସଂସ୍କୃତିର ‘ବିବିଧତା ମଧ୍ୟରେ ଏକତା’ ଶୀର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଚତୁର୍ଦ୍ଦଶ ଦିନରେ ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶଚନ୍ଦ୍ର ଅଗ୍ରୱାଲ ଉଦଘାଟନ କରିଥିଲେ।

ପ୍ରତିଷ୍ଠାନର ଆର୍ଯ୍ୟଭଟ୍ଟ, ଅଗ୍ନି, ସୌର୍ଯ୍ୟ, ସ୍ଫୁଟନିକ ହାଉସ ଓ ଡିଏମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସମ୍ବଲପୁରୀ, ଓଡ଼ିଶୀ, ଭାରତନାଟ୍ୟମ, ମହାକାଳୀ ସ୍ମୃତି ଆଦି ପରିବେଷଣ କରାଯାଇଥିଲା। ଯାହାକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ।

ସେହିପରି ଆପୋଲୋ ଓ ରୋହିଣୀ ହାଉସର ଛାତ୍ରଛାତ୍ରୀ ଲୋକନୃତ୍ୟ ପରିବେଷଣ କରିଥିଲେ। ଡିନ୍‌ ପ୍ରଫେସର ସନ୍ଧ୍ୟାରାଣୀ ସାହୁ ଏବଂ ଶିକ୍ଷୟିତ୍ରୀ ଜ୍ୟୋତି ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜି-୨୦ ନୋଡାଲ ଅଧିକାରୀ ପ୍ରଫେସର ଲକ୍ଷ୍ମୀଧର ବେହେରା, ପ୍ରଧାନ ଶିକ୍ଷକ ଅଖିଳେଶ୍ୱର ମିଶ୍ର, ପ୍ରାଧ୍ୟାପିକା ରଶ୍ମୀରେଖା ସେଠୀ, ଡକ୍ଟର ଏଲିଜାବେଥ୍‌ ଗଙ୍ଗମେର ଓ ନୃତ୍ୟଗୁରୁ ବିଜନ ପଲାଇ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସଚେତନତା କାର୍ଯ୍ୟକ୍ରମ ଜରିଆରେ ଜି-୨୦ ଜନଭାଗିଦାରୀ ଅଭିଯାନରେ ସାମିଲ ହେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇନଫର୍ମେସନ ଟେକ୍ନୋଲୋଜି ପକ୍ଷରୁ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଅନୁଷ୍ଠାନର ଛାତ୍ରଛାତ୍ରୀ ଜି-୨୦ ଲୋଗୋ ଓ ବିଷୟବସ୍ତୁ ଉପରେ ରଙ୍ଗୋଲି ପ୍ରସ୍ତୁତ କରିଥିଲେ।

ସେହିପରି ଭୁବନେଶ୍ୱର ସ୍ଥିତ ସିପେଟ୍‌ ଛାତ୍ରଛାତ୍ରୀମାନେ ମଧ୍ୟ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରି ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ପୁରୀର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ କ୍ୟାମ୍ପସ ପରିସରରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମିଲେଟ୍ସ ସେବନକୁ ପ୍ରୋତ୍ସାହନ ଲାଗି ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ସେହିପରି କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ରଙ୍ଗୋଲି ମାଧ୍ୟମରେ ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କରେ ବାର୍ତ୍ତା ପ୍ରଚାର କରିଥିଲେ।

ଏହାଛଡ଼ା ଆଇସିଏଆର-ଏନଆଇଏଫଏମଡି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ୍‌ରେ ଗୋଚାଷୀମାନଙ୍କୁ ଗୋଖାଦ୍ୟ ବଣ୍ଟନ କରାଯାଇଥିଲା।

ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟୁରିଜିମ୍‌ ଏଣ୍ଡ ଟ୍ରାଭେଲ୍‌ ମ୍ୟାନେଜମେଣ୍ଟ (ଆଇଆଇଟିଟିଏମ)ର ହେରିଟେଜ୍‌ ଏଣ୍ଡ କଲଚର୍‌ କ୍ଲବ୍‌ ପକ୍ଷରୁ ପୁରୁଣା ଭୁବନେଶ୍ୱର ଠାରେ ଐତିହ୍ୟ ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଅନ୍ୟପଟେ ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟ ପକ୍ଷରୁ କେନ୍ଦୁଝର ଜିଲ୍ଲା ବିଶ୍ୱ ତାରିଣୀ ମହିଳା ମହାବିଦ୍ୟାଳୟ ଠାରେ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଅନୁରୂପ ଭାବେ ଭୁବନେଶ୍ୱର ସ୍ଥିତ ସିଟିଟିସି ପକ୍ଷରୁ ଏକ ଯୋଗ ଶିବିର ଆୟୋଜନ କରାଯାଇଥିଲା।

ଭୁବନେଶ୍ୱରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଏକ ସଚେତନତା ପଦଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ପ୍ରତିଷ୍ଠାନ ଏବଂ ଡିଏମ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ଉତ୍ସାହର ସହିତର ଅଂଶଗ୍ରହଣ କରିଥିଲେ।

ଅନୁଗୁଳ ଜବାହର ନବୋଦୟ ବିଦ୍ୟାଳୟ ପକ୍ଷରୁ ଜି-୨୦ ଲୋଗୋ ଡିଜାଇନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଭାରତର ଜି-୨୦ ଅଧ୍ୟକ୍ଷତା ବିଷୟବସ୍ତୁକୁ ନେଇ ଛାତ୍ରଛାତ୍ରୀମାନେ ଲୋଗୋ ଡିଜାଇନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି ଲାଗି ଆଜି ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ, ଭୁବନେଶ୍ୱର ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ପାଇଁ ବାର୍ତ୍ତା ଦେଇଥିଲେ।

ଅନୁରୂପ ଭାବେ କଟକ ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଦିବ୍ୟାଙ୍ଗମାନଙ୍କ ପାଇଁ ଗମ୍ଭୀର ଅସୁସ୍ଥତାରୁ ଆରାମ ପାଇବା ଲାଗି ଯୋଗ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ସେହିପରି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇନଫର୍ମେସନ ଟେକ୍ନୋଲୋଜୀ ଏଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌ ପକ୍ଷରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ୟି ଏଣ୍ଡ ଲରେନ୍ସ ଏଣ୍ଡ ମାୟୋ ଟିମ୍‌ ପକ୍ଷରୁ ଆୟାଜିତ ଏହି କାର୍ଯ୍ୟକ୍ରମର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ସେମାନଙ୍କର ଚକ୍ଷୁ ପରୀକ୍ଷା କରାଇଥିଲେ।

ଅନ୍ୟପକ୍ଷରେ ଭୁବନେଶ୍ୱରସ୍ଥିତ ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ୍‌ ସୌଧ୍ୟା ଗ୍ରାମ ପଞ୍ଚାୟତ ଠାରେ ଏକ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ସେହିପରି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ ଟ୍ରାଭେଲ ଏଣ୍ଡ ଟୁରିଜିମ୍‌ ମ୍ୟାନେଜମେଣ୍ଟ, ଭୁବନେଶ୍ୱର ପକ୍ଷରୁ ଏକ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ‘‘ଓଡ଼ିଶା : ଇଣ୍ଡିଆସ୍‌ ବେଷ୍ଟ କେପ୍ଟ ସିକ୍ରେଟ୍‌’’ ବିଷୟବସ୍ତକୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସେହିପରି ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଅନୁଗୁଳ ସ୍ଥିତ ଜବାହର ନବୋଦାୟ ବିଦ୍ୟାଳୟ ଦ୍ୱାରା ଏକ ଜି-୨୦ ଲୋଗୋ ଡିଜାଇନ କର୍ମଶାଳା ଆୟୋଜନ କରାଯାଇଥିଲା। ଜି-୨୦ରେ ଭାରତର ନେତୃତ୍ୱ ବିଷୟକୁ ନେଇ ଛାତ୍ରଛାତ୍ରୀମାନେ ଲୋଗୋ ଡିଜାଇନ କରିଥିଲେ।

ଜି-୨୦ ଜନଭାଗିଦାରୀର ଅଂଶବିଶେଷ ଭାବେ ଭୁବନେଶ୍ୱରସ୍ଥିତ ଆଇସିଏମଆର ଆରଏମଆରସି ପକ୍ଷରୁ ଏକ ଯୋଗ ଶିବିର ଆୟୋଜନ କରାଯାଇଥିଲା।