Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ

‘Zee Media’ କୁ ଲାଗିଲା ଧକ୍କା, ସାମ୍ବାଦିକଙ୍କ ବିରୋଧରେ ମାମଲାକୁ କୋର୍ଟର ପ୍ରତ୍ୟାଖାନ

ନୂଆଦିଲ୍ଲୀ: ଜୀ ମିଡିଆ କର୍ପୋରେସନ୍ ଲିମିଟେଡ୍ ବା ZMCL ଦ୍ବାରା ଦାଖଲ ହୋଇଥିବା ଏକ ମାମଲାରେ ଦିଲ୍ଲୀ ହାଇକୋର୍ଟ ସାମ୍ବାଦିକ ପଲ୍କି ଶର୍ମା ଉପାଧ୍ୟାୟଙ୍କ ସପକ୍ଷରେ ରାୟ ପ୍ରଦାନ କରିଛନ୍ତି। ସେ କୌଣସି ଚ୍ୟାନେଲରେ କାମ କରି ପାରିବେ ନାହିଁ ବୋଲି ଜୀ ମିଡିଆ ତରଫରୁ ଯେଉଁ ଆବେଦନ କରାଯାଇଥିଲା ତାହାକୁ କୋର୍ଟ ପ୍ରତ୍ୟାଖାନ କରିଦେଇଛନ୍ତି। ତାଙ୍କୁ ଚାକିରୀରୁ ବାହାର କରିବା ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ ବୋଲି କୋର୍ଟ ରୋକଠୋକ କହିଛନ୍ତି।

ଦାଖଲ ହୋଇଥିବା ମକଦ୍ଦମାରେ ଜୀ ମିଡିଆ ଦାବି କରିଥିଲା ଯେ ଜୀ ର WION ଚ୍ୟାନେଲର ପୂର୍ବତନ ପରିଚାଳନା ସମ୍ପାଦକ ପଲ୍କି ଶର୍ମା ଉପାଧ୍ୟାୟ ଇସ୍ତଫା ବେଳେ କଂପାନୀର ବାଧ୍ୟତାମୂଳକ ନୋଟିସ ନୀତି ଏବଂ non-compete clause କୁ ଉଲ୍ଲଂଘନ କରିଛନ୍ତି। ଏଥିସହିତ ସେ  ‘ଗୋପନୀୟ ସୂଚନା’ ନିତିକୁ ଉଲ୍ଲଘଂନ କରିଛନ୍ତି। ଯାହାଫଳରେ ସେ ଜୀ ମିଡିଆର ପ୍ରତିଯୋଗୀ ଚ୍ୟାନେଲର ଲାଭ ପାଇଁ ବ୍ୟବହାର କରିବେ।

ଉପାଧ୍ୟାୟ ସେପ୍ଟେମ୍ବର ୨୦୨୨ ରେ ଜୀ ରୁ ଇସ୍ତଫା ଦେଇ ପରବର୍ତ୍ତୀ ସମୟରେ ନେଟୱର୍କ ୧୮ ବ୍ରଡକାଷ୍ଟ ଲିମିଟେଡର ପରିଚାଳନା ସମ୍ପାଦକ ଭାବେ ଯୋଗ ଦେଇଛନ୍ତି। ହେଲେ ସେ କଂପାନୀ ଇସ୍ତଫା ନିତିକୁ ଅବଲମ୍ବନ କରି ନାହାଁନ୍ତି କହି ଜୀ ମିଡିଆ କୋର୍ଟର ଦ୍ବାରସ୍ଥ ହୋଇଥିଲା। ଏହି ଆଧାରରେ ପଲ୍କିଙ୍କୁ ନ୍ୟୁଜ ୧୮ ଚାକିରିରୁ ବାହାର କରିବା କିମ୍ବା ସେଠାରେ ଚାକିରୀ ଜାରି ନ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଜୀ ଆବେଦନ କରିଥିଲା।

ଉପାଧ୍ୟାୟଙ୍କ ଆଇନ ପରାମର୍ଶଦାତା ସୈଫ ମହମ୍ମଦ ଏବଂ ଅନିଲ ସାପ୍ରା ଜୀ କୋର୍ଟରେ ଏପରି ଅପିଲକୁ ବିରୋଧ କରିଥିଲେ। ସେମାନେ ଯୁକ୍ତି ବାଢିଥିଲେ ଯେ ଏହି ମକଦ୍ଦମା ଆଦୌ ବିଚାର ଯୋଗ୍ୟ ନୁହେଁ। ସେମାନେ କୋର୍ଟଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେମାନଙ୍କର ମହକିଲଙ୍କର କୌଣସି ଗୋପନୀୟତା ଉଲ୍ଲଂଘନ କରିବାର ଉଦ୍ଦେଶ୍ୟ ନାହିଁ।  ଏହି ପରିପ୍ରେକ୍ଷୀରେ ଜୀ ଦ୍ବାରା ଆଗତ ଏହି ମାମଲା ସଂପୂର୍ଣ୍ଣ ଭିତ୍ତିହୀନ।

କୋର୍ଟ ‘ଜୀ ମିଡିଆ’ର ଓକିଲ ଜୟ ବସୁଙ୍କ ଯୁକ୍ତିରେ କୌଣସି ସକରାତ୍ମକ ତଥ୍ୟ ପାଇ ପାରିଲେ ନାହିଁ। ଫଳରେ ଉପାଧ୍ୟାୟଙ୍କୁ ଅନ୍ୟ କୌଣସି ଚ୍ୟାନେଲରେ କାମ କରିବାକୁ ବାରଣ କରାଯାଇପାରିବ ନାହିଁ ବୋଲି କୋର୍ଟ ରାୟରେ ଜଣାଇ ଦେଲେ।

Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ

ଜୀ ନ୍ୟୁଜ ଛାଡିଲେ ବରିଷ୍ଠ ସାମ୍ବାଦିକ ସୁଧୀର ଚୌଧୁରୀ, ଜାଣନ୍ତୁ କଣ ଏହାର କାରଣ ?

ନୂଆଦିଲ୍ଲୀ: ଦେଶର ବରିଷ୍ଠ ସାମ୍ବାଦିକ ତଥା ଜୀ ନ୍ୟୁଜର ଏଡିଟର ଇନ ଚିଫ ସୁଧୀର ଚୌଧୁରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ମଧ୍ୟ ଜୀ ମିଡିଆ କ୍ଲଷ୍ଟର ୱାନ୍ ର ସିଇଓ ଥିଲେ। ତାଙ୍କ ଅଧିନରେ ଜୀ ନ୍ୟୁଜ, ଉଏନ୍, ଜୀ ବିଜିନେସ୍ ଏବଂ ଜୀ 24 ତାସ ଚ୍ୟାନେଲ ଥିଲା।

ଏକ ମେଲ କରି ସେ ଜୀ ମିଡିଆ କରପୋରେସନର ଅଧ୍ୟକ୍ଷ ସୁବାଷ ଚନ୍ଦ୍ରାଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଗତକାଲି ଥିଲା ତାଙ୍କର ଶେଷ କାର୍ଯ୍ୟ ଦିବସ। ମୁଖ୍ୟତଃ ସୁଧୀରଙ୍କ ‘ଡିଏନଏ’ କାର୍ଯ୍ୟକ୍ରମ ସାରା ଭାରତରେ ବେଶ ଲୋକପ୍ରିୟ ହୋଇପାରିଛି। ତାଙ୍କର ଉପସ୍ଥାପନା ଶୈଳୀ ସହିତ ବିସ୍ତୁତ ତଥ୍ୟ ସଂଗ୍ରହ ଏହି କାର୍ଯ୍ୟକ୍ରମକୁ ଲୋକପ୍ରିୟ କରାଇ ପାରିଛି।

ସୁଧୀର ପ୍ରଥମେ ଜୀରେ ଯୋଗ ଦେବା ପରେ 2003 ମସିହାରେ ଏହି ସଂସ୍ଥା ଛାଡିଥିଲେ। ଏହାପରେ ସେ ସାହାର ଗ୍ରୁପରେ ଯୋଗ ଦେଇ ବିଭିନ୍ନ ଚ୍ୟାନେଲ କରିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସାହାରା ଗ୍ରୁପର ବିଭିନ୍ନ ଭାଷାରେ ‘ସାହାର ସମୟ’ ତାଙ୍କ ସମୟରେ ଆରମ୍ଭ ହୋଇଥିଲା। ଏହାପରେ ସେ ଇଣ୍ଡିଆ ଟିଭି ରେ କିଛି ମାସ ପାଇଁ କାର୍ଯ୍ୟ କରିଥିଲେ। ସୁଧୀର ପୁଣି 2012 ରେ ଜୀ ମିଡିଆରେ ଯୋଗ ଦେଇ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ।

ତାଙ୍କ ଇସ୍ତଫା ପତ୍ର ପାଇବା ପରେ ସୁବାଷ ଚନ୍ଦ୍ରା ତାଙ୍କୁ ଡାକି ଦୁଇଦିନ ଧରି ଆଲୋଚନା କରିଥିଲେ। ମୁଖ୍ୟତଃ ସେ ଏହି କଂପାନୀରେ ତାଙ୍କର କାର୍ଯ୍ୟ ଜାରୀ ରଖନ୍ତୁ ବୋଲି କହିଥିଲେ।ହେଲେ ସୁଧୀର ମିଡିଆ କ୍ଷେତ୍ରରେ ନିଜେ କିଛି କରିବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ। ଫଳରେ ସୁବାଷ ଚନ୍ଦ୍ରା ତାଙ୍କର ଇସ୍ତଫାକୁ ଗ୍ରହଣ କରି କାର୍ଯ୍ୟରୁ ମୁକ୍ତ କରିଥିଲେ।

ତେବେ ବର୍ତ୍ତମାନ ସୁଧୀର ନିଜେ କଣ କରିବେ ସେ ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। ହେଲେ ନିଜେ ସୁଧୀର ନୂଆ କଂପାନୀ ସଂପର୍କରେ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କରି ନାହାଁନ୍ତି।

Categories
RajyasabhaElection ଜାତୀୟ ଖବର ବିଶେଷ ଖବର

ଭୋଟ ନ ଥାଇ ମଧ୍ୟ ହଠାତ ରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥି ହେଲେ ଜୀ ମିଡିଆ ଅଧ୍ୟକ୍ଷ ସୁବାଷ ଚନ୍ଦ୍ରା

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଜାତୀୟ ଗଣମାଧ୍ୟମର ପ୍ରମୁଖ ବ୍ୟକ୍ତିତ୍ବ ତଥା ଜୀ ମିଡିଆ କଂପାନୀ ଏବଂ ଏସଲ ଗ୍ରୁପ ଅଧ୍ୟକ୍ଷ ସୁବାଷ ଚନ୍ଦ୍ରା ରାଜସ୍ଥାନ ରାଜନୀତିର ହଲଚଲ କରିଛନ୍ତି। କାରଣ ସେ ରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କାନ ଦାଖଲ କରିଛନ୍ତି। ସୁବାଷ ଚନ୍ଦ୍ରାଙ୍କ ପାଖରେ ଜିତିବା ପାଇଁ ଭୋଟ ନାହିଁ, ହେଲେ ହଠାତ ରାଜସ୍ଥାନରୁ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ସୁବାଷ ଚନ୍ଦ୍ରା ବର୍ତ୍ତମାନ ହରିୟାନାରୁ ରାଜ୍ୟସଭା ସଦସ୍ୟ ଅଛନ୍ତି। ତାଙ୍କର କାର୍ଯ୍ୟକାଳ ଆସନ୍ତା ଅଗଷ୍ଟରେ ଶେଷ ହେବ। ହେଲେ ତା ପୂର୍ବରୁ ସେ କଣ ପାଇଁ ରାଜ୍ୟସଭା ନାମାଙ୍କନ କଲେ ତାହାକୁ ନେଇ ଚର୍ଚ୍ଚା ଚାଲିଛି। ତାହା ପୁଣି ନିଜ ରାଜ୍ୟରୁ ନ କରି ରାଜସ୍ଥାନରୁ କରିଥିବାରୁ ଏହି ଚର୍ଚ୍ଚା ଆହୁରି ଜୋର ଧରିଛି। ତେବେ ଅନ୍ୟ ଏକ ଆଶ୍ଚର୍ଯ୍ୟ ହେଲା ଯେ, ସେ ବିଜେପି ସମର୍ଥନରେ ସ୍ବାଧୀନ ଭାବେ ଏହି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସୁବାଷ ଚନ୍ଦ୍ରାଙ୍କ ଏପରି ପଦକ୍ଷେପ କେବଳ ରାଜସ୍ଥାନ ନୁହେଁ ସାରା ଦେଶର ରାଜନୀତିରେ ବର୍ତ୍ତମାନ ଆଲୋଚ୍ୟ ବିଷୟ ହୋଇଛି।  ସେ ବିଜେପି ସମର୍ଥନରେ ପ୍ରାର୍ଥୀ ହେଲେ ମଧ୍ୟ ତାଙ୍କର ଜିତିବା ପାଇଁ ଆବଶ୍ୟକ ସଂଖ୍ୟା ହେଉ ନାହିଁ। ସେ ନିଶ୍ଚିତ ଭାବେ କଂଗ୍ରେସ ଭୋଟ ଉପରେ ନଜର ପକାଇ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଶ୍ନ ଉଠିଛି ଅଶୋକ ଗେହେଲଟ ଏବଂ ସଚିନ ପାଇଲଟଙ୍କ ବିବାଦ ଭିତରୁ ସୁବାଷ କିଛି ଫାଇଦା ନେବେ କି?

ତେବେ ରାଜସ୍ଥାନର ବର୍ତ୍ତମାନ ଚାରୋଟି ରାଜ୍ୟସଭା ଆସନ ପାଇଁ ଜୁନ ୧୦ ତାରିଖରେ ନିର୍ବାଚନ ହେବ। ରାଜସ୍ଥାନର ମୋଟ ବିଧାନସଭା ଆସନ ସଂଖ୍ୟା ୨୦୦ ହୋଇଥିବା ବେଳେ ସେଥିରେ କଂଗ୍ରେସ ହାତରେ ରହିଛି ୧୦୮ଟି ଏବଂ ବିଜେପି ହାତରେ ଅଛି ୭୧ଟି ଆସନ। ସ୍ବାଧୀନ ବିଧାୟକ ୧୩ ଜଣ ଥିବା ବେଳେ ଅନ୍ୟାନ୍ୟ ଅଛନ୍ତି ୮ ଜଣ। ଜଣେ ପ୍ରାର୍ଥୀଙ୍କୁ ଜିତିବା ପାଇଁ ୪୧ ଖଣ୍ଡ ଭୋଟର ଆବଶ୍ୟକତା ରହିଛି।

ସେହି ହିସାବରେ ବର୍ତ୍ତମାନ ଚାରୋଟି ଆସନ ମଧ୍ୟରୁ କଂଗ୍ରେସ ଦୁଇଟି ଆସନ ଜିତିବା ନିଶ୍ଚିତ ଅଛି। ହେଲେ ଦୁଇଟି ଆସନ ପରେ ଏହି ଦଳ ପାଖରେ ଆଉ ବଳକା ୨୬ ଖଣ୍ଡ ଭୋଟ ରହୁଛି। ରାଜସ୍ଥାନରେ ଯେଉଁ ୧୩ ଜଣ ସ୍ବାଧୀନ ବିଧାୟକ ଅଛନ୍ତି ସେମାନେ ସମସ୍ତେ ପ୍ରାୟତଃ କଂଗ୍ରେସ ସହିତ ଅଛନ୍ତି। ସେମାନେ ଯଦିବା କଂଗ୍ରେସକୁ ସମର୍ଥନ କରିନ୍ତି ତେବେ ତୃତୀୟ ପ୍ରାର୍ଥୀ ପାଇଁ ଆହୁରି ଦୁଇଟି ଭୋଟର ଆବଶ୍ୟକତା ରହିଛି।

ବିଜେପିର ୭୧ଟି ଆସନ ମଧ୍ୟରୁ ସେମାନେ ଜଣଙ୍କୁ ରାଜ୍ୟସଭା ପଠାଇଲେ ଆଉ ୩୦ ଖଣ୍ଡ ଭୋଟ ରହୁଛି। ହେଲେ ସେମାନେ ଆଉ ଜଣଙ୍କୁ ପଠାଇବାକୁ ହେଲେ ତାଙ୍କୁ ଆହୁରି ୧୧ ଖଣ୍ଡ ଭୋଟ ଆବଶ୍ୟତା ରହିଛି। ସେଥିପାଇଁ ବିଜେପି ଜଣେ ପ୍ରାର୍ଥୀ ଘନଶ୍ୟାମ ତିୱାରୀଙ୍କୁ ଛିଡା କରିଛି। ସେହିପରି କଂଗ୍ରେସ ଦୁଇଜଣଙ୍କୁ ପଠାଇବା ନିଶ୍ଚିତ ଥିଲେ ମଧ୍ୟ ଦଳ ତିନିଜଣ ପ୍ରାର୍ଥୀଙ୍କୁ ଛିଡା କରିଛି। ସେମାନେ ହେଲେ ମୁକୁଲ ୱାସନିକ, ପ୍ରମୋଦ ତିୱାରୀ ଏବଂ ରଣଦୀପ ସିଂ ସୁରଜେୱାଲା।

ବର୍ତ୍ତମାନ ସୁବାଷ ଚନ୍ଦ୍ରା ନାମାଙ୍କନ ଦାଖଲ କରିବା ପରେ ତାଙ୍କର ପ୍ରମୋଦ ତିୱାରୀଙ୍କ ସହିତ ଲଢେଇ ହେବ। ପ୍ରମୋଦ ହେଉଛନ୍ତି ଉତ୍ତର ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା। କଂଗ୍ରେସ ରଣଦୀପ ସିଂ ସୁରଜୱାଲା କହିଛନ୍ତି ଯେ, ଆମ ପାଖରେ ମୋଟ ୧୨୬ ଖଣ୍ଡ ଭୋଟ ରହିଛି। ଆମେ ତିନୋଟି ଆସନ ନିଶ୍ଚିତ ଜିତିବୁ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କହିଛନ୍ତି ଯେ, ବିଜେପି ଘୋଡା ବେପାର କରିବା ପାଇଁ ଦ୍ବିତୀୟ ପ୍ରାର୍ଥୀ ଦେଇଛି। ସେହିପରି ସୁବାଷ ଚନ୍ଦ୍ରା କହିଛନ୍ତି ଯେ ମୁଁ ଏଥିରେ ନିଶ୍ଚିତ ବିଜୟୀ ହେବି। ତେବେ ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ ଅଶୋକ ଗେହେଲଟ ଏବଂ ସଚିନ ପାଇଲେଟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ଫାଇଦା ପାଇଁ ବିଜେପି ଏହି ଖେଳ ଖେଳିଛି।