ଜୀ ନ୍ୟୁଜ ଛାଡିଲେ ବରିଷ୍ଠ ସାମ୍ବାଦିକ ସୁଧୀର ଚୌଧୁରୀ, ଜାଣନ୍ତୁ କଣ ଏହାର କାରଣ ?

Published: Jul 2, 2022, 2:27 pm IST

ନୂଆଦିଲ୍ଲୀ: ଦେଶର ବରିଷ୍ଠ ସାମ୍ବାଦିକ ତଥା ଜୀ ନ୍ୟୁଜର ଏଡିଟର ଇନ ଚିଫ ସୁଧୀର ଚୌଧୁରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ମଧ୍ୟ ଜୀ ମିଡିଆ କ୍ଲଷ୍ଟର ୱାନ୍ ର ସିଇଓ ଥିଲେ। ତାଙ୍କ ଅଧିନରେ ଜୀ ନ୍ୟୁଜ, ଉଏନ୍, ଜୀ ବିଜିନେସ୍ ଏବଂ ଜୀ 24 ତାସ ଚ୍ୟାନେଲ ଥିଲା।

ଏକ ମେଲ କରି ସେ ଜୀ ମିଡିଆ କରପୋରେସନର ଅଧ୍ୟକ୍ଷ ସୁବାଷ ଚନ୍ଦ୍ରାଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଗତକାଲି ଥିଲା ତାଙ୍କର ଶେଷ କାର୍ଯ୍ୟ ଦିବସ। ମୁଖ୍ୟତଃ ସୁଧୀରଙ୍କ ‘ଡିଏନଏ’ କାର୍ଯ୍ୟକ୍ରମ ସାରା ଭାରତରେ ବେଶ ଲୋକପ୍ରିୟ ହୋଇପାରିଛି। ତାଙ୍କର ଉପସ୍ଥାପନା ଶୈଳୀ ସହିତ ବିସ୍ତୁତ ତଥ୍ୟ ସଂଗ୍ରହ ଏହି କାର୍ଯ୍ୟକ୍ରମକୁ ଲୋକପ୍ରିୟ କରାଇ ପାରିଛି।

ସୁଧୀର ପ୍ରଥମେ ଜୀରେ ଯୋଗ ଦେବା ପରେ 2003 ମସିହାରେ ଏହି ସଂସ୍ଥା ଛାଡିଥିଲେ। ଏହାପରେ ସେ ସାହାର ଗ୍ରୁପରେ ଯୋଗ ଦେଇ ବିଭିନ୍ନ ଚ୍ୟାନେଲ କରିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସାହାରା ଗ୍ରୁପର ବିଭିନ୍ନ ଭାଷାରେ ‘ସାହାର ସମୟ’ ତାଙ୍କ ସମୟରେ ଆରମ୍ଭ ହୋଇଥିଲା। ଏହାପରେ ସେ ଇଣ୍ଡିଆ ଟିଭି ରେ କିଛି ମାସ ପାଇଁ କାର୍ଯ୍ୟ କରିଥିଲେ। ସୁଧୀର ପୁଣି 2012 ରେ ଜୀ ମିଡିଆରେ ଯୋଗ ଦେଇ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ।

ତାଙ୍କ ଇସ୍ତଫା ପତ୍ର ପାଇବା ପରେ ସୁବାଷ ଚନ୍ଦ୍ରା ତାଙ୍କୁ ଡାକି ଦୁଇଦିନ ଧରି ଆଲୋଚନା କରିଥିଲେ। ମୁଖ୍ୟତଃ ସେ ଏହି କଂପାନୀରେ ତାଙ୍କର କାର୍ଯ୍ୟ ଜାରୀ ରଖନ୍ତୁ ବୋଲି କହିଥିଲେ।ହେଲେ ସୁଧୀର ମିଡିଆ କ୍ଷେତ୍ରରେ ନିଜେ କିଛି କରିବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ। ଫଳରେ ସୁବାଷ ଚନ୍ଦ୍ରା ତାଙ୍କର ଇସ୍ତଫାକୁ ଗ୍ରହଣ କରି କାର୍ଯ୍ୟରୁ ମୁକ୍ତ କରିଥିଲେ।

ତେବେ ବର୍ତ୍ତମାନ ସୁଧୀର ନିଜେ କଣ କରିବେ ସେ ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। ହେଲେ ନିଜେ ସୁଧୀର ନୂଆ କଂପାନୀ ସଂପର୍କରେ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କରି ନାହାଁନ୍ତି।

Related posts