Categories
ଆଜିର ଖବର

କେନ୍ଦ୍ରାପଡାରେ ବୈଜୟନ୍ତ ଜିତିବା ପାଇଁ ଓଟିଭି ଟିମ କରୁଛନ୍ତି ପ୍ରଚାର, ସିଇଓଙ୍କ ନିକଟରେ ଅଭିଯୋଗ କଲା ବିଜେଡି

ସମୀକ୍ଷା ବ୍ୟୁରୋ

ବିଜେପିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ପ୍ରଚାର ବନ୍ଦ ବେଳେ ତାଙ୍କ ପାରିବାରିକ ମାଲିକାନାରେ ଥିବା ନ୍ୟୁଜ ଚ୍ୟାନେଲ ଓଟିଭି ବେଆଇନି ଭାବେ ପ୍ରଚାର କରୁଛି। ଏପରି ଅଭିଯୋଗ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ କରିଛି ବିଜୁ ଜନତା ଦଳ। ଲିଖିତ ଭାବେ ବିଜେଡି କହିଛି ଯେ, ବର୍ତ୍ତମାନ ନିର୍ବାଚନ କମିଶନରଙ୍କ ନିୟମ ଅନୁସାରେ ପ୍ରଚାର ବନ୍ଦ ରହିଛି। ହେଲେ କେନ୍ଦ୍ରାପଡା ଲୋକସଭା ଆସନରେ ବୈଜୟନ୍ତଙ୍କ ପାରିବାରିକ ମାଲିକାନାରେ ଥିବା ଓଟିଭି ନ୍ୟୁଜ ଚ୍ୟାନେଲର ୧୦ ରୁ ୧୨ ଜଣ କର୍ମଚାରୀ ସେଠାରେ ପ୍ରଚାର କରୁଛନ୍ତି। ଖବର ପ୍ରସାରଣ ନାମରେ ଏମାନେ ଭୋଟରମାନଙ୍କୁ ବୈଜୟନ୍ତ ପଣ୍ଡାଙ୍କୁ ଭୋଟ ଦେବା ପାଇଁ ପ୍ରବର୍ତ୍ତାଉଥିବା ଅଭିଯୋଗ କରାଯାଇଛି। ଏପରିକି ବୈଜୟନ୍ତଙ୍କ ସଂପର୍କରେ ଓଟିଭି ବାରମ୍ବାର ଖବର ପ୍ରସାରଣ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ଏପରିକି ଓଟିଭିର ସାମ୍ବାଦିକ ମନୋରଂଜନ ଯୋଶୀ ଭୋଟରମାନଙ୍କୁ ବୈଜୟନ୍ତଙ୍କୁ ଭୋଟ ଦିଅନ୍ତୁ ବୋଲି ମତାଉଥିବାର ଦଳ ଅଭିଯୋଗ କରିଛି। ଏସଂପର୍କରେ ଦଳ ତରଫରୁ ଏକ ଭିଡିଓ ଫାଇଲ ପ୍ରମାଣ ସ୍ବରୂପ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଗତକାଲି ରାତିରେ ଦଳ ତରଫରୁ ଆଉ ଏକ ଅଭିଯୋଗ ମଧ୍ୟ କରାଯାଇଥିଲା। ଦଳ ଅଭିଯୋଗ କରିଥିଲା ଯେ, ପ୍ରଚାର ବନ୍ଦ ଥିବା ବେଳେ ବୈଜୟନ୍ତଙ୍କୁ ଭୋଟ ଦିଅନ୍ତୁ ବୋଲି ଏକ ନିର୍ଦ୍ଦିଷ୍ଠ ମୋବାଇଲ ନମ୍ବରରୁ ଭଏସ ମେସେଜ ମାଧ୍ୟମରେ ପ୍ରଚାର କରାଯାଉଥିଲା। ଦଳ ତରଫରୁ ସସ୍ମିତ ପାତ୍ର, ଲେନିନ ମହାନ୍ତି ଏବଂ ସୁଲତା ଦେଓ ସିଇଓଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି।

(ମୋବାଇଲରେ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନକୁ ଘଷିଘଷି ପଢନ୍ତୁ ନୂଆ ନୂଆ ଖବର)

Categories
ବିଶେଷ ଖବର

ଆସନ୍ତାକାଲି ଓଡିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ, ୫୨ ଜଣ ଲୋକସଭା ଏବଂ ୩୩୬ ଜଣ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ସମୀକ୍ଷା ବ୍ୟୁରୋ

ଓଡିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ସୋମବାର ସକାଳ ୭ଟାରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଏବଂ ୪୧ ଟି ବିଧାନସଭାରେ ନିର୍ବାଚନ ଅନୁଷ୍ଠିତ ହେବ। ପାଟକୁରାର ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ପାଇଁ ଏହି ବିଧାନସଭା ଆସନ ପାଇଁ ନିର୍ବାଚନ ସୋମବାର ଦିନ ନ ହୋଇ ଆସନ୍ତା ୧୯ ତାରିଖରେ ହେବ। ଏଥର ୬ଟି ଲୋକସଭା ପାଇଁ ୫୨ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ୪୦ଜଣ ପୁରୁଷ ଥିବା ବେଳେ ୧୨ ଜଣ ମହିଳା ଅଛନ୍ତି। ସେହିପରି ୪୧ ଟି ବିଧାନସଭାରେ ଏଥର ୩୩୬ ଜଣ ପ୍ରାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ୩୦୧ ଜଣ ପୁରଷ, ୩୪ ଜଣ ମହିଳା ଏବଂ ଜଣେ କିନ୍ନର ଅଛନ୍ତି।

ଏହି ପର୍ଯ୍ୟାୟରେ ୯୫ଲକ୍ଷ ୬ଶହ ୫୩ ଜଣ ଭୋଟର ଭୋଟ ଦେବେ। ସେମାନଙ୍କ ମଧ୍ୟରେ ୪୯ ଲକ୍ଷ ଏକ ହଜାର ୭୯ ଜଣ ପୁରୁଷ ଭୋଟର ଅଛନ୍ତି। ସେହିପରି ୪୫ ଲକ୍ଷ ୯୮ ହଜାର ୯ଶହ ୭୯ ଜଣ ମହିଳା ଭୋଟର ଏବଂ ୫ଶହ ୯୫ ଜଣ କିନ୍ନର ଭୋଟର ଅଛନ୍ତି। ଏହି ନିର୍ବାଚନ ପରିଚାଳନା ପାଇଁ ୭୨ ହଜାର ୩ଶହ ୬୩ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ତେବେ ନିର୍ବାଚନ ଅଧିକାରୀଙ୍କ ଅଫିସରୁ ମିଳିଥିବା ସୂଚନା ଅନୁସାରେ ଏଥର ୭ ଲକ୍ଷ ୯୯ ହଜାର ୮ଶହ ୬୨ଜଣ ପ୍ରଥମ ଥର ପାଇଁ ଭୋଟ ଦେବେ। ଏଥର ନିର୍ବାଚନରେ ୧୦ ହଜାର ୭ଶହ ୯୨ଟି ପୁଲିଂ ବୁଥ କରାଯାଇଛି ବୋଲି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏଥର ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।

ନିର୍ବାଚନକୁ ସ୍ବଚ୍ଛ ଏବଂ ନିରପକ୍ଷ ଭାବେ ପରିଚାଳନା କରିବା ପାଇଁ ବିଭିନ୍ନ ସ୍ଥାନରେ ନିର୍ବାଚନ ଅଧିକାରୀମାନେ ତଦାରଖ କରୁଛନ୍ତି। ଭୋଟରମାନଙ୍କୁ ଯେପରି ପ୍ରଭାବିତ ନ କରାଯିବ ସେଥିପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଏଥର ପୋଲିସ ପ୍ରାୟ ୪ କୋଟି ୧୩ ଲକ୍ଷ ନଗଦ ଟଙ୍କା ଜବତ କରିଛି। ସେହିପରି ପ୍ରାୟ ୧ ଲକ୍ଷରୁ ଉର୍ଦ୍ଦ୍ୱ ଲିଟରର ମଦ ମଧ୍ୟ ଜବତ କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ପ୍ରାୟ ୨୫୦ଟି ବେଆଇନି ଭାବେ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି।

ହେଭିୱେଟ ଲୋକସଭା ପ୍ରାର୍ଥୀ ଭାବେ ଜୟ ପଣ୍ଡା,ରବି ଜେନା,ପ୍ରତାପ ଷଡଙ୍ଗୀ,ଅନୁଭବ ମହାନ୍ତି,ରାଜଶ୍ରୀ ମଲ୍ଲିକ ଏବଂ ଦିବ୍ୟଜ୍ୟୋତି ପଟ୍ଟନାୟକଙ୍କ ପରି କେତେକ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ସେହିପରି ବିଧାନସଭା ପାଇଁ ଡାକ୍ତର ଦାମୋଦର ରାଉତ, ପୁତ୍ର ସଂବିଦ ରାଉତରାୟ,ମନମୋହନ ସାମଲ, ବସ୍ତାରୁ ରଘୁନାଥ ମହାନ୍ତି, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ,ଶଶିଭୂଷଣ ବେହେରା, ପ୍ରତାପ ଜେନା, ଅନନ୍ତ ଦାସ, ପ୍ରଫୁଲ ସାମଲ, ନିରଂଜନ ପଟ୍ଟନାୟକ, ପ୍ରଣବ ଦାସ, ପ୍ରଣବ ବଳବନ୍ତରାୟ, ଚିରଞ୍ଜୀବୀ ବିଶ୍ବାଳ, ଗଣେଶ୍ବର ବେହେରା, ପ୍ରମିଳା ମଲ୍ଲିକ ପ୍ରମୁଖ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହେବ।