Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଝରଣା ଦାସ ନୁହଁନ୍ତି, ସେ ଥିଲେ ଓଡିଶାର ଘରେ ଘରେ ପରିଚିତ ‘ତଅପୋଇ’

ଭୁବନେଶ୍ବର: ପ୍ରାୟ ସତୁରୀ ଦଶକର କଥା। ସେତେବେଳେ ଟେଲିଭିଜନ କଣ ଲୋକେ ଜାଣି ନ ଥିଲେ। ମନୋରଂଜନର ଏକମାତ୍ର ମାଧ୍ୟମ ଥିଲା ଆକାଶବାଣୀ ବା ରେଡିଓ। ସେତେବେଳେ ଘରେ ଘରେ ବେତାର ବା ରେଡିଓ ଥିଲା। ଆଉ ସେତେବେଳେ ଏହି ରେଡିଓରେ ଏକ ଲୋକପ୍ରିୟ ଧାରାବାହିକ ଥିଲା ତଅପୋଇ ଗୀତିନାଟ୍ୟ। ଖୁଦୁରୁକୁଣି ଓଷା ବେଳେ ପ୍ରତିବର୍ଷ ଏହି ଗୀତିନାଟ୍ୟ ପ୍ରସାରଣ ହେଇଥିଲା।

ତେବେ ଏହି ଗୀତିନାଟ୍ୟର ପ୍ରମୁଖ ତଅପୋଇ ଙ୍କ ଅଭିନୟ ସ୍ବର ସେତେବେଳେ ସମସ୍ତଙ୍କୁ ଚମକୃତ କରିଦେଇଥିଲା। ତଅପୋଇ ଛେଳି ଚରାଇବାକୁ ଯିବା ଏବଂ ବର୍ଷାରେ ଜଙ୍ଗଲ ଭିତରେ ‘ଘରମଣି’ ନାମିତ ଏକ ଛେଳିକୁ ଖୋଜିବା ସେତେବେଳେ ସମସ୍ତେ କାନ୍ଦ କାନ୍ଦ ହୋଇଯାଉଥିଲେ। ଆଉ ଏହା ପଛରେ ଯେଉଁ ଅଭିନେତ୍ର ଥିଲେ ସେ ହେଲେ ଝରଣା ଦାସ।

ଜଙ୍ଗଲ ଭିତରେ ଘରମଣି…ଘରମଣି…ଘରମଣି ବୋଲି ଡାକିବା ଆଜି ବି ସେ ସ୍ବର କାନରେ ଗଂଜରଣ ସୃଷ୍ଟି କରିଛି। ଏହା ହିଁ ଝରଣା ଦାସଙ୍କୁ ଘରେ ଘରେ ପରିଚିତ କରାଇଥିଲା।

୧-  ସେ ୧୯୬୩ ମସିହାରେ ଓଡିଆ ଚଳଚିତ୍ର ଅମଡା ବାଟରେ ପ୍ରବେଶ କରିଥିଲେ। ଏହାପରେ ପରେ ସେ ମଲାଜହ୍ନ, ନବଜନ୍ମ, ଅଭିନେତ୍ରୀ, ଅଦିନମେଘ, ଶ୍ରୀଜଗନ୍ନାଥ, ପୂଜା ଫୁଲ, ହିସାବ ନିକାଶ, ଟିକେ ହସ ଟିକେ ଲୁହ ପରି ଚଳଚିତ୍ରରେ ଅଭିନୟ କରିଛନ୍ତି।

୨- ଝରଣା ଦାସ ଅନେକ କ୍ଷେତ୍ରରେ ଏକ ନୂଆ ଇତିହାସ ରଚନା କରିଛନ୍ତି। ସେ ହେଉଛନ୍ତି ଓଡିଆ ଚଳଚିତ୍ରର ପ୍ରଥମ ଗ୍ରାଜୁଏଟ ଅଭିନେତ୍ର।

୩- ସେ ହେଉଛନ୍ତି ପ୍ରଥମ ଅଭିନେତ୍ରୀ ଯେକି ଦ୍ବୈତ ଭୂମିକାରେ ଅଭିନୟ କରିଛନ୍ତି। ସେ ମଲାଜହ୍ନରେ ସତୀ ଭୂମିକାରେ ଯେପରି ଅଭିନୟ କରିଥିଲେ ତାହା ଆଜି ପର‌୍ୟ୍ୟନ୍ତ ଏକ ମାଇଲ ଖୁଣ୍ଟ ହୋଇ ରହିଛି।

୪- ମଜା କଥା ହେଲା ସେ ଅଦିନ ମେଘ ଚଳଚିତ୍ରରେ ପ୍ରଶାନ୍ତ ନନ୍ଦଙ୍କ ବିପକ୍ଷରେ ନାୟିକା ହୋଇଥିଲେ। ଏହାପରେ ସେ ହିସାବ ନିକାସ ଚଳଚିତ୍ରରେ ପ୍ରଶାନ୍ତ ନନ୍ଦଙ୍କ ମାଆ ଚରିତ୍ରରେ ଅଭିନୟ କରିଥିଲେ।

୫- ୧୯୭୦  ମସିହାରେ ସେ ଅଦିନ ମେଘ ଚଳଚିତ୍ରରେ ଅଭିନୟ କରିବା ପରେ ସିନେମା ଜଗତରୁ ଦୂରେଇ ଯାଇଥିଲେ। ଏହାପରେ ୧୯୭୮ ମସିହାରେ ସେ ଶ୍ରୀଜଗନ୍ନାଥ ଚଳଚିତ୍ରରେ ଅଭିନୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

୬- ସେ ପ୍ରଥମେ ଆକାଶବାଣୀରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ। ଏହାପରେ ସେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ ଦୂରଦର୍ଶନକୁ ବଦଳି ହୋଇଥିଲେ। ସେ ୨୦୦୦ ମସିହାରେ କୋଲକାତାରୁ ଦୂରଦର୍ଶନର ନିର୍ଦ୍ଦେଶକ ପଦବୀରୁ ଅବସର ନେଇଥିଲେ।

୭-ଝରଣା ଦାସଙ୍କୁ ପ୍ରଖ୍ୟାତ ନିର୍ଦ୍ଦେଶକ ସତ୍ୟଜିତ ରାୟଙ୍କ ଚଳଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ହେଲେ ଏକ ଖୋଲା ସ୍ଥାନରେ ଶାଢୀ ବଦଳାଇବାକୁ ଥିବାରୁ ସେ ସେହି ଚଳଚିତ୍ରରେ ଅଭିନୟ କରିବାକୁ ମନା କରିଦେଇଥିଲେ।

୮- ଝରଣା ଦାସ ଜଣେ ଓଡିଶୀ ନୃତ୍ୟଶିଳ୍ପୀ ଥିଲେ। ସେ ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ଓଡିଶୀ ଶିକ୍ଷା କରିଥିଲେ। ସେହିପରି ସେ ଯୁବ ଉତ୍ସବରେ ଯୋଗ ଦେଇ କଥକ ନୃତ୍ୟ ମଧ୍ୟ ପରିବେଶଣ କରିଥିଲେ। ସେ ସୀତାର ବାଦନ ମଧ୍ୟ ଶିକ୍ଷା ଲାଭ କରିଥିଲେ।

୯- ସେ ଏପରି ଜଣେ ଅଭିନେତ୍ରୀ ଯେ କି ବେତାର ନାଟକ, ମଞ୍ଚ ନାଟକ, ଚଳଚିତ୍ର ଏବଂ ଟେଲିଭିଜନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି। ତେଣୁ ସେ ହେଉଛନ୍ତି ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ।

୧୦- ତାଙ୍କର ଅଭିନୟ ଜଗତରେ ସ୍ବତନ୍ତ୍ରତା ପାଇଁ ସେ ୧୯୯୭ ମସିହାରେ ଓଡିଶାର ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ହାସଲ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଝରଣା ଦାସଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦା ସହ କରାଯିବ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ଵର୍ଗତ ଝରଣା ଦାସଙ୍କୁ ଜଣେ ଯଶସ୍ବୀ କଳାକାର ଭାବରେ ବର୍ଣ୍ଣନା କରିଛନ୍ତି।

ଆକାଶବାଣୀ ସହିତ ଉଭୟ ମଞ୍ଚ ଓ ଚଳଚ୍ଚିତ୍ର ରେ ବିଭିନ୍ନ ଭୂମିକାରେ ତାଙ୍କର ପ୍ରଭାବଶାଳୀ ଅଭିନୟ ତାଙ୍କୁ ବିପୁଳ ଲୋକପ୍ରିୟତା ଆଣି ଦେଇଥିଲା। ଝରଣା ଦାସ ଙ୍କ ସ୍ଵର ଓ ଚମତ୍କାର ଅଭିନୟ ତାଙ୍କୁ ଜଣେ କିମ୍ବଦନ୍ତୀ ଅଭିନେତ୍ରୀ ଭାବରେ ଅଜସ୍ର ସୁନାମ ଦେଇଥିଲା। ତାଙ୍କର ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ତଥା ସାଂସ୍କୃତିକ ,ଜଗତ ରେ ବିରାଟ ଶୂନ୍ୟତା ସ୍ରୁଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି।

ସ୍ଵର୍ଗତଃ ଝରଣା ଦାସ ଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Categories
ଆଜିର ଖବର ବ୍ୟକ୍ତିତ୍ୱ ମନୋରଂଜନ ରାଜ୍ୟ ଖବର ସିନେମା

ପ୍ରଖ୍ୟାତ ଅଭିନେତ୍ରୀ ଝରଣା ଦାସ ଆଉ ନାହାଁନ୍ତି, ‘ତଅପୋଇ’ ପାଇଁ ସେ ସମସ୍ତଙ୍କର ପରିଚିତ

ଭୁବନେଶ୍ବର: ଆଜି ପ୍ରଖ୍ୟାତ ଅଭିନେତ୍ରୀ ଝରଣା ଦାସଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ବୟସ ହୋଇଥିଲା। ସେ କଟକ ଚଣ୍ଡିରୋଡ ସ୍ଥିତ ତାଙ୍କ ବାସଭବନରେ ଗତକାଲି ରାତି ପ୍ରାୟ ଦୁଇଟା ବେଳେ ମୃତ୍ୟୁବରଣ କରିଥିବାର ଜଣାପଡିଛି। ଏହି ଖବର ପ୍ରଚାରିତ ହେବାପରେ ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ବହୁ ଲୋକଙ୍କର ଭିଡ ପରିଲକ୍ଷିତ ହୋଇଛି।

ଅଶି ଦଶରକରେ ଓଡିଆ ଚଳଚିତ୍ରରେ ଜଣେ ପରିଚିତ ଅଭିନେତ୍ରୀ ହେଉଛନ୍ତି ଝରଣା ଦାସ। ତାଙ୍କର ଚଳଚିତ୍ର ମଧ୍ୟରେ ରହିଛି ମଲାଜହ୍ନ, ଅମଡାବାଟ, ନବଜନ୍ମ, ଅଭିନେତ୍ରୀ, ଅଦିନମେଘ, ଶ୍ରୀଜଗନ୍ନାଥ, ପୂଜା ଫୁଲ, ହିସାବ ନିକାଶ, ଟିକେ ହସ ଟିକେ ଲୁହ ପ୍ରଭୃତି। ତେବେ ସେ ରେଡିଓ ଗୀତିନାଟ୍ୟ ତଅପୋଇ ରେ ତଅପୋଇ ଭାବେ ଯେଉଁ ଅଭିନୟ କରିଥିଲେ ତାହା ତାଙ୍କୁ ଓଡିଶାର ଘରେ ଘରେ ପରିଚିତ କରାଇପାରିଥିଲା।