Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଟ୍ରେନ ଦୁର୍ଘଟଣାରେ ସ୍ବାମୀ ମରିଛନ୍ତି କହି ଟଙ୍କା ହାତେଇବାକୁ ଉଦ୍ୟମ, ମହିଳା ଅଟକ

ଭୁବନେଶ୍ବର: ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ସାରା ବିଶ୍ବ ଦୁଃଖ ପ୍ରକାଶ କରୁଥିବା ବେଳେ ସେପଟେ ମୃତକଙ୍କ ଟଙ୍କା ହାତେଇବା ପାଇଁ ହୀନ ଉଦ୍ୟମ ପଦାକୁ ଆସିଛି। ଜଣେ ମହିଳା ନିଜ ସ୍ବାମୀ ଦୁର୍ଘଟଣାରେ ମରିଯାଇଛନ୍ତି କହି ଟଙ୍କା ହାତେଇବାକୁ ଚେଷ୍ଠା କରି ଧରାପଡିଛନ୍ତି।

ମହିଳା ଜଣଙ୍କ ହେଉଛନ୍ତି ବଡମ୍ବା ମାଣିଆବନ୍ଧ ଅଞ୍ଚଳ ଗୀତାଞ୍ଜଳି ଦତ୍ତ। ସେ ବାଲେଶ୍ବର ନୋସି ବିଜେନେସ ପାର୍କରେ ଥିବା ଶବଖାନାକୁ ଆସି କାନ୍ଦବୋବାଳି କରି ସ୍ବାମୀ ମରିଯାଇଛନ୍ତି ବୋଲି କହିିଥିଲା।  ସେଠାରେ ଥିବା ଅଧିକାରୀମାନେ ମହିଳାଙ୍କୁ ଶବ ଚହ୍ନଟ କରିବା ପାଇଁ ଅନୁମତି ଦେଇଥିଲେ। ସେ ଜଣେ ପୁରୁଷଙ୍କ ଶବକୁ ମୋ ସ୍ବାମୀ ବୋଲି କହି ତା ଉପରେ କାନ୍ଦି ଲୋଟିପଡିଥିଲେ।

ଏହାପରେ ସେଠାରେ ଥିବା ଅଧିକାରୀ ତାଙ୍କର ପରିଚୟ ପତ୍ର ସ୍ବାମୀଙ୍କ ପରିଚୟ ପତ୍ର ମାଗିବା ପରେ ମହିଳା ଜଣଙ୍କ ଅସୁବିଧାରେ ପଡିଯାଇଥିଲେ। ହଁ ଆଣୁଛି କହି ସେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଜିଆରପି ହାବୁଡରେ ପଡିଥିଲେ। ମହିଳାଙ୍କୁ ଅଟକ ରଖାଯାଇଛି।

ସେପଟେ ଆଶ୍ଚର୍ଯ୍ୟର କଥା ମହିଳାଙ୍କ ସ୍ବାମୀ ବିଜୟ ଦତ୍ତ ଏ ଘଟଣା ଜାଣିବା ପରେ ସେ ଥାନାରେ ଏକ ଏଫଆଇର ଦାୟର କରିବାକୁ ଗଲେ। ସେ ମାଣିଆବନ୍ଧ ଥାନାରେ ଅଭିଯୋଗ କରିଛନ୍ତି ଯେ, ମୋ ସ୍ତ୍ରୀ ତିନିଦିନ ହେଲା ନିଖୋଜ ଅଛନ୍ତି। ମୁଁ ଟ୍ରେନ ଦୁର୍ଘଟଣାରେ ମରିଯାଇଛି କହି ଅନୁକମ୍ଫା ରାଶି ହାତେଇବାକୁ ସେ ଚେଷ୍ଠା କରୁଛନ୍ତି। ମୋର ମାନ ସମ୍ମାନ ରକ୍ଷା କରିବା ପାଇଁ ତାକୁ ଏହି କାର୍ଯ୍ୟରୁ ରୋକନ୍ତୁ ବୋଲି ସେ ଅଭିଯୋଗ କରିଛନ୍ତି।