Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଆଇଚର ବୋଲେରୋ ମଧ୍ୟରେ ମୁହାଁ ମୁହିଁ ଧକ୍କା, ୭ ଯାତ୍ରୀ ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଇଚର ବୋଲେରୋ ମଧ୍ୟରେ ମୁହାଁ ମୁହିଁ ଧକ୍କା। ଫଳରେ ୭ ଯାତ୍ରୀ ଗୁରୁତର ହୋଇପଡିଛନ୍ତି। ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍ ଓଭର ବ୍ରିଜ୍ ନିକଟରେ ଏଭଳି ଦୁର୍ଘଟଣା ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଆଜି ଗୋଟିଏ ବୋଲେରୋଟି ବ୍ରହ୍ମପୁରରୁ କଟକ ଅଭିମୁଖେ ଯାଉଥିଲା। ସେଥିରେ ଜଣେ ମହିଳା ସମେତ ୭ ଜଣ ଯାତ୍ରା କରୁଥିଲେ। କିନ୍ତୁ ହଠାତ ସାମ୍ନା ପଟୁ ଆସୁଥିବା ଏକ ଆଇଚରଟି ବୋଲୋରକୁ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବୋଲେରୋର ଆଗ ପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ବୋଲୋରରେ ୭ ଜଣ ଯାତ୍ରୀ ଗୁରୁତର ହୋଇଥିଲେ।

ସେଠାରେ ଥିବା ସ୍ଥାନୀୟ ବାସିନ୍ଦା ତୁରନ୍ତ ଟାଙ୍ଗୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଆହତ ମାନଙ୍କୁ ଉଦ୍ଧାର କରି ଆହତ ମାନଙ୍କୁ ଟାଙ୍ଗୀମେଡିକାଲରେ ଭର୍ତ୍ତି କରିଥିଲା। ପରେ ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ପିଲାଙ୍କୁ ପାଠ ପଢାଇ ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଲେ ଶିକ୍ଷକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ମୃତକଙ୍କ ଘର ଭୋଇସାହିରେ ବୋଲି ଜାଣିବାକୁ ମିଳିଛି।

ସୂଚନା ଅନୁଯାୟୀ, ସରସ୍ଵତୀ ବିଦ୍ୟା ମନ୍ଦିରର ଶିକ୍ଷକ ବିଜୟ କୁମାର ପଟ୍ଟନାୟକ (୫୫) ଏବଂ ତାଙ୍କର ଜଣେ ବନ୍ଧୁ ପିଲାଙ୍କୁ ପାଠ ପଢାଇ ଚାଲି ଚାଲି ଘରକୁ ଫେରୁଥିଲେ। କିନ୍ତୁ ନିରାକାରପୁର କଲେଜ ପଡିଆ ନିକଟରେ ହଠାତ ଗୋଟିଏ ହାତୀ ସେହି ଦୁଇଜଣଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ କରିଥିଲା। ତେବେ ବିଜୟ ହାତୀ ହାବୁଡରେ ପଡିଯାଇଥିବା ବେଳେ ତାଙ୍କ ବନ୍ଧୁ ଖସି ପଳାଇଯାଇଥିଲେ। ହାତୀ ଆକ୍ରମଣ କରିବାରୁ ବିଜୟଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।

କିନ୍ତୁ ଦୁଃଖର ବିଷୟ ଯେ, ଜନବସତି ଅଞ୍ଚଳରେ ହାତୀ ପ୍ରବେଶ କରିଥିବା ଖବର ବନ ବିଭାଗକୁ ଖବର ଥିଲେ ମଧ୍ୟ ଏହା ପାଇଁ କୌଣସି ବ୍ୟବସ୍ଥା କରିପାରିନଥିଲେ। ଯଦି ବନ ବିଭାଗ ଏହା ଉପରେ କୌଣସି ପଦକ୍ଷେପ କିମ୍ବା ଲୋକଙ୍କୁ ସତର୍କ କରାଇଥାନ୍ତେ, ତେବେ ବିଜୟଙ୍କ ଜୀବନ ବଞ୍ଚିପାରିଥାନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବନ ବିଭାଗର ଦାୟିତ୍ଵ ହୀନତା ଯୋଗୁଁ ଗୋଟିଏ ମୁଲ୍ୟବାନ ଜୀବନ ଚାଲିଗଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେଥିପାଇଁ ବିଜୟଙ୍କ ପରିବାରକୁ କ୍ଷତି ପୂରଣ କରିବା ସହ ଏଭଳି ଘଟଣାର ପୁନରାବୃତ୍ତି ଯେଭଳି ନହୁଏ, ସେଥିପାଇଁ ବନ ବିଭାଗ ଉଚିତ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ବାସୀ ଦାବି କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ସୁନା ଚେନ୍ ନମିଳିବାରୁ ନବ ବିବାହିତାକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ, ୩ ଅଟକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କୁମାର ପୂର୍ଣ୍ଣିମାରେ ଅଘଟଣ ଘଟିଛି। ସୁନା ଚେନ୍ ଦାବି କରି ନବ ବିବାହିତାକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଥାନାରେ ଏତଲା ପରେ ପୋଲିସ୍ ର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ଚିଲିକା ସାହିରେ ଏଭଳି ଏକ ଅବାବନୀୟ ଘଟଣା ଘଟିଯାଇଛି।

ଅଭିଯୋଗ ମୁତାବକ, ୪/୫ ମାସ ତଳେ ଟାଙ୍ଗୀ ଥାନା କୁହୁଡି ଗ୍ରାମର ଦଣ୍ଡପାଣୀ ମହାପାତ୍ରଙ୍କ ଝିଅ ମୀନତୀ ଜରିପଡା ଚିଲିକା ସାହିର ଗଂଗାଧର ଉଦଣ୍ଡରାୟଙ୍କ ପୁତ୍ର ତୋଫାନ୍ ଉଦଣ୍ଡ ରାୟଙ୍କୁ ବିବାହ କରିଥିଲେ। ତେବେ ଅଧିକ ଯୌତୁକ ଦାବି କରି ତୋଫାନଙ୍କ ପରିବାର ଲୋକେ ମୀନତୀଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଇଆସୁଥିଲେ। ଏନେଇ ମୀନତୀଙ୍କ ବାପ ଘର ଲୋକେ ଜରିପଡାରେ ପହଂଚି ତୋଫାନଙ୍କୁ ବାରମ୍ବାର ବୁଝାଶୁଝା କରିଆସୁଥିଲେ।

ହେଲେ ଗତ ୩ ଦିନ ତଳେ ମୀନତୀଙ୍କ ବାପ ଘର ପକ୍ଷରୁ ମୀନତୀ ଓ ତାଙ୍କ ସ୍ୱାମୀ ତୋଫାନଙ୍କ ପାଇଁ କୂମାରପୂର୍ଣ୍ଣିମା ଭାର ପଠାଇ ଥିଲେ। ତେବେ ଗତ କାଲି ରାତିରେ ମୀନତିଙ୍କୁ ବାପ ଘରୁ ସୁନା ଚେନ୍ ଆଣିବା ପାଇଁ ଦାବି କରିଥିଲେ। ତେବେ ଏଥିରେ ବିଫଳ ହେବାରୁ ଶାଶୁ ଘର ଲୋକେ ମୀନତିଙ୍କ ତଣ୍ଟି ଚିପି ମାରି ଦେଇଥିବା ମୀନତୀଙ୍କ ବାପ ଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲିକଙ୍କ ନିର୍ଦ୍ଦେଶ କ୍ରମେ କେସ ନମ୍ବର ୪୦୩/୨୧ରେ ଏକ ମାମଲା ରୁଜ୍ଜୁ କରାଯିବା ସହ  ଶାଶୁ, ଶ୍ୱଶୁର ଓ ସ୍ୱାମୀଙ୍କୁ ଅଟକ ରଖି ପୋଲିସ୍ ତଦନ୍ତ ଚଳାଇଛି।

ତେବେ ବର୍ତ୍ତମାନ ଘଟଣାସ୍ଥଳରେ ଖୋର୍ଦ୍ଧା ସାଇଣ୍ଟିଫିକ ଟିମ, ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ଟାଙ୍ଗି ଆଇଆଇସି ବିଜୟ ମଲ୍ଲିକ ଆଦି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ ଜାରି ରଖିଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି ଆଇଆଇସି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଚୁଆରେ ବୁଡି ଭଉଣୀ ମୃତ, ଭାଇ ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁହୁଡି ରତନପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଚୂଆରେ ବୁଡି ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଭାଇ ଗୁରୁତର ହୋଇପଡିଥିବା ଖବର ହସ୍ତଗତ ହୋଇଛି।

ସୂଚନା ଅନୁଯାୟୀ, ରତନପୁର ଗ୍ରାମର ଶରତ କୁମାର ବେହେରାଙ୍କ ଝିଅ ରୀତି ସ୍ମିତା ବେହେରା (୬ ବର୍ଷ) ଏବଂ ପୁଅ ପ୍ରୀତମ କୁମାର ବେହେରା (୪ ବର୍ଷ) ସିନେମାହଲ ନିକଟରେ ପଥର ଖଣିକୁ ଶୌଚ ହେବାକୁ ଯାଇଥିଲେ। ସେଠାରେ ଉଭୟଙ୍କ ଗୋଡ ଖସି ଯିବାରୁ ଚୂଆ ଭିତରେ ବୁଡିଯାଇଥିଲେ। ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଭାଇ ଭଉଣୀଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଭଉଣୀକୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଭାଇ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ତେବେ ଏନେଇ ଟାଙ୍ଗୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଛି। ଏବଂ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ବିଜୟ କୁମାର ମଲିକ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ସିନେମା

ବ୍ରାଉନସୁଗାର ଜବତ କଲା ଟାଙ୍ଗୀ ଅବକାରୀ ବିଭାଗ: ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଟାଙ୍ଗୀ ଅବକାରୀ ବିଭାଗକୁ ଆଜି ସକାଳେ ଏକ ବଡ଼ ସଫଳତା ମିଳିଛି। ବ୍ରାଉନସୁଗାର ସହ ଜଣେ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରିଛି।

ସୂଚନା ମୁତାବକ ଜଙ୍କିଆ ଥାନା ଛଣଗିରି ଅଞ୍ଚଳରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଅବକାରୀ ବିଭାଗ ପୂର୍ବରୁ ଖବର ପାଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ଏକ ସୁପରିକଳ୍ପିତ ଯୋଜନା କରି ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଛଣଗିରି ଗ୍ରାମ ତାରିଣୀ ମନ୍ଦିରରେ ଚଢ଼ାଉ କରାଯାଇଥିଲା।  ମନ୍ଦିରରୁ ଅରୁଣ ବେହେରା (୪୬) ଙ୍କୁ ଅବକାରୀ ବିଭାଗ ଗିରଫ କରିବା ସହ ତାଙ୍କ ନିକଟରୁ ୮ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା।

ଉକ୍ତ ଚଢ଼ାଉରେ  ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ ଏବଂ ବାଲୁଗାଁ ଅବକାରୀ ସବ ଇନ୍ସପେକ୍ଟର ମନୋଜ ବାରିକ ସାମିଲ ଥିଲେ। ଏ ସଂକ୍ରାନ୍ତରେ ଟାଙ୍ଗୀ ଅବକାରୀ ପକ୍ଷରୁ ପିଆର ନମ୍ବର ୪୦/୨୧-୨୨ ରେ ମାମଲା ରୁଜୁ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ପଥର ଖଣିରେ ବୁଡି ୩ ବର୍ଷୀୟ ଶିଶୁ ମୃତ

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ପଥର ଖଣିରେ ବୁଡି ଜଣେ ୩ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପାରି ଓରଡ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ଟାଙ୍ଗୀ ଥାନା ପାରି ଓରଡ ଗ୍ରାମର ଟୁକୁନା ମୁଦୁଲିଙ୍କ ୩ ବର୍ଷର ପୁଅ ପ୍ରହଲ୍ଲାଦର ପଥର ଖଣିରେ ବୁଡି ମୃତ୍ୟୁ ହୋଇଛି। ଟୁକୁନା ମୁଦୁଲିଙ୍କ ଘର ନିକଟରେ ଥିବା ବେଆଇନ ପଥର ଖଣିରେ ବୁଡି ଶିଶୁର ମୃତ୍ୟୁ ହୋଇଯାଇଛି। ମାଫିଆମାନେ ଖଣିରୁ ପଥର ନେବା ପରେ ମୁକୁଳା କରି ଛାଡିଦେଇଥିଲେ। ଫଳରେ ଏଭଳି ଏକ ଅଘଟଣ ଘଟିଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ ଟୁକୁନା ମୁଦୁଲିଙ୍କ ପତ୍ନୀ ଘରେ କାମ ବ୍ୟସ୍ତରେ ଥିବା ବେଳେ ନାବାଳକ ଶିଶୁ ଜଣଙ୍କ ଘର ନିକଟରେ ଖେଳୁଥିଲା। ବର୍ଷା ଯୋଗୁଁ ଉକ୍ତ ଖଣିରେ ପାଣି ଭରି ରହିଥିବା ବେଳେ ଶିଶୁ ଜଣଙ୍କ ସେହି ଭିତରେ ପଡିଯାଇଥିଲା। ଦିର୍ଘ ସମୟ ପରେ ଶିଶୁ ପୁତ୍ରକୁ ମା’ ନପାଇବାରୁ ଖୋଜା ଖୋଜି କରିଥିଲେ। ତେବେ ଦିର୍ଘ ସମୟ ଖୋଜିବା ପରେ ଖଣିରେ ଶିଶୁ ପୁତ୍ରକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ସେଠାରୁ ଶିଶୁକୁ ତୁରନ୍ତ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ପ୍ରହଲ୍ଲାଦକୁ ମୃତ ଘୋଷଣା କରିଥିଲେ। ନାବାଳକର ମୃତ ଦେହ ଏବେ ଟାଙ୍ଗୀ ମେଡିକାଲରେ ଥିବା ବେଳେ ପୋଲିସ୍ ପହଂଚି ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ହଟହଟା ହେଲେ ଜଳସେଚନ ବିଭାଗର ଦୁଇ ଯନ୍ତ୍ରୀ, ଉଭୟଙ୍କୁ ତିନି ଘଣ୍ଟା କାଦୁଅରେ ଚଲାଇଲେ ଗ୍ରାମବାସୀ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ସମୟ ପୂର୍ବରୁ ରାସ୍ତା କାର୍ଯ୍ୟ ଶେଷ ହୋଇନଥିବାରୁ ଗ୍ରାମବାସୀ ଉତକ୍ଷିପ୍ତ ହୋଇଛନ୍ତି। ଉତକ୍ଷିପ୍ତ ଗ୍ରାମବାସୀ ବିଭାଗୀୟ ଏସଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ତିନି ଘଣ୍ଟା ଚଲାଇଥିବା ଜଣାପଡିଛି। ଖୋର୍ଦ୍ଧା ଜଳସେଚନ ବିଭାଗର ଅପାରଗତା ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ବ୍ଲକରେ ଏଭଳି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଲେଣ୍ଡୁ ଗ୍ରାମ ପଞ୍ଚାୟତ ମଲାଗୁଣି ନଦୀରେ ଲଗାଣ ବର୍ଷା ଯୋଗୁଁ ଫୁଲିଉଠିଛି। ଫଳରେ ଏହାର ପାଣି ଭଗବତୀପଡା ଗାଁ ରାସ୍ତାରେ ପ୍ରବାହିତ ହେଉଛି। ଗୋଳବାଇ- କଣାସ ରାସ୍ତାକୁ ସଂଯୋଗ କରୁଥିବା ଭଗବତୀପଡା ରାସ୍ତା ହେଉଛି ଏକମାତ୍ର ରାସ୍ତା, ଯେଉଁଥିରେ ହଜାର ହଜାର ଲୋକ ଯାତାୟାତ କରନ୍ତି।

ପୂର୍ବରୁ ଜଳସେଚନ ବିଭାଗ ପକ୍ଷରୁ ନାଳ ସାଇଟରେ ସିମେଣ୍ଟ କଂକ୍ରିଟ ପାଚେରୀ କାମ ହେଉଥିବା ଯୋଗୁଁ ସେହି ରାସ୍ତା ଟିକୁ ସଂପୂର୍ଣ୍ଣ କଟାଯାଇଥିଲା। କିନ୍ତୁ ଏହାର ସ୍ଥାୟୀଭାବେ ମରାମତି ନକରାଯାଇ କେବଳ ମାଟି ପକାଇ ଛାଡି ଦିଆଯାଇଥିଲା। ଫଳରେ ଲଗାଣ ବର୍ଷା ଯୋଗୁଁ ଉକ୍ତ ରାସ୍ତାଟି କାଦୁଅ ଫିଟିଯାଇଥିଲା। ଲୋକଙ୍କୁ ଚାଲିକି ଯିବା ପାଇଁ ସଂମ୍ଭବ ହୋଇପାରୁନାହିଁ। ରାସ୍ତରେ ପାଣିକାଦୁଅ ପୂର୍ଣ୍ଣ ହୋଇରହିଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ରାସ୍ତା ମରାମତି ପାଇଁ ସ୍ଥାନୀୟ ଭଗବତୀପଡା ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ ବିଭାଗୀୟ ଅଧିକାରୀ ରଜ ପୂର୍ବରୁ ସାରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କାମ ସଂପୂର୍ଣ୍ଣ ହୋଇପାରିନଥିଲା।

ଲଗାଣ ବର୍ଷା ଯୋଗୁଁ ମଲାଗୁଣି ନଦୀ ପାଣି ରାସ୍ତା ଉପର ଦେଇ ଯାଉଥିବାରୁ ଆଜି ଜଳସେଚନ ବିଭାଗର ରାଜୁଆ ଡିଭିଜନର ଏସଡିଓ ଓ କନିଷ୍ଠ ଯନ୍ତ୍ରୀ ଉକ୍ତ ସ୍ଥାନକୁ ପରିଦର୍ଶନ ପାଇଁ ଆସିଥିଲେ। ସେହି ସମୟରେ ଭଗବତୀପଡା ଗ୍ରାମବାସୀ ରାସ୍ତା କାମ ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେମାନେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ। ଯାହାଦ୍ୱାରା ଗ୍ରାମବାସୀ ଉତ୍ୟକ୍ତ ହୋଇ ବିଭାଗୀୟ ଅଧିକାରୀଙ୍କୁ ସେହି କାଦୁଅ ପଚପଚ ରାସ୍ତାରେ ଚଲାଇଥିଲେ।

ଏଭଳି ପରିସ୍ଥିତିରେ ଗ୍ରାମବାସୀ ହଇରାଣ ହେଉଥିବାରୁ ଶୀଘ୍ର ରାସ୍ତା କାମ ସଂପୂର୍ଣ୍ଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ଏହି ରାସ୍ତା ପାଇଁ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ

କୁହୁଡି: ୨୦ ପେଟି ଆସ୍କା-୪୦ ଜବତ, ଦୁଇ ଗିରଫ

 

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା କୁହୁଡି ଫାଣ୍ଡି ଅନ୍ତର୍ଗତ ହାଟବରଡ଼ି ଅଞ୍ଚଳରୁ ପୋଲିସ ବହୁ ପରିମାଣର ଆସ୍କା ୪୦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି।

ସୂଚନା ମୁତାବକ ହାଟବରଡ଼ି ଅଞ୍ଚଳରେ ଦେଶୀ ମଦ ଚୋରାଚାଲାଣ ହେଉଥିବାର ସୂଚନା ପାଇ କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ହାଟବରଡ଼ି ପଞ୍ଚାୟତ ଅଫିସ ନିକଟରୁ ପୋଲିସ ୨୦ ପେଟି ଆସ୍କା ୪୦ ଏବଂ ଗୋଟେ ଡାଲା ଅଟୋ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଉକ୍ତ ଅଟୋଟି ଛୋଟରାୟପୁର ଗ୍ରାମରୁ ସୋରଣ ଅଭିମୁଖେ ଯାଉଥିବାର ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡିର ମିଶ୍ରଣ ପର୍ବ: ଟାଙ୍ଗୀ ଓ ଜଟଣୀର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଓ ଜଟଣୀ ନିର୍ବାଚନ ମଣ୍ଡଳୀର ବିଜେପି ଓ କଂଗ୍ରେସ ଦଳର ଶତାଧିକ କର୍ମକର୍ତ୍ତା ଓ କର୍ମୀ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ବହୁ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟ ସାମିଲ ଅଛନ୍ତି।

ଆଜି ମଧ୍ୟାହ୍ନରେ ବିଜେଡି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବ ବିଜେଡିର ବହୁ କର୍ମକର୍ତ୍ତା, ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ପୌରୋହିତ୍ୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ସମସ୍ତ କଂଗ୍ରେସ ଓ ବିଜେପି ନେତୃବୃନ୍ଦଙ୍କୁ ଦଳକୁ ସ୍ୱାଗତ କରିଥିଲେ।

ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ତଥା ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ସାଂଗଠନିକ ସମ୍ପାଦକ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ। ଏଥିରେ ବିଜେଡିର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ, ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ତଥା ବରିଷ୍ଠ ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟିକା ପ୍ରମିଳା ମଲ୍ଲିକ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ଓ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହା ଦ୍ୱାରା ଦଳ ଅଧିକ ସୁଦୃଢ ହେଲା ବୋଲି ମତପ୍ରକାଶ କରିଥିଲେ।

ମିଶ୍ରଣ ପର୍ବରେ ଟାଙ୍ଗୀ ବ୍ଲକର ଜନଜାଗରଣ ମହାମେଣ୍ଟ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଓ ନିରାକାରପୁର ପଞ୍ଚାୟତ ସମିତି ସଭ୍ୟ ବିପିନ୍ କୁମାର ଜୟସିଂହ, ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଶୁଭମ୍ ଦାସ, ରାମେଶ୍ୱର ସରପଞ୍ଚ ପ୍ରମୋଦ କୁମାର ତ୍ରିପାଠୀ, ବିଜେପିର ୯ନଂ ଜିଲ୍ଲା ପରିଷଦ ଜୋନ ସଭ୍ୟା ମମତା ଜେନା, ଡିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ମମତା ବେହେରା, ରାମେଶ୍ୱର ପଞ୍ଚାୟତ ସମିତି ସଭ୍ୟା ପ୍ରଭାସିନୀ ସ୍ୱାଇଁ, ଉଜ୍ଜଳା ଗୋପୀନାଥପୁର ଗ୍ରାମପଞ୍ଚାୟତ ସରପଞ୍ଚ ମାନକୁସି ସରକାର, ଉଜ୍ଜଳା ଗୋପୀନାଥପୁର ପଞ୍ଚାୟତ ସମିତି ସଭ୍ୟା ସୁପ୍ରିୟା ମାଦଳ, ସୁନ୍ଦରପୁର ଗ୍ରାମ ପଞ୍ଚାୟତ ସଭ୍ୟ ଯୁଧୀଷ୍ଠିର ସାହୁ, ଭୁଷଣ୍ଡପୁର ଗ୍ରାମ ପଞ୍ଚାୟତ ସଭ୍ୟ ରାଜକିଶୋର ନାୟକ, ପୂର୍ବତନ ସରପଞ୍ଚ ପ୍ରଭାକର ରାଉତରାୟ, ପୂର୍ବତନ ପଞ୍ଚାୟତ ସମିତି ସଭ୍ୟ ବିନୋଦ ବିଶ୍ୱାଳ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରଘୁନାଥ ମାଝୀ, ରୀନା ସାମଲ, ପାରୀଓରଡ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ପ୍ରଧାନ, ସରପାରି ପଞ୍ଚାୟତ ସମିତି ସଭ୍ୟ ପ୍ରଶାନ୍ତ ଦାସ, କାଶୀପୁର କୋ-ଅପରେଟିଭ୍ ସୋସାଇଟି ସଭାପତି ଲକ୍ଷ୍ମଣ ନାୟକ, ରାମେଶ୍ୱର କୋ-ଅପରେଟିଭ୍ ସୋସାଇଟି ସଭାପତି ସୁଧାଂଶୁ ଶେଖର ତ୍ରିପାଠୀ, ବସନ୍ତ କୁମାର ରାଉତରାୟ, ପ୍ରଭାସ ଚନ୍ଦ୍ର ମଣ୍ଡଳ, ରାମେଶ୍ୱର ୱାର୍ଡ ସଭ୍ୟ ଜବର ଖାନ, ରାମେଶ୍ୱର ନାଏବ ସରପଞ୍ଚ ଗୀତାଞ୍ଜଳି ଛୋଟରାୟ, ବିଜେପି ୯ନଂ ଜୋନ୍‌ର ମଣ୍ଡଳ ସମ୍ପାଦକ ବିଜୟ ରାଉତରାୟ, ସସ୍ମିତା ବେହେରା, ସରପାରି ଗ୍ରାମ ପଞ୍ଚାୟତର ସରପଞ୍ଚ ଧନେଶ୍ୱର ବେହେରା ଓ ପ୍ରଫୁଲ୍ଲ ସାହୁଙ୍କ ସମେତ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିଲେ।

ସେହିପରି ଜଟଣୀ ନିର୍ବାଚନ ମଣ୍ଡଳୀର ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ତଥା ପୂର୍ବତନ ସମିତି ସଭ୍ୟ ସରୋଜ କୁମାର ନାୟକ, ଛତାବର ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ମୋହିନି ନାୟକ, କଂଗ୍ରେସର ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ ବେହେରା, କଂଗ୍ରେସ ୱାର୍ଡ଼ ସଭ୍ୟ ଭାଗିରଥୀ ବେହେରା, ଅପର୍ତ୍ତୀ ସାହୁ, କଂଗ୍ରେସ ଦଳିତ ମହାସଂଘ ସଭାପତି ରଘୁନାଥ ନାୟକ, ପୂର୍ବତନ ୱାର୍ଡ଼ ସଭ୍ୟ ପିଙ୍କୁ ବେହେରା, କଂଗ୍ରେସର ପୂର୍ବତନ ୱାର୍ଡ଼ ସଭ୍ୟ ଭଗବାନ ନାୟକ, ପୁଷ୍ପଲତା ଜେନା, ଗୋବର୍ଦ୍ଧନ ମୁଦୁଲି, ଜ୍ୟୋତ୍ସ୍ନାରାଣୀ ସାହୁ, କଂଗ୍ରେସ ଯୁବ ନେତା ପବିତ୍ର ଲେଙ୍କା, ମଦନପୁର ସମିତି ସଭ୍ୟା ଗୌରୀ ଦେହୁରୀ, କଂଗ୍ରେସ ୱାର୍ଡ଼ ସଭ୍ୟ ରାଧୁ ନାୟକ ଓ କେଦାର ଲେଙ୍କାଙ୍କ ସମେତ ଶତାଧିକ କର୍ମୀ କଂଗ୍ରେସ ଓ ବିଜେପି ଦଳରୁ ଇସ୍ତଫା ଦେଇ ଆଜି ବିଜେଡ଼ିରେ ଯୋଗ ଦେଇଥିଲେ। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ରାଜ୍ୟ ସମ୍ପାଦକ ଅମରେଶ ଜେନା ଓ ଖୋର୍ଦ୍ଧା ନଗର ବିଜେଡି ସଭାପତି ମହମ୍ମଦ ଆରିଫଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର

ଟାଙ୍ଗୀ: ନକଲି ପୋଲିସ ଅଧିକାରୀକୁ ଗିରଫ କଲା କୁହୁଡି ଫାଣ୍ଡି ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଗାଡ଼ି ଚାଳକ ମାନଙ୍କଠାରୁ ଦାଦାବଟି ଆଦାୟ କରି ଜଣେ ନକଲି ପୋଲିସ ଗିରଫ ହୋଇଛନ୍ତି। ଟାଙ୍ଗୀ ଥାନା କୁହୁଡି ଫାଣ୍ଡି ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଯାଇଛି।

ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତଙ୍କ ସୂଚନା ମୁତାବକ ଆଜି ସଂନ୍ଧ୍ୟାରେ ୧୬ ନମ୍ବର ଜାତୀୟ ରାଜପଥ କୟଥପଲା ଛକ ନିକଟରେ ଜଣେ ଯୁବକ ନିଜକୁ ପୋଲିସ ଇନ୍ସପେକ୍ଟର ପରିଚୟ ଦେଇ ବିଭିନ୍ନ ଅଟୋ ଏବଂ ଗାଡ଼ି ଚାଳକଙ୍କୁ ଅଟକାଇ ୫୦୦ ଟଙ୍କା ଲେଖାଏଁ ଦାଦାବଟି ଆଦାୟ କରୁଥିଲେ। ସେଥିରୁ ଜଣେ ଗାଡ଼ିଚାଳକଙ୍କର ସନ୍ଦେହ ହେବାରୁ ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ସମ୍ବନ୍ଧୀୟ ଏକାଧିକ ପ୍ରଶ୍ନ ପଚାରିଥିଲେ। କିନ୍ତୁ ସମ୍ପୃକ୍ତ ଯୁବକଜଣଙ୍କ ଉତ୍ତର ଦେବାକୁ ବିଫଳ ହେବାରୁ ସ୍ଥାନୀୟ ଜନସାଧାରଣ ମାନେ ତାଙ୍କୁ ଅଟକ ରଖି ତୁରନ୍ତ କୁହୁଡି ଫାଣ୍ଡି ଅଧିକାରୀଙ୍କୁ ଜଣାଇଥିଲେ।

ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଁଚି ତଦନ୍ତ କରିବାରୁ ଯୁବକ ଜଣକ ନକଲି ପୋଲିସ ଅଧିକାରୀ ବୋଲି ଜାଣିପାରିଥିଲେ। ଯୁବକଙ୍କ ନାମ ସନ୍ତୋଷ ବିଶ୍ୱାଳ(୩୫) ଏବଂ ତାଙ୍କ ଘର ଗଞ୍ଜାମ ଜିଲ୍ଲା ଶେରଗଡ ଅଞ୍ଚଳରେ। ନିକଟରେ ସେ ଏକ ଅପରାଧିକ ମାମଲାରେ ଜଡିତ ଥାଇ ଶେରଗଡ଼ ଜେଲ ଯାଇ ଜାମିନ ରେ ଆସିଥିବାର ଫାଣ୍ଡି ଅଧିକାରୀ କହିଛନ୍ତି।

ଏ ନେଇ ସ୍ଥାନୀୟ ଜନସାଧାରଣ ଏକ ଲିଖିତ ଅଭିଯୋଗ ଦେବାରୁ ଟାଙ୍ଗୀ ଥାନାରେ କେସ ନମ୍ବର ୨୪୯/୨୧ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ରାଉତ ସୂଚନା ଦେଇଛନ୍ତ।

Categories
ଆଞ୍ଚଳିକ

ବାଣପୁର, ବାଲୁଗାଁ ଓ ଟାଙ୍ଗୀରେ ପାଳନ ହେଲା ୭୨ତମ ବନ ମହୋତ୍ସବ

ସୀତାରାମ ଅଗ୍ରୱାଲ

ଚିଲିକା/ଟାଙ୍ଗୀ : ଓଡିଶା ସରକାରଙ୍କ ବନବିଭାଗ ଦ୍ୱାରା ସାରା ରାଜ୍ୟରେ ଜୁଲାଇ ପ୍ରଥମ ସପ୍ତାହକୁ ବନ ମହୋତ୍ସବ ରୂପେ ପାଳନ କରାଯାଉଛି। ତେବେ ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା କୋଭିଡ଼ କଟକଣା ଅନୁଯାୟୀ ପାଳନ କରାଯାଇଛି ୭୨ତମ ବନ ମହୋତ୍ସବ।

ଏହି ପରିପ୍ରେକ୍ଷୀରେ ଗତକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଅଗ୍ନିଶମ ସେବା କେନ୍ଦ୍ର ଏବଂ ଆଜି ବାଲୁଗାଁ ଅଗ୍ନିଶମ ସେବା କେନ୍ଦ୍ର, ନାରାୟଣୀ ବିଦ୍ୟାପୀଠ, ଅରାଙ୍ଗ ଓ ବିଷ୍ଣୁଡିହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇ ପାଳନ କରାଯାଇଛି ୭୨ତମ ବନ ମହୋତ୍ସବ।

ଟାଙ୍ଗୀ ଅଗ୍ନିଶମ କେନ୍ଦ୍ରରେ ଅଗ୍ନିଶମ ଅଧିକାରୀ ଅବିନାଶ ପୃଷ୍ଟି ଏବଂ ଟାଙ୍ଗୀ ବନବିଭାଗ କର୍ମଚାରୀଙ୍କ ସହଯୋଗରେ ଉକ୍ତ ମହୋତ୍ସବ ପାଳନ କରାଯାଇଥିବା ବେଳେ ବାଲୁଗାଁ ଅଗ୍ନିଶମ କେନ୍ଦ୍ରରେ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନା, ବାଲୁଗାଁ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ବନପାଳ ଅଜୟ କୁମାର ମହାରଣା, ବନରକ୍ଷୀ ସ୍ବର୍ଣ୍ଣପ୍ରଭା ମହାପାତ୍ର ଏବଂ ଅନ୍ୟାନ୍ୟ ଅଗ୍ନିଶମ କର୍ମଚାରୀଙ୍କ ସହଯୋଗରେ ପାଳିତ ହୋଇଛି ଉକ୍ତ ମହୋତ୍ସବ।

ସେହିପରି ଭାବେ ନାରାୟଣୀ ବିଦ୍ୟାପୀଠ, ଅରାଙ୍ଗ ଏବଂ ବିଷ୍ଣୁଡିହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି, ବାଲୁଗାଁ ବନପାଳ ପ୍ରଦୀପ୍ତ କୁମାର ମହାନ୍ତି, ବରବରା ବନପାଳ ଅକ୍ଷୟ କୁମାର ନାୟକ, ବାଲୁଗାଁ ବନରକ୍ଷୀ ତ୍ରିଲୋଚନ ବେହେରା, ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତ ସରପଞ୍ଚ, ବିଷ୍ଣୁଡିହ ଗ୍ରାମ ପଞ୍ଚାୟତ ସରପଞ୍ଚ ଏବଂ ଉଭୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ୭୨ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲି ବୋଝେଇ ହାଇୱା ଓଲଟି ଖଲାସିଙ୍କ ପ୍ରାଣହାନି: ଟାଙ୍ଗୀ ଗାଡି ମାଲିକଙ୍କ ଘର ସାମ୍ନାରେ ଉତ୍ତେଜନା

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ବାଲି ବୋଝେଇ ହାଇୱା ଓଲଟି ଜଣେ ଖଲାସୀଙ୍କ ପ୍ରାଣହାନି ଘଟିଛି। କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ ମୃତ ଦେହକୁ ନେଇ ହାଇୱା ମାଲିକଙ୍କ ଘର ସାମ୍ନାରେ ପ୍ରତିବାଦ କରିଛନ୍ତି। ଶତାଧିକ ଲୋକ ଗାଡି ମାଲିକଙ୍କ ଘର ସାମ୍ନାରେ ପ୍ରତିବାଦ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ବଡପାରୀ ଗ୍ରାମର ରାମକୃଷ୍ଣ ବେହେରା ହାଇୱା ଗାଡିରେ ଖଲାସି କାମ କରୁଥିଲେ। ଗାଡି ମାଲିକ ପ୍ରକାଶ ବେହେରାଙ୍କ ହାଇୱାରେ ସେ ଖଲାସି କାମ କରୁଥିଲେ। ସବୁ ଦିନ ଭଳି ରାମକ୍ରୁଷ୍ଟ ହାଇୱା ଗାଡିରେ ଖଲାସୀ କାମ କରିବା ପାଇଁ ବାହାରି ଯାଇଥିଲେ। ହାଇୱା ବାଲି ବୋଝେଇ କରି ଟାଙ୍ଗୀ ଫେରୁଥିଵା ବେଳେ ସିକୋ ଫାଣ୍ଡି ନିକଟ ମାଣିକ ପାଟଣା ଠାରେ ରାସ୍ତା ଖରାପ ଥିଵାରୁ  ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା।

ଫଳରେ ଖଲାସୀ ରାମ କୃଷ୍ଣ ହାଇୱା ତଳେ ଚାପି ହୋଇ ରହିଯାଇଥିଲେ । ସ୍ଥାନୀୟ ପୋଲିସ୍ ସହ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିଲେ। ମାତ୍ର ଘଟଣା ସ୍ଥଳରେ ହିଁ  ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୋଲିସ୍  ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ହୋଇ ଶବ ଗ୍ରାମକୁ ଫେରିବା ପରେ ଗ୍ରାମବାସୀ ମୃତକଙ୍କ ସମ୍ପର୍କୀୟଙ୍କୁ ସହାୟତା ଦାବିରେ ମାଲିକଙ୍କୁ ଗୁହାରୀ କରିଥିଲେ।

ହେଲେ ମାଲିକ କୌଣସି ସହାୟତା ନଦେଵାରୁ ସ୍ଥାନୀୟ ବଡପାରୀ ଗ୍ରାମର ଗ୍ରାମଵାସୀ ଶବକୁ ଧରି ଟାଙ୍ଗୀର ହାଇୱା ମାଲିକ   ପ୍ରକାଶ ବେହେରାଙ୍କ ଘର ସମ୍ମୁଖରେ କ୍ଷତିପୂରଣ ଦାବିରେ ଧାରଣା ଦେଇଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି। ମୃତ ଖଲାସି  ରାମକୃଷ୍ଣଙ୍କ ୩ ଭଉଣୀରେ ଗୋଟିଏ ଭାଇ ଓ ତାଙ୍କର ବୟସ ମାତ୍ର ୨୨ ବର୍ଷ। ସେ ପରିବାରର ଏକ ମାତ୍ର ରୋଜଗାରକ୍ଷମ କ୍ଷମ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଖେଳୁଥିବା ବେଳେ କୂଅରେ ବୁଡି ୬ ବର୍ଷର ଶିଶୁ କନ୍ୟା ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କୂଅରେ ବୁଡି ଜଣେ ୬ ବର୍ଷ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗଳାଯୋଡିର କାରଟିଆ ସାହିର ଶିଶୁ କନ୍ୟାଟି କୂଅରେ ବୁଡି ମୃତ୍ୟୁବରଣ କରିଛି। ମା’ ରୋଷେଇ କରୁଥିବା ବେଳେ ଶିଶୁ କନ୍ୟା ଜଣଙ୍କ ବାଡି ପଛପଟକୁ ଖେଳିବା ପାଇଁ ଚାଲିଯାଇଥିଲା। ସେଠାରେ ଖେଳୁଥିବା ସମୟରେ ନିକଟରେ ଥିବା କୂଅ ଭିତରକୁ ଝିଅଟି ଗଳି ପଡିଥିଲା।

ହେଲେ ଝିଅ ବର୍ଷାକୁ ପରିବାର ଲୋକ ନପାଇବାରୁ ବହୁତ ଖୋଜା ଖୋଜି କରିଥିଲେ। କିଛି ସମୟ ପରେ ବର୍ଷାକୁ କୂଅ ଭିତରେ ଭାସୁଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ। ଝିଅକୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ପରିବାରର ଏକ ମାତ୍ର ଝିଅକୁ ହରାଇ ବାପା ମା ଦୁଃଖରେ ଭାଙ୍ଗି ପଡିଛନ୍ତି।

ଟାଙ୍ଗୀ ଆଇଆଇସି ବିଜୟ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ କେସ ନମ୍ବର ୮/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗୋରୁମାଫିଆଙ୍କ ଅମାନବୀୟ କାର୍ଯ୍ୟ: ଟାଙ୍ଗୀ ଚାନ୍ଦପୁର ରାସ୍ତା କଡରେ ଫିଙ୍ଗି ଦେଇ ଚାଲିଗଲେ ୧୦ ମୃତ ଗୋରୁ

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ବେଳକୁ ବେଳ ଗୋରୁମାଫିଆଙ୍କ ପାଦୁର୍ଭାବ ବଢିଚାଲିଛି। ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅଞ୍ଚଳରୁ ଶହ ଶହ ଗୋରୁଙ୍କୁ ବେଆଇନ ଚାଲାଣ କରି ରାଜ୍ୟ ବାହାରକୁ ନିଆଯାଉଥିବା ଅଭିଯୋଗ ହେଉଛି। ପୋଲିସର କାର୍ଯ୍ୟାନୁଷ୍ଠାନ ହେଉଥିଲେ ମଧ୍ୟ ସେମାନଙ୍କର ବେଆଇନ କାରବାର କମିବାର କାହିଁ ଦେଖାଯାଉନି। ଗୋରୁଙ୍କୁ ଦୟନୀୟ ଭାବେ ଧାନ ବସ୍ତା ଲଦି ନେଲା ଭଳି ମାଫିଆମାନେ ଗାଡିରେ ଭର୍ତ୍ତି କରି ନେଉଛନ୍ତି। ଏଭଳି ପରିସ୍ଥିତିରେ ଅନେକ ଜୀବିତ ଗୋରୁ ଶ୍ଵାସ ରୁଦ୍ଧ ହୋଇ କିମ୍ବା ଖାଦ୍ୟ ଅଭାବ ଯୋଗୁଁ ଗାଡି ଭିତରେ ମୃତ୍ୟୁବରଣ କରୁଛନ୍ତି।

ଗତ ୧୩ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ ଏକ ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିବା ପରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ସେହି କଣ୍ଟେନରରେ ମୋଟ ୬୯ ଟି ଗାଈ ଦୟନୀୟ ଭାବେ ବନ୍ଧା ହୋଇଥିବା ବେଳେ ତନ୍ମଧ୍ୟରୁ ୧୬ ଟି ଗାଈ ମୃତ୍ୟୁବରଣ କରିଥିଲେ। ଟାଙ୍ଗୀ ପୋଲିସ ସମସ୍ତ ମୃତ ଗାଈଙ୍କୁ ଉଦ୍ଧାର କରି ସଂସ୍କାର କରିଥିଲା।

ତେବେ ଗତକାଲି ରାତିରେ କୌଣସି ଗୋରୁମାଫିଆ ପାଖାପାଖି ୧୦ ଟି ମୃତ ଗାଈଙ୍କୁ ଟାଙ୍ଗୀ ଏବଂ ଚାନ୍ଦପୁର ରାସ୍ତା କଡରେ ଫୋପାଡି ଦେଇ ଚାଲିଥିବା ସନ୍ଦେହ କରିଯାଉଛି। ଗୋରୁମାଫିଆମାନେ ଗୋରୁ ଚାଲାଣ ବେଳେ ୧୦ ଟି ଗାଈ ମୃତ୍ୟୁ ହେବା ଯୋଗୁଁ ଟାଙ୍ଗୀ ପଥରବନ୍ଧ ରାସ୍ତା ଓ ନୟାଗଡ ଜିଲ୍ଲା ଓସ୍ତାପଡା ରାସ୍ତା ପାର୍ଶ୍ଵରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି।

ଟାଙ୍ଗୀ ଓ ଚାନ୍ଦପୁର ପୋଲିସ୍ ବାରମ୍ବାର ଗୋରୁ ଗାଡି ଜଵତ କରି ମାଫିଆ ମାନଙ୍କୁ ବାନ୍ଧୁଥିବା ବେଳେ ଏବେ ବି କେତେକ ମାଫିଆ ସକ୍ରିୟ ଅଛନ୍ତି। ତେଣୁ ଗୋରୁ ଚାଲାଣ ଉପରେ ପୋଲିସ୍ ଆହୁରି କଡା ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜୁଆ ଆଡ୍ଡା ଉପରେ ଚଢାଉ କରି ୫ ଜଣଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ      

ଟାଙ୍ଗୀ: ରାଜ୍ୟରେ କରୋନା ସଂକ୍ରମଣ ଯୋଗୁଁ ଏବେ ଲକ୍ ଡାଉନ୍ ସଟ୍ ଡାଉନ୍ କଟକଣା ଜାରି ରହିଛି। ଏହାର ସୁଯୋଗ ନେଇ କିଛି ଜୁଆଡି ଜୁଆ ଖେଳରେ ମାତିଯାଇଛନ୍ତି। ଏହି ସମୟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସେହି ଗ୍ରାମରେ କିଛି ଅମାନିଆ ଜୁଆ ଆଡ୍ଡା ଚଳାଇଥିଵା  ଖବର ପାଇଥିଲା ପୋଲିସ୍। ଟାଙ୍ଗୀ  ଆଇଆଇସି ବିଜୟ କୁମାର ମଲ୍ଲିକ ଓ ତାଙ୍କ ଟିମ୍ ଏନେଇ ତଦନ୍ତ ଆରମ୍ଭ କରିଦେଇଥିଲେ।

ତଦନ୍ତ ସମୟରେ ଉକ୍ତ ଗ୍ରାମର ଏକ କୋଠା ଘରେ ଜୁଆ ଖେଳ ଚାଲିଥିବାର ଦେଖିବାକୁ ପାଇଥିଲେ। ସେଠାରେ ତୁରନ୍ତ ଚଢାଉ କରି ଜୁଆଡିମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ସମ୍ପୃକ୍ତ ଅଞ୍ଚଳରୁ ୫ ଜୁଆଡିଙ୍କୁ ଗିରଫ କରିବା ସହ ୧୬୮୦୦ ଟଙ୍କା ଏବଂ ୪ ଟି ମୋବାଇଲ୍ ପୋଲିସ ଜବତ କରିଥିଲା। ଓପିଜି ନିୟମ ଅନୁଯାୟୀ କେସ ନମ୍ବର ୧୮୪/୨୧ ରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଟାଙ୍ଗୀ ଥାନା ପୋଲିସ୍ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Categories
ଆଞ୍ଚଳିକ

ସୋରଣ ଚିଲିକାକୁଳ ମାଛପେଣ୍ଠରେ ପୋଲିସ ଓ ତହସିଲର ମିଳିତ ଚଢ଼ାଉ

ସୀତାରାମ ଅଗ୍ରୱାଲ

ଚିଲିକା:

ଖୋର୍ଦ୍ଧା ଜିଲ୍ଲାର ଚିଲିକା, ଟାଙ୍ଗୀ ଓ ବାଣପୁର ଅଞ୍ଚଳରେ ଏବେ କରୋନା ସଂକ୍ରମଣ ସାମାନ୍ୟ ହେବାରେ ଲାଗିଛି। କିନ୍ତୁ ସେଠାରେ ଏଯାଏଁ କରୋନା ବିପଦ ଟଳି ନାହିଁ। ନିୟମକୁ ଅଣଦେଖା କଲେ ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବା ଆଶଙ୍କା ରହିଛି। ସଂକ୍ରମଣକୁ ରୋକିବା ଦିଗରେ ସ୍ଥାନୀୟ ପ୍ରଶାସନ, ପୋଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି।

ଚିଲିକା କୁଳ ନିକଟରେ ଥିବା ମାଛ ଆମଦାନୀ ପେଣ୍ଟସ୍ଥଳୀ ସୋରଣରେ କୋଭିଡ଼ ଗାଇଡ଼ଲାଇନକୁ ନମାନି ଦୋକାନୀ ଏବଂ ଗ୍ରାହକମାନେ ମାଛ କିଣା ବିକା କରୁଥିବା ଦେଖିବାକୁ ମିଳୁଛି। ଏଥିପାଇଁ ଆଜି ଅଚାନକ ଚିଲିକା ତହସିଲଦାର ପୁନମ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଜରିପଡା ଆରଆଇ ଜ୍ୟୋତିରଞ୍ଜନ ରଥ ଓ କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତଙ୍କ ମିଳିତ ସହଯୋଗରେ ତହସିଲ ଓ ପୋଲିସର ଏନଫୋର୍ଶମେଣ୍ଟ ଟିମ ସୋରଣ ପେଣ୍ଠରେ ଚଢ଼ାଉ କରି ମାଛ ଦୋକାନୀ ଓ ଅମାନିଆ ଲୋକଙ୍କଠାରୁ ୫ହଜାର ୫ଶହ ଟଙ୍କା ଫାଇନ ଆଦାୟ କରିବା ସହ ସାମାଜିକ ଦୂରତ୍ୱ ଓ ମୁହଁରେ ମାସ୍କ ପରିଧାନ କରିବାକୁ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ।

ଆଗାମୀ ଦିନରେ ଯଦି ଏଠାରେ ଏଭଳି ସ୍ଥିତି ଉପୁଜେ ତେବେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସୋସିଆଲ ମିଡିଆରେ ଯୁବତୀଙ୍କ ଅଶ୍ଳୀଳ ଫୋଟୋ ଭାଇରଲ: ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ସୋସିଆଲ ମିଡିଆରେ ଯୁବତୀଙ୍କ ଅଶ୍ଳୀଳ ଫୋଟୋ ଭାଇରାଲ କରିବା ମହଙ୍ଗା ପଡିଛି। ଏହି ମାମଲାରେ ଦୁଇ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି।  ଏ ନେଇ ଆଜି ମଧ୍ୟାହ୍ନରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଟାଙ୍ଗୀ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି।

ଏସଡ଼ିପିଓ ଙ୍କ ସୂଚନା ମୁତାବକ ଗତ ମଇ ୨୯ ତାରିଖରେ ଟାଙ୍ଗୀ ଥାନାରେ ପୀଡିତାଙ୍କ ମା’ ତାଙ୍କ ଝିଅର ଅଶ୍ଳୀଳ ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବାର ଲିଖିତ ଅଭିଯୋଗ କରିଥିଲେ। ଟାଙ୍ଗୀ ପୋଲିସ ସଙ୍ଗେସଙ୍ଗେ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ନିୟମ ଅନୁଯାୟୀ ଧାରା ୬୬(ସି), ୬୬(ଇ), ୬୭ ରେ ୧୬୮/୨୧ ରେ ଏକ ମାମଲା ରୁଜୁ କରିଥିଲା। ଏହି ଘଟଣାକୁ ଖୋର୍ଦ୍ଧା ଏସପି ଗୁରୁତର ସହକାରେ ନେଇ ଦୁଇଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ଜାଗାରେ ଚଢ଼ାଉ ଜାରିରହିଥିଲା।

ତେବେ ଗତକାଲି ପୋଲିସ ଉକ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳର ଶକ୍ତି ପ୍ରସାଦ ପାତ୍ର ଏବଂ ସହଯୋଗୀ ଯୁବକ ହେଲେ କାହ୍ନା ସ୍ୱାଇଁ। ଉଭୟଙ୍କୁ ଆଜି ଟାଙ୍ଗୀ ପୋଲିସ କୋର୍ଟ ଚାଲାଣ କରିଛି। ତତସହିତ ଉକ୍ତ କେସରେ ଆଉ କେଉଁ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ସନ୍ଧାନ ଜାରିରହିଛି ବୋଲି ସୂଚନା ଦେଇଛନ୍ତି ଏସଡ଼ିପିଓ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଟାଙ୍ଗୀ: ଆଜି ୧୭୪ ଜଣ ଅନ୍ତେବାସୀ ଜରାଶ୍ରମରେ ନେଲେ କୋଭିଡ଼ ଟୀକା, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କରୋନାକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଟୀକା କରଣ ପ୍ରକ୍ରିୟା ଜାରି ରହିଛି। ବରିଷ୍ଠ ନାଗରିକ ମାନଙ୍କୁ ସରକାରୀ ଚିକିତ୍ସାଳୟରେ କୋଭିଡ୍ ଟୀକା ଦିଆ ଯାଉଛି। ବରିଷ୍ଠ ଲୋକମାନଙ୍କୁ ଟୀକା ଦେବା ପାଇଁ ତାଙ୍କର ସଂପର୍କୀୟ ମାନେ ଟୀକା କେନ୍ଦ୍ରକୁ ନେଉଥିବା ବେଳେ ଜରାଶ୍ରମରେ ରହୁଥିଵା ବୃଦ୍ଧ ବୃଦ୍ଧାଙ୍କ ପକ୍ଷରେ ଏହା ସମ୍ଭବ ହୋଇପାରୁନାହିଁ। ସମ୍ପର୍କୀୟଙ୍କ ଅଲୋଡା ହୋଇ ଜରଶ୍ରମରେ ରହୁଥିବା ଏହି ବରିଷ୍ଠ ନାଗରିକଙ୍କ ପାଇଁ କରୋନା ମୁଖ୍ୟ ସମସ୍ୟା ହୋଇ ଛିଡା ହୋଇଛି। ସେଥିପାଇଁ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ଜରାଶ୍ରମକୁ ଯାଇ ଅନ୍ତେବାସୀଙ୍କୁ ଟୀକା ଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏହି ପ୍ରରିପେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ମଙ୍ଗଳା ଯୋଡି, ନିରାକାରପୁର ଓ ଟାଙ୍ଗୀରେ ଥିବା ଜରାଶ୍ରମରେ ଅନ୍ତେବାସୀଙ୍କୁ ଟୀକା ଦିଆଯାଇଛି। ଆଜି ମୋଟ ୧୭୪ ଜଣ ଅନ୍ତେବାସୀ ଟୀକାକରଣରେ ସାମିଲ ହୋଇ ଉପକୃତ ହୋଇଛନ୍ତି। ଟୀକା ନେବା ପରେ ସମସ୍ତ ଅନ୍ତେବାସୀ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସଟଡାଉନ ରାତିରେ ଲୁଟେରା ହେଲେ ସକ୍ରିୟ: ଟାଙ୍ଗୀରେ ଏଟିଏମ ମେସିନ୍ ଭାଙ୍ଗି ଟଙ୍କା ଲୁଟିବାକୁ କଲେ ଉଦ୍ୟମ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଗତକାଲି ସଟଡାଉନ ରାତିରେ ଲୁଟେରାମାନେ ସକ୍ରିୟ ହୋଇଥିବା ଦେଖାଯାଇଛି। ଏଟିଏମ ମେସିନ୍ ଭାଙ୍ଗି ଟଙ୍କା ଲୁଟିନେବାକୁ ଲୁଟେରା ଉଦ୍ୟମ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡାଘାଟ ଗଣେଶ ବଜାରରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ସଟ୍ ଡାଉନ ଯୋଗୁଁ ଲୋକେ ଘରେ ରହିଥିବା ବେଳେ ବଜାର ଘାଟ ଶୁନ୍ ଶାନ୍ ଥିଲା। ଏହାର ସୁଯୋଗ ନେଇ ଗତକାଲି ବିଳମ୍ବିତ ରାତିରେ କାନାଡା ବ୍ୟାଙ୍କ୍ ର ଏଟିଏମ ମେସିନ୍ କୁ ଲୁଟେରା ମାନେ ଭାଙ୍ଗି ଦେଇଥିଲେ। ହେଲେ ମେସିନ୍ ରୁ ଟଙ୍କା ନେବାରେ ସେମାନେ ବିଫଳ ହୋଇଥିଲେ।

ସକାଳୁ ସକାଳୁ ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ଉକ୍ତ ଏଟିଏମରୁ ଟଙ୍କା ଉଠାଇବାକୁ ଯିବା ସମୟରେ ଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ।

ତେବେ ସି ସି ଟିଭି ଫୁଟେଜ୍ ରୁ ଏହି ଘଟଣାରେ ସମ୍ପୃକ୍ତ ଥିବା ଲୁଟେରାମାନଙ୍କ ପରିଚୟ ମିଳିପାରିବ ବୋଲି କୁହାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ମଦ ବେପାରକୁ ବିରୋଧ କରିବାରୁ ୱାର୍ଡ ସଭ୍ୟାଙ୍କ ସ୍ୱାମୀଙ୍କୁ ପେଟ୍ରୋଲ ଢାଳି ମାରିବାକୁ ଉଦ୍ୟମ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଗାଁରେ ମଦ ବେପାରକୁ ବିରୋଧ କରିବା ମହଙ୍ଗା ପଡିଛି। ଏହି ଘଟଣାରେ ୱାର୍ଡ ସଭ୍ୟାଙ୍କ ସ୍ୱାମୀଙ୍କୁ ପେଟ୍ରୋଲ ପକାଇ ପୋଡି ମାରି ଦେବା ଉଦ୍ୟମ ହୋଇଛି। ଗୁରୁତର ଅବସ୍ଥାରେ  ୱାର୍ଡ ସଭ୍ୟାଙ୍କ ସ୍ୱାମୀଙ୍କୁ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପଞ୍ଚାଯତ ପଥରବନ୍ଧ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁତର ବ୍ୟକ୍ତିଙ୍କ ନାମ ରମେଶ ଚନ୍ଦ୍ର ବେହେରା (୪୫)।

ସୂଚନା ଅନୁଯାୟୀ, ଗତ କାଲି ରାତିରେ ରମେଶ ଓ ତାଙ୍କର ଜଣେ ବନ୍ଧୁ ପଥର ବନ୍ଧ ଗ୍ରାମରେ ଥିବା ଜଳ ଯୋଗାଣ କଣ୍ଟ୍ରୋଲ ରୁମ୍ ରେ ଶୋଇଥିଲେ। ଶୋଇଥିବା ଅବସ୍ଥାରେ କବାଟ ବାହାରୁ ପେଟ୍ରୋଲ ଢାଳି ମଦ ବେପାରୀ ସେମାନଙ୍କୁ ଜୀବନରେ ମାରି ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ରମେଶଙ୍କର ଗୋଡ ହାତ ପୋଡି ଯାଇଥିବା ବେଳେ ଟାଙ୍ଗୀ ପୋଲିସ୍ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ଆରମ୍ଭ କରିଦେଇଛି।

ଅଭିଯୁକ୍ତ ଜଣଙ୍କ ପଥର ବନ୍ଧ ଗ୍ରାମରେ ବୋଲି ଜଣା ପଡିଛି। ହେଲେ ଅଭିଯୁକ୍ତ ମଦ ବେପାରିଜଣଙ୍କ ଗାଁ ନିକଟରେ ଏକ ଦୋକାନ କରି ବେଆଇନ ମଦ ଗଂଜେଇ ବେପାର କରି ଆସୁଥିବା ବେଳେ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଟାନ ନେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Categories
ଆଞ୍ଚଳିକ

ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଶାକାହାରୀ ଭୋଜନ ଓ ସବୁଜ ପରିବେଶ ଶୀର୍ଷକ କର୍ମଶାଳା ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଓ ସେଣ୍ଟର ଫର୍ ଏନଭର୍ନମେଣ୍ଟାଲ ଷ୍ଟଡିଜ୍, ଭୁବନେଶ୍ୱର ପକ୍ଷରୁ ଟାଙ୍ଗୀ ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ସୁସ୍ଥ ଶାକାହାରୀ ଭୋଜନ ଓ ସବୁଜ ପରିବେଶ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଏହି କର୍ମଶାଳାରେ ଟାଙ୍ଗୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ‍ାରୀ ଡା ଜିତେନ୍ଦ୍ର କୁମାର ସାହୁ, ପରିବେଶ ବୈଜ୍ଞାନିକ ଡା ପ୍ରଦୀପ କୁମାର ନାୟକ, ପରିବେଶବିତ୍ ସନ୍ତୋଶ କର, ସାମ୍ବାଦିକ ସଂଘର ସଭାପତି ପଦ୍ମନାଭ ବିଶ୍ୱାଳ, ସଂପାଦକ ମନୋଜ କୁମାର ପଟ୍ଟନାୟକ, ପ୍ରଵକ୍ତା ସରୋଜ କୁମାର ପାଇକରାୟ, ଉପଦେଷ୍ଟା ପ୍ରଦୋସ କୁମାର ଦାସ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇଥିଲେ।

ଦିନକୁ ଦିନ ପରିବେଶ ବିଗିଡି ଯାଉଥିବାରୁ ପରିବେଶକୁ ସୁସ୍ଥ ଓ ସ୍ବଚ୍ଛ ରଖିବା ନିହାତି ଜରୁରୀ ହୋଇ ପଡିଛି।  କେତେବେଳେ ଅଦିନିଆ ବର୍ଷା ତ କେତେବେଳେ ହିମସ୍ପଳନ ଘଟି ମନୁଷ୍ୟ ସମାଜର ବ୍ୟାପକ କ୍ଷୟକ୍ଷତି ଘଟୁଛି। ତେଣୁ ପରିବେଶକୁ ସୁସ୍ଥ ରଖିବାକୁ ହେଲେ ମନୁଷ୍ୟ ସମାଜକୁ ସୁସ୍ଥ ଆହାର ଭୋଜନ କରିବା ସହ ପରିବେଶକୁ ସବୁଜ ସୁନ୍ଦର ରଖିଵାକୁ ପଡିବ।

ତେଣୁ ଏସବୁ ଆବଶ୍ୟକତାକୁ ହ୍ରୁଦୟଙ୍ଗମ କରି କର୍ମଶାଳାରେ ପରିଵେଶକୁ ସୁରକ୍ଷା କରିଵା ପାଇଁ ଶପଥ ପାଠ କରାଯାଇଥିଲା। ଆଗାମୀ ଦିନରେ ସଂଘ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସଂଘର ବହୁ ସାମ୍ବାଦିକ, ମଦର ଟେରେସା ସେଵା ସଂଘର କର୍ମକର୍ତ୍ତା, ଶିକ୍ଷକ, ଶିକ୍ଷୟତ୍ରୀ, ବୁଦ୍ଧିଜୀବି, ଆଇନଜିବୀ, ସମାଜ ସେଵୀ, ଵରିଷ୍ଠ ନାଗରିକମାନେ ଯୋଗ ଦେଇଥିଲେ। ଏଥିରେ ସାମ୍ଵାଦିକ କମଳ ଲୋଚନ ପାଇକରାୟ, ଶିକ୍ଷକ ବଳରାମ ବେହେରା, କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ।