Categories
ଜାତୀୟ ଖବର ବିଶେଷ ଖବର

ଟାର୍ଗେଟରେ ନିର୍ବାଚନ 2024, ଶହେ ଦିନ ଧରି ସାରା ଭାରତ ବୁଲିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା

ନୂଆଦିଲ୍ଲୀ, 2024 ସାଧାରଣ ନିର୍ବାଚନ ବହୁ ଦିନ ବାକି ରହିଛି। ହେଲେ ବିଜେପି ଏବେଠାରୁ ଆରମ୍ଭ କରି ଦେଲାଣି ପ୍ରସ୍ତୁତି। ବିହାର ବିଧାନସଭା ନିର୍ବାଚନରେ ​​ବିଜୟ ପରେ ବିଜେପି ​​ଏହାକୁ ନେଇ ଆହୁରି ଉତ୍ସାହିତ ହୋଇଯାଇଛି। ବର୍ତ୍ତମାନ ଦଳ 2024 ରେ ହେବାକୁ ଥିବା ଲୋକସଭା ନିର୍ବାଚନ କିପରି ବିପୁଳ ସଂଖ୍ୟାରେ ଜିତିବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସେଥିପାଇଁ ବିଜେପି ଜାତୀୟ ସଭାପତି ଜେ ପି ନାଡ୍ଡା ଖୁବ୍ ଶୀଘ୍ର ସମଗ୍ର ଦେଶ ଗସ୍ତ କରିବେ। ପ୍ରାୟ 100 ଦିନ ଧରି ସାରା ଭାରତ ବୁଲିବେ ବୋଲି ଯୋଜନା ପ୍ରସ୍ତୁତ ହୋଇଛି। ନାଡ୍ଡାଙ୍କ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ସଂଗଠନକୁ ମଜବୁତ କରିବା।

2024 ର ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ନାଡ୍ଡା ବିଭିନ୍ନ ରାଜ୍ୟରେ ରହି ସେଠାକାର ସ୍ଥିତି ଅନୁଧ୍ୟାନ କରିବେ। 2019 ରେ ଦଳ ଯେଉଁ ଆସନ ଗୁଡିକରେ ଜିତି ନ ଥିଲା ତାହା ଉପରେ ଫୋକସ କରିବେ। 2024 ରେ କିପରି ସେହି ଆସନଗୁଡିକ ଜିତିବେ ଏହି ଯାତ୍ରାର ଏକ ପ୍ରମୁଖ ଦିଗ ହେବ ବୋଲି ଜଣାପଡିଛି। ଏହି ଗସ୍ତରେ ନଡ୍ଡା ଦଳର ଜନ ପ୍ରତିନିଧୀଙ୍କୁ ଭେଟି ନୂତନ ସମ୍ଭାବ୍ୟ ଦିଗ ଉପରେ ଆଲୋଚନା କରିବେ। ମୁଖ୍ୟତଃ ଯେଉଁ ରାଜ୍ୟରେ ବିଜେପି ଶାସନରେ ନାହିଁ ସେହି ରାଜ୍ୟଗୁଡିକ ଉପରେ ନଡ୍ଡା ଅଧିକ ଗୁରୁତ୍ବ ଦେବେ।

ଯେଉଁ ରାଜ୍ୟରେ ବିଜେପି ଶାସନରେ ଅଛି ସେଠାକୁ ଯାଇ ରାଜ୍ୟ ସରକାରଙ୍କ ଭାବମୂର୍ତ୍ତିରେ ଉନ୍ନତି ଆଣିବା ସହ ବିଭିନ୍ନ ପ୍ରଭାବଶାଳୀ ଗୋଷ୍ଠୀ ସହ ଯୋଗାଯୋଗ କରିବେ। ସେଥିପାଇଁ ନଡ୍ଡା ସମସ୍ତ ରାଜ୍ୟଗୁଡିକୁ A,B,Cଏବଂ D ପରି 4ଟି ଶ୍ରେଣୀରେ ବିଭକ୍ତ କରିଛନ୍ତି। A ହେଉଛି ସେହି ରାଜ୍ୟ ଯେଉଁଠାରେ ବିଜେପି ତାର ସହଯୋଗୀମାନଙ୍କ ସହ ମିଳିତ ଭାବେ ଅଛି। ଏଥିରେ ନାଗାଲାଣ୍ଡ, ବିହାର, କର୍ଣ୍ଣାଟକ, ତ୍ରିପୁରା ଇତ୍ୟାଦି ରାଜ୍ୟ ଅନ୍ତର୍ଭୁକ୍ତ। B ବର୍ଗ ହେଉଛି ସେହି ରାଜ୍ୟଗୁଡିକୁ ଯେଉଁଠାରେ ବିଜେପି ଶାସନରେ ନାହିଁ। ଯେପରି କି ରାଜସ୍ଥାନ, ଛତିଶଗଡ, ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ ଏବଂ ଓଡିଶା।

C ହେଉଛି ଛୋଟ ରାଜ୍ୟଗୁଡିକ, ଯେପରିକି ଲକ୍ଷାଦୀପ, ମେଘାଳୟ ଏବଂ ମିଜୋରାମ। D ଶ୍ରେଣୀ ହେଉଛି କେରଳ, ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀ ଏବଂ ତାମିଲନାଡୁ ଭଳି ନିର୍ବାଚନ ଭିତ୍ତିକ ରାଜ୍ୟ। C ବର୍ଗର ରାଜ୍ୟଗୁଡିକରେ ନଡ୍ଡା ମାତ୍ର ଦୁଇଦିନ ରହି ପ୍ରଚାର କରିବେ। ହେଲେ ଉତ୍ତର ପ୍ରଦେଶରେ ସର୍ବାଧିକ ଆଠ ଦିନ ରହଣି ରହିଛି। ନଡ୍ଡାଙ୍କ ଏହି ଗସ୍ତ କେବେ ଆରମ୍ଭ କରିବେ ତାହା ଘୋଷଣା କରାଯାଇ ନ ତିଲେ ମଧ୍ୟ ତା ପୂର୍ବରୁ ବିଭିନ୍ନ ରାଜ୍ୟର ପ୍ରଭାରୀଙ୍କୁ ବଦଳାଯାଇଛି। ଏଥିସହିତ ନିକଟରେ ପଶ୍ଚିମବଂଗରେ ଦଳ ପ୍ରଚାର ଆରମ୍ଭ କରିସାରିଲାଣି।