Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ପୁଣିଥରେ ଟାର୍ଗେଟରେ ହିନ୍ଦୁ, ଢାକାସ୍ଥିତ ଇସ୍କନ ରାଧାକାନ୍ତ ମନ୍ଦିର ଆକ୍ରମଣରେ ଅନେକ ଆହତ

ନୂଆଦିଲ୍ଲୀ: ବାଂଲାଦେଶ ସରକାରଙ୍କ ସମସ୍ତ ଦାବି ସତ୍ତ୍ୱେ ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ହିନ୍ଦୁ ଲୋକମାନେ କଟ୍ଟରବାଦୀଙ୍କ ଟାର୍ଗେଟରେ ଅଛନ୍ତି। ପୁଣିଥରେ କଟ୍ଟରବାଦୀମାନେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଏଥର ଗୁରୁବାର ସନ୍ଧ୍ୟାରେ ବାଂଲାଦେଶର ରାଜଧାନୀ ଢାକାରେ ଅବସ୍ଥିତ ଇସ୍କନ ରାଧାକାନ୍ତ ମନ୍ଦିରରେ ଏକ ଭୀଡ ଆକ୍ରମଣ କରିଥିଲେ।

ରିପୋର୍ଟ ଅନୁଯାୟୀ, ଏହି ମନ୍ଦିର ଢାକା ୱାରିର ୨୨୨ ଲାଲ ମୋହନ ସାହା ଛକରେ ନିର୍ମିତ। ଗୁରୁବାର ରାତି ପ୍ରାୟ ୭ ଟା ସମୟରେ ହାଜି ଶୈଫୁଲ୍ଲାଙ୍କ ନେତୃତ୍ୱରେ ୨୦୦ରୁ ଅଧିକ ଲୋକ ଜବରଦସ୍ତ ମନ୍ଦିରରେ ପ୍ରବେଶ କରି ଏହାକୁ ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ ଏମାନେ ମଧ୍ୟ ମନ୍ଦିରକୁ ଲୁଟ୍ କରିଥିଲେ। ଏହି ସମୟରେ ମନ୍ଦିରରେ ଉପସ୍ଥିତ ଥିବା କିଛି ଲୋକଙ୍କୁ ମଧ୍ୟ ମାଡ ମାରିଥିଲେ, ଯେଉଁଥିରେ ସେମାନେ ଆହତ ହୋଇଥିଲେ।

ପ୍ରକାଶ ଯୋଗ୍ୟ ଯେ, ବାଂଲାଦେଶରେ ଗତ କିଛି ବର୍ଷ ମଧ୍ୟରେ ହିନ୍ଦୁ ଏବଂ ସେମାନଙ୍କ ମନ୍ଦିର ଉପରେ ଆକ୍ରମଣର ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଇଛି। ଗତ ବର୍ଷ ନବରାତ୍ରୀ ସମୟରେ କିଛି ଦୁର୍ଗା ମଣ୍ଡପ ଉପରେ ଆକ୍ରମଣ କରାଯାଇଥିଲା। ଏହି ସମୟରେ ଅନେକ ମନ୍ଦିର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ଏହି ହିଂସାରେ ୨ ହିନ୍ଦୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏପରିକି ଢାକାସ୍ଥିତ ଇସ୍କନ ମନ୍ଦିର ଉପରେ ଆକ୍ରମଣ କରାଯାଇଥିଲା।