Categories
ଆଜିର ଖବର ଖେଳ ଜାତୀୟ ଖବର

ଚତୁର୍ଥ ଟି-୨୦: ଦକ୍ଷିଣ ଆଫ୍ରିକାକୁ ୮୨ ରନ୍ ରେ ପରାସ୍ତ କଲା ଟିମ୍ ଇଣ୍ଡିଆ

ରାଜକୋଟ: ରାଜକୋଟରେ ଖେଳାଯାଇଥିବା ଟି-୨୦ ସିରିଜର ଚତୁର୍ଥ ମ୍ୟାଚରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୮୨ ରନରେ ପରାସ୍ତ କରିଛି। ଦୀନେଶ କାର୍ତ୍ତିକ ଭାରତ ପାଇଁ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଆଭେଶ ଖାନ ୪ ଟି ୱିକେଟ୍ ନେଇଥିଲେ। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୨ରେ ବରାବର ରଖିଛି। ଆଫ୍ରିକୀୟ ଦଳ ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିଲା, ଯାହା ପରେ ଭାରତ ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିଛି। ଚତୁର୍ଥ ଟି -୨୦ ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୭୦ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାର ଜବାବରେ ଆଫ୍ରିକୀୟ ଦଳ ମାତ୍ର ୮୭ ରନ୍ ରେ ସୀମିତ ରହିଥିଲେ।

ଦକ୍ଷିଣ ଆଫ୍ରିକା ପାଇଁ କ୍ୱିଣ୍ଟନ୍ ଡି କକ୍ ଏବଂ ଟେମ୍ବା ବାଭୁମା ବ୍ୟାଟିଂ ଆରମ୍ଭ କରିଥିଲେ। ଏହି ସମୟରେ ବାଭୁମା ୮ ରନ୍ ସ୍କୋର କରିବା ପରେ ଆହତ ହୋଇଥିଲେ। ୧୪ ରନ୍ ସ୍କୋର କରିବା ପରେ ଡି କକ୍ ଆଉଟ୍ ହୋଇଥିଲେ। ପ୍ରିଟୋରିୟସ୍ ଖାତା ଖୋଲି ପାରିନଥିଲେ। ଡୁସେନ୍ ୨୦ଟି ବଲରେ ୨୦ ରନ୍ ସଂଗ୍ରହ କରି ଆଉଟ ହୋଇଥିଲେ। ୮ ରନ୍ ସ୍କୋର କରିବା ପରେ ହେନ୍ରିଚ୍ କ୍ଲାସେନ୍ ଆଉଟ୍ ହୋଇଥିଲେ। ଏପରିକି ଡେଭିଡ ମିଲର ବିଶେଷ କିଛି କରିପାରି ନଥିଲେ। ସେ ୯ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ।

୧୭ ବଲରେ ୧୨ ରନ୍ ସ୍କୋର କରିବା ପରେ ମାର୍କୋ ଜେନ୍ସେନ ଆଉଟ ହୋଇଥିବା ବେଳେ କେଶବ ମହାରାଜ ଶୂନ ସ୍କୋରରେ ଆଉଟ୍ ହୋଇଥିଲେ। ନର୍ଥଜେ ମାତ୍ର ୧ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ। ସେହିଭଳି ୧୬.୫ ଓଭରରେ ମାତ୍ର ୮୭ ରନ୍ ସ୍କୋର କରିବା ପରେ ସମଗ୍ର ଦଳ ଆଉଟ୍ ହୋଇଥିଲେ।

ଟିମ୍ ଇଣ୍ଡିଆ ପାଇଁ ଆବେଶ ଖାନ ଭୟଙ୍କର ବୋଲିଂ କରିଥିଲେ। ସେ ୪ ଓଭରରେ ମାତ୍ର ୧୮ ରନ୍ ଦେଇ ୪ ୱିକେଟ୍ ନେଇଥିଲେ। ୟୁଜବେନ୍ଦ୍ର ଚହଲ ୪ ଓଭରରେ ୨୧ ରନ୍ ଦେଇ ୨ ଟି ୱିକେଟ୍ ନେଇଥିଲେ। ଅକ୍ଷାର ପଟେଲ ୩.୫ ଓଭରରେ ୧୯ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ଭୁବନେଶ୍ୱର କୁମାର ୨ ଓଭରରେ ୮ ରନ୍ ଦେଇଥିଲେ। ତେବେ ସେ ଗୋଟିଏ ବି ୱିକେଟ୍ ପାଇନାହାଁନ୍ତି। ୨ ଓଭରରେ ମାତ୍ର ୩ ରନ୍ ଦେଇ ହର୍ଷଲ ପଟେଲ ଗୋଟିଏ ୱିକେଟ୍ ନେଇଥିଲେ।