Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମାଇକ୍ରୋଫାଇନାନସ୍ କର୍ମଚାରୀ ଠାରୁ ଡକାୟତି ଘଟଣା: ୫ ଅଭିଯୁକ୍ତ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: କିଛି ଦିନ ତଳେ ନାକଟିଦେଉଳ ଥାନା ଚରଡପଶି ଠାରେ ଦିନ ଦି ପ୍ରହରରେ ଜନୈକ ମାଇକ୍ରୋ ଫାଇନାନସ୍ କର୍ମଚାରୀଙ୍କ ଠାରୁ ଛୁରୀ ଦେଖାଇ ନଗଦ ଟଙ୍କା ଲୁଟ୍ କରି ଅପରାଧିମାନେ ଫେରାର ହେବାରେ ସକ୍ଷମ ହୋଇଥିଲେ। ନାକଟିଦେଉଳ ପୋଲିସ୍‌କୁ ଏହା ମୁଣ୍ଡ ବ୍ୟଥାର କାରଣ ହୋଇଥିଲା। ଗତକାଲି ପୋଲିସ୍ ଟିମ୍ ଏହି ଡକାୟତି ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଆଜି ରେଢାଖୋଲ ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏହି ଡକାୟତି ମାନଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତ ୮/୯/୨୦୨୨ ତାରିଖରେ ନାକଟିଦେଉଳ ଥାନା ଚରଡପଶି ନିକଟରେ ନାକଟିଦେଉଳ ଠାରେ ଥିବା ମାଇକ୍ରୋଫାଇନାନସ୍ କଂପାନୀର ଫିଲଡ୍ ଅଫିସର୍ ଆଲୋକ ସାହୁ ଘୋଷରାମାଳ ପଂଚାୟତର ରାଇଲ୍, ଘୋଷରାମାଳ, ଝାଟକିମାଳ, ଲାଣ୍ଡିମାଳ ଆଦି ଗ୍ରାମରୁ ଏସଏଚ୍‌ଜି ଗ୍ରୁପ୍ ମାନଙ୍କ ଠାରୁ ଟଙ୍କା ଅସୁଲ କରି ଫେରୁଥିବା ବେଳେ ଡକାୟତି ମାନଙ୍କ ହାବୁଡରେ ପଡିଯାଇଥିଲେ। ଚରଡପଶି ଗ୍ରାମ ଛକ ଠାରେ ଅପରାହ୍ନ ୨.୩୦ ରୁ ୨.୪୫ ମଧ୍ୟରେ ତିନି ଜଣ ଡକାୟତି ଏକ ନୀଳ ରଙ୍ଗର ହୋଣ୍ଡା ମୋଟର ସାଇକେଲରେ ଆସି ଛୁରି ଦେଖାଇ ଆଲୋକ ସାହୁ ନାମକ ଏହି ମାଇକ୍ରୋଫାଇନାନସ୍ କର୍ମଚାରୀ ଠାରୁ ନଗଦ ୪୦ ହଜାର ସାତଶହ ପଚାଶ ଟଙ୍କା ଛଡାଇ ନେଇ ଫୋରାର୍ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ କର୍ମଚାରୀ ଜଣଙ୍କ ରେଢାଖୋଲ ପୋଲିସ୍ ଓ ନାକଟିଦେଉଳ ପୋଲିସ୍‌କୁ ଖବର ଦେଇଥିଲେ। ଡକାୟତି ମାନେ ବ୍ୟବହାର କରୁଥିବା ଏକ ମୋଟର ସାଇକେଲ୍ କୁ ଛାଡି ପଳାଇଥିଲେ। ଏ ନେଇ ନାକଟିଦେଉଳ ଥାନା କେସ୍ ନଂ ୧୭୭ ତା ୮/୯/୨୦୨୨୧ ୟୁ/ଏସ୍ ୩୯୪ ଆଇପିସି ଧାରାରେ ମାମଲା ରୁଜୁ ହୋଇଥିଲା।

ଡକାୟତି ଦଳକୁ ଧରିବାକୁ ପୋଲିସ୍ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିବା ବେଳେ ଟେକନିକାଲ ଟିମ୍ , ସାଇବର ଟିମ୍ ଆଦିର ବ୍ୟବହାର କରିଥିଲା ପୋଲିସ୍। ଏପରିକି ସିସିଟିଭି ଫୁଟେଜ୍ କୁ ଆଧାର କରି ଯାଂଚ କରିଥିଲା ପୋଲିସ୍। ସମ୍ବଲପୁର ଏସ୍‌.ପିଙ୍କ ନିର୍ଦ୍ଦେଶ କ୍ରମେ ନାକଟିଦେଉଳ, କିସିଣ୍ଡା, ରେଢାଖୋଲ ଓ ଚାରମାଳ ର ପୋଲିସ୍ ଏହାର ତଦନ୍ତ ଚଳାଇଥିଲେ। ଏହି ଡକାୟତିର ମୁଖ୍ୟ ଅଭିଯୁକ୍ତ ପୂର୍ବରୁ ଭାରତ ଫାଇନାନସ୍ କଂପାନୀ ଲଇକେରାରେ କାମ କରୁଥିଲା।

ପୂର୍ବରୁ ଏହି ଅଭିଯୁକ୍ତମାନେ ବିଭିନ୍ନ ସମୟରେ ଚାରମାଳ – ଗୁହିରାଦାଦର ରାସ୍ତାରୁ ଜଣେ ମାକ୍ରୋଫାଇନାନ୍‌ସ କର୍ମଚାରୀଙ୍କ ଠାରୁ ୬୩, ୨୨୦ଟଙ୍କା , ରେଢାଖୋଲ ବୁର୍ଡା ରାସ୍ତା ରୁ ୪୦ ହଜାର ,ଜୁଜୁମୁରାରୁ ମୋହନ୍ଦେରା ରାସ୍ତା ପାଖରୁ ୨୦,୨୨୦ଟଙ୍କା ଝାଙ୍କରପାଲି ଗ୍ରାମ ନିକଟରୁ ୮୯,୭୩୯ଟଙ୍କା ଏବଂ କିସିଣ୍ଡା ଧଳପୁର ରାସ୍ତାରୁ ୬୭, ୬୮୦ ଟଙ୍କା ଡକାୟତି କରିଥିଲେ। ରମେଶ ଭୋଇ ହେଉଛି ମୁଖ୍ୟ ଅଭିଯୁକ୍ତ ଯିଏ କି କେମିତି ଟଙ୍କା ଡକାୟତି ହେବ ରାସ୍ତା, ସମୟ ସାରଣୀ ସବୁ ସ୍ଥିର କରୁଥିଲା ଏହା ପରେ ଅନ୍ୟ ସାଥି ଡକାୟତି ମାନଙ୍କୁ ସାମିଲ୍ କରୁଥିଲା।

ଗିରଫ ଡକାୟତି ମାନଙ୍କ ପାଖରୁ ୩ ଟି ମୋଟର ସାଇକେଲ୍‌, ୭ ଟି ମୋବାଇଲ୍ , ନଗଦ ୧୨ ହଜାର ଟଙ୍କା , ହେଲ୍ ମେଟ୍ , କପଡା, ୧ ଟି ଛୁରୀ ୧ ଟି ଟାବଲେଟ୍ ,୧ ଟି ବାଇଓମେଟ୍ରିକ୍ ଇଷ୍ଟୁମେଂଟ୍ ଜବତ କରିଛି। ଗିରଫ ଡକାୟତି ମାନେ ହେଲେ ସମ୍ବଲପୁର ଭୀମଭୋଇ ନଗର ର ସୁନୀଲ କୁମାର ବେହେରା (୩୭), ଆମ୍ବସରଭଟା ର ରମେଶ ଭୋଇ (୩୨), ସୋନପୁର ଜିଲ୍ଲା ଜଟେସିଂହାର ଗଙ୍ଗାଧର ବାଦୀ (୩୫),ସୋନପୁର କୁଡାପଡା ହରିଜନ ସାହିର ସୁଶାନ୍ତ ଲୁହା(୨୮), ସୋନପୁର କମରିଆ ଗ୍ରାମର କାହ୍ନୁଚରଣ ତାଣ୍ଡି(୨୬) ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଜାମିନ୍ ନାମ ମଂଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣା ପଡିଛି। ସୁନୀଲ କୁମାର ବେହେରା ନାମରେ ରେଢାଖୋଲ, ଚାରମାଳ, ଜୁଜୁମୋରା, ଅନୁଗୋଳ, କିଆକଟା ଓ ଛେଣ୍ଡିପଦା ଥାନା ଆଦିରେ ୮ ଟି ମାମଲା ରହିଛି। ଠିକ୍ ସେଇ ପରି ସୁଶାନ୍ତ ଲୁହା ନାମରେ ବୌଦ୍ଧର କଂଟାମାଳ ଥାନାରେ ଗୋଟିଏ ମାମଲା, ରମେଶ ଭୋଇ, ଗଙ୍ଗାଧର ବାଦୀ, କାହ୍ନୁଚରଣ ତାଣ୍ଡି , ଦୟାନିଧି ଲୁହା ନାମରେ ରେଢାଖୋଲ, ଚାରମାଳ, ନାକଟିଦେଉଳ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଥିବା ଜଣା ପଡିଛ। ସୁନୀଲ କୁମାର ବେହେରା , ରମେଶ ଭୋଇ ନାମରେ ଜୁଜୁମୋରା ଥାନା, କିସିଣ୍ଡା ଥାନାରେ ୩ ଟି, ସୁନ୍ଦରଗଡ ଜିଲ୍ଲା ତଲସରା, ଶାସନ, ସୋନପୁର ଜିଲ୍ଲା ସୁବଳୟା ଥାନାରେ ୭ ଟି ମାମଲା ରହିଥିବା ପୋଲିସ୍ କହିଛି।

ମୁଖ୍ୟ ଅଭିଯୁକ୍ତ ସୁନୀଲ କୁମାର ବେହେରା ଏବଂ ରମେଶ ଭୋଇ ବହୁ ସମୟରେ ସୁନ୍ଦରଗଡ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ ଆଦି ଜିଲ୍ଲାରେ ମାଇକ୍ରୋଫାଇନାସ୍ କର୍ମଚାରୀମାନଙ୍କ ଠାରୁ ବିଭିନ୍ନ ସମୟରେ ଲୁଟ୍ କରିିଥିବା ପୋଲିସ୍ କହିଛି। ଏହି ଡକାୟତି ମାନଙ୍କୁ ଧରିବା ରେ ରେଢାଖୋଲ ଏସ୍ ଡିପି ପ୍ରଶାନ୍ତ କୁମାର ମେହେର ଙ୍କ ସମେତ ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ, କିସିଣ୍ଡା ଥାନାଧିକାରୀ ପ୍ରଶାନ୍ତ ସାମଲ, ଚାରମାଳ ଥାନାଧିକାରୀ ବସନ୍ତ ଦଳେଇ ଏବଂ ନାକଟିଦେଉଳ ଥାନାଧିକାରୀ ବିଭୁତି ଭୂଷଣ ଦଳାଇ ପ୍ରମୁଖ ସାମିଲ୍ ହୋଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସହଜ ଜନସେବା କେନ୍ଦ୍ର କର୍ମଚାରୀଙ୍କ ଠାରୁ ଡକାୟତି ଘଟଣା: ୩ ଗିରଫ, ଲୁଟ ସାମଗ୍ରୀ ଉଦ୍ଧାର

କନ୍ଦର୍ପ ବେହେରା
ରେଢାଖୋଲ: ଜଣେ ସହଜ ଜନସେବା କେନ୍ଦ୍ରର କର୍ମଚାରୀଙ୍କ ଠାରୁ ଗତ ଫେବୃଆରୀ ମାସ ୧୭ ତାରିଖ ଦିନ ୪ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ଓ ଭୂଜାଲୀ ଦେଖାଇ ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଆଜି ରେଢାଖୋଲ ପୋଲିସ୍ ୩ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଡକାୟତି ଘଟଣାର ଅଭିଯୁକ୍ତ ମାନେ ହେଲେ ତ୍ରିବଣପୁର ପଂଚାୟତ ଖଜୁରୀଝରଣ ଗ୍ରାମର ବୁଲୁ ଭୋଇ (୧୯), ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ବୁଦୁଲିମୁଣ୍ଡା ଗ୍ରାମର ପ୍ରଦୀପ ବେହେରା (୨୮) ହଣ୍ଡପା ଥାନା ବୁଦୁଲିମୁଣ୍ଡା ଗ୍ରାମର ରାଜେନ୍ଦ୍ର ସାହୁ(୩୦)। ଏମାନଙ୍କ ଠାରୁ ରେଢାଖୋଲ ପୋଲିସ୍ ନଗଦ ୧୩ ହଜାର ୫ ଶହ ଟଙ୍କା , ନୂଆଁ ମ୍ୟୁଜିକ ସିଷ୍ଟମ୍‌, ଲାପଟପ୍, ଚାର୍ଜର, ମାଉସ୍‌, ଏୟାର ବ୍ୟାଗ୍, ଖଣ୍ଡା ଆଦି ଜବତ କରିବାରେ ସଫଳ ହୋଇଛି।

ରେଢାଖୋରଲ ଥାନା କେସ୍ ନଂ ୩୪/୨୦୨୧ ରେ ରେଢାଖୋଲ ପୋଲିସ୍ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ବୋଲି ରେଢାଖୋଲ ଥାନାଧିକାରୀ ପ୍ରକାଶ କରଛନ୍ତି। ଅନ୍ୟ ଜଣେ ଅଭିଯୂକ୍ତ ଫେରାର୍ ଥିବା ପୋଲିସ୍ କହିଛି।

ସୂଚନା ଯୋଗ୍ୟ ଯେ ,ରେଢାଖୋଲ ଥାନା ତ୍ରିବଣପୁର ପଂଚାୟତ ଅନ୍ତର୍ଗତ ଚୁପକା ଗ୍ରାମର ଜିତେନ୍ଦ୍ର କୁମାର ସାମଲ ନାମକ ବ୍ୟକ୍ତି ତ୍ରିବଣପୁର ଗ୍ରାମ ଠାରେ ଥିବା ସେଂଟ୍ରାଲ୍ ବ୍ୟାଙ୍କର ଏକ ସହଜ ଜନ ସେବା କେନ୍ଦ୍ରରେ କାମ କରୁଥିଲେ। ସବୁ ଦିନ ପରି ସେ ଦିନ ମଧ୍ୟ ଜିତେନ୍ଦ୍ର ନିଜ ଗ୍ରାମ ଚୁପକା ଗ୍ରାମରୁ ବୁଧବାର ସକାଳ ପ୍ରାୟ ୧୦ ଟା ୩୦ ରେ ବାହାରି ବାଇକରେ ତ୍ରିବଣପୁର ଯାଉଥିଲେ। ବାଇକରେ ଯାଉଥିବା ବେଳେ ରାସ୍ତାର କୁମ୍ଭାରମୁଣ୍ଡା ନିକଟରେ ଏକ କଳା ରଙ୍ଗର ପଲସର ଓ ଏକ ଆପାଚି ଗାଡିରେ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇ ପ୍ରଥମେ ବନ୍ଧୁକ ମୁନ ଓ ଭୁ୍‌ଜାଲି ଦେଖାଇ ଭୟଭୀତ କରାଇବା ପରେ ତାଙ୍କ ପାଖରେ ଥିବା ଗୋଟିଏ ଲାପଟପ, ୨ ଟି ମୋବାଇଲ, ସ୍ୱାପ୍ ମେସିନ୍, ପାନ କାର୍ଡ, ଏଟିଏମ୍ କାର୍ଡ, ୮୦ ହଜାର ଟଙ୍କା ଆଦି ଲୁଟି ନେଇଥିଲେ। ଖବର ପାଇ ରେଢାଖୋଲ ପୋଲିସ୍ ଏସ୍‌ଡିପିଓ ହାଡିବନ୍ଧୁ ସ୍ୱାଇଁ, ଏଏସ୍‌ଆଇ ତ୍ରିବେଣୀ ପ୍ରଧାନ, ସୌମ୍ୟରଞ୍ଜନ ମାହାଳିକ ପ୍ରମୁଖ ସଦଳ ବଳେ ଯାଇ ତଦନ୍ତ ଜାରି ରଖିଥିଲେ।

ଦିନକୁ ଦିନ ରେଢାଖୋଲ ଅଂଚଳରେ ଚୋରି ଡକାୟତି ଭଳି ଘଟଣା ଘଟିବାରେ ଲାଗିଥିବା ବେଳେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ପୋଲିସ୍ ପାଖରୁ ଲୋକମାନଙ୍କର ଆସ୍ଥା ତୁଟିଯାଉଥିବା ଲୋକମାନେ ପ୍ରକାଶ କରିଛନ୍ତି। ରାତ୍ରିକାଳିନ ପେଟ୍ରୋଲିଙ୍ଗକୁ କଡାକଡି କରିବାକୁ ଅଂଚଳବାସୀ ଦୃଢ ଦାବୀ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ପୋଲିସକୁ ବଡ ସଫଳତା: ଡକାୟତି ଘଟଣାରେ ଜଣେ ଶିକ୍ଷକ ସମେତ ଆଠ ଜଣ ଦୁର୍ବୃତ୍ତ ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ପୋଲିସ ଥାନା ଅଂଚଳରେ ମହୁଲପାଟଣା ଘାଟିରେ ଗତ ୧୦ ତାରିଖ ଦିନ ହୋଇଥିବା ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି। ମାଷ୍ଟର ମାଇଣ୍ଡ ସମେତ ଆଠ ଜଣ ଦୁର୍ବୃତ୍ତଙ୍କୁ ଜୟପାଟଣା ପୋଲିସ ଗିରଫ କରିବା ସହିତ ଲୁଟ ହୋଇଥିବା ଟଙ୍କ, ଗାଡି, ମାରଣାସ୍ତ୍ର, ମୋବାଇଲ ଇତ୍ୟାଦି ପୋଲିସ ଜବତ କରିଥିବା ସଂପର୍କରେ ଧର୍ମଗଡ ଏସଡିପିଓ ନାରାୟଣ ନାଏକ ତଥା ଜୟପାଟଣା ଥାନାଧିକାରିଣୀ ରଶ୍ମିତା ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଗତ ୧୦ ତାରିଖ ଦିନ ରାୟଗଡା ଜିଲ୍ଲା ଦରାଗୁଡା ଥାନା ଅନ୍ତର୍ଗତ ଡି.କରଳଗାଁ ର ଗୋରୁ ବେପାରୀ ଗୋବିନ୍ଦ ନାଏକ, ଲବ ନାଏକ, ସୁନାରୀ ନାଏକ ଓ ଭରତ ନାଏକ ଜଙ୍ଗଳ ରାସ୍ତା ଦେଇ ଜୟପାଟଣା ବଜାରକୁ ଗୋରୁ କିଣିବା ପାଇଁ ଆସୁଥିବା ବେଳେ ମହୁଳପାଟଣା ଘାଟି ଉପରେ କିଛି ଦୁର୍ବୃତ୍ତ ଅତର୍କିତ ଭାବେ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ୫ ଲକ୍ଷ ୨୨ ହଜାର ଟଙ୍କା ଲୁଟିନେଇଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ଜୟପାଟଣା ଥାନା କେଶ ନଂ.୩୬୪/୨୦୨୦ ଅନୁସାରେ ଏକ କେଶ ରୁଜ୍ଜୁ କରାଯାଇ କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶକ୍ରମେ ଧର୍ମଗଡ ଏସଡିପିଓ ତଦନ୍ତ ଭାର ନେଇଥିବା ପ୍ରକାଶ।

ଜୟପାଟଣା ଥାନାଧିକାରିଣି ରଶ୍ମିତା ପ୍ରଧାନଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା। ଘଟଣାର ୫ଦିନ ପରେ ପୋଲିସକୁ ସଫଳତା ମିଳିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିବା ଜଣାପଡିଛି। ମାଷ୍ଟର ମାଇଣ୍ଡ କୋକସରା ବ୍ଲକ ଡହଗାଁର ଶିକ୍ଷକ ଅଲେଖ ଠାକୁର ଓ ତାଙ୍କ ସଂପର୍କୀୟ ଭଣଜା କୁମ୍ଭନାଥ ଜଗତ(୩୨), ଭବାନୀପାଟଣା ସଦର ଥାନା ଅଞ୍ଚଳର ଶୋଭାବନ ନାଗ ( ୩୬), ଦେବରାଜ ସୁନାନୀ(୩୨), ଜୁନାଗଡ ଥାନା ଅଂଚଳର ମୁନା ଦୁର୍ଗା(୩୨), ଜଗନ୍ନାଥ ନାଏକ(୩୪), ଜିତେନ୍ଦ୍ର ହଂସ(୩୫), ଗୋଲାମୁଣ୍ଡା ଥାନା ଅଂଚଳର ଗଜିନ୍ଦ୍ର ବିହାର(୩୬) ପାପଡାହାଣ୍ଡି ଥାନା ଅଂଚଳର ସେମଲା ଗାଁର ଅହୀରନ୍ଧଜ୍ଞ(୨୬) ଙ୍କୁ ଗିରଫ କରିଥିବା ପ୍ରକାଶ।

ସେହିପରି ଲୁଟ ଟଙ୍କାରୁ ୨ଲକ୍ଷ ୭୦ ହଜାର ଟଙ୍କା, ୨ଟିଛୁରୀ,୨ ଟିଲାଠୀ, ୪ଟି ବାଇକ, ମୋବାଇଲ ଆଦି ଜବତ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ। ଏହି ଡକାୟତି ଘଟଣାରେ ଜଣେ ଶିକ୍ଷ ଙ୍କ ସଂପୃକ୍ତି ସମଗ୍ର ଅଂଚଳରେ ମୂଖ୍ୟ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।