Categories
PIB_NEWS ଜାତୀୟ ଖବର ବିଶେଷ ଖବର

କୃଷି ପାଇଁ ମିଳିତ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମ ସହିତ ନୀତି ଆୟୋଗର ଚୁକ୍ତି ସ୍ୱାକ୍ଷରିତ, ଜାଣନ୍ତୁ କଣ

ନୂଆଦିଲ୍ଲୀ: ବାଜରା ଓ ସେହି ଜାତୀୟ ଖାଦ୍ୟଶସ୍ୟର ଗୁରୁତ୍ୱକୁ ସ୍ୱୀକୃତି ପ୍ରଦାନ କରି ଭାରତ ସରକାର ୨୦୧୮କୁ ବାଜରାବର୍ଷ ଭାବେ ପାଳନ କରିଥିଲେ । ଏହି ବର୍ଷ ପାଳନର ପ୍ରଧାନ ଲକ୍ଷ୍ୟ ଥିଲା ବାଜରା ଜାତୀୟ ଫସଲ ଚାଷକୁ ପ୍ରୋତ୍ସାହିତ କରିବା । ଏହି ପ୍ରୟାସକୁ ଆହୁରି ଆଗେଇ ନେଇ ଭାରତ ସରକାର ମିଳିତ ଜାତିସଂଘର ସାଧାରଣ ପରିଷଦରେ ଏକ ପ୍ରସ୍ତାବ ଆଣି ୨୦୨୩କୁ ଆନ୍ତର୍ଜାତିକ ବାଜରାବର୍ଷ ଭାବେ ପାଳନ କରିବାକୁ ଅଗ୍ରଣୀଭୂମିକା ନିର୍ବାହ କରିଛନ୍ତି ।

ବାଜରାଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଏକ ଉତ୍କର୍ଷ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ପୁଷ୍ଟିକର ଶସ୍ୟକୁ ସାମିଲ କରିବା ନୀତିରେ ବାଜରା ଅନ୍ତର୍ଭୁକ୍ତ ହୋଇଛି । ଏହା ବ୍ୟତୀତ ଅନେକ ରାଜ୍ୟରେ ବାଜରା(ମିଲେଟ) ମିଶନ ଗଠନ କରାଯାଇଛି ।

ଏହା ସତ୍ତ୍ୱେ ବାଜରାର ଉତ୍ପାଦନ, ବଣ୍ଟନ ଓ ବ୍ୟବହାର କ୍ଷେତ୍ରରେ ଅନେକ ସମସ୍ୟା ଏବଂ ଆହ୍ୱାନ ଖାଉଟିଙ୍କ ପାଇଁ  ରହିଛି । ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ଏବେ ଖାଦ୍ୟଶସ୍ୟ ଯୋଗାଣ କେବଳ କ୍ୟାଲୋରୀ ଯୁକ୍ତ ଶସ୍ୟ ପରିବର୍ତ୍ତେ  ବିଭିନ୍ନ ପୁଷ୍ଟିକର ଖାଦ୍ୟଶସ୍ୟ ଓ ଭୋଜନ ଉପାଦାନ ଯୋଗାଇବାର ଆବଶ୍ୟକତା ପହଞ୍ôଚଛି । ଏଥିରେ ନାନାପ୍ରକାର ମୋଟାଶସ୍ୟ ଯଥା ବାଜରା, ଜୁଆର ଆଦି ପ୍ରାକ୍‌-ସ୍କୁଲ ପିଲା ଏବଂ ପ୍ରଜନନକ୍ଷମ ବୟସର ମହିଳାମାନଙ୍କୁ ଯୋଗାଇ ସେମାନଙ୍କ ପୁଷ୍ଟିସାଧନ ସ୍ଥିତିରେ ଉନ୍ନତି ଆଣିବାରେ ଆବଶ୍ୟକତା ରହିଛି । ଏହି କ୍ଷେତ୍ରରେ ଯେଉଁ ସବୁ ଆହ୍ୱାନ ଓ ସମସ୍ୟା ରହିଛି ତାହାକୁ ଠାବ କରି ବ୍ୟବସ୍ଥିତ ଓ ସଫଳତାର ସହିତ ସେସବୁର ସମାଧାନ କରିବାକୁ ନୀତି ଆୟୋଗ ଓ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫପି) ମିଳିତଭାବେ ଆଗ୍ରହ ପ୍ରକାଶ କରିଛନ୍ତି ।

ଏଥିପାଇଁ ନୀତି ଆୟୋଗ, ଡବ୍ଲୁଏଫପି ସହିତ ଏକ ଷ୍ଟେଟମେଣ୍ଟ ଅଫ ଇଣ୍ଟେଟ ବା ଚୁକ୍ତି ୨୦୨୧ ଡିସେମ୍ବର ୨୦ତାରିଖରେ ସ୍ୱାକ୍ଷର କରିଛି । ଦୁଇ ସଂଗଠନ ମଧ୍ୟରେ ଏ କ୍ଷେତ୍ରରେ ଯେଉଁ ଅଂଶୀଦାରୀ ହୋଇଛି, ସେଥିରେ ବାଜରା ଓ ସେହି ଜାତୀୟ ମୋଟା ଶସ୍ୟକୁ ଭୋଜନର ମୁଖ୍ୟଧାରାକୁ ଆଣିବା ଉପରେ ଗୁରୁତ୍ୱ ଦିଆଯିବ ।

ଆହୁରି ମଧ୍ୟ ୨୦୨୩ ଆନ୍ତର୍ଜାତିକ ବାଜରା (ମିଲେଟ)ବର୍ଷ ଭାବେ ପାଳିତ ହେବାକୁ ଯାଉଥିବା ଅବସରରେ ବାଜରା ଓ ସେହି ଜାତୀୟ ମୋଟା ଶସ୍ୟକୁ ଖାଦ୍ୟର ମୁଖ୍ୟଧାରାକୁ ଆଣି ଖାଉଟିଙ୍କ ନିକଟରେ ପହଞ୍ଚାଇବା କ୍ଷେତ୍ରରେ ଭାରତ ନେତୃତ୍ୱ ନେବାରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ସାହାଯ୍ୟ ସହଯୋଗ କରି ଏଥିରେ ଅଂଶୀଦାର ହେବ । ତା’ଛଡା ବିଭିନ୍ନ ଦେଶ ସହିତ ଭାରତ ଆବଶ୍ୟକ ଜ୍ଞାନ ଆଦାନପ୍ରଦାନ କରିବ । ଉଭୟପକ୍ଷ ମଧ୍ୟ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଏକ ସ୍ଥିତିସ୍ଥାପକ ଜୀବିକା ବ୍ୟବସ୍ଥା ତିଆରି  କରିବାରେ ମିଳିତଭାବେ କାମ କରିବେ ଏବଂ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ବାଜରା ଜାତୀୟ ମୋଟା ଶସ୍ୟ ଅଧିକ ଚାଷ କରିବାକୁ ଚାଷୀଙ୍କୁ ଆବଶ୍ୟକ ଦିଗ୍‌ଦର୍ଶନ ତଥା କୌଶଳ ଶିକ୍ଷା ଦେବେ । ଏହା ଫଳରେ ଭାରତ ଓ ବିଶ୍ୱର ଖାଦ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଘଟିବ ।

ଏହି ଚୁକ୍ତି ଫଳରେ ଭାରତରେ ଜଳବାୟୁ ଉପଯୋଗୀ କୃଷି ବ୍ୟବସ୍ଥା ନିର୍ମାଣ ପାଇଁ ଉଭୟପକ୍ଷ ମଧ୍ୟରେ ବୈଷୟିକ ସହଯୋଗ ରହିବ । ଏହାଫଳରେ ଖାଦ୍ୟ ଉତ୍ପାଦନ ବଢିବ ଏବଂ ଦେଶର ପୌଷ୍ଟିକ ନିରାପତ୍ତା ସୁନିଶ୍ଚିତ ହୋଇପାରିବ ।

ଉଭୟପକ୍ଷ ନିମ୍ନ ବିଷୟରେ ମିଳିତଭାବେ କାମ କରିବେ ।

  • ଭାରତର ନିର୍ଦ୍ଦିଷ୍ଟ ରାଜ୍ୟଗୁଡିକରେ ବାଜରା ଚାଷର ବିକାଶ ପାଇଁ ନୂଆ ରଣନୀତି ପ୍ରସ୍ତୁତ ସହ ଏହି ଚାଷର ଉତ୍ତମ ନୀତିଗୁଡିକୁ ନେଇ ଏକ ମିଳିତ କମ୍ପେଡିୟମ(ସଂକଳନ) ପ୍ରସ୍ତୁତ ହେବ । ଏହା ମାଧ୍ୟମରେ ଏହି ଫସଲକୁ ମୁଖ୍ୟଧାରାକୁ ଆଣି ଖାଉଟିଙ୍କ ପାଖରେ ସହଜରେ ପହଞ୍ଚାଇବାରେ ବ୍ୟବସ୍ଥା  କରାଯିବ ।
  • ଏହି ଚାଷର ପରିବର୍ଦ୍ଧନ ଓ ପ୍ରୋତ୍ସାହନ ପାଇଁ ମନୋନୀତ ହୋଇଥିବା ରାଜ୍ୟଗୁଡିକରେ ଆଇଆଇଏମ୍‌ଆର ଓ ଅନ୍ୟାନ୍ୟ ସହଯୋଗୀ ପ୍ରତିଷ୍ଠାନଗୁଡିକୁ ନିୟୋଜିତ କରାଯିବ । ବାଜରା ଭଳି ମୋଟାଶସ୍ୟର ବହୁଳ ବ୍ୟବହାର ପାଇଁ କେନ୍ଦ୍ର ଓ ରାଜ୍ୟସରକାର, ବିଭିନ୍ନ ସରକାରୀ ବିଭାଗ, ସଂସ୍ଥା, ଶୈକ୍ଷିକ ଅନୁଷ୍ଠାନ, ଏ କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ସଂସ୍ଥାଙ୍କ ପରାମର୍ଶ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ । ବହୁପାକ୍ଷିକ ପରାମର୍ଶ ସହିତ ଏଥିପାଇଁ ବୈଷୟିକ ସହଯୋଗ ନୀତି ଆୟୋଗ ଓ ବିଶ୍ୱ ଖାଦ୍ୟ ସଂଗଠନ ଯୋଗାଇ ଦେବେ । ଏ କ୍ଷେତ୍ରରେ ଜାତୀୟ ପରାମର୍ଶ ବ୍ୟବସ୍ଥା ଉଭୟପକ୍ଷ ତିଆରି କରିବେ ।
  • ବାଜରା ଭଳି ମୋଟା ଶସ୍ୟ ଚାଷ ଓ ବ୍ୟବହାର କ୍ଷେତ୍ରରେ ଭାରତର ଯେଉଁ ଅଭିଜ୍ଞତା ରହିବ ସେ ସମ୍ପର୍କୀତ ଜ୍ଞାନ ଓ ଅଭିଜ୍ଞତାକୁ ଭାରତ ବିଶ୍ୱର ଅନ୍ୟାନ୍ୟ ଦେଶକୁ ଯୋଗଇଦେବ । ଏହି ଜ୍ଞାନ ଆଦାନପ୍ରଦାନ ପ୍ରକ୍ରିୟା ଓ ବଜରା ବ୍ୟବହାର ବୃଦ୍ଧି ପାଇଁ ଏକ ଜ୍ଞାନ ପରିଚାଳନାମଞ୍ଚ (ପ୍ଲାଟଫର୍ମ) ଗଠିତ ହେବ ।

ନିମ୍ନଲିଖିତ ଚାରିଟି ପର୍ଯ୍ୟାୟରେ ଏହି  ଅଂଶୀଦାରୀର ଫଳାଫଳ ହାସଲ ହେବ ।

ପର୍ଯ୍ୟାୟ-୧- ବାଜରାକୁ ଏକ ପ୍ରମୁଖ ଖାଦ୍ୟଭାବେ ମୁଖ୍ୟଧାରାକୁ ଆଣିବା ପାଇଁ ଶ୍ରେଷ୍ଠ ନୀତି ଓ ପରିବର୍ଦ୍ଧନ ରଣନୀତି ସମ୍ପର୍କରେ ଏକ ସଂକଳନ ପ୍ରସ୍ତୁତ କରାଯିବ ।

ପର୍ଯ୍ୟାୟ-୨- ବାଜରାକୁ ପ୍ରମୁଖ ଖାଦ୍ୟଭାବେ ମୁଖ୍ୟଧାରାକୁ ଆଣିବା ପାଇଁ ବିଭିନ୍ନ ଉଦ୍ୟମକୁ ପ୍ରୋତ୍ସାହନ ଓ ସହାୟତା ଯୋଗାଇ ଦିଆଯିବ । ଏହାଛଡା ଏଥିପାଇଁ ମନୋନୀତ ହୋଇଥିବା ରାଜ୍ୟଗୁଡିକ ସହ ଘନିଷ୍ଠ ସମ୍ପର୍କ ରଖି ଏହି କାର୍ଯ୍ୟକ୍ରମରେ ଦିଗ୍‌ଦର୍ଶନ ପ୍ରଦାନ କରାଯିବ ।

ପର୍ଯ୍ୟାୟ-୩- ବାଜରା ଜାତୀୟ ଫସଲର ଚାଷ ଓ ମୋଟ ଶସ୍ୟ ବ୍ୟବହାର କ୍ଷେତ୍ରରେ ଭାରତର ଜ୍ଞାନ ଓ ଅଭିଜ୍ଞତାକୁ ବିକାଶଶୀଳ ରାଷ୍ଟ୍ରଙ୍କ ପାଖରେ ପହଞ୍ଚାଇ ଏହି ଖାଦ୍ୟଶସ୍ୟକୁ ଖାଉଟିଙ୍କ ପାଇଁ ପ୍ରମୁଖ ବ୍ୟବହାର୍ଯ୍ୟ ସାମଗ୍ରୀରେ ପରିଣତ କରିବାକୁ ଉଦ୍ୟମ ହେବ । ଏହା ଫଳରେ ଏହି ଖାଦ୍ୟ ମୁଖ୍ୟଧାରାକୁ ସହଜରେ ଆସିପାରିବ ।

ପର୍ଯ୍ୟାୟ ୪- ଜଳବାୟୁ ସ୍ଥିତିସ୍ଥାପକ ଓ ପରିବର୍ତ୍ତିତ ପାଣିପାଗ ଉପଯୋଗୀ କୃଷି ଜୀବିକା ନିର୍ମାଣ ଓ ଦକ୍ଷତା ବିକାଶ ଦିଗରେ କାର୍ଯ୍ୟ କରାଯିବ ।