Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଘଟଣ: ରୋଗୀ ସଂପର୍କୀୟଙ୍କ ଆକ୍ରମଣରେ ଲହୁ ଲୁହାଣ ହେଲେ ଡାକ୍ତର

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ୱାସ୍ଥ୍ୟ କେନ୍ଦ୍ରରେ ପଶି ଡାକ୍ତରଙ୍କୁ ରୋଗୀଙ୍କସମ୍ପର୍କୀୟମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବହିଃବିଭାଗକୁ ପଶି ଡାକ୍ତରଙ୍କୁ ୬ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ସମ୍ପୃକ୍ତ ଡାକ୍ତର ଜଣଙ୍କ ଲହୁ ଲୁହାଣ ହୋଇଛନ୍ତି।

ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ନୟାଗଡ ଜିଲ୍ଲା ଚାନ୍ଦପୁର ଶାସ୍ତ୍ରୀନଗରର ଜଣେ ମହିଳା ଚିକିତ୍ସା ପାଇଁ ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ ଜଣେ ଶିଶୁ ଗୁରୁତର ଅବସ୍ଥାରେ ମେଡିକାଲକୁ ଆସିଥିଲେ। କିନ୍ତୁ ଶିଶୁର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ସେହି ଶିଶୁର ଚିକିତ୍ସା କରିଥିଲେ।

ଏଥିରେ ମହିଳା ରୋଗୀଙ୍କ ସଂପର୍କୀୟ ଉତ୍ୟକ୍ତ ହୋଇ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମାଡ ମାରିଥିଲେ। ସମ୍ପର୍କୀୟଙ୍କ ଆକ୍ରମଣରେ ଡାକ୍ତରଙ୍କ ଆଖି, ବେକ, ମୁହଁରେ ଆଘାତ ଲାଗିଛି। ଏହା ସହ ଡାକ୍ତରଙ୍କୁ ଜୀବନରେ ମାରି ଦେବା ପାଇଁ ଦୁର୍ବୁତ୍ତମାନେ ଧମକ ଦେଇଥିଲେ। ଆକ୍ରମଣର ଶୀକାର ହୋଇଛନ୍ତି ଡାକ୍ତର ସୁଭାଶିଷ ଷଡଙ୍ଗୀ। ଆକ୍ରମଣ ସମୟରେ ସେଠାରେ ଉପସ୍ଥିତ ଥିବା ମେଡିକାଲର ସୁରକ୍ଷା କର୍ମୀ, ଆଟେଣ୍ଡାଣ୍ଟ ଡାକ୍ତରଙ୍କୁ ଵଂଚାଇବାକୁ ଯାଇ ଆକ୍ରମଣର ଶିକାର ମଧ୍ୟ ହୋଇଥିଲେ। ବର୍ତ୍ତମାନ ମେଡିକାଲରେ ରୋଗୀ ସେବା ବନ୍ଦ ରହିଛି। ଖବର ପାଇ ଟାଙ୍ଗୀ ଅତିରିକ୍ତ ତହସିଲଦାର ସରତ ଦେହୁରୀ, ଟାଙ୍ଗୀ ଥାନା ଆଇଆଇସି ବିଜୟ ମଲିକ ଓ ପୋଲିସ୍ ଫୋର୍ସ ମେଡିକାଲରେ ପହଞ୍ଚିଥିଲା।

ବର୍ତ୍ତମାନ ମିଳିଥିବା ଖବର ଅନୁଯାୟୀ, ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଟାଙ୍ଗୀ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଦ୍ୱୟ ରୋଗୀଙ୍କ ସମ୍ପର୍କୀୟ ବୋଲି ଜଣାପଡିଥିବା ବେଳେ ସମସ୍ତ ଅଭିଯୁକ୍ତମାନେ ଗୋଟିଏ ପରିବାର ବୋଲି ସୂଚନା ରହିଛି।