Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡ଼ିରେ ଯୋଗଦେଲେ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର

ଭୁବନେଶ୍ୱର: କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀର ଲୋକପ୍ରିୟ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ଡାକ୍ତର ପ୍ରଫେସର ଦେବାନନ୍ଦଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ।

ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଓ ହେପାଟୋଲୋଜିଷ୍ଟର ବିଶେଷଜ୍ଞ ଭାବେ ଡାକ୍ତର ମହାପାତ୍ର ଦୀର୍ଘ ୨୯ ବର୍ଷ କାଳ ପ୍ରଫେସର ଭାବେ କାର୍ଯ୍ୟ କରି ବହୁ ଲୋକପ୍ରିୟତା ହାସଲ କରିଛନ୍ତି । ତାଛଡା ସେ ବିଭିନ୍ନ ଡାକ୍ତର ସଂଘ ଓ ସାମାଜିକ ଅନୁଷ୍ଠାନ ସହ ଜଡିତ ଥିଲେ । ଆଜି ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ରଙ୍କ ଯୋଗଦାନ ଫଳରେ ବିଶେଷକରି ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଲୋକପ୍ରିୟ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।

ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।