Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟାଟା ପାୱାର ପକ୍ଷରୁ ପ୍ରଥମ ଥର ଲାଗି ଡ୍ରୋନ କ୍ୟାମେରା ନିୟୋଜିତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଟାଟା ପାୱାର ଏସ.ଓ.ଡି.ଏଲ ପକ୍ଷରୁ  ପ୍ରଥମ ଥର ଲାଗି ଡ୍ରନ କ୍ୟାମେରା ନିୟୋଜିତ ହୋଇଛି। ସମ୍ପୃକ୍ତ ବିଭାଗ ପକ୍ଷରୁ ଏକ ଅତ୍ୟାଧୁନିକ ଡ୍ରୋନ ସର୍ଭେ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଏହି ଡ୍ରୋନରେ ଅତ୍ୟାଧୁନିକ କେମେରା ସହ ଉନ୍ନତ ମାନର ଯନ୍ତ୍ର ବ୍ୟବହୃତ ହୋଇଛି।

ଯାହା ଦ୍ଵାରା ଆକାଶ ମାର୍ଗରୁ ବଡ଼ ବଡ଼ ବିଦ୍ୟୁତ୍ ଖୁଣ୍ଟର ତ୍ରୁଟି ଏବଂ ଜିଲ୍ଳାର ବିଭିନ୍ନ ସ୍ଥାନରେ ଥିବା ଗ୍ରିଡ ଷ୍ଟେସନ୍ ମାନଙ୍କରେ ନଜର ରଖାଯିବ। ମାଲକାନଗିରି ଜିଲ୍ଲାର ଜଙ୍ଗଲ ପାହାଡ଼ ଅଂଚଳରେ ଏହି ଡ୍ରନ ୧୨୦ ଫୁଟ୍ ଉଚ୍ଚତାରେ ୧୦ କିଲୋମିଟର ଦୂରତା ପଯ୍ୟନ୍ତ ଅତିକ୍ରମ କରି ତ୍ରୁଟି ଖୋଜିବାରେ ସହାୟକ ହେବ।

ଯାହା ଫଳରେ ଅତି କମ ସମୟରେ ତ୍ରୁଟିର ସମାଧାନ କରାଯାଇପାରିବ। ଆଉ ଉପଭୋକ୍ତାଙ୍କୁ ପୂର୍ବ ଭଳି ଅଧିକ ସମୟ ଧରି ବିଦ୍ୟୁତ ସେବାରୁ ବଞ୍ଚିତ ହେବାକୁ ପଡ଼ିବ ନାହିଁ ବୋଲି ଟାଟା ପାୱାର ଏସ.ଓ.ଡି.ଏଲ ର ନିର୍ବାହୀ ଯନ୍ତ୍ରୀ ଆଶିଷ ଜେନା ପ୍ରକାଶ କହିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାରେ ଉନମୋଚିତ ହେଲା ଭାରତର ପ୍ରଥମ ଫୁଲି ଅଟୋନୋମସ ଲଜିଷ୍ଟିକ୍ସ ଡ୍ରୋନ ‘ଏୟାର ଓର୍‌କା’

ଭୁବନେଶ୍ୱର: ଓଡିଶାରେ ଅବସ୍ଥାପିତ ଏକ ଟେକ୍ ଷ୍ଟାର୍ଟଅପ୍ ବନ ଭି ଏରୋ ପକ୍ଷରୁ ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି କ୍ୟାମ୍ପସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତର ପ୍ରଥମ ଫୁଲି ଅଟୋନୋମସ ଲଜିଷ୍ଟିକ୍ସ ଡ୍ରୋନ୍ ଏୟାର ଓର୍‌କାର ଔପଚାରିକ ଶୁଭାରମ୍ଭ କରାଯାଇଛି।

ଟେସଲା ଏବଂ ହଟମେଲ୍ ଭଳି କମ୍ପାନୀରେ ନିଜର ପ୍ରାରମ୍ଭିକ ପୁଞ୍ଜିନିବେଶ ପାଇଁ ଜଣାଶୁଣା ପ୍ରଖ୍ୟାତ ଉଦ୍ୟୋଗପତି ଟିମ୍ ଡ୍ରେପରଙ୍କ ସମେତ ଇନଫ୍ଲାକ୍ସନ ପଏଂଟ ଭେଂଚର୍ସ, ହେଡଷ୍ଟାର୍ଟ, ବିୟୋଣ୍ଡ ଭେଂଚର୍ସ, ଇଣ୍ଡସ ବ୍ରିଜ୍ ଭେଂଚର୍ସ, ଆଇଆଇଟି ମଣ୍ଡି କ୍ୟାଟାଲିଷ୍ଟ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଶିଳ୍ପ ଭେଟେରାନମାନଙ୍କ ଉପସ୍ଥିତି ଦ୍ୱାରା ଭାରତର ଡ୍ରୋନ୍ ଏବଂ ଲଜିଷ୍ଟିକ୍ ଟେକ୍ନୋଲୋଜିରେ ଏହି ମାଇଲଖୁଂଟର ଗୁରୁତ୍ୱ ଆହୁରି ବୃଦ୍ଧି ପାଇଛି। ଡ୍ରେପର୍‌ଙ୍କ ସମର୍ଥନ ବନ୍ ଭି ଏରୋରେ ଆନ୍ତର୍ଜାତୀୟ ଆଗ୍ରହକୁ ଆଲୋକପାତ କରିଛି, ଯାହା ଓଡିଶାକୁ ଅତ୍ୟାଧୁନିକ ବୈଷୟିକ ଉଦ୍ଭାବନ ପାଇଁ ଏକ ଉଦୀୟମାନ କେନ୍ଦ୍ର ଭାବେ ଅବସ୍ଥାପିତ କରିଛି।

ଏସମ୍ପର୍କରେ ବନ୍ ଭି ଏରୋର ସିଇଓ ସତ୍ୟବ୍ରତ ଶତପଥୀ କହିଛନ୍ତି, “ଏୟାର ଓର୍‌କାର ଆଜିର ଶୁଭାରମ୍ଭ ଭାରତର ପରିବହନ କ୍ଷେତ୍ର ପାଇଁ ଏବଂ ଓଡିଶା-ଭିତିକ କମ୍ପାନୀ ଭାବେ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ଚିହ୍ନିତ କରିଛି। ଏହି ଡ୍ରୋନକୁ ସ୍ୱଦେଶୀ ଭାବେ ବିକାଶ ଓ ନିର୍ମାଣ କରିବା, ଆମକୁ ଭାରତର ସ୍ୱତନ୍ତ୍ର ଆବଶ୍ୟକତା ପାଇଁ ନିର୍ମାଣ କରିବା ଲାଗି ଅନୁମତି ଦେଇଛି ।

ଟିମ୍ ଡ୍ରେପର୍‌ଙ୍କ  ସହଯୋଗ ଏହି ଶୁଭାରମ୍ଭର ପ୍ରଭାବକୁ ଆହୁରି ମଜବୁତ କରିଛି ଏବଂ ଆମେ ତାଙ୍କର ସମ୍ପୃକ୍ତି ପାଇଁ କୃତଜ୍ଞ ଅଟୁ କାରଣ ଆମେ ଏୟାର ଓର୍‌କାର ଲାଭକୁ ଭାରତରେ ଉଭୟ ବେସାମରିକ ଓ ପ୍ରତିରକ୍ଷା ପ୍ରୟୋଗଗୁଡିକ ପାଇଁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛୁ।” ଟିମ୍ ଡ୍ରେପର୍ ଏହି କାର୍ଯ୍ୟକ୍ରମରେ ନିଜର ଉତ୍ସାହ ବ୍ୟକ୍ତ କରି କହିଛନ୍ତି, “ଓଡିଶାରେ ଏୟାର ଓର୍‌କାର ଶୁଭାରମ୍ଭର ସାକ୍ଷୀ ହେବା ଉତ୍ସାହଜନକ ଅଟେ।

ଏୟାର ଓର୍‌କା ଭଳି ଅଟୋନୋମସ ଡ୍ରୋନଗୁଡିକ ବିପର୍ଯ୍ୟୟ ମୁକାବିଲାଠାରୁ ଆରମ୍ଭ କରି ଅତ୍ୟଧିକ ଉଚ୍ଚ ସ୍ଥାନରେ ପରିଚାଳନା ପର୍ଯ୍ୟନ୍ତ ଅସଂଖ୍ୟ ବ୍ୟବହାର ମାମଲା କ୍ଷେତ୍ରରେ ପହଂଚ, ନମନୀୟତା ଓ ନିର୍ଭରଯୋଗ୍ୟତା ବିସ୍ତାର କରି ଆଧୁନିକ ପରିବହନ ପାଇଁ ବ୍ୟବହାରିକ ସମାଧାନ ପ୍ରଦାନ କରୁଛି। ମୁଁ ଅନୁମାନ କରୁଛି ଯେ ବୋନ ଭି ଏରୋର ଉଦ୍ଭାବନ ଭାରତ ଏବଂ ବିଶ୍ୱସ୍ତରରେ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ପ୍ରଭାବଶାଳୀ ଉପକରଣ ହୋଇପାରିବ।”

ଏୟାର ଓର୍‌କା ଡ୍ରୋନ୍‌କୁ ବନ୍ ଭି ଏରୋ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ଭାରତରେ ପରିକଳ୍ପନା, ବିକାଶ ଓ ନିର୍ମାଣ କରାଯାଇଛି। ଆଡ୍‌ଭାନ୍ସଡ ଅଟୋନୋମସ କ୍ଷମତା ସହିତ ଏୟାର ଓର୍‌କାକୁ ବିଭିନ୍ନ ପ୍ରକାରର ପରିବହନ ସମସ୍ୟାଗୁଡିକର ସମାଧାନ କରିବା ପାଇଁ ନିର୍ମାଣ କରାଯାଇଛି, ବିଶେଷ କରି ଉକ୍ତ ଅଂଚଳଗୁଡିକରେ ଯେଉଁଠାରେ ପାରମ୍ପରିକ ପରିବହନ ପଦ୍ଧତି ଅସାଧ୍ୟ ଅଟେ। ଏହି ଡ୍ରୋନକୁ  ବିପର୍ଯ୍ୟୟ ପରବର୍ତୀ ସ୍ଥିତିରେ ଏକ ପ୍ରଥମ ପ୍ରତିକ୍ରିୟାଶୀଳ ମାଧ୍ୟମ ରୂପେ କାର୍ଯ୍ୟ କରିବା, ପ୍ରଭାବିତ ଅଂଚଳଗୁଡିକରେ ରିଲିଫ୍ ସାମଗ୍ରୀ ପହଂଚାଇବା ଏବଂ ଜରୁରୀକାଳିନ ସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି।

ଏହାର ହାଇ-ଅଲ୍ଟିଚ୍ୟୁଡ କ୍ଷମତାଗୁଡିକ ଏହାକୁ  ହିମାଳୟ ସମେତ ଆହ୍ୱାନପୂର୍ଣ୍ଣ ଭୂଭାଗରେ ପ୍ରାୟ ୨୦,୦୦୦ ଫୁଟ୍ ଉଚ୍ଚତାରେ ସେନାର ଲଜିଷ୍ଟିକ୍ସ ଅପରେଶନ ପାଇଁ ଉପଯୁକ୍ତ କରୁଛି। ବୋନ ଭି ଏରୋ ହେଉଛି ପ୍ରଥମ ଭାରତୀୟ କମ୍ପାନୀ ଯିଏ ୧୯,୦୨୪ ଫୁଟ ଉଚ୍ଚତାରେ ସବୁଠାରୁ ଉଚ୍ଚତମ ମୋଟରେବଲ ରୋଡ଼ ପାସ, ଲଦାଖର ଉମଲିଙ୍ଗ ଲା ଠାରେ ୩୦ କିଲୋଗ୍ରାମର ପେଲୋଡ୍ ଉଠାଇ ବିଶ୍ୱ ରେକର୍ଡ ସ୍ଥାପନ କରିଛି। ଏତେ ଉଚ୍ଚତାରେ ସମାନ ମାଲ ପରିବହନ ବେଳେ ଅଧିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ହେଲିକପ୍ଟରକୁ ଏହି ପ୍ରଦର୍ଶନ ପଛରେ ପକାଇଦେଇଛି।

ଏୟାର ଓର୍‌କା ସହିତ ବନ୍ ଭି ଏରୋ ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟସେବା, ଇକମର୍ସ, ସେନାର ପରିବହନ ଓ ବିପର୍ଯ୍ୟୟ ପରିଚାଳନା ଭଳି ବିଭିନ୍ନ କ୍ଷେତ୍ରରେ ବିବିଧ ପରିବହନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଲକ୍ଷ୍ୟ ରଖିଛି। ଏହି ଶୁଭାରମ୍ଭ ଭାରତର ଟେକ୍ନୋଲୋଜି ଇକୋସିଷ୍ଟମରେ ଓଡିଶା ଭିତିକ କମ୍ପାନୀଗୁଡିକର ବର୍ଦ୍ଧିତ ଭୂମିକାକୁ ରେଖାଙ୍କିତ କରୁଛି ଏବଂ ସ୍ଥାନୀୟ ଉଦ୍ଭାବନ କିଭଳି ଜାତୀୟ ଓ ଆନ୍ତର୍ଜାତୀୟ ସ୍ୱୀକୃତି ହାସଲ କରୁଛି ତାହାକୁ ପ୍ରଦର୍ଶିତ କରୁଛି।

୨୦୨୧ରେ ୭ ଜଣ ସଦସ୍ୟଙ୍କର ଏକ ଛୋଟ ଟିମ୍ ସହ ନିଜର ଯାତ୍ରା ଆରମ୍ଭ କରିଥିବା ବନ୍ ଭି ଏରୋକୁ  ଭୁବନେଶ୍ୱର ଉପକଣ୍ଠରେ ସିଭି ରମଣ ବିଶ୍ୱବିଦ୍ୟାଳୟ ଠାରେ କାର୍ଯ୍ୟକ୍ଷମ କରାଯାଇଥିଲା। ଏହି ଷ୍ଟାର୍ଟଅପ୍ ୪୦ ଜଣ ସଦସ୍ୟଙ୍କ ଏକ ଟିମ୍‌କୁ ବିସ୍ତାର ହୋଇଛି ଏବଂ ବର୍ତମାନ ଏହା ସମାନ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଏକ ଉତ୍ସର୍ଗୀକୃତ ମାନୁଫ୍ୟାକ୍‌ଚରିଂ ୟୁନିଟ୍‌ର ପରିଚାଳନା କରୁଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶା ଷ୍ଟାର୍ଟଅପ ବିଶ୍ୱ ରେକର୍ଡ, ବନଭି ଏରୋ ପକ୍ଷରୁ ଲଦାଖର ଗିରିଶୃଙ୍ଗରେ ୟୁଏଭି ହୋଭରର ପରୀକ୍ଷଣ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଏରିଏଲ୍ ମୋବିଲିଟି ମାନୁଫ୍ୟାକ୍‌ଚରିଂ ଫାର୍ମ ତଥା ଓଡ଼ିଶାର ବନ୍‌ଭି ଏରୋ ହାଇ-ଅଲ୍ଟିଚ୍ୟୁଡ ଅନ୍‌ମ୍ୟାନ୍‌ଡ ଏରିଏଲ୍ ଭେଇକିଲ୍ସ (ୟୁଏଭି) ଟେକ୍ନୋଲୋଜି କ୍ଷେତ୍ରରେ ଏକ ନୂଆ ବିଶ୍ୱ ରେକର୍ଡ ହାସଲ କରି ଇଂଣ୍ଟନ୍ୟାଶନାଲ ବୁକ୍ ଅଫ୍ ରେକର୍ଡସ୍‌ରେ ପ୍ରବେଶ କରିଛି।

ଭାରତୀୟ ସେନାରେ ହେଭି-ଲିଫ୍ଟ ୟୁଏଭିଗୁଡିକର ଏକ ପ୍ରମୁଖ ଯୋଗାଣକାରୀ ଭାବେ ଏହି କମ୍ପାନୀ ୩୦କେଜିର ପେଲୋଡ଼ ପରିବହନ କରି ୧୯,୦୨୪ ଫୁଟ୍‌ର ଏକ ଅଲ୍ଟିଚ୍ୟୁଡରେ ଏକ ହୋଭର ଫ୍ଲାଇଟ୍ ପରୀକ୍ଷଣ ସମ୍ପୂର୍ଣ୍ଣ କରିଛି। ଯାହାକି ହାଇ-ଅଲ୍ଟିଚ୍ୟୁଡ ସେଟିଙ୍ଗ୍‌ରେ ୟୁଏଭି ପରିଚାଳନା ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛି।

ଏହି ପରୀକ୍ଷଣକୁ ଲଦାଖର ଉମ୍‌ଲିଙ୍ଗ ଲା ପାସ୍‌ଠାରେ ସଫଳତାର ସହ ପରିଚାଳନା କରାଯାଇଛି, ଯାହାକି ବିଶ୍ୱର ସର୍ବୋଚ୍ଚ ମୋଟୋରେବୁଲ ମାଉଂଟେନ ପାସ୍ ଭାବେ ପରିଚିତ ଅଟେ । ବନ୍‌ଭି ଏରୋର ୟୁଏଭି ପ୍ଲାଟ୍‌ଫର୍ମ  ୩୦କେଜିର ପେଲୋଡ୍ ଉଠାଇ ଏବଂ ୧୦୦କେଜିର ମୋଟ ଟେକ୍‌ଅଫ୍ ଓଜନ ସହ ୧୯୦୨୪ ଫୁଟ୍‌ରେ ଉଡାଣ ଭରି ନିଜର କ୍ଷମତାକୁ ପ୍ରଦର୍ଶିତ କରିଛି।

ଏସମ୍ପର୍କରେ କମ୍ପାନୀର ସହପ୍ରତିଷ୍ଠାତା ଓ ସିଇଓ ସତ୍ୟବ୍ରତ ଶତପଥୀ କହିଛନ୍ତି, “ବନ୍‌ଭି ଏରୋରେ ଏହି ବିଶ୍ୱ ରେକର୍ଡ ଆମ ପାଇଁ ଏକ ଗୌରବମୟ ମୁହୂର୍ତ ଅଟେ। ଆମେ ଏଭଳି ଏକ ୟୁଏଭି ପ୍ଲାଟ୍‌ଫର୍ମ ନିର୍ମାଣ କରିବା ପାଇଁ ଭାରତୀୟ ସେନା ସହ ସହଭାଗିତା କରିଛୁ ଯାହା ହାଇ-ଅଲ୍ଟିଚ୍ୟୁଡ ଅଂଚଳଗୁଡିକରେ ସେମାନଙ୍କର ପରିବହନ ସମସ୍ୟାଗୁଡିକୁ ସମାଧାନ କରୁଛି ।

ଏହି ପରୀକ୍ଷଣ ଆମର ପ୍ରତିରକ୍ଷା ବାହିନୀ ପାଇଁ ଆକାଶ ମାର୍ଗରେ ଯାତାୟତ ସମାଧାନକୁ ଉନ୍ନତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ରେଖାଙ୍କିତ କରୁଛି ।” ଏହା ତୁଳନାରେ, ସିଆଚେନ (ଏଏମ୍‌ଏସ୍‌ଏଲ୍‌ଠାରୁ ୧୨୦୦୦ରୁ ୧୮୦୦୦ ଫୁଟ୍ ଉଚ୍ଚତାରେ) ଭଳି ଅଂଚଳଗୁଡିକରେ ହାଇ-ଅଲ୍ଟିଚ୍ୟୁଟ୍ ଅପରେଶନ ପାଇଁ ବ୍ୟବହାର କରାଯାଉଥିବା ଚିତା ହେଲିକପ୍ଟର  ସମାନ ଅଲ୍ଟିଚ୍ୟୁଡରେ ସର୍ବାଧିକ ୨୦ କେଜି ପରିବହନ କରିପାରିଥାଏ। ବନ୍‌ଭି ଏରୋର ୟୁଏଭି ପ୍ଲାଟ୍‌ଫର୍ମ  ଅଧିକ ଭାରି ପେଲୋଡ୍ ନିୟନ୍ତ୍ରଣ କରିବା ପାଇଁ କ୍ଷମତାକୁ ପ୍ରଦର୍ଶିତ କରୁଛି।

କମ୍ପାନୀର ସହ-ପ୍ରତିଷ୍ଠାତା ଓ ସିଟିଓ ଅବିନାଶ ସାହୁ କହିଛନ୍ତି, “ଆମେ ବିଶ୍ୱାସ କରୁଛୁ ଯେ, ଏହା ୟୁଏଭି ହାଇ-ଅଲ୍ଟିଚ୍ୟୁଡରେ ଯାହା ହାସଲ କରିପାରିବ ତାହାର ଆରମ୍ଭ ମାତ୍ର । ଏହି ସଫଳତା ଆମର ଇନ୍‌-ହାଉସ୍ ଆର୍‌ଆଣ୍ଡ୍‌ଡି, ଡିଜାଇନ କ୍ଷମତା ଓ ସ୍ୱଦେଶୀ ପ୍ରପଲ୍‌ସନ ସିଷ୍ଟମଗୁଡିକ କାରଣରୁ ସମ୍ଭବ ହୋଇଛି।

ଏହି ପ୍ଲାଟ୍‌ଫର୍ମ ଏକ ବିବିଧ ଶୃଙ୍ଖଳାର ବ୍ୟବହାରିକ ମାମଲା ପ୍ରଦାନ କରୁଛି ଯେଉଁଥିରେ ହ୍ୟୁମାନିଟାରିଆନ ଏଡ୍ ଆଣ୍ଡ ଡିଜାଷ୍ଟର ରେସ୍‌ପନ୍ସ (ଏଚ୍‌ଏଡିଆର୍‌) ସେକ୍ଟରରେ ପ୍ରୟୋଗଗୁଡିକ ସାମିଲ ରହିଛି।” ଏହି ସଫଳତା ସହିତ ବନ୍‌ଭି ଏରୋ ହେଭି-ଲିଫ୍ଟ ଲଜିଷ୍ଟିକ୍ସ ୟୁଏଭି ସେଗ୍‌ମେଂଟ୍ କ୍ଷେତ୍ରରେ ଏକ ଲିଡର ଭାବେ ନିଜର ସ୍ଥିତିକୁ ସୁଦୃଢ କରିଛି ଏବଂ ଅଧିକ ଚାହିଦାପୂର୍ଣ୍ଣ ପରିବେଶ ପାଇଁ ନିଜ ପ୍ଲାଟ୍‌ଫର୍ମକୁ ଆହୁରି ବିକଶିତ କରିବାକୁ ଯୋଜନା ରଖିଛି।

ଏହି ସଫଳତା ହାଇ-ଅଲ୍ଟିଚ୍ୟୁଡ ଲଜିଷ୍ଟିକ୍ସ ପ୍ରତି ଯୋଗଦାନ ଦେବା ପ୍ରତି ୟୁଏଭି ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ, ଯାହା ଉଭୟ ମିଲିଟାରୀ ଓ ସିଭିଲିଆନ ଡୋମେନଗୁଡିକରେ ଜଟିଳ ଆବଶ୍ୟକତାକୁ ପୂରଣ କରୁଛି। ଏଆଇସି-ସିଜିୟୁ ଓ ସି.ଭି ରମଣ ଗ୍ଲୋବାଲ ୟୁନିଭର୍ସିଟି ନିଜର ଇନ୍‌କ୍ୟୁବେଟେଡ ଷ୍ଟାର୍ଟଅପ ବନ୍‌ଭି ଏରୋର ସଫଳତାକୁ ଗର୍ବର ସହ ପାଳନ କରିଛି ଟିମ୍‌। ଏହି ଯାତ୍ରାରେ ନିଜର ଦୃଢ ସମର୍ଥନ ପାଇଁ ଷ୍ଟାର୍ଟଅପ୍ ଓଡିଶାକୁ କୃତଜ୍ଞତା ଜଣାଇଛି।

Categories
PIB_NEWS ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଅଟୋ, ଡ୍ରୋନ ଉଦ୍ୟୋଗ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନାକୁ ସରକାରଙ୍କ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ ସଂକଳ୍ପ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସରକାର ଅଟୋମୋବାଇଲ ଏବଂ ଡ୍ରୋନ ଉଦ୍ୟୋଗ କ୍ଷେତ୍ର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ମଞ୍ଜୁର କରିଛନ୍ତି। ଏହି ଉଦ୍ଦେଶ୍ୟ ନିମନ୍ତେ ୨୬, ୦୫୮ କୋଟି ଟଙ୍କାର ବଜେଟ ବ୍ୟୟବରାଦ କରାଯାଇଛି। ଅଟୋ କ୍ଷେତ୍ର ପାଇଁ ଏହି ପିଏଲଆଇ ଯୋଜନା ଉଚ୍ଚ ମୂଲ୍ୟର ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ବାହନ ଏବଂ ଉତ୍ପାଦନକୁ ପ୍ରୋତ୍ସାହିତ କରିବ। ଉନ୍ନତ ପ୍ରଯୁକ୍ତି, ଅଧିକ ଦକ୍ଷ ଏବଂ ସବୁଜ ଅଟୋମୋଟିଭ ଉତ୍ପାଦନ କ୍ଷେତ୍ରରେ ଏହା ଏକ ନୂତନ ଯୁଗର ଅୟମାରମ୍ଭ କରିବ।

ଏଥିପୂର୍ବରୁ ୨୦୨୧-୨୨ କେନ୍ଦ୍ର ବଜେଟରେ ୧.୯୭ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ସହିତ ୧୩ଟି କ୍ଷେତ୍ର ନିମନ୍ତେ ପିଏଲଆଇ ଯୋଜନା ଘୋଷଣା କରାଯାଇଥିଲା। ଏହାର ଅଂଶବିଶେଷ ଭାବେ ଅଟୋମୋବାଇଲ ଏବଂ ଡ୍ରୋନ ଉଦ୍ୟୋଗ କ୍ଷେତ୍ର ପାଇଁ ପିଏଲଆଇ ଯୋଜନାର ଘୋଷଣା କରାଯାଇଛି। ୧୩ଟି କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଘୋଷଣା ଫଳରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ସର୍ବନିମ୍ନ ୩୭.୫ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ନିବେଶ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହା ମଧ୍ୟ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ପାଖାପାଖି ୧ କୋଟି ଲୋକଙ୍କ ପାଇଁ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଅଟୋ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ମାଧ୍ୟମରେ ଭାରତରେ ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ଉତ୍ପାଦ ପ୍ରସ୍ତୁତ କରିବା କ୍ଷେତ୍ରରେ ଦେଖା ଦେଉଥିବା ବ୍ୟୟଜନିତ ଅକ୍ଷମତା ଦୂର କରିବାକୁ ପରିକଳ୍ପନା କରାଯାଇଛି। ଏହି ପ୍ରୋତ୍ସାହନ ଢାଞ୍ଚା ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ଉତ୍ପାଦର ସ୍ୱଦେଶୀ ବିଶ୍ୱ ଯୋଗାଣ ଶୃଙ୍ଖଳ ପାଇଁ ନୂତନ ନିବେଶ ନିମନ୍ତେ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବ। ଅଟୋମୋବାଇଲ ଏବଂ ଅଟୋ ସରଞ୍ଜାମ ଉଦ୍ୟୋଗ ପାଇଁ ପିଏଲଆଇ ଯୋଜନା କାର‌୍ୟ୍ୟକାରୀ କରାଯିବା ଫଳରେ ଆସନ୍ତା ପାଞ୍ଚ ବର୍ଷର ଅବଧିରେ ୪୨,୫୦୦ କୋଟି ଟଙ୍କାର ନୂତନ ନିବେଶ ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି। ସେହିପରି ଏହା ୨.୩ ଲକ୍ଷ କୋଟି ଟଙ୍କାର ବୃଦ୍ଧିଶୀଳ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ସହିତ ୭.୫ ଲକ୍ଷ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଆହୁରି ଏହା ବିଶ୍ୱ ଅଟୋମୋଟିଭ ବାଣିଜ୍ୟ କ୍ଷେତ୍ରରେ ଭାରତର ଯୋଗଦାନକୁ ବୃଦ୍ଧି କରିବ।

ଅଟୋ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ବର୍ତ୍ତମାନର ଅଟୋମୋଟିଭ କମ୍ପାନୀଗୁଡ଼ିକ ସହିତ ବର୍ତ୍ତମାନ ଅଟୋମୋବାଇଲ କିମ୍ବା ଅଟୋମୋବାଇଲ ଉପକରଣ ଉତ୍ପାଦନ ବ୍ୟବସାୟରେ ନଥିବା ନୂତନ ନିବେଶକଙ୍କ ପାଇଁ ଖୋଲା ରହିଛି। ଏହାର ଦୁଇଟି ଉପାଦାନ ରହିଛି ଯଥା : ଚାମ୍ପିୟନ ଓଇଏମ ଇନସେଣ୍ଟିଭ ଯୋଜନା ଏବଂ କମ୍ପୋନେଣ୍ଟ ଚାମ୍ପିୟନ ଇନସେଣ୍ଟିଭ ଯୋଜନା। ଚାମ୍ପିୟନ ଓଇଏମ ପ୍ରୋତ୍ସାହନ ଯୋଜନା ହେଉଛି ଏକ ‘ବିକ୍ରି ମୂଲ୍ୟ ସଂଯୁକ୍ତ’ ଯୋଜନା। ଏହା ସମସ୍ତ ସେଗମେଣ୍ଟର ବ୍ୟାଟେରୀ ଚାଳିତ ବିଦ୍ୟୁତ ବାହାନ ଏବଂ ହାଇଡ୍ରୋଜେନ ଇନ୍ଧନ ସେଲ ବାହନ ଉପରେ ଲାଗୁ ହେବ। କମ୍ପୋନେଣ୍ଟ ଚାମ୍ପିୟନ ପ୍ରୋତ୍ସାହନ ଯୋଜନା ଏକ ‘ବିକ୍ରି ମୂଲ୍ୟ ସଂଯୁକ୍ତ’ ଯୋଜନା ଅଟୋ, ଯାହା ବାହନଗୁଡ଼ିକର ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ଉପାଦାନ, କମ୍ପ୍ଲିଟଲି ନକ୍ଡ ଡାଉନ (ସିକେଡି) ସେମି ନକ୍ଡ ଡାଉନ (ଏସକେଡି) କିଟ, ଦୁଇ ଚକିଆ, ତିନି ଚକିଆ, ଯାତ୍ରୀବାହୀ ବାହନଗୁଡ଼ିକର ଏଗ୍ରୀଗେଟ୍ସ, ବାଣିଜ୍ୟିକ ବାହନ ଏବଂ ଟ୍ରାକ୍ଟର ଆଦି ଉପରେ ଲାଗୁ ହେବ।

ପୂର୍ବରୁ ଉନ୍ନତ କେମିଷ୍ଟ୍ରି ସେଲ (୧୮,୦୦୦ କୋଟି ଟଙ୍କା) ଏବଂ ବିଦ୍ୟୁତ ଚାଳିତ ବାହନ ଉତ୍ପାଦନର ଦ୍ରୁତ ଅନୁକରଣ (ଫେମ) ଯୋଜନା (୧୦,୦୦୦ କୋଟି ଟଙ୍କା) ପାଇଁ ପିଏଲଆଇ ଯୋଜନା କାର‌୍ୟ୍ୟକାରୀ ହୋଇଛି; ଏହା ସହିତ ଅଟୋମୋଟିଭ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା କାର‌୍ୟ୍ୟକାରୀ ହେବ। ଫଳରେ ପାରମ୍ପରିକ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳ ଅଟୋମୋବାଇଲ ପରିବହନ ପ୍ରଣାଳୀ ପରିବର୍ତ୍ତେ ପରିବେଶ ଅନୁକୂଳ ସ୍ୱଚ୍ଛ, ଦୀର୍ଘସ୍ଥାୟୀ, ଉନ୍ନତ ଏବଂ ଅଧିକ ଦକ୍ଷ ବିଦ୍ୟୁତ ଚାଳିତ ବାହନ (ଇଭି) ଆଧାରିତ ପ୍ରଣାଳୀ ଉପଯୋଗ ନିମନ୍ତେ ଭାରତ ସକ୍ଷମ ହୋଇପାରିବ।

ଡ୍ରୋନ ଏବଂ ଡ୍ରୋନ ଉପକରଣ ଉଦ୍ୟୋଗ ପାଇଁ ପିଏଲଆଇ ଯୋଜନା ଏହି ବୈପ୍ଳବିକ ଜ୍ଞାନକୌଶଳର ରଣନୈତିକ, ସାମରିକ ଏବଂ ପରିଚାଳନାଗତ ଉପଯୋଗ ଆବଶ୍ୟକତାର ସମାଧାନ କରୁଛି। ସ୍ପଷ୍ଟ ରାଜସ୍ୱ ଲକ୍ଷ୍ୟ ସହିତ ଉତ୍ପାଦ ଆଧାରିତ ପିଏଲଆଇ ଯୋଜନା ଏବଂ ଘରୋଇ ମୂଲ୍ୟ ବୃଦ୍ଧି ପ୍ରତି ଗୁରୁତ୍ୱ ଦିଆଯାଇଛି। କ୍ଷମତା ନିର୍ମାଣ ଏବଂ ଭାରତର ଅଭିବୃଦ୍ଧି ରଣନୀତି ନିମନ୍ତେ ଏଗୁଡ଼ିକ ପ୍ରମୁଖ ବାହକ ହୋଇପାରିବେ। ଡ୍ରୋନ ଏବଂ ଡ୍ରୋନ ଉପକରଣ ଉଦ୍ୟୋଗ ପାଇଁ ପିଏଲଆଇ ଯୋଜନା, ତିନି ବର୍ଷ ମଧ୍ୟରେ ୫,୦୦୦ କୋଟି ଟଙ୍କାରୁ ଅଧିକ ନୂନତ ନିବେଶ ଏବଂ ୧,୫୦୦ କୋଟି ଟଙ୍କାରୁ ଅଧିକ ବୃଦ୍ଧିଶୀଳ ଉତ୍ପାଦନ ନିମନ୍ତେ ମାର୍ଗପ୍ରଶସ୍ତ କରିବ। ଏହାଛଡ଼ା ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ପାଖାପାଖି ୧୦,୦୦୦ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।