Categories
ଆଜିର ଖବର ଜାତୀୟ ଖବର

ବିଜେପି ସହ ସମ୍ପର୍କ କାଟିଲେ ଏହି ତାମିଲ ଅଭିନେତ୍ରୀ: ଆଣିଲେ ଏଭଳି ଅଭିଯୋଗ

ନୂଆଦିଲ୍ଲୀ: ତାମିଲ ଅଭିନେତ୍ରୀ ଗୌତମୀ ତଡିମଲ୍ଲା ୨୫ ବର୍ଷ ଧରି ବିଜେପି ସଦସ୍ୟ ହେବା ପରେ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କ ତରଫରୁ ଏକ ବିବୃତ୍ତି ଜାରି କରାଯାଇଛି ଯେଉଁଥିରେ ସେ ଇସ୍ତଫା ଦେବାର କାରଣ ଦର୍ଶାଇଛନ୍ତି। ଗୌତମୀ କହିଛନ୍ତି ଯେ, ଦଳ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ସେ ସମ୍ମାନିତ କରିଛନ୍ତି, କିନ୍ତୁ ତାଙ୍କୁ ବିଜେପି ପକ୍ଷରୁ କୌଣସି ସମର୍ଥନ ମିଳିନାହିଁ। ଏହି କାରଣରୁ ସେ ତାଙ୍କ ଜୀବନର ସବୁଠାରୁ ବଡ ସଙ୍କଟରେ ଅଛନ୍ତି।

ଗୌତମୀ କହିଛନ୍ତି ଯେ, ‘ଆଜି ମୁଁ ମୋ ଜୀବନରେ ଏକ ଅବାଞ୍ଛିତ ସଙ୍କଟର ସମ୍ମୁଖୀନ ହୋଇଛି। ମୁଁ ଦଳର ନେତାଙ୍କଠାରୁ କୌଣସି ସହଯୋଗ ପାଇ ନାହିଁ। ମୁଁ ଜାଣିବାକୁ ପାଇଛି ଯେ, ମୁଁ ଏପରି ବ୍ୟକ୍ତିଙ୍କୁ ସାହାଯ୍ୟ କରୁଛି ଏବଂ ସମର୍ଥନ କରୁଛି ଯିଏ କେବଳ ମୋତେ ବିଶ୍ୱାସଘାତକତା କରିନାହାଁନ୍ତି ବରଂ ମୋ ଜୀବନର ରୋଜଗାର ମଧ୍ୟ ଛଡ଼ାଇ ନେଇଛି। ବାସ୍ତବରେ ସି ଅଲଗପନଙ୍କ ଆଡକୁ ଗୌତମୀ ସୂଚାଉଥିଲେ, ଯିଏ କି ତାଙ୍କ ସାଥୀ ଥିଲେ।

ସି ଅଲଗପନଙ୍କ ବିରୋଧରେ ମାମଲା ଦାୟର କରାଯାଇଛି:

ଅଲଗପନ ବିଷୟରେ ଅଭିନେତ୍ରୀ କହିଛନ୍ତି ଯେ, ସେ ତାଙ୍କ ଟଙ୍କା, ସମ୍ପତ୍ତି ଏବଂ ଡକ୍ୟୁମେଣ୍ଟ୍ ସହିତ ତାଙ୍କୁ ପ୍ରତାରଣା କରିଛନ୍ତି। ସେ କହିଛନ୍ତି ଯେ, ତାମିଲନାଡୁ ସରକାର ଏବଂ ନ୍ୟାୟ ବିଭାଗ ଉପରେ ତାଙ୍କର ବିଶ୍ୱାସ ରହିଛି ଏବଂ ସେ ନିଜ ତଥା ପିଲାଙ୍କ ଭବିଷ୍ୟତ ପାଇଁ ନ୍ୟାୟ ପାଇଁ ଲଢୁଛନ୍ତି। ସେପ୍ଟେମ୍ବରରେ ଗୌତମୀ ପୋଲିସ ନିକଟରେ ଅଭିଯୋଗ ଆଣିଥିଲେ ଯେ, ଭେଲାଚେରୀରେ ରହୁଥିବା ତାଙ୍କ ପରିଚିତ ସି ଅଲଗପନଙ୍କ ଏବଂ ତାଙ୍କ ପତ୍ନୀ ନାଚଲ 2୨୫ କୋଟି ଟଙ୍କା ଏବଂ ସମ୍ପତ୍ତିର ଅପବ୍ୟବହାର କରିଥିଲେ।

ଗୌତମୀ କହିଛନ୍ତି ଯେ, ତାମିଲନାଡୁରେ ୨୦୨୧ ବିଧାନସଭା ନିର୍ବାଚନ ସମୟରେ ବିଜେପି ତାଙ୍କୁ ରାଜପଲାୟମ ଆସନ ଅଫର ଦେଇଥିଲା। ଆସନ ତାଙ୍କୁ ଦିଆଯିବ ବୋଲି ଦଳ ପକ୍ଷରୁ ଏକ ଆଶ୍ଵାସନା ମଧ୍ୟ ଦିଆଯାଇଥିଲା। ତେବେ ଶେଷ ମୁହୂର୍ତ୍ତରେ ଏହି ଆସନ ଦିଆଯାଇନଥିଲା। ତାମିଲ ଅଭିନେତ୍ରୀ କହିଛନ୍ତି ଯେ, ଏହି ସବୁ ଘଟଣା ପରେ ମଧ୍ୟ ସେ ଦଳ ପ୍ରତି ବିଶ୍ୱସ୍ତ ରହିଥିଲେ। କିନ୍ତୁ ଯେତେବେଳେ ସେ ଦଳର ସମର୍ଥନ ପାଇନଥିଲେ ସେତେବେଳେ ସେ ଭାଙ୍ଗି ପଡିଥିଲେ।