Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦେଶରେ “ସି ପ୍ଲେନ୍‌’ ଚଳାଚଳ: କେନ୍ଦ୍ର ତାଲିକାରୁ ବାଦ୍ ପଡିଲା ଓଡିଶା

ନୂଆଦିଲ୍ଲୀ: ଦେଶରେ ପର୍ଯ୍ୟଟନ କ୍ଷେତ୍ରକୁ ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାର “ସି ପ୍ଲେନ୍‌’ ଚଳାଚଳର ବ୍ୟବସ୍ଥା କରୁଛି। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରାଳୟ ପକ୍ଷରୁ ଏସ୍‌ପିଭି ଜରିଆରେ ଆଗ୍ରହୀ ବିମାନ କମ୍ପାନୀଙ୍କୁ ନେଇ ନିର୍ଦ୍ଦିଷ୍ଟ କେତେକ ପଥରେ ଏହା ଚଳାଚଳ ପାଇଁ ପଦକ୍ଷେପ ନିଆଯାଉଛି।

ଏଥିପାଇଁ କେନ୍ଦ୍ର ସରକାର ଦେଶର ମୁଖ୍ୟ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀରେ “ସି ପ୍ଲେନ୍‌’ ଚଳାଇବା ପାଇଁ ତାଲିକା ପ୍ରସ୍ତୁତ କରିଛି। ହେଲେ ଓଡିଶାର କୌଣସି ପର୍ଯ୍ୟଟନ ସ୍ଥଳୀ ଲାଗି ଏହି ତାଲିକାରୁ ବାଦ ପଡିଛି।

ଭୁବନେଶ୍ୱରରୁ ପୁରୀ ଭାୟା ଚିଲିକା, ଭୁବନେଶ୍ୱରରୁ ଚାନ୍ଦିପୁର ଭାୟା ଭିତରକନିକା ଅଭୟାରଣ୍ୟ ଏବଂ ଭୁବନେଶ୍ୱରରୁ ସମ୍ବଲପୁରର ହୀରାକୁଦ ଜଳଭଣ୍ଡାର ଲାଗି ସି ପ୍ଲେନ ଚଳାଚଳର ବ୍ୟବସ୍ଥା କରିବା ପାଇଁ ପର୍ଯ୍ୟଟନ ବିଶେଷଜ୍ଞମାନେ ମତ ଦେଉଥିଲେ ମଧ୍ୟ ଏହି ତିନୋଟି ରୁଟ ବାଦ ପଡିଛି। ଏହି ସ୍ଥାନଗୁଡିକ ଉଭୟ ବ୍ୟବସାୟ ଏବଂ ପର୍ଯ୍ୟଟନ ପାଇଁ ଲାଭଦାୟକ ହେଲେ ମଧ୍ୟ ଏହି ତାଲିକାରେ ସଂଯୋଗ କରାଯାଇନାହିଁ।

ତାଲିକାରେ ଆଣ୍ଡାମାନ ନିକୋବର ଏବଂ ଲକ୍ଷାଦ୍ୱୀପ, ଗୋହ୍ୱାଟି ନଦୀମୁହାଣ ଏବଂ ଆସାମର ଉମ୍‌ରାନ୍‌ସୋ ଜଳଭଣ୍ଡାର, ଅଯୋଦ୍ଧା ପାଇଁ ଦିଲ୍ଲୀର ଯମୁନା ନଦୀ, ଉତ୍ତରାଖଣ୍ଡର ତେହେରୀ, ଶ୍ରୀନଗର, ପଞ୍ଜାବ ଓ ହିମାଚଳପ୍ରଦେଶ, ଶିରିଡ଼ି, ଲୋନାୱାଲା, ଗଣପତିପୁଲେ ଯିବାପାଇଁ ମୁମ୍ବାଇ, ଦ୍ୱାରକା, ମାଣ୍ଡଭି ଏବଂ କାଣ୍ଡାଲା ପାଇଁ ସୁରଟ, ମହାରାଷ୍ଟ୍ରର ନାଗପୁର ଏବଂ ଇରାଇ ଡ୍ୟାମ୍‌, ଚନ୍ଦ୍ରପୁର ଆଦିକୁ ସି-ପ୍ଲେନ ଚଳାଚଳ ପାଇଁ ତାଲିକାଭୁକ୍ତ କରାଯାଇଛି।

ବର୍ତ୍ତମାନ ଏଭଳି ସିପ୍ଲେନ ଅହମ୍ମଦାବାଦର କେଭାଡିଆ ଓ ସାବରମତି ମଧ୍ୟରେ ଚଳାଚଳ କରୁଛି। ଏହାକୁ ଗତ ଅକ୍ଟୋବର ୩୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ।