Categories
ଅପରାଧ ଆଞ୍ଚଳିକ

ତାଳଦଣ୍ଡା – ଜିଲ୍ଲାନାସି  ମହାନଦୀ ପଠାରୁ ବ୍ୟାପକ ଚୋରା ବାଲି ଚାଲାଣ

ସମୀକ୍ଷାବ୍ୟୁରୋ

କୁଜଙ୍ଗ, ୨୬/୧୨: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲ ଅଧୀନରେ ଥିବା ତାଳଦଣ୍ଡା-ଜିଲ୍ଲାନାସି ମହାନଦୀ ପଠାରୁ ବ୍ୟାପକ ଚୋରାବାଲି ଚାଲାଣର ଅଭିଯୋଗ ହୋଇଛି। ଦୈନିକ ଏହି ବାଲି ଚୋରା ଚାଲାଣ ହେଉଛି। ସରକାରୀ କାର୍ଯ୍ୟାଳୟ ଖୋଲିବା ପୂର୍ବରୁ ଏହି କାର୍ଯ୍ୟ ରୀତିମତ ହେଉଛି। ତେବେ ତାଳଦଣ୍ଡା-ଜିଲ୍ଲାନାସି ମହାନଦୀପଠାରୁ ଲୁଣି ବାଲିକୁ ବିନା ଲିଜ୍‌ରେ ଚୋରା ଚାଲାଣ ହେବା ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ପୁନଶ୍ଚ ଏହି ବାଲି ସରକାରୀ ନିର୍ମାଣ କାର୍ଯ୍ୟରେ ବିନିଯୋଗ ହେଉଥିବାର ଖବର ମଧ୍ୟ ରହିଛି। ଲୁଣିବାଲି କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଉପଯୁକ୍ତ ହୋଇନଥିବା ସ୍ଥଳେ ସରକାରୀ ନିର୍ମାଣ କାର୍ଯ୍ୟରେ ଏହି ବାଲିକୁ ଉପଯୋଗ କରିବା କେତେଦୂର ଯଥାର୍ଥତା ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ବାଲି ପରି ଏକ ଖଣିଜ ସମ୍ପଦକୁ ଚୋରାରେ ହେରଫେର କରି ରାଜସ୍ବ ଫାଙ୍କୁଥିବା ଅପରାଧୀଙ୍କୁ ଧରାଯିବା ନେଇ ସାଧାରଣରେ ଦାବି ଉଠୁଛି।

ଚୋରା ବାଲି ଚାଲାଣ ନେଇ ତହସିଲଦାର ପ୍ରଭାସ ରଞ୍ଜନ ବେଉରାଙ୍କୁ ପଚରାଯିବାରୁ ସେ ଏହି ସମ୍ପର୍କରେ ଅବଗତ ନଥିବାର କହିଛନ୍ତି। ଯଦି ଏହି ଚୋରାବାଲି ଘଟଣାଟି ସତ୍ୟ ହୋଇଥିବ, ତେବେଏପରିକାର୍ଯ୍ୟ କରୁଥିବା ବାଲି ମାଫିଆଙ୍କ ପ୍ରତି ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। କିଏ ଓ କାହା ନିର୍ଦ୍ଦେଶରେ ଏପରି ଚୋରା ବାଲି ଚାଲାଣ ହେଉଛି, ତାହା ଉପରେ ତଦନ୍ତ କରାଯିବା ସହ ତ୍ବରିତ୍ବ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସାଧାରଣରେ ଦାବି ହୋଇଛି।