Categories
ଆଜିର ଖବର ଖେଳ ରାଜ୍ୟ ଖବର

ସମ୍ ଅଲ୍ଟିମେଟ୍ କ୍ରୀଡା ‘ସମ୍ମମନ୍ୱୟ-୨୦୨୩’ ଉଦ୍‌ଯାପିତ

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରର ପ୍ରଥମ ସ୍ପୋର୍ଟସ ମିଟ୍ ‘ସମ୍ମମନ୍ୱୟ- ୨୦୨୩’ ବଡ଼ଦିନ ଅବସରରେ ସୋମବାର ଉଦ୍‌ଯାପିତ ହୋଇଥିବା ବେଳେ ଏହି ସ୍ପୋର୍ଟ୍ସ ମିଟ୍‌ରେ ଭାଗ ନେଇଥିବା ୧୦ଟି ଟିମ୍ ମଧ୍ୟରୁ ‘ନେବୁଲା ନୋମାଡ୍ସ’ ଟିମ୍ ଚାମ୍ପିଅନ୍ ହୋଇଛି।

‘ସମ୍ମମନ୍ୱୟ -୨୦୨୩’ର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଓଡ଼ିଶାର ଗୃହ, ବୈଦ୍ୟୁତିକ ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା ମଣିଷ ଜୀବନର ଅବିଚ୍ଛେଦ ଅଂଗ ବୋଲି କହିଥିଲେ।

ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଏଭଳି କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକର ଆୟୋଜନ କରିବା ଉଚିତ୍ । ଏହା କେବଳ ସ୍ୱାସ୍ଥ୍ୟ ଦୃଷ୍ଟିରୁ କିମ୍ବା ମଣିଷକୁ ସୁସ୍ଥ ରଖିବାରେ ସାହାଯ୍ୟ କରି ନଥାଏ ବରଂ ଲୋକମାନଙ୍କ ମଧ୍ୟରେ ଏକତା ଓ ଶୃଙ୍ଖଳା ଆଣିଥାଏ ବୋଲି ସେ କହିଥିଲେ।

ଶ୍ରୀ ବେହେରା କହିଥିଲେ ଯେ ଓଡ଼ିଶା ସରକାର ବିଭିନ୍ନ କ୍ରୀଡ଼ାର ଉନ୍ନତି ନିମନ୍ତେ ମନୋନିବେଶ କରୁଥିବା ବେଳେ ‘ଖୋ ଖୋ’କୁ ବିଶେଷ ପ୍ରୋତ୍ସାହନ ଦେଉଛନ୍ତି।

ଶ୍ରୀ ବେହେରାଙ୍କୁ ସମ୍ମମ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ସ୍ୱାଗତ କରିବା ଅବସରରେ ସମାଜ ପାଇଁ କ୍ରୀଡାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ସ୍ପୋର୍ଟ୍ସ ମିଟ୍‌କୁ ସଫଳ କରିଥିବାରୁ ସେ ସମ୍ମମ୍ ପରିବାରକୁ ଧନ୍ୟବାଦ ଜଣାଇଥିଲେ।
ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଭଲିବଲ୍‌, କ୍ରିକେଟ, ଟଗ୍ ଅଫ୍ ୱାର, ଥ୍ରୀ ଲେଗ୍‌ଡ ରେସ୍‌, ମ୍ୟୁଜିକାଲ୍ ଚେୟାର, ଲେମନ୍ ସ୍ପୁନ ରେସ, କ୍ୟାରମ୍‌, ବ୍ୟାଡମିଂଟନ୍ ଏବଂ ୧୦୦ ମିଟର ଦୌଡ ଭଳି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏସବୁ ମଧ୍ୟରେ ‘ନେବୁଲା ନୋମାଡ୍ସ’ ଦଳର ପ୍ରଦର୍ଶନ ପ୍ରଂଶସନୀୟ ରହିଥିଲା।

ଡିସେମ୍ବର ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଆୟୋଜିତ ହୋଇଥିବା ଏହି ସ୍ପୋର୍ଟ୍ସ ମିଟ୍‌ରେ ୧୦ ଟି ଦଳ ସାମିଲ ହୋଇଥିଲେ । ଅନ୍ୟ ଦଳ ଗୁଡିକ ହେଲେ ଅରୋରା ଆଭେଞ୍ଜର୍ସ, ଫୋନେକ୍ସ ଫାନ୍‌ଟମ୍ସ, ଫ୍ୟୁଜନ୍ ଫୋର୍ସ, ସେଲେଷ୍ଟିଆଲ୍ କ୍ରସର୍ସ, ଜେନିଥ୍ ଜିଲଟ୍ସ , ଗ୍ୟାଲାକ୍ସି ଗ୍ଳାଡିଏଟର୍ସ , କ୍ୱାଣ୍ଟମ୍ କ୍ୱାସର୍ସ, ସ୍ଵିଫ୍ଟ ଷ୍ଟ୍ରାଇକର୍ସ ଓ ରୋଗ୍ ରାଇଡର୍ସ ।

ମନ୍ତ୍ରୀ ଶ୍ରୀ ବେହେରା ବିଜେତାମାନଙ୍କୁ ପୁରସ୍କାର ବିତରଣ କରିଥିବା ବେଳେ ବଡ଼ଦିନ ଅବସରରେ ଏକ କେକ୍ ମଧ୍ୟ କଟାଯାଇଥିଲା। ଏହି ଅବସରରେ ସିଇଓ ଡକ୍ଟର ଦାଶ , ସିଏମ୍‌ଏସ୍ ପ୍ରଫେସର (ଡକ୍ଟର) ବିରାଜ ମୋହନ ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) କ୍ୟାମ୍ପସ୍‌-୫ ସ୍ଥିତ ଷ୍ଟାଡିୟମ୍ ରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଗଣ୍ଠିବାତ ଦିବସ ପାଳିତ

ଭୁବନେଶ୍ୱର: ଗଣ୍ଠିବାତ ସମସ୍ୟାରୁ ସୁସ୍ଥ ହେବା ସମ୍ଭବପର। ଏହା ଏକ ଜୀବନ ଶୈଳୀ ଜନିତ ବ୍ୟାଧି। ସଚେତନ ଓ ସତର୍କ ହେବା ସହ ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲେ ଏହି ରୋଗରୁ ମଣିଷ ସୁସ୍ଥ ହୋଇପାରିବ ବୋଲି କହିଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା।

ଅକ୍ଟୋବର ୧୨ ତାରିଖ ବିଶ୍ୱ ଗଣ୍ଠିବାତ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ଲିନିକାଲ ଇମ୍ୟୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି ବିଭାଗ ପକ୍ଷରୁ ଏହି ବ୍ୟାଧି ନେଇ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ଆୟୋଜିତ ୱାକାଥନ୍‌ରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ବେହେରା ଏହା କହିଛନ୍ତି।

ଏହି ଅବସରରେ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଯୋଗ ଦେଇ ଗଣ୍ଠିବାତ ରୋଗର ସମସ୍ୟା ଓ ଏହାର ଚିକିତ୍ସା ଏବଂ ନିରାକରଣ ସମ୍ପର୍କରେ ବୁଝାଇଥିଲେ। ଏହି ବ୍ୟାଧିରୁ ମୁକ୍ତି ପାଇବା ନିମନ୍ତେ ଉପଯୁକ୍ତ ଜୀବନ ଶୈଳୀ ଏବଂ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ୱାକାଥନ୍ ଅବସରରେ ସଂପୃକ୍ତ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରଦୀପ୍ତ ଶେଖର ପାତ୍ରୋ କହିଥିଲେ ଯେ ଏହି ସମସ୍ୟା ଯେ କୈଣସି ବୟସରେ ଦେଖାଦେଇପାରେ। ଏକ ଶହରୁ ଅଧିକ ପ୍ରକାରର ଗଣ୍ଠିବାତ ହୋଇଥାଏ  ତେବେ ଏହା ସଂକ୍ରାମକ ନୁହେଁ। ଏହାର ଚିକିତ୍ସା ସମ୍ଭବ। ସଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା କରାଗଲେ ରୋଗୀଟି ଯନ୍ତ୍ରଣା ଓ ଅକର୍ମଣ୍ୟତାରୁ ମୁକ୍ତ ହୋଇଥାଏ ବୋଲି ସେ କହିଥିଲେ।

ମାଷ୍ଟରକ୍ୟାଂଟିନ୍ ରୁ ରାମମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ଏହି ୱାକାଥନ୍‌ରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନର୍ସିଂ ସୁପରିଟେଣ୍ଡେଂଟ ମିନତୀ ମିଶ୍ର, ପ୍ରମେୟର ବ୍ୟୁରୋ ଚିଫ୍ ଦେବେନ୍ଦ୍ର ସୁଆର, ଡିଜିଏମ୍ (ସର୍କୁଲେସନ୍‌) ଗଜେନ୍ଦ୍ର ଦାସ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଓ ଛାତ୍ରଛାତ୍ରୀମାନେ ସାମିଲ ଥିଲେ।

ଏହି ଅବସରରେ ହସ୍ପିଟାଲ୍‌ରେ ମଧ୍ୟ ସଂପୃକ୍ତ ବିଭାଗ ପକ୍ଷରୁ ଏକ ସିଏମ୍‌ଇ ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଗ୍ରାମପଞ୍ଚାୟତକୁ ହାଇସ୍ପିଡ ଇଣ୍ଟରନେଟ ସେବା: ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ୱର: ଭାରତନେଟ ପ୍ରକଳ୍ପ ଦ୍ୱିତୀୟ ପର୍ଯ୍ୟାୟ ଅଧିନରେ ରାଜ୍ୟରେ ବିଭିନ୍ନ ଗ୍ରାମପଞ୍ଚାୟତକୁ ହାଇସ୍ପିଡ ଇଣ୍ଟରନେଟ ସେବା ଯୋଗାଇ ଦେବା ପାଇଁ ଆଜି ଓପିଟିସିଏଲ୍‌, ଭାରତ ସଂଚାର ନିଗମ ଲିମିଟେଡ୍‌ ଏବଂ ଓଡିଶା କମ୍ପୁଟର ପ୍ରୟୋଗ କେନ୍ଦ୍ର (ଓକାକ୍‌) ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି।

ଏହି ଅବସରରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ଓପିଟିସିଏଲର ନିର୍ଦ୍ଦେଶକ ବି.ବି ମେହେଟ୍ଟା ଏବଂ ଭାରତ ସଂଚାର ନିଗମ ଲିମିଟେଡର ମୁଖ୍ୟ ମହାପ୍ରବନ୍ଧକ ଆର୍‌. ଏନ୍‌ ପଲ୍ଲାଇ, ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ଅତିରିକ୍ତ ଶାସନ ସଚିବ ତଥା ଓକାକ ସିଇଓ ମନୋଜ ପଟ୍ଟନାୟକ, ଜେନେରାଲ ମ୍ୟାନେଜର ଓକାକ୍‌ ମଧୁମିତା ରଥ, ପ୍ରଶାସନିକ ଅଧିକାରୀ ପ୍ରବୋଧ ରାଉତ ଉପସ୍ଥିତ ଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ ଏହି ଭାରତନେଟ୍‌-ଓଡିଶା ପ୍ରକଳ୍ପ ଦ୍ୱାରା କେବଳ ବ୍ଲକ ମୁଖ୍ୟାଳୟ ସ୍ତରରେ ନୁହେଁ ବରଂ ରାଜ୍ୟର ଦୁର୍ଗମ ଅଂଚଳରେ ଥିବା ଗ୍ରାମପଞ୍ଚାୟତରେ ମଧ୍ୟ ହାଇସ୍ପିଡ ଇଣ୍ଟରନେଟ୍‌ ସେବା ଉପଲବ୍ଧ ହେବ। ଆଜିର ଯୁଗରେ ପ୍ରାୟ ସମସ୍ତ ସରକାରୀ ସେବାଗୁଡିକ ଇଣ୍ଟରନେଟ ଉପରେ ନିର୍ଭରଶୀଳ। ଲୋକମାନେ ବ୍ୟାଙ୍କିଙ୍ଗ୍‌, କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କିଭଳି ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ସେବା ସୁବିଧାରେ ପାଇ ପାରିବେ ସେଥି ନିମନ୍ତେ ସରକାର ଚେଷ୍ଟିତ ଅଛନ୍ତି। ରାଜ୍ୟ ସରକାର ୫-‘ଟି’ ଅଧିନରେ ଯେଉଁ ସବୁ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି, ସେଥିପାଇଁ ଇଣ୍ଟରନେଟ୍‌ର ଆବଶ୍ୟକତା ରହିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରତ୍ୟେକ ଗ୍ରାମରେ ଇଣ୍ଟରନେଟ୍‌ ସୁବିଧା ଉପଲବ୍ଧ ହେବ ଏବଂ ଲୋକମାନେ ସମସ୍ତ ସରକାରୀ ସୁବିଧାର ଲାଭ ପାଇପାରିବେ।

ଓପିଟିସିଏଲ୍‌ ଏବଂ ଓକାକ୍‌ ନିଜର କାର୍ଯ୍ୟ ପାରଦର୍ଶିତା ଦେଖାଇ ସଫଳ ଭାବରେ ଏବଂ ଧାର୍ଯ୍ୟ ସମୟ ମଧ୍ୟରେ ଭାରତ ନେଟ୍‌-୨ ପର୍ଯ୍ୟାୟର ପ୍ରକଳ୍ପକୁ ସଂପୂର୍ଣ୍ଣ କରିଥିବାରୁ ମନ୍ତ୍ରୀ ଏହି ଦୁଇ ସଂସ୍ଥାକୁ ଭୂୟସୀ ପ୍ରଶାଂସା କରିଥିଲେ। ଭାରତ ସଂଚାର ନିଗମ୍‌ ଲିମିଟେଡ୍‌ ମଧ୍ୟ ଏହି ଭିତ୍ତିଭୂମିର ଲାଭ ଉଠାଇ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ସେବାକୁ ସୁଦୃଢ କରିପାରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଆଶାବ୍ୟକ୍ତ କରିଥିଲେ।

ଭାରତ ସଂଚାର ନିଗମ ଲିମିଟେଡର ମୁଖ୍ୟ ମହାପ୍ରବନ୍ଧକ ଆର୍‌. ଏନ୍‌ ପଲାଇ ପ୍ରକଳ୍ପ ବିଷୟରେ କହିଥିଲେ ଯେ ୫୪୫ କୋଟି ଟଙ୍କା ବିନିମୟରେ ୨୦,୦୦୦ କିଲୋମିଟର ଦୀର୍ଘ ଅପଫିକାଲ ଫାଇବର କେବଲିଂ ମାଧ୍ୟମରେ ୧୩୨ଟି ବ୍ଲକ ଅଧୀନରେ ଥିବା ୨୯୩୨ଟି ଗ୍ରାମପଞ୍ଚାୟତକୁ ହାଇସ୍ପିଡ୍‌ ଇଂଟରନେଟ୍‌ ସେବା ଯୋଗାଇଦିଆଯିବ। ଯାହାଫଳରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ ସହଜରେ ବ୍ୟାଙ୍କିଙ୍ଗ୍‌, କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ସେବା ପାଇ ପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଲୋକାର୍ପିତ ହେଲା ଚନ୍ଦକା ଓ ବାଲିଅନ୍ତା ଅଞ୍ଚଳରେ ନୂତନ ଥାନାଗୃହ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲା ଅନ୍ତର୍ଗତ ଚନ୍ଦକା ଓ ବାଲିଅନ୍ତା ଅଞ୍ଚଳରେ ନୂତନ ଥାନାଗୃହର ଶୁଭ ଉଦଘାଟନ ହେବା ସହ ଲୋକାର୍ପିତ ହୋଇଛି। ଏହି ଉତ୍ସବରେ ରାଜ୍ୟ ଗୃହମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ, ଜୟଦେବ ବିଧାୟକ ଡଃ.ଅରବିନ୍ଦ ଢାଲି, ପୁଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ, ଭୁବନେଶ୍ଵର-କଟକ ଦ୍ଵୈତ ନଗରୀର ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଓଡିଶା ପୁଲିସ ଗୃହ ନିର୍ମାଣ ବିଭାଗର ନିର୍ଦ୍ଦେଶକ ସଂଜୀବ ପଣ୍ଡା, ଅତିରିକ୍ତ ପୁଲିସ କମିଶନର ଡଃ. ଉମାଶଙ୍କର ଦାଶ , ଭୁବନେଶ୍ଵର ଡିସିପି ପ୍ରତୀକ ସିଂହଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ। ଏହି ନୂତନ ଥାନା ଗୃହ ମାନଙ୍କରେ କାଉନ୍ସେଲିଂ, ଶିଶୁ ଡ଼େସ୍କ, ୱେଟିଙ୍ଗ ଲବି, କନଫରେନ୍ସ ହଲ , ଜିମନାସିଅମ, ବାରାକ ଇତ୍ୟାଦି ସୁବିଧା ଥିବା ସହ ଜନସାଧାରଣଙ୍କୁ ତୁରନ୍ତ ସେବା ଯୋଗାଇ ଦେବା ନିମନ୍ତେ ସମସ୍ତ ସୁବିଧା ସୁଯୋଗର ବନ୍ଦୋବସ୍ତ କରାଯାଇଅଛି।

ପ୍ରକାଶଯୋଗ୍ୟ, ରାଜ୍ୟ ଯୋଜନା- ୨୦୧୯-୨୦ ଅନୁଯାୟୀ ରାଜ୍ୟ ପୁଲିସ ଗୃହ ନିର୍ମାଣ ସଂସ୍ଥା ଦ୍ବାରା ଚନ୍ଦକାର ନୂତନ ଥାନାର କାର୍ଯ୍ୟ ତା.୦୮.୦୬.୨୦୨୦ ରିଖ ଠାରୁ ଆରମ୍ଭ ହୋଇ ତା.୩୧.୦୫.୨୦୨୨ ରିଖରେ ଶେଷ ହୋଇଥିଲା। ସେହିପରି ବାଲିଅନ୍ତାରେ ନିର୍ମିତ ନୂତନ ଥାନାର କାର୍ଯ୍ୟ ତା.୨୫.୦୮.୨୦୨୦ ରିଖରୁ ଆରମ୍ଭ ହୋଇ ତା.୦୭.୦୭.୨୦୨୨ ରିଖରେ ଶେଷ ହୋଇଥିଲା। ଉଭୟ ଥାନାର ପରିସୀମା ୧୨୭୨୯ ବର୍ଗ ଫୁଟ  ଅଟେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଅଗ୍ରଗତି ସମୀକ୍ଷା କଲେ କ୍ରୀଡ଼ା ମନ୍ତ୍ରୀ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍‌ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ତଥା ଗୃହ ବିଭାଗର ମାନ୍ୟବର ରାଷ୍ଟମନ୍ତ୍ରୀ ତୁଷାରକାନ୍ତି ବେହେରା ରାଉରକେଲା ଗସ୍ତରେ ଆସି ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ଖୁବଶୀଘ୍ର ଏହି ଅନ୍ତର୍ଜାତୀୟ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଏହି ଗସ୍ତ ବେଳେ ମନ୍ତ୍ରୀଙ୍କ ସହ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ଆର୍‍ ଭିନିଲ କ୍ରିଷ୍ଣା ଏବଂ ଇଡକୋ ପରିଚାଳନା ନିର୍ଦ୍ଦେଶକ ଭୁପିନ୍ଦର ସିଂହ ପୁନିଆ ମଧ୍ୟ ସାମିଲ ହୋଇଥିଲେ। ଏହି ଉଚ୍ଚସ୍ତରୀୟ ଟିମ୍‌ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହ ନିର୍ମାଣାଧୀନ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ ଏବଂ ପରେ ପରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ବୁଲି ଦେଖିଥିଲେ।

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ପରେ ମାନ୍ୟବର ମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ ଯେ, ‘‘୨୦୨୩ ପୁରୁଷ ବିଶ୍ୱକପ ହକି ପାଇଁ ଷ୍ଟାଡିୟମର ବିଭିନ୍ନ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଏଠାରେ ହେଉଥିବା ଅଭ୍ୟାସ ପଡ଼ିଆର ନିର୍ମାଣ କାମ ଇତିମଧ୍ୟରେ ଶେଷ ହୋଇଛି। ନିର୍ଦ୍ଧାରିତ ସମୟ ଭିତରେ ମୁଖ୍ୟ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହେବ।’’

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଓ ସଚିବସ୍ତରୀୟ ଟିମ୍‌ ମୁଖ୍ୟ ଷ୍ଟାଡିୟମ ସହିତ ପ୍ରବେଶ ପଥ, ଅଭ୍ୟାସ ପଡ଼ିଆ, ଦର୍ଶକ ଗ୍ୟାଲେରୀ, ଖେଳାଳି ଓ ଅଫିସିଆଲଙ୍କ ପାଇଁ ନିର୍ମାଣ କରାଯାଉଥିବା ରହଣୀସ୍ଥଳ, ଚେଞ୍ଜିଙ୍ଗ ରୁମ,  ଅତ୍ୟାଧୁନିକ ଜିମ୍‌, ଶୌଚାଳୟ ଆଦି ବୁଲି ଦେଖିଥିଲେ।

ତା’ଛଡ଼ା ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ବିଭିନ୍ନ ଭିତ୍ତିଭୂମିର ବିକାଶ ସହିତ ସହରର ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଏସବୁ କାର୍ଯ୍ୟ ସଠିକ ସମୟରେ ଶେଷ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ, ରାଉରକେଲା ମହାନଗର ନିଗମ ଏବଂ ସ୍ମାର୍ଟ ସିଟିର ଅଧିକାରୀମାନଙ୍କୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

‘‘ସୁନ୍ଦରଗଡ଼ ହେଉଛି ହକିର ଅନ୍ତୁଡ଼ିଶାଳ। ତେଣୁ ସୁନ୍ଦରଗଡ଼ ଜିଲ୍ଲାର ଗାଁ ଗହଳିରୁ ଯେଉଁ ପିଲାମାନେ ହକି ପ୍ରତି ଆଗ୍ରହୀ ହୋଇ ଆସୁଛନ୍ତି ମୂଳରୁ ସେମାନଙ୍କ ଅଭ୍ୟାସ ପାଇଁ ବ୍ଲକ ସ୍ତରରେ ତିଆରି ହେଉଥିବା ଅନ୍ତର୍ଜାତୀୟ ମାନର ଟର୍ଫ ବିଶେଷ ସହାୟକ ହେବ। ସେମାନେ ସବୁ ଦୃଷ୍ଟିରୁ ପ୍ରସ୍ତୁତ ହୋଇ ଆଗାମୀ ଦିନରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଏବଂ ଭାରତ ପାଇଁ ଗୌରବ ଆଣିପାରିବେ’’, ଏହି ଅବସରରେ ଗଣମାଧ୍ୟମକୁ କହିଛନ୍ତି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା।

କ୍ଷେତ୍ରସ୍ତରୀୟ ଅନୁଧ୍ୟାନ ପରେ ମାନ୍ୟବର ମନ୍ତ୍ରୀ ଏବଂ ସଚିବ ରାଉରକେଲା ବିମାନବନ୍ଦରଠାରେ ଏକ ବୈଠକ କରିଥିଲେ। ରାଉରକେଲା ସହରରେ ବିଶ୍ୱକପ ହକି ପାଇଁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ।

ଏହି ଗସ୍ତ ବେଳେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

୨୦୨୩ରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପର ଆୟୋଜନ ହେବାକୁ ଯାଉଛି। ଲଗାତାର ଭାବେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାଠାରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହି ଅନ୍ତର୍ଜାତୀୟ କ୍ରୀଡ଼ାର ବିଭିନ୍ନ ମ୍ୟାଚ ଖେଳାଯିବ। ଏହି ଷ୍ଟାଡିୟମରେ ଏକାସାଙ୍ଗରେ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିବା ପାଇଁ ସୁବିଧା କରାଯାଉଛି।

Categories
ବିଶେଷ ଖବର ରାଜ୍ୟ ଖବର

ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ ପାଠପଢା, କ୍ରୀଡାମନ୍ତ୍ରୀ

ଭୁବନେଶ୍ୱର: ଇଲେକେଫ୍ରାନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ତମାଣ୍ଡୋସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନୂତନ କୋଠା ପରିଦର୍ଶନ କରିଛନ୍ତି। ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ବେହେରା ମହାବିଦ୍ୟାଳୟର ନୂତନ କୋଠାର ଏକାଡେମୀ ବ୍ଲକ, ପୁରୁଷ ଓ ମହିଳା ହଷ୍ଟେଲ ନିର୍ମାଣ ଏବଂ ବିଭିନ୍ନ ଆନୁସଙ୍ଗିକ କାର୍ଯ୍ୟସ୍ଥଳ ବୁଲି ଦେଖିବା ସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲ।

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସରକାର ସବୁବେଳେ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରାଧାନ୍ୟ ଦେଇଆସୁଛି। ବିଦ୍ୟାଳୟସ୍ତରରେ ଭଲ କ୍ରୀଡ଼ାବିତ୍‌ ସୃଷ୍ଟି ନିମନ୍ତେ ପିଇଟି ଶିକ୍ଷକ ନିଯୁକ୍ତି ଉପରେ ସରକାର ବେଶ ଗୁରୁତ୍ୱ ଦେଉଛନ୍ତି। କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପରିଚାଳିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ପିଇଟି ଶିକ୍ଷକ ସୃଷ୍ଟି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏଠାରୁ ଶିକ୍ଷାଗ୍ରହଣ କରି ଅନେକ ବିଭିନ୍ନ ଶିକ୍ଷନୁଷ୍ଠାନମାନଙ୍କରେ ପିଇଟି ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଛନ୍ତି। ତେଣୁ ଓଡ଼ିଶାକୁ ଏକ କ୍ରୀଡ଼ା ହବ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ସ୍ୱପ୍ନ ରହିଛି, ତାହାର ସଫଳ ରୂପାୟନ ନେଇ ଆମ ସମସ୍ତଙ୍କୁ ଆଗଭର ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି ମନ୍ତ୍ରୀ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ଶାରୀରିକ ଶିକ୍ଷାବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟ ରଖି ତମାଣ୍ଡୋ ଠାରେ ଉନ୍ନତ ଭିତ୍ତିଭୂମି ଥାଇ ମହାବିଦ୍ୟାଳୟ ନିର୍ମାଣ ଦ୍ରୁତ ଗତିରେ ଆଗେଇ ଚାଲିଛି। ଜମି ଚିହ୍ନଟ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା ଅନେକ ବାର ଗସ୍ତ କରି ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ସହ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି।

ନୂତନ ମହାବିଦ୍ୟାଳୟର କୋଠା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବାବେଳେ ବାକିଥିବା କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ଉପରେ ମନ୍ତ୍ରୀ ଠିକା ସଂସ୍ଥା ତଥା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଫଳରେ ଆସନ୍ତା ଶିକ୍ଷା ବର୍ଷରୁ ନୂତନ କୋଠାରେ ପାଠପଢା ଆରମ୍ଭ ନେଇ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ତାହା ପୂରଣ ହୋଇପାରିବ। ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ କ୍ରୀଡ଼ା ଓ ଯୁବସେବା ବିଭାଗ, ପୂର୍ତ୍ତ ଏବଂ ନିର୍ମାଣ ଦାୟିତ୍ୱ ନେଇଥିବା ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଗିନିଜ ରେକର୍ଡ଼ଧାରୀ ଓଡ଼ିଆପୁଅ ସଚିନଙ୍କୁ ସମ୍ବର୍ଦ୍ଧିତ କଲେ କ୍ରିଡ଼ାମନ୍ତ୍ରୀ ତୁଷାରକାନ୍ତି

ଭୁବନେଶ୍ୱର: ଭାରତର ନିଷ୍ଟାଇକର ଭାବରେ ସୁପରିଚିତ ସଚିନ ବେହେରା ପାଞ୍ଚକେଜି ଏଙ୍କେଲ ୱେଟ୍ ବାନ୍ଧି ତିନି ମିନିଟ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକ କରି ପୂର୍ବରୁ ପାକିସ୍ତାନର ମୁଷ୍ଟିଯୋଦ୍ଧା ମହମ୍ମଦ ରସିଦଙ୍କ ନାମରେ ଥିବା ୧୭୮ନିଷ୍ଟାଇକକୁ ଭାଙ୍ଗି ୨୦୪ ଆଣ୍ଠୁ ପ୍ରଘାତ କରି ନୂତନ ଗିନିଜ୍ ବୁକ୍ ରେକର୍ଡ଼ ସ୍ଥାପନ କରିଛନ୍ତି। ତାଙ୍କର ଏହି କୃତିତ୍ୱ ପାଇ ସାରା ଓଡ଼ିଶାର କୋଣ ଅନୁକୋଣରୁ ସଚିନଙ୍କ ପାଖକୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିଥିଲା ବେଳେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସଚିନଙ୍କୁ ଭେଟି ତାଙ୍କ କୃତିତ୍ୱ ପାଇଁ ଶୁଭେଚ୍ଛା ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି।

ଗତକାଲି କ୍ରୀଡ଼ାମନ୍ତ୍ରୀଙ୍କ ସରକାରୀ ବାସଭବନରେ ସଚିନଙ୍କୁ ଭେଟି, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ପାଇଁ ଗୌରବ ଆଣିଥିବାରୁ ସଚିନଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରି ଆଗକୁ ଏହାକୁ ଜାରି ରଖିବାକୁ ପରାମର୍ଶ ଦେବା ସହିତ, ଆହୁରି ଅନେକ ବିଶ୍ୱ ରେକର୍ଡ଼ର ଅଧିକାରୀ ହେବାକୁ ଉତ୍ସାହିତ କରିଥିଲେ। ମନ୍ତ୍ରୀଙ୍କ ଠାରୁ ପ୍ରତିଶ୍ରୁତି ପାଇ ସଚିନ ଆଗକୁ ଓଡ଼ିଶା ପାଇଁ ଆହୁରି ସଫଳତା ଆଣି ଦେବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ।

ନୂଆପଡ଼ା ଜିଲ୍ଲାର ବୋଡ଼େନ ବ୍ଲକ ଲରକା ଗ୍ରାମର ପିତା ଲକ୍ଷ୍ମୀପ୍ରସାଦ ବେହେରା ଏବଂ ଆରତୀ ବେହେରାଙ୍କ ପୁତ୍ର ସଚିନ ବେହେରା ପିଲାଟି ବେଳରୁ ପାଠ ପଢିବା ସମୟରେ ଖେଳ ପ୍ରତି ରଚି ରଖିଥିଲେ। ଏଥିପାଇଁ ପିତାମାତା ସଚିନକୁ ପ୍ରୋତ୍ସାହନ ଦେଇ ଆସୁଥିଲେ। ତେଣୁ ସଚିନ ଖେଳରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରୁଥିଲେ।

ପ୍ରଥମେ ସେ ୧୦୦ ମିଟର ଧାବକ ଭାବରେ ପରିିଚିତ ଥିଲେ। ଖାଲି ସେତିକି ନୁହେଁ ସଚିନଙ୍କ ଇଚ୍ଛା ଥିଲା ସେ ଆଣ୍ଠୁ ପ୍ରଘାତରେ ବିଶ୍ୱରେକର୍ଡ଼ କରି ଓଡ଼ିଶା ତଥା ଦେଶ ପାଇଁ ଗୌରବ ଆଣିବେ। ସେଥିପାଇଁ ସଚିନ ଦିନକୁ ୧୦ଘଣ୍ଟାର କଠିନ ପରିଶ୍ରମ କରୁଥିଲେ ଏବଂ ଦୀର୍ଘ ଚାରିମାସ କାଳ ଅକ୍ଲାନ୍ତ ପରିଶ୍ରମ କରି ନିଜ ନାମ ଗିନିଜ ବୁକରେ ଲିପିବଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ। ଆଜି ତାଙ୍କ ସ୍ୱପ୍ନ ପୂରଣ ହୋଇଥିବାରୁ ସଚିନ ତାଙ୍କ ସଫଳତା ପାଇଁ ପିତାମାତାଙ୍କ ସମେତ ପ୍ରଶିକ୍ଷକମାନଙ୍କୁ ସବୁ ଶ୍ରେୟ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍ ଡୋର ଷ୍ଟାଡିୟମ୍ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ବର: ଆଜି ସକାଳ ୧୧ ଘଟିକା ସମୟରେ ଭୁବନେଶ୍ୱର ମଧ୍ୟମ ନିର୍ବାଚନ ମଣ୍ଡଳୀର ଲକ୍ଷ୍ମୀସାଗର ହାଇ ସ୍କୁଲ ପଡିଆରେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଦତ୍ତ ୧୩ କୋଟି ବ୍ୟୟ ଅଟକଳ ମୂଲ୍ୟରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍ ଡୋର ଷ୍ଟାଡିୟମ୍ ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମନ୍ତ୍ରୀ କ୍ରୀଡା ଓ ଯୁବ ବ୍ୟାପାର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ତୁଷାରକାନ୍ତି ବେହେରା ଏବଂ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏହାର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସଂଗ୍ରାମଜିତ୍ ନାୟକ, ନିର୍ଦ୍ଦେଶକ ସହରାଞ୍ଚଳ ତଥା ନିର୍ଦ୍ଦେଶକ ପୌର ପ୍ରଶାସନ, ପୂର୍ବତନ କର୍ପୋରେଟର ରାଜଲକ୍ଷ୍ମୀ ନାୟକ, ଭୁବନେଶ୍ୱର ମଧ୍ୟ ବିଜୁ ଯୁବ ଜନତା ଦଳ ଯୁବ ସଭାପତି ଭରତ ଲେଙ୍କା, ଦୀପକ ପରିଡା, ଶାଶ୍ଵତୀ ଲେଙ୍କା, ଧେଡ଼ ଲେଙ୍କା, ବିଜୟ କେତନ ସାହୁ, କିଶୋର ନାୟକ,ମଧ୍ୟମ ନିର୍ବାଚନ ମଣ୍ଡଳୀର ସମସ୍ତ ପୂର୍ବତନ କର୍ପୋରେଟର, ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ, ଛାତ୍ର ଛାତ୍ରୀ,ଗ୍ରାମର ବରିଷ୍ଠ ନାଗରିକ,ମହିଳା, ଯୁବକ, ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।

ଲକ୍ଷ୍ମୀସାଗର ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟକୁ ଅଞ୍ଚଳର ଅଧିବାସୀ ବୃନ୍ଦ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରିଥିଲେ। ଏହି ଅବସରରେ ମଧ୍ୟମ ନିର୍ବାଚନ ମଣ୍ଡଳୀର ରାଜ୍ୟ ତଥା ଜାତୀୟ ସ୍ତରର କୃତୀ କ୍ରୀଡାବିତ୍ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ନବରଙ୍ଗପୁର ଜିଲ୍ଲାର ସୂଚନା ପ୍ରଯୁକ୍ତି ଓ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଗତକାଲି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାର ସୂଚନା ପ୍ରଯୁକ୍ତି ଏବଂ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ଅପରାହ୍ନରେ ଜିଲ୍ଲା ସର୍କିଟ୍‌ ହାଉସଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲାରେ ମୋବାଇଲ୍‌ ନେଟ୍‌ୱାର୍କର ସ୍ଥିତି, ବିଭିନ୍ନ ଗ୍ରାମାଞ୍ଚଳକୁ ଇଣ୍ଟରନେଟ୍‌ ସୁବିଧା ସହ ଜିଲ୍ଲାର ଆଇଟି ଭିତ୍ତିଭୂମିର ସୁଦୃଢ଼ୀକରଣ ନେଇ ଆଲୋଚନା କରିଥିଲେ ।

ଏଥି ସହ ଜିଲ୍ଲାରେ ଖେଳପଡ଼ିଆର ବିକାଶ, ତୃଣମୂଳସ୍ତରରୁ ଖେଳାଳୀ ଚୟନ, କ୍ରୀଡ଼ା ଭିତ୍ତିଭୂମିର ବିକାଶ ଏବଂ ଖେଳାଳୀମାନଙ୍କୁ ଆଧୁନିକ ତାଲିମ ଜରିଆରେ ଜିଲ୍ଲାର ଅଧିକ ଖେଳାଳୀ ସୃଷ୍ଟି କରିବା ସହ ସ୍ଥାନୀୟ କ୍ରୀଡ଼ାର ବିକାଶ ପାଇଁ କ’ଣସବୁ ପଦକ୍ଷେପ ନିଆଯାଇପାରିବ ସେ ନେଇ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଆଜିର ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାପାଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଆସନ୍ତାକାଲି ମନ୍ତ୍ରୀ ଶ୍ରୀ ବେହେରା ଉମରକୋଟ ବ୍ଲକ୍‌ ଗସ୍ତ କରିବା ସହ ସ୍ଥାନୀୟ ଅଧିକାରୀ, ପଞ୍ଚାୟତିରାଜ ପ୍ରତିନିଧି ଏବଂ ସ୍ଥାନୀୟ କ୍ରୀଡ଼ାବିତ୍‌ଙ୍କୁ ଭେଟିବା ସହ ଅଞ୍ଚଳର କ୍ରୀଡ଼ା ଭିତ୍ତିଭୂମି ଏବଂ ସୂଚନା ପ୍ରଯୁକ୍ତିର ବିକାଶ ନେଇ ଆଲୋଚନା କରିବେ। ସେହିପରି ଆସନ୍ତା ୭ ତାରିଖରେ ମନ୍ତ୍ରୀ ଚନ୍ଦାହାଣ୍ଡି ବ୍ଲକ୍‌ ଗସ୍ତ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନୂତନ କ୍ୟାମ୍ପସ୍‌ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ କ୍ରୀଡା ମନ୍ତ୍ରୀ

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ତମାଣ୍ଡୋସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନୂତନ କ୍ୟାମ୍ପସ୍‌ ପରିଦର୍ଶନରେ ଯାଇ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ।  ମନ୍ତ୍ରୀ ଶ୍ରୀ ବେହେରା କଲେଜର ବିଲଡିଂ, କ୍ଲାସ୍‌ରୁମ୍‌, ଛାତ୍ରାବାସ ଓ ଛାତ୍ରୀନିବାସ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ କ୍ରୀଡ଼ା ବିଭାଗର ଅଧିକାରୀ, କାର୍ଯ୍ୟଭାର ନେଇଥିବା ସଂସ୍ଥାର ଅଧିକାରୀ ଏବଂ ଇଂଜିନିୟରମାନଙ୍କ ସହ ଆଲୋଚନା କରିଥିଲେ ।

ଆଧୁନିକ ଜ୍ଞାନକୌଶଳ ନିର୍ମିତ କ୍ୟାମ୍ପସ୍‌ରେ ତିନିମହଲା ବିଶିଷ୍ଟ ଆକାଡେମୀକ୍‌ ବ୍ଲକ୍‌ ଏବଂ ୪ ମହଲା ବିଶିଷ୍ଟ ଗୋଟିଏ ଛାତ୍ରାବାସ ଓ ଗୋଟିଏ ଛାତ୍ରୀନିବାସର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଉଭୟ ହଷ୍ଟେଲରେ ୧୫୬ ଜଣ ଅନ୍ତେବାସୀ ରହିବାର କ୍ଷମତା ରହିଛି ।

ଏଥି ସହିତ ଆକାଡେମୀକ୍‌ ବ୍ଲକରେ ସ୍ମାର୍ଟ କ୍ଲାସ୍‌ରୁମ୍‌, ଲାବ୍‌, ସେମିନାର୍‌ ହଲ୍‌, ସ୍ୱତନ୍ତ୍ର ଟୁ୍ୟଟୋରିଆଲ୍‌ ହଲ୍‌, ସେମିନାର୍‌ ହଲ୍‌, ଆଲୁମିନି ହଲ୍‌, ଫାକଲଟି ଲାଉଞ୍ଜର ବ୍ୟବସ୍ଥା ରହିଛି। ଆସନ୍ତା ଶିକ୍ଷା ବର୍ଷରୁ ନୂଆ କ୍ୟାମ୍ପସ୍‌ରେ ଶିକ୍ଷାଦାନ ପାଇଁ ସରକାର ଲକ୍ଷ୍ୟ ରଖିଥିବାରୁ ସମସ୍ତ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ମନ୍ତ୍ରୀ ଅଧିକାରୀ ଓ ଇଂଜିନିୟରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ର ସରକାରଙ୍କ ସ୍ୱୟଂ ଅନଲାଇନ ଶିକ୍ଷା ପୋର୍ଟାଲ ବାଦ ପଡିଲା ଓଡିଆ ଭାଷା, ଆଇଟି ମନ୍ତ୍ରୀଙ୍କ ପ୍ରତିବାଦ

ଭୁବନେଶ୍ବର, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂ ଅନଲାଇନ ଶିକ୍ଷା ପୋର୍ଟାଲରୁ ଓଡ଼ିଆ ଭାଷା ବାଦ ପଡିବା ଘଟଣା ନେଇ ଇଲେକଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା କ୍ଷୋଭ ପ୍ରକାଶ କରିଛନ୍ତି ଓ ଏହି ଘଟଣାର ସତ୍ୟାସତ ଅନୁଧ୍ୟାନ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓ ଏଆଇସିଟିଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ଓ କୌଣସି ପରିସ୍ଥିତିରେ ଓଡ଼ିଆ ପିଲାଙ୍କ ଭବିଷ୍ୟତ ସହ ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ସ୍ୱୟଂ ଅନଲାଇନ ଶିକ୍ଷା ପୋର୍ଟାଲରୁ ଓଡ଼ିଆ ଭାଷା ବାଦ ପଡ଼ିଥିବା ଘଟଣା ସାମ୍ନାକୁ ଆସିବା ପରେ ମନ୍ତ୍ରୀ ବେହେରା ଗଭୀର ଉଦବେଗ ପ୍ରକାଶ କରିବା ସହ ବର୍ତ୍ତମାନ କୋଭିଡ ମହାମାରୀ ସମୟରେ ପିଲାମାନେ ଅନଲାଇନ ଶିକ୍ଷା ଉପରେ ବହୁଳ ଭାବେ ନିର୍ଭର କରୁଛନ୍ତି। ରାଜ୍ୟ ସରକାର ମାଲକାନଗିରି ସମେତ ଅନେକ ଉପାନ୍ତ ଅଞ୍ଚଳରେ ନେଟୱର୍କ ସୁଦୃଢୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି ଓ ସ୍ୱୟଂ ଅନଲାଇନ ଶିକ୍ଷା ପୋର୍ଟାଲ ଏକ ଭଲ ବ୍ୟବସ୍ଥା ଓ ଏଥିରେ ବିଜ୍ଞାନ, ବୈଷୟିକ, ଫର୍ମାସୀ, ସାମାଜିକ ବିଜ୍ଞାନ ଆଇନ।

ମ୍ୟାନେଜମେଣ୍ଟ ଆଦି ବିଷୟର ପାଠ୍ୟ ପୁସ୍ତକ ଆଇଆଇଟି, କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଏବଂ ଆଇଆଇଏସସିର ଅଭିଜ୍ଞ ଅଧ୍ୟାପକଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି ଓ ଶିକ୍ଷା ଗ୍ରହଣରେ ଭାଷା ଯେପରି ବାଧକ ନ ସାଜେ ତାହାକୁ ନଜରରେ ରଖି କେନ୍ଦ୍ର ଶିକ୍ଷା  ମନ୍ତ୍ରଣାଳୟ ଓଡ଼ିଆ ଭାଷା ସମେତ ମୋଟ ୧୦ ଟି ଭାଷାରେ ପାଠ୍ୟ ପୁସ୍ତକ ଉପଲବ୍ଧ କରିବା ନେଇ ଘୋଷଣା କରିଥିଲେ। ଏହା ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ତେବେ ଏଆଇସିଟିଇ ପକ୍ଷରୁ ପାଠ୍ୟ ପୁସ୍ତକ ଅନୁବାଦ ସମୟରେ ଓଡ଼ିଆ ଭାଷା ବାଦ ପଡ଼ିଥିବା ସାମ୍ନାକୁ ଆସିଛି। ଏସବୁକୁ ନେଇ କେନ୍ଦ୍ର ନିକଟରେ ଅଭିଯୋଗ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କରୋନାରେ ଆକ୍ରାନ୍ତ ହେଲେ ରାଜ୍ୟ କ୍ରିଡାମନ୍ତ୍ରୀ ତୁଷାରକାନ୍ତି ବେହେରା  

ଭୁବନେଶ୍ବର: ଓଡିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି। ରାଜ୍ୟରେ ବହୁ ନେତା ବିଧାୟକ, ମନ୍ତ୍ରୀ, ସାଂସଦ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଆଜି ଆଉ ଜଣେ ମନ୍ତ୍ରୀଙ୍କ କୋଭିଡ଼ ପରୀକ୍ଷାରେ ପଜିଟିଭ ଆସିଥିବା ଜଣାପଡିଛି। ରାଜ୍ୟ କ୍ରିଡାମନ୍ତ୍ରୀ ତୁଷାରକାନ୍ତି ବେହେରା କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ନିଜେ ମନ୍ତ୍ରୀ ପଜିଟିଭ ହୋଇଥିବା ନେଇ ସୂଚନା ଦେଇଛନ୍ତି। ଯେଉଁ ମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସମସ୍ତେ ନିଜ ନିଜର କୋଭିଡ଼ ପରୀକ୍ଷା କରିବା ସହ କ୍ଵାରେଣ୍ଟିନରେ ରହିବା ପାଇଁ ଅନୁରୋଧ କରିଛନ୍ତି ମନ୍ତ୍ରୀ ଶ୍ରୀ ବେହେରା।

Categories
ଆଜିର ଖବର

ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଦୂତୀ ଚାନ୍ଦଙ୍କୁ କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଅର୍ଜୁନ କ୍ରୀଡା ପୁରସ୍କାର ପାଇଁ ମନୋନୀତ ହୋଇଥିବା ଓଡିଶାର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କୁ ଇଲୋକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ନିଜର ଅଦମ୍ୟ ଇଚ୍ଛାଶକ୍ତି ଓ ପ୍ରଚେଷ୍ଟା ବଳରେ ସଫଳତାର ପାହାଚ ଚଢି ଚାଲିଥିବା ଦୂତୀ ଆଜି ଅର୍ଜୁନ ପୁରସ୍କାର ବିଜୟୀ ହୋଇ ସମଗ୍ର ଓଡିଶା ପାଇଁ ଯଥେଷ୍ଟ ଗୌରବ ଆଣି ପାରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଆଗାମୀ ଅଲମ୍ପିକ ପାଇଁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ଦୂତୀ କ୍ରୀଡା କ୍ଷେତ୍ରରେ ଆହୁରି ସଫଳତା ଆଣି ଓଡିଶା ତଥା ଆମ ଦେଶ ଭାରତକୁ ଗୌରବାନ୍ୱିତ କରିବେ ବୋଲି ମନ୍ତ୍ରୀ ନିଜର ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି।