Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ ସଂସ୍କୃତି ସିନେମା

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାରେ ଧଡକନ ସୃଷ୍ଟି କଲେ କଣ୍ଠଶିଳ୍ପୀ ସୁରେଶ ୱାଡ଼େକର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଜନତା ମଇଦାନରେ ଆୟୋଜିତ ହେଉଛି ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା।

ଏହି ଉତ୍ସବର ଚତୁର୍ଥ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟ ଅଧିନସ୍ଥ ଉନ୍ନୟନ କମିଶନରର ପୂର୍ବାଞ୍ଚଳର ନିର୍ଦ୍ଦେଶକ,ଗୌହାଟି  ତଥା  କ୍ଷେତ୍ରୀୟ ନିର୍ଦ୍ଦେଶକ (ହସ୍ତଶିଳ୍ପ), କୋଲକାତା ଶ୍ରୀ ଏସ୍. ବନ୍ଦୋପାଧ୍ୟାୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପୁଷ୍ପ ଅର୍ପଣ ତଥା ଚନ୍ଦନ ବୃକ୍ଷରେ ଜଳ ପ୍ରଦାନପୂର୍ବକ ଆଜିର  ସାଂସ୍କୃତିକ ସନ୍ଧ୍ୟାକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୟନିକାର ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା, ଶ୍ରୀମତୀ ପ୍ରଣତୀ ଛୋଟରାୟ ଏବଂ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ବିକ୍ରମାଦିତ୍ୟ ବାରିକ ମଞ୍ଚ ଉପରେ ଉପସ୍ଥିତ ଥିଲେ।

ଏହି ଜାତୀୟ ମେଳାର, ପଞ୍ଚମ ସାଂସ୍କୃତିକ ସନ୍ଧ୍ୟା ଅବସରରେ ମେଳା ପରିସରରେ ଥିବା ମଞ୍ଚରେ  ଜାତୀୟ ସ୍ତରର କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡ଼ ସୁରେଶ ୱାଡ଼େକର ଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ।  ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ , ଶ୍ରୀ ସୁରେଶ ୱାଡ଼େକର ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ  କରିଥିଲେ।

ମେଳା ପରିସରରେ ଥିବା ପିଲାମାନଙ୍କ ନିମନ୍ତେ ଖେଳକୁଦ ପାଇଁ ଉଦ୍ଧିଷ୍ଟ ସ୍ବତନ୍ତ୍ର ସ୍ଥାନରେ, ପିତାମାତା ତଥା ଆବିଭାବକମାନଙ୍କ ତତ୍ତ୍ଵାବଧାନରେ କୁନି କୁନି ପିଲାମାନେ ବିଭିନ୍ନ ପ୍ରକାର ଖେଳକୁଦ, ଦୋଳି, ଟୟ କାର ଆଦିର ଆନଦ ନେବା ସହ ମେଳା ପରିସରକୁ ଏକ ଆନନ୍ଦମୟ ପରିବେଶ ଦେଉଛନ୍ତି।  ସୂଚନାଯୋଗ୍ୟ ଯେ, ପ୍ରତ୍ୟହ ଦର୍ଶକମାନଙ୍କ ପାଇଁ ଦିବା ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି ଓ ପ୍ରତ୍ୟହ ସନ୍ଧ୍ୟା ୬ ଟା ରୁ ୯.୩୦ ପର୍ଯ୍ୟନ୍ତ ମେଳା ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଉଛି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର ସଂସ୍କୃତି

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାରେ ବୟନିକା ଫ୍ୟାଶନ ସୋ ‘ଶ୍ରୀଙ୍ଗାର’ ପ୍ରଦର୍ଶନ

ଭୁବନେଶ୍ଵର: ଡିସେମ୍ବର ୧୫ ତାରିଖରୁ ଡିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ବାର ଦିନବ୍ୟାପୀ ଜାତୀୟ ସ୍ତରୀୟ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ତୃତୀୟ ସନ୍ଧ୍ୟାକୁ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, ଶ୍ରୀ ମନୋରଞ୍ଜନ ମଲ୍ଲିକ, ଚନ୍ଦନ ବୃକ୍ଷରେ ଜଳ ପ୍ରଦାନପୂର୍ବକ ଆଜିର ସାଂସ୍କୃତିକ ସନ୍ଧ୍ୟାର ଶୁଭ ଉଦଘାଟନ କରିଥିଲେ।

ଶ୍ରୀ ମଲ୍ଲିକଙ୍କୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ  କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୟନିକାର ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା, ଶ୍ରୀମତୀ ପ୍ରଣତୀ ଛୋଟରାୟ ଏବଂ ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା, ଶ୍ରୀମତୀ କଲ୍ୟାଣୀ ପଟ୍ଟନାୟକ ମଞ୍ଚ ଉପରେ ଉପସ୍ଥିତ ଥିଲେ।

ଆଜି ସନ୍ଧ୍ୟାରେ ମେଳା ପରିସରରେ ‘ବୟନିକା’ ପକ୍ଷରୁ ଏକ ସ୍ୱତନ୍ତ୍ର ଫ୍ୟାସନ ସୋ’ ଅନୁଷ୍ଠିତ ହୋଇଯାଇଛି। ‘ଶ୍ରୀଙ୍ଗାର’ ଶୀର୍ଷକରେ ଆୟୋଜିତ ଏହି ଫ୍ୟାସନ ଶୋ ରେ ଓଡ଼ିଶାର ଅନନ୍ୟ  ହସ୍ତତନ୍ତ ଓ ହସ୍ତଶିଳ୍ପ କୁ ମଡେଲମାନେ ପ୍ରଦର୍ଷିତ କରିଥିଲେ।  ବିଶେଷ କରି କୁନି ପିଲାଙ୍କ ଓଡ଼ିଶା ହସ୍ତତନ୍ତ ବସ୍ତ୍ର ପରିଧାନ କରି  ଫ୍ୟାସନ ସୋ ରେ ଚାଲିବା ଦର୍ଶକମାନକୁ   ବିମୁଗ୍ଧ କରିଥିଲା।

ଆଜି ରବିବାର ଥିବାରୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ତୃତୀୟ ସଂଧ୍ୟାରେ ପ୍ରବଳ ଜନସମାଗମ ହୋଇଥିଲା। ଦର୍ଶକମାନେ ହସ୍ତଶିଳ୍ପ ଏବଂ ହସ୍ତତନ୍ତର ବିଭିନ୍ନ ଷ୍ଟଲରେ ବୁଲି ବିଭିନ୍ନ ସାମଗ୍ରୀ କିଣିବା ସହ ପାରମ୍ପରିକ ତଥା ସୁସ୍ୱାଦୁ ଖାଇବାର ଭରପୁର ମଜ୍ଜା ଉଠାଇଛନ୍ତି। ଏହି ମେଳା ପ୍ରତ୍ୟହ ଦିବା ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି।

 

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଫେବୃଆରୀ ୧ରୁ ଭୁବନେଶ୍ବରରେ ହେବ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଫେବୃଆରୀ ୧ ତାରିଖରୁ ଜନତା ମଇଦାନଠାରେ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହେବ।

ଏହି ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ କାରିଗର ଓ ବୁଣାକାରମାନେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ। ଏହି ହସ୍ତଶିଳ୍ପ ମେଳା ଦେଶର ବାର୍ଷିକ ଉତ୍ସବ କ୍ୟାଲେଣ୍ଡରରେ ନିଜର ସ୍ୱତନ୍ତ୍ର ସ୍ଥାନ ନିରୁପଣ କରିସାରିଛି।

ଏହି ମେଳାର ଲକ୍ଷ୍ୟ ହେଉଛି, ରାଜ୍ୟରେ କାର୍ଯ୍ୟରତ ଶିଳ୍ପୀ, କାରିଗର, ବୁଣାକାର ତଥା ତତ୍‌ସମ୍ବନ୍ଧୀୟ ଅଭିଜ୍ଞ ବ୍ୟକ୍ତିମାନଙ୍କ ମଧ୍ୟରେ ଭାବଗତ ଆଦାନପ୍ରଦାନର ସୁଯୋଗ ସୃଷ୍ଟି କରବା। ଏଥି ସହିତ ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକି୍ର ନିମନ୍ତେ ଆବଶ୍ୟକୀୟ ବଜାର ସୃଷ୍ଟି କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଏହି ମେଳା ପ୍ରକୃଷ୍ଟ ମଞ୍ଚ ସାବ୍ୟସ୍ତ ହେବ।

ଭାରତୀୟ ପାରମ୍ପରିକ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ କରିବା ଏବଂ କାରିଗର ଓ ବୁଣାକାରମାନଙ୍କ ସାମଗ୍ରୀର ପ୍ରସ୍ତୁତି କୌଶଳ ତଥା ସୃଜନାତ୍ମକ ଜଟିଳତାକୁ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଏହି ମେଳାର ଉଦ୍ଦେଶ୍ୟ।

ଚଳିତ ବର୍ଷ ଏହି ମେଳାରେ ୫୬୦ ଜଣ କାରିଗର ଓ ବୁଣାକାର ଅଂଶଗ୍ରହଣ କରୁଛନ୍ତି। ମେଳାରେ ବିକାଶ ଆୟୁକ୍ତ,(ହସ୍ତଶିଳ୍ପ), ଭାରତ ସରକାରଙ୍କ ଜାତୀୟ ହସ୍ତଶିଳ୍ପ ମେଳା ଯୋଜନା ଅନ୍ତର୍ଭୁକ୍ତ ୨୫୦ ଜଣ କାରିଗରଙ୍କ ହସ୍ତଶିଳ୍ପ ଏବଂ ବିକାଶ ଆୟୁକ୍ତ (ହସ୍ତତନ୍ତ) ଦ୍ୱାରା ଭାରତର ବିଭିନ୍ନ ପ୍ରଦେଶର ୫୦ ଜଣ ବୁଣାକାରମାନଙ୍କ ହସ୍ତତନ୍ତ ଷ୍ଟଲରେ ସ୍ଥାନିତ ହେବ। ସେହିପରି ରାଜ୍ୟ ସରକାରଙ୍କର ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟଙ୍କ ଦ୍ୱାରା ପ୍ରାୟୋଜିତ ୧୫୦ ଜଣ କାରିଗର ଓ ୧୧୦ ଜଣ ବୁଣାକାରଙ୍କ ଉତ୍ପାଦ ଷ୍ଟଲରେ ସ୍ଥାନିତ ହେବ।

ଏହା ବ୍ୟତୀତ ଶିକ୍ଷାନୁଷ୍ଠାନଭିତ୍ତିକ ଓଡ଼ିଶା ଓ ଭାରତ ସରକାରଙ୍କ ଅଧିନସ୍ଥ ହସ୍ତଶିଳ୍ପ ଏବଂ ହସ୍ତତନ୍ତଭିତ୍ତିକ ସଂସ୍ଥାର ଷ୍ଟଲଗୁଡ଼ିକ ସ୍ଥାନିତ ହେବ। ଅନ୍ୟ ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତ ନିଗମ ମଧ୍ୟ ଏହି ମେଳାରେ ଅଂଶଗ୍ରହଣ କରିବେ।

ଚଳିତ ବର୍ଷ ଗୋଟିଏ ଖାଦ୍ୟ ପ୍ରାଙ୍ଗଣରେ ୨୫ ଗୋଟି ଷ୍ଟଲ ରହିବ। ଓଡ଼ିଶାର ପାରମ୍ପରିକ ଖାଦ୍ୟ, ବିଭିନ୍ନ ରାଜ୍ୟର ସୁସ୍ୱାଦୁ ଖାଦ୍ୟ ମଧ୍ୟ ସ୍ଥାନ ପାଇବ। ଏହା ବ୍ୟତୀତ ମିଲେଟ୍‌ ମିଶନ, ଓମ୍‌ଫେଡ୍‌ ଏବଂ ଓଟିଡିସିର ୫ଟି ଷ୍ଟଲ ରହିବ।

ଏହି ମେଳାରେ ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ଓଡ଼ିଶା ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆମନ୍ତ୍ରିତ କଳାକାର ଓ କଳାକାର ସଂଗଠନଗୁଡ଼ିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ପରିବେଷିତ ହେବ। ଆମ ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ଗୋଟିଏ ଫ୍ୟାସନ୍‌ ସୋ’ର ମଧ୍ୟ ଆୟୋଜନ କରାଯାଇଛି।

ଚଳିତ ବର୍ଷ ମେଳାକୁ ସୁଗମ୍ୟ ସହିତ ବୟସ୍କ ତଥା ଦିବ୍ୟାଙ୍ଗ ଅନୁକୂଳ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି। ହୁଇଲ୍‌ ଚେୟାର୍‌ ଓ ଦିବ୍ୟାଙ୍ଗ ଏବଂ ବୟସ୍କ ପରିଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କର ବ୍ୟବସ୍ଥା କରାଯାଇଛି । ମେଳାକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଦର୍ଶକ ଓ ପ୍ରଦର୍ଶକମାନଙ୍କ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ହାତ ତିଆରି ବ୍ୟାଗ୍‌ ଉପଲବ୍ଧ କରାଯାଇଛି।

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଫେବୃଆରୀ ୧୨ ତାରିଖ ପର୍ଯ୍ୟନ୍ତ ଦିବା ୨.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲାରହିବ। ବିଭାଗ ପକ୍ଷରୁ ମହିଳା କାରିଗର ଓ ବୁଣାକାରମାନଙ୍କ ନମନ୍ତେ ମାଗଣା ରହଣି ତଥା ପରିବହନ ସୁବିଧା ଇତ୍ୟାଦିର ବ୍ୟବସ୍ଥା କରାଯାଇଛି।
ଚଳିତ ବର୍ଷ ମେଳାରେ ୨୦ ଲକ୍ଷ ଜନସମାବେଶ ସହିତ ୨୦ କୋଟି ଟଙ୍କାର ସାମଗ୍ରୀ ବିକି୍ରର ଲକ୍ଷ୍ୟ ରଖାଯାଇଛି।

ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହିତ ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରଣାଳୟର ବିକାଶ ଆୟୁକ୍ତ(ହସ୍ତଶିଳ୍ପ) ଓ ବିକାଶ ଆୟୁକ୍ତ (ହସ୍ତତନ୍ତ)ଙ୍କ ସହଭାଗିତାରେ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌) ତରଫରୁ ଏହି ଜାତୀୟ ସ୍ତରର ମେଳାର ନମୁନା ପରିକଳ୍ପନା ଓ ପ୍ରଯୋଜନା କରାଯାଇଛି।

Categories
ବିଶେଷ ଖବର ବ୍ୟବସାୟ

ଶେଷ ହେଲା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା, ୧୬ କୋଟିରୁ ଅଧିକ ଟଙ୍କାର କାରବାର

ଭୁବନେଶ୍ବର: ଗତ ମାର୍ଚ୍ଚ ୨୮ରୁ ଆରମ୍ଭ ହୋଇଥିବା ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଯାପିତ ହୋଇଯାଇଛି। ୧୪ ଦିନ ଧରି ଚାଲିଥିବା ଏହି ମେଳାରେ ପ୍ରାୟ ୪୨୦ଟି ଷ୍ଟଲରେ ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରୟ ହୋଇଛି। ୩୦ଟି ଫୁଡ଼୍‌ ଷ୍ଟଲ୍‌ରେ ବିିଭିନ୍ନ ପ୍ରକାରର ପାରମ୍ପରିକ ତଥା ସୁସ୍ୱାଦୁ ଆମିଷ ଏବଂ ନିରାମିଷ ଖାଦ୍ୟ ପରିବେଷଣ କରାଯାଇଥିଲା। ଓଡ଼ିଶା ସମେତ ୨୪ଟି ରାଜ୍ୟ ଏହି ମେଳାରେ ଯୋଗଦାନ କରିଛନ୍ତି।

ଚଳିତ ବର୍ଷ ଏହି ମେଳାରେ ପ୍ରାୟ ୧୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କାରବାର ହୋଇଛି। ତନ୍ମଧ୍ୟରୁ ହସ୍ତଶିଳ୍ପରେ ପ୍ରାୟ ୬ କୋଟି ୧୮ ଲକ୍ଷ, ହସ୍ତତନ୍ତରେ ୭ କୋଟି ୪୭ ଲକ୍ଷ ତଥା ଫୁଡ୍‌ କୋର୍ଟରେ ପ୍ରାୟ ୨ କୋଟି ୪୭ ଲକ୍ଷ ଟଙ୍କାର କାରବାର ହୋଇଛି। ଏହି ୧୪ ଦିନରେ ୧୯ ଲକ୍ଷରୁ ଊଦ୍ଧ୍ୱର୍ ପରିଦର୍ଶକ ମେଳା ପରିଦର୍ଶନ କରିଛନ୍ତି।

ସଂସ୍କୃତିକ ସଂଧ୍ୟାରେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପ ପ୍ରଦ୍ମଶ୍ରୀ ଇଲିଆନ୍‌ ସିତାରିଷ୍ଟଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ନୃତ୍ୟଶାଳା, କଟକର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ଓ ଲୋକନୃତ୍ୟ, ଶ୍ରୀଧରନାଥ ପରମାଣିକ ଲୋକକଳା ପରିଷଦ, ବ୍ରହ୍ମଗିରିର କଳାକାରମାନଙ୍କ ଦ୍ୱାରା ଧୁୁଡ଼ୁକି ପରିବେଷଣ କରାଯାଇଥିଲା କଳାଜୀବୀ, ବରଗଡ଼ର କଳାକାରମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।

ଆଜି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଉଦ୍‌ଯାପନୀ ଦିବସରେ ଜନତା ମଇଦାନରେ ପ୍ରବଳ ଗହଳି ହୋଇଥିଲା। ପରିଦର୍ଶକମାନେ ନିଜ ମନପସନ୍ଦର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର କିଣାକିଣି କରିବା ସହିତ ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ମଜା ଉଠାଇଥିଲେ। ଆଜି ମେଳା ସରୁଥିବାରୁ ନିଜର ମନପସନ୍ଦର ଜିନିଷସବୁ କିଣାକିଣି କରି ନେବାକୁ ପରିଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।

ଜନତା ମଇଦାନଠାରେ ଅନୁଷ୍ଠିତ ଉଦ୍‌ଯାପନୀ ପର୍ବରେ ଉଦ୍‌ବୋଧନ ଦେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ତୋଷାଳି ମେଳାରେ ଯୋଗଦେଇଥିବା ଶିଳ୍ପୀ, କଳାକାର, ବୁଣାକାର, କାରିଗରମାନଙ୍କୁ ଧନ୍ୟବାଦ ଦେଇଥିଲେ।

Categories
ବିଶେଷ ଖବର ବ୍ୟବସାୟ

ତୋଷାଳି ମେଳାରେ ଭାଗ ନେଇଛନ୍ତି ଦେଶର ୨୫ ଜଣ ପୁରସ୍କାର ପ୍ରାପ୍ତ ବୁଣାକାର

ଭୁବନେଶ୍ବର:  ରାଜଧାନୀର ଜନତା ମଇଦାନରେ ଚାଲିଥିବା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ଓଡ଼ିଶା ଓ ଅନ୍ୟ ରାଜ୍ୟର କୃତି ବୁଣାକାରମାନଙ୍କର ଅପୂର୍ବ ମେଳଣ ଦେଖିବାକୁ ମିଳୁଛି। ପଂଜାବ ରାଜ୍ୟର ପଦ୍ମଶ୍ରୀ ପୁରସ୍କାର ବିଜେତାଙ୍କ ‘ଫୁଲକରି’ ହସ୍ତତନ୍ତ ଏହି ମେଳାରେ ଦେଖିବାକୁ ମିଳୁଛି।

ଦେଶର ଛଅଜଣ ସନ୍ଥକବି ପୁରସ୍କାର ବିଜେତା, ୧୫ ଜଣ ଜାତୀୟ ପୁରସ୍କାର ଓ ତିନିଜଣ ରାଜ୍ୟ ପୁରସ୍କୃତ ବୁଣାକାର ମେଳାରେ ଅଂଶଗ୍ରହଣ କରିଛନ୍ତି। ସନ୍ଥକବି ପୁରସ୍କାର ପାଇଥିବା ବୁଣାକାରମାନଙ୍କ ମଧ୍ୟରେ ଓଡ଼ିଶାରୁ ଦୁଇଜଣ ଓ ଅନ୍ୟ ରାଜ୍ୟ ଜାମ୍ମୁ ଓ କାଶ୍ମୀର, ତେଲେଙ୍ଗାନା ଓ ଉତ୍ତରପ୍ରଦେଶର ୪ ଜଣ ଏହି ମେଳାରେ ଅଂଶଗ୍ରହଣ କରିଛନ୍ତି।

ଓଡ଼ିଶାରୁ ପୁରସ୍କୃତ ବୁଣାକାରମାନଙ୍କ ‘ଇକତ୍‌’ ଡିଜାଇନ୍‌ର ହସ୍ତତନ୍ତ ଏଠାରେ ସ୍ଥାନିତ ହୋଇଥିବାବେଳେ ଅନ୍ୟ ରାଜ୍ୟର ପୁରସ୍କୃତ ବୁଣାକାରମାନଙ୍କର ଉଲ୍‌, ସିଲ୍‌କ ଓ ସୂତାଶାଢ଼ି, ପୋଷାକ, ଷ୍ଟୋଲ, ସାଲ୍‌ ଇତ୍ୟାଦି ମେଳାରେ ପ୍ରଦର୍ଶନ ଓ ବିକ୍ରୟ ପାଇଁ ରଖାଯାଇଛି।
ଓଡ଼ିଶାର ଜାତୀୟ ପୁରସ୍କାରପ୍ରାପ୍ତ ୬ ଜଣ ଓ ଅନ୍ୟ ରାଜ୍ୟ ଜାମ୍ମୁ ଓ କାଶ୍ମୀର, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶର ୯ ଜଣ ଜାତୀୟ ପୁରସ୍କାରପ୍ରାପ୍ତ ବୁଣାକାର ତୋଷାଳି ମେଳାରେ ସେମାନଙ୍କର ଉଲ୍‌, ସିଲ୍‌କ, ସୂତାଶାଢ଼ି, ପୋଷାକ, ଷ୍ଟୋଲ, ସାଲ୍‌ ଆଦି ଉତ୍ପାଦ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି।

ଓଡ଼ିଶାର ଜାତୀୟ ପୁରସ୍କାରପ୍ରାପ୍ତ ୬ ଜଣ ବୁଣାକାରମାନଙ୍କ ଷ୍ଟଲ୍‌ରେ ପ୍ରାକୃତିକ ରଙ୍ଗ ଓ ଫେବ୍ରିକ୍‌ ହସ୍ତତନ୍ତ ଉପଲବ୍ଧ ହେଉଛି। ସେହିପରି ଓଡ଼ିଶାର ରାଜ୍ୟ ପୁରସ୍କାରପ୍ରାପ୍ତ ବୁଣାକାରଙ୍କ ଷ୍ଟଲ୍‌ରେ ‘ଇକତ୍‌’ ଉତ୍ପାଦ ପ୍ରଦର୍ଶନ ଓ ବିକ୍ରୟ ପାଇଁ ରଖାଯାଇଛି। ଛତିଶଗଡ଼ ଓ ରାଜସ୍ଥାନର ରାଜ୍ୟ ପୁରସ୍କାରପ୍ରାପ୍ତ ବୁଣାକାରମାନଙ୍କ ଷ୍ଟଲରେ ସୂତା ଶାଢ଼ି, ପୋଷାକ, ଷ୍ଟୋଲ ଆଦି ପ୍ରଦର୍ଶନ ଓ ବିକ୍ରୟ ହେଉଛି।

କୃତୀ ବୁଣାକାର ଓ ସେମାନଙ୍କ ଉତ୍ପାଦ ଷୋଡ଼ଶ ତୋଷାଳି ମେଳାର ଗରିମାକୁ ବଢ଼ାଇବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛି।ସ୍ଥାନୀୟ ଜନତା ମଇଦାନଠାରେ ଚାଲିଥିବା ତୋଷାଳି ଜାତୀୟ ହସ୍ତତନ୍ତ ମେଳାରେ ଦିନକୁ ଦିନ ଭିଡ଼ ଜମିବାରେ ଲାଗିଛି। ୩୦ଟି ଖାଦ୍ୟ ଷ୍ଟଲ ଲୋକଙ୍କୁ ସୁସ୍ୱାଦୁ ଖାଦ୍ୟ ଆଡ଼କୁ ଟାଣି ନେଉଛି। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେବା ସହିତ ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ କ୍ରୟ କରିବା ନିମନ୍ତେ ଲୋକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି।

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଅପ୍ରେଲ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟହ ଦିବା ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ମେଳା ଖୋଲା ରହୁଛି।

Categories
ବିଶେଷ ଖବର ବ୍ୟବସାୟ

ତୋଷାଳି ମେଳା: କାଇଁଚ ଶିଳ୍ପର ଜିଆଇ ଟ୍ୟାଗ ପାଇଁ ଚାଲିଛି ପକ୍ରିୟା; ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଆଜି ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଏଗାର ଦିନ ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରଦୀପ ପ୍ରଜ୍ୱଳନ ସହ ଜଗନ୍ନାଥଙ୍କ ପାଦରେ ପୁଷ୍ପଗୁଚ୍ଛ ନିବେଦନ କରି ମେଳାର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ସମବେତ ଶିଳ୍ପୀ, କଳାକାର, ବୁଣାକାର ଓ ଦର୍ଶକମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ କୋଭିଡ୍‌ ପରବର୍ତ୍ତୀ ଅବସ୍ଥାରେ ପ୍ରଥମ ଥର କରି ତୋଷାଳି ମେଳାକୁ ସମାରୋହ ଓ ସଫଳତାର ସହିତ ଆୟୋଜନ କରାଯାଇଛି । ଏହା କୋଭିଡ୍‌ କ୍ଷତିଗ୍ରସ୍ତ ଶିଳ୍ପୀମାନଙ୍କ ପାଇଁ ନୂଆ ଆଶା ସଂଚାର କରିଛି । ପ୍ରଦର୍ଶନୀକୁ ଦୈନିକ ହଜାର ହଜାର ସଂଖ୍ୟାର ଦର୍ଶକ ପରିଦର୍ଶନ କରୁଛନ୍ତି ଏବଂ ଶିଳ୍ପୀ ଓ କାରିଗରମାନଙ୍କର ଉତ୍ପାଦିତ ଦ୍ରବ୍ୟ ବିକ୍ରି ବହୁଗୁଣିତ ହୋଇଛି।

କାଇଁଚ ଶିଳ୍ପ ଓଡ଼ିଶାର ଏକ ସ୍ୱତନ୍ତ୍ର ହସ୍ତଶିଳ୍ପ। କାଇଁଚ ଶିଳ୍ପୀମାନେ ଦୈନିଦିନ ଜୀବନରେ ବ୍ୟବହାର୍ଯ୍ୟ ପଦାର୍ଥଠାରୁ ଆରମ୍ଭ କରି କାର୍ଯ୍ୟାଳୟ ଓ ବିଭିନ୍ନ ପ୍ରକାର ସାଜସଜ୍ଜାରେ ଆବଶ୍ୟକ ପଡ଼ୁଥିବା ଦ୍ରବ୍ୟ ଉତ୍ପାଦନ କରନ୍ତି। ଏହି ଶିଳ୍ପୀମାନଙ୍କର ଉତ୍ପାଦ ବେଶ୍‌ ଆକର୍ଷଣୀୟ ଏବଂ ଉପଯୋଗୀ। କାଇଁଚ ହସ୍ତଶିଳ୍ପକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଲୋକପି୍ରୟ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରଚେଷ୍ଟା ଆରମ୍ଭ କରାଯାଇଛି ବୋଲି ଶ୍ରୀ ମହାପାତ୍ର କହିଥିଲେ।

କେନ୍ଦ୍ରାପଡ଼ା କାଇଁଚ ଉତ୍ପାଦର ଜି.ଆଇ. ଟ୍ୟାଗିଂ ପାଇଁ ମଧ୍ୟ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ। ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଥିଲେ ଯେ ହସ୍ତଶିଳ୍ପୀ ଓ କାରିଗରମାନଙ୍କୁ ବର୍ଷତମାମ୍‌ ବିକି୍ରବଟା ସୁଯୋଗ ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଭୁବନେଶ୍ୱର ଏକାମ୍ର ହାଟରେ ସ୍ୱତନ୍ତ୍ର ଷ୍ଟଲମାନ ପ୍ରତିଷ୍ଠା କରାଯାଇଛି। ପୁରୀ ଓ କୋଣାର୍କରେ ଥିବା ନୀଳାଚଳ ଓ କୋଣାର୍କ ହାଟକୁ ନବୀକରଣ କରାଯାଇ ବର୍ଷତମାମ୍‌ ଚାଲୁ କରାଯିବାର ବ୍ୟବସ୍ଥା କରାଯାଉଛି ବୋଲି ମଧ୍ୟ ସେ କହିଥିଲେ।

ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଜଣାଇଥିଲେ ଯେ କେନ୍ଦ୍ରାପଡ଼ା ଜିଲ୍ଲାରୁ ପ୍ରାୟ ୩ ହଜାର କାଇଁଚ ଶିଳ୍ପୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ପ୍ରାୟ ଶତକଡ଼ା ୯୦ ଭାଗ ହେଉଛନ୍ତି ମହିଳା। ଚିହ୍ନିତ ଶିଳ୍ପୀମାନଙ୍କୁ ଆଧୁନିକ କାଇଁଚ କଳା ବିଷୟରେ ତାଲିମ ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଇତି ମଧ୍ୟରେ ୯୬୫ ଜଣଙ୍କୁ ତାଲିମ ଦିଆସରିଛି ଏବଂ ଆଉ ୫୦୦ ଜଣଙ୍କର ତାଲିମ କାର୍ଯ୍ୟକ୍ରମ ଚାଲୁ ରହିଛି। ଚଳିତ ବର୍ଷ ଅକେଫାବର ଶେଷ ସୁଦ୍ଧା ସମସ୍ତ ଚିହ୍ନିତ ଶିଳ୍ପୀମାନଙ୍କୁ ତାଲିମ ଦିଆଯିବ ବୋଲି ଶ୍ରୀମତୀ ଶର୍ମା ଜଣାଇଥିଲେ।

ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରାୟ ୪୫୦ ଷ୍ଟଲରେ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରୟ ହେଉଛି। ଓଡ଼ିଶା ସମେତ ପ୍ରାୟ ୨୪ଟି ରାଜ୍ୟରୁ କାରିଗର ଓ ବୁଣାକାରମାନେ ନିଜ ନିଜ ଉତ୍ପାଦ ବିକ୍ରିବଟା କରୁଛନ୍ତି। ମୁଖ୍ୟ ଶାସନ ସଚିବ ମେଳାରେ ବିଭିନ୍ନ ଷ୍ଟଲ ବୁଲିବା ସହ ଶିଳ୍ପୀ ଓ ବୁଣାକାରଙ୍କ ସହ ଆଲୋଚନା କରିଥିଲେ। ଶିଳ୍ପୀ ଓ ବୁଣାକାରମାନେ ସଂପୃକ୍ତ ହସ୍ତଶିଳ୍ପର ବିକାଶ ନିମନ୍ତେ ଆବଶ୍ୟକୀୟ ମତାମତ ଦେଇଥିଲେ।

ମେଳାର ଅନ୍ୟ ଏକ ଆକର୍ଷଣ ହେଉଛି ବିଭିନ୍ନ ପ୍ରକାରର ଓଡ଼ିଆ ଖାଦ୍ୟଦ୍ରବ୍ୟ, ସୁସ୍ୱାଦୁ ଆମିଷ ଓ ନିରାମିଷ ଖାଦ୍ୟ ଷ୍ଟଲ। ଏସବୁ ଖାଦ୍ୟ ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସନ୍ଧ୍ୟାରେ ଗୁରୁ ଶତ୍ରୁଘ୍ନ ନାୟକ ଏବଂ ସାଥୀ କଳାକାର, ସାଂସ୍କୃତିକ ଅନୁଷ୍ଠାନ ‘ନୃତ୍ୟ ପ୍ରତିଭା’ ଓ ‘ବିନାରୀ ୱେଲ୍‌ଫେୟାର ଅର୍ଗାନାଇଜେସନ୍‌’ର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ, ଦେବଦାସୀ ଓ ମାହାରୀ ନୃତ୍ୟ ପରିବେଷଣ କରାଯାଇଥିଲା।