Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ନବମ ସନ୍ଧ୍ୟାରେ ପରିବେଷଣ ହେଲା ଆଦିବାସୀ ନୃତ୍ୟ

ଭୁବନେଶ୍ବର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୧୫ ତାରିଖରୁ ସ୍ଥାନୀୟ ଜନତା ମଇଦାନ ଠାରେ, ଆୟୋଜିତ ଅଠରତମ  ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ନବମ ସନ୍ଧ୍ୟାରେ ବିଭାଗର ସ୍ବତନ୍ତ୍ର ଶାସନ ସଚିବ, ଶ୍ରୀ ସରୋଜ କୁମାର ପଟେଲ ମଞ୍ଚରେ ପ୍ରଦୀପ ପ୍ରଜ୍ଵଳନ କରି ଆଜିର ସାଂସ୍କୃତିକ ସନ୍ଧ୍ୟାକୁ ଉଦଘାଟନ କରିଥିଲେ।

ତାଙ୍କ ସହିତ ମଞ୍ଚରେ ଉପସ୍ଥିତଥିଲେ ସିଡ଼ାକ୍ ର ସଦସ୍ୟସଚିବ ଶ୍ରୀଯୁକ୍ତ ଶିଶିର କୁମାର ରଥ ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ(ହସ୍ତଶିଳ୍ପ), ଶ୍ରୀଯୁକ୍ତ ମାନଗୋବିନ୍ଦ ଜେନା ।

ଏହି ଜାତୀୟ ହସ୍ତଶିଳ୍ପ ମେଳାର ନବମ ସାଂସ୍କୃତିକ ସନ୍ଧ୍ୟା,ଓଡ଼ିଶାର ଲୋକ ନୃତ୍ୟ ପାଇଁ ସମର୍ପିତ ଥିଲା। ଭାବନୀପାଟଣାର ଧ୍ୟାନନନ୍ଦ ପଣ୍ଡା ଓ ସାଥିଙ୍କ ଦ୍ବାରା ଶିଂଗାରୀ  ନୃତ୍ୟ ଏବଂ ଗଜପତିର ସୁଦାମ ବରଦୋ ଓ ସାଥିଙ୍କ ଦ୍ବାରା ଲାଞ୍ଜିଆ ସୌରା ନୃତ୍ୟ ଦର୍ଶକମାନଙ୍କ ମନ ମୋହିଲାବେଳେ କୋରାପୁଟର କୁଳମଣୀ ଜେନା ଓ ସାଥୀଙ୍କ ଦୁରୁଆ ବିରଲି ନୃତ୍ୟ ଏବଂ ରାୟଗଡାର ଜେ. ସୁକାନ୍ତ ଓ ସାଥିଙ୍କ ଦ୍ବାରା ଢେମ୍ ଶା ନୃତ୍ୟ ଦର୍ଶକ ତଥା ପରିଦର୍ଶକ ମାନଙ୍କର ମନୋରଞ୍ଜନ କରିଥିଲା ।

ଡିସେମ୍ବର, ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଜାତୀୟ ମେଳାର ଅବଧି କ୍ରମେ କ୍ରମେ ସରିଆସୁଥିବାରୁ ଲୋକମାନଙ୍କ ମଧ୍ୟରେ ନିଜ  ମନପସନ୍ଦର ହସ୍ତତନ୍ତ  ଓ  ହସ୍ତଶିଳ୍ପ ସାମଗ୍ରୀ କିଣିବାପାଇଁ ପ୍ରବଳ ଉତ୍ସାହ ଏବଂ ମେଳାର ଖାଦ୍ଯ ପ୍ରାଙ୍ଗଣରେ ଅଧିକ ଭିଡ ପରିଲକ୍ଷିତ ହେଉଛି।

ଭୁବନେଶ୍ବରର ଜନତା ମଇଦାନ ଠାରେ ଅନୁଷ୍ଠିତ ଏହି ଜାତୀୟ ମେଳାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମେଳା ମଞ୍ଚରେ ପ୍ରତ୍ୟହ ସନ୍ଧ୍ୟା ୬ ଟା ରୁ ୯.୩୦ ପର୍ଯ୍ୟନ୍ତ ପରିବେଷିତ ହେବା ସହିତମେଳା ପ୍ରତ୍ୟହ ଅପରାହ୍ନ ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଦର୍ଶକ, ଗ୍ରାହକ ତଥା ସର୍ବସାଧାରଣଙ୍କ ପାଇଁ ଖୋଲା ରହୁଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାରେ ଓଡ଼ିଶାର ଉଦୀୟମାନ କଣ୍ଠଶିଳ୍ପୀଙ୍କ ଯାଦୁରେ ବିଭୋର ଦର୍ଶକ

ଭୁବନେଶ୍ବର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ୧୨ ଦିନ ଧରି ଡିସେମ୍ବର ୧୫ ତାରିଖରୁ ଜନତା ମଇଦାନରେ ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ସପ୍ତମ ସନ୍ଧ୍ୟାରେ ଅତିଥି ଭାବେ ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟ ଅଧିନସ୍ଥ ହସ୍ତତନ୍ତ ରପ୍ତାନୀ ବିକାଶ ପରିଷଦର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ଏନ ଶ୍ରୀଧର ଏବଂ ଯୁଗ୍ମ ନିର୍ଦ୍ଦେଶକ, ଡ଼. ସୁନ୍ଦର ମୁରୁଗେସନ ମଞ୍ଚରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପୁଷ୍ପ ଅର୍ପଣ ତଥା ଚନ୍ଦନ ବୃକ୍ଷରେ ଜଳ ପ୍ରଦାନ କରି ଆଜିର ସାଂସ୍କୃତିକ ସନ୍ଧ୍ୟାକୁ ଉଦଘାଟନ କରିଥିଲେ। ବୟନିକାର ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା, ଶ୍ରୀମତୀ ପ୍ରଣତୀ ଛୋଟରାୟ ଅତିଥି ଦ୍ଵୟଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ  କରିଥିଲେ।

ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ଉଦୀୟମାନ କଣ୍ଠଶିଳ୍ପୀ  ତନୁଶ୍ରୀ ଜେନା, ବର୍ଣ୍ଣାଳୀ ହୋତା, ପ୍ରଭୁପଦ ମହାନ୍ତି ଓ ପଦ୍ମଶ୍ରୀ ଖଟେଇଙ୍କ ଚିତ୍ତାକର୍ଷକ ସଙ୍ଗୀତ ଆଜିର ଶିତୁଆ ସନ୍ଧ୍ୟାରେ ଉଷ୍ମତା ଭରିଦେଇଥିଲା।

ସୂଚନାଯୋଗ୍ୟ ଯେ, ଏହି ମେଳା ପ୍ରତ୍ୟହ ଅପରାହ୍ନ ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଦର୍ଶକ, ଗ୍ରାହକ ତଥା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବା ସହିତ ପ୍ରତ୍ୟହ ସନ୍ଧ୍ୟା ୬ ଟା ରୁ ୯.୩୦ ପର୍ଯ୍ୟନ୍ତ ମେଳା ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଉଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର ସଂସ୍କୃତି

ଉଦ୍‌ଘାଟିତ ହେଲା ଅଠରତମ ଜାତୀୟ ହସ୍ତଶିଳ୍ପ ମେଳା ‘ତୋଷାଳି’

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆଜି ସନ୍ଧ୍ୟାରେ ଜନତା ମଇଦାନରେ ଉଦ୍‌ଘାଟିତ ହୋଇଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଭାବରେ ଯୋଗ ଦେଇ ମେଳାର ଶୁଭାରମ୍ଭ କରିଥିଲେ। କାରିଗର ଓ ବୁଣାକାରମାନଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପାଠ କରିଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଥିଲେ ଯେ ଓଡ଼ିଶା କଳାର ରାଜ୍ୟ, କଳାଭୂମି। ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ଦେଶ ବିଦେଶରେ ଗୌରବ ବୃଦ୍ଧି କରିଛି ଏବଂ କାରିଗରମାନଙ୍କ ପାଇଁ ସମ୍ମାନ ଆଣିଛି। ଏହି ମାଟିର କାରିଗରମାନଙ୍କର ଦକ୍ଷତାର ତୁଳନା ନାହିଁ। ମୁଖ୍ୟମନ୍ତ୍ରୀ ଏହି ପ୍ରତିଭାଧରମାନଙ୍କୁ ବିଶେଷ ଅଭିନନ୍ଦନ ଜ୍ଞାପନ କରିଥିଲେ ଓ ଆଜି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ବିଭିନ୍ନ ରାଜ୍ୟର କାରିଗରମାନଙ୍କୁ ସ୍ୱାଗତ କରିଥିଲେ।

ଉଦ୍‌ଘାଟନୀ ସଭାରେ ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ପଦ୍ମ ବିଭୁଷଣ, ଡ଼. ସୁଦର୍ଶନ ସାହୁ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ୱତନ୍ତ୍ର ସଚିବ, ଶ୍ରୀ ସରୋଜ କୁମାର ପଟେଲ, ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ଶୋଭନ କ୍ରୀଷ୍ଣା ସାହୁ ତଥା ହସ୍ତଶିଳ୍ପ ନିର୍ଦ୍ଦେଶିକା, ଶ୍ରୀମତୀ ପ୍ରଣତୀ ଛୋଟରାୟ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ୨୦୨୨ ବର୍ଷ ପାଇଁ ହସ୍ତଶିଳ୍ପ କ୍ଷେତ୍ରରେ ୧୧ ଜଣ ଶିଳ୍ପୀଙ୍କୁ ସମ୍ମାନିତ କରାଯାଇଛି । ଓଡ଼ିଶାର କଳା ଓ ସଂସ୍କୃତି କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ବିଶିଷ୍ଟ ଶିଳ୍ପୀ ଶ୍ରୀଯୁକ୍ତ ବିଜୟ କୁମାର ପରିଡାଙ୍କୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡରେ, ୫ ଜଣ ଶିଳ୍ପୀ ଙ୍କୁ ରାଜ୍ୟ ହସ୍ତଶିଳ୍ପ ଆୱାର୍ଡରେ ଓ ୫ ଜଣ ଶିଳ୍ପୀଙ୍କୁ କଳାକୃତି ସମ୍ମାନରେ ସମ୍ମାନିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା।

ଶେଷରେ ବୟନ ଓ ହସ୍ତତନ୍ତ ନିିର୍ଦ୍ଦେଶକ ଶ୍ରୀ ଶୋଭନ କ୍ରୀଷ୍ଣା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଏହି ସନ୍ଧ୍ୟାରେ ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଯୋଗଦେଇ ଥିମ ପାଭିଲିୟନ୍‌ର ଶୁଭ ଉଦ୍‌ଘାଟନ କରିଥିଲେ।

ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ବିଚିତ୍ରାନନ୍ଦ ସ୍ୱାଇଁ ଓ ସାଥୀମାନେ ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହି ମେଳାରେ ମୋଟ ୫୬୦ଟି ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଷ୍ଟଲ ସ୍ଥାନ ପାଇଛି।

ଚଳିତବର୍ଷ ଫୁଡ୍‌ କୋର୍ଟରେ ଓଡ଼ିଶାରେ ପାରମ୍ପରିକ ଖାଦ୍ୟ ପରିବେଷଣ ହେବା ସହିତ ବିଭିନ୍ନ ରାଜ୍ୟର ସୁସ୍ୱାଦୁ ଖାଦ୍ୟର ଆସର ଜମିଛି। ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଡିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଦିବା ୨.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲା ରହିବ।