ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ନବମ ସନ୍ଧ୍ୟାରେ ପରିବେଷଣ ହେଲା ଆଦିବାସୀ ନୃତ୍ୟ

Published: Dec 23, 2023, 10:46 pm IST

ଭୁବନେଶ୍ବର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୧୫ ତାରିଖରୁ ସ୍ଥାନୀୟ ଜନତା ମଇଦାନ ଠାରେ, ଆୟୋଜିତ ଅଠରତମ  ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ନବମ ସନ୍ଧ୍ୟାରେ ବିଭାଗର ସ୍ବତନ୍ତ୍ର ଶାସନ ସଚିବ, ଶ୍ରୀ ସରୋଜ କୁମାର ପଟେଲ ମଞ୍ଚରେ ପ୍ରଦୀପ ପ୍ରଜ୍ଵଳନ କରି ଆଜିର ସାଂସ୍କୃତିକ ସନ୍ଧ୍ୟାକୁ ଉଦଘାଟନ କରିଥିଲେ।

ତାଙ୍କ ସହିତ ମଞ୍ଚରେ ଉପସ୍ଥିତଥିଲେ ସିଡ଼ାକ୍ ର ସଦସ୍ୟସଚିବ ଶ୍ରୀଯୁକ୍ତ ଶିଶିର କୁମାର ରଥ ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ(ହସ୍ତଶିଳ୍ପ), ଶ୍ରୀଯୁକ୍ତ ମାନଗୋବିନ୍ଦ ଜେନା ।

ଏହି ଜାତୀୟ ହସ୍ତଶିଳ୍ପ ମେଳାର ନବମ ସାଂସ୍କୃତିକ ସନ୍ଧ୍ୟା,ଓଡ଼ିଶାର ଲୋକ ନୃତ୍ୟ ପାଇଁ ସମର୍ପିତ ଥିଲା। ଭାବନୀପାଟଣାର ଧ୍ୟାନନନ୍ଦ ପଣ୍ଡା ଓ ସାଥିଙ୍କ ଦ୍ବାରା ଶିଂଗାରୀ  ନୃତ୍ୟ ଏବଂ ଗଜପତିର ସୁଦାମ ବରଦୋ ଓ ସାଥିଙ୍କ ଦ୍ବାରା ଲାଞ୍ଜିଆ ସୌରା ନୃତ୍ୟ ଦର୍ଶକମାନଙ୍କ ମନ ମୋହିଲାବେଳେ କୋରାପୁଟର କୁଳମଣୀ ଜେନା ଓ ସାଥୀଙ୍କ ଦୁରୁଆ ବିରଲି ନୃତ୍ୟ ଏବଂ ରାୟଗଡାର ଜେ. ସୁକାନ୍ତ ଓ ସାଥିଙ୍କ ଦ୍ବାରା ଢେମ୍ ଶା ନୃତ୍ୟ ଦର୍ଶକ ତଥା ପରିଦର୍ଶକ ମାନଙ୍କର ମନୋରଞ୍ଜନ କରିଥିଲା ।

ଡିସେମ୍ବର, ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଜାତୀୟ ମେଳାର ଅବଧି କ୍ରମେ କ୍ରମେ ସରିଆସୁଥିବାରୁ ଲୋକମାନଙ୍କ ମଧ୍ୟରେ ନିଜ  ମନପସନ୍ଦର ହସ୍ତତନ୍ତ  ଓ  ହସ୍ତଶିଳ୍ପ ସାମଗ୍ରୀ କିଣିବାପାଇଁ ପ୍ରବଳ ଉତ୍ସାହ ଏବଂ ମେଳାର ଖାଦ୍ଯ ପ୍ରାଙ୍ଗଣରେ ଅଧିକ ଭିଡ ପରିଲକ୍ଷିତ ହେଉଛି।

ଭୁବନେଶ୍ବରର ଜନତା ମଇଦାନ ଠାରେ ଅନୁଷ୍ଠିତ ଏହି ଜାତୀୟ ମେଳାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମେଳା ମଞ୍ଚରେ ପ୍ରତ୍ୟହ ସନ୍ଧ୍ୟା ୬ ଟା ରୁ ୯.୩୦ ପର୍ଯ୍ୟନ୍ତ ପରିବେଷିତ ହେବା ସହିତମେଳା ପ୍ରତ୍ୟହ ଅପରାହ୍ନ ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଦର୍ଶକ, ଗ୍ରାହକ ତଥା ସର୍ବସାଧାରଣଙ୍କ ପାଇଁ ଖୋଲା ରହୁଛି।

Related posts