Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ବିସ୍ଫୋରଣରେ ଥରି ଉଠିଲା ୟୁକ୍ରେନ, ୧୦୦ ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କଲା ଋଷ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ। ୟୁକ୍ରେନ ରାଷ୍ଟ୍ରପତିଙ୍କ ଜଣେ ପରାମର୍ଶଦାତାଙ୍କ ଅନୁଯାୟୀ ଆଜି ଋଷ ପୁଣି ଥରେ ୟୁକ୍ରେନ ଉପରେ ୧୦୦ ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହି ସମୟରେ ୟୁକ୍ରେନରେ ସାଇରନ୍ ବାଜିଥିଲା। ରାଜଧାନୀ କିଭ ସମେତ ଅନେକ ସହରରେ ବିସ୍ଫୋରଣର ଶବ୍ଦ ଶୁଣାଗଲା।

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ପରାମର୍ଶଦାତା ଓଲେକ୍ସି ଏରେଷ୍ଟୋଭିଚ୍ ଫେସବୁକରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଯେ, ଋଷ ଦ୍ଵାରା ୟୁକ୍ରେନର ଅନେକ ଅଞ୍ଚଳରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରାଯାଇଛି। ଗୋଟିଏ ପରେ ଗୋଟିଏ କ୍ରମାଗତ ଭାବେ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କିଭ, ଜାଇଟୋମିର ଏବଂ ଓଡେସାରେ ବିସ୍ଫୋରଣ ଶୁଣିବାକୁ ମିଳିଥିଲା।

ଏହି ଆକ୍ରମଣ ପରେ ବିଦ୍ୟୁତ୍ କାଟ ଘୋଷଣା କରାଯାଇଥିଲା। ୟୁକ୍ରେନର ‘ଶାନ୍ତି ସୂତ୍ର’କୁ ପ୍ରତ୍ୟାଖ୍ୟାନ କରିବା ପରେ ଋଷ ଏହି ବିସ୍ଫୋରଣ କରିଥିଲା। ୟୁକ୍ରେନ ପାଇଁ କୌଣସି ଶାନ୍ତି ଯୋଜନା ହୋଇପାରିବ ନାହିଁ ବୋଲି କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି।