Categories
ଆଜିର ଖବର ରାଜ୍ୟ ଖବର ସିନେମା

ପୂର୍ବତନ ଛାତ୍ର ତଥା ଦମନ୍ ଚଳଚ୍ଚିତ୍ରର ଅଭିନେତା ଦୀପନ୍ୱିତ ଦାସମହାପାତ୍ରଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ବର୍ତ୍ତମାନ ଚଳଚ୍ଚିତ୍ର ଜଗତରେ ଚହଳ ପକାଇଥିବା ଓଡ଼ିଆ ଚଳଚ୍ଚିତ୍ର “ଦମନ୍‌”ର ସହଅଭିନେତା ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୂର୍ବତନ ଛାତ୍ର ଦୀପନ୍ୱିତ ଦାଶମହାପାତ୍ରଙ୍କୁ ସାମାଜିକ ବାର୍ତା ପ୍ରଦାନ କରୁଥିବା ଏହି ଚଳଚ୍ଚିତ୍ରରେ ତାଙ୍କର ନିଖୁଣ ଅଭିନୟ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସମ୍ବର୍ଦ୍ଧିତ କରିଯାଇଛି।

ଓଡ଼ିଶାର ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ ସହିତ ଅନ୍ଧବିଶ୍ୱାସକୁ ଦୂର କରିବା ଦିଗରେ ଜଣେ ଡାକ୍ତର ଏବଂ ତାଙ୍କର ସହଯୋଗୀ ଫାର୍ମାସିଷ୍ଟଙ୍କ ଆପ୍ରାଣ ଉଦ୍ୟମ ଓ ନିରବଚ୍ଛିନ୍ନ୍ ସଂଘର୍ଷର କାହାଣୀକୁ ନେଇ ଏହି ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି। ଅଭିନେତା ବାବୁସାନ୍ ମହାନ୍ତି ଡାକ୍ତର ଭୂମିକାରେ ଅଭିନୟ କରିଥିବା ଏହି ଚଳଚ୍ଚିତ୍ରକୁ ରାଜ୍ୟ ସରକାର ଟିକସମୁକ୍ତ କରିଛନ୍ତି।

ଏହି ଚଳଚ୍ଚିତ୍ରରେ ଫାର୍ମାସିଷ୍ଟ ଭୂମିକାରେ ଅଭିନୟ କରିଥିବା ଦୀପନ୍ୱିତ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପୂର୍ବତନ ଛାତ୍ର ଓ୨୦୧୭ ମସିହାରେ ସେ ପାସ କରିଛନ୍ତି । କଲେଜ ଦିନରୁ ହିଁ ସେ ଅଭିନୟ କ୍ଷେତ୍ରରେ ରୁଚି ରଖିଥିଲେ ଏବଂ ଆଇଟିଇଆର୍‌ର ଡ୍ରାମାଟିକ୍ କ୍ଲବ୍ ଟନେଲ୍‌ଷ୍ଟକ ଏବଂ ଉତ୍ତର ପୁରୁଷ ଥିଏଟର ଗ୍ରୁପ୍ ସମେତ ବିଭିନ୍ନ ପ୍ରତିଷ୍ଠିତ ଥିଏଟର ଗ୍ରୁପ୍ ସହିତ ସେ ସମ୍ପୃକ୍ତ। ସେ ଭୁବନେଶ୍ୱରସ୍ଥିତ ଜୀବନରେଖା ଥିଏଟର ଗ୍ରୁପ୍‌ର ମଧ୍ୟ ଜଣେ ପ୍ରମୁଖ ସଦସ୍ୟ ଅଟନ୍ତି।

ଦମନ୍ ଚଳଚ୍ଚିତ୍ରରେ ବାବୁସାନ୍‌ଙ୍କ ସହ ଫାର୍ମାସିଷ୍ଟ ଭାବେ ତାଙ୍କର ଭୂମିକାକୁ ନେଇ ଦୀପନ୍ୱିତ ପ୍ରଶଂସିତ ହୋଇଛନ୍ତି। ତାଙ୍କର ଚଳଚ୍ଚିତ୍ର “ପ୍ରତୀକ୍ଷା” ଆଇଏଫ୍‌ଏଫ୍‌ଆଇ – ୨୦୨୨ ର ଇଣ୍ଡିଆନ୍ ପାନୋରାମା ସେକ୍ସନ୍‌ରେ ସ୍କ୍ରିନିଂ ନିମନ୍ତେ ମନୋନୀତ ହୋଇଥିବା ବେଳେ ୱାଶିଂଟନ ଡିସି ସ୍ଥିତ ସାଉଥ ଏସିଆ ଫିଲ୍ମ ଫେଷ୍ଟିଭାଲ୍ -୨୦୨୨ ରେ ବେଷ୍ଟ ଷ୍ଟୋରୀ ଫିଚର୍ ଫିଲ୍ମ ଆୱାର୍ଡ ପାଇଛି।

ଏହି ଅବସରରେ ଦୀପନ୍ୱିତ ନିଜର ଶିକ୍ଷାନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାରୁ ଏହା ତାଙ୍କ ନିମନ୍ତେ ଏକ ବିଶେଷ ମୂହୁର୍ତ ବୋଲି କହିଥିଲେ ଏବଂ ତାଙ୍କର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କୁ ଉତ୍ସାହିତ କରିଥିବାରୁ କୃତଜ୍ଞତା ଜଣାଇଥିଲେ।

“ଆଇଟିଇଆର୍‌ରେ ନାମ ଲେଖାଇବା ପୂର୍ବରୁ ମୋତେ ଅଭିନୟ ବିଷୟରେ କିଛି ଜଣା ନଥିଲା। ଟନିଲଷ୍ଟକରେ ଯୋଗ ଦେବା ପରେ ଅଭିନୟ ଶିଖି ପାରିଲି” ବୋଲି ସେ କହିଥିଲେ।

ଦମନ ଚଳଚ୍ଚିତ୍ରରେ ତାଙ୍କର ନିଖୁଣ ଅଭିନୟ ନିମନ୍ତେ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଦୀପନ୍ୱିତଙ୍କୁ ପ୍ରଶଂସା କରିବା ସହ ଏହି କ୍ଷେତ୍ରରେ ତାଙ୍କର ଉତୋରତର ଉନ୍ନତି କାମନା କରିଥିଲେ।

ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଟିଇଆର୍‌ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଆସୋସିଏଟ୍ ଡିନ୍ ପ୍ରଫେସର ଧିରେନ୍ଦ୍ରନାଥ ଥାଟୋଇ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା, ଆଇଟିଇଆର୍ ୱାର୍ଡେନ୍ ପ୍ରଫେସର ରଞ୍ଜନ କୁମାର ମଲ୍ଲିକ୍ ଏବଂ ଆସୋସିଏଟ୍ ପ୍ରଫେସର ଡଃ ସତୀଶ ସାମଲ୍ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା ପ୍ରଭାବ, “ଦମନ୍‌”କୁ ମିଳିବ ସର୍ବାଧିକ ପ୍ରେକ୍ଷାଳୟ

ଭୁବନେଶ୍ଵର: ଓଲିଉଡ଼ ପ୍ରଯୋଜକଙ୍କ ନୀରବ ପଦଯାତ୍ରା ୫ମ ଦିନରେ ଦିନରେ ପହଞ୍ଚିଥିବା ବେଳେ ଏବେ ସାମାନ୍ୟ ଆଶ୍ବସ୍ତି ମିଳିଛି। ନିକଟ ଅତୀତରେ ମାଲକାନଗିରିରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ କାହାଣୀକୁ ଓଲିଉଡ଼ର ସୁପରଷ୍ଟାର ବାବୁସାନଙ୍କୁ ନେଇ ନିର୍ମିତ ହୋଇଥିଲା ଚଳଚ୍ଚିତ୍ର “ଦମନ୍”। “ଦମନ୍” ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପାଇଁ ଅନେକ ଥର ଯୋଜନା ହୋଇଥିବା ସତ୍ତ୍ୱେ ହଲ୍ ମିଳୁନଥିବା ଯୋଗୁଁ ମୁକ୍ତିଲାଭ କରିବା ନେଇ ପ୍ରଯୋଜକ ଚିନ୍ତିତ ଥିଲେ।

ପ୍ରଯୋଜକଙ୍କ ନୀରବ ପଦଯାତ୍ରାର ପ୍ରଭାବ ଏବଂ ଅନେକ ସମର୍ଥକଙ୍କ ଯୋଗୁଁ “ଦମନ୍” କୁ ମିଳିଛି ଓଡ଼ିଶାର ସର୍ବାଧିକ ପ୍ରେକ୍ଷାଳୟ। ଏଇ ଖୁସି ଖବର ସମସ୍ତ ପ୍ରଯୋଜକଙ୍କ ମୁହଁରେ ଆନନ୍ଦ ଭରିଦେଇଛି।

ଓଡ଼ିଆ ସିନେମାକୁ ଓଡ଼ିଶାରେ ହଲ୍ ମିଳୁନଥିବା, ୨୦୦୮ ମସିହାରୁ ମିଳୁନଥିବା ସବ୍‌ସିଡି ସୁବିଧା, ଫାଇଲ୍ ଭିତରେ ପଡ଼ି ରହିଥିବା ଓଡ଼ିଆ ସିନେମା ନୀତି ଯୋଗୁଁ ଏଭଳି ସ୍ଥିତିରେ ଓଡ଼ିଆ ସିନେମାର ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପ୍ରଯୋଜକ ଓ ନିର୍ଦ୍ଦେଶକ। ଏସବୁ ସମସ୍ୟାର ସମାଧାନ ସହ ଓଡ଼ିଆ ସିନେମାକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ଲାଗି ଦୀର୍ଘ ପାଞ୍ଚ ଦିନ ଧରି ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା ଚାଲିଅଛି। ଯେ ପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିଛନ୍ତି ସେ ପର୍ଯ୍ୟନ୍ତ ପଦଯାତ୍ରା ଚାଲୁରହିବ। ଆମର ଆଶା ଓ ବିଶ୍ଵାସ ରହିଛି, ସରକାର ନିଶ୍ଚିତ ଭାବେ ଏଥିପ୍ରତି ଦୃଷ୍ଟି ଦେବେ ଏବଂ କାର୍ଯ୍ୟକ୍ରମ ଗ୍ରହଣ କରିବେ।

ତେବେ ପ୍ରଯୋଜକ କହିଛନ୍ତି ଯେ, ଆଜି ଖୁସିର ଖବର, ଆମ ନୀରବ ପଦଯାତ୍ରା ଦେଖି ଚଳଚ୍ଚିତ୍ର “ଦମନ୍” କୁ ସାରା ଓଡିଶାରେ ସର୍ବାଧିକ ପ୍ରେକ୍ଷାଳୟ ମିଳିଲା ଓ ଏହା ନଭେମ୍ବର ୪ ତାରିଖରେ ମୁକ୍ତିଲାଭ କରିବ। ଆମ ପ୍ରଯୋଜକମାନଙ୍କ ତରଫରୁ ଓଡ଼ିଶାର ଅଗଣିତ ଦର୍ଶକଙ୍କୁ ନିବେଦନ “ଦମନ୍” ଭଳି ନିଚ୍ଛକ ଓଡ଼ିଆ ଚଳଚ୍ଚିତ୍ର ନିଶ୍ଚିତ ଭାବେ ଦେଖନ୍ତୁ।