Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଡବଲ ଇଞ୍ଜିନ ସରକାର ଦେଉଛି ମାତ୍ର ୩୦୦ ଟଙ୍କା ଭତ୍ତା, ନବୀନ ଇଞ୍ଜିନ ଦେଉଛି ୧୦୦୦ ଟଙ୍କା: ଭିକେ ପଣ୍ଡିଆନ

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ବାନ ଦେଇଛନ୍ତି। କବିସୂର୍ଯ୍ୟନଗରରେ ଆସ୍କା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ ଓ କବିସୂର୍ଯ୍ୟନଗର ବିଧାନସଭା ପ୍ରାର୍ଥୀ ଲତିକା ପ୍ରଧାନ ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍‌ସିପାତ୍ର ଏବଂ ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କୁ    ଯୋଡି ଶଙ୍ଖରେ ଭୋଟ ଦେଇ ନବୀନ ବାବୁଙ୍କୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଥିଲେ। ଦଳୀୟ ପ୍ରାର୍ଥୀଙ୍କୁ ୯୫ ପ୍ରତିଶତ ଭୋଟରେ ଜିତାଇବାକୁ ସେ ଅନୁରୋଧ କରିଥିଲେ।

ଦୁଇଟିଯାକ ସଭାରେ ସେ ଖଲିକୋଟର ପୂଜ୍ୟ ରାଣୀ ମା’ ସୁଜ୍ଞାନ ଦେଓ ଓ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଭାଷଣ ଆରମ୍ଭ କରିଥିଲେ।

ସେ କହିଥିଲେ ଯେ ଓଡିଶାର ପରିଚୟ ହେଉଛି ଶଙ୍ଖ ଚିହ୍ନ। ଉନ୍ନତିର ଚିହ୍ନ ଶଙ୍ଖ ଚିହ୍ନ। ନବୀନ ବାବୁଙ୍କ ଚିହ୍ନ ଶଙ୍ଖ ଚିହ୍ନ। ନବୀନ ପଟ୍ଟନାୟକ ଓ ମୁଁ ସବୁବେଳେ ଆପଣମାନଙ୍କ ସହିତ ରହିଛୁ ଓ ରହିଥିବୁ। ଆମେ ଆପଣଙ୍କ ସୁଖଦୁଃଖରେ ଅଛୁ, ସବୁଦିନେ ଆପଣଙ୍କ ଭଲମନ୍ଦ ବୁଝୁଛୁ। ତେଣୁ ଆପଣମାନେ ବିଜୁ ଜନତା ଦଳକୁ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରନ୍ତୁ ବୋଲି ସେ ଆହ୍ବାନ ଦେଇଥିଲେ।

ବିରୋଧୀଙ୍କୁ ପ୍ରବଳ ଆକ୍ରମଣ କରି ସେ କହିଲେ ୟେ କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ବିରୋଧୀ ଦଳର ସ୍ଥିତି ନାହିଁ। ସେମାନେ କେଉଁଠି ଦିଶୁନାହାନ୍ତି। ନା ସେମାନେ ଲୋକଙ୍କ ସହିତ ଅଛନ୍ତି, ନା ସେମାନଙ୍କ ଭଲମନ୍ଦରେ ଅଛନ୍ତି। ସେମାନଙ୍କୁ ଆପଣ ଦୂରରେ ରଖନ୍ତୁ।

ସେମାନେ ବାରମ୍ବାର ଡବଲ ଇଞ୍ଜିନ,  ଡବଲ ଇଞ୍ଜିନ କହୁଛନ୍ତି। କିନ୍ତୁ ତାଙ୍କ ସରକାର ଦେଉଛି ମାତ୍ର ୩୦୦ ଟଙ୍କା ଭତ୍ତା, ନବୀନ ଇଞ୍ଜିନ ଦେଉଛି ୧୦୦୦ ଟଙ୍କା। ଓଡିଶାରେ ନବୀନ ଇଞ୍ଜିନ ବହୁତ ମଜବୁତ। ନବୀନ ଇଞ୍ଜିନରେ ଓଡିଶା ବହୁତ ଭଲରେ ଚାଲିଛି।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବକୁ ପ୍ରଶଂସା କରି ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ଆପଣଙ୍କ ପାଇଁ ୨୪ ଘଣ୍ଟା କାମ କରୁଛନ୍ତି।  କବିସୂର୍ଯ୍ୟନଗରକୁ ସେ ଖୁବ ଭଲ ପାଆନ୍ତି।

ଆମ ମୁଖ୍ୟମନ୍ତ୍ରୀ ଦେଶର ଏକମାତ୍ର ନେତା, ଯିଏ କାମର ହିସାବ ଦେବାକୁ କହନ୍ତି। ସେଥିପାଇଁ ଓଡିଶାରେ,  ସବୁ ଜାଗାରେ ଆମେ କାମର ହିସାବ ଦେଉଛୁ। ଏଭଳି କେଉଁ ରାଜ୍ୟରେ ବି ଦେଖିବାକୁ ମିଳିବ ନାହିଁ।

କବିସୂର୍ଯ୍ୟନଗରରେ ୬୦ କୋଟିର କାମ ଚାଲିଛି। ଏଥିସହିତ ଆଠଗଡ ଜଗନ୍ନାଥ ମନ୍ଦିର ପାଇଁ ୨ କୋଟି, ପୁରୁଷୋତ୍ତମ ବ୍ଲକ ଗୁପ୍ତେଶ୍ବର ମନ୍ଦିର ପାଇଁ ୧.୨୦ କୋଟି, ବେଗୁନିଆପଡା ବ୍ଲକ ସିଦ୍ଧେଶ୍ବର ମନ୍ଦିର ପାଇଁ ୧ କୋଟି ଟଙ୍କା, ଶାଳିଆ ଡ୍ୟାମରୁ ବେଗୁନିଆପଡା ବ୍ଲକକୁ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୧୦୦ କୋଟି, ପୁରୁଷୋତ୍ତମପୁର ବ୍ଲକ୍‌ରେ ଋଷିକୂଲ୍ୟା ନଦୀବନ୍ଧ ପାଇଁ ୩୦ କୋଟି ଟଙ୍କାର କାମ ଚାଲିଛି ବୋଲି ସେ କହିଥିଲେ।

ସେହିପରି ଦିଗପହଣ୍ଡିରେ ୫୦ କୋଟିର କାମ ଚାଲିଛି। ମା ନିଜବାଙ୍କେଶ୍ବରୀ ମନ୍ଦିର, ମହୁରୀକାଳୁଆ ମନ୍ଦିର ଏବଂ ଘଟେକେଶ୍ବର ମନ୍ଦିର ପାଇଁ  ୪ କୋଟି ଟଙ୍କା, କୁକୁଡାଖଣ୍ଡି ବ୍ଲକ୍‌ରେ ଜଳସେଚନ ସୁବିଧା ଓ ବ୍ରହ୍ମପୁର ସହର ଓ ଗୋପାଳପୁର ଶିଳ୍ପାଞ୍ଚଳକୁ ଜଳଯୋଗାଣ ପାଇଁ ୩୨୪ କୋଟି ଟଙ୍କା, ଛେଳିଗଡ ଜଳସେଚନ ପ୍ରକଳ୍ପରେ ଭୂତଳ ପାଇପ ଲାଇନ ପାଇଁ ୧୭୦ କୋଟି ଟଙ୍କା, ଜକମେରପାଲୀ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ପାଇଁ ୫୯ କୋଟି ଟଙ୍କା ଏବଂ ଦିଗପହଣ୍ଡି ବ୍ଲକର ୨୫ଟି ଗ୍ରାମପଞ୍ଚାୟତରେ ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ ପାଇଁ ୧୬୫ କୋଟି ଟଙ୍କାର କାମ ଚାଲିଛି ବୋଲି ସେ କହିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦିଗପହଣ୍ଡି ବନାଞ୍ଚଳ ଅଧିକାରୀଙ୍କ ଘରେ ଦୁର୍ନୀତି ନିବାରଣ ବିଭାଗର ଚଢ଼ାଉ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ବିଭାଗର ଚଢ଼ାଉ ଜାରି ରହିଛି। ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ଅଧ୍ୟକ୍ଷ କାର୍ଯ୍ୟାଳୟ ତରଫରୁ ଅଧିକାରୀଙ୍କ ଦିଗପହଣ୍ଡି ସ୍ଥିତ କାର୍ଯ୍ୟାଳୟ, ସରକାରୀ ବାସଭବନ ଓ ବ୍ରହ୍ମପୁର ବାସଭବନରେ ଏକକାଳୀନ ଚଢ଼ଉ ଜାରି ରହିଛି ଓ ବର୍ତ୍ତମାନ ସୁଦ୍ଧା କୌଣସି ଖବର ବାହାରକୁ ଆସିନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦିଗପହଣ୍ଡି ବସ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି। ଏହାସହିତ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ସେହିଭଳି ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି।

ଏହାକୁ ନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, ”ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଘଟିଥିବା ମର୍ମନ୍ତୁଦ ବସ ଦୁର୍ଘଟଣାରେ ମୁଁ ମର୍ମାହତ। ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ୍ ପାଣ୍ଠି (PMNRF)ରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯିବ। ଆହତ ମାନଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ।”

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ମଧ୍ୟ ରାତ୍ରୀରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି ମହାବିଦ୍ୟାଳୟ ନିକଟରେ ଭୟାବହ ଦୁର୍ଘଟଣା ଘଟି ୧୫ ରୁ ଉର୍ଦ୍ଧ୍ବ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ପ୍ରାୟ ୨୫ ଜଣ ଗୁରୁତର ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ଦୁଇଟି ପିଲା ଅଛନ୍ତି। ନିକଟସ୍ଥ କୌଣସି ଏକ ଗାଁ କୁ କନ୍ୟା ଯାତ୍ରୀ ବସ୍ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଅପରପକ୍ଷରୁ ଗୁଡ଼ାରୀ ଠାରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବା ଓ ଏସ୍ ଆର୍ ଟି ସି ବସ୍ ସହ ମୁହାଁମୁହିଁ ଧକ୍କା ହୋଇ ଏହି ଭଳି ଘଟଣା ଘଟିଥିଲା ଓ ଉଭୟ ବସ୍ ର ଡ଼୍ରାଇଭର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଦିଗପହଣ୍ଡିରେ ସୂର୍ଯ୍ୟ ହେଲେ ଅସ୍ତ, ପୌର ନିର୍ବାଚନରେ ପୁତ୍ର ବିପ୍ଲବ ମାରିଲେ ଫେଲ, ଚିନ୍ତାରେ ବାଚସ୍ପତି

ବ୍ରହ୍ମପୁର: ପୌର ନିର୍ବାଚନରେ ସାରା ଓଡିଶାରେ ବିଜେଡିର ଏକ ଐତିହାସିକ ସଫଳତା ହାସଲ କରିଛି। ହେଲେ ଦୁଃଖର କଥା ବିଜେଡିର ବରିଷ୍ଠ ନେତା ତଥା ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପାଇଁ ଏହା ଆଣିଛି ବଡ ଝଟକା। କାରଣ ଦିଗପହଣ୍ଡିରେ ବିଜେଡି ହାରିଯାଇଛି। ଫଳରେ ସେଠାର ରାଜନୀତିରେ ସୂର୍ଯ୍ୟ ଅସ୍ତ ହୋଇଗଲେ ବୋଲି ପ୍ରମାଣିତ ହୋଇଛି।

ଚଳିତ ପୌର ନିର୍ବାଚନରେ ଏହି ଅଞ୍ଚଳର ପୌର ଅଧ୍ୟକ୍ଷ ଆସନ ହାତେଇ ନେଇଛି ହାତ। କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ ପଣ୍ଡା ଏଥର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେତିକି ନୁହେଁ, ଦିଗପହଣ୍ଡିର ୧୧ ଟି କାଉନିସଲରୁ ୬ ଟିରେ କଂଗ୍ରେସ ବିଜୟ ଲାଭ କରିଛି। ବିଜେଡ଼ି ୫ ଗୋଟି ଆସନ ଦଖଲ କରିଛି। ଦିଗପହଣ୍ଡିରେ ଅଧ୍ୟକ୍ଷ ପାଇଁ ବିଜେଡିରୁ ଛିଡା ହୋଇଥିଲେ ଭି . ରବିନାରାୟଣ ରାଜୁ। ହେଲେ ତାଙ୍କୁ କଂଗ୍ରେସର ପ୍ରଫୁଲ ପଣ୍ଡା ୧୪୧୨ ଭୋଟରେ ହରାଇ ଦେଇଛନ୍ତି।

ଦୀର୍ଘ ବର୍ଷ ଧରି ଦିଗପହଣ୍ଡିରେ ବିଜେଡିର ଦବଦବା ଚାଲି ଆସିଥିଲା। ମୁଖ୍ୟତଃ ବିଜେଡିର ବରିଷ୍ଠ ନେତା ଡ ସୂର୍ଯ୍ୟନାରାୟଣ ପାତ୍ର ଏହାର ନେତୃତ୍ବ ନେଉଥିଲେ। ହେଲେ ଏଥର ପୁରା ଗଣିତ ଭୁଲଭାଲ ପ୍ରମାଣିତ ହୋଇଯାଇଛି। ଯାହାକୁ ନେଇ ବିଜେଡି ମହଲରେ ବେଶ ଚର୍ଚ୍ଚା ଓ ଆଲୋଚନା ଜାରୀ ରହିଛି।

ତେବେ ମୁଖ୍ୟ କଥା ହେଲା ଚଳିତ ପଞ୍ଚାୟତ ଓ ପୌର ନିର୍ବାଚନରେ ସେହି ଅଞ୍ଚଳର ବିଧାୟକ ଡ ସୂର୍ଯ୍ୟନାରାୟଣ ପାତ୍ର ନିଜକୁ ଦୂରେଇ ରଖିଥିଲେ। ସେ ଏଥର ନିଜର ପୁତ୍ର ବିପ୍ଲବ ପାତ୍ରଙ୍କୁ ସମସ୍ତ ଦାୟିତ୍ବ ପ୍ରଦାନ କରିଥିଲେ। ବିପ୍ଲବ ତାଙ୍କର ସମସ୍ତ ବଳ ଖର୍ଚ୍ଚ କରି ନିର୍ବାଚନ ପ୍ରଚାର ଜୋରଦାର କରିଥିଲେ। ହେଲେ କଣ ହେଲା କେଜାଣି ତାଙ୍କୁ ସାଧାରଣ ଭୋଟର ଗ୍ରହଣ କରିପାରିଲେ ନାହିଁ। ଫଳରେ ବିଜେଡି ଦୁର୍ଗରେ କଂଗ୍ରେସର ଆଧିପତ୍ୟ ବିସ୍ତାର ହେଲା।

ଆସନ୍ତା ବିଧାନସଭା ନିର୍ବାଚନରେ ସୂର୍ଯ୍ୟନାରାୟଣ ପୁତ୍ର ବିପ୍ଳବଙ୍କୁ ଛିଡା କରିବା ପାଇଁ ମନସ୍ଥ କରିଛନ୍ତି। ବିଜେଡି ସୁପ୍ରିମୋ ମଧ୍ୟ କୁଆଡେ ଏଥିପାଇଁ ସବୁଜ ସଙ୍କେତ ମଧ୍ୟ ଦେଇଛନ୍ତି ବୋଲି କୁହାଯାଉଛି। ସେଥିପାଇଁ ଏଥର ପୌର ନିର୍ବାଚନରେ ସୂର୍ଯ୍ୟବାବୁ ବିପ୍ଲବଙ୍କୁ ଆଗକୁ ଆଣିଥିଲେ। ହେଲେ ବର୍ତ୍ତମାନ ଫଳାଫଳ ପରେ ଉଭୟ ସୂର୍ଯ୍ୟନାରାୟଣ ଏବଂ ବିଜେଡି ଏହାକୁ ନେଇ ମାନସ ମନ୍ଥନ ଆରମ୍ଭ କରିଛନ୍ତି।