ଦିଗପହଣ୍ଡି ବସ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

Published: Jun 26, 2023, 12:18 pm IST

ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି। ଏହାସହିତ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ସେହିଭଳି ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି।

ଏହାକୁ ନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, ”ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଘଟିଥିବା ମର୍ମନ୍ତୁଦ ବସ ଦୁର୍ଘଟଣାରେ ମୁଁ ମର୍ମାହତ। ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ୍ ପାଣ୍ଠି (PMNRF)ରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯିବ। ଆହତ ମାନଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ।”

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ମଧ୍ୟ ରାତ୍ରୀରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି ମହାବିଦ୍ୟାଳୟ ନିକଟରେ ଭୟାବହ ଦୁର୍ଘଟଣା ଘଟି ୧୫ ରୁ ଉର୍ଦ୍ଧ୍ବ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ପ୍ରାୟ ୨୫ ଜଣ ଗୁରୁତର ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ଦୁଇଟି ପିଲା ଅଛନ୍ତି। ନିକଟସ୍ଥ କୌଣସି ଏକ ଗାଁ କୁ କନ୍ୟା ଯାତ୍ରୀ ବସ୍ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଅପରପକ୍ଷରୁ ଗୁଡ଼ାରୀ ଠାରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବା ଓ ଏସ୍ ଆର୍ ଟି ସି ବସ୍ ସହ ମୁହାଁମୁହିଁ ଧକ୍କା ହୋଇ ଏହି ଭଳି ଘଟଣା ଘଟିଥିଲା ଓ ଉଭୟ ବସ୍ ର ଡ଼୍ରାଇଭର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Related posts