Categories
ଆଞ୍ଚଳିକ

ଉପ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବାଣପୁର ବ୍ଲକ ଫାଟକରୁ ଖୋଲିଲା ତାଲା: ପ୍ରତ୍ୟାହୃତ ହେଲା ଆନ୍ଦୋଳନ

ବାଣପୁର (ସୀତାରାମ ଅଗ୍ରୱାଲ): ଗତ କାଲିଠାରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ପଡ଼ିଥିବା ତାଲା ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କ ହସ୍ତକ୍ଷେପ ପରେ ଆଜି ମଧ୍ୟାହ୍ନରେ ଖୋଲିଛି। ପ୍ରକାଶଥାଉ କି ବାଣପୁର ବିଡ଼ିଓଙ୍କ ମନଇଚ୍ଛା ଛୁଟି ନେବା ଏବଂ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ଓ ଅବହେଳା କରିବା ଅଭିଯୋଗରେ ବ୍ଲକ ଅଧ୍ୟକ୍ଷଙ୍କ ସମେତ ବହୁ ସରପଞ୍ଚ ଓ ସମିତିସଭ୍ୟ ମାନେ ବ୍ଲକ ମୁଖ୍ୟ ଫାଟକରେ ତାଲା ପକାଇ ଗୁରୁବାର ଠାରୁ ଆନ୍ଦୋଳନ ଜାରି ରଖିଥିଲେ।

ଆଜି ଆନ୍ଦୋଳନ ଜାରି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ଉପ ଜିଲ୍ଲାପାଳ ଶ୍ରୀ ସେଠୀ, ବିଡ଼ିଓ ଶୀତଲ ଅଗ୍ରୱାଲ, ବାଲୁଗାଁ ଏସ୍ଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଣପୁର ଆଇଆଇସି ରମେଶ କୁମାର ଦେବତା ଆନ୍ଦୋଳନ ସ୍ଥଳରେ ପହଞ୍ଚି ନିର୍ବାଚିତ ଜନପ୍ରତିନିଧିଙ୍କୁ ବୁଝାସୁଝା କରି ଫାଟକ ଖୋଲି ବ୍ଲକ ଅଫିସ ଭିତରେ ଆଲୋଚନା କରିବାକୁ କହିଥିଲେ। କିନ୍ତୁ ବ୍ଲକ ବାହାରେ ଆଲୋଚନା କରିବାକୁ ସମସ୍ତେ ଅଡ଼ି ବସିଥିଲେ।

ଶେଷରେ ଉପ ଜିଲ୍ଲାପାଳଙ୍କ ନିଷ୍ପତ୍ତି କ୍ରମେ ତହସିଲ ଅଫିସ ଆଇବିରେ ଦୀର୍ଘ ୧ଘଣ୍ଟା ଧରି ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ବୈଠକ ପରେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଆନ୍ଦୋଳନ ପ୍ରତ୍ୟାହୃତ ହେବା ନେଇ ସୂଚନା ଦେବା ସହ ଆମର ଥିବା ସମସ୍ତ ଅଭିଯୋଗକୁ ଉପ ଜିଲ୍ଲାପାଳ ଗ୍ରହଣ କରିବା ସହ ବିଡ଼ିଓଙ୍କୁ ତାଗିଦ କରିଛନ୍ତି।

ଆଗକୁ ସରପଞ୍ଚ ଓ ସମିତିସଭ୍ୟମାନଙ୍କୁ ମିଳିତ ଭାବେ ନେଇ କାମ କରିବାକୁ ବିଡ଼ିଓ ପ୍ରତିଶୃତି ଦେଇଥିବାରୁ ବ୍ଲକ ତାଲା ଖୋଲା ଯାଇଥିବା ଅଧ୍ୟକ୍ଷ ଶ୍ରୀ ରଣସିଂହ କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ଏନଏସିରେ ନୂତନ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ୱାଗତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ବାଲୁଗାଁ ଏନଏସି ଠାରେ ନଗରପାଳିକା ସୁକାନ୍ତି ପାଇକରାୟ ଓ ସମସ୍ତ କାଉନସିଲର ନୂତନ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଖୋର୍ଦ୍ଧା ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କୁ ସ୍ୱାଗତ କରିଥିଲେ।

ଏହି ଅବସରରେ ଏନଏସିର ବିଭିନ୍ନ ଅଞ୍ଚଳରେ ବର୍ଷା ଦିନରେ ପାଣି ଜମି ରହିବା ଫଳରେ ବିଭିନ୍ନ ରୋଗ ବ୍ୟାପିବାର ସମ୍ଭାବନା ରହୁଛି। ତେଣୁ ବାଲୁଗାଁ ଏନଏସି ରୁ ସଂକ୍ରମଣ ଜନିତ ରୋଗକୁ ଦୂରୀଭୂତ କରିବା ପାଈଁ ସମସ୍ତ ୱାର୍ଡରେ ମଶା ମରା ଯନ୍ତ୍ରର ତୁରନ୍ତ ବ୍ୟବହାର ପାଇଁ ଉପ ଜିଲ୍ଲାପାଳ ଏନଏସି କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଫେସବୁକରେ ଧାର୍ମିକ ଭାବନାକୁ ଆଘାତ ଦେବା ପରି ଆପତ୍ତିଜନକ ପୋଷ୍ଟ କରି ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ନିକଟରେ ଖୋର୍ଦ୍ଧା ଟାଉନ ଥାନା ମୁକୁନ୍ଦପ୍ରସାଦରେ ଗୋ ହତ୍ୟାକୁ ନେଇ ଉତ୍ତେଜନା ସୃଷ୍ଟି ହେବା ପରେ ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ଗଠନ କରାଯାଇଥିଲା। ଉକ୍ତ ଘଟଣାକୁ ନେଇ ଯଦି କୌଣସି ବ୍ୟକ୍ତି ଅଶାନ୍ତ ବାତାବରଣ ସୃଷ୍ଟି କରିବା ପାଇଁ ପୁନଶ୍ଚ କିଛି ଉତ୍ତେଜନା ମୂଳକ କାର୍ଯ୍ୟ କରେ ତେବେ ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଶାନ୍ତି କମିଟିରେ ନିଷ୍ପତ୍ତି ହୋଇଥିଲା।

ତେବେ ଉକ୍ତ ଘଟଣାକୁ ନେଇ ଜଣେ ବ୍ୟକ୍ତି ନିଜ ଫେସବୁକ ଆକାଉଣ୍ଟରେ ଆପତ୍ତିଜନକ ପୋଷ୍ଟ କରି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଅଭିଯୁକ୍ତ ଜଣକ ମୁକୁନ୍ଦପ୍ରସାଦ ଅଞ୍ଚଳର ହବିବ ଖାନ (୨୫) ବୋଲି ଜଣାପଡିଛି। ସେ ତାଙ୍କ ଫେସବୁକ ଆକାଉଣ୍ଟରେ ଧାର୍ମିକ ଭାବନା ତଥା ସାମ୍ପ୍ରଦାୟିକ ସମନ୍ୱୟକୁ ବାଧା ଦେବା ପରି ଅପମାନଜନକ ପୋଷ୍ଟ କରିଥିଲେ।

ଏହା ଜାଣିବା ପରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ବାସୁଦେବ ଜୟସିଂହ ନିଜଆଡୁ କେସ ନମ୍ବର ୪୭୦/୨୩, ଦଫା ୨୯୪, ୫୦୬, ୧୫୩ (କ) ରେ ମାମଲା ରୁଜୁ କରିଛନ୍ତି।

ଅନୁରୂପ ଭାବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଟାଉନ ଥାନା ଅତିରିକ୍ତ ଆଇଆଇସି ସ୍ନିଗ୍ଧାମୟୀ ବରାଳଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା। ବର୍ତ୍ତମାନ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ଯଦି କୌଣସି ବ୍ୟକ୍ତି ଧାର୍ମିକ ଭାବନାକୁ ଆଘାତ ଦେବା ତଥା ସାମ୍ପ୍ରଦାୟିକ ସମନ୍ୱୟକୁ ବାଧା ଦେବା ପରି କାର୍ଯ୍ୟ କରିବ ତାକୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ତଦନ୍ତକାରି ଅଧିକାରିଣୀ ଶ୍ରୀମତୀ ବରାଳ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାର ନୂତନ ଉପଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ବରିଷ୍ଠ ପ୍ରଶାସକ ଦୀପ୍ତିରଞ୍ଜନ ସେଠି

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ନୂତନ ଉପଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ବରିଷ୍ଠ ଓଏଏସ ଅଧିକାରୀ ଦୀପ୍ତିରଞ୍ଜନ ସେଠି। ୨୦୦୬ ବ୍ୟାଚର ଉକ୍ତ ଓଏଏସ ଅଧିକାରୀ ଏହା ପୁର୍ବରୁ ବାଲେଶ୍ୱର ଜିଲ୍ଲା ନୀଳିଗିରି ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ଶ୍ରୀ ସେଠି ନୀଳଗିରି ଉପଖଣ୍ଡରେ ଜନସାଧାରଣଙ୍କୁ ଉତ୍କୃଷ୍ଟ ସେବା ଯୋଗାଇବା ସହ ଆଇନ ଶୃଙ୍ଖଳାକୁ ବଜାୟ ରଖିବାରେ ସଫଳ ହୋଇଥିଲେ। ତତସହିତ କୋଭିଡ ପରବର୍ତ୍ତୀ ସମୟରେ କିପରି ଉପଖଣ୍ଡ ବାସୀଙ୍କ ଜୀବନ ଜୀବିକା ପୁନଶ୍ଚ ଟ୍ରାକକୁ ଫେରିବ ସେ ଦିଗରେ ଯଥାସମ୍ଭବ କାର୍ଯ୍ୟ କରିଥିଲେ।

ଅନୁରୂପ ଭାବେ ନୀଳଗିରି ଉପଜିଲ୍ଲାପାଳ ଥିବା ସମୟରେ ଶ୍ରୀ ସେଠିଙ୍କ କାର୍ଯ୍ୟାଳୟକୁ ଅଭିଯୋଗ ପାଇଁ କିଛି ବ୍ୟକ୍ତି ଆସିଥିବା ବେଳେ ଦୁଇ ଶିଶୁ ଅପପୃଷ୍ଟିର ଶିକାର ହୋଇଥିବା ଜାଣି ସଂଗେସଂଗେ ସେମାନଙ୍କ ଚିକିତ୍ସା କରାଇ ଗଣମାଧ୍ୟମରେ ଶ୍ରୀ ସେଠି ଚର୍ଚ୍ଚାକୁ ଆସିଥିଲେ।

ତେବେ କିଛି ମାସ ହେବ ଖୋର୍ଦ୍ଧାର ପୂର୍ବତନ ଉପଜିଲ୍ଲାପାଳଙ୍କ ବଦଳି ପରେ ଉକ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀଟି ଖାଲି ପଡିଥିଲା। ନୀଳଗିରିରୁ ଖୋର୍ଦ୍ଧାକୁ ବଦଳି ହୋଇ ଶ୍ରୀ ସେଠି ଆଜି କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ତାଙ୍କୁ ସମସ୍ତ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ତେବେ ଖୋର୍ଦ୍ଧା ଉପଖଣ୍ଡରେ ଖଣିଜ ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା, ସରକାରଙ୍କ ଜନହିତାକାରୀ ଯୋଜନା ଗୁଡିକର ସଫଳ ରୂପାୟନ, ନିଶା ବେପାରକୁ ରୋକିବା ଏବଂ ଜନ ଅଭିଯୋଗକୁ ଗୁରୁତ୍ୱ ଦେବା ଆଦି ଦିଗରେ କାର୍ଯ୍ୟ କରିବେ ବୋଲି ନୂତନ ଉପଜିଲ୍ଲାପାଳ ଶ୍ରୀ ସେଠି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।