ଖୋର୍ଦ୍ଧାର ନୂତନ ଉପଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ବରିଷ୍ଠ ପ୍ରଶାସକ ଦୀପ୍ତିରଞ୍ଜନ ସେଠି

Published: Nov 22, 2022, 10:48 pm IST

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ନୂତନ ଉପଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ବରିଷ୍ଠ ଓଏଏସ ଅଧିକାରୀ ଦୀପ୍ତିରଞ୍ଜନ ସେଠି। ୨୦୦୬ ବ୍ୟାଚର ଉକ୍ତ ଓଏଏସ ଅଧିକାରୀ ଏହା ପୁର୍ବରୁ ବାଲେଶ୍ୱର ଜିଲ୍ଲା ନୀଳିଗିରି ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ଶ୍ରୀ ସେଠି ନୀଳଗିରି ଉପଖଣ୍ଡରେ ଜନସାଧାରଣଙ୍କୁ ଉତ୍କୃଷ୍ଟ ସେବା ଯୋଗାଇବା ସହ ଆଇନ ଶୃଙ୍ଖଳାକୁ ବଜାୟ ରଖିବାରେ ସଫଳ ହୋଇଥିଲେ। ତତସହିତ କୋଭିଡ ପରବର୍ତ୍ତୀ ସମୟରେ କିପରି ଉପଖଣ୍ଡ ବାସୀଙ୍କ ଜୀବନ ଜୀବିକା ପୁନଶ୍ଚ ଟ୍ରାକକୁ ଫେରିବ ସେ ଦିଗରେ ଯଥାସମ୍ଭବ କାର୍ଯ୍ୟ କରିଥିଲେ।

ଅନୁରୂପ ଭାବେ ନୀଳଗିରି ଉପଜିଲ୍ଲାପାଳ ଥିବା ସମୟରେ ଶ୍ରୀ ସେଠିଙ୍କ କାର୍ଯ୍ୟାଳୟକୁ ଅଭିଯୋଗ ପାଇଁ କିଛି ବ୍ୟକ୍ତି ଆସିଥିବା ବେଳେ ଦୁଇ ଶିଶୁ ଅପପୃଷ୍ଟିର ଶିକାର ହୋଇଥିବା ଜାଣି ସଂଗେସଂଗେ ସେମାନଙ୍କ ଚିକିତ୍ସା କରାଇ ଗଣମାଧ୍ୟମରେ ଶ୍ରୀ ସେଠି ଚର୍ଚ୍ଚାକୁ ଆସିଥିଲେ।

ତେବେ କିଛି ମାସ ହେବ ଖୋର୍ଦ୍ଧାର ପୂର୍ବତନ ଉପଜିଲ୍ଲାପାଳଙ୍କ ବଦଳି ପରେ ଉକ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀଟି ଖାଲି ପଡିଥିଲା। ନୀଳଗିରିରୁ ଖୋର୍ଦ୍ଧାକୁ ବଦଳି ହୋଇ ଶ୍ରୀ ସେଠି ଆଜି କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ତାଙ୍କୁ ସମସ୍ତ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ତେବେ ଖୋର୍ଦ୍ଧା ଉପଖଣ୍ଡରେ ଖଣିଜ ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା, ସରକାରଙ୍କ ଜନହିତାକାରୀ ଯୋଜନା ଗୁଡିକର ସଫଳ ରୂପାୟନ, ନିଶା ବେପାରକୁ ରୋକିବା ଏବଂ ଜନ ଅଭିଯୋଗକୁ ଗୁରୁତ୍ୱ ଦେବା ଆଦି ଦିଗରେ କାର୍ଯ୍ୟ କରିବେ ବୋଲି ନୂତନ ଉପଜିଲ୍ଲାପାଳ ଶ୍ରୀ ସେଠି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

Related posts