Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିରେ ମିଶିଲେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ, କହିଲେ ଘରକୁ ବାହୁଡିଲି

ଭୁବନେଶ୍ୱର: ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ବ୍ଲକର ୨୦୨୨ ର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଦୁର୍ଗା ଚରଣ ପ୍ରଧାନ ଆଜି ଶଙ୍ଖ ଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍‌ ହୋଇଥିବା ଶ୍ରୀ ପ୍ରଧାନଙ୍କୁ ଉପଢୌକନ ଦେଇ ଶ୍ରୀ ଜେନା ଦଳକୁ ସ୍ୱାଗତ କରିଥିଲେ। ଶ୍ରୀ ପ୍ରଧାନଙ୍କ ଏହା ହେଉଛି ଘରବାହୁଡ଼ା ଏବଂ ବିଜୁ ଜନତା ଦଳରେ ତାଙ୍କ ଯୋଗଦାନ ଫଳରେ ବିଶେଷ କରି ଅନୁଗଳ ବ୍ଲକ ଏବଂ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ବିଧାୟକ ଶ୍ରୀଜେନା କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା ବିଜେପି ନେତା ଦୁର୍ଗା ଚରଣ ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ମୁଁ ଦୀର୍ଘଦିନ ଧରି ବିଜେଡ଼ିରେ ଥିଲି, କିଛିଦିନ ପାଇଁ ବିଜେପିରେ ସାମିଲ୍‌ ହୋଇଥିଲି । ବିଜେପିର କାର୍ଯ୍ୟଶୈଳୀ ମୋତେ ଭଲ ନ ଲାଗିବାରୁ ମୁଁ ପୁନର୍ବାର ବିଜେଡ଼ିକୁ ଫେରିବାକୁ ମନସ୍ଥକଲି।

ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲିା ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛିା

ଏହି ମିଶ୍ରଣ ପର୍ବରେ ପୂର୍ବତନ ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଅନୁଗୁଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ କୁନବିହାରୀ ଦାସ, ଅନୁଗୁଳ ଜିଲ୍ଲା ସଭାପତି ମହେନ୍ଦ୍ ରବସ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।