Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

ଶେଷରେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶୀଷ ପାଣିଗ୍ରାହୀ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଚାଲିଗଲେ

ଭୁବନେଶ୍ବର: ରାଜ୍ୟର ବିରିଷ୍ଠ ଆଇପିଏସ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶୀଷ ପାଣିଗ୍ରାହୀ ଶେଷରେ ସମସ୍ତଙ୍କୁ ଛାଡି ଚାଲିଗଲେ। ଆଜି ରାତି ୧୦ଟା ରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା।  କୋଲକାତାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସେ କରୋନାରେ ଆକ୍ରାନ୍ତ ହେବା ପରେ କଟକର କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତ ଜୁନ୍ ୮ ତାରିଖ ଦିନ ଏୟାର ଆମ୍ବୁଲାନ୍ସରେ କୋଲକାତା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

୧୯୯୧ ବ୍ୟାଚ୍ ଆଇପିଏସ୍ ଅଫିସର ଶ୍ରୀ ପାଣିଗ୍ରାହୀ ବାଲେଶ୍ବର ଜିଲ୍ଲାରେ ୧୯୬୫ ମସିହା ଅଗଷ୍ଟ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ। କେନ୍ଦୁଝର, ପୁରୀ, କଟକ, ଗଞ୍ଜାମ ଓ ଭୁବନେଶ୍ବର ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ ଦେବାଶିଷ। ପରେ ଗୁରୁତ୍ବପୂର୍ଣ୍ଣ ଓ୍ବିଙ୍ଗ୍‌ରେ ଡିଆଇଜି, ଆଇଜି ଭାବେ କାର୍ଯ୍ୟ କରିଥିଲେ। ରାଜ୍ୟ ସରକାର ତାଙ୍କୁ ଗୁରୁତ୍ବପୂର୍ଣ୍ଣ ଭିଜିଲାନ୍ସ ବିଭାଗର ନିର୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ।

ରାଜନୀତି ବିଜ୍ଞାନରେ ଏମଏ ପାସ୍ କରିଥିବା ଦେବାଶିଷ ଜେଏନ୍‌ୟୁରେ ଏମଫିଲ୍ କରିଥିଲେ। ପରେ ପିଏଚ୍‌ଡି ଡିଗ୍ରି ହାସଲ କରିଥିଲେ। ସେ ଆଇନରେ ସ୍ନାତକ ମଧ୍ୟ କରିଥିଲେ। ଜଣେ ସାହିତ୍ୟିକ ଭାବେ ତାଙ୍କୁ ଓଡ଼ିଶାବାସୀ ଜାଣନ୍ତି। କ୍ଷୁଦ୍ର ଗଳ୍ପ ପାଇଁ ସେ ୨୦୦୨ରେ ରାଜ୍ୟ ସାହିତ୍ୟା ଏକାଡେମି ପୁରସ୍କାର ପାଇଥିଲେ।