Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ସମାବର୍ତ୍ତନ ଦିବସ ଛାତ୍ରଛାତ୍ରୀଙ୍କ ଆଶାଜନକ ଭବିଷ୍ୟତର ମାର୍ଗ ଖୋଲିଥାଏ। ସେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ, ସେମାନେ ବର୍ତ୍ତମାନ ଏକ ଭିନ୍ନ ପରିବେଶରେ ପ୍ରବେଶ କରୁଛନ୍ତି ଯେଉଁଥିରେ ସେମାନେ ବାସ୍ତବ ବୈଶ୍ବିକ ପରିସ୍ଥିତିରେ ସେମାନଙ୍କ ଜ୍ଞାନ ଓ ଦକ୍ଷତାର କଠୋର ପରୀକ୍ଷାର ସମ୍ମୁଖୀନ ହେବେ। ସେମାନେ ହାସଲ କରିଥିବା ଜ୍ଞାନ ଓ କୌଶଳର ସର୍ବୋତ୍ତମ ପ୍ରୟୋଗ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେବେ ବୋଲି ଆଶା କରାଯାଏ। ଅଭିନବ ଚିନ୍ତାଧାରା ଓ ଉତ୍ସର୍ଗୀକୃତ କାର୍ଯ୍ୟ ମାଧ୍ୟମରେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଜାତୀୟ ଲକ୍ଷ୍ୟରେ ଯୋଗଦାନ କରିବାକୁ ସେ ଅନୁରୋଧ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ, ଏପରି ଏକ ସମୟ ଥିଲା ଯେତେବେଳେ ଆମେ ଖାଦ୍ୟଶସ୍ୟ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରୁଥିଲୁ। ବର୍ତ୍ତମାନ ଆମେ ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ କୃଷି ଜାତ ଦ୍ରବ୍ୟ ରପ୍ତାନି କରୁଛୁ। ଆମ କୃଷି ବୈଜ୍ଞାନିକମାନଙ୍କ ମାର୍ଗଦର୍ଶନ ଏବଂ କୃଷକମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇପାରିଛି।

ରାଷ୍ଟ୍ରପତି କହିଥିଲେ ଯେ, କୃଷି ଓ କୃଷକଙ୍କ ବିକାଶ ବିନା ଦେଶର ସାମଗ୍ରିକ ବିକାଶ ସମ୍ଭବ ନୁହେଁ। କୃଷି, ମତ୍ସ୍ୟ ଉତ୍ପାଦନ ଏବଂ ପଶୁସମ୍ପଦର ବିକାଶ ଦ୍ୱାରା ଆମର ଅର୍ଥବ୍ୟବସ୍ଥା ସୁଦୃଢ଼ ହୋଇପାରିବ। ସେ କହିଥିଲେ ଯେ ଆଜି କୃଷି କ୍ଷେତ୍ର ପ୍ରାକୃତିକ ବିପର୍ଯ୍ୟୟ, ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବ, ମୁଣ୍ଡପିଛା ଚାଷ ଜମି ଆକାର ହ୍ରାସ ଏବଂ ପ୍ରାକୃତିକ ସମ୍ପଦର ଅତ୍ୟଧିକ ଶୋଷଣ ଭଳି ନୂତନ ଆହ୍ୱାନର ସମ୍ମୁଖୀନ ହେଉଛି। ଏହି ଆହ୍ୱାନର ମୁକାବିଲା କରିବା ପାଇଁ ଆମ ବୈଜ୍ଞାନିକମାନଙ୍କୁ ଠିକ୍ ସମୟରେ ପ୍ରଯୁକ୍ତିବିଦ୍ୟା ବିକଶିତ ଏବଂ ପ୍ରସାର କରିବାକୁ ପଡିବ। ଆମକୁ ପରିବେଶ ସୁରକ୍ଷା, ମୃତ୍ତିକା ସ୍ୱାସ୍ଥ୍ୟ ସୁରକ୍ଷା, ଜଳ ଓ ମୃତ୍ତିକା ସଂରକ୍ଷଣ ଏବଂ ପ୍ରାକୃତିକ ସମ୍ପଦର ଉନ୍ନତ ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ପଡିବ।

ରାଷ୍ଟ୍ରପତି କହିଥିଲେ ଯେ, ତାପମାତ୍ରା ଏବଂ ଗ୍ରୀନହାଉସ୍ ଗ୍ୟାସ ବୃଦ୍ଧି ଭଳି ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟା କୃଷି ଉତ୍ପାଦନକୁ ପ୍ରଭାବିତ କରୁଛି। ଏଭଳି ସମସ୍ତ ସମସ୍ୟାର ମୁକାବିଲା କରିବା ପାଇଁ କୃଷି ବୈଜ୍ଞାନିକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ରାସାୟନିକ ସାର ଏବଂ କୀଟନାଶକର ଅତ୍ୟଧିକ ବ୍ୟବହାର ମଧ୍ୟ ଆମ କୃଷି କ୍ଷେତ୍ର ପାଇଁ ଏକ ନୂତନ ଆହ୍ୱାନ ଭାବେ ଉଭା ହୋଇଛି। ମାଟି, ପାଣି ଓ ପରିବେଶ ଉପରେ ଏହାର ଖରାପ ପ୍ରଭାବ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ଯୁବ ବୈଜ୍ଞାନିକମାନେ ଏହି ସମସ୍ୟାର ସମାଧାନ ପାଇଁ ଉପାୟ ବାହାର କରିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ୱରରେ ନ୍ୟାୟିକ ଅଦାଲତର ନୂଆ ଅଟ୍ଟାଳିକାକୁ ଉଦଘାଟନ କରିବେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଓଡିଶା ଗସ୍ତର ତୃତୀୟ ଦିନ। ଗତକାଲି ଅର୍ଥାତ ଦ୍ଵିତୀୟ ଦିନରେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବରେ ଯୋଗଦେଇଥିଲେ। ଏହାପରେ ପୁରୀର ବ୍ଲୁ ଫ୍ଲାଗ ବିଚରେ ଅନୁଷ୍ଠିତ ନୌସେନା ଦିବସର ପରାକ୍ରମ ପ୍ରଦର୍ଶନ ଉତ୍ସବରେ ଯୋଗଦେଇଥିଲେ।

ତେବେ ଆଜି ଅର୍ଥାତ ତୃତୀୟ ଦିନରେ ରାଷ୍ଟ୍ରପତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହାପରେ ସେ ଭୁବନେଶ୍ୱରରେ ନ୍ୟାୟିକ ଅଦାଲତର ନୂଆ ଅଟ୍ଟାଳିକାକୁ ଉଦଘାଟନ କରିବେ।

ଡିସେମ୍ବର ୬ ତାରିଖରେ ରାଷ୍ଟ୍ରପତି ଉପରବେଡାଠାରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସହ ମତବିନିମୟ କରିବେ। ସେହିଦିନ ରାଇରଙ୍ଗପୁରଠାରେ ସେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀମାନଙ୍କ ସହ କଥା ହେବେ।

ଡିସେମ୍ବର ୭ ତାରିଖରେ ରାଷ୍ଟ୍ରପତି ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁରମରା-ଚକୁଳିଆ; ଏବଂ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ଲାଇନ୍; ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର, ରାଇରଙ୍ଗପୁର; ଦାଣ୍ଡବୋଷ ବିମାନ ବନ୍ଦର, ରାଇରଙ୍ଗପୁର ଏବଂ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମେତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ/ଉଦଘାଟନ କରିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀଠାରେ ନୌସେନା ଦିବସ ସମାରୋହରେ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ

ପୁରୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ପୁରୀ ବେଳାଭୂମିରେ ନୌସେନା ଦିବସ ସମାରୋହରେ ଯୋଗ ଦେବା ସହିତ ଭାରତୀୟ ନୌସେନା ଦ୍ୱାରା ଆୟୋଜିତ ସମରକୌଶଳ ପ୍ରଦର୍ଶନ ଦେଖିଛନ୍ତି।

ଏହି ଅବସରରେ ଅଭିଭାଷଣ ପ୍ରଦାନ କରି ରାଷ୍ଟ୍ରପତି ନୌସେନା ଦିବସ ଅବସରରେ ଭାରତୀୟ ନୌସେନାର ସମସ୍ତ ଯବାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ, ଆଜି ଡିସେମ୍ବର ୪ ତାରିଖରେ ଆମେ ୧୯୭୧ ଯୁଦ୍ଧରେ ଆମର ଗୌରବମୟ ବିଜୟର ସ୍ମୃତିକୁ ପାଳନ କରୁଛୁ ଏବଂ ମାତୃଭୂମିର ରକ୍ଷା ପାଇଁ ନୌସେନା କର୍ମଚାରୀଙ୍କ ନିଃସ୍ୱାର୍ଥପର ସେବା ଏବଂ ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରୁଛୁ।

ଭାରତୀୟ ନୌସେନାର ସମସ୍ତ ଯବାନଙ୍କ ନିକଟରେ ଭାରତ କୃତଜ୍ଞ ଏବଂ ସମ୍ମାନ ଓ ସାହସର ସହ ଦେଶ ସେବା କରିଥିବାରୁ ପ୍ରତ୍ୟେକ ଭାରତୀୟ ସେମାନଙ୍କୁ ଆଜି ଅଭିନନ୍ଦନ ଜଣାଉଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ଭାରତର ଭୌଗଳିକ ସ୍ଥିତି ଆମକୁ ଏକ ମହାନ ସାମୁଦ୍ରିକ ରାଷ୍ଟ୍ର ହେବା ପାଇଁ ଆବଶ୍ୟକ ସମସ୍ତ ଉପାଦାନ ପ୍ରଦାନ କରିଛି । ସୁଦୀର୍ଘ ସମୁଦ୍ର କୂଳ, ଦ୍ୱୀପାଞ୍ଚଳ, ସମୁଦ୍ରରେ ଯାତ୍ରା କରୁଥିବା ଜନସଂଖ୍ୟା ଏବଂ ବିକଶିତ ସାମୁଦ୍ରିକ ଭିତ୍ତିଭୂମି ୫,୦୦୦ ବର୍ଷ ପୂର୍ବରୁ ଭାରତର ଉପକୂଳ ଏବଂ ସାମୁଦ୍ରିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିଥିଲା।

ଏକ ସମୃଦ୍ଧ ସାମୁଦ୍ରିକ ଐତିହ୍ୟ ଓ ଇତିହାସର ସ୍ମୃତିକୁ ବହନ କରିବା ଏବଂ ସମ୍ଭାବନାପୂର୍ଣ୍ଣ ଭବିଷ୍ୟତର ଆଶା ନେଇ ଆଗକୁ ବଢ଼ିବା ସହିତ ଭାରତ ଏକ ଦୃଢ଼ ସାମୁଦ୍ରିକ ରାଷ୍ଟ୍ର ପାଲଟିଛି। ଆମର ସୌଭାଗ୍ୟ, ଗୌରବ ଏବଂ ପରିଚୟ ସାଗର ଦ୍ୱାରା ପରିଭାଷିତ ହୋଇଥାଏ। ୨୦୪୭ ସୁଦ୍ଧା ଆମକୁ ବିକଶିତ ଭାରତରେ ପରିଣତ କରିବା ପାଇଁ ଭାରତୀୟ ନୌସେନା ସାମୁଦ୍ରିକ ନିରାପତ୍ତା ସୁନିଶ୍ଚିତ କରିବା ଜାରି ରଖିବ ବୋଲି ସେ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଥିଲେ।

‘ନାରୀ ଶକ୍ତି’କୁ ଉପଯୁକ୍ତ ଅଭିବୃଦ୍ଧିର ସୁଯୋଗ ପ୍ରଦାନ କରିବାରେ ନୌସେନାର ଅଗ୍ରଣୀ ପ୍ରୟାସକୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ପ୍ରଥମ ସେନା ବିଭାଗ ରୂପେ ନୌସେନା ମହିଳା ଅଗ୍ନିବୀରମାନଙ୍କୁ ସାମିଲ କରିଥିଲା।

ଦୁଇ ଜଣ ମହିଳା ନୌସେନା ଅଧିକାରୀ ଲେଫ୍ଟନାଣ୍ଟ କମାଣ୍ଡର ଦିଲନା କେ ଏବଂ ଲେଫ୍ଟନାଣ୍ଟ କମାଣ୍ଡର ରୂପା ‘ନାଭିକ ସାଗର ପରିକ୍ରମା-୨’ର ଅଂଶବିଶେଷ ଭାବରେ ଆଇଏନଏସଭି ତାରିଣୀରେ ବିଶ୍ୱ ପରିକ୍ରମା କରି ଏହି ନୂଆ ପରିବର୍ତ୍ତିତ ଧାରାର ସର୍ବୋତ୍ତମ ଉଦାହରଣ ପ୍ରଦାନ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆୟୁର୍ବେଦ ଉପଚାର ପଦ୍ଧତି ସମ୍ପର୍କରେ ଅଧିକ ଗବେଷଣା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଲେ ରାଷ୍ଟ୍ରପତି

ଭୁବନେଶ୍ଵର: ଲୋକଲୋଚନକୁ ଆସିପାରିନଥିବା ଆୟୁର୍ବେଦ ଉପଚାର ପଦ୍ଧତି ସମ୍ପର୍କରେ ଅଧିକ ଗବେଷଣା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଗବେଷଣା ଯେ କୌଣସି ପଦ୍ଧତିର ବୈଜ୍ଞାନିକ ଭିତ୍ତିକୁ ପ୍ରମାଣ କରିବାକୁ ସକ୍ଷମ ହୋଇଥାଏ।

ଏହି ପ୍ରମାଣ ଜନସାଧାରଣରେ ଆସ୍ଥା ବୃଦ୍ଧି କରେ ଏବଂ ଆସ୍ଥା ଗ୍ରହଣୀୟତାର ମାର୍ଗକୁ ପ୍ରଶସ୍ତ କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ଆଜି ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହିରକ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ଅଧିକ ଗବେଷଣା ଦ୍ବାରା ପ୍ରାଚୀନ ଆୟୁର୍ବେଦ ଚିକିତ୍ସା ପଦ୍ଧତି ବିଶ୍ବରେ ଅଧିକ ମାତ୍ରାରେ ଆଦୃତ ହୋଇପାରିବ।

ଆଦିବାସୀ ସମ୍ପ୍ରଦାୟରେ ମଧ୍ୟ ଏକ ଚିକିତ୍ସା ପଦ୍ଧତି ପ୍ରଚଳିତ ଅଛି। ସେହିସବୁ ପଦ୍ଧତି ସମ୍ପର୍କରେ ତାଙ୍କର କିଞ୍ଚିତ ପରିଚୟ ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଏହିସବୁ ଚିକିତ୍ସା ଜ୍ଞାନ ଧୀରେ ଧୀରେ ଲୋପ ପାଇବାରେ ଲାଗିଛି। ସେହି ଚିକିତ୍ସା ପଦ୍ଧତିର ବୈଜ୍ଞାନିକ ଭିତ୍ତି ଅନ୍ବେଷଣ ପାଇଁ ସେ ଛାତ୍ରଛାତ୍ରୀମାନଙ୍କ ଆହ୍ବାନ ଦେଇଛନ୍ତି।

ଏହି ଅବସରରେ ସେ କହିଛନ୍ତି, ରାଜ୍ୟ ସଂଗ୍ରହାଳୟରେ ଅନେକ ତାଳପତ୍ର ପୋଥି ରହିଛି। ସେହିସବୁ ପୋଥିରେ ସାହିତ୍ୟ ବ୍ୟତୀତ ଚିକିତ୍ସା ଶାସ୍ତ୍ର ସମ୍ପର୍କରେ ମଧ୍ୟ ଅବତାରଣା କରାଯାଇଛି। ସେସବୁକୁ ମଧ୍ୟ ଲୋକଲୋଚନକୁ ଆଣିବା ପାଇଁ ରାଷ୍ଟ୍ରପତି ଆହ୍ବାନ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ: ଜାଣନ୍ତୁ କାର୍ଯ୍ୟକ୍ରମ

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ୭ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ।

ଆଜି ରାଷ୍ଟ୍ରପତିଙ୍କ ଦ୍ୱାରା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନୂଆ ପ୍ରତିମୂର୍ତ୍ତି ଅନାବରଣ କରାଯିବ। ଏଥିସହିତ ସେ ଭୁବନେଶ୍ୱରରେ ଆଦିମ ଓୱାର ଜାର୍ପା ଜାହେର ପରିଦର୍ଶନ କରିବେ।

ଡିସେମ୍ବର ୪ ତାରିଖରେ ରାଷ୍ଟ୍ରପତି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ମଧ୍ୟ ସେ ଯୋଗଦେବେ। ସେହିଦିନ ସେ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ନୌସେନା ଦିବସ ସମାରୋହ ଓ ସମର କୌଶଳ ପ୍ରଦର୍ଶନରେ ଯୋଗଦେବେ।

ଆସନ୍ତା ଡିସେମ୍ବର ୫ ତାରିଖରେ ରାଷ୍ଟ୍ରପତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେହିଦିନ ସେ ଭୁବନେଶ୍ୱରରେ ନ୍ୟାୟିକ ଅଦାଲତର ନୂଆ ଅଟ୍ଟାଳିକାକୁ ଉଦଘାଟନ କରିବେ।

ଡିସେମ୍ବର ୬ ତାରିଖରେ ରାଷ୍ଟ୍ରପତି ଉପରବେଡାଠାରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସହ ମତବିନିମୟ କରିବେ। ସେହିଦିନ ରାଇରଙ୍ଗପୁରଠାରେ ସେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀମାନଙ୍କ ସହ କଥା ହେବେ।

ଡିସେମ୍ବର ୭ ତାରିଖରେ ରାଷ୍ଟ୍ରପତି ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁରମରା-ଚକୁଳିଆ; ଏବଂ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ଲାଇନ୍; ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର, ରାଇରଙ୍ଗପୁର; ଦାଣ୍ଡବୋଷ ବିମାନ ବନ୍ଦର, ରାଇରଙ୍ଗପୁର ଏବଂ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମେତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ/ଉଦଘାଟନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଡିସେମ୍ବର ୩ରୁ ୭ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ରୁ ୭ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ।

ଡିସେମ୍ବର ୩ ତାରିଖରେ ରାଷ୍ଟ୍ରପତିଙ୍କ ଦ୍ୱାରା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନୂଆ ପ୍ରତିମୂର୍ତ୍ତି ଅନାବରଣ କରାଯିବ। ଏଥିସହିତ ସେ ଭୁବନେଶ୍ୱରରେ ଆଦିମ ଓୱାର ଜାର୍ପା ଜାହେର ପରିଦର୍ଶନ କରିବେ।

ଡିସେମ୍ବର ୪ ତାରିଖରେ ରାଷ୍ଟ୍ରପତି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ମଧ୍ୟ ସେ ଯୋଗଦେବେ। ସେହିଦିନ ସେ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ନୌସେନା ଦିବସ ସମାରୋହ ଓ ସମର କୌଶଳ ପ୍ରଦର୍ଶନରେ ଯୋଗଦେବେ।

ଆସନ୍ତା ଡିସେମ୍ବର ୫ ତାରିଖରେ ରାଷ୍ଟ୍ରପତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେହିଦିନ ସେ ଭୁବନେଶ୍ୱରରେ ନ୍ୟାୟିକ ଅଦାଲତର ନୂଆ ଅଟ୍ଟାଳିକାକୁ ଉଦଘାଟନ କରିବେ।

ଡିସେମ୍ବର ୬ ତାରିଖରେ ରାଷ୍ଟ୍ରପତି ଉପରବେଡାଠାରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସହ ମତବିନିମୟ କରିବେ। ସେହିଦିନ ରାଇରଙ୍ଗପୁରଠାରେ ସେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀମାନଙ୍କ ସହ କଥା ହେବେ।

ଡିସେମ୍ବର ୭ ତାରିଖରେ ରାଷ୍ଟ୍ରପତି ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁରମରା-ଚକୁଳିଆ; ଏବଂ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ଲାଇନ୍; ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର, ରାଇରଙ୍ଗପୁର; ଦାଣ୍ଡବୋଷ ବିମାନ ବନ୍ଦର, ରାଇରଙ୍ଗପୁର ଏବଂ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମେତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ/ଉଦଘାଟନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୪ ତାରିଖରେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ: ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା, ଜାଣନ୍ତୁ କେବେ?

ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗାମୀ ଡିସେମ୍ବର ୪ ତାରିଖରେ ପୁରୀ ଗସ୍ତ ଥିବା ବେଳେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଡିସେମ୍ବର ୪ ତାରିଖରେ ଶ୍ରୀମନ୍ଦିର ନୀତି ଶୃଙ୍ଖଳା ନେଇ ଆଲୋଚନା କରାଯାଇଥିଲା।

ଡିସେମ୍ବର ୪ ତାରିଖରେ ଭୋର ୫ ଟାରେ ଶ୍ରୀମନ୍ଦିର ଦ୍ୱାର ଖୋଲିବା ସହ ଦୈନନ୍ଦିନ ନୀତିକାନ୍ତି ଶୃଙ୍ଖଳିତ ଭାବେ କରାଯିବାକୁ ନିଷ୍ପତ୍ତି ନିଆଗଲା। ସକାଳ ୧୦.୧୫ ରୁ ୧୧ ମଧ୍ୟରେ ରାଷ୍ଟ୍ରପତି ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଗର୍ଭଗୃହ ଭିତରେ ଦର୍ଶନ ନେଇ ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ହେତୁ ସକାଳ ୮ ଟାରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା କରାଯିବ।

ରାଷ୍ଟ୍ରପତି ଦର୍ଶନ ସାରି ଫେରିବା ପରେ ସାଧାରଣ ଭକ୍ତ ଦର୍ଶନ ପାଇଁ ଛଡ଼ାଯିବ।ସେହିପରି ରାଷ୍ଟ୍ରପତି ଙ୍କ କୌଳିକ ପଣ୍ଡାଙ୍କ ସହ ଆଲୋଚନା ହୋଇଥିବା ବେଳେ ନୀତି ସଅଳ କରାଯିବା ନେଇ ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଅଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ବୈଠକ ଶେଷ ପରେ ରାଷ୍ଟ୍ରପତିଙ୍କ ଗସ୍ତ କୁ ନେଇ ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ନୀତି କାନ୍ତି କରାଯାଇଛି ବୋଲି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଡିସେମ୍ବର ୪ ରେ ପୁରୀ ଆସିବେ ରାଷ୍ଟ୍ରପତି: ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ ଓ କଟକଣା?

ଭୁବନେଶ୍ଵର: ଆସନ୍ତା ଡିସେମ୍ବର ୪ ତାରିଖ ଦିନ ପୁରୀ ରାଜ ଭବନ ନିକଟସ୍ଥ ବ୍ଲୁ ଫ୍ଲାଗ୍‌ ବିଚ୍‌ ବେଳାଭୂମିଠାରେ ନୌସେନା ଦିବସ ପାଳିତ ହେବ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯୋଗଦାନକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିରେ ନୌସେନା ପକ୍ଷରୁ ବିବିଧ କାର୍ଯ୍ୟକ୍ରମ ପ୍ରଦର୍ଶନ ସହ ଚିତାକର୍ଷକ ଏୟାର ସୋ ଅନୁଷ୍ଠିତ ହେବ। ଜଳ ଜାହଜ ଏବଂ ଆକାଶ ମାର୍ଗରେ ଦୁଃସାହସିକ ବିମାନ ଉଡାଣ କୌଶଳକୁ ମଧ୍ୟ ପ୍ରଦର୍ଶନ କରାଯିବ।

ବିମାନ ଉଡାଣ ସମୟରେ ଏହି କ୍ଷେତ୍ରରେ ପକ୍ଷୀମାନେ ଉଡିବା ଦ୍ବାରା ବିମାନ ଚାଳନା ପାଇଁ ଅସୁବିଧା ହେବାର ଆଶଙ୍କା ଥିବାରୁ ନଭେମ୍ବର ୨୮ ତାରିଖଠାରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକ, ବ୍ୟାବସାୟିକ ପ୍ରତିଷ୍ଠାନଗୁଡିକୁ ବାହାରେ କୌଣସି ଖାଦ୍ୟ ପଦାର୍ଥ କିମ୍ବା ବର୍ଜ୍ୟବସ୍ତୁ ନ ପକାଇବାକୁ ପରାମର୍ଶ ଦିଆଯାଇଛି।

ସେହିଭଳି ଡିସେମ୍ବର ୧ ରୁ ୪ ତାରିଖ ପର୍ଯ୍ୟନ୍ତ ଡ୍ରୋନ ଉଡାଣ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଏହି ଚିତାକର୍ଷକ କାର୍ଯ୍ୟକ୍ରମକୁ ପେଣ୍ଠକଟା ସମୁଦ୍ର କୂଳଠାରୁ ଷ୍ଟ୍ରଲିଂ ପର୍ଯ୍ୟନ୍ତ ସାଧାରଣ ଲୋକମାନେ ଉପସ୍ଥିତ ରହି ଉପଭୋଗ କରିପାରିବେ ବୋଲି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କର ଆଗାମୀ ଡିସେମ୍ବର ୩ ରୁ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଶୁକ୍ରବାର ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ(ସ୍ୱରାଷ୍ଟ୍ର) ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୁଲିସ ମହା ନିର୍ଦ୍ଦେଶକ ଓ୍ୱାଇ.ବି.ଖୁରାନିଆ, ଅଗ୍ନିଶମ ବିଭାଗ ଡିଜି ଡଃ. ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ପ୍ରଶାସନର ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ଅନ୍ୟ ବରିଷ୍ଠ ପଦାଧିକାରୀ ଏବଂ ଜିଲ୍ଲାପାଳ ଖୋର୍ଦ୍ଧା ଉପସ୍ଥିତ ଥିବା ବେଳେ ଜିଲ୍ଲାପାଳ, ପୁରୀ, ଜିଲ୍ଲାପାଳ, ମୟୂରଭଞ୍ଜ ଏବଂ ନୌସେନା ବିଭାଗର ଅଧିକାରୀ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସୂଚନା ଅନୁସାରେ ଡିସେମ୍ବର ୩ ତାରିଖ ଅପରାହ୍ଣରେ ମାନ୍ୟବର ରାଷ୍ଟ୍ରପତି ନୂଆଦିଲ୍ଲୀରୁ ବାୟୁସେନା ବିମାନ ଯୋଗେ ବାହାରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସଂଧ୍ୟାରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ନିଳାଦ୍ରୀ ବିହାର ଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନବନିର୍ମିତ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ । ୪ ତାରିଖ ପୂର୍ବାହ୍ନରେ ମାନ୍ୟବର ରାଷ୍ଟ୍ରପତି ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପରେ ପରେ ଶ୍ରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେବେ। ସେଦିନ ନୌସେନା ଦିବସ ଅବସରରେ ମାନ୍ୟବର ରାଷ୍ଟ୍ରପତି ଅପରାହ୍ଣ ୩.୫୫ ରେ ଭାରତୀୟ ନୌସେନା ତରଫରୁ ପୁରୀ ବ୍ଲୁ ଫ୍ଲାଗ୍ ବେଳାଭୂମିରେ ଆୟୋଜିତ ନୌସେନାର ସାମୁଦ୍ରିକ ଶକ୍ତି ନମୁନା ପ୍ରଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେବେ ।

୫ ତାରିଖ ସକାଳେ ମାନ୍ୟବର ରାଷ୍ଟ୍ରପତି ପୁରୀରୁ ବାହାରି ହେଲିକପ୍ଟର ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚି ସେଠାରୁ ପୂର୍ବାହ୍ନ ୧୦.୫୦ ରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ୪୦ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ଏହା ପରେ ଅପରାହ୍ଣରେ ଭୁବନେଶ୍ୱରରେ ନୂଆ ବିଚାର ବିଭାଗୀୟ କୋର୍ଟ କମ୍ପ୍ଲେକ୍ସର ଶୁଭ ଉଦ୍ଘାଟନ କରିବେ । ୬ ତାରିଖ ସକାଳେ ସେ ବାବା ସାହେବ ଆମ୍ବେଦକରଙ୍କ ମହା ପରିନିର୍ବାଣ ଦିବସ ଉପଲକ୍ଷେ ଭୁବନେଶ୍ୱର ଏଜି ଛକସ୍ଥିତ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବେ । ଏହାପରେ ସେ ବାୟୁସେବା ବିମାନ ଯୋଗେ ଭୁବନେଶ୍ୱରରୁ ପଶ୍ଚିମବଙ୍ଗର କଲେଇକୁଣ୍ଡା ବିମାନବନ୍ଦରରେ ଅବତରଣ କରି, ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜ ରଙ୍ଗମାଟିଆ ହେଲିପ୍ୟାଡଠାରେ ପହଞ୍ଚି ସେଠାରୁ ଉପରବେଡା ସରକାରୀ ଉଚ୍ଚପ୍ରାଥମିକ ସ୍କୁଲ ଯାଇ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହ ଭାବ ବିନିମୟ କରିବା ସହ ଉପରବେଡାସ୍ଥିତ ଘରେ କିଛି ସମୟ ରହି ଗ୍ରାମବାସୀଙ୍କ ସହ ଭାବ ବିନିମୟ କରିବେ ।

ଅପରାହ୍ଣରେ ରାଇରଙ୍ଗପୁରରେ ପହଁଚି ଉପଖଣ୍ଡ ଚିକିତ୍ସାଳୟରେ ଏସ୍ଏଲଏସ୍ ଟ୍ରଷ୍ଟ ବୋର୍ଡ ତରଫରୁ ଡାକ୍ତରଖାନା ଉଦ୍ଦେଶ୍ୟରେ ପ୍ରଦତ୍ତ ଏକ ଯାନକୁ ପତାକା ହଲାଇ ଲୋକାର୍ପଣ କରିବେ । ଏହାପରେ ସେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଗସ୍ତ କରି ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକାମାନଙ୍କ ସହ ଭାବ ବିନିମୟ କରିବେ । ସଂଧ୍ୟାରେ ରାଇରଙ୍ଗପୁର ସ୍ଥିତ ପୁଣ୍ୟେଶ୍ୱର ମହାଦେବ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା ତଥା ଆରତୀ କରିବେ ।

ଡିସେମ୍ବର ୭ ତାରିଖ ପୂର୍ବାହ୍ନରେ ରାଇରଙ୍ଗପୁରରୁ ଦାଣ୍ଡବୋଷ ଏୟାରଷ୍ଟ୍ରିପ୍ରୁ ବାଙ୍ଗିରିପୋଷୀ ହେଲିପ୍ୟାଡରେ ପହଞ୍ଚି ସେଠାରୁ ରେଳଷ୍ଟେସନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଭିନ୍ନ ରେଳ ଲାଇନ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଆଭାସୀ ମାଧ୍ୟମରେ ରାଇରଙ୍ଗପୁର ଆଦିବାସୀ ଗବେଷଣା କେନ୍ଦ୍ର,ଦାଣ୍ଡବୋଷ ଏୟାରଷ୍ଟ୍ରିପ ଏବଂ ଉପଖଣ୍ଡ ଚିକିତ୍ସାଳୟ ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ କାର୍ଯ୍ୟକ୍ରମ ସାରି ଅପରାହ୍ଣରେ ବାଙ୍ଗିରିପୋଷୀ ହେଲିପ୍ୟାଡ୍ ରୁ ହେଲିକପ୍ଚର ଯୋଗେ କଲେଇକୁଣ୍ଡା ଯାଇ ସେଠାରୁ ବାୟୁସେନା ବିମାନ ଯୋଗେ ନୂଆ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ବିଭିନ୍ନ ପ୍ରସ୍ତୁତି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ରାଜ୍ୟର ସମସ୍ତ ସଂପୃକ୍ତ ପ୍ରଶାସନିକ ଅଧିକାରୀ ଏବଂ ପୁଲିସ୍ ବିଭାଗର ଅଧିକାରୀ, ଆଭାସୀ ମାଧ୍ୟମରେ ଯୋଗଦେଇଥିବା ପୁରୀ, ମୟୂରଭଞ୍ଜର ଜିଲ୍ଲାପାଳ, ନୌସେନା ଅଧିକାରୀଙ୍କ ସହିତ ପ୍ରସ୍ତୁତି ସଂପର୍କରେ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।

ରାଷ୍ଟ୍ରପତିଙ୍କ ଏହି ଗସ୍ତସୂଚୀରେ ଗତ ଅକ୍ଟୋବର ୨୩ରୁ ୨୫ ତାରିଖ ଗସ୍ତକାର୍ଯ୍ୟକ୍ରମର କେତେକ କାର୍ଯ୍ୟସୂଚୀ ରହିଛି , ଯାହାକି ବାତ୍ୟା ‘ଦାନା’ ପରିପ୍ରେକ୍ଷୀରେ ସ୍ଥଗିତ ରଖାଯାଇଥିଲା । ତେବେ ପୂର୍ବ ପ୍ରସ୍ତୁତି ଅନୁସରଣ କରିବା ସହିତ କାର୍ଯ୍ୟକ୍ରମଗୁଡ଼ିକୁ ସମୟ ନିର୍ଘଣ୍ଟ ଅନୁସାରେ ସାରିବା ପାଇଁ ଆବଶ୍ୟକତା ଅନୁସାରେ ସମସ୍ତ ପ୍ରସ୍ତୁତି ସହ ପ୍ରତ୍ୟେକ କାର୍ଯ୍ୟକୁ ଭଲଭାବେ ତଦାରଖ କରିବାକୁ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ସଚିବ ଏବଂ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ବୈଠକରେ ମାନ୍ୟବର ରାଷ୍ଟ୍ରପତିଙ୍କ ବିଭିନ୍ନ ସ୍ଥାନରେ ସାମୟିକ ରହଣି ବ୍ୟବସ୍ଥା, ସୁରକ୍ଷା, କାରକେଡ୍ ବ୍ୟବସ୍ଥା, ବିମାନ ଓ ହେଲିକପ୍ଟରର ସୁରକ୍ଷା, ଚିକିତ୍ସା ଓ ସ୍ୱାସ୍ଥ୍ୟ ସହାୟତା, ଆବଶ୍ୟକ ରାସ୍ତା ମରାମତି, ପରିମଳ ବ୍ୟବସ୍ଥା, ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ, ବିଭିନ୍ନ ଉତ୍ସବ ସ୍ଥଳରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, ମଞ୍ଚ ପ୍ରସ୍ତୁତି, ଇଣ୍ଟରନେଟ୍ ସୁବିଧା, ଗଣମାଧ୍ୟମରେ ପ୍ରଚାର ପ୍ରସାର, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଦର୍ଶକ ଓ ଅତିଥିଙ୍କ ପାଇଁ ସାମିଆନା ସହ ବସିବା ବ୍ୟବସ୍ଥା ଆଦି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଜିଲ୍ଲାପାଳ ପୁରୀ, ଜିଲ୍ଲାପାଳ ଖୋର୍ଦ୍ଧା ଏବଂ ଜିଲ୍ଲାପାଳ ମୟୁରଭଞ୍ଜଙ୍କୁ ନିଜ ନିଜ ଜିଲ୍ଲାରେ ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମର ସାମଗ୍ରିକ ଭାବେ ସୁବ୍ୟବସ୍ଥା ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଓ ସମନ୍ୱୟ ପାଇଁ ପ୍ରତି ଥର ଭଳି ଏଥର ମଧ୍ୟ ଗୃହ ବିଭାଗ ତରଫରୁ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ । ବୈଠକରେ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ରାଧା କିଶନ ଶର୍ମା ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ବିଶଦ୍ ଉପସ୍ଥାପନା କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କ ଦ୍ୱାରା ଦିଲ୍ଲୀରେ ‘ଓଡ଼ିଶା ପର୍ବ -୨୦୨୪’ ଉଦଘାଟିତ

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା ପର୍ବ -୨୦୨୪’ର ଉଦଘାଟନୀ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ପରିଚୟକୁ ବିଶ୍ୱବିଦିତ କରାଇବା ପାଇଁ ଆହ୍ୱାନ କରିଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗରିମାମୟ ଉପସ୍ଥିତି ତଥା ତାଙ୍କ କରକମଳରେ ଉଦଘାଟିତ ଏହି ସମାରୋହରେ ସେ କହିଛନ୍ତି ଯେ ନୂଆଦିଲ୍ଲୀ ସମେତ ସମଗ୍ର ଭାରତବର୍ଷ ଏବଂ ଦେଶ ବାହାରେ ଓଡ଼ିଶାର ପର୍ବପର୍ବାଣୀ ଏକ ବ୍ୟାପକ ରୂପ ନେଉଛି। ଦିଲ୍ଲୀ ସହ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଳନ ହେଉଛି। ଓଡ଼ିଶାର ଅନନ୍ୟ ଗଣପର୍ବ ‘ନୂଆଁଖାଇ’ ଭଳି ଆମର ପର୍ବ ପର୍ବାଣୀକୁ ପ୍ରବାସୀ ଓଡ଼ିଆମାନେ ବହୁତ ଆନନ୍ଦର ସହ ପାଳନ କରୁଛନ୍ତି। ବୈଶ୍ୱିକ ସ୍ତରରେ ଓଡ଼ିଆମାନେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରୁଛନ୍ତି। ଓଡିଆଙ୍କ ଆଧିପତ୍ୟ ବୃଦ୍ଧି ପାଉଛି, ଯାହା ଦ୍ୱାରା ଓଡ଼ିଆତ୍ୱ ଧୀରେ ଧୀରେ ଜାଗ୍ରତ ହେଉଛି।

ଓଡ଼ିଆ କଳା ଏବଂ ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ଆୟୋଜିତ ‘ଓଡ଼ିଶା ପର୍ବ’ ଦିଲ୍ଲୀରେ ଓଡ଼ିଶାର ଭାବାବେଗକୁ ପ୍ରତିଫଳିତ କରିବାର ଏକ ଉତ୍କୃଷ୍ଟ ମଞ୍ଚ । ଚଳିତବର୍ଷ ଏହି ବର୍ଣ୍ଣାଢ୍ୟ ସମାରୋହରେ ପ୍ରଦର୍ଶିତ ପାରମ୍ପରିକ ଆରିସା ପିଠା, ଝାଲ ମୁଢି, ଅନ୍ୟାନ୍ୟ ଖାଦ୍ୟପେୟ ଏବଂ ପରିବେଷଣ ହେଉଥିବା ସମଧୁର ଓଡ଼ିଆ ସଙ୍ଗୀତ, ଓଡ଼ିଶୀ ନୃତ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ଆକୃଷ୍ଟ କରୁଛି । ଓଡ଼ିଆ ପର୍ବ ଆନନ୍ଦ ଉଲ୍ଲାସର ବତାବରଣ ତିଆରି କରୁ । ଓଡ଼ିଶା ପର୍ବ ଓଡ଼ିଆଙ୍କ ସମୃଦ୍ଧ ଓ ସ୍ୱତନ୍ତ୍ର ପରିଚୟକୁ ବିଶ୍ୱବିଦିତ କରାଇବାରେ ବଡ଼ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ଦୃଢ ଆଶାବ୍ୟକ୍ତ କରିଛନ୍ତି ।

ଆମ ସମାଜ ଗୋଟିଏ ଉତ୍ସବମୁଖର ସମାଜ । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ସମାରୋହର ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ କଳ୍ପନା କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । ଆମେ ସମସ୍ତେ ମିଶି ଆମର ପ୍ରବାସୀ ଓଡ଼ିଆମାନଙ୍କୁ ଓ ଅନ୍ୟ ରାଜ୍ୟର ପଡୋଶୀମାନଙ୍କୁ ଓଡ଼ିଶାକୁ ଆସିବା ପାଇଁ ନିମନ୍ତ୍ରଣ ଦେବା। ଓଡ଼ିଶାର କୋଣାର୍କ ମନ୍ଦିର, ହୀରାକୁଦ ଡ୍ୟାମର ଗୌରବମୟ କାହାଣୀ, ଶିମିଳିପାଳ ଅଭୟାରଣ୍ୟ, ଦେବ୍ରୀଗଡ଼ ଅଭୟାରଣ୍ୟ ଓ ଭିତରକନିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଓଡ଼ିଶାର ଭବ୍ୟତାର ପ୍ରସାର କରିବା। ଓଡ଼ିଶାର ପରିଚୟକୁ ଆଗେଇ ନେବାରେ  ସମସ୍ତେ ଏକାଠି ହୋଇ କାମ କରିବା। ତେବେ ଯାଇ ଆମ ଓଡ଼ିଶାର ଅର୍ଥନୀତି ବିକଶିତ ହେବ, ଓଡ଼ିଶାର ପରିଚୟ ବଢିବ ବୋଲି ସେ କହିଛନ୍ତି।

ଓଡ଼ିଶା ପର୍ବ- ୨୦୨୪ରେ ଯୋଗଦେଇ ସମବେତ ଦର୍ଶକ ଓ ବ୍ୟକ୍ତିବିଶେଷମାନଙ୍କୁ ପ୍ରେରିତ କରିଥିବାରୁ ମାନ୍ୟବର ରାଷ୍ଟ୍ରପତି ଏବଂ ଓଡ଼ିଶା ପର୍ବ ମାଧ୍ୟମରେ ଓଡ଼ିଶାର କଳା,  ସଂସ୍କୃତି, ପରମ୍ପରା, ସଙ୍ଗୀତ, ନୃତ୍ୟ, ସାହିତ୍ୟ, ଓଡ଼ିଆ ଖାଦ୍ୟପେୟ ତଥା ଆମର ଗୌରବମୟ ଇତିହାସକୁ ବିଶ୍ୱ ଦରବାରରେ ଉପସ୍ଥାପନ କରୁଥିବାରୁ ଓଡ଼ିଆ ସମାଜକୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ। ଏହି ଉଦଘାଟନୀ ସମାରୋହରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ଅନେକ ରାଜନେତା, ଲେଖକ, କଳାକାର, ଇତିହାସକାର, ବୁଦ୍ଧିଜୀବୀ ଓ ବ୍ୟକ୍ତିବିଶେଷମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରତି ସମ୍ମାନ ଜଣାଇ ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଏକ ସ୍ୱତନ୍ତ୍ର ସ୍ମୃତିଚାରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏକ ବର୍ଷ ବ୍ୟାପୀ ଚାଲିବାକୁ ଥିବା ଏହି ସ୍ମରଣୋତ୍ସବରେ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ଲେଖକ, ରାଜନେତା, ଐତିହାସିକ, ସାମ୍ବାଦିକ ତଥା ଆଧୁନିକ ଓଡ଼ିଶାର ପ୍ରତିଷ୍ଠାତା ଭାବରେ ଡ. ହରେକୃଷ୍ଣ ମହତାବଙ୍କ ଉଲ୍ଲେଖନୀୟ ଅବଦାନକୁ ବିଭିନ୍ନ କାର୍ଯ୍ୟକ୍ରମ, ବକ୍ତୃତା, ପ୍ରଦର୍ଶନୀ, ଆଲୋଚନାଚକ୍ର ମାଧ୍ୟମରେ ପ୍ରଚାରପ୍ରସାର ଓ ପାଳନ କରାଯିବ।

କାର୍ଯ୍ୟକ୍ରମ ସ୍ଥଳରେ ଲଳିତ କଳା ଏକାଡେମୀ ପକ୍ଷରୁ ଡ. ମହତାବଙ୍କ ଜୀବନଯାତ୍ରାକୁ ନେଇ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା। ଡକ୍ଟର ହରେକୃଷ୍ଣଙ୍କ ଜୀବନାଦର୍ଶ, ତାଙ୍କ ପ୍ରାରମ୍ଭିକ ଜୀବନ, ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଏବଂ ଓଡ଼ିଶା ପ୍ରତି ତାଙ୍କର ଅବଦାନ ଉପରେ ଓଡ଼ିଶାର ୧୫ରୁ ଅଧିକ କଳାକାରଙ୍କ ଦ୍ୱାରା ଏହି ପ୍ରଦର୍ଶନୀ ପ୍ରସ୍ତୁତ କରାଯାଇଥିଲା। ପ୍ରଦର୍ଶନୀ ଏବଂ ଚିତ୍ରକଳାର ନିଖୁଣ ଓ ଜୀବନ୍ତ ସ୍ୱରୂପ ଏବଂ ସୃଜନଶୀଳତାକୁ ମାନ୍ୟବର ରାଷ୍ଟ୍ରପତି ପ୍ରଶଂସା କରିଥିଲେ । କଳାକାରମାନେ ରାଷ୍ଟ୍ରପତିଙ୍କ ସହ କଥା ହେବା ଏବଂ ଫଟୋ ଉଠାଇବାର ସୁଯୋଗ ମଧ୍ୟ ପାଇଥିଲେ। ଏହାବ୍ୟତୀତ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୀବନ ଉପରେ ଆଲୋକପାତ କରୁଥିବା ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହା ତାଙ୍କର ଉଲ୍ଲେଖନୀୟ ଯୋଗଦାନ ଏବଂ ଚିରସ୍ଥାୟୀ ଆଦର୍ଶ ପ୍ରତି ଗଭୀର ଦୃଷ୍ଟିପାତ କରିଥିଲା।

ବିଭିନ୍ନ ସ୍ମାରକୀ ଉନ୍ମୋଚନ

ଏହି ଅବସରରେ ରାଷ୍ଟ୍ରପତି ଡକ୍ଟର ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କରିଥିଲେ।

ଏହା ବ୍ୟତୀତ ନିମ୍ନ ପୁସ୍ତକଗୁଡ଼ିକ ଉନ୍ମୋଚନ କରାଯାଇଥିଲା:

୧- ହରେକୃଷ୍ଣ ମହତାବ: ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ତଥା ବୈଷ୍ଣବ ଚରଣ ସାମଲଙ୍କ ଦ୍ୱାରା ରଚିତ ଏକ କ୍ଷୁଦ୍ର ପୁସ୍ତିକା

୨- ଗାଁ ମଜଲିସ୍‌: ଡକ୍ଟର ମହତାବଙ୍କ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରବନ୍ଧଗୁଡ଼ିକର ତରୁଣ କୁମାର ସାହୁଙ୍କ ଦ୍ୱାରା ଇଂରାଜୀ ଅନୁବାଦ

୩- ଗାଁ ମଜଲିସ: ସୁଜାତା ସିବେନଙ୍କ ଦ୍ୱାରା ଏହି ସାହିତ୍ୟ କୃତିର ହିନ୍ଦୀ ଅନୁବାଦ

ସମ୍ମାନିତ ମନ୍ତ୍ରୀମାନେ ଏହି ପୁସ୍ତକଗୁଡ଼ିକର ପ୍ରଥମ କପି ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ।

ଭାରତର ସ୍ୱାଧୀନତା ଆନ୍ଦୋଳନରେ ଡକ୍ଟର ମହତାବଙ୍କ ଅବିସ୍ମରଣୀୟ ପ୍ରଭାବ ଏବଂ ସାହିତ୍ୟ ଓ ପ୍ରଶାସନ କ୍ଷେତ୍ରରେ ତାଙ୍କର ଚିରସ୍ଥାୟୀ ଅବଦାନ ଉପରେ ରାଷ୍ଟ୍ରପତି ଆଲୋକପାତ କରିଥିଲେ। ଓଡ଼ିଶାର ଏହି ମହାପୁରୁଷଙ୍କ ଅବଦାନକୁ ସ୍ୱୀକୃତି ଦେବା ଏବଂ ତାଙ୍କର ଚିରସ୍ଥାୟୀ ଜୀବନ ପରମ୍ପରାକୁ ନେଇ ଏକ ବର୍ଷବ୍ୟାପୀ ଉତ୍ସବ ଆରମ୍ଭ କରିଥିବାରୁ ସେ ସଂସ୍କୃତି ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଡକ୍ଟର ହରେକୃଷ୍ଣ ମହତାବ ଜଣେ ଦୂରଦର୍ଶୀ ନେତା ଥିଲେ। ସେ ଜାଣିଥିଲେ ଯେ କେବଳ ଶାରୀରିକ ବିକାଶ ଯଥେଷ୍ଟ ନୁହେଁ ବରଂ ସାଂସ୍କୃତିକ ସଚେତନତା ମଧ୍ୟ ଆବଶ୍ୟକ। ଡକ୍ଟର ହରେକୃଷ୍ଣ ମହତାବ ଦେଶପ୍ରେମକୁ ଦେଶର ବିକାଶର ଆଧାର ବୋଲି ବିବେଚନା କରିଥିଲେ ବୋଲି ରାଷ୍ଟ୍ରପତି କହିଥିଲେ।

କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ତାଙ୍କ ଅଭିଭାଷଣରେ ଡ. ମହତାବଙ୍କ ଉଲ୍ଲେଖନୀୟ ଜୀବନସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଡକ୍ଟର ମହତାବ କେବଳ ସ୍ୱାଧୀନତା ପାଇଁ ନୁହେଁ ବରଂ ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ନିଜକୁ କିପରି ଉତ୍ସର୍ଗ କରିଥିଲେ ସେ ବିଷୟରେ ସେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଅତିଥିମାନଙ୍କୁ ସମ୍ବୋଧିତ କରିବା ସହ ଡ. ହରେକୃଷ୍ଣ ମହତାବଙ୍କ ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ। ରାଜ୍ୟର ୨୬ଟି ଗଡ଼ଜାତ ରାଜ୍ୟକୁ ମିଶ୍ରଣ କରିବାରେ ସର୍ଦ୍ଦାର ପଟେଲଙ୍କ ସହ ଡକ୍ଟର ମହତାବଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଆଧୁନିକ ଓଡ଼ିଶାରେ ପ୍ରତିଫଳିତ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟ ଉପରେ ଡ. ମହତାବଙ୍କ ପ୍ରଭାବ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହ ତାଙ୍କ ଜୀବନ ପରମ୍ପରା ବଜାୟ ରହିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସେ ଡକ୍ଟର ମହତାବଙ୍କ ୧୨୫ତମ ଜୟନ୍ତୀ ପାଇଁ ଗୋଟିଏ ବର୍ଷବ୍ୟାପୀ ଉତ୍ସବ ପାଳନ ଲାଗି ଘୋଷଣା କରିଥିଲେ, ଯେଉଁଥିରେ ବର୍ତ୍ତମାନର ପିଢ଼ିକୁ ପ୍ରେରଣା ଦେବା ପାଇଁ ଏକ ଆତ୍ମଜୀବନୀ ସାମିଲ ରହିଛି ।

ଶିକ୍ଷାମନ୍ତ୍ରୀ ତାଙ୍କ ଅଭିଭାଷଣରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ କରି ଓଡ଼ିଶାକୁ ଏଭଳି ଭାବେ ସମ୍ମାନିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ସେ ଆବ୍ରାହମ ଲିଙ୍କନଙ୍କ ଉକ୍ତିକୁ ଉଦ୍ଧୃତ କରି କହିଥିଲେ, ‘‘ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କର ମୃତ୍ୟୁ ପରେ ଆପଣଙ୍କ ନାମ ମନେ ରଖାଯାଉ, ତେବେ ହୁଏତ ଲେଖିବା ଯୋଗ୍ୟ କିଛି କାମ କର କିମ୍ବା ପଢ଼ିବା ଯୋଗ୍ୟ କିଛି ଲେଖି ଦିଅ।’’ ଇତିହାସ ଉପରେ ଏକ ଅବିସ୍ମରଣୀୟ ଛାପ ଛାଡି ଯାଇଥିବା ଡକ୍ଟର ମହତାବ ଉଭୟ କାର୍ଯ୍ୟ କରିଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ମନ୍ତ୍ରୀ ଗର୍ବର ସହ ଡ. ମହତାବଙ୍କୁ ଜଣେ ପ୍ରକୃତ ରାଜନେତା ଓ ଓଡ଼ିଶା ପାଇଁ ଗର୍ବର ଉତ୍ସ ଭାବେ ଘୋଷଣା କରିଥିଲେ।

ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ପାଳନ ଦେଶର ପ୍ରଗତି ପାଇଁ ଉତ୍ସର୍ଗୀକୃତ ତାଙ୍କ ଅସାଧାରଣ ଜୀବନକୁ ସ୍ମରଣୀୟ କରିଥିଲା। ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଏବଂ ସ୍ମାରକୀ ଉନ୍ମୋଚନ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଭାରତର ଅନ୍ୟତମ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଏବଂ ସାହିତ୍ୟିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲା।

ହରେକୃଷ୍ଣ ମହତାବଙ୍କ ବିଷୟରେ:

‘‘ଉତ୍କଳ କେଶରୀ’’ ନାମରେ ପରିଚିତ ଡକ୍ଟର ହରେକୃଷ୍ଣ ମହତାବ ୧୮୯୯ ମସିହା ନଭେମ୍ବର ୨୧ ତାରିଖରେ ଓଡ଼ିଶାର ଆଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତୀୟ ଇତିହାସରେ ଜଣେ ବହୁମୁଖୀ ନେତା ଥିଲେ ଏବଂ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ଐତିହାସିକ, ଲେଖକ, ସମାଜ ସଂସ୍କାରକ ଏବଂ ସାମ୍ବାଦିକ ଭାବରେ ପରିଚିତ ଥିଲେ । ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ପରମହଂସ ଏବଂ ମହାତ୍ମା ଗାନ୍ଧୀଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଦ୍ୱାରା ସେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ । ମହାବିଦ୍ୟାଳୟରେ ପଢ଼ିବା ସମୟରୁ ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ସେବେଠାରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା । ଡକ୍ଟର ମହତାବ ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଆଦିରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ସକ୍ରିୟତା ପାଇଁ ସେ ଏକାଧିକ ବାର ଗିରଫ ହୋଇଥିଲେ ଏବଂ ଓଡ଼ିଶାକୁ ଭାରତ ସଂଘରେ ମିଶ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଡକ୍ଟର ହରେକୃଷ୍ଣ ମହତାବ ଗଡ଼ଜାତ ରାଜ୍ୟର ଶେଷ ପ୍ରଧାନମନ୍ତ୍ରୀ ଥିଲେ। ପରବର୍ତ୍ତୀ ସମୟରେ ସ୍ୱାଧୀନ ଭାରତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ସେ ଶିଳ୍ପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ରାଜ୍ୟର ଆର୍ଥିକ ବିକାଶ ପାଇଁ ପ୍ରୟାସ କରିଥିଲେ। ହରେକୃଷ୍ଣ ମହତାବ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ବ୍ୟାପକ ଭାବରେ ଲେଖିଥିଲେ। ନିଜର ଐତିହାସିକ ବିବରଣୀ ‘ଓଡ଼ିଶାର ଇତିହାସ’ ସମେତ ଅନ୍ୟାନ୍ୟ ସାହିତ୍ୟ କୃତି ସେ ପାଇଁ ପ୍ରଶଂସିତ ହୋଇଥିଲେ ଏବଂ ୧୯୮୩ ମସିହାରେ ‘ଗାଁ ମଜଲିସ’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ୧୯୬୨ରେ ନିର୍ଦ୍ୱନ୍ଦ୍ୱରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିବେ ରାଷ୍ଟ୍ରପତି

ଭୁବନେଶ୍ଵର: ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଆଜି ପୂର୍ବାହ୍ନ ସାଢ଼େ ୧୧ଟାରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ।

କଟକ ସାଂସଦ ତଥା ଡ. ହରେକୃଷ୍ଣ ମହତାବଙ୍କ ପୁତ୍ର ଭର୍ତ୍ତୃହରି ମହତାବ ମଧ୍ୟ ଓଡ଼ିଶାର ଏହି ଗୌରବଙ୍କ ପ୍ରଭାବ ଓ ପରମ୍ପରାକୁ ସମ୍ମାନ ଜଣାଇ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

ଡକ୍ଟର ହରେକୃଷ୍ଣ ମହତାବଙ୍କ ସମ୍ମାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକ ସ୍ବତନ୍ତ୍ର ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂଶାସିତ ଅନୁଷ୍ଠାନ ସାହିତ୍ୟ ଏକାଡେମୀ ଆସନ୍ତାକାଲିର କାର୍ଯ୍ୟକ୍ରମରେ ଉନ୍ମୋଚନ ପାଇଁ ଓଡ଼ିଆରେ ମୋନୋଗ୍ରାଫ୍, ଗାଁ ମଜଲିସର ଇଂରାଜୀ ଅନୁବାଦ ଏବଂ ଗାଁ ମଜଲିସର ହିନ୍ଦୀ ଅନୁବାଦ ପ୍ରସ୍ତୁତ କରିଛି।

ଏହାବ୍ୟତୀତ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ତାଙ୍କ ଜୀବନ ଓ ପରମ୍ପରା ଉପରେ ଏକ ପ୍ରଦର୍ଶନୀ ରଖାଯାଇଛି । ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂଶାସିତ ଅନୁଷ୍ଠାନ ଲଳିତ କଳା ଏକାଡେମୀ ଦ୍ୱାରା ଆୟୋଜିତ ଜାତୀୟ ଚିତ୍ରକଳା ଶିବିରରେ ଅଂଶଗ୍ରହଣ କରି ଗତ କିଛି ଦିନ ହେବ ଦିଲ୍ଲୀରେ ରହିଥିବା ଓଡ଼ିଆ କଳାକାରଙ୍କ କୃତିକୁ ମଧ୍ୟ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯିବ।

ଶ୍ରୀମତୀ ସୁସ୍ମିତା ଦାସ ଏକ ସଙ୍ଗୀତ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ଇତିହାସ ଓ ସଂସ୍କୃତିପ୍ରତି ସମ୍ମାନ ଅର୍ପଣ କରିବେ।

“ଉତ୍କଳ କେଶରୀ” ନାମରେ ପରିଚିତ ଡକ୍ଟର ହରେକୃଷ୍ଣ ମହତାବ ୧୮୯୯ ମସିହା ନଭେମ୍ବର ୨୧ ତାରିଖରେ ଓଡ଼ିଶାର ଆଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତ ଇତିହାସରେ ଜଣେ ବହୁମୁଖୀ ନେତା ଥିଲେ। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ଐତିହାସିକ, ଲେଖକ, ସମାଜ ସଂସ୍କାରକ ଏବଂ ସାମ୍ବାଦିକ ଭାବରେ ପରିଚିତ ଥିଲେ। ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ପରମହଂସ ଏବଂ ମହାତ୍ମା ଗାନ୍ଧୀଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଦ୍ୱାରା ସେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। କଲେଜ ଜୀବନରୁ ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଇତ୍ୟାଦି କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ସ୍ଵାଧୀନତା ଆନ୍ଦୋଳନରେ ସକ୍ରିୟତା ପାଇଁ ସେ ଏକାଧିକ ଥର ଗିରଫ ହୋଇଥିଲେ ଏବଂ ଓଡ଼ିଶାକୁ ଭାରତରେ ମିଶ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଡକ୍ଟର ହରେକୃଷ୍ଣ ମହତାବ ଗଡ଼ଜାତ ରାଜ୍ୟର ଶେଷ ପ୍ରଧାନମନ୍ତ୍ରୀ ଥିଲେ। ପରବର୍ତ୍ତୀ ସମୟରେ ସ୍ୱାଧୀନ ଭାରତର ମୁଖ୍ୟମନ୍ତ୍ରୀ ଭାବରେ ସେ ଓଡ଼ିଶାର ଶିଳ୍ପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ରାଜ୍ୟର ଆର୍ଥିକ ବିକାଶ ପାଇଁ ପରାମର୍ଶ ଦେଇଥିଲେ। ହରେକୃଷ୍ଣ ମହତାବ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ବ୍ୟାପକ ଭାବରେ ଲେଖିଥିଲେ। ରାଜ୍ଯର ଐତିହାସିକ ବିବରଣୀ ‘ଓଡ଼ିଶାର ଇତିହାସ’ ସମେତ ତାଙ୍କର ଅନ୍ୟନ୍ୟ କୃତି ପାଇଁ ସେ ପ୍ରଶଂସିତ ହୋଇଥିଲେ ଏବଂ ୧୯୮୩ ମସିହାରେ ‘ଗାଁ ମଜଲିସ’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ୧୯୬୨ ରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ଡକ୍ଟର ହରେକୃଷ୍ଣ ମହତାବ ତାଙ୍କ ଦୃଢ଼ ଇଚ୍ଛାଶକ୍ତି, ସଂକଳ୍ପ ଓ ପ୍ରଭାବ ପାଇଁ ସ୍ମରଣୀୟ ହୋଇ ରହିଛନ୍ତି। ରାଜ୍ୟର ଅନ୍ୟତମ ଅଗ୍ରଣୀ ନେତା ଭାବରେ ସେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ମୁର୍ମୁଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

ଭୁବନେଶ୍ୱର: ଚଳିତ  ଅକ୍ଟୋବର ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ  ୩  ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲା, ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି  ପରିପ୍ରେକ୍ଷୀରେ  ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ  ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ରାଜ୍ୟ ଗୃହ(ସ୍ୱରାଷ୍ଟ୍ର) ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି.ଖୁରାନିଆଙ୍କ ସମେତ ରାଜ୍ୟ ପ୍ରଶାସନର ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ଅନ୍ୟ ବରିଷ୍ଠ ପଦାଧିକାରୀ ଏବଂ ଜିଲ୍ଲାପାଳ ଖୋର୍ଦ୍ଧା ଯୋଗଦେଇଥିବା ବେଳେ ଜିଲ୍ଲାପାଳ, ମୟୂରଭଞ୍ଜ ଏବଂ ଜିଲ୍ଲାପାଳ, ପୁରୀ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ବୈଠକରେ  ଯୋଗଦେଇ ପ୍ରସ୍ତୁତି ସଂପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଆଜି ସୁଦ୍ଧା ମିଳିଥିବା ଗସ୍ତ କାର୍ଯ୍ୟସୂଚୀ ଅନୁସାରେ ଅକ୍ଟୋବର ୨୩ ତାରିଖ ସକାଳ ୯ ଟା ୨୫ ମି ରେ ରାଷ୍ଟ୍ରପତି  ପଶ୍ଚିମବଙ୍ଗ କଲେଇକୁଣ୍ଡା ବିମାନବନ୍ଦରରୁ ଭାରତୀୟ ବାୟୁସେନା ହେଲିକପ୍ଟର ଯୋଗେ ବାହାରି ସେଦିନ ପୂର୍ବାହ୍ନ ୯ ଟା ୫୫ ମି ରେ  ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ହେଲିପ୍ୟାଡଠାରେ ପହଞ୍ଚି ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ରେଳ ଲାଇନ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଆଭାସୀ ମାଧ୍ୟମରେ ରାଇରଙ୍ଗପୁରଠାରେ ଆଦିବାସୀ ଗବେଷଣା କେନ୍ଦ୍ର,ଦାଣ୍ଡବୋଷ ଏୟାରଷ୍ଟ୍ରିପ ଏବଂ ଉପଖଣ୍ଡ ଚିକିତ୍ସାଳୟ  ପ୍ରକଳ୍ପର ଶିଳାନ୍ୟାସ କରିବେ।

ବାଙ୍ଗିରିପୋଷି କାର୍ଯ୍ୟକ୍ରମ ପରେ ସେଦିନ ମଧ୍ୟାହ୍ନ ୧୨.୦୦ ଟାରେ ରାଷ୍ଟ୍ରପତି  ରଙ୍ଗମାଟିଆ ହେଲିପ୍ୟାଡରେ ଓଲ୍ଲାଇ ନିକଟସ୍ଥ ଉପରବେଡା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ  ପରିଦର୍ଶନ କରିବେ। ଦିନ ୧ ଟା ୧୦ ରୁ ୧ ଟା ୪୦ ମଧ୍ୟରେ ରାଷ୍ଟ୍ରପତି ଉପରବେଡା  ସ୍ଥିତ ଘରେ ରହି ଗ୍ରାମବାସୀଙ୍କ ସହ ଆଲୋଚନା କରିବେ। ରାଇରଙ୍ଗପୁରରେ ମଧ୍ୟାନ୍ନ ଭୋଜନ ପରେ ସେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଏଏଲଏସ୍  ଟ୍ରଷ୍ଟ ତରଫରୁ ପ୍ରଦତ୍ତ ଆମ୍ବୁଲାନ୍ସକୁ ପତାକା ଦେଖାଇ ଲୋକାର୍ପଣ କରିବେ। ପରେ ପରେ ସେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ  ଗସ୍ତ କରି ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କ ସହ ଭାବ ବିନିମୟ କରିବେ। ସଂଧ୍ୟାରେ ରାଇରଙ୍ଗପୁର ସ୍ଥିତ ପୁଣ୍ୟେଶ୍ୱର ମହାଦେବ ମନ୍ଦିର ଯାଇ ନବ ନିର୍ମିତ ଶ୍ରୀ ଗଣେଶଙ୍କ  ପ୍ରତିମୂର୍ତ୍ତି ଅନାବରଣ କରିବେ ଏବଂ ସେଦିନ ସେ ରାଇରଙ୍ଗପୁରରେ ଅବସ୍ଥାନ କରିବେ।

୨୪ ତାରିଖ ସକାଳୁ ମାନ୍ୟବର ରାଷ୍ଟ୍ରପତି ରାଇରଙ୍ଗପୁରରୁ ବାହାରି ଦାଣ୍ଡବୋଷ ବିମାନବନ୍ଦରରୁ ବାୟୁସେନା ହେଲିକପ୍ଟର ଯୋଗେ ପୁରୀ ଅଭିମୁଖେ ଯାଇ ୧୦.୪୫ ରେ  ତାଳବଣିଆସ୍ଥିତ ହେଲିପ୍ୟାଡରେ ଓହ୍ଲାଇ ସେଠାରୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉମାନଙ୍କୁ ଦର୍ଶନ ଓ ଆରତୀ କରିବେ। ସେଦିନ ୧୨ ଟା ୧୦ ରେ ପୁରୀ ସ୍ଥିତ  ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେବେ।  ଅପରାହ୍ଣରେ ଭୁବନେଶ୍ୱର ଫେରି ୪ ଟା ୧୫ ରେ ଓଡ଼ିଶା କୃଷି ଓ ବୈଷୟିକ  ବିଶ୍ୱ ବିଦ୍ୟାଳୟର ୪୦ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଏବଂ ସଂଧ୍ୟା ୬ଟାରେ ନବ ନିର୍ମିତ ବିଚାର ବିଭାଗୀୟ କୋର୍ଟ କମ୍ପ୍ଲେକ୍ସର ଶୁଭ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

୨୪ ତାରିଖରେ ରାଷ୍ଟ୍ରପତି ରାଜଭବନରେ ରାତ୍ରୀଯାପନ କରିବେ ଏବଂ ୨୫ ତାରିଖ ସକାଳ ୯.୩୦ ରେ ନୀଳାଦ୍ରୀବିହାର ସ୍ଥିତ ପଣ୍ଡିତ  ରଘୁନାଥ ମୁର୍ମୁଙ୍କ ନୂତନ ପ୍ରତିମୂର୍ତ୍ତିର ଅନାବରଣ କରିବେ। ପୂର୍ବାହ୍ନ ୧୦.୨୦ ରେ ସେ ଭାରତୀୟ ବାୟୁସେନା ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରୁ ରାୟପୁର ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଅନୁଷ୍ଠିତ କରାଯିବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ପ୍ରସ୍ତୁତି ପରିପ୍ରେକ୍ଷୀରେ ଆଲୋଚନା କରି ସଂପୃକ୍ତ ବିଭାଗୀୟର ସଚିବ ଓ ଅନୁଷ୍ଠାନମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ଥିବାରୁ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ସମୟ ନିର୍ଘଣ୍ଟ ଅନୁସାରେ ସାରିବାକୁ ଥିବାରୁ ତଦନୁସାରେ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବୈଠକରେ ରାଷ୍ଟ୍ରପତିଙ୍କ ବିଭିନ୍ନ ସ୍ଥାନରେ ସାମୟିକ ରହଣି ବ୍ୟବସ୍ଥା, ସୁରକ୍ଷା, ସଡ଼କପଥରେ ଯାତ୍ରା ବେଳେ କାରକେଡ୍ ବ୍ୟବସ୍ଥା, ବିମାନ ଓ ହେଲିକପ୍ଟରର ସୁରକ୍ଷା, ଚିକିତ୍ସା ଓ ସ୍ୱାସ୍ଥ୍ୟ ସହାୟତା, ଆବଶ୍ୟକ ରାସ୍ତା ମରାମତି, ପରିମଳ ବ୍ୟବସ୍ଥା, ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ, ବିଭିନ୍ନ ଉତ୍ସବ ସ୍ଥଳରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, ମଞ୍ଚ ପ୍ରସ୍ତୁତି, ଆବଶ୍ୟକ ପାସ୍‌ ବ୍ୟବସ୍ଥା, ଇଣ୍ଟରନେଟ୍ ସୁବିଧା, ଗଣମାଧ୍ୟମରେ ପ୍ରଚାର ପ୍ରସାର, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଦର୍ଶକ ଓ ଅତିଥିଙ୍କ ପାଇଁ ସାମିଆନା ସହ ବସିବା ବ୍ୟବସ୍ଥା ଆଦି ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଜିଲ୍ଲାପାଳ ମୟୁରଭଞ୍ଜ, ଜିଲ୍ଲାପାଳ ପୁରୀ ଏବଂ ଜିଲ୍ଲାପାଳ ଖୋର୍ଦ୍ଧାଙ୍କୁ ନିଜ ନିଜ ଜିଲ୍ଲାରେ ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ  କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଦ୍ୟାବଧି ପ୍ରାପ୍ତ ସୂଚନା ଅନୁସାରେ ସମସ୍ତ ପ୍ରସ୍ତୁତି କରିବାକୁ ବୈଠକରେ ସଂପୃକ୍ତ ସମସ୍ତ ବିଭାଗୀୟ ସଚିବ ଓ ଅନୁଷ୍ଠାନମାନଙ୍କୁ ଆବଶ୍ୟକ  ପ୍ରସ୍ତୁତି ଓ ତଦାରଖ ପାଇଁ ବିଭିନ୍ନ ପରାମର୍ଶ ଦିଆଯାଇଛି।

କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଓ ସମନ୍ୱୟ ପାଇଁ  ଗୃହ ବିଭାଗ ତରଫରୁ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ। ବୈଠକରେ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ରାଧା କିଶନ ଶର୍ମା ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ବିଶଦ୍ ଉପସ୍ଥାପନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ କେବେ ଓ କଣ ରହିଛି କାର୍ଯ୍ୟସୂଚୀ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଗସ୍ତରେ ଆସିବେ। ସେ ମହାପ୍ରଭୃ ଜଗନ୍ନାଥଙ୍କ ଦର୍ଶନରେ ଆସୁଛନ୍ତି ବୋଲି ଜଣାପଡିଛି। ତେବେ ରାଷ୍ଟ୍ରପତି ଆସନ୍ତା ଅକ୍ଟୋବର 23 ତାରିଖରେ ତାଙ୍କ ନିଜ ଗାଁ ରାଇରଂଗପୁର ଆସି ସେଠାରେ ରାତ୍ରୀ ଯାପନ କରିବେ। ଏହାପରେ 24 ତାରିଖରେ ସେ ସିଧା ରାଇରଂଗପୁରରୁ ହେଲିକାପ୍ଟରରେ ପୁରୀ ଯିବେ।

ପୁରୀରେ ରାଷ୍ଟ୍ରପତି ସକାଳ ଧୂପ ଦର୍ଶନ କରିବା ସହିତ ବେଢା ପରିକ୍ରମା କରିବେ। ଏହାପରେ ରାଷ୍ଟ୍ରପତି ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବେ। ସେଠାରୁ ସେ ପୁରୀ ରାଜଭବନ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରି ବିଶ୍ରାମ ନେବେ।

ଏହାପରେ ସେ ପୁରୀରୁ ଭୁବନେଶ୍ବର ଆସି ଓୟୁଏଟି ଉତ୍ସବରେ ଯୋଗଦେବେ। ସେହିପରି ଅପରାହ୍ନରେ ରାଷ୍ଟ୍ରପତି ଭୁବନେଶ୍ବରର ନୂଆ ଜୁଡିସିଆଲ କଂପ୍ଲେକ୍ସର ଉଦଘାଟନ କରିବେ।

Categories
ଆଜିର ଖବର ଜାତୀୟ ଖବର

ଲଦାଖର ସିଆଚେନ୍ ବେସ୍ କ୍ୟାମ୍ପ ପରିଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଲଦାଖର ସିଆଚେନ୍ ବେସ୍ କ୍ୟାମ୍ପ ପରିଦର୍ଶନ କରିଛନ୍ତି। ସେ  ସିଆଚେନ୍ ଗ୍ଲାସିଅରରେ ମୁତୟନ ଥିବା ସୈନିକ ଏବଂ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ।

ରାଷ୍ଟ୍ରପତି ମୁର୍ମୁ ତାଙ୍କ ଭାଷଣରେ ଦେଶକୁ ସୁରକ୍ଷା ଦେବାରେ ସୈନିକମାନଙ୍କ ସାହସିକତା ଏବଂ ସେବାକୁ ପ୍ରଶଂସା କରିଥିଲେ। ସେଠାରେ ମୁତୟନ ହୋଇଥିବା ସୈନିକଙ୍କ ପରିବାର ଏବଂ ସମ୍ପର୍କୀୟଙ୍କୁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି। ଯୁଦ୍ଧ ହିରୋମାନଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ସେ ସିଆଚେନ୍ ବେସ୍ ୱାର୍ ମେମୋରିଆଲରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପୂର୍ବତନ ରାଷ୍ଟ୍ରପତି ଏ ପି ଜେ ଅବଦୁଲ କଲାମ ଏବଂ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ପରେ ରାଷ୍ଟ୍ରପତି ଦ୍ରୌପାଦୀ ମୁର୍ମୁ ସିଆଚେନ୍ ଗ୍ଲାସିଅର୍ ପରିଦର୍ଶନ କରିଥିବା ତୃତୀୟ ରାଷ୍ଟ୍ରପତି।

କରାକୋରାମ ରେଞ୍ଜରେ ଅବସ୍ଥିତ ସିଆଚେନ୍ ଗ୍ଲାସିଅର୍ ହେଉଛି ବିଶ୍ୱର ସର୍ବୋଚ୍ଚ ସାମରିକ ଦଖଲ ହୋଇଥିବା ଅଞ୍ଚଳ ଏବଂ ଅପରେସନ୍ ମେଘଦୂତ ଅଧୀନରେ ଏପ୍ରିଲ୍ ୧୯୮୪ ଠାରୁ ଭାରତୀୟ ସେନା ଦ୍ୱାରା ଏହା ସୁରକ୍ଷିତ ହୋଇ ରହିଆସିଛି।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ନର୍ସିଂ ପ୍ରଫେସନାଲ୍‌ମାନଙ୍କୁ ୨୦୨୪ ବର୍ଷ ପାଇଁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର ପ୍ରଦାନ କରିଥିଲେ।

ଉଲ୍ଲେଖନୀୟ ନର୍ସିଂ କର୍ମଚାରୀଙ୍କ ଦ୍ୱାରା ପ୍ରଦତ୍ତ ଗୁଣାତ୍ମକ ସେବାକୁ ସ୍ୱୀକୃତି ଏବଂ ସମ୍ମାନ ଦେବା ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର ସ୍ଥାପନା କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହେଲେ ଓଡିଶାର ଦୁଇ ଶିକ୍ଷକ: ଆସନ୍ତା ୫ରେ ରାଷ୍ଟ୍ରପତି କରିବେ ପୁରଷ୍କୃତ

ଭୁବନେଶ୍ଵର: ଚଳିତ ବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଶାର ଦୁଇ ଜଣ ଶିକ୍ଷକ। କଳାହାଣ୍ଡି ଜିଲ୍ଲାର ନର୍ଲାସ୍ଥିତ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ଓ ରାୟଗଡ଼ା ଜିଲ୍ଲାର ବିଲେସୁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ବିତି ଚନ୍ଦ୍ର ସାହୁଙ୍କୁ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ରାଷ୍ଟ୍ରପତି ସେପ୍ଟେମ୍ବର ୫, ୨୦୨୪ ରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ଠାରେ ୫୦ ଜଣ ମନୋନୀତ ପୁରସ୍କାର ବିଜେତାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପ୍ରଦାନ କରିବେ। ପ୍ରତ୍ୟେକ ପୁରସ୍କାରରେ ମେରିଟ୍ ସାର୍ଟିଫିକେଟ୍‌, ନଗଦ ୫୦ ହଜାର ଟଙ୍କା ଓ ରୌପ୍ୟ ପଦକ ପ୍ରଦାନ କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଓଡ଼ିଶାରେ ନୂତନ ରେଳ ଲାଇନ ସମ୍ବନ୍ଧରେ ଅବଗତ କଲେ ରେଳ ମନ୍ତ୍ରୀ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସାକ୍ଷାତ କରିଛନ୍ତି। ଏହି ସମୟରେ ସେ ଓଡ଼ିଶାରେ ଛଅ ଗୋଟି ନୂତନ ରେଳ ଲାଇନର ମଞ୍ଜୁରୀ ସମ୍ବନ୍ଧରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛନ୍ତି। ଏନେଇ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

ତେବେ ଓଡ଼ିଶାର ଉପାନ୍ତ ଜନଜାତି ବହୁଳ ଜିଲ୍ଲା ଗୁଡିକରେ ସେବା ପ୍ରଦାନ କରାଇବା ସହିତ ଅର୍ଥନୈତିକ ବିକାଶରେ ଏହା ସହାୟକ ହେବ ବୋଲି ଅଶ୍ଵିନୀ ବୈଷ୍ଣବ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କ ସହିତ ରାକ୍ଷୀ ଉତ୍ସବ ପାଳନ ପାଇଁ ଦିଲ୍ଲୀ ଯାଇଥିଲେ ଓଡିଶାର ୨୫ ଜଣ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ଵର: ଚଳିତ ବର୍ଷ ରାଷ୍ଟ୍ରପତି ଭବନରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି ଓଡ଼ିଶାର ୨୫ ଜଣ ଛାତ୍ରଛାତ୍ରୀ। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାକ୍ଷୀ ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଇଛନ୍ତି। ଓଡ଼ିଶାର ୫ ଟି ଜିଲ୍ଲାରୁ ଯାଇଥିବା ଛାତ୍ରଛାତ୍ରୀ ମହାମହିମ ରାଷ୍ଟ୍ରପତିଙ୍କୁ ହାତ ତିଆରି ରାକ୍ଷୀ ବାନ୍ଧିଛନ୍ତି।

ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିବା ସହ ରକ୍ଷା ବନ୍ଧନ କେବଳ ଭାଈ-ଭଉଣୀଙ୍କ ମଧ୍ୟରେ ନୁହେଁ ବରଂ ଦେଶର ସୀମା ସୁରକ୍ଷାରେ ମୁତୟନ ଥିବା ଯବାନଙ୍କ ସହ ମଧ୍ୟ ପାଳନ କରିବା ଉଚିତ୍। ଆମ ସୁରକ୍ଷା ପାଇଁ ସେମାନେ ସର୍ବଦା ଜାଗ୍ରତ ରୁହନ୍ତି। ଏହି ଅବସର ହେଉଛି ସେମାନଙ୍କୁ ସମ୍ମାନ ଜଣାଇବାର ପ୍ରକୃଷ୍ଟ ସମୟ।

ରାଷ୍ଟ୍ରପତି ଭବନରେ ଛାତ୍ରଛାତ୍ରୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସହ ବିଭିନ୍ନ ବିଷୟବସ୍ତୁ ସମ୍ପର୍କରେ ଆଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସହାୟତାରେ ୨୫ ଜଣ ଛାତ୍ରଛାତ୍ରୀଙ୍କ ସହିତ ୫ ଜଣ ଶିକ୍ଷକ-ଶିକ୍ଷୟତ୍ରୀ ଓ ଜଣେ ନୋଡ଼ାଲ୍ ଅଧିକାରୀ ନୂଆଦିଲ୍ଲୀ ଗସ୍ତ କରିଥିଲେ।

ଏଥିରେ ମୟୂରଭଞ୍ଜ ଜିଲ୍ଲାସ୍ଥିତ ଦ୍ରୌପଦୀ ବାଳିକା ଉଚ୍ଚ ବିଦ୍ୟାଳୟ, କେନ୍ଦୁଝର ଜିଲ୍ଲାସ୍ଥିତ ଡ଼ି.ଏନ୍ ଉଚ୍ଚ ବିଦ୍ୟାଳୟ, ନବରଙ୍ଗପୁର ଜିଲ୍ଲାସ୍ଥିତ ଉମରକୋଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସମ୍ବଲପୁର ଜିଲ୍ଲାସ୍ଥିତ ବୁଢ଼ାରାଜା ଉଚ୍ଚ ବିଦ୍ୟାଳୟ ଏବଂ ଢେଙ୍କାନାଳ ଜିଲ୍ଲାସ୍ଥିତ ବି.ବି. ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇଛନ୍ତି। ନୂଆଦିଲ୍ଲୀଠାରେ ଏହି ଛାତ୍ରଛାତ୍ରୀମାନଙ୍କ ରହଣି ପାଇଁ ଜାତୀୟ ବାଲ୍ ଭବନରେ ସମସ୍ତପ୍ରକାର ଆୟୋଜନ କରାଯାଇଥିଲା।

ରକ୍ଷା ବନ୍ଧନ ଉତ୍ସବ ପାଳନ ପରେ ସମସ୍ତ ଛାତ୍ରଛାତ୍ରୀ ଅଗଷ୍ଟ ୨୦ ତାରିଖରେ ନୂଆଦିଲ୍ଲୀରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବେ। ଛାତ୍ରଛାତ୍ରୀମାନେ ଆସନ୍ତା ୨୨ ତାରିଖରେ ନିଜ ନିଜ ଜିଲ୍ଲାକୁ ଗସ୍ତ କରିବେ। ଏହି କାର୍ଯ୍ୟକ୍ରମର ସମସ୍ତ ଦାୟିତ୍ଵ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହାୟତାରେ ସମ୍ପନ୍ନ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ତିମୋର-ଲେଷ୍ଟେର ସର୍ବୋଚ୍ଚ ସମ୍ମାନ ଗ୍ରାଣ୍ଡ କୋଲାର ଅଫ ଦ ଅର୍ଡରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ

ନୂଆଦିଲ୍ଲୀ: ତିମୋର-ଲେଷ୍ଟେର ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରାଣ୍ଡ କୋଲାର ଅଫ ଦ ଅର୍ଡରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଟ୍ୱିଟ କରି ଗର୍ବ ଅନୁଭବ କରିଛନ୍ତି। ଭାରତ ଓ ତିମୋର-ଲେଷ୍ଟେ ମଧ୍ୟରେ ସମ୍ପର୍କ ଓ ପାରସ୍ପରିକ ସମ୍ମାନ କେତେ ଗଭୀର ତାହା ଏହି ପ୍ରତିଷ୍ଠିତ ସମ୍ମାନ ପ୍ରମାଣ କରୁଛି।

ତାଙ୍କ ଟ୍ୱିଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ତିମୋର-ଲେଷ୍ଟେର ଗ୍ରାଣ୍ଡ-କୋଲାର ଅଫ ଦ ଅର୍ଡରରେ ରାଷ୍ଟ୍ରପତି ଜୀ ସମ୍ମାନିତ ହେବା ଗର୍ବର ବିଷୟ। ଦୁଇ ଦେଶ ମଧ୍ୟରେ ଥିବା ଗଭୀର ସମ୍ପର୍କ ଓ ପାରସ୍ପରିକ ସମ୍ମାନର ଏହା ପ୍ରତିଫଳନ। ଅନେକ ବର୍ଷ ଧରି ଜନସାଧାରଣଙ୍କ ସେବା ଦିଗରେ ଥିବା ତାଙ୍କ ଅବଦାନକୁ ମଧ୍ୟ ଏହା ମାନ୍ୟତା ପ୍ରଦାନ କରୁଛି”।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

President Murmu in Fiji: ଫିଜି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କଲେ ରାଷ୍ଟ୍ରପତି ମୁର୍ମୁ

President Murmu in Fiji: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ସକାଳେ (ଅଗଷ୍ଟ ୬, ୨୦୨୪) ନାଡିରୁ ଫିଜିର ସୁଭାରେ ପହଞ୍ଚିଥିଲେ, ଯେଉଁଠାରେ ସେ ଫିଜି, ନ୍ୟୁଜିଲ୍ୟାଣ୍ଡ ଏବଂ ତିମୋର-ଲେଷ୍ଟେ ଗସ୍ତର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିଛନ୍ତି। ବିମାନବନ୍ଦରରେ ଫିଜିର ପ୍ରଧାନମନ୍ତ୍ରୀ ସିତିବେନି ରାବୁକା ତାଙ୍କୁ ସ୍ୱାଗତ କରିଥିଲେ। କୌଣସି ଭାରତୀୟ ରାଷ୍ଟ୍ରମୁଖ୍ୟଙ୍କ ଏହା ପ୍ରଥମ ଫିଜି ଗସ୍ତ। ଏହି ଗସ୍ତରେ ରାଷ୍ଟ୍ରପତି ମୁର୍ମୁଙ୍କ ସହ ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍, ଲୋକସଭା ସାଂସଦ ସୌମିତ୍ର ଖାଁ ଓ ଯୁଗଳ କିଶୋର ଉପସ୍ଥିତ ଥିଲେ।

ଫିଜି ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ମୁର୍ମୁଙ୍କ ପାଇଁ ଏକ ପାରମ୍ପରିକ ସ୍ୱାଗତ ସମାରୋହର ଆୟୋଜନ କରାଯାଇଥିଲା। ଏହାପରେ ରାଷ୍ଟ୍ରପତି ଷ୍ଟେଟ୍ ହାଉସ୍ ପରିଦର୍ଶନ କରି ଫିଜିର ରାଷ୍ଟ୍ରପତି ରାତୁ ୱିଲିଆମେ ମାଇଭାଲିଲି କାଟୋନିଭେରେ ତାଙ୍କୁ ସ୍ୱାଗତ କରିଥିଲେ। ଉଭୟ ନେତା ଭାରତ-ଫିଜି ସମ୍ପର୍କକୁ ଆହୁରି ଗଭୀର କରିବା ଉପରେ ଆଲୋଚନା କରିଥିଲେ। ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ଦେଶଗୁଡ଼ିକ (ପିଆଇସି) ସହିତ ଆମର ସମ୍ପର୍କ ଏବଂ ବିକାଶ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ରାଷ୍ଟ୍ରପତି କହିଥିଲେ, ଯେଉଁଥିରେ ଫିଜି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର।

ଷ୍ଟେଟ୍ ହାଉସରେ ଫିଜି ରାଷ୍ଟ୍ରପତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ – କମ୍ପାନିଅନ୍ ଅଫ୍ ଦି ଅର୍ଡର ଅଫ୍ ଫିଜି ପ୍ରଦାନ କରିଥିଲେ। ରାଷ୍ଟ୍ରପତି ମୁର୍ମୁ ଗତ ବର୍ଷ ଫେବ୍ରୁଆରିରେ ଉଦଘାଟିତ ହୋଇଥିବା ଭାରତୀୟ ପଦକ୍ଷେପ ‘ରାଷ୍ଟ୍ରମୁଖ୍ୟଙ୍କ ସୌରୀକରଣ’ ପ୍ରକଳ୍ପର ଅଗ୍ରଗତି ଦେଖିଥିଲେ।

ପରବର୍ତ୍ତୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଫିଜି ସଂସଦକୁ ସମ୍ବୋଧିତ କରିଥିଲେ। ରାଷ୍ଟ୍ରପତି କହିଥିଲେ ଯେ ଆମ ଆକାରରେ ବ୍ୟାପକ ପାର୍ଥକ୍ୟ ଥିଲେ ମଧ୍ୟ ଉଭୟ ଭାରତ ଏବଂ ଫିଜିରେ ଆମର ଜୀବନ୍ତ ଗଣତନ୍ତ୍ର ସମେତ ଅନେକ ସାମଞ୍ଜସ୍ୟ ରହିଛି। ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ପ୍ରୋତ୍ସାହିତ କରିବାର ସମୃଦ୍ଧ ଅଭିଜ୍ଞତା ଥିବା ଜଣେ ଘନିଷ୍ଠ ବନ୍ଧୁ ଏବଂ ସହଯୋଗୀ ଭାବରେ ଭାରତ ଫିଜିକୁ ସର୍ବଦା ସହଯୋଗ କରିବାକୁ ପ୍ରସ୍ତୁତ ଅଛି ବୋଲି ସେ ଫିଜି ସାଂସଦମାନଙ୍କୁ ଆଶ୍ୱାସନା ଦେଇଥିଲେ।

ରାଷ୍ଟ୍ରପତି ମୁର୍ମୁ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଫିଜି ଆମର ମିଳିତ ପ୍ରୟାସରେ ଏହାର ଅବଦାନ ପାଇଁ ସମଗ୍ର ବିଶ୍ୱରେ ପରିଚିତ ଏବଂ ଏହା ଦୁଇଟି ପ୍ରମୁଖ ବିଶ୍ୱ ଆହ୍ୱାନ – ଜଳବାୟୁ ପରିବର୍ତ୍ତନ ଏବଂ ମାନବ ସଂଘର୍ଷର ମୁକାବିଲା ଉପରେ ଧ୍ୟାନ କେନ୍ଦ୍ରିତ କରିଛି। ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ବିଶ୍ୱସ୍ତରୀୟ ଆଲୋଚନାକୁ ଆକାର ଦେବା ହେଉ କିମ୍ବା ସାମୁଦ୍ରିକ-ରାଷ୍ଟ୍ରଗୁଡ଼ିକର ଉଦବେଗ ଉତ୍‌ଥାପନ କରିବା ହେଉ, ଫିଜି ବିଶ୍ୱର ମଙ୍ଗଳରେ ବିପୁଳ ଅବଦାନ ଦେଉଛି। ସମଗ୍ର ବିଶ୍ୱରେ ଫିଜିର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଭାରତ ବହୁତ ଗୁରୁତ୍ୱ ଦେଇଥାଏ ଏବଂ ପ୍ରଶଂସା କରେ।

ରାଷ୍ଟ୍ରପତି କହିଥିଲେ ଯେ ଫିଜିଠାରୁ ବାକି ବିଶ୍ୱ ବହୁତ କିଛି ଶିଖିବାର ଅଛି, ଯେଉଁଥିରେ ସରଳ ଫିଜିଆନ୍ ଜୀବନଶୈଳୀ, ପରମ୍ପରା ଏବଂ ରୀତିନୀତି ପ୍ରତି ଗଭୀର ସମ୍ମାନ ଏବଂ ଏକ ଖୋଲା ତଥା ବହୁ ସାଂସ୍କୃତିକ ପରିବେଶ ଅନ୍ତର୍ଭୁକ୍ତ । ବିଭିନ୍ନ କ୍ଷେତ୍ରରେ ଭାରତ-ଫିଜି ସହଯୋଗ ସୁଦୃଢ଼ ହେବାରେ ଲାଗିଛି ବୋଲି ସେ ଖୁସି ବ୍ୟକ୍ତ କରିଥିଲେ। ରାଷ୍ଟ୍ରପତି କହିଛନ୍ତି ଯେ ଗ୍ଲୋବାଲ ସାଉଥର ଏକ ଶକ୍ତିଶାଳୀ ସ୍ୱର ଭାବରେ ଭାରତ ଜଳବାୟୁ ନ୍ୟାୟ ପାଇଁ ଫିଜି ଏବଂ ଅନ୍ୟାନ୍ୟ ମହାସାଗରୀୟ ରାଷ୍ଟ୍ରମାନଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ ଛିଡା ହେବ ।

ପରବର୍ତ୍ତୀ କାର୍ଯ୍ୟକ୍ରମରେ ଫିଜିର ପ୍ରଧାନମନ୍ତ୍ରୀ ସିତିକେନି ରାବୁକା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଥିଲେ। ଦୁଇ ନେତା ବ୍ୟାପକ ଆଲୋଚନା କରିବା ସହ ଐତିହାସିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଦୁଇ ଦେଶ ମଧ୍ୟରେ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ସହମତି ପ୍ରକାଶ କରିଥିଲେ। ରାଷ୍ଟ୍ରପତି କହିଥିଲେ ଯେ ଜଳବାୟୁ ସ୍ଥିରତା ଏବଂ ସ୍ୱଚ୍ଛ ତଥା ଅକ୍ଷୟ ଶକ୍ତିର ବିକାଶ ଉପରେ ଗୁରୁତ୍ୱ ଦେବା ସହିତ ଫିଜି ସହିତ ଏହାର ବିକାଶ ଭାଗିଦାରୀକୁ ସୁଦୃଢ଼ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ସିତିବେନୀ ରବୁକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମାରୋହରେ (୧) ଭାରତୀୟ ହାଇ କମିଶନ ଚାନ୍ସେରୀ ଏବଂ ଭାରତୀୟ ସାଂସ୍କୃତିକ କେନ୍ଦ୍ର କମ୍ପ୍ଲେକ୍ସ, ସୁଭା ଏବଂ (୨) ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ, ସୁଭା ପାଇଁ ପ୍ରକଳ୍ପ ସ୍ଥଳ ଆବଣ୍ଟନ ପାଇଁ ଦସ୍ତାବିଜ ପ୍ରଦାନ କରାଯାଇଥିଲା।

ଭାରତୀୟ ପ୍ରବାସୀ ସମ୍ପ୍ରଦାୟର ଏକ ଉତ୍ସାହଜନକ ସମାବେଶକୁ ମଧ୍ୟ ରାଷ୍ଟ୍ରପତି ସମ୍ବୋଧିତ କରିଥିଲେ। ସେ କହିଛନ୍ତି ଯେ ୧୪୫ ବର୍ଷ ପୂର୍ବେ ଫିଜି ଆସିଥିବା ଏବଂ ସମସ୍ତ ପ୍ରତିକୂଳ ପରିସ୍ଥିତି ସହ ନିଜ ନୂଆ ମାତୃଭୂମିରେ ବିକଶିତ ହୋଇଥିବା ‘ଗିର୍ମିଟିଆ’ ଶ୍ରମିକଙ୍କ ସଂକଳ୍ପ ଓ ଦୃଢ଼ତା ବିଶ୍ୱ ପାଇଁ ଏକ ବଡ଼ ପ୍ରେରଣାର ଉତ୍ସ।

ରାଷ୍ଟ୍ରପତି କହିଲେ ଯେ ଆମେ ଆମ ସ୍ୱପ୍ନର ଭାରତ ନିର୍ମାଣ ଯାତ୍ରାରେ ସମଗ୍ର ବିଶ୍ୱରେ ଆମର ପ୍ରବାସୀ ଭାରତୀୟ ସମ୍ପ୍ରଦାୟକୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ଦେଖୁଛୁ । ସହିଦ ଯବାନଙ୍କ ସ୍ମୃତିକୁ ସମ୍ମାନ ଜଣାଇ ରାଷ୍ଟ୍ରପତି ସୁଭାସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିଥିଲେ। ସେ ମହାତ୍ମା ଗାନ୍ଧୀ ମେମୋରିଆଲ ହାଇସ୍କୁଲ ପରିଦର୍ଶନ କରି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏହି ଦିନର ଶେଷ ସରକାରୀ କାର୍ଯ୍ୟକ୍ରମରେ ଫିଜିର ରାଷ୍ଟ୍ରପତି ରାତୁ ୱିଲିଆମେ ମାଇଭାଲିଲି କାଟୋନିଭେରେ ଷ୍ଟେଟ୍ ହାଉସରେ ରାଷ୍ଟ୍ରପତି ମୁର୍ମୁଙ୍କ ସମ୍ମାନରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲେ, ଯେଉଁଥିରେ ବିଭିନ୍ନ ବର୍ଗର ବିଶିଷ୍ଟ ଫିଜିଆନ୍ ମାନେ ଏକାଠି ହୋଇଥିଲେ। ଏହି ଅବସରରେ ରାଷ୍ଟ୍ରପତି ତାଙ୍କ ବକ୍ତବ୍ୟରେ ରାଷ୍ଟ୍ରପତି କାଟୋନିଭେରେ, ପ୍ରଧାନମନ୍ତ୍ରୀ ରବୁକା ଏବଂ ଫିଜି ସରକାର ଏବଂ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ।

ସୁଭାରେ ସରକାରୀ କାର୍ଯ୍ୟକ୍ରମ ସଫଳ ହେବା ପରେ ରାଷ୍ଟ୍ରପତି ନାଦି ଅଭିମୁଖେ ଯାତ୍ରା କରିଛନ୍ତି ଯେଉଁଠାରୁ ସେ ଆସନ୍ତାକାଲି ନ୍ୟୁଜିଲାଣ୍ଡର ଅକଲାଣ୍ଡ ଅଭିମୁଖେ ଯାତ୍ରା କରିବେ।