Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଵିଦ୍ୟୁତ୍ ଆଘାତରେ ଦନ୍ତା ହାତୀର ମୃତ୍ୟୁ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ଵିଦ୍ୟୁତ୍ ଆଘାତରେ ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଂଜ୍ ଜଙ୍କିଆ ଗୋଳବାଇ ଗ୍ରାମ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଗତ କାଲି ବିଳମ୍ବିତ ରାତିର ୨ ଟି ଦନ୍ତା ଖାଦ୍ୟ ପାଇଁ ଗାଁ ମୁହାଁ ହୋଇଥିଲେ। ଦନ୍ତା ଦୁଇଟି ଜଙ୍କିଆ ନିକଟସ୍ଥ ଗୋଳବାଇ ଗାଁରେ ଲୋକଙ୍କ ବାଡି ବଗିଚାରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିଲେ। ଏହା ପରେ ଲୋକେ ହୋ ହଲ୍ଲା କରିବାରୁ ହାତୀ ଦୁଇଟି ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ। ଜଙ୍ଗଲକୁ ଯିବା ବେଳେ ସେଥିମଧ୍ୟରୁ ଗୋଟିଏ  ହାତୀ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସଂଶ୍ପର୍ଶରେ ଆସି ଯାଇଥିଲା। ଫଳରେ ହାତୀର ଘଟଣା ସ୍ଥଳରେ ମ୍ରୁତ୍ୟୁ ଘଟିଥିଲା। ତେବେ ଅନ୍ୟ ଏକ ଦନ୍ତା ହାତୀ ମୃତ୍ୟୁବରଣ କରିଥିବା ହାତୀକୁ ଜଗିରହିଥିଲା।

ଖବର ପାଇ ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚିଥିଲେ ମଧ୍ୟ ହାତୀଟି ସେଠାରେ ଜଗି ରହିଥିଲା। ବନ କର୍ମଚାରୀମାନେ ହାତୀକୁ ଘଉଡାଇବାରେ ହାତୀଟି ଜଙ୍ଗଲ ମଧ୍ୟକୁ ପଳାଇ ଯାଇଥିବା ଜଣା ପଡିଛି। ମୃତ୍ୟୁ ଦନ୍ତା ହାତୀର ବୟସ ୪୦ ରୁ ୫୦ ବର୍ଷ ହେବ ବୋଲି ବନ କର୍ମଚାରୀ ମାନେ କହିଛନ୍ତି। ହାତୀର ଶବକୁ ବନ ବିଭାଗ ସେଠାରୁ କ୍ରେନ ସାହାଯ୍ୟରେ ସ୍ଥାନାନ୍ତର କରିଛି।