Categories
ଆଞ୍ଚଳିକ

ବିଲ୍ୱେଶ୍ୱର ଦେବଙ୍କ ଦ୍ୱାଦଶ ବାର୍ଷିକ ବିଶ୍ଵଶାନ୍ତି ମହଯଜ୍ଞର ପୂର୍ଣ୍ଣାହୁତି: ବିଭିନ୍ନ ପ୍ରକଳ୍ପ ଓ ପୂର୍ଣ୍ଣାହୁତି ଦେଖିବା ପାଇଁ ଶହ ଶହ ଭକ୍ତଙ୍କ ଭିଡ଼

ରଣପୁର: ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ପରିଷଦର ପାମ୍ପଡାର ଶ୍ରୀ ଶ୍ରୀ ବିଲ୍ୱେଶ୍ୱର ଦେବଙ୍କ ପ୍ରାଙ୍ଗଣରେ ଚଳିତ ମାସ ୧୬ ତାରିଖ ଠାରୁ ୫ ଦିନ ଧରି ଦ୍ୱାଦଶ ବାର୍ଷିକ ବିଶ୍ଵଶାନ୍ତି ମହଯଜ୍ଞ ଚାଲିଥିଲା। ୧୬ ତାରିଖ ମଙ୍ଗଳବାର ଦିନ ଅଙ୍କୁରାରୋପଣ, ୧୭ ତାରିଖ ବୁଧବାର ଦିନ କଳସ ଯାତ୍ରା, ୧୮ ତାରିଖ ଗୁରୁବାର ଦିନ ସୂର୍ଯ୍ୟପୂଜା ଓ ଦେବତାବରଣ ପ୍ରଥମ ଆହୂତି, ୧୯ ତାରିଖ ଦିନ ଶୁକ୍ରବାର ଦିନ ସୂର୍ଯ୍ୟପୂଜାଦି ଯଜ୍ଞକର୍ମ ଏବଂ ୨୦ ତାରିଖ ଶନିବାର ଶାମ୍ବ ଦଶମୀ ଦିନ ଗୋଧୂଳି ସମୟରେ ପୂର୍ଣ୍ଣାହୁତି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।

ଯଜ୍ଞର ପ୍ରତ୍ୟେକ ଦିନ ପ୍ରବଚନ କାର୍ଯ୍ୟ ମାଧ୍ୟମରେ ଭାଗବତ କଥାମୃତ ଆଲୋଚନା କରାଯାଉଥିଲା। ଖୋର୍ଦ୍ଧା ଜିଲ୍ଲା ଶଗଡ଼ଭଙ୍ଗାର ପ୍ରବଚକ ରତ୍ନାକର ରାୟ, ଗୋପାଳପୁରର ବିଶିଷ୍ଟ ପ୍ରବଚକ କିଶୋର ଚନ୍ଦ୍ର ଭଞ୍ଜ, ରଣପୁରର ଲେଖିକା ତଥା ପ୍ରବଚିକା ଡ. କଳ୍ପନା ରଥ, ସାହିତ୍ୟ ଲେଖକ ତଥା ବିଶିଷ୍ଟ ପ୍ରବଚକ ବିରଞ୍ଚି ନାରାୟଣ ତ୍ରିପାଠୀ ଏବଂ ବ୍ରହ୍ମଚାରୀ ସନ୍ତୋଷ ଚୈତନ୍ୟଜୀ ମହାରାଜ ପ୍ରମୁଖ ଶହ ଶହ ଭକ୍ତ ତଥା ଶ୍ରୋତାଙ୍କୁ ଭାଗବତ କଥାମୃତ ଶ୍ରବଣ କରାଇଥିଲେ।

ଏହି ଯଜ୍ଞ ପାମ୍ପଡା, ଜୟପୁର, ବାଉରୀସାହି, ମର୍ଥାପଦର, ନୂଆଗାଁ ଗ୍ରାମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ଯଜ୍ଞ ସହିତ ଏଠାରେ କରାଯାଇଥିବା କଳକୀ ଅବତାର, ବୁଦ୍ଧ ଅବତାର, ରାମ ଅବତାର, ବଳରାମ ଅବତାର, ପର୍ଶୁରାମ ଅବତାର, ମତ୍ସ ଅବତାର, କଚ୍ଛପ ଅବତାର, ବାମନ ଅବତାର, ନୃସିଂହ ଅବତାର, ବରାହ ଅବତାର ଭଳି ବିଭିନ୍ନ ଠାକୁରଙ୍କ ପ୍ରକଳ୍ପଗୁଡିକୁ ଦେଖିବା ପାଇଁ ଶହ ଶହ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହା ସହ ଶେଷ ଦିନ ରାମ ନାଟକ ପରିବେଷଣ କରାଯାଇଥିଲା।

ଯଜ୍ଞାନୁଷ୍ଠାନ ସଭାପତି କିଶୋର ଚନ୍ଦ୍ର ନାୟକ, ଗ୍ରାମ ସଭାପତି ବୁଦ୍ଧିମାନ ସାହୁ ଓ ମୀନକେତନ ବେହେରା, କାଉନସିଲର ରମାକାନ୍ତ ସାହୁ, ଶୃଙ୍ଖଳା କମିଟି ଅଧ୍ୟକ୍ଷ ଲୋକନାଥ ସାହୁ ଏବଂ ଗ୍ରାମବାସୀ ଓ ମନ୍ଦିର କମିଟିର ସଦସ୍ୟମାନଙ୍କ ସହଯୋଗରେ ଯଜ୍ଞ ଉଦଯାପିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବେଲେଶ୍ୱର ଦେବଙ୍କ ପୀଠରେ ଦ୍ୱାଦଶ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ

ରଣପୁର: ରଣପୁର ଏନଏସି ସ୍ଥିତ ପାମ୍ପଡା ଠାରେ ଥିବା ପ୍ରସିଦ୍ଧ ଶୈବ ପୀଠ ବେଲେଶ୍ୱର ଦେବ ଙ୍କ ଦ୍ୱାଦଶ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ ଏହି କାର୍ଯ୍ୟକ୍ରମରେ ଗତ ମଙ୍ଗଳବାର ଅଙ୍କୁରାରୋପଣ, ବୁଧବାର କଳସ ଯାତ୍ରା, ପ୍ରବଚକ ରତ୍ନାକର ରାୟଙ୍କ ଦ୍ୱାରା ଭାଗବତ କଥାମୃତ, ଗୁରବାର ସୂର୍ଯ୍ୟପୂଜା, ଦେବତା ବରଣ ପ୍ରଥମ ଆହୁତି, ପ୍ରବଚକ କିଶୋର ଚନ୍ଦ୍ର ଭଞ୍ଜଙ୍କ ଦ୍ୱାରା ଭାଗବତ କଥାମୃତ ପରିବେଷଣ କରାଯାଇଥିଲା।

ସେହିଭଳି ଆଜି ସୂର୍ଯ୍ୟପୂଜା ଓ ଯଜ୍ଞକର୍ମ ପରେ ପ୍ରବଚିକା ଡଃ କଳ୍ପନା ରଥଙ୍କ ଦ୍ୱାରା ଭାଗବତ କଥାମୃତ ରହିଥିବା ବେଳେ ଶନିବାର ଶାମ୍ବ ଦଶମୀ ଦିନ ପୂର୍ଣ୍ଣାହୁତି, ସାଧୁ ଧର୍ମସଭା, ପ୍ରବଚକ ବିରଂଚି ନାରାୟଣ ତ୍ରିପାଠୀଙ୍କ ଦ୍ୱାରା ଭାଗବତ କଥାମୃତ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି।

ଏହି କାର୍ଯ୍ୟକ୍ରମରେ ଚୈତନ୍ୟ ମଠର ମହନ୍ତ ଶ୍ରୀ ପର୍ଶୁରାମ ଦାସ ମହାରାଜ, ଦଧିବାମନ ମଠର ମହନ୍ତ ଶ୍ରୀ ରାମଚରଣ ଦାସ ମହାରାଜ, ବଡ ମଠର ମହନ୍ତ ଶ୍ରୀ ହରିଶରଣ ଦାସ ମହାରାଜ, ଗୋଡଖୋଲ ମଠ ମହାରାଜ ଶ୍ରୀ ଗୋପାଳଚରଣ ଦାସ ମହାରାଜ, ରାଧାକାନ୍ତ ମଠର ମହନ୍ତ ଶ୍ରୀ ସନ୍ଥଚରଣ ଦାସ ମହାରାଜ ଙ୍କ ସହ ସମସ୍ତ ଆଂଚଳିକ ମଠର ମହନ୍ତ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି କାର୍ଯ୍ୟକ୍ରମରେ ପାମ୍ପଡା, ଜୟପୁର, ବାଉରୀ ସାହି, ମାର୍ଥାପଦର ଓ ନୂଆଗାଁ ବାସୀ ଙ୍କର ପୂର୍ଣ୍ଣ ସହଯୋଗ ରହିଛି।