Categories
ଆଜିର ଖବର ଜାତୀୟ ଖବର

ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କୁ ବିଶିଷ୍ଟ ନାଗରିକଙ୍କ ଚିଠି

ନୂଆଦିଲ୍ଲୀ: ଉଦୟନିଧି ଷ୍ଟାଲିନଙ୍କ ‘ସନାତନ ଧର୍ମ’ ବିରୋଧୀ ମନ୍ତବ୍ୟକୁ ନେଇ ରାଜନୈତିକ ହଟଚମଟ ଚାଲିଛି। ଏହି ମନ୍ତବ୍ୟ ଯୋଗୁଁ ଉଦୟନିଧିଙ୍କ ବିରୋଧରେ ପୂର୍ବତନ ପ୍ରଶାସନିକ ଅଧିକାରୀ, ବିଚାରପତି ଏବଂ ସେନାର ବରିଷ୍ଠ ଅଧିକାରୀଙ୍କ ସମେତ ୨୬୨ ଜଣ ବିଶିଷ୍ଟ ନାଗରିକ ମଙ୍ଗଳବାର ପ୍ରଧାନ ବିଚାରପତି ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିଛନ୍ତି।

ତାମିଲନାଡୁ ମନ୍ତ୍ରୀ ଦେଇଥିବା ଘୃଣ୍ୟ ଭାଷଣକୁ ସ୍ୱମୋଟୋ ଭାବେ ଗ୍ରହଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ଏହି ନାଗରିକମାନେ ଦର୍ଶାଇଛନ୍ତି ଯେ ଏଭଳି ମନ୍ତବ୍ୟ ଦେଶରେ ‘ସାମ୍ପ୍ରଦାୟିକ ବିଶୃଙ୍ଖଳା ଏବଂ ସାମ୍ପ୍ରଦାୟିକ ହିଂସାକୁ ପ୍ରୋତ୍ସାହିତ କରିପାରେ।

ଘୃଣ୍ୟ ଭାଷଣର ଉଦାହରଣଗୁଡ଼ିକର ମୁକାବିଲା କରିବାର ଆବଶ୍ୟକତାକୁ ନେଇ ନିକଟରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରକାଶିତ ଉଦବେଗକୁ ଏହି ଗୋଷ୍ଠୀ ଦର୍ଶାଇଛି। ଚିଠିରେ କୁହାଯାଇଛି ‘ସନାତନ ଧର୍ମ’ର ମହତ୍ତ୍ୱ ବିଷୟରେ ବିଚାରପତି ଅବଗତ ଅଛନ୍ତି ଏବଂ ଏହାକୁ ଅଣଦେଖା କରାଯାଇପାରିବ ନାହିଁ। ସେ କେବଳ ଘୃଣ୍ୟ ଭାଷଣ ଦେଇନାହାନ୍ତି ବରଂ ଉଦୟନିଧି ଷ୍ଟାଲିନ୍ କ୍ଷମା ମାଗିବାକୁ ମନା କରି ଦେଇଛନ୍ତି ଏବଂ ନିଜକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି।

‘ତାମିଲନାଡୁ ସରକାର ଆଇନର ଶାସନକୁ କ୍ଷୁର୍ଣ୍ଣ କରୁଛନ୍ତି’

ଚିଠିରେ ଆହୁରି ମଧ୍ୟ ଅଭିଯୋଗ କରାଯାଇଛି ଯେ ଉଦୟନିଧିଙ୍କ ଘୃଣ୍ୟ ଭାଷଣ ଭାରତୀୟ ସମ୍ବିଧାନର ମୂଳ ମୂଲ୍ୟବୋଧକୁ ଆଘାତ ଦେଇଛି ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଯୁବ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ତାମିଲନାଡୁ ସରକାର ଆଇନର ଶାସନକୁ କ୍ଷୁର୍ଣ୍ଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।

କୌଣସି ଅଭିଯୋଗକୁ ଅପେକ୍ଷା ନ କରି ଯେକୌଣସି ଘୃଣ୍ୟ ଭାଷଣ ଅପରାଧ ବିରୋଧରେ ସ୍ୱୟଂଚାଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ତାମିଲନାଡୁର କାର୍ଯ୍ୟାନୁଷ୍ଠାନ ଚାଲିଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଯେହେତୁ ତାମିଲନାଡୁ ସରକାର ଆଇନର ଶାସନକୁ ଗୁରୁତରଭାବେ ଦୁର୍ବଳ କରିଛନ୍ତି କିମ୍ବା ଉପହାସ କରିଛନ୍ତି, ତେଣୁ ଆମେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରୁଛୁ ଯେ ଅବମାନନାର ସ୍ୱମୋଟୋ ନୋଟିସ୍ ଗ୍ରହଣ କରନ୍ତୁ, ଉତ୍ତରଦାୟିତ୍ୱ ସୁନିଶ୍ଚିତ କରନ୍ତୁ।