Categories
ଜାତୀୟ ଖବର ବିଶେଷ ଖବର

୪୪୦ କୋଟି ଟଙ୍କା ଖର୍ଚ୍ଚ କରି ‘ଶଙ୍ଖ’ ଆକୃତିର ଏକ ପ୍ରେକ୍ଷାଳୟ ନିର୍ମାଣ କଲେ ସରକାର

କୋଲକାତା: ପ୍ରେକ୍ଷାଳୟକୁ ଦୂରରୁ ଯେ କେହି ଦେଖିବ ସେ ଭାବି ନେବ ଯେ, ଏକ ବିରାଟ ଶଙ୍ଖ ଥୁଆଯାଇଛି। କାରଣ ହେଲା ଏହି ବିରାଟ ପ୍ରେକ୍ଷାଳୟକୁ ଏପରି ନିର୍ମାଣ କରିଯାଇଛି ଯେପରି ଶଙ୍ଖ ଆକୃତିର ପରିଦୃଷ୍ଟ ହେବ। ଏହି ଭିନ୍ନ ଧରଣର ପ୍ରେକ୍ଷାଳୟକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ବଙ୍ଗାଳୀ ନବବର୍ଷ ଉପଲକ୍ଷେ ଆଲିପୁରରେ ଥିବା ଏହି ଶଙ୍ଖାକୃତିର ପ୍ରେକ୍ଷାଳୟକୁ ମମତା ପଶ୍ଚିମବଂଗବାସୀଙ୍କୁ ଭେଟି ଦେଇଛନ୍ତି। ଏହି ପ୍ରେକ୍ଷାଳୟର ନାମ ରହିଛି ଧନଧାନ୍ୟ ପ୍ରେକ୍ଷାଳୟ। ଏହି ପ୍ରେକ୍ଷାଳୟର ଯେପରି କରାଯାଇଛି ତାହାକୁ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି। କାରଣ ଏପରି ଆର୍କିଟେକ୍ ପ୍ରେକ୍ଷାଳୟ ଦେଶରେ ଏକ ଭିନ୍ନତା ସୃଷ୍ଟି କରିଛି।

ଶଙ୍ଖ ପରି ଆକୃତିର ଅତ୍ୟାଧୁନିକ ଅଡିଟୋରିୟମର ଲମ୍ବ ୫୧୦ ଫୁଟ ଏବଂ ପ୍ରସ୍ଥ ୨୧୦ ଫୁଟ ରଖାଯାଇଛି। ଛଅ ମହଲା ବିଶିଷ୍ଠ ଏହି ଅଡିଟୋରିୟମରେ ଭିନ୍ନ ଭିନ୍ନ ଆସନ ବିଶିଷ୍ଠ ସଭା ହଲ୍ ରହିଛି। ପ୍ରଥମଟି ୨,୦୦୦ ଆସନ ବିଶିଷ୍ଠ ହୋଇଥିବା ବେଳେ ଦ୍ବିତୀୟଟି ୫୪୦ ସିଟ୍ ଏବଂ ତୃତୀୟଟି ୩୦୦ ଟି ବସିବା କ୍ଷମତା ବିଶିଷ୍ଟ କରାଯାଇଛି।

ସେହିପରି ପଥପ୍ରାନ୍ତ ନାଟକ ପରିବେଷଣ ପାଇଁ ଏକ ଷ୍ଟ୍ରିଟ୍ ଥିଏଟର ସୁବିଧା ମଧ୍ୟ ଅଛି। ତଳ ମହଲାରେ ଭୋଜି, ଖାଦ୍ୟ କୋର୍ଟ ଏବଂ କାର୍ ପାର୍କିଂ ବ୍ୟବସ୍ଥା ରହିଛି। ଏହି ପାର୍କିଂରେ ୨୫୦ଟି କାର ରଖିବା ପରି ବ୍ୟବସ୍ଥା କରାଯାଇଛି। ଏହି ପ୍ରେକ୍ଷାଳୟକୁ ‘ଧନଧାନ୍ୟ’ ନାମକରଣ ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଦେଇଛନ୍ତି।

ଦିଲ୍ଲୀର ଏକ ଏଜେନ୍ସି ଏହାକୁ ନିର୍ମାଣ କରିଛି। ସେହି ଏଜନ୍ସି  ନୂଆଦିଲ୍ଲୀରେ ଥିବା ବିଶ୍ବ ବଙ୍ଗଳା ସମ୍ମିଳନୀ କେନ୍ଦ୍ରର ମୁଖ୍ୟ ଢାଞ୍ଚା ନିର୍ମାଣ କରିଛି। ଧନ ଧାନ୍ୟ ଅଡିଟୋରିୟମକୁ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ନିର୍ମାଣ କରିଥିବା ବେଳେ ରକ୍ଷଣାବେକ୍ଷଣ ଦାୟିତ୍ବ ଗୃହ ଏବଂ ନିର୍ମାଣ ବିକାଶ ନିଗମ (ହିଡକୋ) କୁ ଦିଆଯାଇଛି।