Categories
ଆଜିର ଖବର ରାଜ୍ୟ ଖବର

ମହାନ ବିପ୍ଳବୀ ଧରଣୀଧର ଭୂୟାଁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ଭୁବନେଶ୍ୱର: ମହାନ ବିପ୍ଳବୀ ଧରଣୀଧର ଭୂୟାଁଙ୍କର ମାଟି ଓ ଜାତିପ୍ରୀତିର ପଟାନ୍ତର ନାହିଁ। ତାଙ୍କର ସ୍ୱାଭିମାନ ଓ ସାହସିକତା ଅବିସ୍ମରଣୀୟ। ତାଙ୍କ ବ୍ୟକ୍ତିତ୍ୱ ଥିଲା ସଂଗ୍ରାମ ଓ ସନ୍ନ୍ୟାସର ସମନ୍ୱୟ, ବିପ୍ଳବ ଓ ଭକ୍ତିର ମିଳନ। ଏଭଳି ଜଣେ ସତ୍ୟନିଷ୍ଠ ସଂଗ୍ରାମୀଙ୍କ ପ୍ରେରଣାସ୍ପଦ ଜୀବନକାହାଣୀ ଉତ୍ତରପିଢ଼ିଙ୍କ ନିକଟରେ ସସମ୍ମାନେ ପହଞ୍ଚାଇବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ବୋଲି ଅତିଥିମାନେ ମତପ୍ରକାଶ କରିଛନ୍ତି।

ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଭୁବନେଶ୍ୱରସ୍ଥିତ କେନ୍ଦୁଝର ନାଗରିକ ପରିଷଦ ଓ ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତି ମିଳିତ ଆନୁକୂଲ୍ୟରେ କେନ୍ଦୁଝର ଭୂୟାଁ ମେଳିର କର୍ଣ୍ଣଧାର ବିପ୍ଳବୀ ଧରଣୀଧରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ସଭାରେ ପାଟଣା ବିଧାୟକ ଶ୍ରୀ ଜଗନ୍ନାଥ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ କେନ୍ଦୁଝର ଭୂୟାଁ ସଂପ୍ରଦାୟର ଲୋକମାନେ ଅତ୍ୟାଚାରୀ ଇଂରେଜ ଓ ରାଜତନ୍ତ୍ର ବିରୋଧରେ ଅନେକବାର ବିଦ୍ରୋହ କରିଥିଲେ। ସେଥି ମଧ୍ୟରୁ ପ୍ରମୁଖ ବିଦ୍ରୋହ ଥିଲା ଧରଣୀଧରଙ୍କ ନେତୃତ୍ୱାଧିନ ଧରଣୀମେଳି। ଯାହା ଅତ୍ୟାଚାରୀଙ୍କ ଆଖିରୁ ନିଜ ହଜାଇ ଦେଇଥିଲା।

ଏହି ସଂଗ୍ରାମ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାଧରରେ ଲିପିବଦ୍ଧ। ତାଙ୍କର ମହାନ ଆଦର୍ଶ ଓ ନୀତିନିଷ୍ଠ ଜୀବନ ଆଜିର ସମୟରେ ମଧ୍ୟ ପ୍ରାସଙ୍ଗିକ ହୋଇରହିଛି ବୋଲି ଶ୍ରୀ ନାଏକ ଉଲ୍ଲେଖ କରିଥିଲେ।

ବିପ୍ଳବୀ ଧରଣୀଧରଙ୍କ ଜାତିପ୍ରୀତି ଓ ସାହସିକତା ସବୁବେଳେ ଓଡ଼ିଆମାନଙ୍କୁ ପ୍ରେରଣା ଯୋଗାଉଥିବ। ସେ ଅସାଧାରଣ ଜ୍ଞାନ ଓ ଗରିମାର ଅଧିକାରୀ ଥିଲେ ବୋଲି ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ।

ଧରଣୀଧର ବିଶ୍ୱବିଦ୍ୟାଳୟ, କେନ୍ଦୁଝରର ସହକାରୀ ପ୍ରଫେସର ଡ. ସୁମନ୍ତ୍ର ନାଏକ ମୁଖ୍ୟବକ୍ତା ଭାବେ ବକ୍ତବ୍ୟ ରଖି ଧରଣୀଧରଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ଓ ଜୀବନାଦର୍ଶ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ଦେଶ ସ୍ୱାଧୀନ ହେବା ପୂର୍ବରୁ ଧରଣୀଧର ଏକ ଜନମଙ୍ଗଳ ରାଷ୍ଟ୍ରର ପରିକଳ୍ପନା କରିଥିଲେ। ଯେଉଁଠି ସମସ୍ତଙ୍କର ସମାନ ଅଧିକାର ରହିବ। ସେଭଳି ଦୂରଦ୍ରଷ୍ଟା ପ୍ରଜ୍ଞାପୁରୁଷ ଓଡ଼ିଶା ଇତିହାସରେ ଦୁର୍ଲ୍ଲଭ ବୋଲି ସେ ପ୍ରକାଶ କରିଥିଲେ।

ପଦ୍ମଶ୍ରୀ ଦୈତାରୀ ନାଏକ, କେନ୍ଦୁଝର ନାଗରିକ ପରିଷଦର ସଭାପତି ଶ୍ରୀ ହାଡିବନ୍ଧୁ ପଟ୍ଟନାୟକ, ଅଧ୍ୟାପିକା ଡ. ଯାଜ୍ଞସେନୀ ଛତି୍ରଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିପ୍ଳବୀ ଧରଣୀଧର ଜଣେ ସାହସୀ, ସ୍ୱାଭିମାନୀ, କର୍ତ୍ତବ୍ୟନିଷ୍ଠ ଓ ପ୍ରଜ୍ଞାବାନ୍‌ ପୁରୁଷ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଜନଜାତିଙ୍କ ଆଦର୍ଶ ପୁରୁଷ ଭାବରେ ସେମାନଙ୍କୁ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିବାକୁ ସେ ପ୍ରେରଣା ଦେଇଥିଲେ ବୋଲି ଅତିଥିମାନେ ପ୍ରକାଶ କରିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ସ୍ୱାଗତ ଭାଷଣରେ ବିପ୍ଳବୀ ଧରଣୀଧର ଜନଜାତି ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ଥିଲେ ବୋଲି ଉଲ୍ଲେଖ କରିଥିଲେ। ଧରଣୀଧରଙ୍କ ବ୍ୟକ୍ତିତ୍ୱ ଥିଲା ସଂଗ୍ରାମ ଓ ସନ୍ନ୍ୟାସର ସମନ୍ୱୟ, ବିପ୍ଳବ ଓ ଭକ୍ତିର ମିଳନ ବୋଲି ସେ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ଅତିଥିମାନେ ମହାନ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଏହି ଅବସରରେ କେନ୍ଦୁଝର ସଂଘ ପକ୍ଷରୁ ଏକ ମୁଖପତ୍ର ଉନ୍ମୋଚିତ ହୋଇଥିଲା। ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତିର ସଂପାଦକ ବିଜୟ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ବାଦାମପାଟ ଓ ଫୁଲଝର, ଲହୁଣିପଡ଼ା, ସୁନ୍ଦରଗଡର କଳାକାରଙ୍କ ଦ୍ୱାରା ପରିବେଷିତ ଚାଙ୍ଗୁନୃତ୍ୟ, ପାରମ୍ପରିକ ଜନଜାତି ନୃତ୍ୟ ଓ ସଂଗୀତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।
ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପି୍ରୟଦର୍ଶିନୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ, ବହୁ ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମହାନ ବିପ୍ଳବୀ ଧରଣୀଧର ଭୂୟାଁଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ମହାନ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ, କେନ୍ଦୁଝର ନାଗରିକ ପରିଷଦ, ଭୁବନେଶ୍ୱର ଏବଂ ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତି, ଭୁବନେଶ୍ୱର ତରଫରୁ ଏହି ସତ୍ୟନିଷ୍ଠ ସଂଗ୍ରାମୀଙ୍କୁ ସ୍ଥାନୀୟ ଇଏସ୍‌ଆଇ ହସ୍ପିଟାଲ ଅବସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାଏ, ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ, କେନ୍ଦୁଝର ଜିଲ୍ଲାର ବିଭିନ୍ନ ସାମାଜିକ-ସାଂସ୍କୃତିକ ଓ ସାହିତି୍ୟକ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଭାଗୀୟ ଅଧିକାରୀମାନେ ବିପ୍ଳବୀ ଧରଣୀଧରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ବିପ୍ଳବୀ ଧରଣୀଧର ହେଉଛନ୍ତି ଜନଜାତି ଅସ୍ମିତା ଓ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ। ଇଂରେଜ ଓ ରାଜତନ୍ତ୍ରର ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ସେ ଯେଉଁ ବିଦ୍ରୋହ କରିଥିଲେ ସେଥିରେ ହଜାର ହଜାର ସଂଖ୍ୟାରେ ଆଦିବାସୀ ସଂଗ୍ରାମୀମାନେ ସାମିଲ ହୋଇଥିଲେ। ଏହି ବିଦ୍ରୋହ ଅତ୍ୟନ୍ତ ବ୍ୟାପକ ଏବଂ ପ୍ରଭାବଶାଳୀ ହୋଇଥିଲା ଏବଂ ଅତ୍ୟାଚାରୀମାନଙ୍କ ନିଦ ହଜାଇ ଦେଇଥିଲା।

ଇଂରେଜ ସରକାର ଧରଣୀଧରଙ୍କୁ କୂଟନୀତି କରି ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ । କାରାମୁକ୍ତ ହେବା ପରେ ଧରଣୀଧର ସନ୍ନ୍ୟାସକୁ ଆଦରି ନେଇଥିଲେ। ଏଭଳି ଜଣେ ମହାନ ବିପ୍ଳବୀଙ୍କ ଜୀବନକାହାଣୀ ଉତ୍ତରପିଢ଼ି ଜାଣିବା ଉଚିତ ବୋଲି ଅତିଥିମାନେ ଏହି ଅବସରରେ ପ୍ରକାଶ କରିଥିଲେ।