Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଭୁବନେଶ୍ବରର ଧର୍ମାନୁଷ୍ଠାନ ଦର୍ଶନ କଟକଣା ହେଲା କୋହଳ

ଭୁବନେଶ୍ବର: ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ଦର୍ଶନ ପାଇଁ ବିଏମସ କଟକଣାକୁ କୋହଳ କରିଛି। ଏଣିକି ଆଉ କୋଭିଡ ପ୍ରମାଣପତ୍ରର ଆବଶ୍ୟକତା ନାହିଁ ବୋଲି ଘୋଷଣା କରିଛି ବିଏମସି। ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ପୂର୍ବରୁ ରାଜଧାନୀର ଧର୍ମାନୁଷ୍ଠାନ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ଦୁଇ ଡୋଜ କୋଭିଡ ପ୍ରମାଣ ପତ୍ର ବାଧ୍ୟତାମୂଳକ କରାଯାଇଥିଲା। ହେଲେ ବର୍ତ୍ତମାନର କରୋନା ପରିସ୍ଥିତିକୁ ଦେଖି ଏହି କଟକଣାକୁ ଉଠାଇ ଦିଆଯାଇଛି।

ତେବେ ଧର୍ମାନୁଷ୍ଠାନ କର୍ତ୍ତୁପକ୍ଷ କରୋନା ପାଇଁ ଥିବା ଅନ୍ୟ କଟକଣାକୁ ଲାଗୁ କରିବା ପାଇଁ କହିଛନ୍ତି। ଯେପରି ମାସ୍କ ପିନ୍ଧିବା, ସାଇନଟାଇଜର ବ୍ୟବହାର କରିବା ପ୍ରଭୃତି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରଦ୍ଧାଳୁମାନଙ୍କ ପାଇଁ ଖୁସି ଖବର: ଆସନ୍ତା ୧୨ ରୁ ଖୋଲିବ ରାଜଧାନୀର ସବୁ ଧର୍ମାନୁଷ୍ଠାନ

ଭୁବନେଶ୍ବର: ଶ୍ରଦ୍ଧାଳୁମାନଙ୍କ ପାଇଁ ଖୁସି ଖବର ମିଳିଛି। ରାଜ୍ୟ ରାଜଧାନୀରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ବିଏମସି ନିଷ୍ପତ୍ତି ନେଇଛି। କୋଭିଡ ଗାଇଡଲାଇନ ଅନୁଯାୟୀ ରାଜଧାନୀ ଭୁବନେଶ୍ଵରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ହୋଇଛି। ଉଭୟ ଡୋଜ ନେଇଥିବା ଲୋକଙ୍କୁ ଧର୍ମାନୁଷ୍ଠାନରେ ପ୍ରବେଶ ପାଇଁ ଅନୁମତି ମିଳିପାରିବ। ସେଥିପାଇଁ ଟୀକାକରଣ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି।

ତେବେ ଲିଙ୍ଗରାଜ ମନ୍ଦିରକୁ ଏକାଥରକେ ୧୦୦ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି। ହେଲେ କୌଣସି ମନ୍ଦିରର ଗର୍ଭଗୃହକୁ ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେ ନାହିଁ। ଭୁବନେଶ୍ଵରର ସମସ୍ତ ଧର୍ମାନୁଷ୍ଠାନରେ ସମାନ ମାର୍ଗଦର୍ଶିକା ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆଜିଠୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା: ବନ୍ଦ ରହିବ ଚିଲିକା ନିର୍ବାଚନମଣ୍ଡଳୀର ସମସ୍ତ ଧର୍ମାନୁଷ୍ଠାନ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜିଠାରୁ ଚିଲିକା ନିର୍ବାଚନମଣ୍ଡଳୀର ସମସ୍ତ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ବନ୍ଦ ରହିବ। ଅଞ୍ଚଳର ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ସମେତ ଅନ୍ୟାନ୍ୟ ସମସ୍ତ ମନ୍ଦିର, ମସଜିଦ, ଗୁରୁଦ୍ୱାର ଆଦି ଧର୍ମାନୁଷ୍ଠାନଗୁଡ଼ିକ ବନ୍ଦ ରହିବ। ଏ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ଧର୍ମାନୁଷ୍ଠାନ ଭିତରେ କେବଳ ରୀତିନୀତି ଅନୁଯାୟୀ ସୀମିତ ପୂଜକ ମାନେ ପୂଜା କରିପାରିବେ। ସମସ୍ତ ପୂଜକ ମାସ୍କ ପିନ୍ଧିବେ, ସାମାଜିକ ଦୂରତ୍ୱ ରକ୍ଷାକରିବେ ଏବଂ ବାରମ୍ବାର ହାତ ସାନିଟାଇଜ କରିବେ। ସମସ୍ତ ଧର୍ମାନୁଷ୍ଠାନର କମିଟିମାନଙ୍କ ଦ୍ୱାରା ଧର୍ମାନୁଷ୍ଠାନ ଗୁଡିକରେ ପୂଜକମାନେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ଥର୍ମାଲ ସ୍କ୍ରିନିଂ ଏବଂ ପ୍ରବେଶ ପଥରେ ହାତ ସାନିଟାଇଜ କରିବା ବ୍ୟବସ୍ଥା ଉପଲବ୍ଧ କରେଇବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ରହିଛି। ଯଦି କୌଣସି ବ୍ୟକ୍ତି ଉକ୍ତ ନିର୍ଦ୍ଦେଶକୁ ଅବମାନନା କରନ୍ତି ତେବେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଦଫା ୫୧ ଏବଂ ୬୦ ଅନୁଯାୟୀ ତାଙ୍କୁ ଦଣ୍ଡିତ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଅଛି।

ସୂଚନାଥାଉକି ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ଭୁବନେଶ୍ୱର ମହାନଗର ନିଗମ ସହରର ସମସ୍ତ ଧର୍ମାନୁଷ୍ଠାନକୁ ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ ଘୋଷଣା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାରେ ସବୁ ଧର୍ମାନୁଷ୍ଠାନ ଉପରେ ଆଗାମୀ ୭ ଦିନ ଯାଏଁ ଲାଗିଲା କଟକଣା

ବ୍ରହ୍ମପୁର: ରାଜ୍ୟରେ ସଂକ୍ରମଣ ଦୃତଗତିରେ ବଢିଚାଲିଛି। ସେହିପରି ଅନ୍ୟ ଜିଲ୍ଲା ଅପେକ୍ଷା ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ସାମାନ୍ୟ ରହିଥିଲେ ମଧ୍ୟ ଆଜି ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ଗଞ୍ଜାମ ଜିଲ୍ଲାରେ ଗତକାଲି ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଆଜି ୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କରୋନା ସଂକ୍ରମଣକୁ ବୃଦ୍ଧିକୁ ଦେଖି ଆଜି ଜିଲ୍ଲା ପ୍ରଶାସନ କଟକଣା କଡାକଡି କରିଛି। ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଉପରେ ଆଗାମୀ ୭ ଦିନ ଯାଏଁ କଟକଣା ଲାଗିଛି। ଆସନ୍ତା ୨୧ ତାରିଖ ଯାଏଁ ସବୁ ଧର୍ମାନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛି। ସେହିଭଳି ଜିଲ୍ଲାର ପାର୍କ, ଖେଳପଡ଼ିଆ ଏବଂ ସମୁଦ୍ର ବେଳାଭୂମିଗୁଡିକ ଉପରେ ସଂପୂର୍ଣ୍ଣ କଟକଣା ଲାଗିଛି।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁରରେ ଦଣ୍ଡ ଯାତ୍ରା ପାଇଁ ଚାଲିଥିଲା ପ୍ରସ୍ତୁତି: ନିୟମ ଉଲ୍ଲଂଘନ ଅଭିଯୋଗରେ ଚିତ୍ରାଳୟ ଗାଡି ସହ ୨ ଅଟକ

ଚାନ୍ଦପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର କୋଭିଡ଼ ନିୟମକୁ କଡାକଡି କରିଛନ୍ତି। ସେଥିପାଇଁ ଧର୍ମାନୁଷ୍ଠାନ ଉପରେ ରାଜ୍ୟସରକାର କଟକଣା ଲଗାଇଛନ୍ତି। ଚୈତ୍ର ମାସରେ ହେଉଥିବା ଦଣ୍ଡ ଯାତ୍ରାରେ ମଧ୍ୟ ସରକାର କଟକଣା ଲଗାଇଛନ୍ତି। କେବଳ ସୀମିତ ଲୋକଙ୍କୁ ନେଇ ଦଣ୍ଡ ପୂଜା କରିବାକୁ ଅନୁମତି ରହିଥିବା ବେଳେ ଯାତ୍ରା ଉପରେ କଟକଣା ଲାଗିଛି।

ହେଲେ ଚାନ୍ଦପୁର ଥାନା ଅନ୍ତର୍ଗତ କନ୍ଧ ନୟାଗଡ ଗ୍ରାମରେ ଯାତ୍ରା କରିବା ପାଇଁ ପ୍ରସ୍ତୁତି ଚାଲିଥିଲା। ଖବର ପାଇ ଚାନ୍ଦପୁର ପୋଲିସ୍ ଘଟଣା ସ୍ଥଳରେ ପହଂଚିଥିଲା। ଏବଂ ଗାଡି ସହ ଚିତ୍ରାଳୟ ସାମଗ୍ରୀ ପୋଲିସ ଜବତ କରିଛି। ଏହି ଘଟଣାରେ ଗାଡି ଚାଳକ ସହ ୨ ଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଆୟୋଜକଙ୍କ ଠାରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ସୂଚନା ରହିଛି।

ସୂଚନା ଥାଉ କି, ଗତ କିଛି ଦିନ ହେଲା ଚାନ୍ଦପୁରରେ ଆଇଆଇସି ରଶ୍ମି ରଞ୍ଜନ ଦାଶ କୋଭିଡ଼ ନିୟମକୁ କଡାକଡି ଭାବେ ତଦାରଖ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଧର୍ମାନୁଷ୍ଠାନ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି: ଟୁଇଟ ଯୋଗେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଧର୍ମାନୁଷ୍ଠାନ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ କ୍ଷମତା ଦେଇଛନ୍ତି। ସ୍ଥାନୀୟ ମଦିର ଖୋଲିବା ପାଇଁ ଜିଲ୍ଲାପାଳ ନିଷ୍ପତ୍ତି ନେଇପାରିବେ। ବିଭିନ୍ନ କମିଟିମାନଙ୍କ ସହ ଆଲୋଚନା ପରେ ଏସଓପି ଜାରି କରି ମନ୍ଦିର ଖୋଲିପାରିବେ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭକ୍ତର ମାନସିକ ନଡିଆକୁ ମା’ଙ୍କ ନିକଟରେ ପହଞ୍ଚାଇଲେ ଅଭିନେତା ସବ୍ୟସାଚୀ

ଭୁବନେଶ୍ବର: ଭକ୍ତ ଓ ଭଗବାନଙ୍କ ମଧ୍ୟରେ କରୋନା ଏକ ପାଚେରୀ ହୋଇ ଠିଆ ହୋଇଛି। କରୋନା ଯୋଗୁଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଛି। ଯଦିଓ ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଆବେଗିକ କିନ୍ତୁ ଦେବାଳୟକୁ ଯାଇ ପ୍ରଭୁଙ୍କ ନିକଟରେ ଭକ୍ତଟିଏ ପ୍ରାର୍ଥନା କରିବାକୁ ସବୁବେଳେ ଆତୁର। କରୋନା ଯୋଗୁଁ ଦୀର୍ଘ ୧୦ ମାସ ହେଲା ଭକ୍ତଟିଏ ମନ୍ଦିର ଯାଇପାରୁନାହିଁ।

ଏପରି ସ୍ଥିତିରେ ଭକ୍ତର ମାନସିକ ନଡିଆ ମଧ୍ୟ ବାଦ୍‌ ପଡିଛି। ନା ଭକ୍ତ ଯାଇପାରୁଛି ମନ୍ଦିରକୁ ନା ଯାଇପାରୁଛି ତା’ର ମାନସିକ ନଡିଆ। ଭକ୍ତଟିଏ ନଡିଆଟିଏ ବାନ୍ଧି ଦେଇ ମା’ଙ୍କୁ ନିଜର ସମସ୍ତ ଅଳି ଅର୍ଦ୍ଦଳି ଜଣାଇଥାଏ। ପ୍ରତି ମାନସିକ ନଡିଆ ସହିତ ଜଡି ହୋଇ ରହି ଥାଏ ଦୁଃଖୀ ମଣିଷମାନଙ୍କର ବିକଳ ପ୍ରାର୍ଥନା। କୋଉଠି ମାଆ, ମୃତ୍ୟୁମୁହଁରେ ପଡ଼ିଥିବା ନିଜ ଛୁଆଟିର ଜୀବନ ପାଇଁ ଠାକୁରାଣୀ ମାଆ ପାଖେ ନଡିଆଟିଏ ଯାଚିଦେଇଥାଏ ତ କେଉଁଠି ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ବାମୀଙ୍କୁ ରକ୍ଷା କରିବା ପାଇଁ ନଡ଼ିଆଟିଏ ମାନସିକ କରିଥାଏ ସ୍ତ୍ରୀ।

ହେଲେ କରୋନା ପାଇଁ ଲକ୍ ଡାଉନ୍ ଆରମ୍ଭରୁ ମାନସିକ ନଡ଼ିଆ ସବୁ ମା’ ତାରିଣୀଙ୍କ ପାଖରେ ପହଞ୍ଚି ନ ପାରି ଗଦେଇ ହୋଇ ଚାଲିଥିଲା ରାସ୍ତାକଡରେ ଓ ବସ୍ ଷ୍ଟାଣ୍ଡ ରେ। ମହାମାରୀ ଆତଙ୍କ ଯୋଗୁ କେହି ହାତ ମାରିବାକୁ ଚାହୁଁନଥିଲେ ସେଇ ଗଦା ହେଇଥିବା ନଡ଼ିଆକୁ। ଭକ୍ତର ନଡିଆଟି ସେମିତି ପଡି ରହିଥିଲା ରାସ୍ତାକଡରେ।

ମାନସିକ ନଡିଆଗୁଡିକ ରାସ୍ତାରେ ପଡି ପଡି ସହରର ପରିବେଶ ଓ ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ କରୁଥିଲା। କିଛି ନଡ଼ିଆରୁ ଗଜା ବାହାରିସାରିଥିଲା ଓ କିଛି ପଚିଯାଇଥିବାରୁ ଦୁର୍ଗନ୍ଧ ସହ ପରିବେଶ ଦୂଷିତ ହେଉଥିଲା। କୁକୁର ଦ୍ଵାରା କିଛି ନଡିଆ ରାସ୍ତାକୁ ଗଡି ଆସୁଥିବା ଫଳରେ ଦୁର୍ଘଟଣାର କାରଣ ମଧ୍ୟ ହେଉଥିଲା। ହେଲେ ସବୁଠୁ ବଡ଼ କଥା ହେଲା ଭକ୍ତର ଆବେଗଭରା ବିଶ୍ୱାସ ହୋଇଯାଇଥିଲା ସାହାଶୂନ୍ୟ।

ତେବେ ଭକ୍ତ ଓ ଭଗବାନ ମଧ୍ୟରେ ପୁଣି ଥରେ ଆସ୍ଥାର ଯୋଗସୂତ୍ର ସ୍ଥାପନ ହୋଇଛି। ଭକ୍ତର ମାନସିକ ନଡିଆ ପୁଣିଥରେ ଭକ୍ତର ମନୋବାଞ୍ଛା ନେଇ ମା’ଙ୍କ ପାଖରେ ପହଞ୍ଚୁଛି। ଏଭଳି ଏକ ଧାର୍ମିକ କାର୍ଯ୍ୟରେ ସହଯୋଗ କରିଛନ୍ତି ଓଲିଉଡ୍‌ ଅଭିନେତା ସବ୍ୟସାଚୀ। ଭୁବନେଶ୍ୱର ର ବରମୁଣ୍ଡା, ଫାୟାର୍ ଷ୍ଟେସନ୍ ଛକ, ସିଆରପି, ଆଚାର୍ଯ୍ୟବିହାର, ବାଣୀବିହାର, ରସୁଲଗଡ଼, କଟକର ଅନେକ ଜାଗା, ଚଣ୍ଡିଖୋଲ ସହ ପାଣିକୋଇଲିରୁ ଏଇଭଳି ଅଟକି ରହିଥିବା ପାଖାପାଖି ୩୫୦୦୦ ନଡିଆ (୩୦୦ ବସ୍ତା) କୁ ଆଜି ଦୁଇଟି ଟ୍ରକ୍ ମାଧ୍ୟମରେ ଘଟଗାଁ ପଠାଇଛନ୍ତି। ଭକ୍ତଙ୍କ ଭରସାକୁ ମାଁ ଙ୍କ ନିକଟରେ ପହଞ୍ଚାଇ ବେଶ୍‌ ଆନନ୍ଦିତ ହୋଇଛନ୍ତି ଅଭିନେତା।

ସୂଚନାଯୋଗ୍ୟ, କରୋନା କାଳରେ ଲକ୍‌ଡାଉନ୍‌ ସମୟରେ ଓଡ଼ିଶାର ପ୍ରତ୍ୟେକ ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ଏହି ଅଭିନେତା ଜଣକ। ଆଜି ଭକ୍ତଙ୍କ ମନୋବାଞ୍ଛା ପୂରଣ କରିବା ପାଇଁ ମାନସିକ ନଡିଆକୁ ମା’ଙ୍କ ପାଖକୁ ପଠାଇ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଅଭିନେତା ଜଣକ।

Categories
ଆଜିର ଖବର ରାଜ୍ୟ ଖବର

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର : ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି

ଭୁବନେଶ୍ବର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘ 5 ମାସରୁ ଅଧିକ ହେବ ରାଜ୍ୟରେ ବିଭିନ୍ନ ଧର୍ମାନୁଷ୍ଠାନମାନ ବନ୍ଦ ରହିଛି । ତେବେ ଏବେ ମନ୍ଦିର ଖୋଲିବା ସମ୍ଭବ ନୁହେଁ ବୋଲି ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି ରାଜ୍ୟସରକାର।ବର୍ତ୍ତମାନ ମନ୍ଦିର ଖୋଲିବା ସମ୍ଭବ ନୁହେଁ ବୋଲି ସରକାର ଦର୍ଶାଇଛନ୍ତି। ତେବେ ଗର୍ଭଗୃହ ଛୋଟ ଯୋଗୁଁ ଗହଳି ହେଲେ କରୋନା ସଂକ୍ରମଣ ବଢ଼ିପାରେ ବୋଲି ସରକାର ଦର୍ଶାଇଛନ୍ତି। ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି।

କରୋନା ସଂକ୍ରମଣ ପାଇଁ ମନ୍ଦିର ବନ୍ଦ ରହିଥିବାବେଳେ ପରମ୍ପରା ରକ୍ଷା ଲାଗି ଠାକୁରଙ୍କ ନୀତିକାନ୍ତି ଚାଲିଛି । ବିନା ଭକ୍ତରେ ଠାକୁରଙ୍କ ପର୍ବ ଓ ପରମ୍ପରା ରକ୍ଷା ହେଉଛି ।

Categories
ଆଞ୍ଚଳିକ

ଚନ୍ଦନଯାତ୍ରା ପାଇଁ ଜଗତସିଂହପୁର ଜିଲ୍ଲାର ଧର୍ମାନୁଷ୍ଠାନ ମାନଙ୍କରେ ୧୪୪ ଧାରା ଜାରୀ

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣ ଏବଂ ପୂର୍ବ ବର୍ଷ ମାନଙ୍କରେ ଚନ୍ଦନ ଯାତ୍ରା ପର୍ବରେ ହୋଇଥିବା ଜନସମାଗମକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନ ମାନଙ୍କରେ ଚନ୍ଦନ ଯାତ୍ରା ପର୍ବ ନିମନ୍ତେ ୧୪୪ ଧାରା ଜାରୀ କରିଛନ୍ତି। ଏହି ୧୪୪ ଧାରା ଚଳିତ ମାସ ୨୬.୦୪.୨୦୨୦ରିଖରୁ ୦୩.୦୫.୨୦୨୦ ରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ସଂପୃକ୍ତ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳ ସମେତ ଚନ୍ଦନ ଯାତ୍ରା ପୋଖରୀ ନିକଟରେ ୪ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। କନକପୁର ମା’ଶାରଳାଙ୍କ ମନ୍ଦିର, ତିର୍ତ୍ତୋଲ ଅରିଲୋ ଶିଶୁ ଅନନ୍ତ ଆଶ୍ରମ, ପାରାଦ୍ୱୀପ ମ୍ୟୁନିସିପାଲିଟିର ମଧୁବନ ଜଗନ୍ନାଥ ମନ୍ଦିର, ଏରସମା ତହସିଲ୍ ଅଞ୍ଚଳର ଗଡକୁଜଙ୍ଗ ଜଗନ୍ନାଥ ମନ୍ଦିର, ପଞ୍ଚପଲ୍ଲୀ ଗ୍ରାମେଶ୍ୱର ମନ୍ଦିର , ସରବନ୍ତ ଜଗନ୍ନାଥ ମନ୍ଦିର, ଗୋଡା ର ସାହାଡାବେଦୀ ଶ୍ରୀ ବୃନ୍ଦାବନ ବିହାରୀଜୀୟୁ ମନ୍ଦିର ଏବଂ ନାଉଗାଁ ତହସିଲ୍ ଅଞ୍ଚଳର ଗାରୋଇ ଜଗନ୍ନାଥ ମନ୍ଦିର, ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିର,କୋରୁଅ , ଗୋଠଦା ମଠ, ଗୋଠଦା,ଚାନ୍ଦପୁରା ଜଗନ୍ନାଥ ମନ୍ଦିର, ଅଲଣା -(।।) ଜଗନ୍ନାଥ ମନ୍ଦିର ଆଖପାଖରେ ୧୪୪ ଧାରା ଜାରୀ କରାଯାଇଛି। ଏହାର ଅବମାନନା କଲେ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲ୍ଲାର ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।