ଚନ୍ଦନଯାତ୍ରା ପାଇଁ ଜଗତସିଂହପୁର ଜିଲ୍ଲାର ଧର୍ମାନୁଷ୍ଠାନ ମାନଙ୍କରେ ୧୪୪ ଧାରା ଜାରୀ

Published: Apr 25, 2020, 1:49 pm IST

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣ ଏବଂ ପୂର୍ବ ବର୍ଷ ମାନଙ୍କରେ ଚନ୍ଦନ ଯାତ୍ରା ପର୍ବରେ ହୋଇଥିବା ଜନସମାଗମକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନ ମାନଙ୍କରେ ଚନ୍ଦନ ଯାତ୍ରା ପର୍ବ ନିମନ୍ତେ ୧୪୪ ଧାରା ଜାରୀ କରିଛନ୍ତି। ଏହି ୧୪୪ ଧାରା ଚଳିତ ମାସ ୨୬.୦୪.୨୦୨୦ରିଖରୁ ୦୩.୦୫.୨୦୨୦ ରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ସଂପୃକ୍ତ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳ ସମେତ ଚନ୍ଦନ ଯାତ୍ରା ପୋଖରୀ ନିକଟରେ ୪ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। କନକପୁର ମା’ଶାରଳାଙ୍କ ମନ୍ଦିର, ତିର୍ତ୍ତୋଲ ଅରିଲୋ ଶିଶୁ ଅନନ୍ତ ଆଶ୍ରମ, ପାରାଦ୍ୱୀପ ମ୍ୟୁନିସିପାଲିଟିର ମଧୁବନ ଜଗନ୍ନାଥ ମନ୍ଦିର, ଏରସମା ତହସିଲ୍ ଅଞ୍ଚଳର ଗଡକୁଜଙ୍ଗ ଜଗନ୍ନାଥ ମନ୍ଦିର, ପଞ୍ଚପଲ୍ଲୀ ଗ୍ରାମେଶ୍ୱର ମନ୍ଦିର , ସରବନ୍ତ ଜଗନ୍ନାଥ ମନ୍ଦିର, ଗୋଡା ର ସାହାଡାବେଦୀ ଶ୍ରୀ ବୃନ୍ଦାବନ ବିହାରୀଜୀୟୁ ମନ୍ଦିର ଏବଂ ନାଉଗାଁ ତହସିଲ୍ ଅଞ୍ଚଳର ଗାରୋଇ ଜଗନ୍ନାଥ ମନ୍ଦିର, ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିର,କୋରୁଅ , ଗୋଠଦା ମଠ, ଗୋଠଦା,ଚାନ୍ଦପୁରା ଜଗନ୍ନାଥ ମନ୍ଦିର, ଅଲଣା -(।।) ଜଗନ୍ନାଥ ମନ୍ଦିର ଆଖପାଖରେ ୧୪୪ ଧାରା ଜାରୀ କରାଯାଇଛି। ଏହାର ଅବମାନନା କଲେ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲ୍ଲାର ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Related posts