ଆଜିଠୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା: ବନ୍ଦ ରହିବ ଚିଲିକା ନିର୍ବାଚନମଣ୍ଡଳୀର ସମସ୍ତ ଧର୍ମାନୁଷ୍ଠାନ

Published: Apr 21, 2021, 8:14 am IST

ସୀତାରାମ ଅଗ୍ରୱାଲ

ଚିଲିକା: ଆଜିଠାରୁ ଚିଲିକା ନିର୍ବାଚନମଣ୍ଡଳୀର ସମସ୍ତ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ବନ୍ଦ ରହିବ। ଅଞ୍ଚଳର ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ସମେତ ଅନ୍ୟାନ୍ୟ ସମସ୍ତ ମନ୍ଦିର, ମସଜିଦ, ଗୁରୁଦ୍ୱାର ଆଦି ଧର୍ମାନୁଷ୍ଠାନଗୁଡ଼ିକ ବନ୍ଦ ରହିବ। ଏ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ଧର୍ମାନୁଷ୍ଠାନ ଭିତରେ କେବଳ ରୀତିନୀତି ଅନୁଯାୟୀ ସୀମିତ ପୂଜକ ମାନେ ପୂଜା କରିପାରିବେ। ସମସ୍ତ ପୂଜକ ମାସ୍କ ପିନ୍ଧିବେ, ସାମାଜିକ ଦୂରତ୍ୱ ରକ୍ଷାକରିବେ ଏବଂ ବାରମ୍ବାର ହାତ ସାନିଟାଇଜ କରିବେ। ସମସ୍ତ ଧର୍ମାନୁଷ୍ଠାନର କମିଟିମାନଙ୍କ ଦ୍ୱାରା ଧର୍ମାନୁଷ୍ଠାନ ଗୁଡିକରେ ପୂଜକମାନେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ଥର୍ମାଲ ସ୍କ୍ରିନିଂ ଏବଂ ପ୍ରବେଶ ପଥରେ ହାତ ସାନିଟାଇଜ କରିବା ବ୍ୟବସ୍ଥା ଉପଲବ୍ଧ କରେଇବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ରହିଛି। ଯଦି କୌଣସି ବ୍ୟକ୍ତି ଉକ୍ତ ନିର୍ଦ୍ଦେଶକୁ ଅବମାନନା କରନ୍ତି ତେବେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଦଫା ୫୧ ଏବଂ ୬୦ ଅନୁଯାୟୀ ତାଙ୍କୁ ଦଣ୍ଡିତ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଅଛି।

ସୂଚନାଥାଉକି ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ଭୁବନେଶ୍ୱର ମହାନଗର ନିଗମ ସହରର ସମସ୍ତ ଧର୍ମାନୁଷ୍ଠାନକୁ ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ ଘୋଷଣା କରିଥିଲେ।

Related posts