Categories
ବିଶେଷ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟୁଇଟ୍ କରି ଅନୁରୋଧ କଲେ ବର୍ଷା ସିଂ ବରିହା: ଜାଣନ୍ତୁ କ’ଣ କହିଲେ?

ଭୁବନେଶ୍ଵର: ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ ଓଡ଼ିଶା ବିଜେପିର କିଛି ନେତା ତାଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରୁଛନ୍ତି। ଏହା ଆମ ହିନ୍ଦୁ ପରମ୍ପରା ଓ ଓଡ଼ିଆ ସଂସ୍କୃତିରେ ଆଦୌ ଗ୍ରହଣୀୟ ନୁହେଁ। ତେଣୁ ରାଜନୈତିକ ଉଦ୍ଦେଶ୍ୟ ରଖି ଜଣେ ଦିବଂଗତ ନେତାଙ୍କ ଉପରେ କଟୁ ମନ୍ତବ୍ୟ ଦେବାରୁ ଆପଣଙ୍କ ଦଳର ନେତାଙ୍କୁ କ୍ଷାନ୍ତ ରଖନ୍ତୁ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟୁଇଟ୍ କରି ଏପରି ଅନୁରୋଧ କରିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା।

ଶ୍ରୀମତୀ ବରିହା ନିଜ ଟୁଇଟ୍ରେ ଆହୁରି ଉଲ୍ଲେଖ କରିଛନ୍ତି ଯେ ଯେତେବେଳେ ମୋ ବାପାଙ୍କର ଦେହାନ୍ତ ହୋଇଥିଲା, ସେତେବେଳେ ମଧ୍ୟ ରାଜ୍ୟ ବିଜେପିର କିଛି ନେତା ତାଙ୍କୁ ଠିକ୍ ଏମିତି ଆକ୍ଷେପ କରୁଥିଲେ। ମୋ ଚରିତ୍ର ଓ ବାହାଘରକୁ ନେଇ କୁତ୍ସାରଟନା କରୁଥିଲେ। ମୁଁ ସମସ୍ତଙ୍କୁ ହାତ ଯୋଡ଼ି ଯେତେ ଅନୁରୋଧ କଲେ ବି ସେମାନେ ଆକ୍ରୋଶମୂଳକ ଭାବେ ବ୍ୟକ୍ତିଗତ ଆକ୍ରମଣ ଜାରି ରଖିଥିଲେ। ଏହା ମୋତେ ଏବଂ ମୋ ପରିବାରକୁ ଗଭୀର ମାନସିକ ଆଘାତ ଦେଇଥିଲା। ସେତେବେଳେ ମୁଁ ଆପଣଙ୍କୁ ମଧ୍ୟ ଅନୁରୋଧ କରିଥିଲି, ଦୟାକରି ମୋତେ ଏପରି ଆକ୍ଷେପ କରିବାକୁ ଆପଣଙ୍କ ଦଳର ଏହି ନେତାମାନଙ୍କୁ ବାରଣ କରନ୍ତୁ। ତଥାପି ଆପଣ କିଛି କଲେନି, ବୋଧେ ଜାଣିଶୁଣି ନିରବ ରହିଲେ। ଏହା ମୋତେ ଖୁବ୍ ଦୁଃଖ ଦେଇଥିଲା।

ଏବେ ସମାନ ଢଙ୍ଗରେ ସ୍ୱର୍ଗତ ନବକିଶୋର ଦାସଙ୍କ ଚରିତ୍ର ସଂଘାର ପାଇଁ ଯେଉଁ ଉଦ୍ୟମ ହେଉଛି, ତାହା ତାଙ୍କ ଝିଅ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କେତେ ମାନସିକ ଯନ୍ତ୍ରଣା ହେଉଥିବ, ତାହା ମୁଁ ଅନୁଭବ କରିପାରୁଛି। ତେଣୁ ଆପଣଙ୍କୁ ମୋର ଅନୁରୋଧ, ଅନ୍ତତଃ ପକ୍ଷେ ନିରବ ରୁହନ୍ତୁ ନାହିଁ କି ଏହାକୁ ପରୋକ୍ଷ ଭାବେ ସମର୍ଥନ କରନ୍ତୁ ନାହିଁ। ଦୟା କରି ଆପଣଙ୍କ ଦଳର ନେତାମାନଙ୍କୁ କୁହନ୍ତୁ, ଜଣେ ମୃତ ବ୍ୟକ୍ତିଙ୍କ ସଂପର୍କରେ ସେମାନେ ଏପରି ହୀନ ମନ୍ତବ୍ୟ ଦେବାରୁ ନିଜକୁ କ୍ଷାନ୍ତ ରଖନ୍ତୁ।

Categories
ବିଶେଷ ଖବର

ଟୁଇଟ୍ କରି ଧର୍ମେନ୍ଦ୍ରଙ୍କ ବକ୍ତବ୍ୟର ଜବାବ ରଖିଲେ ପ୍ରଣବ ପ୍ରକାଶ

ଭୁବନେଶ୍ଵର: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜଧାନୀରେ ହୋଇଥିବା ବିଜେପିର ବିକ୍ଷୋଭ ବେଳେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିବାରୁ ଏହାର ଜବାବ ରଖିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।

କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟୁଇଟ୍ କରି ଶ୍ରୀ ଦାସ କହିଛନ୍ତି ଯେ ଭାଇ, ଆପଣଙ୍କ ଦଳର ଯୁବମୋର୍ଚ୍ଚା ସଭାପତି ଈରାଣିଷ ଆଚାର୍ଯ୍ୟ ଜଣେ ହତ୍ୟା ଅଭିଯୁକ୍ତ। ଏବେ ସେ ଜାମିନରେ ଅଛନ୍ତି। ନିକଟରେ ରାଜଧାନୀରେ ବିକ୍ଷୋଭ ନାଁରେ ତାଙ୍କ ନେତୃତ୍ଵରେ ପୁଲିସ ଉପରେ ମରଣାନ୍ତକ ଆକ୍ରମଣ ହେଲା। ଦେଖନ୍ତୁ ଏହି ଭିଡିଓ। ମୁଁ ଆଗରୁ ମଧ୍ୟ ଏହା ଆପଣଙ୍କୁ ଦେଇଥିଲି। ଆପଣ ନିଶ୍ଚୟ ଦେଖିଥିବେ। ଏଭଳି ନେତାଙ୍କୁ ସମର୍ଥନ କରି ଆପଣ ଓଡ଼ିଶାର ଯୁବକମାନଙ୍କୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି?

କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ରୀ ଦାସ ଆହୁରି କହିଛନ୍ତି, ଆପଣ ଯାହାଙ୍କୁ ବିରୋଧୀ ଦଳର ନେତା କରିଛନ୍ତି, ସେ ମଧ୍ୟ ଜଣେ ଅଭ୍ୟାସଗତ ଅପରାଧୀ ଏବଂ ଜଘନ୍ୟ ହତ୍ୟା ମାମଲାରେ ସଂପୃକ୍ତ। ସ୍ଵାସ୍ଥ୍ୟ ଆଳରେ ଜାମିନରେ ଆସିଲା ପରେ ମଧ୍ୟ ସେ ଅପରାଧ ଘଟାଇ ଚାଲିଛନ୍ତି। ଓଡ଼ିଶା ରାଜନୀତି ପାଇଁ ଏହା ଶୁଭଙ୍କର ନୁହେଁ। ଓଡ଼ିଶାବାସୀ ଏସବୁ ଦେଖୁଛନ୍ତି। ସେଥିପାଇଁ ଗତ ପଞ୍ଚାୟତ ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦରେ ବିଜେପିକୁ ପ୍ରତ୍ୟାଖ୍ୟାନ କଲେ।

ଆମେ ଭାବିଥିଲୁ, ଦଳର ଛବି ଖରାପ କରିଥିବାରୁ ଏହି ଦୁଇ ନେତାଙ୍କ ବିରୋଧରେ ଆପଣ କିଛି କାର୍ଯ୍ୟାନୁଷ୍ଠାନ ନେବେ। ମାତ୍ର ଆଜି ଓଲଟା ଦେଖିବାକୁ ମିଳିଲା। ଆପଣ ଓଡ଼ିଶାରେ ପହଞ୍ଚି ଏଭଳି ହିଂସା ପାଇଁ ସେମାନଙ୍କୁ ଉତ୍ସାହିତ କଲା ପରି କଥା କହୁଛନ୍ତି। ଆପଣଙ୍କୁ ମୋର ଅନୁରୋଧ, ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଏଭଳି ଅପରାଧିକ ତତ୍ତ୍ଵକୁ ଆପଣ ନିୟନ୍ତ୍ରଣ କରନ୍ତୁ। ନହେଲେ ଭବିଷ୍ୟତରେ ଏ ଦୁଇ ନେତା ଆପଣଙ୍କୁ ଏବଂ ଆପଣଙ୍କ ଦଳକୁ ଆହୁରି ଅଧିକ ବଦନାମ କରିବେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେରଙ୍କ ମଧ୍ୟରେ ଗୁରୁବାର ନୂଆଦିଲ୍ଲୀ ଠାରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦେଶ ମଧ୍ୟରେ ଗବେଷଣାକୁ ପ୍ରୋତ୍ସାହନ ଦେବା ଓ ଶିକ୍ଷାନୁଷ୍ଠାନରେ ସହଯୋଗୀ ହେବା ନେଇ ୧୧ଟି ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଥିବା ନେଇ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଭାରତର କୃଷି କ୍ଷେତ୍ରରେ ଲୋକଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଆଗାମୀ ଦେଢ ବର୍ଷରେ ଅଷ୍ଟ୍ରେଲିଆ ସରକାର ୧.୮୯ ମିଲିୟନ ଡଲାର ଖର୍ଚ୍ଚ କରିବେ। ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ସହ ଭାରତର ଶିକ୍ଷାନୁଷ୍ଠାନ ମିଳିତ ଭାବେ ନୂଆ ପାଠ୍ୟକ୍ରମ ତିଆରି କରିବା, ପ୍ରଶିକ୍ଷକ ସୃଷ୍ଟି କରିବା ସହ ସେମାନଙ୍କ କ୍ଷମତା ବୃଦ୍ଧି କରିବା ଉପରେ ଯୋଜନା ପ୍ରସ୍ତୁତ ହେବ। ଅଷ୍ଟ୍ରେଲିଆ ଏବଂ ଭାରତରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଯୋଗ୍ୟତାକୁ ମାନ୍ୟତା ଦେବା ସହ ଆଇଇଆଇଏଫ କ୍ରିଟିକାଲ ସ୍କିଲ ପ୍ରୋଜେକ୍ଟର ଘୋଷଣା କରାଯାଇଛି । ଆଜିର ଦ୍ୱିପାକ୍ଷିକ ବୈଠକ ଉଭୟ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ନୂଆ ସୁଯୋଗ ଆଣିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଏବଂ କର୍ମଜୀବୀଙ୍କୁ ସୁବିଧା ପ୍ରଦାନ କରିବା ସହ ଦୁଇ ଦେଶ ମଧ୍ୟରେ ଯୋଗ୍ୟତାକୁ ପାରସ୍ପରିକ ମାନ୍ୟତା ପ୍ରଦାନ କରିବା ପାଇଁ ନୀତିଗତ ଢାଞ୍ଚା ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିବଦ୍ଧତାର ଅଂଶବିଶେଷ। ଉଭୟ ଦେଶର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଟ୍ୟାସ୍କ ଫୋର୍ସ ଗଠନ କରାଯାଇଛି। ଏହି ଟାସ୍କ ଫୋର୍ସ ଦୁଇ ଦେଶରେ ଶିକ୍ଷା ଓ ଦକ୍ଷତା ଆଧାରିତ ଯୋଗ୍ୟତା ତଥା ଯୁବବର୍ଗଙ୍କୁ ଶିକ୍ଷା ଓ ରୋଜଗାରରେ ସହଯୋଗ କରିବା ପାଇଁ ବିଭିନ୍ନ ସ୍ତରର ଶିକ୍ଷା ଓ ଦକ୍ଷତାର ଯୋଗ୍ୟତାକୁ ନେଇ ପାରସ୍ପରିକ ସ୍ୱୀକୃତି ପାଇଁ ଏକ ବିସ୍ତୁତ ଢାଞ୍ଚା ପ୍ରସ୍ତୁତ କରିଛନ୍ତି।

ଉଚ୍ଚ ଶିକ୍ଷା କ୍ଷେତ୍ର ସହ ଦକ୍ଷତା ବିକାଶ, ଗବେଷଣା, ଇଣ୍ଟର୍ଣ୍ଣସିପ ଏବଂ ଅଷ୍ଟ୍ରେଲିଆ ଓ ଭାରତର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଦାନପ୍ରଦାନ ଓ ସୁସମ୍ପର୍କକୁ ମଜଭୂତ କରିବା ନେଇ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଶିଖରକୁ ନେବା ପାଇଁ ଏକ ନୂଆ ଫ୍ରେମଓ୍ୱାର୍କ ତିଆରି କରିବା ପାଇଁ ଉଭୟ ଦେଶର ମନ୍ତ୍ରୀ ସମ୍ମତି ପ୍ରକାଶ କରିଛନ୍ତି। ଏ ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଉଭୟ ଦେଶର ଦୀର୍ଘ ଦିନର ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୂତ କରିବା ପାଇଁ ଅଷ୍ଟ୍ରେଲିଆ ମନ୍ତ୍ରୀଙ୍କ ସହ ବୈଠକ ଫଳପ୍ରଦ ହୋଇଛି। ଉଭୟ ଦେଶରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣକୁ ସୁଗମ କରିବା ଓ ଛାତ୍ରଛାତ୍ରୀଙ୍କ ଆଦାନପ୍ରଦାନକୁ ଆନୁଷ୍ଠାନିକ ଭାବେ ବ୍ୟବସ୍ଥିତ କରିବା ଉପରେ ଚର୍ଚ୍ଚା କରାଯାଇଛି। ଅଧିକରୁ ଅଧିକ ଅଷ୍ଟ୍ରେଲିଆ ଛାତ୍ରଛାତ୍ରୀ ଗବେଷଣା, ଶିକ୍ଷା, ଇଣ୍ଟର୍ଣ୍ଣସିପ ଓ ଦକ୍ଷତା ବିକାଶ ପାଇଁ ଭାରତକୁ ଆସିବା ନେଇ ଶ୍ରୀ ପ୍ରଧାନ ଇଚ୍ଛାବ୍ୟକ୍ତ କରିଥିଲେ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଅଷ୍ଟ୍ରେଲିଆ ଏବଂ ଭାରତର ଦ୍ୱିପାକ୍ଷିକ ସମ୍ପର୍କରେ ଶିକ୍ଷାକୁ ଏକ ପ୍ରମୁଖ ସ୍ତମ୍ଭ ଭାବରେ ପ୍ରସ୍ତୁତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଅଷ୍ଟ୍ରେଲିଆନ ଇଣ୍ଟରନ୍ୟାସନାଲ ଏଜୁକେସନ କନଫରେନ୍ସର ପରିଧିରେ ଦକ୍ଷତା ବିକାଶରେ ସହଯୋଗକୁ ଅନ୍ତର୍ଭୃକ୍ତ କରିବା ଖୁସିର ବିଷୟ। ଆଜିର ଦ୍ୱିପାକ୍ଷିକ ବୈଠକ ନାଗରିକଙ୍କୁ ସଶକ୍ତ କରିବା ସହ ଶିକ୍ଷା ମାଧ୍ୟମରେ ଭାରତ ଏବଂ ଅଷ୍ଟ୍ରେଲିଆର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୂତ୍ କରିବା ଦିଗରେ ମାର୍ଗ ପ୍ରଶସ୍ତ କରିବ। ଉଭୟ ଦେଶର ଆକାଂକ୍ଷାକୁ ପୂରଣ କରିବା ଦିଗରେ ସହାୟକ ହେବ।

ଉଭୟ ଦେଶର ମନ୍ତ୍ରୀ ବଢୁଥିବା ବିସ୍ତୁତ ରଣନୈତିକ ସହଭାଗିତାକୁ ପ୍ରଶଂସା କରିଥିଲେ। ଏହାସହ ଆନୁଷ୍ଠାନିକ ସହଭାଗିତାକୁ ସୁଦୃଢ କରିବା ଓ ଶିକ୍ଷା କ୍ଷେତ୍ରରେ ଦୂରତାକୁ ହ୍ରାସ କରିବା ପାଇଁ ଅଷ୍ଟ୍ରେଲିଆ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ। ଦେଶରେ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ସପ୍ତମ ଏଆଇଇଏସସି ଏବଂ ଜୁନ ମାସରେ ଅନୁଷ୍ଠିତ ହେବାକୁ ଥିବା ଜି- ୨୦ ଶିକ୍ଷା ବୈଠକରେ ଯୋଗଦେବା ପାଇଁ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ।

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କୁ ଓଡ଼ିଶାର ବାଲିଯାତ୍ରାକୁ ବାଖ୍ୟା କରୁଥିବା ପାରମ୍ପରିକ ନୌବାଣିଜ୍ୟ ଯାତ୍ରାର ଏକ ତାରକସୀ କଳାକୃତି ଏବଂ ଶ୍ରୀଅରବିନ୍ଦଙ୍କ ଜୀବନୀ ଉପରେ ଏକ ପୁସ୍ତକ ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରାପଡାର କମଳା ମହାରଣାଙ୍କ ‘ଆବର୍ଜନାରୁ ସମ୍ପଦ’ର ସଫଳ ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀଙ୍କ ଚର୍ଚ୍ଚା

ଭୁବନେଶ୍ୱର: ‘ମନ୍ କି ବାତ’ର ୯୮ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କେନ୍ଦ୍ରାପଡା ଜିଲ୍ଲା ଖଇରାବାଦ ଅଞ୍ଚଳର କମଳା ମହାରଣାଙ୍କ ‘ଆବର୍ଜନାରୁ ସମ୍ପଦ’ର ସଫଳ ପ୍ରୟାସ ଉପରେ ଚର୍ଚ୍ଚା ସମସ୍ତଙ୍କୁ ପ୍ରେରିତ କରିବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ କମଳା ମହାରଣାଙ୍କ ବର୍ଜ୍ୟବସ୍ତୁରୁ ଘରକରଣା ସାମଗ୍ରୀର ଉଦାହରଣ ଦେବା ସହ ସ୍ୱଚ୍ଛ ଭାରତ ଅଭିଯାନରେ ନିଜକୁ ସାମିଲ କରିବା ଭଳି ସଚେତନତାର ବାର୍ତ୍ତା ଦେଇଥିବାରୁ ଧନ୍ୟବାଦ। କମଳା ମହାରଣା ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକରୁ ପେଡ଼ି, ପାଚିଆ, ମୋବାଇଲ ଷ୍ଟାଣ୍ଡ୍ ଭଳି ଉତ୍ପାଦ ପ୍ରସ୍ତୁତ କରି ପରିବେଶକୁ ସ୍ୱଚ୍ଛ ରଖିବା ସହ ଅନେକ ମହିଳାଙ୍କୁ ସ୍ୱାବଲମ୍ବୀ କରି ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି। ତାଙ୍କର ପ୍ରଚେଷ୍ଟା ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ସହ ଗ୍ରାମୀଣ ମହିଳାଙ୍କୁ ସଶକ୍ତ ଏବଂ ଆତ୍ମନିର୍ଭର କରୁଛି।

ମନ୍ କି ବାତରେ ଆଜି ପ୍ରଧାନମନ୍ତ୍ରୀଙ୍କ ଠାରୁ ଦେଶକୁ ଆଗକୁ ନେବା ଦିଗରେ ଦେଶବାସୀଙ୍କୁ ପ୍ରେରଣାଦାୟୀ ପ୍ରଚେଷ୍ଟା ଏବଂ ସକାରାତ୍ମକ କାହାଣୀ ସମସ୍ତଙ୍କୁ ପ୍ରେରିତ କରିଛି। ଭାରତର ପାରମ୍ପରିକ କଳା, ସଂସ୍କୃତି, ସଂଗୀତ ଏବଂ କୌଶଳକୁ ଆଗକୁ ନେବାରେ ନାଗରିକଙ୍କ ସାମୂହିକ ପ୍ରୟାସ ହିଁ ସବୁଠୁ ବଡ ଭୂମିକା ନିର୍ବାହ କରୁଛି। ପାରମ୍ପରିକ ଖେଳ- ଖେଳନାକୁ ପ୍ରୋତ୍ସାହିତ କରିବା, ସାମାଜିକ ଚେତନାରେ ରାଷ୍ଟ୍ରୀୟ ଏକତାକୁ ଆଣିବା, ସ୍ୱଚ୍ଛତାକୁ ଜନଆନ୍ଦୋଳନରେ ପରିଣତ କରିବା କିମ୍ବା ଡିଜିଟାଲ ଇଣ୍ଡିଆର ଗତିରେ ଦେଶକୁ ଯୋଡିବା ହେଉ, ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମ ଦେଶରେ ଜନଭାଗିଦାରୀ ଏବଂ ସାମାଜିକ ପରିବର୍ତ୍ତନର ସବୁଠୁ ବଡ ଉତ୍ସ ହୋଇଛି।

ଆଜି ୟୁପିଆଇର ଶକ୍ତି ଦୁନିଆ ଦେଖୁଛି। ଆଜିର କାର୍ଯ୍ୟକ୍ରମରେ ଦେଶବାସୀ ଡିଜିଟାଲ ଇଣ୍ଡିଆ ଦ୍ୱାରା ମେଡିକାଲ କ୍ଷେତ୍ରରେ ଆସୁଥିବା କ୍ରାନ୍ତିକୁ ଅନୁଭବ କରିଛନ୍ତି। ଆଜିର ପ୍ରୟାସରୁ ପ୍ରେରଣା ନେଇ ସମସ୍ତେ ଐତିହ୍ୟର ସଂରକ୍ଷଣ ଏବଂ ଭୋକାଲ ଫର୍ ଲୋକାଲ ପାଇଁ ଅଧିକ ପ୍ରୟାସରତ ହେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ଏହା କୌଣସି ରାଜନୈତିକ କାରଣ ନାହିଁ। ତାହା ହେଲା ଝାରସୁଗୁଡା ଜିଲ୍ଲା ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ଭାବେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେ ଏହି ଚିଠି ଲେଖିଛନ୍ତି।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ଐତିହାସିକ, ସାମାଜିକ ଓ ସାଂସ୍କୃତିକ ବ୍ୟବସ୍ଥାରେ ଜନଜାତି ସମୁଦାୟର ପ୍ରତିନିଧିତ୍ୱ କାହିଁ କେଉଁ କାଳରୁ ରହିଆସିଛି। ଜନଜାତିକୁ ବାଦ୍ ଦେଇ ଓଡ଼ିଆ ସଭ୍ୟତାର ପରିକଳ୍ପନା ଅସମ୍ଭବ। ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ଜନଜାତୀୟ ମୂଳକୁ ମନେ ପକାଇ ଓଡ଼ିଆ ଜାତି ସବୁବେଳେ ଗର୍ବ କରିଆସିଛି। ଏହି କାରଣରୁ ହିଁ ଓଡ଼ିଶାର ଶାସକଶ୍ରେଣୀ କାଳେକାଳେ ଜନଜାତି ଭାଇଭଉଣୀମାନଙ୍କୁ ଆପଣା ପ୍ରଜାଠାରୁ ବି ଅଧିକ ବୋଲି ମଣିଆସିଛନ୍ତି।

ଏହି କ୍ରମରେ ଝାରସୁଗୁଡ଼ା କୋଲାବିରାର ଗୋଁଣ୍ଡ ଗଉଁତିଆ ଶହୀଦ କରୁଣାକର ସିଂହ ନାଏକ ଥିଲେ ଗୋଁଣ୍ଡ ସମୁଦାୟର ଅନ୍ୟତମ ସର୍ବମାନ୍ୟ ମୁଖିଆ। ପୃଥିବୀର ସର୍ବପୁରାତନ ଜନଜାତି ଭିତରୁ ଅନ୍ୟତମ ଏହି ଗୋଁଣ୍ଡ ସମୁଦାୟ ଓଡ଼ିଶା ସମେତ ସମଗ୍ର ମଧ୍ୟ-ଭାରତର ବିରାଟ ଭୂଖଣ୍ଡରେ ଶତାବ୍ଦୀ ଶତାବ୍ଦୀ ଧରି ରାଜୁତି କରି ଆସୁଛନ୍ତି।

ରାଣୀ ଦୁର୍ଗାବତୀ, ଭଗବାନ ବିର୍ସା ମୁଣ୍ଡା, ଶହୀଦ ମାଧୋ ସିଂହ, ବୀର ସୁରେନ୍ଦ୍ର ସାଏ ପ୍ରମୁଖଙ୍କ ନେତୃତ୍ୱର ବୀରଗାଥା ଗୋଁଣ୍ଡ ଜନଜାତି ତଥା ସମସ୍ତ ଭାରତୀୟଙ୍କୁ ଗର୍ବ କରିବାକୁ ବାଧ୍ୟ କରେ। ଗୋଁଣ୍ଡୱାନା ଛକକୁ ବିପ୍ଳବୀ ବୀର ତଥା ଶହୀଦ କରୁଣାକର ସିଂହ ନାଏକଙ୍କ ନାଁରେ ନାମିତ କରାଗଲେ ଏହି ମହାନାୟକଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଝାରସୁଗୁଡ଼ାବାସୀ ଏବଂ ଗୋଁଣ୍ଡ ସମାଜ ପ୍ରତି ଉପଯୁକ୍ତ ସମ୍ମାନ ମିଳିବ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭାରତୀୟ ମୁକ୍ତି ସଂଗ୍ରାମରେ ଗଣ୍ଡ ସମାଜର ତ୍ୟାଗ ଏବଂ ବଳିଦାନ ଅବିସ୍ମରଣୀୟ। ଆମେ ଯେତେବେଳେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଅଛେ, ଜନଜାତି ସମାଜର ସଂଗ୍ରାମୀ ବୀର–ବୀରାଙ୍ଗନାମାନଙ୍କର ଅକୁହା-ଅଲେଖା କଥା-କାହାଣୀଗୁଡ଼ିକୁ ଲୋକଲୋଚନକୁ ଆଣିବାର ଗୁରୁଦାୟିତ୍ୱ ବି ଆମେ ତୁଲାଉଛେ। ଓଡ଼ିଶାର, ବିଶେଷ କରି ପଶ୍ଚିମାଞ୍ଚଳର ଜନଜାତି ଅଧିନାୟକମାନଙ୍କୁ ସର୍ବଭାରତୀୟ ପାଠ୍ୟଖସଡ଼ାରେ ଯଥାସ୍ଥାନ ଦେବା ନିମନ୍ତେ ଆମେ ବଦ୍ଧପରିକର ବୋଲି କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ୧୧ ତାରିଖରେ ଝାରସୁଗୁଡାର କଟାପାଲି ଷ୍ଟାଡିୟମ ଠାରେ ‘ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା’ର ପଞ୍ଚଦଶ ରାଷ୍ଟ୍ରୀୟ ଅଧିବେଶନରେ ଯୋଗଦେଇ ସ୍ଥାନୀୟ ସମାଜର ଦାବୀ କ୍ରମେ ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ଭାବେ ନାମିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବା ନେଇ ମତ ରଖିଥିଲେ।

Categories
ବିଶେଷ ଖବର

ରାଜ୍ୟ ପଞ୍ଚାୟତିରାଜ ବିଭାଗର ସଫଳତା ସଂପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଧହୁଏ ଅବଗତ ନାହାନ୍ତି: ବିଜେଡି

ଭୁବନେଶ୍ବର: ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଭାରତ ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ମାନ୍ୟବର ମନ୍ତ୍ରୀ। ଓଡ଼ିଶାରେ ପଞ୍ଚାୟତିରାଜ ବିଭାଗ କିପରି କାମ କରୁଛି, ତାହା ବୋଧହୁଏ ସେ ଭଲ ଭାବେ ଅବଗତ ନାହାନ୍ତି। ଆଜି ଗଣମାଧ୍ୟମରେ ଏଭଳି ମତ ରଖିଛନ୍ତି ବିଜୁ ଜନତା ଦଳର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡା. ସସ୍ମିତ ପାତ୍ର।

ଶ୍ରୀ ପାତ୍ର କହିଛନ୍ତି ଯେ, ସମ୍ଭବତଃ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦ ହାରିବା ପରେ ଭାରତୀୟ ଜନତା ପାର୍ଟି ଓଡ଼ିଶା ଶାଖାର ନେତାମାନେ ହତାଶ ହୋଇ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ମିଥ୍ୟା ତଥ୍ୟ ଦେଇଛନ୍ତି। ଓଡ଼ିଶାର ପଞ୍ଚାୟତିରାଜ ବିଭାଗରେ ନିରନ୍ତର ଭାବେ ଯେଉଁସବୁ ଭଲ କାମ ଚାଲିଛି ଏବଂ ସେଥିପାଇଁ ଜାତୀୟସ୍ତରର ବିଭିନ୍ନ ସଂସ୍ଥା ପକ୍ଷରୁ ପୁରସ୍କୃତ ହୋଇଛି, ତାହା ସେ ଜାଣିନାହାନ୍ତି।

ତେଣୁ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ, ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରୁ ଏ ସମ୍ପର୍କରେ ପ୍ରକୃତ ତଥ୍ୟ ସଂଗ୍ରହ କରି ତାହା ଅନୁଧ୍ୟାନ କରନ୍ତୁ । ତେବେ ତାଙ୍କର ଏହି ସଂଶୟ ଦୂର ହୋଇଯିବ। ଏହାଛଡ଼ା ସେ ଆଉ ତାଙ୍କ ଦଳର ସ୍ଥାନୀୟ ନେତାମାନଙ୍କ ମିଛକୁ ବିଶ୍ଵାସ ନ କରିବାକୁ ଏବଂ ଭ୍ରମାତ୍ମକ ତଥ୍ୟ  ଦ୍ଵାରା ପ୍ରଭାବିତ ନ ହେବାକୁ ଶ୍ରୀ ପାତ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଅନୁରୋଧ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଜୟନାରାୟଣ ପୋଲିସକୁ ଧକ୍କା ମାରିବା ପ୍ରସଂଗରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପ୍ରଣବ ଦାସ

ଭୁବନେଶ୍ବର: ବିଜେପି ବିଧାୟକ ତଥା ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଆଜି ଜଣେ ମହିଳା ଥାନା ଅଧିକାରୀଙ୍କୁ ଧକ୍କା ମାରିଛନ୍ତି। ଏହାକୁ ନେଇ ବର୍ତ୍ତମାନ ଓଡିଶା ରାଜନୀତି ସରଗରମ ହୋଇଯାଇଛି।

ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ତଥା ଦଳର ସଂଗଠାନିକ ସଂପାଦକ ପ୍ରଣବ ଦାସ।

ପ୍ରଣବ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୟାଗ କରି ଏକ ଟୁଇଟ କରି କହିଛନ୍ତି ଯେ, ଭାଇ, ଓଡ଼ିଶା ବିଜେପି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଯେଉଁଭଳି ଭାବେ ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କ ଉପରେ ବର୍ବରୋଚିତ ଶାରୀରିକ ଆକ୍ରମଣ କରିଛନ୍ତି, ଆପଣ ନିଶ୍ଚିତ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଓଡ଼ିଶାବାସୀ ଏହା ଆପଣଙ୍କଠୁ ଆଶା ରଖୁଛନ୍ତି।

ଆଉ ଏକ ଟୁଇଟ ସହ ଜୟନାରାୟଣ ଧକ୍କା ମାରୁଥିବାରୁ ଭିଡିଓ ଅପଲୋଡ କରି ପ୍ରଣବ କହିଛନ୍ତି ଯେ, ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କ ପ୍ରତି ଏଭଳି ଅଶାଳୀନ ବ୍ୟବହାର ଏବଂ ବର୍ବରୋଚିତ ଶାରୀରିକ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ। ଜଣେ ନାରୀ ପ୍ରତି ଜୟନାରାୟଣଙ୍କ ଏଭଳି ଆକ୍ରମଣ ଅତ୍ୟନ୍ତ ଲଜ୍ୟାଜନକ। ଓଡ଼ିଶାବାସୀ ଏହାକୁ କଦାପି ଗ୍ରହଣ କରିବେ ନାହିଁ।

ସେହିପରି ଓଡିଶାର ଜନ ସାଧାରଣଙ୍କୁ ସମ୍ବୋଧନ କରି ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ଓଡ଼ିଶାବାସୀ ଦୟାକରି ଦେଖନ୍ତୁ, ଓଡ଼ିଶା ବିଜେପିର ଅସଲ ଚେହେରା। ନାରୀ ସୁରକ୍ଷା ଓ ସଶକ୍ତିକରଣ ନେଇ ଓଡ଼ିଶା ବିଜେପି ଡିଣ୍ଡିମ ପିଟୁଥିବା ବେଳେ ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ରଙ୍କ ଏ ହେଉଛି ନାରୀଙ୍କ ପ୍ରତି ସମ୍ମାନ।

ଏହି ଟୁଇଟ ପରେ ପ୍ରଣବଙ୍କୁ ବହୁ ଲୋକ ସମର୍ଥନ କରିଥିବା ବେଳେ କେତେକ ସମାଲୋଚନା ମଧ୍ୟ କରିଛନ୍ତି। ତେବେ ଜଣେ ୟୁଜର ନିଜକୁ ବିଜେପି ସମର୍ଥକ ବୋଲି ଘୋଷଣା କରି ଜୟନାରାୟଣଙ୍କ ଏହି ହିଂସାତ୍ମକ କାର୍ଯ୍ୟକୁ ନିନ୍ଦା କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧା ଟାର୍ଗେଟ କଲା ବିଜେଡି, ସାଂସଦ ସସ୍ମିତ ପାତ୍ର କହିଲେ ଏପରି କଥା

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସାମ୍ବାଦିକମାନଙ୍କ ସହିତ ଆଲୋଚନା ସମୟରେ ଆଇନ ଶୃଙ୍ଖଳା ବିଷୟରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ । ବିଜେପି ଶାସିତ ରାଜ୍ୟଗୁଡିକରେ ମଦ ଜନିତ ଦୁର୍ଘଟଣା ହେଉ କିମ୍ବା ପୋଲ ଭୁଶୁଡ଼ିବା ହେଉ ଅନେକ ଲୋକଙ୍କ ମୃତ୍ୟୁ ତଥା ମହିଳାଙ୍କ ପ୍ରତି ହେଉଥିବା ଅପରାଧ ମଧ୍ୟ ରହିଛି । ଅଧିକାଂଶ କ୍ଷେତ୍ରରେ ଲୋକମାନେ ନ୍ୟାୟିକ ତଦନ୍ତ ଦାବି କରିଥିଲେ ମଧ୍ୟ ତାହା କେବେ ହୋଇନାହିଁ ବୋଲି କହିଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ପାତ୍ର ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ଜବାବ ଦେଇ କହିଛନ୍ତି ଯେ ଆପଣଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଅପରାଧିକ ମାମଲାର ରାଜନୀତିକରଣ କରିବା ଏବଂ ରାଜନୈତିକ କାହାଣୀ ସୃଷ୍ଟି କରିବା । ରାଜ୍ୟ ସ୍ୱଚ୍ଛ ଏବଂ ଏହି ମାମଲାର ତଦାରଖ ପାଇଁ ଓଡ଼ିଶା ହାଇକୋର୍ଟ ଜଣେ ହାଇକୋର୍ଟ ବିଚାରପତିଙ୍କୁ ଦାୟିତ୍ୱ ଦେଇଛନ୍ତି । ଏଥିରେ ଆମ ପାଇଁ ଲୁଚାଇବାର କିଛି ନାହିଁ ।

ଆପଣ ନିଜ ବିବୃତ୍ତିରେ ବାରମ୍ବାର ହାଇକୋର୍ଟଙ୍କ ନାମ ନେଇଥିଲେ କିନ୍ତୁ ଆପଣ ହାଇକୋର୍ଟର ଜଣେ ବିଚାରପତିଙ୍କ ମନିଟରିଂ ଉପରେ ସନ୍ଦେହ କରୁଛନ୍ତି । ଏହା କ’ଣ କେବଳ ରାଜନୈତିକ ଉଦ୍ଦେଶ୍ୟ ହାସଲ କରିବାକୁ କି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି । ବିଜେଡି ମୁଖପାତ୍ର କହିଛନ୍ତି ଯେ ଆଜି ସକାଳେ ଆପଣଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ସମସ୍ତ ମାମଲା ସମ୍ପୃକ୍ତ ଅଦାଲତରେ ଅଛି । ଅନ୍ତତଃ ପକ୍ଷେ ନ୍ୟାୟପାଳିକା ଉପରେ ଆପଣଙ୍କର ବିଶ୍ୱାସ ରହିବା ଉଚିତ ଏବଂ ଆପଣ ସେମାନଙ୍କ ଅନୁଯାୟୀ ନ୍ୟାୟ ପ୍ରଦାନ କରିବାକୁ କୋର୍ଟଙ୍କୁ ସୁଯୋଗ ଦେବା ଉଚିତ ଏବଂ ସେମାନଙ୍କ ଉପରେ ସନ୍ଦେହ ଏବଂ ପ୍ରଶ୍ନ ସୃଷ୍ଟି କରିବା ଉଚିତ୍‍ ନୁହେଁ ।

ହତ୍ୟା ମାମଲା ସମେତ ୧୪ଟି ଅପରାଧିକ ମାମଲା ଥିବା ଜଣେ ବରିଷ୍ଠ ବିଜେପି ନେତା ଆପଣଙ୍କ ଦ୍ୱାରା ଓଡିଶା ବିଧାନସଭାରେ ବିରୋଧୀଦଳର ନେତା ଭାବରେ ନିଯୁକ୍ତ ହୋଇଛନ୍ତି । ଅତୀତରେ ସେ ଜେଲରେ ଥିଲେ ଏବଂ ବିଜେପୁର ଉପନିର୍ବାଚନ ସମୟରେ ଘଟିଥିବା ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ସେ ଜାମିନରେ ଆସି ନାହାନ୍ତି କି ? ଆପଣ ଆପଣଙ୍କର ଏଭଳି ଲୋକଙ୍କୁ ବିରୋଧୀ ଦଳର ନେତା କରୁଥିବାବେଳେ ଓଡିଶା ସରକାରଙ୍କୁ ପ୍ରଶ୍ନ କରିବା ପାଇଁ ଆପଣଙ୍କର ନୈତିକତା ଅଛି କି ବୋଲି ଡକ୍ଟର ପାତ୍ର ସିଧାସଳଖ ପଚାରିଛନ୍ତି ।

ସେ କହଛନ୍ତି ଯେ ଭାରତୀୟ ଜନତା ପାର୍ଟିର ବର୍ତ୍ତମାନର ଯୁବ ମୋର୍ଚ୍ଚା ସଭାପତି ଜେଲ୍‍ରେ ଥିଲେ ଏବଂ ଭଟଲି ହତ୍ୟାକାଣ୍ଡ ଘଟଣାରେ ଏବେ ଜାମିନରେ ଆସିଛନ୍ତି । ସେହିଭଳି ଏହା କ’ଣ ଲଜ୍ଜାଜନକ ନୁହେଁ କି ? ଓଡିଶାରୁ କେନ୍ଦ୍ରମନ୍ତ୍ରୀ ହୋଇଥିବା ଆପଣଙ୍କ ନେତା ମୟୂରଭଞ୍ଜରେ ସରକାରୀ କର୍ମଚାରୀଙ୍କ ହାତକୁ ଭାଙ୍ଗି ଦେଇଥିଲେ ଏବଂ ବର୍ତ୍ତମାନ ଜାମିନରେ ଅଛନ୍ତି ।

ସେହି ଦୁର୍ଭାଗ୍ୟଜନକ କୋରାପୁଟ ମାମଲାରେ ଆପଣ ରାଜନୀତି କରିଛନ୍ତି ଏବଂ ନିର୍ବାଚନ ସମୟରେ ଆପଣଙ୍କ ଦଳ ମଧ୍ୟ ସେହି ଗ୍ରାମପଞ୍ଚାୟତ ହରାଇଛନ୍ତି । ନିଜର ରାଜନୈତିକ ଲାଭ ତଥା ଅଧିକାଂଶ କ୍ଷେତ୍ରରେ ଅପରାଧୀଙ୍କ ପକ୍ଷ ରଖିବା ପାଇଁ ଅପରାଧିକ ମାମଲାକୁ ରାଜନୀତିକରଣ କରିବାର ବିଜେପିର ରଣନୀତିକୁ ଲୋକମାନେ ଦେଖୁଛନ୍ତି । ଓଡିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି କିଏ ସୃଷ୍ଟି କରୁଛି ଏବଂ କିପରି କରୁଛି ତାହା ଓଡିଶାର ଲୋକମାନେ ଜାଣିଛନ୍ତି । ଓଡିଶାର ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଯେଉଁ ଚେଷ୍ଟା କରୁଛନ୍ତି ସେଥିରେ ଆପଣ ସଫଳ ହେବେ ନାହିଁ ।

ନିର୍ବାଚନ ସମୟରେ ଧାନ କିଣାକୁ ନେଇ କାନ୍ଦନ୍ତୁ ନାହିଁ । ଧାନ କିଣା ବାବଦରେ ଆପଣଙ୍କ କେନ୍ଦ୍ର ସରକାର ୨୦,୦୦୦ କୋଟି ଟଙ୍କା ହ୍ରାସ କରିଛନ୍ତି । କ୍ରୟ ଲକ୍ଷ୍ୟ ଯାହାକି ପୂର୍ବରୁ ଓଡିଶା ପାଇଁ ବର୍ଷକୁ ୧୭-୧୮ ଲକ୍ଷ ଟନ୍ ଥିଲା ତାହା ୪ ଲକ୍ଷ ମେଟ୍ରିକ୍ ଟନ୍‌କୁ ହ୍ରାସ କରାଯାଇଛି । ଏଥିରେ କେବଳ ଓଡିଶାର ଗୋଟିଏ ଜିଲ୍ଲାରୁ କିଣାଯାଇ ପାରିବ ଏବଂ ଅବଶିଷ୍ଟ ୨୯ଟି ଜିଲ୍ଲା ସହିତ କ’ଣ ହେବ? ଓଡିଶାର ଲକ୍ଷ ଲକ୍ଷ କୃଷକ ଏହାଦ୍ୱାରା ପ୍ରଭାବିତ ହେବେ । ଆପଣ ପ୍ରତି ମାସରେ ଗରିବଙ୍କ ପାଇଁ ମିଳୁଥିବା ୫ କିଲୋ ଚାଉଳ କାଟିଛନ୍ତି । ଗତ ୯ ବର୍ଷ ଧରି ଉପକୂଳ ରାଜପଥ କାଗଜ କଲମରେ ରହିଛି । ଆପଣ କଟକରୁ ସମ୍ବଲପୁରକୁ ନେଇଥିବା ରାସ୍ତା ଦେଶର ସବୁଠାରୁ ଖରାପ ଏବଂ ଏହା ଆପଣଙ୍କର ନିଜସ୍ୱ ଜାତୀୟ ରାଜପଥ ଅଟେ ।

ଆପଣ ଗତ ୯ ବର୍ଷ ମଧ୍ୟରେ ଓଡିଶା ଠାରୁ ରେଳବାଇରେ ୨ ଲକ୍ଷ କୋଟି ନେଇଛନ୍ତି ଏବଂ ଏପର୍ଯ୍ୟନ୍ତ କେବଳ ୨୦୦ ନୂତନ ଯାତ୍ରୀଙ୍କ ପାଇଁ ରେଳ ସେବା ଯୋଡିଛନ୍ତି । ଯଦି ଆପଣ ବିକାଶ ପାଇଁ କାର୍ଯ୍ୟ କରନ୍ତି ତେବେ ସର୍ବଦା ନିର୍ବାଚନ ପାଇଁ କାର୍ଯ୍ୟ କରିବା ପରିବର୍ତ୍ତେ, ଆପଣ ଗତ ୯ ବର୍ଷ ମଧ୍ୟରେ କ’ଣ କରିଛନ୍ତି ତାହା ଦେଖାଇବାକୁ ପଡିବ ।

୨୦୧୯ ସାଧାରଣ ନିର୍ବାଚନ ଏବଂ ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆପଣ ବିଭିନ୍ନ ସମ୍ବେଦନଶୀଳ ମାମଲାରେ ରାଜନୀତି କରିଥିଲେ ଏବଂ ସମସ୍ତ ପ୍ରକାରର ମିଥ୍ୟା କାହାଣୀ ସହିତ ଲୋକଙ୍କ ନିକଟକୁ ଯାଇଥିଲେ । ଓଡିଶାର ଲୋକମାନେ ଏହାକୁ ପସନ୍ଦ କରୁନଥିଲେ ଏବଂ ଏଭଳି ନିଚ୍ଚ ସ୍ତରର ରାଜନୀତି ପାଇଁ ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ । ଜିଲା ପରିଷଦ ନିର୍ବାଚନରେ ସମସ୍ତ ତିରିଶ ଜିଲ୍ଲା ବିଜେପି ହରାଇଛି ।

ଏଠାରେ ଅପରାଧର ରାଜନୀତିକରଣର ରଣନୀତି କାମ କରେ ନାହିଁ ଏବଂ ସରକାରଙ୍କ ଉପରେ ଲୋକଙ୍କର ବିଶ୍ୱାସ ଅଛି । ଆପଣ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ ଏବଂ ଲୋକଙ୍କ ପାଇଁ କିଛି କରନ୍ତୁ ଏବଂ ଅପରାଧର ରାଜନୀତିକରଣ କରିବା ପରିବର୍ତ୍ତେ ଲୋକଙ୍କ ପାଇଁ ଭଲ କାମ କରନ୍ତୁ ଯାହା ଆପଣଙ୍କୁ ରାଜନୈତିକ ଫାଇଦା ଦେବ ବୋଲି ଆଶା କରୁଛି । ଅତୀତରେ ଓଡିଶାର ଲୋକମାନେ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଭବିଷ୍ୟତରେ ଆପଣଙ୍କର ଏଭଳି ରାଜନୀତିକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିବେ ବୋଲି ଡକ୍ଟର ପାତ୍ର କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ନୂଆ ଦଳୀୟ ଦାୟିତ୍ବ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରାଯାଇଛି। ତାହା ହେଲା ଦଳୀୟ ଦାୟିତ୍ବ। ଆଜି ତାଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା କର୍ଣ୍ଣାଟକର ପ୍ରଭାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଆଗକୁ କର୍ଣ୍ଣାଟକ ନିର୍ବାଚନ ଥିବାରୁ ତାଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି।

ପୂର୍ବରୁ ଧର୍ମେନ୍ଦ୍ର ବିହାର ପରି ରାଜ୍ୟର ପ୍ରଭାରୀ ଭାବେ ନିଯୁକ୍ତ ପାଇଥିଲେ। ଏହାପରେ ଗତ ୟୁପି ନିର୍ବାଚନ ବେଳେ ତାଙ୍କୁ ସେଠାକାର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିଲା। ସେଠାରେ ବିଜେପି ସରକାର ଗଠନ କରିବାରେ ସକ୍ଷମ ହୋଇପାରିଛି। ସେହି ଭରସା କରି ତାଙ୍କୁ ଦଳ କର୍ଣ୍ଣାଟକ ରାଜ୍ୟର ପ୍ରଭାରୀ ଭାବେ ନିଯୁକ୍ତ କରିଛି।

Categories
ଆଜିର ଖବର ଜାତୀୟ ଖବର

ଆର୍ଥିକ ବର୍ଷ ୨୦୨୩-୨୪ କେନ୍ଦ୍ର ବଜେଟ୍ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ସଂସଦରେ ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରଣଙ୍କ ଦ୍ୱାରା ଉପସ୍ଥାପିତ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ବିକଶିତ ଭାରତ ପାଇଁ ବଜେଟ୍ ବୋଲି ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଜନକେନ୍ଦ୍ରୀକ, ଅଭିବୃଦ୍ଧି ଓ ଉତ୍ସାହପୂର୍ଣ୍ଣ ଅମୃତକାଳ ବଜେଟ୍ ଉପସ୍ଥାପନ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଚଳିତବର୍ଷ  ମୋଟ ୧ ଲକ୍ଷ ୧୬ ହଜାର ୪୧୭ କୋଟି ଟଙ୍କା ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରଣାଳୟ ପାଇଁ ବ୍ୟବବରାଦ କରାଯାଇଛି। ଜାତୀୟ ଶିକ୍ଷା ନୀତିକୁ କ୍ରିୟାନ୍ୱୟନ କରିବା ପାଇଁ ଚଳିତବର୍ଷ ପ୍ରଥମ ଥର ଶିକ୍ଷା ବିଭାଗରେ ସର୍ବାଧିକ ୧ ଲକ୍ଷ ୧୨ ହଜାର ୮୯୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାବ୍ୟତିତ ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ପାଇଁ ୩ ହଜାର ୫୧୭ କୋଟି ଟଙ୍କା ଆବଣ୍ଟନ ହୋଇଛି।

ଏନଇପିକୁ କ୍ରିୟାନ୍ୱୟନ କରିବାରେ ଶିକ୍ଷକ ମାନଙ୍କର ଭୂମିକା ମହତ୍ୱପୂର୍ଣ୍ଣ। ଏଥିପାଇଁ ବଜେଟରେ ଶିକ୍ଷକ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ତଥା ସେମାନଙ୍କ କ୍ଷମତା ବୃଦ୍ଧି ପାଇଁ ତାଲିମ ଦିଆଯିବା ଭଳି ଡାଏଟ(ଡିଷ୍ଟ୍ରିକ୍ଟ ଇନଷ୍ଟିଚ୍ୟୁସନ ଫର୍ ଏଜ୍ୟୁକେସନ ଆଣ୍ଡ୍ ଟ୍ରେନିଂ)କୁ ଅପଗ୍ରେଡେସନ କରାଯାଇଛି। ଶିଶୁଙ୍କ ଜ୍ଞାନ ବଢାଇବା ପାଇଁ ଏବଂ ସମଗ୍ର ଭାରତବର୍ଷର ବିଷୟ ଉପରେ ଜ୍ଞାନ ଆହରଣ କରିବା ପାଇଁ ଜାତୀୟ ଡିଜିଟାଲ ଲାଇବ୍ରେରୀର କଳ୍ପନା କରାଯାଇଛି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଆମ ଦେଶର ଲକ୍ଷାଧିକ ଯୁବକ ଯୁବତୀଙ୍କୁ ଅତ୍ୟାଧୁନିକ ପାଠ୍ୟକ୍ରମ ଯଥା କୋଡିଂ, ରୋବୋଟିକ, ଡ୍ରୋନ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ସଫ୍ଟ ସ୍କିଲ କ୍ଷେତ୍ରରେ କୁଶଳୀ କରାଯିବ। ୩୦ ସ୍କିଲ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ପ୍ରତିଷ୍ଠା କରାଯାଇ ଯୁବକଙ୍କୁ ଦକ୍ଷ କରାଯିବ। ୧୫୭ ମେଡିକାଲ କଲେଜରେ ୧୫୭ ନର୍ସିଂ କଲେଜ୍ ସ୍ଥାପନ ହେବ। ଦେଶରେ ୭୪୦ଟି ଏକଲବ୍ୟ ସ୍କୁଲ ଗୁଡିକରେ ୩୮ ହଜାର ୮୦୦ ଶିକ୍ଷକ ଓ ସହାୟକଙ୍କୁ ନିଯୁକ୍ତି ନିଆଯିବ। ଏହା ଦ୍ୱାରା ୩.୫ ଲକ୍ଷ ଜନଜାତି ଛାତ୍ରଛାତ୍ରୀ ଲାଭ ପାଇବେ।

ପ୍ରଧାନମନ୍ତ୍ରୀ କୌଶଲ୍ୟ ବିକାଶ ଯୋଜନା,‘ଏଗ୍ରିକଲ୍‌ଚୁରାଲ୍‌ ଏକ୍ସଲେଟର୍‌ ଫଣ୍ଡ୍‌’ ଗଠନ, ମତ୍ସ୍ୟ ଚାଷ ଓ ଦୁଗ୍ଧଜାତ ସାମଗ୍ରୀ ଉପରେ ଧ୍ୟାନ ନିବେଶ, ମିଲେଟ୍‌କୁ ପ୍ରୋତ୍ସାହନ ପାଇଁ ‘ଶ୍ରୀଅନ୍ନ’, ମିଷ୍ଟି ଯୋଜନା, ପର୍ଯ୍ୟଟନକୁ ଗୁରୁତ୍ୱ, ପ୍ରମିଟିଭ୍ ଜନଜାତିଙ୍କ ବିକାଶ ପାଇଁ ୧୫ ହଜାର କୋଟି ଟଙ୍କାର ବ୍ୟୟବରାଦ ହେବ। ଓ୍ୱାନ ଡିଷ୍ଟ୍ରିକ୍ଟ- ଓ୍ୱାନ ପ୍ରଡକ୍ଟ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବା ପାଇଁ ମଲ୍ ନିର୍ମାଣ ହେବ। ସବୁଜ ଅର୍ଥନୀତିକୁ ଗୁରୁତ୍ୱ, ଏମଏସଏମଇ ଓ କର୍ପୋରେଟ୍ କ୍ଷେତ୍ର ଏବଂ ଡିଜିଟାଲ ଭିତ୍ତିଭୂମି ଆହୁରି ସୁଦୃଢ଼଼ ହେବ। ଏହା ଦ୍ୱାରା ଓଡ଼ିଶା ବିଶେଷ ଲାଭ ପାଇବ। ଗ୍ରାମୀଣ ଓ କ୍ଷୁଦ୍ର ସହରକୁ ଗତି ଦେଲା ଭଳି ବଜେଟ୍ ହୋଇଛି। ବଜେଟ୍ ଭାରତବର୍ଷର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ସମସ୍ତଙ୍କ ପାଇଁ ହୋଇଥିବା ଏହି ବଜେଟ୍ ଗରିବଙ୍କୁ ସଶକ୍ତ କରିବ ଏବଂ ଅନ୍ତିମ ଶ୍ରେଣୀର ଲୋକଙ୍କ ପାଖରେ ଲାଭ ପହଞ୍ଚିବ। ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଓ ବିକାଶ, ଡିଜିଟାଲ ଭିତ୍ତିଭୂମି, ସବୁଜ ଅର୍ଥନୀତି ଏବଂ ରୋଜଗାର କ୍ଷେତ୍ରକୁ ମଜଭୂତ କରିବା ଭଳି ବଜେଟ୍। ଏହି ବଜେଟ୍ ଭାରତ ପାଇଁ ଏକ ଦାୟିତ୍ୱବାନ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି, ଯାହା ଦେଶକୁ ଟେକ୍ନୋଲୋଜି ଭିତ୍ତିରେ ଜ୍ଞାନ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ଏକ ସୁଦୃଢ଼ ମୂଳଦୁଆ ପକାଇବ।

ଆଗାମୀ ୨୫ ବର୍ଷକୁ ଧ୍ୟାନରେ ରଖି ହୋଇଥିବା ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଏହି ବଜେଟ୍ ବିକଶିତ ଭାରତର ମୂଳଦୁଆ ପକାଇଛି। ‘ମହିଳା ସମ୍ମାନ ସଞ୍ଚୟ ଯୋଜନା’ରେ ମହିଳା ମାନଙ୍କୁ ବ୍ୟବସାୟ ସହ ଯୋଡିବା ଏବଂ ସଶକ୍ତ ଓ  ଆତ୍ମନିର୍ଭର  କରିବା ଦିଗରେ ଧ୍ୟାନ ଦିଆଯାଇଛି। ଏକବିଂଶ ଶତାବ୍ଦୀର କାର୍ଯ୍ୟଶୈଳୀକୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତ ହୋଇଛି। ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି। ଟିକସ ରିହାତି ନିମ୍ନ ଓ ମଧ୍ୟବିତ୍ତଙ୍କୁ ଆର୍ଥିକ ବୋଝରୁ ମୁକ୍ତ କରିବ। ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯାଇଛି । ଚ୍ୟାଲେଞ୍ଜି ଆଧାରରେ ୫୦ଟି ଅତିରିକ୍ତ ବିମାନବନ୍ଦର, ଏୟାରଷ୍ଟ୍ରିପର ହେବ ପୁନରୁଦ୍ଧାର ହେବା ଦ୍ୱାରା ବିଶ୍ୱସ୍ତରୀୟ ପର୍ଯ୍ୟଟନ ସୁବିଧା ପର୍ଯ୍ୟଟକଙ୍କୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସମ୍ବଲପୁର-ଶାଲିମାର-ସମ୍ବଲପୁର ତ୍ରି-ସାପ୍ତାହିକ ଏକ୍ସପ୍ରେସର ବଦଳିଲା ନାମ

ଭୁବନେଶ୍ବର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଅଶ୍ୱିନୀ ବୈଷ୍ଣବ ଜୀ ଟ୍ରେନ୍ ନଂ 20832/20831 ସମ୍ବଲପୁର-ଶାଲିମାର-ସମ୍ବଲପୁର ତ୍ରି-ସାପ୍ତାହିକ ଏକ୍ସପ୍ରେସ (ଭାୟା – ଅନଗୁଲ, ତାଲଚେର ) କୁ “ମହିମା ଗୋସାଇଁ ଏକ୍ସପ୍ରେସ” ନାମରେ ନାମିତ କରାଯାଇଛି।

29 ଡିସେମ୍ବର 2022 ରେ ଭୁବନେଶ୍ୱର ରେଳ ଷ୍ଟେସନର ପୁନ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ମାନ୍ୟବର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାନନୀୟ ରେଳମନ୍ତ୍ରୀଙ୍କୁ ସମ୍ବଲପୁର-ଶାଲିମାର-ସମ୍ବଲପୁର ତ୍ରି-ସାପ୍ତାହିକ ଟ୍ରେନର ନାମକୁ ପରିବର୍ତ୍ତନ କରି “ମହିମା ଗୋସାଇଁ ଏକ୍ସପ୍ରେସ” ଭାବରେ ନମିତ କରିବାକୁ ଅନୁରୋଧ କରିଥିଲେ। ମହିମା ଶ୍ରୀକ୍ଷେତ୍ର ପ୍ରତି ଲୋକଙ୍କ ଭାବନା ଏବଂ ବିଶ୍ୱାସକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ସମ୍ବଲପୁର-ଶାଲିମାର-ସମ୍ବଲପୁର ତ୍ରି-ସାପ୍ତାହିକ ଏକ୍ସପ୍ରେସକୁ “ମହିମା ଗୋସାଇଁ ଏକ୍ସପ୍ରେସ” ଭାବରେ ନାମିତ କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏଥର ନିର୍ବାଚନ ଲଢିବେ ବୋଲି କହିଲେ ଧର୍ମେନ୍ଦ୍ର, ହେଲେ ଲୋକସଭା ନା ବିଧାନସଭା !

ଭୁବନେଶ୍ବର: ଏଥର ନିର୍ବାଚନ ଲଢିବେ, ଏହି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ବରରେ ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ ଖବରକାଗଜ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି। ହେଲେ ତାଙ୍କୁ ଯେତେବେଳେ ପଚରାଗଲା ଯେ, ଲୋକସଭା ନା ବିଧାନସଭା ନିର୍ବାଚନ ଲଢିବେ, ତାହାର କୌଣସି ଉତ୍ତର ରଖିଲେ ନାହିଁ। ଚତୁରତା ସହିତ ସେ ଏହି ଉତ୍ତରକୁ ଏଡାଇ ଦେଲେ।

ସେ କହିଲେ ଯେ, ଏଥର ନିର୍ବାଚନ ଲଢିବା ପାଇଁ ମୁଁ ଦଳକୁ ଅନୁରୋଧ କରିଛି। ଦଳ ଅନୁସାରେ ମୁଁ ନିର୍ବାଚନ ଲଢିବି। ତେବେ କେଉଁ ଆସନରୁ ଛିଡା ହେବେ ବୋଲି ପଚାରିବା ପରେ ତାହାର ଉତ୍ତର ମଧ୍ୟ ସେ ଦେଇ ନ ଥିଲେ। ଫଳରେ ଧର୍ମେନ୍ଦ୍ର ତାଙ୍କର ଭବିଷ୍ୟତ ରାଜନୀତି ସଂପର୍କରେ କିଛି କହିଲେ ଆଉ କିଛି ଲୁଚାଇ ଦେଲେ। ଯାହାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି।

ତେବେ ଧର୍ମେନ୍ଦ୍ରଙ୍କ କିଛି ବର୍ଷର କାର୍ଯ୍ୟକଳାପକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଯେ, ସେ ଢେଙ୍କାନାଳ ଲୋକସଭା ଉପରେ ଗୁରୁତ୍ବ ଦେଇଆସୁଛନ୍ତି। ପ୍ରତି ମାସରେ ସେ ଏହି ଲୋକସଭା ଆସନରେ କିଛି ନା କିଛି କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି। ଏପରିକି ତାଙ୍କର ଧର୍ମପତ୍ନୀ ମଧ୍ୟ ସେଠାରେ ବିଭିନ୍ନ ଅଞ୍ଚଳ ବୁଲିବାରେ ଲାଗିଛନ୍ତି। ଢେଙ୍କାନାଳ ତାଙ୍କ ଅଞ୍ଚଳ ହୋଇଥିବାରୁ ସେ ସେଠାରୁ ଛିଡା ହେବେ ବୋଲି ଚର୍ଚ୍ଚା ଚାଲିଛି।

କେବଳ ଢେଙ୍କାନାଳ ନୁହେଁ, ସେ କୁଆଡେ ସମ୍ବଲପୁର ଲୋକସଭା ଆସନ ଉପରେ ମଧ୍ୟ ଦୃଷ୍ଟି ରଖିଛନ୍ତି। କାରଣ ଢେଙ୍କାନାଳରେ ତାଙ୍କ ପାଇଁ କିଛି ଅଡୁଆ ହେବ ବୋଲି ଧର୍ମେନ୍ଦ୍ର ଅନୁଭବ କରୁଛନ୍ତି। ସେଥିପାଇଁ ହାତରେ ଆଉ ଏକ ଆସନ ରଖିଛନ୍ତି। ଅନ୍ୟପକ୍ଷରେ ପଶ୍ଚିମ ଓଡିଶାରେ ବିଜେପିର ଦବଦବା ରହିଥିବାରୁ ସେହି ଆସନ ତାଙ୍କ ପାଇଁ ସୁରକ୍ଷିତ ହେବ ବୋଲି ସେ ଚିନ୍ତା କରିଛନ୍ତି। କେବଳ ସମୟ ଆଉ ରାଜନୈତିକ ପାଣିପାଗକୁ ଅପେକ୍ଷା କରିଛନ୍ତି।

ପୂର୍ବରୁ ଧର୍ମେନ୍ଦ୍ର ୨୦୦୦ ମସିହାରେ ପାଲଲହଡାରୁ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ସେହିପରି ୨୦୦୪ ମସିହାରେ ତତକାଳୀନ ଦେବଗଡ଼ ଲୋକସଭା ଆସନରୁ ମଧ୍ୟ ନିର୍ବାଚିତ ହୋଇଥିଲେ। ଧର୍ମେନ୍ଦ୍ରଙ୍କ ବାପା ଦେବେନ୍ଦ୍ର ପ୍ରଧାନ ମଧ୍ୟ ଦେବଗଡ଼ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ତେଣୁ ଧର୍ମେନ୍ଦ୍ରଙ୍କର ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ଅଭିଜ୍ଞତା ରହିଛି। ହେଲେ ବର୍ତ୍ତମାନ ସମୟରେ ସେହି ଅଭିଜ୍ଞତା କିପରି କାମ କରିବ ତାହା ପ୍ରଶ୍ନବାଚୀ।

Categories
ଆଜିର ଖବର ରାଜ୍ୟ ଖବର

ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ଦିନିକିଆ ସମ୍ବଲପୁର ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ସମ୍ବଲପୁର ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି, ଅମୃତ ମହୋତ୍ସବ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପୂଣ୍ୟ ଜୟନ୍ତୀରେ ତାଙ୍କ ଜନ୍ମ ମାଟି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ଠାରେ ଅନୁଷ୍ଠିତ ପଦଯାତ୍ରାରେ ସାମିଲ ହେବା ସହ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବେ।

ପଦଯାତ୍ରାରେ ଯୋଗଦେବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଓ ପରାକ୍ରମ ଦିବସ ଉପଲକ୍ଷେ ସମ୍ବଲପୁରରେ ଆଇଆଇଏମ ଓ ଆଇସିଏଚଆରର ମିଳିତ ଉଦ୍ୟମ ଉଦ୍ୟମରେ ଆୟୋଜିତ ସେମିନାର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। ମା’ ସମଲେଶ୍ୱରୀ ମନ୍ଦିରରେ ଦର୍ଶନ କରିବେ। ମାଣେଶ୍ୱର ବ୍ଲକ ସାସନ ପରମାଣପୁର ଠାରେ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ଅନୁଷ୍ଠିତ ଧନୁଯାତ୍ରା ସମାରୋହରେ କେନ୍ଦ୍ରମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ରୋଜଗାର ମେଳାରେ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରୋଜଗାର ମେଳା ମାଧ୍ୟମରେ ନିଯୁକ୍ତି ପାଇଥିବା ଯୁବକ ଯୁବତୀମାନେ ସ୍ୱାଧୀନତା ସଂଗ୍ରାମ ସମୟର ଯୁବବର୍ଗଙ୍କ ଭଳି ସୈନିକ ଭାବରେ କାମ କରନ୍ତୁ ବୋଲି ଶୁକ୍ରବାର ଭୁବନେଶ୍ୱର ଠାରେ ରୋଜଗାର ମେଳାରେ ନିଯୁକ୍ତି ପତ୍ର ବିତରଣ କରିବା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱର ସ୍ଥିତ ସିଏସଆଇଆର-ଆଇଏମଏମଟି ଠାରେ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରୋଜଗାର ମେଳାର ତୃତୀୟ ସଂସ୍କରଣର ଶୁଭାରମ୍ଭ କରିବା ସହ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ୧୨୮ ଜଣ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି। ନିଯୁକ୍ତି ପାଇ ନୂତନ ଜନ ସେବକ ହେବା ପାଇଁ ପ୍ରସ୍ତୁତ ଯୁବବର୍ଗଙ୍କୁ ସେ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ଗତ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ବିକଶିତ କରିବା ପାଇଁ ଆହ୍ୱାନ କରିଛନ୍ତି। ରୋଜଗାର ମେଳା ମାଧ୍ୟମରେ ନିଯୁକ୍ତି ହୋଇଥିବା ଯୁବକ ଯୁବତୀମାନେ ଅମୃତ କାଳରେ ସୈନିକ ଭାବରେ କାମ କରନ୍ତୁ। ଦେଶର ସ୍ୱତନ୍ତ୍ରତା ସଂଗ୍ରାମ ସମୟରେ ସେ ସମୟରେ ଯୁବପିଢିଙ୍କ ଉପରେ ଯେତେ ଦାୟିତ୍ୱ ଥିଲା, ତା’ ଠାରୁ ଅଧିକ ଦାୟିତ୍ୱ ଆଜିର ନବନିଯୁକ୍ତ ଯୁବପିଢିଙ୍କ କାନ୍ଧରେ ନ୍ୟସ୍ତ ରହିଛି। ଯେତେବେଳେ ଆମେ ନିଜର ଦାୟିତ୍ୱ ନେବା ସେତେବେଳେ ତା’ର ଗୁରୁତ୍ୱ ଓ ଭୂମିକା ବୁଝିପାରିବା। କେବଳ ଚାକିରି କରିବା ମନବୃତ୍ତିରେ ନ ରହି ଯୁବପିଢିମାନେ ଉଦ୍ୟମୀ ହୁଅନ୍ତୁ। ସମାଜରେ ଓ୍ୱଲେଥ୍ କ୍ରିଏସନ କରିବା ପାଇଁ ହେବ। ଏଥିପାଇଁ ମହତ୍ୱକାଂକ୍ଷା ବଡ ହେଉ, ମହତ ଉଦ୍ଦେଶ୍ୟରେ ହେଉ। ସମାଜରେ ସମ୍ପନ୍ନ ଆଣିବା ପାଇଁ ଆମକୁ କାଟାଲିଷ୍ଟ ହେବାକୁ ପଡିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନୀତି ଓ ଦୂରଦୃଷ୍ଟି କାରଣରୁ ଆଜି ଦେଶରେ ଯୁବପିଢିଙ୍କ ରୋଜଗାର, ସ୍ୱରୋଜଗାର ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ନୂଆ ପରିଭାଷା ତିଆରି ହୋଇଛି। ପ୍ରଥମେ ସ୍ୱଦେଶୀ ୫ଜି ପରେ ଏବେ ଆଇଆଇଟି ମାଡ୍ରାସ ସ୍ୱଦେଶୀ ମୋବାଇଲ ଅପରେଟିଂ ସିଷ୍ଟମ ‘BharOS’ ପ୍ରସ୍ତୁତ କରିଛି। ଏହା ହେଉଛି ଆମ ଯୁବକ ମାନଙ୍କର ନବସୃଜନର ପରାକାଷ୍ଠା। ଆଗାମୀ ଦିନରେ ବିଶ୍ୱ ବଜାରରେ ଆମର ଉତ୍ପାଦକୁ ବିକ୍ରି କରିବାର ଦିନ ଆଉ ବେଶୀ ଦୂର ନୁହେଁ। ଆଜି ଭାରତ ସରକାର ପିଏଲଆଇ ମାଧ୍ୟମରେ ଯୁବପିଢିଙ୍କ ରୋଜଗାର ଓ ସ୍ୱରୋଜଗାର କ୍ଷେତ୍ରକୁ ସଶକ୍ତ କରୁଛନ୍ତି। ଏକବିଂଶ ଶତାବ୍ଦୀକୁ ଦୃଷ୍ଟିରେ ରଖି ଢାଞ୍ଚା ତିଆରି ହେଉଛି। ଓଡ଼ିଶାର କୃଷି ଉତ୍ପାଦ ବିଶ୍ୱ ବଜାରରେ ପହଞ୍ଚାଇବାର ଯୋଜନା ହେଉଛି। ଓଡ଼ିଶା ଭଳି ରାଜ୍ୟରେ ବିମାନସେବା ଭିତ୍ତିଭୂମିକୁ ମଜବୁତ୍ କରାଯାଇଛି। ଭୁବନେଶ୍ୱର ଉପକଣ୍ଠରେ ପ୍ରାୟ ୧୦୦ କିମିରୁ ଉର୍ଦ୍ଧ୍ୱ ୮ ରୁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରି କ୍ୟାପିଟାଲ ଜୋନ୍ ରିଙ୍ଗ ରୋଡ୍ ତିଆରି କରାଯାଉଛି। ଓଡ଼ିଆ ଯୁବକଙ୍କର ବୌଦ୍ଧିକ କ୍ଷମତା କାରଣରୁ ବୈଶ୍ୱିକ କମ୍ପାନୀ ଗୁଡିକ ଓଡ଼ିଶା ମୁହାଁ ହେଉଛନ୍ତି।

ବିକଶିତ ରାଷ୍ଟ୍ରର ଅଭିବୃଦ୍ଧି ହ୍ରାସ ପାଇଥିବା ବେଳେ ଅନେକ ପ୍ରତିକୂଳ ସ୍ଥିତିରେ ଥାଇ ସତ୍ତ୍ୱେ ଭାରତର ଅଭିବୃଦ୍ଧି ୬ ରୁ ୭ ପ୍ରତିଶତରେ  ପହଞ୍ଚିଛି। ଟିକସରେ ଅଭିବୃଦ୍ଧି ପରିଲିକ୍ଷିତ ହୋଇଛି। ଭାରତର ଲୋକମାନେ ଟ୍ୟାକ୍ସ ଦେବା ପାଇଁ ଉତ୍ସାହିତ ଅଛନ୍ତି। ଭାରତ ଯୁବଶକ୍ତିଙ୍କ କାନ୍ଧରେ ଭରସା ରଖି ଅଗ୍ରସର ହେଉଛି। ପୂର୍ବରୁ ଆମେ କଲ୍ ସେଣ୍ଟରର କଳ୍ପନାକୁ ବୁଝିପାରୁଥିଲେ। ମାତ୍ର ଏବେ ଭାରତରେ ରହି ଆମ ଯୁବକ ମାନେ ଇଣ୍ଟରନେଟ୍ ମାଧ୍ୟମରେ ଆମେରିକାରେ ହୋଟେଲ ଶିଳ୍ପର କାମ କରିପାରିବାର ସମ୍ଭାବନା ରହିଛି।

ପ୍ରଧାନମନ୍ତ୍ରୀ ଚଳିତବର୍ଷ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ନିଷ୍ପତି ନେଇଛନ୍ତି। ଆଜି ଦେଶରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୭୧ ହଜାର ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଆଜି ଭୁବନେଶ୍ୱରରେ ରୋଜଗାର ମେଳା ମାଧ୍ୟମରେ ରେଳ ବିଭାଗ ସହ ଆସାମ ରିଫାଇଲ୍ସ, ଇନକମ ଟ୍ୟାକ୍ସ, ଷ୍ଟାଟିଟିକ୍ସ, ଆଇଆଇଟି ଭୁବନେଶ୍ୱର, ଇପିଏଫଓ, ଭାରତୀୟ ଡାକ, ନାଲକୋ, ଇଏସଆଇସି,ବିଏସଏଫ, ସେଲ୍, ଏସଏଲବିସି, ଏବଂ ଜିଏସଟି ଓ ଇନଡାରେକ୍ଟ ଟାକ୍ସ ବିଭାଗରେ ୧୨୮ ଜଣ ନିଯୁକ୍ତି ପାଇଛନ୍ତି। ଏହି ପଦକ୍ଷେପ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ଭୁବନେଶ୍ୱରରେ ଅନୁଷ୍ଠିତ ହେବ ରୋଜଗାର ମେଳା: ନିଯୁକ୍ତିପତ୍ର ବାଣ୍ଟିବେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ଦେଶରେ ନିଯୁକ୍ତି ଆଶାୟୀ ପ୍ରତିଭାବାନ ଯୁବକ ଯୁବତୀମାନଙ୍କୁ ସରକାରୀ ଚାକିରି ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସରକାର ବିଭିନ୍ନ ସ୍ଥାନରେ ରୋଜଗାର ମେଳା ଆୟୋଜନ କରୁଛନ୍ତି। ଆସନ୍ତାକାଲି, ୨୦ ଜାନୁଆରୀ ୨୦୨୩ରେ ଓଡ଼ିଶାରେ ଚଳିତ ବର୍ଷର ପ୍ରଥମ ରୋଜଗାର ମେଳା ଅନୁଷ୍ଠିତ ହେବ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରୋଜଗାର ମେଳାରେ ଯୋଗ୍ୟ ମନୋନୀତ ପ୍ରାର୍ଥୀମାନଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିବେ। ଏମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ନିଯୁକ୍ତି ମିଳିବ। ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ସିଏସଆଇଆର-ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି)ରେ ଏହି ରୋଜଗାର ମେଳା ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ ଯେ, ଦେଶର ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଚାକିରି ଦେବା ଲାଗି ଗତ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ। ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ସହରରେ ରୋଜଗାର ମେଳାମାନ ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭାରତ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ଖାଲି ରହିଥିବା ଅନୁମୋଦିତ ପଦବୀ ପୂରଣ କରିବା ଲାଗି ମିଶନ ମୋଡରେ କାମ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅନୁଗୋଳ ଏନଏଚ୍-୫୩ ପାଇଁ ୧୭୪ କୋଟି ମଞ୍ଜୁର: କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ -୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡକରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭାଗୀୟ ମନ୍ତ୍ରୀ ଶ୍ରୀ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅନୁଗୋଳ ଜିଲ୍ଲା ଏନଏଚ-୫୩ରେ ରେଙ୍ଗାଲି, ବଜ୍ରକୋଟ ଏବଂ ଟାକୁଆରେ ତିନୋଟି ବାଇପାସ ସହ ଜାତୀୟ ରାଜପଥର ସମ୍ପ୍ରସାରଣ ଏବଂ ଦୁଇ ଲେନ୍ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଏହି ଜାତୀୟ ରାଜପଥ ପାରାଦୀପ ବନ୍ଦର ସହ ରାଜ୍ୟର ବୃହତ ଶିଳ୍ପାଞ୍ଚଳ ଏବଂ ଖଣି କୋରିଡରକୁ ସଂଯୋଗ କରୁଛି । ରାଜପଥର ସମ୍ପ୍ରସାରଣ ଏବଂ ଉନ୍ନତିକରଣ ଦ୍ୱାରା ଲୋକଙ୍କ ଯାତୟତ ସୁରକ୍ଷିତ ହେବ । ଏହାବ୍ୟତିତ ଏହି ରାଜପଥ ଭାରି ଯାନର ଯାତାୟତ ସହଜ ହେବ ଏବଂ ଏହି ଶିଳ୍ପ କୋରିଡର ତଥା କୋଲ୍ ଇଣ୍ଡିଆ, ଏନଟିପିସି, ଜିନ୍ଦଲ ଷ୍ଟିଲର ସାମାଜିକ ଓ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ ।

ଶ୍ରୀ ପ୍ରଧାନ କହିଛନ୍ତି ଏନଏଚ ୫୩ର ସମ୍ପ୍ରସାରଣ ଅନୁଗୋଳ ଏବଂସମ୍ବଲପୁର ଜିଲ୍ଲାର ଯାତାୟତକୁ ସୁଗମ କରିବା ସହ ଶିଳ୍ପ କ୍ଷେତ୍ରର ବିକାଶ ହେବା ସଙ୍ଗେସଙ୍ଗେ ସାମାଜିକ ଓ ଆର୍ଥିକ ବିକାଶରେ ଅଭିବୃଦ୍ଧି ଘଟିବ ।

Categories
ବିଶେଷ ଖବର

୨୦୨୫ ସୁଦ୍ଧା ଭାରତର ୫୦% ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷାରେ ସଶକ୍ତ କରିବା ଆମର ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୦୨୫ ସୁଦ୍ଧା ଭାରତର ୫୦ ପ୍ରତିଶତ ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷାରେ ସଶକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି ଏବଂ ସ୍କୁଲ, ଦକ୍ଷତା ଓ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ (ଏନସିଏଫ୍) ବିକଶିତ କରାଯାଇଛି ବୋଲି ଶୁକ୍ରବାର “ଭଏସ ଅଫ୍ ଗ୍ଲୋବାଲ ସାଉଥ ସମ୍ମିଟ”ରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେତେବେଳେ ଭାରତ ଜି୨୦ର ଅଧ୍ୟକ୍ଷତା କରୁଛି, ସେହି ସମୟରେ “ଭଏସ ଅଫ୍ ଗ୍ଲୋବାଲ ସାଉଥ ସମ୍ମିଟ” ନୂଆ ଆଇଡିଆ ଏବଂ ଗ୍ଲୋବାଲ ସାଉଥ ଦେଶ ଗୁଡିକର ବାର୍ତ୍ତାକୁ ଜି-୨୦ ମଞ୍ଚରେ ଉପସ୍ଥାପନା କରିପାରିବାର ଏକ ଭଲ ପ୍ଲାଟଫର୍ମ। ଜି-୨୦ ସମ୍ମିଳନୀର କଥାବସ୍ତୁ ରହିଛି ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ’, ଯାହା ଭାରତୀୟ ବିଚାର ଏବଂ ମୂଲ୍ୟବୋଧ “ବସୁଧୈବ କୁଟୁମ୍ବକମ” ଉପରେ ଆଧାରିତ। ଜି୨୦ ଶିକ୍ଷା କାର୍ଯ୍ୟକାରୀ ଗ୍ରୁପରେ ପୌଢ ଶିକ୍ଷା, ଗଣନା, ପ୍ରଯୁକ୍ତିବିଦ୍ୟା ଆଧାରିତ ଶିକ୍ଷା ଆହରଣ, ଭବିଷ୍ୟତର କାର୍ଯ୍ୟ ପରିପ୍ରେକ୍ଷୀରେ ଜୀବନବ୍ୟାପୀ ଶିକ୍ଷା ଆରହଣ, ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଉଦ୍ଭାବନ ଓ ଗବେଷଣା ଉପରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ମାନବ ସମ୍ବଳ ବିକାଶ, ଦକ୍ଷତା ବୃଦ୍ଧି, ଭବିଷ୍ୟତ ପାଇଁ ଦକ୍ଷ ମାନବ ସମ୍ବଳ, ଧନ୍ଦାମୂଳକ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଅଂଶଗ୍ରହଣ କରୁଥିବା ଦେଶ ଗୁଡିକର ପ୍ରଚଳିତ ସର୍ବୋତ୍ତମ ଯୋଜନା ଗୁଡିକ ଉପରେ ଆଲୋଚନା କରାଯିବ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ କଥାକୁ ଦୋହରାଇ କହିଛନ୍ତି ଯେ ଯେ ଗ୍ଲୋବାଲ ସାଉଥର ଦେଶ ଭାବରେ ବିଭିନ୍ନ ରାଷ୍ଟ୍ର ଗୁଡିକ ସାମ୍ନା କରୁଥିବା ଆହ୍ୱାନର ସମାଧାନର ସୂତ୍ର ବାହାର କରିବା ସହ ମାନବ କ୍ଷମତା ଗଠନ ଉପରେ ହିଁ ସମାଧାନର ରାସ୍ତା ବାହାର କରିବା। ସମ୍ପୂର୍ଣ୍ଣ ମାନବ ସାମର୍ଥ୍ୟ ହାସଲ କରିବା ହିଁ ଶିକ୍ଷାର ମୂଳ ଆଧାର। ଏକବିଂଶ ଶତାବ୍ଦୀରେ ଆବଶ୍ୟକ ଜ୍ଞାନ ଏବଂ ସାମର୍ଥ୍ୟ ମାଧ୍ୟମରେ ସଫଳତାକୁ ସୁନିଶ୍ଚିତ କରିବା ପାଇଁ ଆମ ଜନସାଧାରଣଙ୍କ ଦକ୍ଷତା ବିକାଶ ଓ ଶିକ୍ଷା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ବିଶ୍ୱର ସବୁଠୁ ଅଧିକ ଯୁବବର୍ଗ ଭାରତରେ ଅଛନ୍ତି। ୧୫ ଲକ୍ଷରୁ ଉର୍ଦ୍ଧ୍ୱ ବିଦ୍ୟାଳୟ, ପ୍ରାୟ ୧ ହଜାର ବିଶ୍ୱବିଦ୍ୟାଳୟ ସହ ଭାରତରେ ବିଶ୍ୱର ବିବିଧତା ଶିକ୍ଷା ବ୍ୟବସ୍ଥା ରହିଛି। ଡେମୋଗ୍ରାଫିକ ଡିଭିଡେଣ୍ଡର ସମ୍ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବା ପାଇଁ ବହୁ ଆକାଂକ୍ଷୀତ ଜାତୀୟ ଶିକ୍ଷାନୀତି ୨୦୨୦କୁ କାର୍ଯ୍ୟକାରୀ କରାଯାଉଛି , ଯାହା ଦ୍ୱାରା ଆମ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଅଣାଯାଉଛି।

ଗ୍ଲୋବାଲ ସାଉଥ ଦେଶରେ ଥିବା ଶିକ୍ଷା ବ୍ୟବସ୍ଥା ପରାଧୀନ ମାନସିକତା ଯୋଗୁଁ ଶତାବ୍ଦୀ ଶତାବ୍ଦୀ ଧରି କ୍ଷତି ସହୁଥିଲା। ସମୟ ଆସିଛି, ଏହାକୁ ପରିବର୍ତ୍ତନ କରି ଆମ ଜନସାଧାରଣଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ କାର୍ଯ୍ୟ କରିବା। ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ଗୁଣାତ୍ମକ, ସୁଲଭ ଏବଂ ଉତ୍ତରଦାୟିତ୍ୱ ଭଳି ସ୍ତମ୍ଭ ଉପରେ ପର୍ଯ୍ୟବେସିତ ଜାତୀୟ ଶିକ୍ଷା ନୀତି ଭାରତୀୟ ଚରିତ୍ର ସହ ଜଡିତ ଏବଂ ୨୦୩୦ ସାମଗ୍ରିକ ବିକାଶ ସହ ସମ୍ମେଳିତ। ଏହା ଆମ ଯୁବପିଢିଙ୍କୁ ବୈଶ୍ୱିକ ନାଗରିକ ଭାବରେ ବିକଶିତ କରିବ, ଯାହା ଦ୍ୱାରା ସେମାନେ ମାନବତାର କଲ୍ୟାଣ ପାଇଁ ବୈଶ୍ୱିକ ସମସ୍ୟାର ସମାଧାନର ସୂତ୍ର ବାହାର କରିପାରିବେ।

ସ୍କୁଲ ଶିକ୍ଷା ସ୍ତରରେ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷାକୁ ପ୍ରାଥମିକତା ଦିଆଯାଇଛି ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱାକ୍ଷର ଏବଂ ସଂଖ୍ୟାକୁ ସୁଦୃଢ଼ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଦିବ୍ୟାଙ୍ଗ ଶିଶୁଙ୍କୁ ସବୁପ୍ରକାର ସହଯୋଗ ପ୍ରଦାନ କରାଯିବା ସହ ଶିକ୍ଷକଙ୍କ କାପାସିଟି ବିଲଡିଂ ଏବଂ ଟ୍ରେନିଂ ଉପରେ ମଧ୍ୟ ପଦକ୍ଷେପ ନିଆଯାଇଛି। ସ୍କୁଲ ଯାଉଥିବା ବାଳିକାଙ୍କ ସ୍ୱାସ୍ଥ୍ୟ ଏବଂ ପୋଷଣକୁ ଉନ୍ନତ କରିବା ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ପାଠ୍ୟକ୍ରମକୁ ପୁନଃ ଡିଜାଇନ କରାଯାଇ ଏହାକୁ ଛାତ୍ରଛାତ୍ରୀ କେନ୍ଦ୍ରୀତ କରିବା ସହ ମାତୃଭାଷାରେ ଶିକ୍ଷା ଆହରଣ ଓ ଶିକ୍ଷାଦାନକୁ ବିଶେଷ ମହତ୍ୱ ଦିଆଯାଇଛି। ବହୁମୁଖୀ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଇ ଉଚ୍ଚ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସଂସ୍କାର ଅଣାଯାଇଛି। ପରିବର୍ତ୍ତିତ ବିଶ୍ୱର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମଲଟି ଏଣ୍ଟ୍ରି – ଏକଜିଟ୍ ସହ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶ ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅଧିକ ସୁବିଧା ସୁନିଶ୍ଚିତ କରାଯାଇଛି। ସ୍କୁଲ, ଦକ୍ଷତା ବିକାଶ ଓ ଉଚ୍ଚ ଶିକ୍ଷାର ଏକୀକରଣ କରିବା ପାଇଁ ଟେକ୍ଲୋଲୋଜି ଭିତ୍ତିଭୂମି ଯଥା ନ୍ୟାସନାଲ ଲେବଲ ଷ୍ଟୁଡେଣ୍ଟ ରେଜିଷ୍ଟ୍ରି, ଏକାଡେମିକ୍ ବ୍ୟାଙ୍କ୍ ଅଫ୍ କ୍ରେଡିଟ୍ ଆଣ୍ଡ ସ୍କିଲ୍ ଇଣ୍ଡିଆ ଡିଜିଟାଲ ପୋର୍ଟାଲ ପ୍ରସ୍ତୁତ କରାଯାଉଛି।

ସ୍କିଲ୍ ଲ୍ୟାବ୍ ଏବଂ ଶିଳ୍ପ ଶିକ୍ଷାନୁଷ୍ଠାନ ମଧ୍ୟରେ ସଂଯୋଗୀକରଣ କରାଯାଇ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଶିକ୍ଷା ସହ ଯୋଡାଯାଉଛି। ନିଯୁକ୍ତି କ୍ଷେତ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କୁ ଶିଳ୍ପ କ୍ଷେତ୍ରରେ ଇଣ୍ଟର୍ଣ୍ଣସିପ୍ ଏବଂ ଆପ୍ରେଣ୍ଟିସିପ୍ ପ୍ରଦାନ କରାଯାଇ ଛାତ୍ରଛାତ୍ରୀଙ୍କୁ ଅଭିଜ୍ଞତା ପ୍ରଦାନ କରିବା ଦିଗରେ ପ୍ରାଧାନ୍ୟ ଦିଆଯାଇଛି। ପିଏମ ଇବିଦ୍ୟା ପଦକ୍ଷେପସ୍ୱରୂପ ଦୀକ୍ଷା, ଇ-ପାଠଶାଳା, ସ୍ୱୟଂ ପ୍ରଭା ଟିଭି ଏବଂ ୨୬୦ରୁ ଅଧିକ ଟିଭି ଚ୍ୟାନେଲର ବ୍ୟବସ୍ଥା କରାଯାଇଛି। ଜାତୀୟ ଡିଜିଟାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି, ଯାହା ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିବ।

ଶିକ୍ଷାର ଅନ୍ତର୍ଜାତୀୟକରଣ ହେଉଛି ଜାତୀୟ ଶିକ୍ଷା ନୀତିର ମୂଳ ଅଂଶ। ଜାତୀୟ ଶିକ୍ଷା ନୀତି ଭାରତକୁ ଗ୍ଲୋବାଲ ଷ୍ଟଡି ଡେଷ୍ଟିନେସନ ଭାବରେ ପ୍ରୋତ୍ସାହିତ କରୁଛି, ଯାହା ଦ୍ୱାରା ସୁଲଭ ମୂଲ୍ୟରେ ଗୁଣାତ୍ମକ ଶିକ୍ଷାର ଲାଭ ଛାତ୍ରଛାତ୍ରୀମାନେ ପାଇପାରିବେ। ଭାରତରେ ଥିବା ଶିକ୍ଷାନୁଷ୍ଠାନ ବିଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ସହ ମିଶି ଛାତ୍ରଛାତ୍ରୀଙ୍କୁ ଡୁଆଲ ଡିଗ୍ରୀ  ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଆଇଆଇଟି ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନ ଗୁଡିକ ବିଦେଶରେ ନିଜ କ୍ୟାମ୍ପସ ଆରମ୍ଭ କରିବା ପାଇଁ ଯାଉଛନ୍ତି। ଏହାବ୍ୟତିତ ଭାରତରେ ବୈଦେଶିକ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି। ଗ୍ଲୋବାଲ ସାଉଥ ଦେଶର ସହଭାଗୀତାରେ ଭାରତ ଏକବିଂଶ ଶତାବ୍ଦୀରେ ନିଜ ଦେଶ ଗୁଡିକରେ ସାର୍ବଭୌମିକ ଶିକ୍ଷା ଏବଂ ମାନବ ସମ୍ବଳ ବିକାଶର ଲକ୍ଷ୍ୟକୁ ହାସଲ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

“ଭଏସ୍ ଅଫ୍ ଗ୍ଲୋବାଲ ସାଉଥ ସମ୍ମିଟ”ରେ ବାର୍ବାଡୋସ, କୋଷ୍ଟା ରିକା, କମନ ଓ୍ୱେଲଥ୍ ଅଫ୍ ଦି ବାହାମାସ, କ୍ୟୁବା, ଗାମ୍ବିୟା, ହନ୍ଦୁରାସ, ଲାଓ ପିପୁଲ୍ସ ଡେମୋକ୍ରାଟିକ ରିପ୍ଲବିକ, ଫେଡେରେଟେଡ୍ ଷ୍ଟେଟ୍ ଅଫ୍ ମାଇକ୍ରୋନେସିଆ, ରିପବ୍ଲିକ ଅଫ୍ ନାଉରୁ, ସେଣ୍ଟ୍ ଲୁସିଆ, ସେଣ୍ଟ୍ ଭିନସେଣ୍ଟ ଏବଂ ଦ ଗ୍ରନାଡାଇନ୍ସ, ସୋଲୋମନ ଆଇଲ୍ୟାଣ୍ଡ୍,  ତୁର୍କମେନିସ୍ତାନ,  ଉରୁଗୁଏ, ୟେମେନ୍ ସମୂହ ଦେଶ ଅଂଶଗ୍ରହଣ କରିଥିଲେ।

Categories
Hockey Worldcup23 ବିଶେଷ ଖବର ରାଜ୍ୟ ଖବର

ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କରିବେ କଣ, ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଧନ୍ୟବାଦ ଦେବେ କି ?

ଭୁବନେଶ୍ବର:  ଆଜି ଓଡିଶାର ପ୍ରମୁଖ ଖବର କାଗଜରେ ଏକ ପୁରା ପୃଷ୍ଟା ବିଜ୍ଞାପନ ବାହାରିଛି। ଆସନ୍ତାକାଲି ହେବାକୁ ଥିବା ହକି ମହାକୁମ୍ଭର ଉଦଘାଟନୀ ଉତ୍ସବର ଏହି ବିଜ୍ଞାପନ। ଏହାକୁ ପ୍ରକାଶ କରିଛନ୍ତି ଓଡିଶା ସରକାରଙ୍କ କ୍ରୀଡା ବିଭାଗ। ଏହି ବିଜ୍ଞାପନରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ।

ଏହି ବିଜ୍ଞାପନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତାହା ହେଲା ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିବେ କଣ? ଅର୍ଥାତ ସେ ପୂର୍ବରୁ ଯେଉଁ ବିଜ୍ଞାପନକୁ ନେଇ ବାଣ ଫୁଟାଇଥିଲେ, ତାହାର ଜବାବ ବିଜେଡି ଦେଲା। ଏହାପରେ ସେ ତାଙ୍କର ବକ୍ତବ୍ୟକୁ ଫେରାଇ ନେବେ ନା କ୍ଷମା ପ୍ରାର୍ଥନା କରିବେ ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବେ।

ନିକଟରେ ଏହି ଫଟୋକୁ ନେଇ ଖୋଦ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବିଜେପିର ମଙ୍ଗୁଆଳମାନେ ବେଶ ତୁମ୍ବା ତୋଫାନ କରିଥିଲେ। ଭୁବନେଶ୍ବର ରାଉରକେଲା ବିମାନ ସେବା ଉଦଘାଟନ ଦିନ ଏହି ବିବାଦ ସୃଷ୍ଟି ହୋଇଥିଲା। ରାଜ୍ୟ ସରକାର ଏହି ବିମାନ ସେବାକୁ ନେଇ ଏକ ବିଜ୍ଞାପନ ଦେଇଥିଲେ। ସେଥିରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିଲା। ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କ୍ଷୋଭ ପ୍ରକାଶ କରିଥିଲେ।

ସେତେବେଳେ ସେ ଅଭିଯୋଗ କରିଥିଲେ ଯେ, ଭୁବନେଶ୍ବର ରାଉରକେଲା ବିମାନ ସେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବଦାନ। ଉଡାନ ଯୋଜନାରେ ଏହା କରାଯାଇଛି। ହେଲେ ରାଜ୍ୟ ସରକାର ଏହି ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଦେଇଥିଲେ ଭଲ ହୋଇଥାଆନ୍ତା ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଫଟୋଟିଏ ଦେଇ ନବୀନ ନିଜର ମହନିୟତା ପ୍ରକାଶ କରିପାରି ଥାଆନ୍ତା ବୋଲି ଧର୍ମେନ୍ଦ୍ର କହିଥିଲେ।

ତେବେ ଆଜି ପ୍ରକାଶ ପାଇଥିବା ହକି ଉଦଘାଟନ ଉତ୍ସବ ବିଜ୍ଞାପନରେ ଉଭୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ପ୍ରକାଶ ପାଇଛି। ଏହାକୁ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ପ୍ରକାଶ କରିଛି। ଏହା ଦେଖିବା ପରେ ଧର୍ମେନ୍ଦ୍ର କଣ କହିବେ ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଏବେ ଧର୍ମେନ୍ଦ୍ର ଖୋଲାମଖୁଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବାକୁ ଆଗେଇ ଆସିବେ କି ?

Categories
ଆଜିର ଖବର ଜାତୀୟ ଖବର

”ପରୀକ୍ଷା ପେ ଚର୍ଚ୍ଚା ୨୦୨୩” ର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ

ଦିଲ୍ଲୀ: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏବଂ ଡକ୍ଟର ସୁଭାଷ ସରକାରଙ୍କ ସହିତ ଆଜି ପରୀକ୍ଷା ପେ ଚର୍ଚ୍ଚା (ପିପିସି) ୨୦୨୩ ର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି।

ସଞ୍ଜୟ କୁମାର, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ସଚିବ; ଡିଓଏସ୍‌ଇଏଲ୍‌, ଅପୂର୍ବ ଚନ୍ଦ୍ରା, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଏବଂ ଶିକ୍ଷା ମନ୍ତ୍ରଣାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ପ୍ରେସ ଇନ୍‌ଫରମେସନ ବ୍ୟୁରୋ, ଏନ୍‌ସିଇଆରଟି, ସିବିଏସ୍‌ଇ, ଏନଭିଏସ୍‌, କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଏବଂ ମାଇଁ ଗଭ୍‌ର ବରିଷ୍ଠ ଅଧିକାରୀ ମାନେ ବୈଠକରେ ଯୋଗ ଦେଇଥିଲେ।

ମନ୍ତ୍ରୀ ଏହି ବୈଠକ ସମୟରେ ପିପିସି ୨୦୨୩ ମାଧ୍ୟମରେ ଛାତ୍ର, ଅଭିଭାବକ ଏବଂ ଶିକ୍ଷକ ମାନଙ୍କ ସହ ଯୋଗାଯୋଗକୁ ଆହୁରି ଗଭୀର ତଥା ବ୍ୟାପକ କରିବାକୁ ଆହ୍ୱାନ ଦେଇଛନ୍ତି।

ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପିପିସି ୨୦୨୩ ପରୀକ୍ଷା ଋତୁ ପୂର୍ବରୁ ଛାତ୍ର ସମୁଦାୟକୁ ଶକ୍ତି ଏବଂ ପ୍ରେରଣା ଯୋଗାଇଥାଏ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଏମ୍ସ ଭୁବନେଶ୍ୱର ଓ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ଡୁଆଲ ଡିଗ୍ରୀ ବ୍ୟବସ୍ଥା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ

ଭୁବନେଶ୍ୱର; ଏମ୍ସ ଭୁବନେଶ୍ୱର ଓ ଆଇଆଇଟି ଭୁବନେଶ୍ୱର ମିଳିତ ଭାବରେ ଡୁଆଲ ଡିଗ୍ରୀ ବ୍ୟବସ୍ଥା କରିବା ପାଇଁ ଏମ୍‌ସ ଭୁବନେଶ୍ୱରର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଇଆଇଟି ଜାମ୍ମୁ ଓ ଏମ୍ସ ଜାମ୍ମୁ ମଧ୍ୟରେ ସାଢେ ୪ ବର୍ଷିଆ ଡୁଆଲ ଡିଗ୍ରୀ ଦେବାର ଏକ ବ୍ୟବସ୍ଥା ହୋଇଛି। ଇଞ୍ଜିନିୟରି ଓ ମେଡିକାଲ ସାଇନ୍ସରେ ଡିଗ୍ରୀ ବ୍ୟବସ୍ଥା ଦ୍ୱାରା ଉଭୟ ଆଇଆଇଟି ଓ ମେଡିକାଲ ଛାତ୍ରଛାତ୍ରୀମାନେ ଲାଭବାନ ହେବେ। ଇଞ୍ଜିନିୟର ପାଠ୍ୟକ୍ରମ ସଂସ୍ପର୍ଶରେ ଆସିବା ଦ୍ୱାରା ବିଶେଷତଃ ଶେଷ ବର୍ଷର ମେଡିସିନ ଏବଂ ସର୍ଜରି ବିଭାଗର ମେଡିକାଲ ଛାତ୍ରଛାତ୍ରୀ ମାନଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧି ହେବ। ସେହିପରି ଆଇଆଇଟି ଇଞ୍ଜିନିୟରମାନେ ମେଡିକାଲ ବିଜ୍ଞାନ ସମ୍ପର୍କରେ ପାଠ ପଢିଲେ ସେମାନେ ମେଡିକାଲ ଉପକରଣ ତଥା ଏହି କ୍ଷେତ୍ରରେ ଇନୋଭେସନ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ।

ବିଭିନ୍ନ ବର୍ଗରେ ସ୍ୱର୍ଣ୍ଣପଦକ ପାଇଥିବା ଶ୍ରେଷ୍ଠ ୪୦ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ଯେ ଜଣେ ଡାକ୍ତରଙ୍କ ପୁଅ ଭାବରେ ଡାକ୍ତରଙ୍କ ଦାୟିତ୍ୱକୁ ମୁଁ ଭଲ ଭାବେ ଜାଣେ। ଡାକ୍ତରଙ୍କ ସ୍ନେହ ଓ ମଧୁର କଥା ରୋଗୀଙ୍କୁ ଭଲ କରିଦେବ। ଡାକ୍ତରଙ୍କ ପରିଶ୍ରମ କାରଣରୁ ଆଜି ଦେଶ ସୁରକ୍ଷିତ ହୋଇଛି।

ପ୍ରତି ବର୍ଷ ଏମ୍ସ ପରିସରରେ ୫୦୦୦ ଗଛ ଲଗାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ କ୍ୟାମ୍ପସକୁ ଅଙ୍ଗାରକାମ୍ଳ ରହିତ ପରିବେଶ କରିବା ଦରକାର। ପ୍ଲାଷ୍ଟିକ ମୁକ୍ତ ସହ ସ୍ୱଚ୍ଛ ରଖିବା ଦରକାର। ସେହିପରି ଓଡିଶାରେ ୫ଜି ଟେଲିକମ ସେବାର ଶୁଭାରମ୍ଭ ହୋଇସାରିଥିବା ବେଳେ ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ରୋବଟିକ୍ସ ମାଧ୍ୟମରେ ଅପରେସନ କରିବାରେ ଭୁବନେଶ୍ୱର ଏମ୍ସ ସଫଳତା ଆଣିବା ପାଇଁ ଆହ୍ୱାନ କରିଛନ୍ତି। ଏହାବ୍ୟତିତ ମାତୃଭାଷାରେ ଶିକ୍ଷାର ପ୍ରାଧାନ୍ୟକୁ ଗୁରୁତ୍ୱ ଉପରେ ଶ୍ରୀ ପ୍ରଧାନ କହିବା ସହ ଆଗାମୀ ଦିନରେ ମେଡିକାଲ ସାଇନ୍ସର ସମସ୍ତ ବହିକୁ ମାତୃଭାଷାରେ ଅନୁବାଦ କରାଯିବା ନେଇ ସୂଚନା ଦେଇଛନ୍ତି।

ଏମ୍ସର କଳ୍ପନା ପାଇଁ ଦେଶର ଅଦ୍ୱିତୀୟ ନେତା, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ବାଜପେୟୀ, ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ସୁଷମା ସ୍ୱରାଜ, ତତ୍କାଳୀନ ଶିକ୍ଷା ମନ୍ତ୍ରୀ ମୁରଲୀ ମନୋହର ଯୋଶୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏମ୍ସର ଭିତ୍ତିପ୍ରସର କରାଯାଇଥିଲା। ଏମ୍ସ ଆଜି ଅନେକ ସଫଳତା ସାଉଁଟିଛି। ଆଜି ଏମ୍ସ ଭୁବନେଶ୍ଵରରେ ଲୋକାର୍ପିତ ୩୬ ଶଯ୍ୟାବିଶିଷ୍ଟ ବର୍ନ ସେଣ୍ଟରରେ ସହଯୋଗୀ ହୋଇଥିବାରୁ ଏନଟିପିସିକୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଏମସ ଭୁବନେଶ୍ୱରରେ ମଧ୍ୟ ୧୫୦ ଶଯ୍ୟାବିଶିଷ୍ଟ ଏକ ଅତ୍ୟାଧୁନିକ କ୍ରିଟିକାଲ କେୟାର ହସ୍ପିଟାଲ ବିଲଡିଂର ଶିଳାନ୍ୟାସ ଖୁସିର ବିଷୟ ବୋଲି ସେ କହିଛନ୍ତି।

ଆଜି ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଜାତିସଂଘ ୨୦୨୩କୁ ଇଣ୍ଟରନାଲନାଲ ମିଲେଟ ବର୍ଷ ଭାବେ ଘୋଷଣା କରିଛି। ଏହି କ୍ରମରେ ଏମ୍ସ ପଛରେ ନ ରହି ହାଣ୍ଡବୁକ ଅଫ୍ ମିଲେଟ ଅନ ହେଲଥ୍ ବେନିଫିଟ୍ସ ଆଣ୍ଡ ଡିଜିଜ ପ୍ରସ୍ତୁତ କରିବା ପ୍ରଶଂସନୀୟ। ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ମାଣ୍ଡିଆର ମହତ୍ତ୍ୱ କୋଭିଡ ସମୟରେ ଜଣାପଡିଥିଲା। ଏହି ଖାଦ୍ୟକୁ ଆମେ ସମସ୍ତେ ଲୋକପ୍ରିୟ କରିବା ଦରକାର ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖନୀୟ ଯେ, ଏମ୍ସ ପରିସରରେ ସ୍ୱର୍ଗତ ବାଜପେୟୀଙ୍କ ଫଟୋଚିତ୍ରରେ ଶ୍ରୀ ପ୍ରଧାନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ତାଳଚେର ସାର କାରଖାନାର ଅଗ୍ରଗତି ନେଇ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସହ ଅନୁଗୋଳ ଜିଲ୍ଲା ଗସ୍ତ କରି ତାଳଚେର ସାର କାରଖାନା ପରିଦର୍ଶନ କରିବା ସହ ପ୍ଲାଣ୍ଟର ଅଗ୍ରଗତି କାର୍ଯ୍ୟ ନେଇ ସମୀକ୍ଷା କରିଛନ୍ତି।

ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ ଆଧାରିତ ତାଳଚେର ସାର କାରଖାନା ୟୁରିଆ ଓ ସାର ଉତ୍ପାଦନରେ ଭାରତକୁ ଆତ୍ମନିର୍ଭର କରିବ ବୋଲି ଶ୍ରୀ ପ୍ରଧାନ ସମୀକ୍ଷା କରିବା ପରେ କହିଛନ୍ତି। ସେହିପରି ୨୦୨୪ ଅକ୍ଟୋବର ମାସ ପୂର୍ବରୁ ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଶେଷ ହେବ ଓ ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯିବ  ବୋଲି ଶ୍ରୀ ମାଣ୍ଡଭିୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି  ପ୍ରକଳ୍ପର ନିରନ୍ତର ସମୀକ୍ଷା ଜାରୀ ରହିଛି। ୧୭,୦୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣାଧୀନ ଦେଶର ପ୍ରଥମ କୋଲ ଗ୍ୟାସିଫିକେସନ ଟେକ୍ନୋଲୋଜି ଆଧାରିତ ତାଳଚେର ସାର କାରଖାନା ୟୁରିଆ ଉତ୍ପାଦନ କ୍ଷେତ୍ରରେ ଦେଶକୁ ସ୍ୱାବଲମ୍ବୀ କରିବ। ଚାଷୀଙ୍କୁ ସୁବିଧା ଦେବ। ସହ ଏବଂ ଭାରତକୁ ଆତ୍ମନିର୍ଭର କରିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ କଳ୍ପନାରେ ସାର ଓ ୟୁରିଆ ଉତ୍ପାଦନକୁ ବଢାଇବା ସହ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟିକ ବାତାବରଣକୁ ବଢାଇବାରେ ଏହି ପ୍ରକଳ୍ପ ସହାୟକ ହେବ।

ସେ କହିଛନ୍ତି ଯେ ଦେଶରେ ବହୁଳ ପରିମାଣରେ କୋଇଲା ଗଚ୍ଛିତ ରହିଛି। ପର୍ଯ୍ୟାବରଣ ସମସ୍ୟାକୁ ଦୃଷ୍ଟିରେ ରଖି ସେହି କୋଇଲାକୁ କୋଇଲାକୁ ଅନ୍ୟ କେଉଁ ଉପାୟରେ ଉପଯୋଗ କରାଯିବ ସେ ନେଇ ଚିନ୍ତା କରାଯାଉଛି। ଏହି ପରିପ୍ରେକ୍ଷୀରେ କୋଲ ଟୁ ସିନ ଗ୍ୟାସ ପ୍ରକଳ୍ପ ବିଶ୍ୱରେ ପ୍ରତିପାଦିତ ହୋଇପାରିଛି। ଏ ଟେକ୍ନୋଲୋଜିକୁ ଭାରତରେ ଉପଯୋଗ କରି କୋଲ ଇଣ୍ଡିଆ, ଗେଲ ଓ  ରାଷ୍ଟ୍ରୀୟ ଫର୍ଟିଲାଇଜର କର୍ପୋରେସନ ମିଳିତ ଉଦ୍ୟୋଗରେ ତାଳଚେର ସାର କାରଖାନା ପ୍ରକଳ୍ପ ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ଖୁବ ଶୀଘ୍ର ଶେଷ ହେବା ନେଇ ଅପେକ୍ଷା ରଖାଯାଇଛି। ସ୍ଥାନୀୟ ଅର୍ଥନୀତି, ରୋଜଗାର, ବ୍ୟବସାୟିକ ବାତାବରଣ ତିଆରି କରିବାରେ ଏହି ପ୍ରକଳ୍ପର ବହୁତ ବଡ ଯୋଗଦାନ ରହିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଶ୍ରୀ ମାଣ୍ଡଭିୟ କହିଛନ୍ତି ଯେ ଭାରତର ନିଜସ୍ୱ କୋଇଲାକୁ ବ୍ୟବହାର କରି ସେଥିରୁ ଗ୍ୟାସ ଉତ୍ପାଦନ କରି ସେହି ଗ୍ୟାସରୁ ୟୁରିଆ ତିଆରି କରିବା ଉଦ୍ଦେଶ୍ୟ ନେଇ ତାଳଚେର ଠାରେ ପ୍ରଧାନମନ୍ତ୍ରୀ କୋଲ୍ ଗ୍ୟାସିଫିକେସନ ପ୍ଲାଣ୍ଟର ଶିଳାନ୍ୟାସ କରିଥିଲେ। କାମ ତୀବ୍ର ଗତିରେ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱପ୍ନ ଦେଖିଥିବା ୫ଟି ୟୁରିଆ ପ୍ଲାଣ୍ଟରୁ ୪ଟି ଉତ୍ପାଦନକ୍ଷମ ହୋଇଗଲାଣି, ତାଳଚେର ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ମଧ୍ୟ ଖୁବଶୀଘ୍ର ଶେଷ ହେବ। ଆମ ଦେଶ ପାଖରେ ନିଜସ୍ୱ ଏନର୍ଜି ଚାହିଦା ପୂରଣ କରିବାର କ୍ଷମତା ଅଛି। କିନ୍ତୁ ଏନର୍ଜିକୁ ଗ୍ୟାସରେ ଏବଂ ଗ୍ୟାସକୁ କନଭର୍ଟ କରିବା ପାଇଁ ଅନେକ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ସେହି ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପ। କୋଇଲାରୁ ଗ୍ୟାସ, ଗ୍ୟାସରୁ ୟୁରିଆ ଏବଂ ୟୁରିଆରୁ କୃଷକଙ୍କ ଆବଶ୍ୟକତାକୁ ପୂରଣ କରାଯିବ।

ଏହି ଅବସରରେ ଶ୍ରୀ ପ୍ରଧାନ ଡା. ମାଣ୍ଡଭିୟଙ୍କ ସହ ତାଳଚେର ସାର କାରଖାନା ପରିସରରେ ଚାରାରୋପଣ ମଧ୍ୟ କରିଛନ୍ତି।