Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ରଙ୍କ ଅଭିଯୋଗର ଉତ୍ତର ରଖିଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ବର: ସାମାଜିକ ସୁରକ୍ଷା ଭତ୍ତାକୁ ରାଜ୍ୟ ସରକାର ନଗଦ ଆକାରରେ ହିତାଧିକାରୀ ଘରେ ଦେବାକୁ ବ୍ୟବସ୍ଥା କରିଛନ୍ତି। ହେଲେ ଏହାକୁ ବିରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ନିଷ୍ପତିକୁ ପୁନଃବିଚାର କରିବା ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ନଗଦ ନ ଦେଇ ଡିବିଟି ମାଧ୍ୟମରେ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।

ତେବେ ଏହାର ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ସେ ଟୁଇଟ କରି କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀଙ୍କ ଏପରି ଅନୁରୋଧ ଆଶ୍ଚର୍ଯ୍ୟ କରିଛି।ସେ ବୋଧହୁଏ ତୃଣମୂଳ ସ୍ତରରେ କଣ ଘଟୁଛି ସେ ସଂପର୍କରେ ଅବଗତ ନାହାଁନ୍ତି। ଭତ୍ତା ଟଙ୍କା ପାଇବା ପାଇଁ ହିତାଧିକାରୀମାନେ 20-30 କିଲୋମିଟର ରାସ୍ତା ଚାଲିଚାଲି ଯାଉଛନ୍ତି। ତାଙ୍କ ପ୍ରତି ବୋଧହୁଏ କେନ୍ଦ୍ରମନ୍ତ୍ରୀଙ୍କର ସାମାନ୍ୟତମ ସମ୍ମାନବୋଧ ନାହିଁ।

ଯଦି କେନ୍ଦ୍ର ସରକାର ପ୍ରତି ଗାଁରେ ବ୍ୟାଙ୍କ ବ୍ୟବସ୍ଥା କରାଇପାରନ୍ତେ ତେବେ ଏପରି ଅସୁବିଧା ହୁଅନ୍ତା ନାହିଁ। ହେଲେ କେନ୍ଦ୍ରମନ୍ତ୍ରୀ ସେହି କଥା ନ କହି ଏପରି ଭଲ କାର୍ଯ୍ୟକୁ ବିରୋଧ କରିବା ହାସ୍ୟସ୍ପଦ ବୋଲି ସସ୍ମିତ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଭତ୍ତା ଟଙ୍କା ନଗଦ ଦେବା ପ୍ରସ୍ତାବକୁ ବିରୋଧ କଲେ ଧର୍ମେନ୍ଦ୍ର, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ସାମାଜିକ ସୁରକ୍ଷା ଭତ୍ତାକୁ ଡିବିଟି ବଦଳରେ ନଗଦ ଅର୍ଥ ଆକାରରେ ଦେବାର ନିଷ୍ପତି ଚିନ୍ତାଜନକ। ଏହି ନିର୍ଣ୍ଣୟ ଦୁର୍ନୀତିମୁକ୍ତ ଶାସନ ଦିଗରେ ପଛଘୁଞ୍ଚା ଦେବା ତଥା ଜନକଲ୍ୟାଣ ସେବା ପ୍ରଦାନ କରିବାର ବୀପରିତ ଦିଗକୁ ଦର୍ଶାଉଛି। ତେଣୁ ସ୍ୱଚ୍ଛତା ବଜାୟ ରଖିବା ତଥା ଭ୍ରଷ୍ଟାଚାରକୁ ଦୂର କରିବାର ପ୍ରତିବଦ୍ଧତାକୁ ଧ୍ୟାନରେ ରଖି ଏହି ନିଷ୍ପତିର ପୁନର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନଗଦ ଅର୍ଥ ପ୍ରଦାନ ଜରିଆରେ ମଧ୍ୟସ୍ଥିଙ୍କ ଦ୍ୱାରା ଦୁର୍ନୀତି, ହେରଫେର୍ କାରଣରୁ ହିତାଧିକାରୀମାନେ ଅତୀତରେ ଶୋଷଣ ହେବାର ଅନେକ ନଜିର ରହିଛି। ଓଡ଼ିଶା ସରକାରଙ୍କ ଦ୍ୱାରା ହିତାଧିକାରୀଙ୍କୁ ନଗଦ ଅର୍ଥ ପ୍ରଦାନ କରିବାର ନିଷ୍ପତି ପୁଣି ଥରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ ଦେବ। ଏହି ସମସ୍ୟା ଆମ ବରିଷ୍ଠ ନାଗରିକଙ୍କ ଉପରେ ବୋଝ ସୃଷ୍ଟି କରିପାରେ। ତେଣୁ ଡିବିଟି ପ୍ରକ୍ରିୟା ମାଧ୍ୟମରେ ବରିଷ୍ଠ ନାଗରିକ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ଭତ୍ତା ସହାୟତା ପ୍ରଦାନ କରାଯାଉ।

ଓଡ଼ିଶାରେ ୨୦ ଲକ୍ଷ ୯୫ ହଜାର ୬୯୫ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ଡିବିଟି ମାଧ୍ୟମରେ ସହାୟତା ପ୍ରଦାନ କରୁଛନ୍ତି । ଏହି ହିତାଧିକାରୀ କୌଣସି ଭ୍ରଷ୍ଟାଚାର ବିନା ସିଧାସଳଖ ନିଜ ବ୍ୟାଙ୍କ୍ ଖାତାରେ ସହାୟତ ରାଶି ପାଉଛନ୍ତି। ଡିବିଟି ବ୍ୟବସ୍ଥା କାରଣରୁ ରାଜକୋଷକୁ ସହାୟକ ହେବା ସହ ନକଲି କିମ୍ବା ଭୁତ ହିତାଧିକାରୀ ବାଦ୍ ପଡିଛନ୍ତି ଏବଂ ମଧ୍ୟସ୍ଥିଙ୍କ ଆବଶ୍ୟକତା ମଧ୍ୟ ହ୍ରାସ ପାଇଛି ଏବଂ ଭ୍ରଷ୍ଟାଚାର ମୁକ୍ତ ଓ ସ୍ୱଚ୍ଛ ରହିଛି ।

ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେବା ଭିତ୍ତିରେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଜାନୁଆରୀ ୨୦୨୩ ସୁଦ୍ଧା ଓଡ଼ିଶାର ବିଭିନ୍ନ ବ୍ୟାଙ୍କରେ ୮୨ ହଜାର ୨୬୧ ସକ୍ରିୟ ବ୍ୟାଙ୍କ୍ ମିତ୍ର ମହଜୁଦ୍ ଅଛନ୍ତି। ଏହାବ୍ୟତିତ ଓଡ଼ିଶାରେ ୮ ହଜାର ୪୯୧ଟି ପୋଷ୍ଟ ଅଫିସ ରହିଛି ଏବଂ ଏଥିରେ ଦୁର୍ଗମ ଏବଂ ଗ୍ରାମୀଣ ଅଞ୍ଚଳରେ ଆର୍ଥିକ ସେବା ପ୍ରଦାନ କରିବା ପାଇଁ ପ୍ରଶିକ୍ଷିତ କର୍ମଚାରୀ ଅଛନ୍ତି। ଭାରତୀୟ ଡାକର ଉପସ୍ଥିତି ଓ ଏହାର ବ୍ୟାପକ ନେଟଓ୍ୱାର୍କକୁ ଡିବିଟି ସହ ଉପଯୋଗ କରିବାର ଆବଶ୍ୟକତା ରହିଛି।

ଓଡ଼ିଶାରେ ୬ ହଜାର ୭୭୨ ଗ୍ରାମ ପଞ୍ଚାୟତକୁ ୨୨ ହଜାର ଜନସେବା କେନ୍ଦ୍ର ସେବା ପ୍ରଦାନ କରୁଛନ୍ତି । ଏହାର ଉପସ୍ଥିତି ଦ୍ୱାରା ଭାରତ ସରକାରଙ୍କ ଅନେକ ସାମାଜିକ ସୁରକ୍ଷା, ଆର୍ଥିକ ସେବା, କୃଷି ଏବଂ କୃଷକ କଲ୍ୟାଣକାରୀ ଯୋଜନା ସଫଳ ରୂପେ କାର୍ଯ୍ୟକାରୀ ହୋଇପାରିଛି।

ଡିବିଟି ଫ୍ରେମଓ୍ୱାର୍କ ସହିତ ବରିଷ୍ଠ ନାଗରିକ ଭତ୍ତା, ସାମାଜିକ ସୁରକ୍ଷା ଯୋଜନା ଏବଂ ଅନ୍ୟାନ୍ୟ ଆର୍ଥିକ ଯୋଜନାର ଅର୍ଥ ପ୍ରଦାନକୁ ବର୍ତ୍ତମାନ ଉପଲବ୍ଧ ବ୍ୟାଙ୍କ୍ ମିତ୍ର, ଭାରତୀୟ ଡାକର ବ୍ୟାପକ ନେଟଓ୍ୱାର୍କ ଓ ଜନସେବା କେନ୍ଦ୍ର ବ୍ୟବହାର କରାଯିବା ଦରକାର। ଏ ଗୁଡିକ ଅଭିନବ ଉପାୟରେ ଅପହଞ୍ଚ ଲୋକଙ୍କୁ ସେବା ପ୍ରଦାନ କରିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରୋଜଗାର ମେଳାର ପଞ୍ଚମ ପର୍ଯ୍ୟାୟରେ ୪୭୩ ଜଣଙ୍କୁ ନିଯୁକ୍ତି ପତ୍ର ବିତରଣ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: ବର୍ତ୍ତମାନର ପରିବର୍ତ୍ତିତ ଦୁନିଆ ଏବଂ ଟେକ୍ଲୋଲୋଜି ଯୁଗରେ ନିଜକୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ ସ୍କିଲିଂ କରାଇବା ଜରୁରୀ। ବିଶେଷ ଭାବରେ ଆଜି ନିଯୁକ୍ତି ପାଇଥିବା ଯୁବବନ୍ଧୁମାନେ ଏହି ମନ୍ତ୍ରକୁ ନିରନ୍ତର ଜପ କରନ୍ତୁ ଏବଂ ଓଡ଼ିଶା ପାଇଁ ବଡ ଭାବିବା ସହ ବଡ ସ୍ୱପ୍ନ ଦେଖନ୍ତୁ ବୋଲି ମଙ୍ଗଳବାର ଭୁବନେଶ୍ୱର ଠାରେ ‘ରାଷ୍ଟ୍ରୀୟ ରୋଜଗାର ମେଳା’ର ପଞ୍ଚମ ପର୍ଯ୍ୟାୟ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାଷ୍ଟ୍ରୀୟ ରୋଜଗାର ମେଳାର ପଞ୍ଚମ ପର୍ଯ୍ୟାୟରେ ଓଡ଼ିଶାର ୪୭୩ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିରତଣ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିବା ଯୁବବର୍ଗଙ୍କୁ ଶୁଭେଚ୍ଛା। ଏମ୍ସ ଭୁବନେଶ୍ୱର, ଆଇଆଇଟି ଭୁବନେଶ୍ୱର, ଭାରତୀୟ ରେଳ, ଡ଼ାକ ବିଭାଗ, ଇଏସଆଇସି, ଇସ୍ପାତ୍ ବିଭାଗ, ଜିଏସଆଇ ସମେତ ବିଭିନ୍ନ ବର୍ଗରେ ନିଯୁକ୍ତି ପାଇଥିବା ଯୁବକ ଯୁବତୀମାନେ ଆଜି ଦାୟିତ୍ୱବୋଧର ନୂଆ ଅଧ୍ୟାୟକୁ ଯାଉଛନ୍ତି। ତେବେ ଦାୟିତ୍ୱ ଏତିକିରେ ସୀମିତ ନୁହେଁ।

ଆମ ଦେଶ ଆଉ ପ୍ରାୟ ୨୫ ବର୍ଷ ପରେ ୨୦୪୭ରେ ସ୍ୱତନ୍ତ୍ରତାର ୧୦୦ ବର୍ଷ ପୂରଣ ହେବ ଏବଂ ପ୍ରାୟ ୧୩ ବର୍ଷ ପରେ ୨୦୩୬ରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ। ଏହି କାଳଖଣ୍ଡରେ ଆମେ ବଡ ଦାୟିତ୍ୱରେ ଥିବା ସମୟରେ କେବଳ ନିଜ କଥା ଭାବିବା ନାହିଁ ବରଂ ସମସ୍ତଙ୍କ କଥା ଚିନ୍ତା କରିବା। ସ୍ୱୟଂ ପାଇଁ ନୁହେଁ ସମୂହଙ୍କ ପାଇଁ ଚିନ୍ତା କରିବା ଦରକାର। ଅମୃତ କାଳରେ ଏହି ଯୁବବର୍ଗଙ୍କ ନେତୃତ୍ୱରେ ଦେଶ ଓ ରାଜ୍ୟ ଆଗକୁ ଯିବ। ନିରନ୍ତର ଭାବରେ ଭାରତ ସରକାରଙ୍କ ଅନଲାଇନ ଶିକ୍ଷା ବ୍ୟବସ୍ଥାରେ ରି ସ୍କିଲିଂ- ଅପ ସ୍କିଲିଂ ବ୍ୟବସ୍ଥାରେ ଯୋଡି ହେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନବନିଯୁକ୍ତ ଯୁବବର୍ଗମାନେ  ନିଜର ସ୍ୱପ୍ନ ସହ ସମାଜ ଓ ଜାତିର ଆକାଂକ୍ଷାକୁ ପୂରଣ କରନ୍ତୁ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସାମ୍ପ୍ରତିକ ସମୟରେ ବଣମଲ୍ଲି ବଣରେ ରହିଯାଉଛି। ହଜାର ହଜାର ବର୍ଷ ପୂର୍ବରୁ ବଳରାମ ଦାସ ଲକ୍ଷ୍ମୀ ପୁରାଣ ମାଧ୍ୟମରେ ଶ୍ରୀୟା ଚଣ୍ଡାଳୁଣୀର କଥା ଚରିତ୍ରକୁ ବର୍ଣ୍ଣନା କରି ସ୍ୱଚ୍ଛ ଭାରତର କଳ୍ପନା କରିଥିଲେ। ଓଡ଼ିଶା ମାଟିର ବରପୁତ୍ର ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଏକ ସାଧାରଣ ପରିବେଶରୁ ଆସି ବଡ ଭାବିବା ସହ ବିଶ୍ୱକୁ ପ୍ରଭାବିତ କରିଥିଲେ। ତେଣୁ ଆମ ସମସ୍ତଙ୍କୁ ମଧ୍ୟ ନୂଆ ଭାବିବା ପାଇଁ ପଡିବ, ବଡ ଭାବିବା ଓ ବଡ଼ ସ୍ୱପ୍ନ ଦେଖିବା ଦରକାର।

ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି କାରଣରୁ ଜାତୀୟ ଶିକ୍ଷା ନୀତିରେ ଭାଷା ନୂଆ ସୂତ୍ରଧର ହୋଇଛି। ନୂଆ ବନ୍ଧନର ସେତୁ ତିଆରି କରୁଛି ଭାଷା। ଆଜି ଭାରତୀୟ ଭାଷାର ପ୍ରାଥମିକତା ବଢିଛି। ଭାରତକୁ ଆସୁଥିବା ଲୋକମାନେ ଭାରତୀୟ ଭାଷାକୁ ଶିଖିବାର ଆଗ୍ରହ ପ୍ରକାଶ କରୁଛନ୍ତି। କୁଳବୃଦ୍ଧ ମଧୁସୂଦନ ଦାସ ହିଁ ପ୍ରଥମେ ଭାଷା ଆଧାରିତ ପ୍ରଶାସନିକ ଢାଞ୍ଚା କରିବାର କଳ୍ପନା କରିଥିଲେ।

ଆନନ୍ଦ ଓ ଉତ୍ସାହ ଭରା ରୋଜଗାର ମେଳାର ଉତ୍ସବରେ ଆଜି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଠାରୁ ୭ଠ ହଜାରରୁ ଅଧିକ ଯୁବକ ଯୁବତୀମାନେ ବିଭିନ୍ନ ବିଭାଗରେ କାମ କରିବା ପାଇଁ ରୋଜଗାରର ସ୍ୱୀକୃତି ପତ୍ର ପାଇଛନ୍ତି। ଏହି ରାଷ୍ଟ୍ରୀୟ ନିଯୁକ୍ତି ମେଳା ଯୁବକମାନଙ୍କ ପ୍ରତି ମୋଦି ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ ଅଟେ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର ପୋଷ୍ଟରରେ ସରକାରୀ ଲୋଗୋ, ଅଭିଯୋଗ କଲା ବିଜେଡି

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ପ୍ରଚାରକୁ ଯିବେ ବୋଲି ପୂର୍ବରୁ ଏକ ପୋଷ୍ଟର ନିଜ ଟୁଇଟରରେ ରିଟୁଇଟି କରି ପ୍ରକାଶ କରିଥିଲେ। ଯାହାକୁ ନେଇ ଅଭିଯୋଗ କରିଛି ବିଜେଡି। ଏ ନେଇ ଦଳ ତରଫରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି।

ବିଜେଡି କହିଛି ଯେ, ଧର୍ମେନ୍ଦ୍ର ଟୁଇଟରରେ ଦେଇଥିବା ପୋଷ୍ଟରରେ ଭାରତ ସରକାରଙ୍କ ପ୍ରଦତ୍ତ ଲୋଗୋ ଲାଗିଛି। ଏଥିରେ ଜି20 ଏବଂ ଆଜାଦ କି ଅମୃତ ମହୋତ୍ସବର ଲୋଗୋ ଲାଗିଛି। ଏହି ଲୋଗ ଭାରତ ସରକାରଙ୍କର ହୋଇଥିଲେ ମଧ୍ୟ ଧର୍ମେନ୍ଦ୍ର ଦଳୀୟ ପ୍ରଚାରର କିପରି ବ୍ୟବହାର କଲେ ସେ ନେଇ ବିଜେଡି ପ୍ରଶ୍ନ ଉଠାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଗରମ ହେଲା ଝାରସୁଗୁଡା ପ୍ରଚାର, ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପାଖେଇଲାଣି ଝାରସୁଗୁଡା ଉପନିର୍ବାଚନ। ଆସନ୍ତା ୧୦ ତାରିଖରେ ହେବ ଏହି ଉପନିର୍ବାଚନ। ସେଥିପାଇଁ ୯ ତାରିଖରେ ପ୍ରଚାର ବନ୍ଦ ରହିବ। ଅର୍ଥାତ ଆଜିଠାରୁ ଆଉ ତିନିଦିନ ଧରି ପ୍ରଚାର କାର୍ଯ୍ୟ ଚାଲିବ। ହାତରେ ଆଉ ଅଳ୍ପଦିନ ଥିବାରୁ ବିଭିନ୍ନ ଦଳର ନେତାମାନେ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି।

ବିଜେଡି, ବିଜେପି ଏବଂ କଂଗ୍ରେସର ବରିଷ୍ଠ ନେତାମାନେ ବର୍ତ୍ତମାନ ଘରକୁ ଘର ବୁଲି ସେମାନଙ୍କର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାରେ ଲାଗିଛନ୍ତି। କଂଗ୍ରେସ ତରଫରୁ ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଚାର କମିଟ ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଲାଗି ପଡିଛନ୍ତି। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ଭୋଟ ଦେବା ପାଇଁ ସେମାନେ ଭୋଟରଙ୍କୁ ଅନୁରୋଧ କରିବାରେ ଲାଗିଛନ୍ତି।

ସେହିପରି ବିଜେପି ମଧ୍ୟ ପାରୁ ପର୍ଯ୍ୟନ୍ତ ପ୍ରାର୍ଥୀ ଟଙ୍କଧରଙ୍କ ସପକ୍ଷରେ ପ୍ରଚାରକୁ ଯୋରଦାର କରିଛନ୍ତି। କାରଣ ଏହି ନିର୍ବାଚନ ହେଉଛି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଇଁ ପ୍ରଥମ ଯୁଦ୍ଧ। ସେ ସଭାପତି ହେବା ପରେ ପରେ ଏହି ଉପନିର୍ବାଚନର ସମ୍ମୁଖୀନ ହେଉଛନ୍ତି। ପ୍ରଚାରକୁ ଜୋରଦାର କରିବା ପାଇଁ ରବିବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡିଛି।

ତେବେ ସବୁଠାରୁ ଯାହା ବଡ ଚର୍ଚ୍ଚାର ବିଷୟ, ତାହା ହେଲା ରବିବାର ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବେ। ଏଥିପାଇଁ ଦଳ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନବୀନ ରବିବାର ଦିନ ଅମିଲିପାଲିଠାରେ ବିଶାଳ ଜନ ସମାବେଶକୁ ଉଦବୋଧନ ଦେବେ। ନବୀନଙ୍କୁ ନେଇ ବିଜେଡି ତାହାର ଶକ୍ତି ପ୍ରଦର୍ଶନ କରିବ। ସେଥିପାଇଁ ଦଳ ତରଫରୁ ବେଶ ଉତ୍ସାହ ସୃଷ୍ଟି ହୋଇଛି।

ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ସପକ୍ଷରେ ନବୀନ ଝାରସୁଗୁଡାବାସୀଙ୍କୁ ଭୋଟ ଭିକ୍ଷା କରିବେ। ଏହି ସମାବେଶକୁ ସଫଳ କରିବା ପାଇଁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ନିରଞ୍ଜନ ପୂଜାରୀ ପ୍ରମୁଖ ଘନଘନ ବୈଠକ କରି ପ୍ରସ୍ତୁତି କରିବାରେ ଲାଗିଛନ୍ତି।

ପୂର୍ବରୁ ଭିଡିଓ କନଫ୍ରେସିଂ ମାଧ୍ୟମରେ ନବୀନ ପ୍ରଚାର କରିବେ ବୋଲି ନିଷ୍ପତି ହୋଇଥିଲା। ହେଲେ ନିଜେ ନବୀନ ଝାରସୁଗୁଡା ଯିବେ ବୋଲି ନିଷ୍ପତି କରିବାରୁ ସେଠାରେ ବିଶାଳ ସମାବେଶର ଆୟୋଜନ କରାଯାଇଛି। ଝାରସୁଗୁଡା ଉପନିର୍ବାଚନ ୧୦ ତାରିଖରେ ହେଉଥିବା ବେଳେ ଗଣତି ୧୩ ତାରିଖରେ କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱର ଠାରେ ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ” ଉଦଘାଟିତ

ଭୁବନେଶ୍ୱର: ଓଡ଼ିଶାର ପରମ୍ପରାରେ ଦକ୍ଷତାର ଗୁରୁତ୍ୱ ବହୁ ପୂର୍ବରୁ ରହିଆସିଛି। ଆବାହାମାନ କାଳରୁ ଓଡ଼ିଶାର ଭୂମିରେ କଳା, ସାହିତ୍ୟ, ସଂସ୍କୃତି ଓ ବାଣିଜ୍ୟରେ ଦକ୍ଷତାର ପରାକାଷ୍ଠା ରହିଛି ବୋଲି ରବିବାର ଭୁବନେଶ୍ୱର ସ୍ଥିତ ଆଇଏମଏମଟି ପରିସରରେ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ”ର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ “ଭବିଷ୍ୟତ କାର୍ଯ୍ୟଶୈଳୀରେ ଗହନ ପ୍ରଯୁକ୍ତି ସହ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ” କଥାବସ୍ତୁ ଉପରେ ଆୟୋଜିତ ସମ୍ମିଳନୀରେ ସମ୍ବୋଧନ କରିଥିଲେ। ସେ କହିଛନ୍ତି ଯେ ବିଶ୍ୱ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ବିଶ୍ୱର ପରିବର୍ତ୍ତନ ସହ ତାଳ ଦେବାକୁ ଦକ୍ଷତା ବିକାଶ ନିତ୍ୟାନ୍ତ ଆବଶ୍ୟକ। ଦକ୍ଷତା ବିକାଶ ଉପରେ ପ୍ରଧାନମନ୍ତ୍ରୀ ମୋଦି ସର୍ବଦା ଗୁରୁତ୍ୱ ଦେଇଛନ୍ତି। ଭବିଷ୍ୟତର କାର୍ଯ୍ୟଶୈଳୀ ପାଇଁ ଆମର ଯୁବଶକ୍ତିଙ୍କୁ ନିଯୁକ୍ତିଦାତା ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କଳ୍ପନା ରହିଛି। ଆଗାମୀ ଦିନରେ ୨୦୪୭ ସୁଦ୍ଧା ବିଶ୍ୱର ଯୁବବର୍ଗଙ୍କ ସଂଖ୍ୟାରେ ୨୫ ପ୍ରତିଶତ ଯୁବବର୍ଗ ଭାରତର ରହିବ। ଆଗାମୀ ୨୫ ବର୍ଷର ଅମୃତ କାଳରେ ଡିଗ୍ରୀ ନୁହେଁ ଦକ୍ଷତା ଓ ସାମର୍ଥ୍ୟ ହିଁ ଗୁରୁତ୍ୱ ବହନ କରିବ। ତେଣୁ ଏହି ସମୟରେ ଆଗାମୀ ଦିନର କାର୍ଯ୍ୟଶୈଳିର ରୂପରେଖ ଅନୁସାରେ ଦେଶର ଯୁବ ସମ୍ବଳ ପ୍ରସ୍ତୁତ କରିବାକୁ ହେବ। ଏ ଦିଗରେ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ ବିଶେଷ ଭାବରେ ସହାୟକ ହେବ।

ଆଜି ସାରା ଦେଶ ଏବଂ ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ସମୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ଜି-୨୦ର ପ୍ରେସିଡେନ୍ସି କରୁଛି ଏବଂ ଆମର କଥାବସ୍ତୁ “ଏକ ପୃଥିବୀ, ଏକ ପରିବାର ଏବଂ ଏକ ଭବିଷ୍ୟତ” ସହ ଭାରତ ବିଶ୍ୱ କଲ୍ୟାଣରେ ବ୍ରତୀ ହୋଇଛି। ବସୁଧୈବ କୁଟୁମ୍ବକମ୍ ଆମର ମୂଳ ମନ୍ତ୍ର ରହି ଆସିଛି। ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ପ୍ରଚୁର ଖଣିଜ ସମ୍ପଦ, ମାନବ ସମ୍ବଳ, ସୁଦୀର୍ଘ ବେଳାଭୂମି ରହିଛି। ଏହି ମର୍ମରେ ଓଡ଼ିଶା ବିଶ୍ୱ ଦକ୍ଷତା ପରିସଂସ୍ଥାନରେ କିପରି ନିଜ ସ୍ଥାନ ନିରୁପଣ କରିବ ତାହା ଉପରେ ଚର୍ଚ୍ଚା ଆଲୋଚନା ହେବ। ଏକବିଂଶ ଶତାବ୍ଦୀରେ ରୋଜଗାର ଓ କାର୍ଯ୍ୟର ସ୍ୱଭାବ କଣ ରହିବ, ତା’ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।

ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଏବଂ ଟେକ୍ନୋଲୋଜିର ଯୁଗ ହେବ । ଭାରତ ମଧ୍ୟ ଭୌଗଳିକ ସ୍ଥିତି, ଜ୍ଞାନର ଭଣ୍ଡାର ସହ ସୃଜନଶୀଳ ସମ୍ବଳ, ସୁଦୃଢ ବଜାର ରହିଛି । ଏହା ମାଧ୍ୟମରେ ଭାରତ ଏକବିଂଶ ଶତାବ୍ଦୀରେ ସବୁ କ୍ଷମତାକୁ ଉପଯୋଗ କରି ବ୍ୟାପକ ପରିବର୍ତ୍ତନର ସାରଥୀ ହେବ । ଏକବିଂଶ ଶତାବ୍ଦୀରେ ଭାରତ ବିଶ୍ୱ ଆକାଂକ୍ଷାକୁ ପୂରଣ କରିବ । ଅଟୋମେସନ, ମେକାନାଇଜେସନ, ଡିଜିଟାଇଜେସନ ଏବଂ ଟେକ୍ନୋଲୋଜି କାର୍ଯ୍ୟ କରିବାର ପୁରୁଣା ପଦ୍ଧତିକୁ ପରିବର୍ତ୍ତନ କରୁଛି ଏବଂ ନୂଆ ନୂଆ ଚାକିରି ସୁଯୋଗ ସୃଷ୍ଟି କରୁଛି । ଏହାର ଅର୍ଥ ହେଉଛି ଆମକୁ ସବୁବେଳେ ସ୍କିଲ, ରି ସ୍କିଲ ଏବଂ ଅପ ସ୍କିଲର ଆବଶ୍ୟକତା ରହିଛି । କୋ-ଓ୍ୱିନ ଆପରେ ଟିକାକରଣ, ୟୁପିଆଇ ପେମେଣ୍ଟ ଭାରତର ଡିଜିଟାଲ କ୍ଷମତାର ଶକ୍ତିକୁ ଦର୍ଶାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣୀତ ଜାତୀୟ ଶିକ୍ଷା ନୀତି ଏକ ଦସ୍ତାବିଜ ନୁହେଁ ବରଂ ବିଶ୍ୱ କଲ୍ୟାଣର ରୋଡମ୍ୟାପ୍ ବୋଲି ସେ କହିଛନ୍ତି ।

ଜି-୨୦ ଜନଭାଗିଦାରୀରେ ଓଡ଼ିଶାବାସୀଙ୍କ ଯୋଗଦାନ ଉତ୍ସାହପୂର୍ଣ୍ଣ । ଓଡ଼ିଶାର ମାସ ବ୍ୟାପୀ ଚାଲିଥିବା ଜି- ୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଓଡ଼ିଶାର ୧ ଲକ୍ଷ ଯୁବକଙ୍କ ଅଂଶଗ୍ରହଣ ପ୍ରଶଂସନୀୟ । ଅକ୍ଷୟ ତୃତୀୟାର ପବିତ୍ର ଅବସରରେ ଶିଳ୍ପସମୂହ, ଶିକ୍ଷାନୁଷ୍ଠାନ, ଷ୍ଟର୍ଟଅପ୍ ପରିସଂସ୍ଥାନ ଏବଂ ଷ୍ଟେକହୋଲ୍ଡର ଜି-୨୦ ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ଫ୍ରେମଓ୍ୱାର୍କରେ ସାମିଲ ହୋଇ ଭାରତକୁ ବିଶ୍ୱ ମାନବ ସମ୍ବଳର ପେଣ୍ଠସ୍ଥଳୀ କରିବା ପାଇଁ ଆହ୍ୱାନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ଶିକ୍ଷା, ସ୍ୱାସ୍ଥ୍ୟ, ମୋବିଲିଟି, ମେଟାଭର୍ସ, ରିଭର୍ସ ଇଞ୍ଜିନିୟରିଂ, ଡ୍ରୋନ ଟେକ୍ନୋଲୋଜି ସହ ହସ୍ତତନ୍ତ, ଓଡ଼ିଆ ଭାସ୍କର୍ଯ୍ୟ, କଳା ସଂସ୍କୃତି, ପାଶ୍ଚାତ୍ୟ ପଢ଼ା ଶୈଳୀକୁ ନେଇ ବିଭିନ୍ନ ସାମଗ୍ରୀକୁ ବୁଲି ଦେଖିଥିଲେ । ସେ କହିଥିଲେ ଏହି ପ୍ରଦର୍ଶନୀ ଡିଜିଟାଲ ନବସୃଜନରେ ଆସିଥିବା ବ୍ୟାପକ ପରିବର୍ତ୍ତନ ଓ ବିଶ୍ୱର ପୁନଃକାର୍ଯ୍ୟଶୈଳୀର ପ୍ରତଫଳନ । ଜି-୨୦ ଭବିଷ୍ୟତର ଆଧୁନିକ କାର୍ଯ୍ୟଶୈଳୀ, କୌଶଳ ଏବଂ ଭବିଷ୍ୟତର ରୋଜଗାର ସହ ଉଭା ହେଉଥିବା ଶିକ୍ଷା ଆହରଣ, ଦକ୍ଷତା ଏବଂ ନିଯୁକ୍ତି ଦୃଶ୍ୟପଟ୍ଟର ଏକ ଝଲକ ।

ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ କ୍ଷେତ୍ରର ଅନେକ ବ୍ୟକ୍ତି ବିଶେଷ ଏବଂ ଆଇଆଇଟି, ଭୁବନେଶ୍ୱର, ଏନଆଇଟି, ରାଉରକେଲା, ଆଇଆଇଏମ, ସମ୍ବଲପୁର ଆଇଜର, ନାଇଜର ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ।

—————–

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜି୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ: କାର୍ଯ୍ୟର ଭବିଷ୍ୟତ ଉପରେ ସ୍ଵତନ୍ତ୍ର ପ୍ରଦର୍ଶନୀକୁ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା କାଲି ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ଅଧୀନରେ କାର୍ଯ୍ୟର ଭବିଷ୍ୟତକୁ ନେଇ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିବେ। ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ଭୁବନେଶ୍ୱର ଠାରେ ଆୟୋଜିତ ହେବାକୁ ଥିବା ତୃତୀୟ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ଉପଲକ୍ଷେ ସ୍ଥାନୀୟ ସିଏସଆଇଆର – ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ପରିସରରେ ପ୍ରଦର୍ଶନୀ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରଦର୍ଶନୀ ପ୍ରଯୁକ୍ତି ନେତୃବର୍ଗ, ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଓ ଶିକ୍ଷାବିତମାନଙ୍କୁ କାର୍ଯ୍ୟର ଭବିଷ୍ୟତକୁ ନେଇ ସେମାନଙ୍କର ଦୃଷ୍ଟିକୋଣ ଓ ଦୂରଦୃଷ୍ଟିକୁ ପ୍ରଦର୍ଶିତ କରିବା ଲାଗି ସୁଯୋଗ ପ୍ରଦାନ କରିବ।

ଏନଆଇଟି ରାଉରକେଲା, ଆଇଆଇଟି ଭୁବନେଶ୍ୱର, ଆଇଆଇଏମ ସମ୍ବଲପୁର, ମେଟା, ୟୁନିସେଫ, ଏନସିଇଆରଟି ଏବଂ ଆହୁରି ଅନେକ ସମେତ ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠାନ ଓ ସଂଗଠନମାନେ କାର୍ଯ୍ୟର ଭବିଷ୍ୟତ, ଆଧୁନିକ କାର୍ଯ୍ୟସ୍ଥଳୀରେ ନିରନ୍ତର ନବସୃଜନ, ଭବିଷ୍ୟତର ଦକ୍ଷତା ବିକାଶ ଏବଂ ଅଭିନବ ଡେଲିଭରୀ ମଡେଲ ଉପରେ ଆଧାରିତ ପ୍ରଯୁକ୍ତି ପ୍ରଦର୍ଶିତ କରିବେ। ପ୍ରଦର୍ଶନୀ ସମୟରେ ଭାରତ ଏବଂ ଜି୨୦ ସଦସ୍ୟ ରାଷ୍ଟ୍ରର ୧୦୦ରୁ ଅଧିକ ପ୍ରଦର୍ଶନକାରୀ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ କରିବେ।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏପ୍ରିଲ ୨୩ ଓ ୨୪ ତାରିଖରେ ପ୍ରାକ୍ କାର୍ଯ୍ୟକ୍ରମ ଆୟୋଜନ କରୁଛି। ପ୍ରଥମ ଦିନରେ କାର୍ଯ୍ୟର ଭବିଷ୍ୟତରେ ଆଧୁନିକ ପ୍ରଯୁକ୍ତି ଉପରେ ଧ୍ୟାନ ଦିଆଯାଇ ପ୍ରଦର୍ଶନୀ ଆୟୋଜନ କରାଯିବ। ଡିପ ଟେକ ଏବଂ କାର୍ଯ୍ୟର ଭବିଷ୍ୟତ ଉପରେ ଏହାର ପ୍ରଭାବ ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇ ଏକାଧିକ ପ୍ୟାନେଲ ଆଲୋଚନା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ବିଶ୍ୱ ସେମି କଣ୍ଡକ୍ଟର ଇକୋସିଷ୍ଟମରେ ଭାରତର ଦୃଷ୍ଟିକୋଣ, ଡିଜିଟାଇଜେସନ ଏବଂ ନୂଆ ଯୁଗର ଷ୍ଟାର୍ଟଅପ୍ ଆଦି ବିଷୟ ଉପରେ ମଧ୍ୟ ଆଲୋଚନା ହେବ।

ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ପ୍ରଦର୍ଶନୀ ସହିତ ଏକ ଅଭିନବ କାର୍ଯ୍ୟର ଭବିଷ୍ୟତ ଅନୁଭୂତି ଜୋନ୍ ପ୍ରତିଷ୍ଠାନ କରାଯାଉଛି। ଏହି ଜୋନରେ ଯୁବକମାନଙ୍କ ପାଇଁ କାର୍ଯ୍ୟର ଭବିଷ୍ୟତ ଆଗକୁ କିଭଳି ପରିବର୍ତ୍ତନ ହେବ ସେ ସମ୍ପର୍କରେ ପ୍ରଦର୍ଶନୀ ଆୟୋଜନ କରାଯିବ। ବଜାରରେ ପ୍ରାସଙ୍ଗିକ ରହିବାକୁ ହେଲେ ଆବଶ୍ୟକ ଆଧୁନିକ ବୈଷୟିକ କୌଶଳ ଏବଂ କୋମଳ ହସ୍ତାନ୍ତରଯୋଗ୍ୟ କୌଶଳ ସମ୍ପର୍କରେ ଏହି ଜୋନରେ ଯୁବବର୍ଗଙ୍କୁ ସୂଚନା ମିଳିପାରିବ। ହୋଲୋଗ୍ରାମ, ଇଣ୍ଟରଆକ୍ଟିଭ ସଫେର୍ସ ଟେବୁଲ ଏବଂ ଇଣ୍ଟରଆକ୍ଟିଭ ୱାଲ୍ ଭଳି ଆଧୁନିକ ପ୍ରଯୁକ୍ତି ବ୍ୟବହାର କରାଯାଇ ଏହି ଜୋନରେ କାର୍ଯ୍ୟର ଭବିଷ୍ୟତକୁ ପ୍ରଦର୍ଶିତ କରାଯିବ ଯାହା ଦର୍ଶକମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବାନ୍ଧି ରଖିବ। ବିଭିନ୍ନ କ୍ଷେତ୍ରରେ ଅଟୋମେସନ ଏବଂ ଡିଜିଟାଇଜେସନ ଦ୍ୱାରା କାର୍ଯ୍ୟ ପଦ୍ଧତି କିଭଳି ବଦଳୁଛି ତାହା ଦର୍ଶକମାନେ ଏଠାରେ ଜାଣିବାକୁ ପାଇପାରିବେ।

ପ୍ରଦର୍ଶନୀ ସମୟରେ କୃଷି, ପରିବହନ ଓ ସ୍ୱାସ୍ଥ୍ୟସେବା ଆଦି ୩ଟି କ୍ଷେତ୍ର ଉପରେ ପ୍ରାଥମିକତା ଦେଇ କାର୍ଯ୍ୟର ଭବିଷ୍ୟତ ଉପରେ ପ୍ରଦର୍ଶନୀ ଆୟୋଜନ କରାଯିବ। ମେଟାଭର୍ସ – ଏଆର/ଭିଆର, ରିଭର୍ସ ଇଞ୍ଜିନିଅରିଂ ଏବଂ ସ୍ୱୟଂଚାଳିତ ଡିଜାଇନ ସମାଧାନ, ଡ୍ରୋନ ପ୍ରଯୁକ୍ତି, ଏଆର/ଭିଆର ଉପଯୋଗ କରି ଏଡ୍-ଟେକ୍ ସମାଧାନ, ଶିଳ୍ପ ୪.୦ କୌଶଳ, ଭର୍ଣ୍ଣାକୁଲର ଅଧ୍ୟୟନ ଆଧାରିତ ପ୍ରଯୁକ୍ତି ସମାଧାନ, ଭର୍ଚୁଆଲ ଇଣ୍ଟର୍ଣ୍ଣସିପ ସମାଧାନ, ଇମର୍ସିଭ୍ ଟେକ୍ ଅଧ୍ୟୟନ ସମାଧାନ, ସହାୟକ ପ୍ରଯୁକ୍ତି ନବସୃଜନର ଲାଇଭ୍ ଡେମୋ ସହିତ ଅନ୍ତର୍ଭୂକ୍ତିକରଣ ପାଇଁ ସହାୟକ ପ୍ରଯୁକ୍ତି ଓ ଟାକ୍ଟାଇଲ୍ ଡିସପ୍ଲେ ଆଦି ମଧ୍ୟ ପ୍ରଦର୍ଶନୀରେ ସ୍ଥାନ ପାଇବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜମ୍ମୁ-କାଶ୍ମୀରରେ ଯବାନଙ୍କ ଶହୀଦ ଘଟଣାରେ ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଜମ୍ମୁ-କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣରେ ଶହୀଦ ହୋଇଥିବା ଓଡ଼ିଆ ଓ ଭାରତୀୟ ଯବାନଙ୍କ ପ୍ରତି ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ଅଞ୍ଚଳର ଯବାନ ଦେବାଶିଷ ବିଶ୍ୱାଳ (ସାହିତ୍ୟ)ଙ୍କ ସମେତ ଯବାନମାନେ ଶହୀଦ ହୋଇଥିବା ଖବର ଶୁଣି ମୁଁ ଦୁଃଖିତ ଏବଂ ଗଭୀର ଭାବରେ ମର୍ମାହତ। ଏହି ବୀର ଯବାନ ମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ।

ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଏବଂ ସାହସ ପ୍ରଦାନ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଭୁବନେଶ୍ୱର ଠାରେ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ‘ଆଇଆଇଟିର ୫୫ତମ କାଉନସିଲ ବୈଠକ’

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଆଇଆଇଟି ଭୁବନେଶ୍ୱର ଠାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ର ୫୫ତମ କାଉନସିଲ ବୈଠକ ଅନୁଷ୍ଠାନର ନିର୍ଦ୍ଦେଶକ ଓ ଚେୟାରମ୍ୟାନଙ୍କ ସହ ଅନୁଷ୍ଠିତ ହୋଇଯାଇଛି।

ଏ ସମ୍ପର୍କରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ, ଦୂରଦୃଷ୍ଟି ଏବଂ ଜାତୀୟ ଶିକ୍ଷା ନୀତି ଅଧାରରେ ଆଇଆଇଟିକୁ ବିଶ୍ୱମାନର ଗବେଷଣା, ନବସୃଜନ ଏବଂ ଉଦ୍ୟମୀ ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତନ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଦେଶର ପ୍ରମୁଖ ବୈଷୟିକ ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ ଆଇଆଇଟି ଗୁଡିକ ବିଶ୍ୱରେ ଭାରତର ବ୍ରାଣ୍ଡକୁ ମଜବୂତ୍ କରିବା ସହ ବିଶ୍ୱ କଲ୍ୟାଣ ପାଇଁ ସମାଧାନର ରାସ୍ତା ବାହାର କରୁଛି। ଦେଶର ଆଇଆଇଟିକୁ ଗରିବ କଲ୍ୟାଣର ପ୍ରୟୋଗଶାଳା କରିବା ପାଇଁ ଉଦ୍ୟମ ହେଉଛି। ଆମର ଆଇଆଇଟି ବିକଶିତ ଓ ଆତ୍ମନିର୍ଭର ଭାରତର ପଥପ୍ରଦର୍ଶକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଦେଶ ନୁହେଁ ବିଶ୍ୱର ଅର୍ଥନୀତି, ଜିଡିପିରେ ଆଇଆଇଟିର ବଡ଼ ଯୋଗଦାନ ରହିଛି। ଦେଶର ନୂଆପିଢିଙ୍କୁ ରୋଜଗାର ଦେବାରେ ଆଇଆଇଟି ମୁଖ୍ୟ ଭୂମିକା ଗ୍ରହଣ କରିଛି। ଏହି ମର୍ମରେ ସେମାନଙ୍କୁ ନିଯୁକ୍ତିଦାତା ବନାଇବା ଦିଗରେ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି। ସେହିପରି ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପରେ ଗୁରୁତ୍ୱାରୋପ କରିବା ସହ ଶ୍ରୀ ପ୍ରଧାନ ଗୁଣାତ୍ମକ ଶିକ୍ଷକ ପ୍ରସ୍ତୁତ କରିବା ପାଇଁ ‘ଇଣ୍ଟିଗ୍ରେଟେଡ୍ ଟିଚର ଏଜୁକେସନ ପ୍ରୋଗ୍ରାମ’ ଆରମ୍ଭ କରିବା ପାଇଁ ଆଇଆଇଟିକୁ ପରାମର୍ଶ ଦେଇଛନ୍ତି।

ଆଇଆଇଟି କାଉନସିଲ ବୈଠକରେ ମୁଖ୍ୟତଃ ଆଇଆଇଟି ଅନୁଷ୍ଠାନ ଗୁଡିକ ପାଇଁ ଥିବା ପ୍ରମୁଖ ନୀତି ଉପରେ ବିଚାରବିମର୍ଷ କରାଯାଇ ନିର୍ଣ୍ଣୟ ନିଆଯାଇଥାଏ। ପ୍ରଥମେ ଆଇଆଇଟି ଜ୍ଞାନ ପାଇଁ ଜଣାଯାଉଥିଲା ମାତ୍ର ଏବେ ସମାଜର ମଙ୍ଗଳ ପାଇଁ ଆଇଆଇଟିକୁ ପ୍ରସ୍ତୁତ କରାଯିବା ଦିଗରେ ନୀତି ହେଉଅଛି। ଏଥିପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନୂଆ ପରିବେଶରେ କିପରି ପ୍ରସ୍ତୁତ କରାଯିବ, ପୃଥକ ପୃଥକ ନୀତି ମାଧ୍ୟମରେ ଶିକ୍ଷକଙ୍କୁ କ’ଣ ପ୍ରଶିକ୍ଷଣ ଦିଆଯିବ, ଛାତ୍ରଛାତ୍ରୀଙ୍କୁ ଉଦ୍ୟମୀ କରିବା ଓ ସେମାନଙ୍କ ମାନସିକତା ଦୁର୍ବଳତାକୁ ହ୍ରାସ କରି  ମନୋବଳ ବୃଦ୍ଧି କରିବା ପାଇଁ କେମିତି ଚେଷ୍ଟା କରାଯିବ ତାହା ଉପରେ ବୈଠକପେ ଚର୍ଚ୍ଚା ଆଲୋଚନା ହୋଇଛି। ଏହାବ୍ୟତିତ ଗୁଣାତ୍ମକ ଶିକ୍ଷା ସମେତ ଗବେଷଣା କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ମଧ୍ୟ ବିଚାରବିମର୍ଷ ହୋଇଥିଲା।

ଏହି ବୈଠକରେ ସାଂସଦ ବିପ୍ଳବ କୁମାର ଦେବ, କୁଆଁର ହେମବ୍ରମ, ଏନଇଟିଏଫର ଚେୟାରମ୍ୟାନ ପ୍ରଫେସର ଅନିଲ ସହସ୍ରବୁଦ୍ଧେ, ୟୁଜିସି ଚେୟାରମ୍ୟାନ ଏମ୍‌ ଜଗିଦେଶ କୁମାର, ଏଆଇସିଟିଇର ନିର୍ଦ୍ଦେଶକ, ସିଏସଆଇଆର, ଇଣ୍ଡିଆର ନିର୍ଦ୍ଦେଶକ, ଆଇଆଇଏସ, ବାଙ୍ଗାଲୋରର ନିର୍ଦ୍ଦେଶକ ଏବଂ ଦେଶର ୨୩ଟି ଆଇଆଇଟିର ଚେୟାରମ୍ୟାନ ଓ ନିର୍ଦ୍ଦେଶକ ଏବଂ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଯୁବଶକ୍ତିଙ୍କ ପାଇଁ ସୁଯୋଗର ନୂତନ ଦ୍ୱାର ଖୋଲିବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସିଏପିଏଫ କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପଦବୀ ପାଇଁ ଅନୁଷ୍ଠିତ ଲିଖିତ ପରୀକ୍ଷା ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ କରାଯିବା ନିଷ୍ପତିକୁ ଟ୍ୱିଟ୍ କରି ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ନିଷ୍ପତି ଆମର ଭାଷା ବିବିଧତାକୁ ପାଳନ କରିବାର ଅବସର ଦେଇଛି। ଭାରତୀୟ ଭାଷାର ପ୍ରଚାରକୁ ପ୍ରୋତ୍ସାହନ ଦେବା ସହ ଏହି ନିର୍ଣ୍ଣୟ ଯୁବଶକ୍ତିଙ୍କ ପାଇଁ ସୁଯୋଗର ନୂଆ ଦ୍ୱାର ଖୋଲିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ।

ସେ କହିଛନ୍ତି ଏହା ଏକ ଐତିହାସିକ ନିଷ୍ପତି। ସିଏପିଏଫ ପାଇଁ କନଷ୍ଟେବଳ ପରୀକ୍ଷା ଇଂରାଜୀ ଓ ହିନ୍ଦୀ ଭାଷା ବ୍ୟତିତ ୧୩ଟି ଭାରତୀୟ ଭାଷାରେ ହେବା ଦ୍ୱାରା ଅଧିକ ସଂଖ୍ୟକ ଯୁବବର୍ଗମାନେ ଉପକୃତ ହେବେ। ବିଶେଷ ଭାବରେ ଗ୍ରାମାଞ୍ଚଳର ଯୁବବର୍ଗମାନେ ଏହାର ସୁବିଧା ପାଇପାରିବେ। ଏହି ନିର୍ଣ୍ଣୟ ସବୁ ଭାରତୀୟ ଭାଷାର ପ୍ରଚାର ପ୍ରସାର ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାର ପ୍ରତିଫଳନ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

ଉଲ୍ଲେଖନୀୟ ଯେ, କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ସିଏପିଏଫରେ ସ୍ଥାନୀୟ ଯୁବକମାନଙ୍କର ଭାଗିଦାରୀ ବଢ଼ାଇବା ଏବଂ ଆଞ୍ଚଳିକ ଭାଷାଗୁଡ଼ିକୁ ପ୍ରୋତ୍ସାହନ ଦେବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଣିକି ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଓଡ଼ିଆ, ଅହମୀୟା, ବଙ୍ଗଳା, ଗୁଜରାଟୀ, ମରାଠୀ, ମାଲାୟଲମ, କନ୍ନଡ଼, ତାମିଲ, ତେଲୁଗୁ, ଊର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଏବଂ କୋଙ୍କଣୀ ଭାଷା ଗୁଡ଼ିକରେ ସିଏପିଏଫ ପରୀକ୍ଷାରେ  ପ୍ରଶ୍ନପତ୍ର ପ୍ରସ୍ତୁତ ହେବ।

Categories
ବିଶେଷ ଖବର

ରୋଜଗାର ମେଳା: ଆଜି ୭୧,୦୦୦ ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ପୂର୍ବାହ୍ନ ୧୦.୩୦ ରେ ନୂତନ ଭାବରେ ନିଯୁକ୍ତ କର୍ମଚାରୀଙ୍କୁ ପ୍ରାୟ ୭୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ନବ ନିଯୁକ୍ତ କର୍ମଚାରୀମାନଙ୍କୁ ସମ୍ବୋଧିତ କରିବେ।

ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରୀ, ଭାରତ ସରକାର, ଭୁବନେଶ୍ୱରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୩୬ ନବନିଯୁକ୍ତଙ୍କୁ, ବିଶ୍ୱେଶ୍ୱର ଟୁଡୁ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ, ଆଦିବାସୀ ବ୍ୟାପାର ଏବଂ ଜଳ ଶକ୍ତି, ଭାରତ ସରକାର, କଟକ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୦୪ ନବନିଯୁକ୍ତଙ୍କୁ ଏବଂ ଫଗନ ସିଂ କୁଲାଷ୍ଟେ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ, ଇସ୍ପାତ ଏବଂ ଗ୍ରାମୀଣ ବିକାଶ, ଭାରତ ସରକାର, ବିଶାଖାପାଟନମ୍ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୯୦ ନବନିଯୁକ୍ତଙ୍କୁ ଯଥାକ୍ରମେ ନିଯୁକ୍ତି ପତ୍ର ବଣ୍ଟନ କରିବେ।

ରୋଜଗାର ସୃଷ୍ଟି ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ରୋଜଗାର ମେଳା ଏକ ପଦକ୍ଷେପ। ରୋଜଗାର ମେଳା ଆଗାମୀ ନିଯୁକ୍ତି ସୃଷ୍ଟିରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କର ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଏହି ନୂତନ କର୍ମଚାରୀମାନେ ଟ୍ରେନ୍ ମ୍ୟାନେଜର, ଷ୍ଟେସନ ମାଷ୍ଟର, ସିନିୟର କମର୍ସିଆଲ୍ କମ୍ ଟିକେଟ୍ କ୍ଲର୍କ, ଇନ୍ସପେକ୍ଟର, ସବ୍ ଇନ୍ସପେକ୍ଟର, କନଷ୍ଟେବଳ, ଷ୍ଟେନୋଗ୍ରାଫର, ଜୁନିଅର ଆକାଉଣ୍ଟାଣ୍ଟ, ଡାକ ସହାୟକ, ଇନକମ୍ ଟାକ୍ସ ଇନସପେକ୍ଟର ପରି ବିଭିନ୍ନ ପଦ/ପଦବୀରେ ଯୋଗଦେବେ। ଏହା ସହି ତରହିଛି ଟ୍ୟାକ୍ସ ଇନ୍ସପେକ୍ଟର, ଟ୍ୟାକ୍ସ ଆସିଷ୍ଟାଣ୍ଟ, ସିନିୟର ଡ୍ରଟସମ୍ୟାନ୍, ଜେଇ/ ସୁପରଭାଇଜର, ଆସିଷ୍ଟାଣ୍ଟ ପ୍ରଫେସର, ଶିକ୍ଷକ, ଲାଇବ୍ରେରିଆନ୍, ନର୍ସ, ପ୍ରୋବେସନାରୀ ଅଫିସର, ପିଏ, ଏମଟିଏସ ଓ ଆହୁରି ଅନେକ।

ନୂତନ ଭାବେ ନିଯୁକ୍ତ ନିଯୁକ୍ତ କର୍ମଚାରୀମାନେ ମଧ୍ୟ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ତାଲିମ ଗ୍ରହଣ କରିବାର ସୁଯୋଗ ପାଇବେ, ଯାହା ବିଭିନ୍ନ ସରକାରୀ ବିଭାଗର ସମସ୍ତ ନୂତନ ନିଯୁକ୍ତ କର୍ମଚାରୀଙ୍କ ପାଇଁ ଏକ ଅନଲାଇନ୍ ଓରିଏଣ୍ଟେସନ୍ ପାଠ୍ୟକ୍ରମ ଅଟେ।

Categories
ଆଜିର ଖବର ରାଜ୍ୟ ଖବର

କୋଟିଆ ଓଡ଼ିଶାର, “ଆନ୍ଧ୍ର ଗୋ ବ୍ୟାକ୍‌” ବିଜେପିର ସ୍ପଷ୍ଟ ମତ : ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରାପୁଟ ଜିଲ୍ଲା କୋଟିଆକୁ ଯାଇ ସେଠାରେ ଉତ୍କଳ ଦିବସ ପାଳନ କରି ଜଣେ ପ୍ରକୃତ ଓଡ଼ିଆର ପରିଚୟ ଦେଇଛନ୍ତି। ଓଡିଶାର ଐତିହ୍ୟ, କଳା ଓ ସୀମା ଆଜି ଅସୁରକ୍ଷିତ ସମୟରେ ଶ୍ରୀ ପ୍ରଧାନ ସେମାନଙ୍କ ପାଖରେ ପଂହଚି କୋଟିଆବାସୀଙ୍କ ମନୋବଳକୁ ବଢ଼ାଇଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ଜଣେ ଓଡ଼ିଆ ପୁଅ ଓ ଓଡ଼ିଶା ନାଗରୀକ ତା’ପରେ ସେ କେନ୍ଦ୍ରମନ୍ତ୍ରୀ। ଓଡ଼ିଶାକୁ ଓଡ଼ିଆ ଲୋକ ଶାସନ କରୁନଥିବାରୁ ରାଜ୍ୟ ସରକାର କୋଟିଆରେ ପଶିବା ପାଇଁ ଆନ୍ଧ୍ରପ୍ରଦେଶକୁ ପ୍ରଶୟ ଦେଉଛନ୍ତି। କିଛି ଦିନ ତଳେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓଡ଼ିଶା ଗସ୍ତରେ ହଠାତ୍ ଆସିଲେ କାହିଁକି? କେଉଁଥି ପାଇଁ ଓ କଣ କଥା ହେଲେ ତାହାକୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ସାର୍ବଜନୀନ କରିଲେ ନାହିଁ।

ସ୍ଥାନୀୟ ଗ୍ରାମବାସୀ ଓ ବିଜେପି ପକ୍ଷରୁ କୋଟିଆରେ ଉତ୍କଳ ଦିବସ ପାଳନ ସଭା ଚାଲିଥିବା ବେଳେ ଆନ୍ଧ୍ରର ଅଫିସରମାନେ କୋଟିଆ ଅଂଚଳରେ ଚକର କାଟୁଥିଲେ। ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ଆନ୍ଧ୍ରର ଉପଦ୍ରବ୍ୟ କୋଟିବା ଭିତରେ ଅଧିକ ବଢ଼ିଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି।

“ଆନ୍ଧ୍ର ଗୋ ବ୍ୟାକ” ଭାରତୀୟ ଜନତା ପାର୍ଟିର ସ୍ପଷ୍ଟ ଷ୍ଟାଣ୍ଡ। ଏଥିରେ କୌଣସି ଦ୍ୱିମତ କିମ୍ବା ଦ୍ୱନ୍ଦ୍ୱ ନାହିଁ। ଭାରତୀୟ ଜନତା ପାର୍ଟିର ବିଧାୟକମାନେ ବାରମ୍ବାର ବିଧାନସଭାରେ ବାଚସ୍ପତି ଓ ରାଜ୍ୟ ସରକାରଙ୍କୁ ଦାବି କରିଥିଲେ ଯେ, ହାଉସକମିଟିକୁ ବାଚସ୍ପତିଙ୍କ ନେତୃତ୍ୱରେ ଥରେ କୋଟିଆ ଗସ୍ତ କରନ୍ତୁ। ରାଜ୍ୟ ସରକାର କୋଟିଆକୁ ଆନ୍ଧ୍ର ହାତରେ ଟେକିଦେବା ପାଇଁ ବସିଛନ୍ତି। କୋଟିଆକୁ ଆନ୍ଧ୍ର କବଜା କରିବାକୁ ମସୁଧା ଚଳାଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦିନେ ବି ସେଠାକୁ ନଯିବା ଦୁଃଖର ବିଷୟ।

କିନ୍ତୁ କେନ୍ଦ୍ର ସରକାରଙ୍କ ଉଦ୍ୟମ ଓ ଅନୁଦାନରେ କୋଟିଆ ଅଂଚଳରେ ଶିକ୍ଷା, ଗମନାଗମନ, କୃଷି ଓ ଅର୍ଥକାରୀ ଫସଲର ଭିତିଭୂମି ନିର୍ମାଣ ସହ ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ଅଗ୍ରଗତି ଘଟିଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୮ରେ କୋଟିଆ ଯାଇଥିଲେ ଓ ଗତକାଲି ଉତ୍କଳ ଦିବସ ଥିବାରୁ କୋଟିଆ ଅଂଚଳ ଗସ୍ତ କରିଥିଲେ। ଏହାପରେ କୋଟିଆର ଗ୍ରାମପୁଞ୍ଜରେ ଆନ୍ଧ୍ରର ଜଣେ ଅଧିକାରୀ କୋଟିଆ ଏକ ବିବାଦୀୟ ଅଂଚଳ ବୋଲି କହିଥିଲେ। ଏହାଶୁଣି ଶ୍ରୀ ପ୍ରଧାନ କୋଟିଆ ସମ୍ପୂର୍ଣ୍ଣଭାବେ ଓଡ଼ିଶାର, ଆନ୍ଧ୍ରର ନୁହେଁ ବୋଲି ସ୍ପଷ୍ଟ କରିଥିବା ଶ୍ରୀ ବକ୍ସିପାତ୍ର କହିଛନ୍ତି।

କୋଟିଆ ଅଂଚଳକୁ ଗତକିଛି ବର୍ଷ ହେଲା ପର୍ଯ୍ୟାୟକ୍ରମେ ଆନ୍ଧ୍ରରମନ୍ତ୍ରୀ, ବିଧାୟକ ଓ ଅଧିକାରୀ ବାରମ୍ବାର ଆସୁଥିବାବେଳେ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। କୋଟିଆ ପ୍ରସଙ୍ଗରେ ବିଜୁ ଜନତା ଦଳ ଓ କଂଗ୍ରେସ ଉଭୟ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କେନ୍ଦ୍ରମନ୍ତ୍ରୀ: ନୂତନ ଷ୍ଟାଡ଼ିୟମ ପାଇଁ କଲେ ଭୂମିପୂଜନ

କୋରାପୁଟ: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ‘ଉତ୍କଳ ଦିବସ’ର ମହାନ ଅବସରରେ କୋରାପୁଟ ଜିଲ୍ଲା ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂତନ ଷ୍ଟାଡ଼ିୟମ ପାଇଁ ଭୂମିପୂଜନ କରିବା ସହ ପ୍ରାଧ୍ୟାପକଙ୍କ ପାଇଁ ଓ୍ୱାର୍କ ଷ୍ଟେସନ ଓ ଡିଜିଟାଲ ଭାଷା ଲ୍ୟାବର ଉଦଘାଟନ କରିଛନ୍ତି। ଏହାସହ ବିଶ୍ୱବିଦ୍ୟାଳୟରେ ସନ୍ଥ କବି ଭୀମ ଭୋଇ ଚେୟାର ପ୍ରତିଷ୍ଠା କରାଯାଇଛି।

ଏହି ଅବସରରେ ଶ୍ରୀ ପ୍ରଧାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବି.ଇଡି ବିଭାଗ ଏବଂ ଓଡ଼ିଆ ବିଭାଗ ମିଳିତ ଭାବେ କୋରାପୁଟରେ କଥିତ ସମସ୍ତ ଜନଜାତି ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବିଶ୍ୱବିଦ୍ୟାଳୟ ହଜାର ବର୍ଷ ପୂର୍ବରୁ ସମାଜର ପୂରଣ କରିବାର ଦାୟିତ୍ୱ ନେଇଥିଲେ। ଭାଷା ପାଇଁ ମଧ୍ୟ ଦାୟିତ୍ୱ ନେବାକୁ ପଡିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ସେହିପରି ବର୍ତ୍ତମାନ ସମୟରେ ପେଟ୍ରୋକେମିକାଲ ସେକ୍ଟର ସବୁଠୁ ସ୍ପିଡରେ ଗ୍ରୋଥ କରୁଛି । କେବଳ ଫିଜିକ୍ସ ପଢାଇବା ନା ପେଟ୍ରୋକେମିକାଲ ରିଲେଟେଡ୍ ଆପ୍ଲାଏଡ ପେଟ୍ରୋକେମିକାଲ କେମେଷ୍ଟ୍ରି ପଢାଇବା। ତେଣୁ ଆଧୁନିକ ସମୟ ସହ ତାଳ ଦେଇ ପାଠପଢା ଉପରେ ଗୁରୁତ୍ୱ ଦେବାକୁ ସେ କହିଥିଲେ।

ମହିମା ଗୋସାଇଁଙ୍କ ବିଚାରକୁ ପ୍ରଚାର ପ୍ରସାର କରିବା ଓ ଭୀମ ଭୋଇଙ୍କ ବୌଦ୍ଧିକ ପକ୍ଷକୁ ସମାଜ ସାମ୍ନାରେ ଉପସ୍ଥାପିତ କରିବା ପାଇଁ ଦାୟିତ୍ୱ ଦିଆଯାଇଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଛତିଶଗଡ଼ ବିଳାସପୁର ସ୍ଥିତ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ପରେ ଆଜି ଉତ୍କଳ ଦିବସରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏହି ଚେୟାର ଖୋଲାଯିବା ଖୁସିର ବିଷୟ।

ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଶହୀଦ ଲକ୍ଷ୍ମଣ ନାଏକଙ୍କ ଦାୟଦର ଯୁବବର୍ଗଙ୍କ ମଧ୍ୟରେ କ୍ରୀଡା, ଦକ୍ଷତା, ଜଙ୍ଗଲ ସୁରକ୍ଷା, ଜୈବ ବିବିଧତାକୁ ସମୃଦ୍ଧ କରିବା ଦିଗରେ ଅଦମ୍ୟ ସାହସ ଓ ଉତ୍ସାହ ଅଛି। କୋରାପୁଟ ମାନବ ସଭ୍ୟତାର ପ୍ରାଚୀନ ପ୍ରୟୋଗଶାଳା। ଏହି ଅମୂଲ୍ୟ ଜ୍ଞାନ ଭଣ୍ଡାରକୁ ଏକବିଂଶ ଶତାବ୍ଦୀରେ ପୁନର୍ଜୀବିତ କରିବା। ଏହାସହ ଓଡ଼ିଶା ୨୦୩୬ରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବାର ସମୟ ଅବଧିରେ ଯୁବପିଢିଙ୍କୁ ବଡ ଭାବିବା ବଡ ସ୍ୱପ୍ନ ଦେଖିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଥିଲେ।

ଉଲ୍ଲେଖନୀୟ ଯେ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଏବଂ ପ୍ରାଧ୍ୟାପକଙ୍କ ସହ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ। କୋରାପୁଟର ସ୍ଥାନୀୟ କୁଇ ଭାଷାରେ ଗବେଷଣା କରିବା, ଅଞ୍ଚଳର ଜୈବିକ ଚାଷକୁ ପ୍ରୋତ୍ସାହନ, ଭାରତମାଳା ପ୍ରକଳ୍ପ ଦ୍ୱାରା ଅର୍ଥନୀତିର ଅଭିବୃଦ୍ଧି ଏବଂ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ଦିଗରେ ଆଲୋଚନା କରିଥିଲେ। ଏହାସହ ପ୍ରାଧ୍ୟାପକ ନିଯୁକ୍ତି ସହ କ୍ୟାମ୍ପସର ଓଭରାଲ କ୍ୟାପିଟାଲ ସ୍ପେଣ୍ଡିଂ, ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଆଧାରିତ ପାଠ୍ୟକ୍ରମ ନେଇ ଆଲୋଚନା ହୋଇଥିଲା। ସେଣ୍ଟରାଲ ୟୁନିଭରସିଟିର ଶ୍ରୀବୃଦ୍ଧି କରିବା ପାଇଁ ସବୁ ପଦକ୍ଷେପ ନିଆଯିବା ନେଇ ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ।

Categories
ବିଶେଷ ଖବର

ଉତ୍କଳ ଦିବସରୁ ରାଜ୍ୟରେ ଆରମ୍ଭ ହେଲା ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ଦେଶର ବିଭିନ୍ନ ପ୍ରାନ୍ତରେ ପର୍ଯ୍ୟାୟକ୍ରମେ ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ ବୈଠକମାନ ଆୟୋଜନ କରାଯାଉଛି। ଆସନ୍ତା ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ଆୟୋଜନ କରାଯିବ। ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକ ନିମନ୍ତେ ଜନସଚେନତା ସୃଷ୍ଟି ଲାଗି ଆଜି ଉତ୍କଳ ଦିବସ ଠାରୁ ରାଜ୍ୟବ୍ୟାପୀ ଜନ-ଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଜନ-ଭାଗିଦାରୀ ମାଧ୍ୟମରେ ଭାରତର ଜି-୨୦ ଅଧ୍ୟକ୍ଷତାକୁ ସଫଳ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ କରିଛନ୍ତି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନରେ ପ୍ରାୟ ଏକ ମାସ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଜି-୨୦ ସମ୍ବନ୍ଧୀୟ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ୩୫ରୁ ଅଧିକ ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରୁଛନ୍ତି। ଜି୨୦କୁ ଜନଭାଗିଦାରୀ ଆନ୍ଦୋଳନରେ ପରିଣତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।

ଆଜି ପ୍ରଥମ ଦିନରେ ଆଇଆଇଟି ଭୁବନେଶ୍ୱର, ଆଇଆଇଏମ ସମ୍ବଲପୁର, ଏନଆଇଟି ରାଉରକେଲା ସମେତ ରାଜ୍ୟର ବିଭିନ୍ନ ସହରରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ଜନ-ଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ଏବଂ ଜନଭାଗିଦାରୀ କାର୍ଯ୍ୟକ୍ରମର ନୋଡାଲ ଏଜେନ୍ସି ଭାବେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ସାଇକେଲ ରାଲି ଏବଂ ପୋଷ୍ଟର ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ଏସଡିଆଇ ଭୁବନେଶ୍ୱର ପକ୍ଷରୁ ମଧ୍ୟ ଯୋଗ ଶିବିର ଓ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ଏବଂ ଜନଭାଗିଦାରୀ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।

କିଟ୍‌ ବିଶ୍ୱବିଦ୍ୟାଳୟ ଠାରେ ‘‘ପ୍ରଯୁକ୍ତି ଆଧାରିତ ଅଧ୍ୟୟନକୁ ଅଧିକ ସମାବେଶୀ, ଗୁଣାତ୍ମକ ଓ ସହଭାଗୀ କରିବା’’ ବିଷୟବସ୍ତୁକୁ ନେଇ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜନ କରାଯାଇଥିବା ପ୍ରଭାତ ଫେରି ଏବଂ ସାଇକେଲ ଶୋଭାଯାତ୍ରାରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ସାମିଲ ହୋଇଥିଲେ।

ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ସିଏସଆଇଆର- ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ଠାରେ ଜନ-ଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ପ୍ରଭାତଫେରି ଆୟୋଜନ କରାଯାଇଥିଲା। ମୁଖ୍ୟ ବୈଜ୍ଞାନିକ ଡକ୍ଟର ଏକେ ସାହୁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିରେ ପ୍ରତିଷ୍ଠାନର ବୈଜ୍ଞାନିକ, କର୍ମଚାରୀ, ଛାତ୍ରଛାତ୍ରୀଙ୍କ ସମେତ ୧୦୦ରୁ ଅଧିକ ଲୋକ ସାମିଲ ହୋଇଥିଲେ। ସମସ୍ତଙ୍କୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ସମ୍ପର୍କରେ ସଚେତନ କରାଯାଇଥିଲା।

ସେହିପରି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଏହାର କ୍ୟାମ୍ପସ ପରିସରରେ ପ୍ରଭାତ ଫେରି ଆୟୋଜନ କରାଯାଇଥିଲା। ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି.ସି ଅଗ୍ରୱାଲ ଉଦଘାଟନ କରିଥିଲେ। ଅନୁଷ୍ଠାନର ଡିନ୍‌, ଡି.ଏମ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରାୟ ୩୦୦ରୁ ଅଧିକ ଲୋକ ଏଥିରେ ସାମିଲ ହୋଇଥିଲେ।

ଅନ୍ୟପଟେ ଭୁବନେଶ୍ୱରସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହିତ କୋଣାର୍କସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ଠାରେ ଜି-୨୦ ଜନଭାଗିଦାରୀ ବିଷୟବସ୍ତୁ ଉପରେ ଆଧାରିତ ଏକ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।  କୋଣାର୍କ ଜବାହର ନବୋଦୟ ବିଦ୍ୟାଳୟର ସବୁ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ଭୁବନେଶ୍ୱରରେ ଆୟୋଜନ କରାଯିବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସଚେତନ କରାଯାଇଥିଲା। ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ପ୍ରାୟ ୮୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ସେହିପରି ଭୁବନେଶ୍ୱର ସ୍ଥିତ ବିଆଇଆଇଟିଏମ ପକ୍ଷରୁ ଜି-୨୦ ଜନ ଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଜି୨୦ ପୋଷ୍ଟର ଉନ୍ମୋଚନ କରାଯିବା ସହିତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଟି-ସାର୍ଟ ଓ ଟୋପି ବିତରଣ କରାଯାଇଥିଲା। ବିଆଇଆଇଟିଏମ ଦ୍ୱାରା ଡିଏଲଏଫ ସାଇବର ସିଟୀ ଦିଗରେ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ଯେଉଁଥିରେ ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, କର୍ମଚାରୀମାନେ ହାତରେ ପୋଷ୍ଟର, ବ୍ୟାନର ଧରି ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକ ଏବଂ ଜନ-ଭାଗିଦାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ।

ଅନୁରୂପ ଭାବେ ଇସ୍ପାତ ନଗରୀ ରାଉରକେଲା ଠାରେ ଏନଆଇଟି ରାଉରକେଲା ପକ୍ଷରୁ ଉତ୍କଳ ଦିବସ ଉପଲକ୍ଷେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଏନଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ଉଦଘାଟନ କରିଥିଲେ। ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ଏଥିରେ ଜନସାଧାରଣଙ୍କ ସହଭାଗିତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ୧୦ଟି ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରେ ଏନଆଇଟି ରାଉରକେଲାକୁ ଚୟନ କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାରେ ଭାରତର ଜି୨୦ ଅଧ୍ୟକ୍ଷତା ସମ୍ପର୍କରେ ପ୍ରଚାର ପ୍ରସାର କରିବା ଲାଗି ଏନଆଇଟି ରାଉରକେଲା ଦ୍ୱାରା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଆଜିର ଜନଭାଗିଦାରୀ କାର୍ଯ୍ୟକ୍ରମ ଅବସରରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଓ କବିତା ଆବୃତ୍ତି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଅନ୍ୟପକ୍ଷରେ ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜି୨୦ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷା ବିଭାଗର ଅଧିକାରୀ, ଜିଲ୍ଲା ସ୍କୁଲ ଛାତ୍ରଛାତ୍ରୀ ଓ ଅନ୍ୟ ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ୱରସ୍ଥିତ ଏନସିଇଆରଟି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ସଚେତନତା ସାଇକେଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ଯେଉଁଥିରେ ୧୩୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଶୁଭାରମ୍ଭ ଉପଲକ୍ଷେ ଭୁବନେଶ୍ୱର ସିପେଟ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଅନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ଶୋଭାଯାତ୍ରାରେ ଯାଇ ଜି-୨୦ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ।

ଅନ୍ୟପକ୍ଷରେ ସମ୍ବଲପୁର ଆଇଆଇଏମ ପକ୍ଷରୁ ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ଏବଂ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ସମ୍ବଲପୁର ଜବାହର ନବୋଦୟ ବିଦ୍ୟାଳୟ ଠାରେ ‘‘ଷ୍ଟାର୍ଟଅପ୍‌ ଏବଂ ଭବିଷ୍ୟତର କାର୍ଯ୍ୟ’’ ସମ୍ପର୍କରେ ଏକ ସେମିନାର ଆୟୋଜନ କରାଯାଇଥିଲା। ଏଥିରେ ଆଇଆଇଏମର ଅଧ୍ୟାପକ, ଜେଏନଭିର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ  ଅଂଶଗ୍ରହଣ କରିଥିଲେ ।

Categories
ବିଶେଷ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ବିଧାୟିକା ବର୍ଷା ସିଂ ବରିହା

ଭୁବନେଶ୍ଵର: ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ପଦ୍ମପୁରର ବିଜେଡି ବିଧାୟିକା ବର୍ଷା ସିଂ ବରିହା। ଓଡ଼ିଶା ସଂପର୍କରେ ମିଥ୍ୟା ଅଭିଯୋଗ ତଥା ଅପପ୍ରଚାର କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାବାସୀଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ଲଜ୍ଜା ଲାଗିବା ଉଚିତ ବୋଲି କହିଛନ୍ତି।

ଆଜି ଶ୍ରୀ ପ୍ରଧାନଙ୍କ ଉଦ୍ଦେଶ୍ୟରେ ଟୁଇଟ୍ କରି ଏବଂ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ବର୍ଷା କହିଛନ୍ତି ଯେ ପଦ୍ମପୁର ଉପନିର୍ବାଚନ ସମୟରେ ଯେତେବେଳେ ଓଡ଼ିଶା ବିଜେପି ନେତାମାନେ ମୋତେ ବ୍ୟକ୍ତିଗତ ଆକ୍ଷେପ କରୁଥିଲେ ଏବଂ ଜଣେ ମହିଳା ବୋଲି ଅପମାନିତ କରୁଥିଲେ ଆପଣ ସେତେବେଳେ ଚୁପ୍ ରହିଥିଲେ। ପଦ୍ମପୁରବାସୀ ଏହାକୁ ନାପସନ୍ଦ କଲେ ଏବଂ ଉପନିର୍ବାଚନରେ ଆପଣଙ୍କ ଦଳକୁ ଏହାର ଉଚିତ ଜବାବ ଦେଲେ। ମାତ୍ର ଏଥିରୁ ଆପଣ ବୋଧହୁଏ କିଛି ଶିକ୍ଷା ଲାଭ କଲେ ନାହିଁ। ଏବେ ଆପଣ ନିଜେ ଓଡ଼ିଶାବାସୀ ଅରାଜକତା କରୁଥିବା କହି କୋଟି କୋଟି ଓଡ଼ିଆଙ୍କୁ ଅପମାନିତ କରୁଛନ୍ତି। ବୋଧହୁଏ ଅରାଜକତା ଏବଂ ବିପର‌୍ୟ୍ୟସ୍ତ ଆଇନଶୃଙ୍ଖଳା କ’ଣ ତାହା ଆପଣ ଜାଣି ନାହାନ୍ତି। ତାହେଲେ ବିଜେପି ଶାସିତ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟର ଆଇନଶୃଙ୍ଖଳା ସ୍ଥିତି କ’ଣ ତାହା ଦେଖନ୍ତୁ କହି ବର୍ଷା ତାଙ୍କ ଟୁଇଟ୍ରେ ଏଭଳି ଅରାଜକତାର କିଛି ଭିଡିଓ ମଧ୍ୟ ସେୟାର କରିଥିଲେ।

ଏହି ଅବସରରେ ବର୍ଷା କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା କରି ଆହୁରି କହିଥିଲେ ଯେ ପ୍ରଥମେ ଆପଣମାନେ ମୋ ଭଳି ଓଡ଼ିଶାର ମହିଳାମାନଙ୍କୁ ଅପମାନିତ କଲେ, ଆଉ ଏବେ ତୁଛା ମିଛ ପ୍ରଚାର କରି ଓଡ଼ିଶାବାସୀଙ୍କୁ ବଦନାମ ଓ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ଆପଣଙ୍କୁ ଲଜ୍ଜା ଲାଗିବା ଦରକାର। ସ୍ବାଭିମାନୀ ଏବଂ ଶାନ୍ତିପ୍ରିୟ ଓଡ଼ିଶାବାସୀ ସେମାନଙ୍କ ବିରୋଧରେ ଆପଣଙ୍କର ଏଭଳି ଟିପ୍ପଣିକୁ କେବେହେଲେ ବରଦାସ୍ତ କରିବେ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଆସ ଆମେ ବଡ ସ୍ବପ୍ନ ଦେଖିବା

ଭୁବନେଶ୍ୱର: ୨୦୩୬ରେ ଓଡିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ରେ ଦେଶ ସ୍ୱାଧୀନତା ପୂର୍ତ୍ତିର ୧୦୦ ବର୍ଷ ପୂରଣ କରିବ । ଏହି ସମୟ ଅବଧିରେ ବିଶ୍ୱର ସମ୍ଭାବନା ଓ ସୁଯୋଗକୁ ସ୍ୱୟଂ ପାଇଁ ନୁହେଁ ବରଂ ସମୂହଙ୍କ ପାଇଁ ବ୍ୟବହାର କରିବା ଦିଗରେ ସ୍ୱପ୍ନ ଦେଖିବାକୁ ଓଡ଼ିଶାର ଯୁବବର୍ଗଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶୁକ୍ରବାର ଭୁବନେଶ୍ୱର ଠାରେ ଯୁବ ସଂଗଠନ ‘ଆମେ ଓଡ଼ିଆ’ ପକ୍ଷରୁ ଆୟୋଜିତ ଯୁବ ଡାଏଲଗ୍ “ଓଡିଶା @୧୦୦ : ବଡ଼ ଭାବିବା, ବଡ଼ ସ୍ୱପ୍ନ ଦେଖିବା” କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶାର ଯୁବବର୍ଗଙ୍କ ଉଦ୍ଦେଶ୍ୟରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ଆସନ୍ତାକାଲି ଉତ୍କଳ ଦିବସ । ମୋ ମନରେ ସନ୍ଦେହ ନାହିଁ, ଆଗାମୀ ୧୩ ବର୍ଷ ପରେ ୨୦୩୬ରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବା ବେଳେ ଓଡ଼ିଶାର ରୂପରେଖ କଣ ହେବ? ଓଡିଆ ଯୁବଶକ୍ତିଙ୍କ ଭାବନାକୁ ଦେଖିଲେ ମୋର ବିଶ୍ୱାସ, ଏକବିଂଶ ଶତାବ୍ଦୀରେ ପରିବର୍ତ୍ତନର ପେଣ୍ଠସ୍ଥଳୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ପବିତ୍ର ଭୂମି ଓଡ଼ିଶା ହିଁ ହେବ ।

ଓଡ଼ିଶାର ଅତୀତ କେବଳ ଗୌରବମୟ ନୁହେଁ, ତା’ର ବର୍ତ୍ତମାନ ମଧ୍ୟ ସମ୍ଭାବନାମୟ । ଏକଦା ବିକାଶ ଦୃଷ୍ଟିରୁ ପଛୁଆ କଳାହାଣ୍ଡି ଆଜି ଇତିହାସ ରଚୁଛି । ସାମାନ୍ୟ ଘରୁ ଆସିଥିବା ବୁର୍ଲା ଇଞ୍ଜିନିୟରିଂର ପିଲା ରକେଟ୍ ଓ ସାଟେଲାଇଟ୍ ମାଧ୍ୟମରେ ହୀରାକୁଦ ଡ୍ୟାମର ପାଣି ଓ ଗଭୀରତାକୁ ବୈଜ୍ଞାନିକ ପ୍ରକ୍ରିୟାରେ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି । ବଲାଙ୍ଗୀରର ଓ୍ୱିଙ୍ଗ୍ କମାଣ୍ଡର ନିଖିଲ ରଥ ‘ଗଗନଯାନ’ର ଅଂଶ ହୋଇଛନ୍ତି । ଓଡ଼ିଆ ଝିଅ ବୈଜ୍ଞାନିକ ସୁସ୍ମିତା ମହାନ୍ତିଙ୍କ ନାଁ ଫୋର୍ବ୍ସ ପତ୍ରିକାରେ ଆସୁଛି ।

ଏହି ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶାକୁ ଆଗକୁ ନେବା ପାଇଁ ସ୍ୱପ୍ନ ଦେଖୁଥିବା ୯ ଜଣ ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମସ୍ତଙ୍କ ଅଭିଜ୍ଞତାକୁ ଶୁଣିବା ସହ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ । ସମ୍ବର୍ଦ୍ଧିତ ଯୁବ ଗୀତିକାର ଓ ଗବେଷକ ପ୍ରତୀକ ପଟ୍ଟନାୟକ, ୟୁଟ୍ୟୁବର ଇଶକ ମୁଣ୍ଡା, ଉଦ୍ୟୋଗୀ ମିନୁଶ୍ରୀ ମଧୁସ୍ମିତା, ଓ୍ୱିକିପିଡିଆରେ ସମ୍ପାଦନା କରୁଥିବା ସଂଗ୍ରାମ କେଶରୀ ସେନାପତି, ଯୁବ ଲେଖକ ଓମ୍ ପ୍ରିୟଦର୍ଶୀ ଛୋଟରାୟଙ୍କ ନିଜ ପ୍ରତିଭା ମାଧ୍ୟମରେ ଆଗକୁ ବଢିବାର ପ୍ରଚେଷ୍ଟା ଏବଂ ଇଚ୍ଛାଶକ୍ତି ଯୁବଶକ୍ତିଙ୍କ ପାଇଁ ପ୍ରେରଣାଦାୟୀ ।

କଣ୍ଠଶିଳ୍ପୀ ଅଭିପ୍ସା ପଣ୍ଡା, ଉଦ୍ୟୋଗୀ ବୀରେନ ସାହୁ, ପରିବେଶପ୍ରେମୀ ରାହୁଲ ମହାରଣା ଓ ସାହିତ୍ୟିକ ଦୀଲେଶ୍ୱର ରଣାଙ୍କ ଭଳି ସାମାନ୍ୟ ଘରର ପିଲାଙ୍କର ନିଜ ଦକ୍ଷତା ବଳରେ ଓଡ଼ିଶାକୁ ଆନ୍ତର୍ଜାତୀୟ ସ୍ତରରେ ଅଧିକ ପରିଚିତ କରାଇବା ଓ ବିଶ୍ୱକଲ୍ୟାଣ ଦିଗରେ ବ୍ରତୀ ହେବାର ପ୍ରଚେଷ୍ଟା ହିଁ ଓଡ଼ିଆ ଜାତିର ସ୍ୱପ୍ନ ଓ ସଂକଳ୍ପ ପୂର୍ଣ୍ଣ କରିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ ।

୨୦୩୬ ସୁଦ୍ଧା ଓଡ଼ିଶାକୁ ବିଶ୍ୱର ଅଗ୍ରଣୀ ଅଞ୍ଚଳ ଭାବେ ତିଆରି କରିବା ପାଇଁ ‘ବଡ଼ ଭାବିବା, ବଡ଼ ସ୍ୱପ୍ନ ଦେଖିବା’ । ନିଜ ପାଇଁ ନୁହେଁ ଅନ୍ୟ ମାନଙ୍କ ପାଇଁ ସ୍ୱପ୍ନ ଦେଖିବା । ନିଜର ସ୍ୱପ୍ନ ଲେଖି ୯୦୯୦୦୦୨୦୩୬ରେ ପଠାଇବା ପାଇଁ ଶ୍ରୀ ପ୍ରଧାନ ଯୁବପିଢିଙ୍କୁ ପରାମର୍ଶ ଦେଇଛନ୍ତି

Categories
ବିଶେଷ ଖବର

କେନ୍ଦ୍ରମନ୍ତ୍ରୀଙ୍କୁ ଆଇନଶୃଙ୍ଖଳା ଓ ଅପରାଧ ମଧ୍ୟରେ ପାର୍ଥକ୍ୟ ବୁଝାଇଲେ ଡ.ସସ୍ମିତ ପାତ୍ର

ଭୁବନେଶ୍ୱର: ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଏଠାରେ କାଁଭାଁ ଅପରାଧ ହୁଏ ସତ, ମାତ୍ର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ନାହିଁ। ଦେଶର ଅନେକ ବିଜେପି ଶାସିତ ରାଜ୍ୟଠାରୁ ଓଡ଼ିଶାର ଆଇନଶୃଙ୍ଖଳା ସ୍ଥିତି ଯଥେଷ୍ଟ ଭଲ ଅଛି। ତେଣୁ ହୀନ ରାଜନୈତିକ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ଏଭଳି ଅପପ୍ରଚାର ଜରିଆରେ ଶାନ୍ତିପ୍ରିୟ ଓଡ଼ିଶା ବାସୀ ଏବଂ ଓଡ଼ିଶାକୁ ନିନ୍ଦିତ କରନ୍ତୁ ନାହିଁ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ଟୁଇଟ୍ର ଜବାବ ଦେବାକୁ ଯାଇ ଏଭଳି ଟୁଇଟ୍ କରିଛନ୍ତି ସାଂସଦ ଡ.ସସ୍ମିତ ପାତ୍ର।

ଶ୍ରୀ ପ୍ରଧାନଙ୍କ ଉଦ୍ଦେଶ୍ୟରେ କରିଥିବା ଏକାଧିକ ଟୁଇଟ୍ରେ ଡ.ପାତ୍ର ଉଲ୍ଲେଖ କରିଛନ୍ତି ଯେ ଭାଇ, ଆପଣ ଏତେ ଲମ୍ବା ସମୟ ଧରି କେନ୍ଦ୍ରମନ୍ତ୍ରୀ ରହିଲା ସତ୍ତ୍ବେ ଆପଣ କିପରି ଆଇନଶୃଙ୍ଖଳା ବା ଅରାଜକତା ଏବଂ ଅପରାଧ ମଧ୍ୟରେ ପାର୍ଥକ୍ୟ ବୁଝି ପାରିଲେ ନାହିଁ, ତାହା ମୋତେ ବିସ୍ମିତ କରୁଛି। ଆଇନଶୃଙ୍ଖଳା ସେତେବେଳେ ସୃଷ୍ଟି ହୋଇଥିଲା, ଯେତେବେଳେ ପଦ୍ମପୁରରେ ଏକ ଜିଏସ୍ଟି ଚଢ଼ଉ ଚାଲିଥିବାବେଳେ ଶତାଧିକ ବିଜେପି କର୍ମୀ ସେଠାରେ ବଳପୂର୍ବକ ପ୍ରବେଶ କରି ହଙ୍ଗାମା ସୃଷ୍ଟି କରିଥିଲେ ଏବଂ ଜିଏସ୍ଟି ଅଧିକାରୀଙ୍କ ହାତରୁ କାଗଜପତ୍ର ଛଡ଼ାଇ ନେଇଥିଲେ। କାରଣ ଜିଏସ୍ଟି ଫାଙ୍କିଥିବା ଜଣେ ଅସାଧୁ ବ୍ୟବସାୟୀଙ୍କୁ ସେମାନେ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ।

ସେହିପରି ଯେତେବେଳେ କେନ୍ଦ୍ରୀୟ ଅବହେଳା ଯୋଗୁଁ ସମ୍ବଲପୁର-କଟକକୁ ଯୋଡ଼ୁଥିବା ଏନ୍ଏଚ୍-୫୫ର ପ୍ରଶସ୍ତିକରଣ କାର‌୍ୟ୍ୟ ବର୍ଷ ବର୍ଷ ବିଳମ୍ବିତ ହେଉଥିଲା ଏବଂ ଏହାର ପ୍ରତିବାଦରେ ୫୦୦ରୁ ଅଧିକ ଲୋକ ଜାତୀୟ ରାଜପଥ ଅବରୋଧ କରିଥିଲେ, ସେତେବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖାଲି ସେତିକି ନୁହେଁ, ଯେତେବେଳେ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଓଡ଼ିଶାରୁ ଲୋକଙ୍କ ବଳକା ଧାନ କିଣା ହୋଇ ପାରୁନଥିଲା ଏବଂ ହଜାର ହଜାର ଚାଷୀ ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ, ସେତେବେଳେ ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଅନ୍ୟପକ୍ଷରେ ଜଣେ ବ୍ୟକ୍ତି କିମ୍ବା ଗୋଟିଏ ଗୋଷ୍ଠୀ ଏକ ଅପରାଧ ଘଟାଇଲେ, ପୁଲିସ ଏହାର ତଦନ୍ତ କରି ଅପରାଧୀକୁ କାଠଗଡ଼ା ନେଇଥାଏ। ତେଣୁ ଦୟାକରି ଆପଣ ଅପରାଧ ଭଳି ସ୍ପର୍ଶକାତର ମାମଲାରେ ହୀନ ରାଜନୀତି କରିବା ପାଇଁ ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ ବୋଲି ଡ.ପାତ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଆହ୍ବାନ ଦେଇଛନ୍ତି। ୨୦୨୧ ମସିହା ଏନ୍ସିଆର୍ବି ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆସାମ ଓ ହରିଆନା ଭଳି ବିଜେପି ଶାସିତ ରାଜ୍ୟରେ ମହିଳାଙ୍କୁ ବଳାତ୍କାର ମାମଲା, ଓଡ଼ିଶା ତୁଳନାରେ କେତେ ଅଧିକ ଅଛି ତାହା ଆପଣ ଜାଣନ୍ତି ତ? ସେହିପରି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟରେ ହତ୍ୟା ମାମଲା ମଧ୍ୟ ଓଡ଼ିଶା ତୁଳନାରେ ଯଥେଷ୍ଟ ଅଧିକ ରହିଛି ବୋଲି ଡ.ପାତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଚେତାଇ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପର ତୃତୀୟ ବୈଠକ

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରେ ଉତ୍କଳ ଦିବସରୁ ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ପ୍ରାୟ ମାସ ବ୍ୟାପୀ ଜି-୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ମଙ୍ଗଳବାର ଭୁବନେଶ୍ୱର ଠାରେ ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ନିତା ପ୍ରସାଦ ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୋନାଲ ମିଶ୍ର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଭାରତ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତାକୁ ସଫଳ ଓ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ‘ଜନ ଭାଗିଦାରୀ’ ପାଇଁ ପ୍ରୟାସ କରାଯିବ। ଏହି ଏକ ମାସବ୍ୟାପୀ କାର୍ଯ୍ୟକ୍ରମ ସମୟରେ ମାସେବ୍ୟାପୀ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରତିଯୋଗିତା ଆୟୋଜନ ସହ ଏପ୍ରିଲ ୨୭ ରୁ ୨୯ ତାରିଖ ତିନି ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ମେ’ ଫେୟାର ହୋଟେଲରେ ‘ଶିକ୍ଷା ଓ୍ୱାର୍କିଂ ଗ୍ରୁପ’ର ତୃତୀୟ ବୈଠକ ଆୟୋଜନ କରାଯିବ। ଏଥିରେ ଜି-୨୦ ସମୂହ ଦେଶର ପ୍ରତିନିଧିମଣ୍ଡଳୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଳ୍ପନା ଏବଂ ମାର୍ଗଦର୍ଶନରେ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ଅଧୀନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ନିର୍ଦ୍ଧାରିତ ହୋଇଥିବା ବିଷୟବସ୍ତୁ ଉପରେ ଚର୍ଚ୍ଚା ସହ ଦେଶର ଯୁବବର୍ଗଙ୍କ ନିକଟରେ ଏ ସବୁକୁ ପହଞ୍ଚାଇବା ପାଇଁ ପ୍ରୟାସ କରାଯିବ। ଓଡ଼ିଶାରେ କଥାବସ୍ତୁ ‘ଭବିଷ୍ୟତର କାର୍ଯ୍ୟ’ ରହିଥିବା ବେଳେ ଜିଲ୍ଲା ଗୁଡ଼ିକରେ ଉଭା ହେଉଥିବା କୌଶଳ ଆବଶ୍ୟକତା ଓ ନିରନ୍ତର ଦକ୍ଷତା ବିକାଶ, ରି ସ୍କିଲିଂ ଏବଂ ଅପ ସ୍କିଲିଂର ଆବଶ୍ୟକତା ଉପରେ ବ୍ୟାପକ ବିଚାରବିମର୍ଷ କରି ସବୁଠି ପହଞ୍ଚାଇବା ପାଇଁ ଯୋଜନା କରିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସ୍ପଷ୍ଟ କଳ୍ପନା ରହିଛି।

ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପର ତୃତୀୟ ବୈଠକକୁ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସୁବାଷ ସରକାର ଉଦଘାଟନ କରିବେ। ଏହି ଅଧିକାରୀସ୍ତରୀୟ ବୈଠକରେ ପ୍ରାଥମିକ ସ୍ୱାକ୍ଷରତା ଓ ପରିସଂଖ୍ୟାନ, ପ୍ରଯୁକ୍ତିବିଦ୍ୟା ଆଧାରିତ ଶିକ୍ଷାଦାନ, ଭବିଷ୍ୟତର କାର୍ଯ୍ୟପନ୍ଥା ଏବଂ ଗବେଷଣା ସହଭାଗିତା ଭଳି ୪ଟି ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏହି ବୈଠକର ପୂର୍ବ ଦିନ ଏପ୍ରିଲ ୨୬ରେ ଭୁବନେଶ୍ୱର ସ୍ଥିତ ଆଇଏମଏମଟି ଠାରେ ଜି -୨୦ର ପ୍ରତିନିଧି ମଣ୍ଡଳୀ ଭବିଷ୍ୟତର କାର୍ଯ୍ୟପନ୍ଥା ପରେ ଏକ ସେମିନାର ଏବଂ ପ୍ରଦର୍ଶନୀରେ ଯୋଗଦେବେ। ଏହି ପ୍ରତିନିଧି ମଣ୍ଡଳୀ ଏପ୍ରିଲ ୨୮ରେ କୋଣାର୍କର ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ। ପ୍ରତିନିଧି ମଣ୍ଡଳୀଙ୍କୁ ଓଡ଼ିଶାର ଉତ୍କର୍ଷ କଳା, ସଂସ୍କୃତି, ହସ୍ତତନ୍ତ, ହସ୍ତଶିଳ୍ପ ଉପହାର ସ୍ୱରୂପ ପ୍ରଦାନ କରାଯିବ। ରାଜ୍ୟର ଅସ୍ମିତା ସହ ଯୋଡିବା ପାଇଁ ସମସ୍ତଙ୍କୁ ପାରମ୍ପରିକ ବ୍ୟଞ୍ଜନ ପରାଷାଯିବ।

ଏହାବ୍ୟତିତ ଏପ୍ରିଲ ୨୩ରୁ ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଭବିଷ୍ୟତର କାର୍ଯ୍ୟପନ୍ଥା ଉପରେ ଜି-୨୦କୁ ନେଇ ପୃଥକ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଜି-୨୦ ଦେଶ ସମୂହ, ଶିଳ୍ପ, ସରକାରୀ ସଂସ୍ଥା , ଆଇଟି କମ୍ପାନୀ ଏବଂ ଦକ୍ଷତା ବିକାଶ ଅନୁଷ୍ଠାନ ଭଳି ୭୫ଟି ଅନୁଷ୍ଠାନ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପ ସମୂହଙ୍କୁ ଯୋଡିବା ମୁଖ୍ୟ ଉଦ୍ଦେଶ୍ୟ ରହିବ ଓ ଷ୍ଟାଟ ଅପ୍ ତଥା ଯୁବ ଉଦ୍ୟୋଗୀଙ୍କୁ ବିଶେଷ ଭାବରେ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯୁବ ଉଦ୍ୟୋଗୀ ଓ ଷ୍ଟାର୍ଟଅପକୁ ଭବିଷ୍ୟତର କୃଷି ଉପରେ ନିଜର ଅଭିଜ୍ଞତା ପ୍ରକାଶ କରିବେ।

ଏହି କାର୍ଯ୍ୟକ୍ରମ ସମୟରେ ଏପ୍ରିଲ ୨୩ରୁ ଏପ୍ରିଲ ୨୫ ମଧ୍ୟରେ ଆଇଆଇଟି ଭୁବନେଶ୍ୱର, ଆଇଆଇଏମ ସମ୍ବଲପୁର, ଆଇଏମଏମଟି ଭୁବନେଶ୍ୱର, ଇଣ୍ଡିଆନ ସ୍କୁଲ ଅଫ୍ ବିଜନେସ, ହାଇଦ୍ରାବାଦ, ଡେଲୋଏଟ୍, ସିଆଇଆଇ, ୟୁଏସଆଇବିସି ଭଳି ଅନୁଷ୍ଠାନ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ। ଅନ୍ତରାଷ୍ଟ୍ରୀୟ ସହଭାଗିତାକୁ ସୁଦୃଢ଼ କରିବା ସହ ଭବିଷ୍ୟତର କାର୍ଯ୍ୟପନ୍ଥାକୁ ନେଇ ଢାଞ୍ଚା ପ୍ରସ୍ତୁତ କରିବା ଦିଗରେ ଏହି ବିଚାରବିମର୍ଷରେ ଅଧିକ ଗୁରୁତ୍ୱ ଦିଆଯିବ। ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଏଆଇ, ମେଟା ଭର୍ସ, ଅଟୋମେସନ, ମେସିନ ଲର୍ଣ୍ଣି ଇତ୍ୟାଦି ଉପରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, ମାସେବ୍ୟାପୀ ରାଜ୍ୟର ସମସ୍ତ ଜିଲ୍ଲାରେ ଓଡ଼ିଶାର ୩୫ରୁ ଉର୍ଦ୍ଧ୍ୱ ଅନୁଷ୍ଠାନ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଓ ଆଲୋଚନା ଚକ୍ର ଆୟୋଜନ କରାଯିବ। ଏହାସହ ପ୍ରଶ୍ନୋତ୍ତର ପ୍ରତିଯୋଗିତା, ରଚନା, ବକ୍ତୃତା, ମକ୍ ଜି-୨୦ ଏବଂ ଯୁବ ସମ୍ବାଦ ଭଳି ଭାରତର ଜି -୨୦ ଅଧ୍ୟକ୍ଷତା ଉପରେ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟର ୩୦ଟି ଜିଲ୍ଲାରେ ଆୟୋଜନ କରାଯିବ। ଏହି ସମସ୍ତ କାର୍ଯ୍ୟକ୍ରମର ଗୁରୁ ଦାୟିତ୍ୱ ଯୁବ ଏବଂ ମହିଳାଙ୍କୁ ଦିଆଯିବ । ଜି ୨୦ର ବିଭିନ୍ନ ବୈଠକ ଓ କାର୍ଯ୍ୟକ୍ରମରେ ଓଡ଼ିଶାର ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ପ୍ରଦର୍ଶିତ କରିବା ଦିଗରେ ବିଶେଷ ଗୁରୁତ୍ୱ ଦିଆଯିବ। ୨୦୨୩କୁ ଅନ୍ତରାଷ୍ଟ୍ରୀୟ ମିଲେଟ ବର୍ଷ ଭାବରେ ଘୋଷଣା କରାଯାଇଥିବାରୁ ଜି-୨୦ର ପ୍ରତିନିଧି ମଣ୍ଡଳୀଙ୍କୁ ଭାରତୀୟ ପାରମ୍ପରିକ ଖାଦ୍ୟ ସହ ମାଣ୍ଡିଆ ଯୁକ୍ତ ଖାଦ୍ୟ ମଧ୍ୟ ପରଷାଯିବ। ଜି -୨୦ ପାଇଁ ରାଜ୍ୟ ସରକାର ମଧ୍ୟ ସହଯୋଗ ଯୋଗାଇଦେବା ନେଇ ଆଲୋଚନା ହୋଇଥିବା ଯୁଗ୍ମ ସଚିବ ନିତା ପ୍ରସାଦ ସୂଚନା ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ପାରାଦ୍ବୀପରେ ସ୍ଥାପନା ହେବ ୬୧ ହଜାର କୋଟି ଟଙ୍କାର ପେଟ୍ରୋକେମିକାଲ କମ୍ପେ୍ଲକ୍ସ

ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପରେ ଏକ ପେଟ୍ରୋକେମିକାଲ କମ୍ପେ୍ଲକ୍ସ ସ୍ଥାପନା ପାଇଁ ଭାରତୀୟ ତୈଳ ନିଗମର ଯୋଜନାକୁ ବୋର୍ଡ ତରଫରୁ ଅନୁମୋଦନ ମିଳିଛି। ପ୍ରସ୍ଥାବିତ ଏହି କମ୍ପେ୍ଲକ୍ସରେ ବିଶ୍ୱଶ୍ରେଣୀୟ କ୍ରାକର ୟୁନିଟ୍ ସ୍ଥାନ ପାଇବା ସହ ପଲି ପ୍ରୋପିଲିନ୍‌, ହାଇ-ଡେନ୍‌ସିଟି ପଲିଏଥିଲିନ୍‌, ପଲି ଭିନାଇଲ୍ କ୍ଲୋରାଇଡ ଆଦି ଉତ୍ପାଦନ ପାଇଁ ବିଭିନ୍ନ ଶିଳ୍ପ ୟୁନିଟ୍ ସ୍ଥାପନା ହେବ।

ଓଡ଼ିଶାରେ ନିଯୁକ୍ତି ଓ ଆତ୍ମନିଯୁକ୍ତି କ୍ଷେତ୍ରରେ ଏହି ୟୁନିଟ୍ ଏକ ମାଇଲଷ୍ଟ୍ରୋନ ହୋଇ ରହିବ। ଟେକ୍ସଟାଇଲ ଶିଳ୍ପରେ ଗୁଜରାଟର ସୁରାଟ୍ ଯେଭଳି ଏକ ହବ୍ ହୋଇପାରିଛି ଆଗାମୀ ଦିନରେ ଓଡିଶା ଏହାର ସ୍ଥାନ ନେବାର ସୁଯୋଗ ଆସିଛି ବୋଲି ବିଜେପି ମୁଖପାତ୍ର ତଥା ଭାରତୀୟ ତୈଳ ନିଗମ ନିର୍ଦ୍ଦେଶକ ସୁଦୀପ୍ତ ରାୟ କହିଛନ୍ତି।

ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ଧନ୍ୟବାଦ ଦେଇ ଶ୍ରୀ ରାୟ କହିଛନ୍ତି ଯେ, ଇଣ୍ଡିଆନ୍ ଅଏଲର ଏହି ପ୍ରକଳ୍ପରେ ୬୧,୦୭୭ କୋଟି ଟଙ୍କା ନିବେଶ ହେବ। ପ୍ରକଳ୍ପ ନିର୍ମାଣରେ ପ୍ରତ୍ୟେକ ଦିନ ୮ହଜାରରୁ ଅଧିକ କର୍ମସଂସ୍ଥାନ ତିଆରି ହେବ। ପ୍ରକଳ୍ପ ଚାଲୁହେବା ପରେ ପ୍ରତିଦିନ ୩ ହଜାର ସିଧାସଳଖ ନିଯୁକ୍ତି ଓ ଆଉ ୧୦ ହଜାର ଅତିରିକ୍ତ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହେବ।

ଶ୍ରୀ ରାୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ ଭିଜନ୍‌ର ଏହି ପ୍ରକଳ୍ପ ଅଂଶବିଶେଷ। କୌଣସି ଗୋଟିଏ ସ୍ଥାନରେ ଏହା ଭାରତୀୟ ତୈଳନିଗରମର ସର୍ବବୃହତ୍ ନିବେଶ ହେବ। ଏହି ପ୍ରକଳ୍ପ ପାଇଁ ଆବଶ୍ୟକୀୟ ସମସ୍ତ ଜମି ରାଜ୍ୟ ସରକାର ତୁରନ୍ତ ଯୋଗାଇବାର ଆବଶ୍ୟକତା ରହିଛି । ଏହି ପେଟ୍ରୋକେମିକାଲ କମ୍ପେ୍ଲକ୍ସ ପିଭିସି, ଫିନୋଲ୍‌, ଆଇପିଏ ଏବଂ ପଲିମର୍ ଆଦି ଉତ୍ପାଦନ କରିବ।

ପ୍ଲାଷ୍ଟିକ୍‌, ଫାର୍ମା, ଆଗ୍ରୋକେମିକାଲ, ପର୍ସନାଲ କେୟାର ଏବଂ ପେଂଟ ଆଦି ପ୍ରମୁଖ ଡାଉନଷ୍ଟ୍ରିମ୍ ଶିଳ୍ପକୁ ଏହା ମଜଭୁତ କରିବ। ସର୍ବୋପରି ଆତ୍ମନିର୍ଭର ଭାରତ ଅଭିଯାନକୁ ଏହା ସମୃଦ୍ଧ କରିବ। ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ଇଣ୍ଡିଆନ ଅଏଲର ପେଟେ୍‌ାକେମିକାଲ ସୂଚକାଙ୍କରେ ଉଲ୍ଲେଖନୀୟ ଉନ୍ନତି ଆସିବ। ଏ ଶିଳ୍ପରେ କମ୍ପାନୀ ଏକ ପ୍ରମୁଖ ସଂସ୍ଥାଭାବେ ମୁଣ୍ଡ ଟେକିବ।

ପେଟ୍ରୋକେମିକାଲ କ୍ଷେତ୍ରରେ ଥିବା ନୂଆ ସୁଯୋଗକୁ ଏହା ଆହୁରି ବ୍ୟାପକ କରିବ। ଏଥିରୁ ଉତ୍ପାଦିତ ହେବାକୁ ଥିବା ପେଟ୍ରୋକେମିକାଲ ଉତ୍ପାଦ ଘରୋଇ ଚାହିଦା ପୂରଣ ସାଙ୍ଗକୁ ଆମଦାନି ନିର୍ଭରଶୀଳତାକୁ କମାଇବ। ଡାଉନଷ୍ଟ୍ରିମ୍ ଶିଳ୍ପକୁ ଏହା ସୁଦୃଢ଼ କରିବା ସହ ଦେଶରେ ତଥା ଓଡ଼ିଶାରେ ଆଖିଦୃଶିଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ରାୟ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଣ ପାଇଁ ଚିଠି ଲେଖିଲେ ମନ୍ତ୍ରୀ ସମୀର ରଂଜନ ଦାସ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟ ରାଜନୀତିରେ ବିଜେଡି ବନାମ ବିଜେପି ମଧ୍ୟରେ ଚାଲିଛି ଗରମାଗରମ ଲଢେଇ। ବିଭିନ୍ନ ପ୍ରସଂଗରେ ଉଭୟ ପରସ୍ପର ମଧ୍ୟରେ କାଦୁଅ ପିଙ୍ଗାଫିଙ୍ଗି ହେବାରେ ଲାଗିଛନ୍ତି। ଏପରି କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ଚିଠି ଲେଖିଛନ୍ତି ଓଡିଶା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ। ତେବେ ଏହା କୌଣସି ରାଜନୈତିକ ଚିଠି ଯୁଦ୍ଧ ନୁହେଁ, ବରଂ ଶିକ୍ଷା ବିଭାଗ ନେଇ ଏହି ଚିଠି ଲେଖାଯାଇଛି।

ସମୀର ରଂଜନ ଧର୍ମେନ୍ଦ୍ରଙ୍କୁ ଅବଗତ କରାଇଛନ୍ତି ଯେ, ଯଥା ଶିଘ୍ର ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ମଧ୍ୟାହ୍ନ ଭୋଜନ ଅର୍ଥର ବକେୟା ପଇଠ କର। ବହୁ ମାସ ଧରି ଏହି ପଇସା ବାକି ପଡି ରହିଛି। ଫଳରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରିବାରେ ଅସୁବିଧା ହେଉଛି। ସମୀର ରଂଜନ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ ଅନେକ ସ୍କୁଲ ଶିକ୍ଷକମାନେ ନିଜ ଦରମା ପଇସାରୁ ଖର୍ଚ୍ଚ କରି ମଧ୍ୟାହ୍ନ ଭୋଜନ ଦେଉଛନ୍ତି।

ଏହି ଚିଠିରେ ସମୀର ରଂଜନ କହିଛନ୍ତି ଯେ, ରାଜ୍ୟରେ ଯେଉଁ ମଧ୍ୟାହ୍ନ ଭୋଜନ ଯୋଜନା ଲାଗୁ ହୋଇଛି ଏହା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ପୋଷଣ କାଯ୍ୟକ୍ରମର ଅନ୍ତର୍ଗତ। ଏଥିରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଦେଉଥିବା ବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ଭରଣା କରୁଛନ୍ତି। ହେଲେ କେନ୍ଦ୍ର ସରକାରଙ୍କ ଯେଉଁ ଭାଗ ତାହା ପଇଠ କରିବାରେ ବିଳମ୍ବ ହେଉଛି। ଯାହାଦ୍ବାରା ଏହି ଯୋଜନାକୁ କାଯ୍ୟକାରୀ କରିବାରେ ସମସ୍ୟା ହେଉଛି ବୋଲି ସମୀର ଲେଖିଛନ୍ତି।

ଏ ନେଇ ଏକ ହିସାବ ମଧ୍ୟ ରାଜ୍ୟ ଶିକ୍ଷା ବିଭାଗ ତରଫରୁ ଚିଠିରେ ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ଏହି ଯୋଜନାରେ ୨୦୨୨-୨୦୨୩ ଆର୍ଥିକ ବର୍ଷ ପାଇଁ ୧୦୪୯ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଯୋଜନା ହୋଇଛି। ସେହି ଅନୁସାରେ କେନ୍ଦ୍ର ସରକାରଙ୍କ ଭାଗ ୫୯୬ କୋଟି ଟଙ୍କା ଥିବା ବେଳେ ରାଜ୍ୟ ସରକାରଙ୍କ ଭାଗ ରହିଛି ୪୫୩ କୋଟି ଟଙ୍କା। ହେଲେ କେନ୍ଦ୍ର ସରକାର ପ୍ରଥମ କିସ୍ତିରେ କେବଳ ୨୮୮ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ବର୍ତ୍ତମାନ ଦୀର୍ଘମାସ ବିତିଯାଇଥିଲେ ମଧ୍ୟ କେନ୍ଦ୍ର ଶିକ୍ଷା ବଳକା ଅର୍ଥ ପ୍ରଦାନ କରୁ ନାହାଁନ୍ତି। ଫଳରେ ଏହି ଯୋଜନା କାଯ୍ୟକାରୀ କରିବାରେ ବହୁ ସମସ୍ୟା ସୃଷ୍ଟି ହେଉଛି ବୋଲି ରାଜ୍ୟ ଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ ଲେଖିଛନ୍ତି। ତେବେ ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କିମ୍ବା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଫିସରୁ କୌଣସି ସୂଚନା ଦିଆଯାଇ ନାହିଁ।

Categories
ବିଶେଷ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟୁଇଟ୍ କରି ଅନୁରୋଧ କଲେ ବର୍ଷା ସିଂ ବରିହା: ଜାଣନ୍ତୁ କ’ଣ କହିଲେ?

ଭୁବନେଶ୍ଵର: ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ ଓଡ଼ିଶା ବିଜେପିର କିଛି ନେତା ତାଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରୁଛନ୍ତି। ଏହା ଆମ ହିନ୍ଦୁ ପରମ୍ପରା ଓ ଓଡ଼ିଆ ସଂସ୍କୃତିରେ ଆଦୌ ଗ୍ରହଣୀୟ ନୁହେଁ। ତେଣୁ ରାଜନୈତିକ ଉଦ୍ଦେଶ୍ୟ ରଖି ଜଣେ ଦିବଂଗତ ନେତାଙ୍କ ଉପରେ କଟୁ ମନ୍ତବ୍ୟ ଦେବାରୁ ଆପଣଙ୍କ ଦଳର ନେତାଙ୍କୁ କ୍ଷାନ୍ତ ରଖନ୍ତୁ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟୁଇଟ୍ କରି ଏପରି ଅନୁରୋଧ କରିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା।

ଶ୍ରୀମତୀ ବରିହା ନିଜ ଟୁଇଟ୍ରେ ଆହୁରି ଉଲ୍ଲେଖ କରିଛନ୍ତି ଯେ ଯେତେବେଳେ ମୋ ବାପାଙ୍କର ଦେହାନ୍ତ ହୋଇଥିଲା, ସେତେବେଳେ ମଧ୍ୟ ରାଜ୍ୟ ବିଜେପିର କିଛି ନେତା ତାଙ୍କୁ ଠିକ୍ ଏମିତି ଆକ୍ଷେପ କରୁଥିଲେ। ମୋ ଚରିତ୍ର ଓ ବାହାଘରକୁ ନେଇ କୁତ୍ସାରଟନା କରୁଥିଲେ। ମୁଁ ସମସ୍ତଙ୍କୁ ହାତ ଯୋଡ଼ି ଯେତେ ଅନୁରୋଧ କଲେ ବି ସେମାନେ ଆକ୍ରୋଶମୂଳକ ଭାବେ ବ୍ୟକ୍ତିଗତ ଆକ୍ରମଣ ଜାରି ରଖିଥିଲେ। ଏହା ମୋତେ ଏବଂ ମୋ ପରିବାରକୁ ଗଭୀର ମାନସିକ ଆଘାତ ଦେଇଥିଲା। ସେତେବେଳେ ମୁଁ ଆପଣଙ୍କୁ ମଧ୍ୟ ଅନୁରୋଧ କରିଥିଲି, ଦୟାକରି ମୋତେ ଏପରି ଆକ୍ଷେପ କରିବାକୁ ଆପଣଙ୍କ ଦଳର ଏହି ନେତାମାନଙ୍କୁ ବାରଣ କରନ୍ତୁ। ତଥାପି ଆପଣ କିଛି କଲେନି, ବୋଧେ ଜାଣିଶୁଣି ନିରବ ରହିଲେ। ଏହା ମୋତେ ଖୁବ୍ ଦୁଃଖ ଦେଇଥିଲା।

ଏବେ ସମାନ ଢଙ୍ଗରେ ସ୍ୱର୍ଗତ ନବକିଶୋର ଦାସଙ୍କ ଚରିତ୍ର ସଂଘାର ପାଇଁ ଯେଉଁ ଉଦ୍ୟମ ହେଉଛି, ତାହା ତାଙ୍କ ଝିଅ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କେତେ ମାନସିକ ଯନ୍ତ୍ରଣା ହେଉଥିବ, ତାହା ମୁଁ ଅନୁଭବ କରିପାରୁଛି। ତେଣୁ ଆପଣଙ୍କୁ ମୋର ଅନୁରୋଧ, ଅନ୍ତତଃ ପକ୍ଷେ ନିରବ ରୁହନ୍ତୁ ନାହିଁ କି ଏହାକୁ ପରୋକ୍ଷ ଭାବେ ସମର୍ଥନ କରନ୍ତୁ ନାହିଁ। ଦୟା କରି ଆପଣଙ୍କ ଦଳର ନେତାମାନଙ୍କୁ କୁହନ୍ତୁ, ଜଣେ ମୃତ ବ୍ୟକ୍ତିଙ୍କ ସଂପର୍କରେ ସେମାନେ ଏପରି ହୀନ ମନ୍ତବ୍ୟ ଦେବାରୁ ନିଜକୁ କ୍ଷାନ୍ତ ରଖନ୍ତୁ।