Categories
ବିଶେଷ ଖବର ରାଜ୍ୟ ଖବର

ସମ୍ବଲପୁର ସାଂସଦଙ୍କ ଧର୍ମପତ୍ନୀ ଅରୁନ୍ଧତୀ ଦେବୀଙ୍କର ବିସ୍ପୋରକ ବୟାନ, ଧର୍ମେନ୍ଦ୍ରଙ୍କୁ କଲେ ଗାଳି

ଭୁବନେଶ୍ବର: ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବଙ୍କ ଧର୍ମପତ୍ନୀ ଅରୁନ୍ଧତୀ କୁମାରୀ ଦେବୀଙ୍କ ବୟାନକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ପଡୁଛି ଉଠୁଛି। ବିଶେଷ କରି ଓଡିଶା ବିଜେପି ରାଜନୀତିରେ ଏ ନେଇ ଚାଲିଛି ଗରମାଗରମ ଆଲୋଚନା। କାରଣ ଅରୁନ୍ଧତୀ ଦେବୀ ଯେପରି କଥା କହିଛନ୍ତି ତାହାକୁ ନେଇ ବିଭିନ୍ନ ମହଲରେ ଚାଲିଛି ଜୋରଦାର ଚର୍ଚ୍ଚା।

ଅରୁନ୍ଧତୀ ସିଧା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଟାର୍ଗେଟ କରିଛନ୍ତି। କେବଳ ଟାର୍ଗେଟ କହିଲେ ଠିକ ହେବ ନାହିଁ, ବଂର ତାଙ୍କୁ ଗାଳି କରିଛନ୍ତି। ଅରୁନ୍ଧତୀ ଧର୍ମେନ୍ଦ୍ରଙ୍କୁ ‘କୁଚକ୍ରୀ’, ‘ରୁଗ୍ନ ମାନସିକତା’, ‘ଦମ ଅଛି ତ ସମ୍ବଲପୁରରୁ ଆସି ଲଢେଇ କର’ ବୋଲି ଆହ୍ବାନ ଦେଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ସେ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କୁ ମଧ୍ୟ ଗାଳି କରିଛନ୍ତି। ସେ ଜଣେ ମାନସିକ ରୋଗାଗସ୍ତ ବିଧାୟକ ବୋଲି ଅରୁନ୍ଧତୀ କହିଛନ୍ତି। ତେବେ ସେ ଉଭୟଙ୍କ ନାମ ନ ନେଇ କେନ୍ଦ୍ରମନ୍ତ୍ରୀ ଓ ବିଧାୟକ ବୋଲି କହିଛନ୍ତି।

ଅରୁନ୍ଧତୀ ଏପରି ଗାଳି କରିବାର କାରଣ ରହିଛି। ତାହା ହେଲା ନୀତିଶ ଗଙ୍ଗଦେବଙ୍କୁ ଆଉ ଟିକେଟ ମିଳିବ ନାହିଁ ବୋଲି ଆଶଙ୍କା ରହିଛି। କାରଣ ସେଠାରୁ କୁଆଡେ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ସେଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ନାଉରୀ ନାୟକ ମିଶି ସାଂସଦଙ୍କୁ ବଦନାମ କରୁଛନ୍ତି ବୋଲି ସେ କହିଛନ୍ତି। ଅରୁନ୍ଧତୀ କହିଛନ୍ତି ଯେ, ଯଦି ଧର୍ମେନ୍ଦ୍ର ସମ୍ବଲପୁରରୁ ଛିଡା ହେବାକୁ ଇଚ୍ଛା ତେବେ ରାଜାସାହେବଙ୍କୁ କହିଥାଆନ୍ତେ। ସେ ତାଙ୍କୁ ଖୁସିରେ ଏହି ଆସନ ଛାଡି ଦେଇ ଥାଆନ୍ତେ। ତେବେ ଏବେ ଆଉ ନୁହେଁ, ଆମେ ଲଢେଉ ନିଶ୍ଚିତ କରିବୁ ବୋଲି ସେ ଆହ୍ବାନ ଦେଇଛନ୍ତି।

ଅରୁନ୍ଧତୀ ତାଙ୍କ ଫେସବୁକ ପେଜରେ ଏହିସବୁ କଥା ଉଲ୍ଲେଖ କରିଛନ୍ତି। ସେ ଯାହା ପୋଷ୍ଟି କରିଛନ୍ତି ତାହା ହେଲା, “ସମ୍ବଲପୁର ସାଂସଦଙ୍କୁ ଆଉ କେତେ ଅପମାନ କଲେ ଶାନ୍ତି ମିଲବା ଜଣେ କୁଚକ୍ରୀ ମନ୍ତ୍ରୀକୁ। ରାଜା ସାହେବ ଜଣେ ଶାନ୍ତ ସରଳ ବ୍ୟକ୍ତି ତାଙ୍କୁ କମସେ କମ ଲୋକଙ୍କ ପାଇଁ କାମ କର୍ବାକେ ଦିଆଯାଉ। ଜଣେ ମାନସିକ ରୋଗଗ୍ରସ୍ତ ବିଧାୟକ ଏବଂ ରୁଗ୍ନମାନସିକତା କେନ୍ଦ୍ରୀୟ ମନ୍ତ୍ରୀ ବାରମ୍ବାର ଡେଭଲପମେଣ୍ଟ କାମରେ ମୁଣ୍ଡ ପୁରାଉଛନ୍ତି। ରାଜା ସାହେବ ଙ୍କ ସରଲତାର ଫାଇଦା ଆଉ କେତେଦିନ ଉଠାଇବ।”

ସେ ଆହୁରି ଲେଖିଛନ୍ତି ଯେ, “ଏହି ପୋଷ୍ଟ ମାଧ୍ୟମରେ ଚେତାଇ ଦେଉଛି ଯେ ନିଜର ବ୍ୟବହାର କୁ ସୁଧାର ନ ହେଲେ ବହୁତ୍ ମହଙ୍ଗା ପଡ଼ିବ। ମୁଁ ଆହୁଆନ ଦଉଛି ଯଦି ଦମ୍ ଅଛି ତାହେଲେ ଅନ୍ୟ ରାଜ୍ୟରୁ ବାରମ୍ବାର ବିଜେପିର ଦୟାରୁ ରାଜ୍ୟସଭାକୁ ନଯାଇ ସମ୍ବଲପୁର ସଂସଦ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢନ୍ତୁ। ଦୁହି କୁଚାକ୍ରି କୁ କହୁଛି ସୁଧୁରି ଯାଅ। ବାରମ୍ବାର ରାଜା ସାହେବ ଙ୍କ କାମ ରେ ମୁଣ୍ଡ ପୁରେଇବା କେତେ ଯୁକ୍ତି ଯୁକ୍ତ।”

ସେ ପୁଣି ଉଲ୍ଲେଖ କରିଛନ୍ତି ଯେ, “ଲୋକଙ୍କ ଦ୍ୱାରା ନିର୍ବାଚିତ ସାଂସଦ କୁ କାମ କରିବାରୁ କେତେ ଅଟକାଇବ ? ସାଂସଦ କୁ ବଦନାମ୍ କରି ତାଙ୍କ ସଂସଦ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବା ତମର ଲକ୍ଷ୍ୟ ଆମେ ସମସ୍ତେ ଜାଣିଛୁ। ଯଦି ଦମ୍ ଅଛି ତାହେଲେ ସାମ୍ନାରୁ ଲଢ଼ାଇ କର କାପୁରୁଷ ପରି ପଛରୁ ଲଢ଼ାଇ କର ନାହିଁ। ରାଜା ସାହେବ କୁ ଥରେ କହିଥାନ୍ତ କୁ ମୁଁ ସମ୍ବଲପୁର ସଂସଦ କ୍ଷେତ୍ରରୁ ନିର୍ବାଚନ ଲଢ଼ିବାକୁ ଚାହୁଁଚି ରାଜା ସାହେବ ଖୁସି ଖୁସି ସିଟ ଛାଡି ଦେଥିତେ। ଏବେ ତ ବିଲକୁଲ ଛାଡିବାର ପ୍ରଶ୍ନ ଉଠୁନାହିଁ। ରାଜା ସାହେବ ଙ୍କ ସରଲତା ବହୁତ ଫାଇଦା ଉଠାଇ ନେଲ ଆଉ ନୁହେଁ। ”

ଅରୁନ୍ଧତୀଙ୍କ ଏହି ପୋଷ୍ଟିଂକୁ ନେଇ ବିଜେପି ଭିତରେ ବେଶ ଆଲୋଡନ ସୃଷ୍ଟି କରିଛି। ପୂର୍ବରୁ କେହି ଧର୍ମେନ୍ଦ୍ରଙ୍କ ବିରୋଧରେ କହିବାକୁ ସାହାସ କରୁ ନ ଥିଲେ। ହେଲେ ଏବେ ସାଂସଦଙ୍କ ପତ୍ନୀ ଏପରି ଧମକ ତଥା ଗାଳି କରିବା ଧର୍ମେନ୍ଦ୍ରଙ୍କ ବିରୋଧୀ ଗୋଷ୍ଠୀକୁ ବେଶ ଖୁସି ଆଣି ଦେଇଛି। ତେବେ ଏହି ପୋଷ୍ଟିଂକୁ ହଟାଇବା ପାଇଁ ଅରୁନ୍ଧତୀଙ୍କ ଉପରେ କୁଆଡେ ପ୍ରବଳ ଚାପ ପଡୁଥିବାର ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ‘ଜାତୀୟ ଶିକ୍ଷା ନୀତି କନକ୍ଲେଭ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁବସମାଜକୁ ଯେଉଁ ନବାଚାର, ନୂତନତ୍ୱ ଓ ଚରିତ୍ର ନିର୍ମାଣର ବାର୍ତ୍ତା ଦେଉଛି, ତାହା ଠାରୁ ବଡ ଶିକ୍ଷା କିଛି ହୋଇନପାରେ ବୋଲି ରବିବାର ଏହି ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ଜାତୀୟ ଶିକ୍ଷା ନୀତି-2020’ କନକ୍ଲେଭରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଏକ ଅଭିନବ କଳ୍ପନା। ଅନେକ ଶିକ୍ଷାନୁଷ୍ଠାନ ଯାଇଥିଲେ ମଧ୍ୟ ଏହି ବିଶ୍ୱବିଦ୍ୟାଳୟ ତନ୍ମଧ୍ୟରୁ ଅନ୍ୟତମ। ଏଭଳି ଜୀବନ୍ତ କ୍ୟାମ୍ପସ ମୋ ପାଇଁ ସବୁବେଳେ ଅନନ୍ୟ। ଆଜି ସେହି ଶିକ୍ଷା ରୂପକ ମନ୍ଦିରକୁ ଆସି ମୁଁ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି ଏବଂ ଦୀର୍ଘ 30 ବର୍ଷ ପୂର୍ବରୁ ଶିକ୍ଷାନୁଷ୍ଠାନ ସହ ଥିବା ସ୍ମୃତିକୁ ମନେପକାଇ ପାରୁଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ  ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଭାବନା, ସନ୍ଥ କବି ଭୀମ ଭୋଇ ଓ ବୀର ସୁରେନ୍ଦ୍ର ସାଏଙ୍କ ବିଚାର ଏବଂ  ମାଧୋ ସିଂହ ଓ ହାତୀ ସିଂହଙ୍କ ତ୍ୟାଗର ଉଦାହରଣ ଦେଇଥିଲେ।

ଏହାବ୍ୟତିତ ଶ୍ରୀ ପ୍ରଧାନ କହିଥିଲେ ଯେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତିରେ ଅନେକ ବିଷୟରେ ଅଧିକ ଗୁରୁତ୍ୱ ଦିଆଯାଇଛି। 3 ବର୍ଷରୁ 8 ବର୍ଷର ଶିଶୁଙ୍କ ଶିକ୍ଷା ପ୍ରବେଶ ସହ ମାତୃଭାଷାରେ ପଢାଇବାର ବ୍ୟବସ୍ଥା ହୋଇଛି। ମାତୃଭାଷାରେ ଶିକ୍ଷା ନେଇ ସେ କହିଛନ୍ତି ଯେ ଏପିଜେ ଅବଦୁଲ କଲାମ ନିଜ ମାତୃଭାଷା ତାମିଲ ଭାଷାରେ ପାଠପଢି ବଡ ବୈଜ୍ଞାନିକ ହୋଇଥିଲେ। ଚୀନ ଜାପାନ ଭଳି ବିକଶିତ ରାଷ୍ଟ୍ର ମାତୃଭାଷା ପାଇଁ ନିଜ ସଫଳତା ହାସଲ କରିଛନ୍ତି। ସେ ସମୟରେ ହୀରାକୁଦର ମାଟିବନ୍ଧ ବନାଇଥିବା ଲୋକମାନେ ଇଂରାଜୀ ଭାଷା ଜାଣିନଥିଲେ।

ଏକାଧିକ ଶିକ୍ଷା ପ୍ରବେଶ ସହ ବହୁମୁଖୀ ଶିକ୍ଷାର କଳ୍ପନା କରାଯାଇଛି। ଆଜିର ଉଭା ହେଉଥିବା ଟେକ୍ନୋଲୋଜି ସମୟରେ ଜାତୀୟ ଶିକ୍ଷା ନୀତି ଆଧାରରେ ଯୁବପିଢିଙ୍କୁ ନିଯୁକ୍ତିଦାତା ବନାଇବା ସହ ଜ୍ଞାନ ଓ ଦକ୍ଷତା ବୃଦ୍ଧି କରିବା ଏବଂ ବିଶ୍ୱ ସମସ୍ୟାର ସମାଧାନ  ପାଇଁ ଗୁରୁତ୍ୱ ଦିଆଯାଉଛି । ଆଗାମୀ ଦିନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଭାରତବର୍ଷର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଣତ କରିବା ପାଇଁ ଦାୟିତ୍ୱ ନେବା । ଜାତୀୟ ଶିକ୍ଷା ନୀତି ଆଧାରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିଦାତା ବନାଇବା ସହ ଦକ୍ଷତା ବୃଦ୍ଧି କରି ଅତ୍ୟାଧୁନିକ ଗବେଷଣା କ୍ଷେତ୍ରରେ ଆଗେଇ ନେବା ପାଇଁ ପ୍ରୟାସ କରିବା । ଅମୃତକାଳରେ ଭାରତର ଅମୃତ ବିନ୍ଦୁ ଭାବରେ ଏହି ଶିକ୍ଷାନୁଷ୍ଠାନ ବିକଶିତ ଭାରତ ପାଇଁ ବଡ ଦାୟିତ୍ୱ ନେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ରଙ୍ଗବତୀ କେବଳ ଏକ ଗୀତ ନୁହେଁ, ଏହା ଏକ ବିଚାର ଓ ସଂସ୍କୃତିର ଅଭିବ୍ୟକ୍ତି । ଏହି ଗୀତର ଲୋକପ୍ରିୟତା ଜାଣିବା ପାଇଁ ମଧ୍ୟ ଗବେଷଣା ହେବା ଆବଶ୍ୟକ ।

ଏହି ଅବସରରେ ଶ୍ରୀ ପ୍ରଧାନ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ କରିଥିଲେ । ଏହାସହ ଜାତୀୟ ଶିକ୍ଷା ନୀତି କନକ୍ଲେଭ ଅବସରରେ ଆୟୋଜିତ ଏକ ପ୍ରଦର୍ଶନୀ ଦେଖିବା ସହ ଛାତ୍ରଛାତ୍ରୀଙ୍କ ଅଭିନବ ଉପକରଣ ଓ ପଦ୍ଧତିକୁ ପ୍ରଶଂସା କରିଥିଲେ । ସେ କହିଥିଲେ ପିଲାମାନେ ହୀରାକୁଦ ଡ୍ୟାମର ପାଣି ଓ ଗଭୀରତାକୁ ବୈଜ୍ଞାନିକ ପ୍ରକ୍ରିୟାରେ ଜାଣିବା ପାଇଁ ରକେଟ୍ ଓ ସାଟେଲାଇଟ୍ ପ୍ରସ୍ତୁତ କରିଛନ୍ତି । ଛାତ୍ରଛାତ୍ରୀମାନେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ନିରାପଦ ଡଙ୍ଗା ପ୍ରସ୍ତୁତ କରୁଛନ୍ତି । ଛୋଟ ପିଲାମାନଙ୍କ ଦ୍ୱାରା ଆମ୍ବ ଟାକୁଆରୁ ଆମ୍ବ ଗଛ ହେବା ପର୍ଯ୍ୟନ୍ତ ବୈଜ୍ଞାନିକ ପଦ୍ଧତିକୁ ପ୍ରଦର୍ଶିତ କରାଯାଇଛି। ଏହା ହିଁ ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ଓ ରୂପରେଖ, ଯାହାକୁ ସମଗ୍ର ଦେଶ ସହମତି ଦେଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ହୀରାକୁଦ ଷ୍ଟେସନର ପୁନର୍ବିକାଶ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ବିମାନବନ୍ଦର ଭଳି ଦେଶରେ ରେଳ ଷ୍ଟେସନକୁ ଅତ୍ୟାଧୁନିକ ଷ୍ଟେସନରେ ପରିଣତ କରିବା ପୂର୍ବରୁ କେବେ କଳ୍ପନା କରାଯାଇପାରିନଥିଲା। ଏହା କେବଳ ମୋଦିଜୀ ହିଁ ଚିନ୍ତା କରିପାରନ୍ତି। ଆଜି ମୋଦି ସରକାରରେ ନୂଆ ରେଳ ଚଳାଚଳ, ରେଳ ଲାଇନ ସହ ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦେଇ ଅତ୍ୟାଧୁନିକ ରେଳ ଷ୍ଟେସନ କରିବାର କଳ୍ପନାକୁ ବାସ୍ତବରେ ସାକାର କରାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସମ୍ବଲପୁର ଜିଲ୍ଲାର ହୀରାକୁଦ ରେଳ ଷ୍ଟେସନ ଠାରେ ଭର୍ଚ୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ‘ଅମୃତ ଭାରତ ଷ୍ଟେସନ’ ଯୋଜନା ଅନ୍ତର୍ଗତ ସାରା ଦେଶରେ ଷ୍ଟେସନର ରୂପାନ୍ତରଣ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର 25ଟି ରେଳ ଷ୍ଟେସନ ସମେତ ସମଗ୍ର ଦେଶରେ 508 ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ନବୀକରଣ ହେବାକୁ ଥିବା ରାଜ୍ୟର ରେଳ ଷ୍ଟେସନ ଗୁଡ଼ିକ ହେଲା ସାକ୍ଷୀଗୋପାଳ, ମଞ୍ଚେଶ୍ୱର, ଢେଙ୍କାନାଳ, ଛତ୍ରପୁର, ଅନୁଗୁଳ, ମେରାମୁଣ୍ଡଳି, ବାଲୁଗାଁ, ଲିଙ୍ଗରାଜ ମନ୍ଦିର ରୋଡ୍, ତାଳଚେର ରୋଡ୍, ଖୋର୍ଦ୍ଧା ରୋଡ୍, କଣ୍ଟାବାଞ୍ଝି, ବରଗଡ଼ ରୋଡ୍, ହୀରାକୁଦ, ରେଢାଖୋଲ, ବରପାଲି, ମୁନିଗୁଡ଼ା, ବଲାଙ୍ଗୀର, ହରିଶଙ୍କର ରୋଡ୍, ଭବାନୀପାଟଣା, ଖରିଆର ରୋଡ୍, ରାଜଗାଙ୍ଗପୁର, ବଡବିଲ, ବାରିପଦା, ଜଳେଶ୍ୱର ଓ ଦାମନଯୋଡି ଷ୍ଟେସନ୍। ସାରା ଦେଶରେ ଉକ୍ତ 508 ରେଳ ଷ୍ଟେସନର ନବୀକରଣ ପାଇଁ ପାଖାପାଖି 25 ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଓଡ଼ିଶାରେ ଏହି ଷ୍ଟେସନର ନବୀକରଣ ପାଇଁ ପ୍ରାୟ 531 କୋଟି ଟଙ୍କା ଖର୍ଚ୍ଚ ହେବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଭାବନା ରେଳ ଷ୍ଟେସନ ସହ ଯୋଡି ହୋଇରହିଛି। ତାଙ୍କର ରେଳ ପ୍ରତି ପ୍ରତିବଦ୍ଧତା ଆଜି ତାହାର ପ୍ରତିଫଳନ ହେଉଛି। ଆଜି ମୋଦି ସରକାରରେ କାଳ ବିଳମ୍ବ ନକରି ରେଳ ପ୍ରକଳ୍ପକୁ କ୍ରିୟାନ୍ୱୟନ କରାଯାଉଛି। ନିକଟରେ ଝାରସୁଗୁଡ଼ାରୁ ବାରକୋଟ୍ ପର୍ଯ୍ୟନ୍ତ ନୂଆ ରେଳ ଲାଇନ ତିଆରି କରିବା ପାଇଁ ଚୂଡାନ୍ତ ସର୍ଭେ କରିବା ସହ  ଡିପିଆର୍ ପ୍ରସ୍ତୁତ କରିବାକୁ ରେଳ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିବା ଏହାର ଏକ ନିଚ୍ଛକ ଉଦାହରଣ। ଏହାଦ୍ୱାରା ଶିଳ୍ପ ସମୃଦ୍ଧ ଅନୁଗୋଳ, ତାଳଚେର, ଝାରସୁଗୁଡାରର ଅର୍ଥନୀତି ଅଭିବୃଦ୍ଧି ହେବ। କୃଷି, ଯାତ୍ରା ଗମନାଗମନ, ପର୍ଯ୍ୟଟନର ବିକାଶରେ ସହାୟକ ହେବ। ଏହାବ୍ୟତିତ ସମ୍ବଲପୁର ଶାଲିମାର ଏକ୍ସପ୍ରେସ ମହିମା ଗୋସାଇଁ ଏକ୍ସପ୍ରେସର ଚଳାଚଳ, ଅନୁଗୁଳ – ସୁକିନ୍ଦା ନୂଆ ରେଳ ଲାଇନର ଶୁଭାରମ୍ଭ ସହ ଅନେକ ରେଳ ପ୍ରକଳ୍ପକୁ ତ୍ୱରିତ ଗତିରେ ଅନୁମୋଦନ ଦିଆଯାଉଛି।

ଓଡ଼ିଶାକୁ ପୂର୍ବ ସରକାରରେ ରେଳ ଅନୁଦାନ ବାବଦକୁ ବର୍ଷକୁ ହଜାର କୋଟି ଟଙ୍କା ଆସୁନଥିବା ବେଳେ ମୋଦି ସରକାରରେ ରେଳ ଅନୁଦାନରେ ବାର୍ଷିକ 10 ହଜାର କୋଟି ଟଙ୍କା ଆସୁଛି। ରାଜ୍ୟରେ ଶତପ୍ରତିଶତ ରେଳଲାଇନର ବିଦ୍ୟୁତିକରଣ ହୋଇଛି। ଅପରପକ୍ଷରେ ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଯୋଜନା, କେନ୍ଦ୍ରୀୟ ଅନୁଦାନ, ଟିକସ ଭାଗ ଓ କେନ୍ଦ୍ରୀୟ ଉଦ୍ୟୋଗ ମାନଙ୍କ ବ୍ୟୟ ବରାଦକୁ ମିଶାଇ ଗତ 9 ବର୍ଷରେ 18 ଲକ୍ଷ 83 ହଜାର କୋଟିରୁ ଉର୍ଦ୍ଧ୍ୱ ଅର୍ଥ ସହାୟତା ଦେଇଛନ୍ତି। ମୋଦି ସରକାରଙ୍କ ପୂର୍ବ ତଥା ୟୁପିଏର ଶେଷ 10 ବର୍ଷ ସରକାରରେ ଓଡ଼ିଶାକୁ ମାତ୍ର 2 ଲକ୍ଷ 93 ହଜାର କୋଟି ଟଙ୍କା ମିଳିଥିଲା। ରେଳ ଭିତ୍ତିଭୂମିକୁ ମଜବୁତ୍ କରି ଓଡ଼ିଶାର ବିକାଶ ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ଆଇଆଇଏମ କ୍ୟାମ୍ପସ ପରିଦର୍ଶନ ସହ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଆଇଆଇଏମ କ୍ୟାମ୍ପସ ପରିଦର୍ଶନ କରିବା ସହ ବିଶ୍ୱ ପରିବେଶର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ‘ମିଶନ ଲାଇଫ’ ଆହ୍ୱାନ କ୍ରମେ ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଇଆଇଏମ ସମ୍ବଲପୁର ସ୍ଥାନୀୟ ଅଞ୍ଚଳର ଅପାର ସମ୍ଭାବନାକୁ ଉପଯୋଗ କରିବା ପାଇଁ ନୂଆ ନୂଆ ବିଷୟ ଆରମ୍ଭ କରିବାକୁ ଯାଉଛି। ସମ୍ବଲପୁର ଜିଲ୍ଲାର ବୁଣାକାର ମାନଙ୍କର ଦକ୍ଷତା ବୃଦ୍ଧି ସହ ଗ୍ରାମୀଣ ଭିତ୍ତିକ ଅର୍ଥନୀତିକୁ ବଢାଇବା ପାଇଁ କୃଷକ ମାନଙ୍କ କାପାସିଟି ବିଲଡିଂ ବୃଦ୍ଧି କରିବା ଦିଗରେ ଶିକ୍ଷାନୁଷ୍ଠାନ ଯୋଜନା କରିଛି। ଏହାସହ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ତଥା ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ, ମ୍ୟୁନିସପାଲଟି, କାଉନସିଲର, ଚେୟାରମ୍ୟାନ ଅର୍ଥାତ୍ ସ୍ଥାନୀୟ ପ୍ରଶାସନର କାପାସିଟି ବିଲଡିଂ ବଢାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

ସେ କହିଛନ୍ତି, ସମ୍ବଲପୁର ଆମ ଓଡ଼ିଶାର ସାଂସ୍କୃତିକ ପେଣ୍ଠସ୍ଥଳୀ। ମାଆ ସମଲେଇ ଏଠାରେ ବିରାଜମାନ। ଏହି ଅଞ୍ଚଳରେ ହୀରାକୁଦ ବନ୍ଧ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ, ବୁର୍ଲା ଇଞ୍ଜିନିୟରିଂ କଲେଜ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅନୁଷ୍ଠାନ ଅଛି। ଆଇଆଇଏମ ପ୍ରତିଷ୍ଠା ଦ୍ୱାରା ଏହି ଅଞ୍ଚଳ ଏକ ବୌଦ୍ଧିକ କେନ୍ଦ୍ରରେ ପରିଣତ ହେବ। ଖୁବ ଶୀଘ୍ର ସ୍ଥାନୀୟ ଯୁବକ ଯୁବତୀଙ୍କୁ ଉଦ୍ୟମିତା କରିବା ପାଇଁ ଏଠାରେ ଇନକ୍ୟୁବେସନ ସେଣ୍ଟର ସ୍ଥାପନା ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତି କାରଣରୁ ସମ୍ବଲପୁର ଭଳି ଅଞ୍ଚଳରେ ୪୦୦ କୋଟି ଟଙ୍କା ବ୍ୟୟରେ ଆଇଆଇଏମ ଭଳି ଅତ୍ୟାଧୁନିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇପାରିଛି। ଦୁଇଟି ବ୍ୟାଚରେ ୬୦୦ ପିଲା ପାଠ ପଢ଼ିବେ ଏବଂ ଏଥିପାଇଁ ୩୦ ଜଣ ପ୍ରାଧ୍ୟାପକ ଓ ଅନ୍ୟ କର୍ମଚାରୀଙ୍କ ମାନଙ୍କ ନିଯୁକ୍ତି ହୋଇ ସାରିଛି। ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିବା ଏହି ଶିକ୍ଷାନୁଷ୍ଠାନକୁ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯିବ।

ବୃକ୍ଷରୋପଣ ନେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ  ପ୍ରଧାନମନ୍ତ୍ରୀ ବିଶ୍ୱ ପର୍ଯ୍ୟାବରଣକୁ ସୁରକ୍ଷା ଦେବା ପାଇଁ ମିଶନ ଲାଇଫର ଆହ୍ୱାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଇଆଇଏମ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, କର୍ମଚାରୀ ଓ ସ୍ଥାନୀୟ ନାଗରିକଙ୍କ ସମେତ ସ୍ଥାନୀୟ ଅଞ୍ଚଳରେ ଥିବା ସୈନିକ ସ୍କୁଲ, ନବଦୋୟ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ।

ଏହି ଅବସରରେ ଶ୍ରୀ ପ୍ରଧାନ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ଓ କର୍ମଚାରୀଙ୍କ ସହ ପାଠ୍ୟକ୍ରମ ସହ ଜଡ଼ିତ ବିଷୟ ନେଇ ମଧ୍ୟ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀଙ୍କୁ ଆଇଏମଏସ କ୍ୟାମ୍ପସ ସମ୍ପର୍କରେ ସୁବିଧା ଅସୁବିଧା ପଚାରି ବୁଝିଥିଲେ। କ୍ୟାମ୍ପସ ବୁଲିବା ସହ ଡିଜିଟାଲ ଶ୍ରେଣୀ ଗୃହ ବୁଲି ଦେଖିଥିଲେ। ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକ ମାନଙ୍କ ସହ ମଧ୍ୟ କେନ୍ଦ୍ରମନ୍ତ୍ରୀ କଥାବାର୍ତ୍ତା ହୋଇଥିଲେ।

Categories
ବିଶେଷ ଖବର

ଭୁବନେଶ୍ୱର ଠାରେ ୭୬୧ କୋଟି ବ୍ୟୟରେ ନିର୍ମିତ କାମାକ୍ଷାନଗର-ଡୁବୁରୀ ରାଜପଥରର ଲୋକାର୍ପଣ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଭୁବନେଶ୍ୱର ଠାରେ ୭୬୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୫୩ ନମ୍ବର ଜାତୀୟ ରାଜପଥର କାମାକ୍ଷାନଗର-ଡୁବୁରୀ ସେକ୍ସନର ୪ ଲେନ୍‌ ବିଶିଷ୍ଟ ସମ୍ପ୍ରସାରଣ କାର୍ଯ୍ୟକୁ ଲୋକାର୍ପଣ କରିବା ସହିତ ୩୪ କୋଟି ଟଙ୍କା ବ୍ୟୟରେ ତିଆରି ହେବାକୁ ଥିବା ମୋଟେର-ବାନେର ଭାୟା ଲଡ଼ୁଗାଁ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ, ୨୦୧୯ ମସିହା ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରି ଧାରା ୩୭୦ ଉଚ୍ଛେଦ ସହିତ କାଶ୍ମୀରକୁ ସବୁଦିନ ପାଇଁ ଭାରତ ସହିତ ଯୋଡ଼ିବା ପାଇଁ ପଦକ୍ଷେପ ନେଇଥିଲେ । ଆଜି କାଶ୍ମୀର କେବଳ ମୁଖ୍ୟଧାରାରେ ସାମିଲ ହୋଇନାହିଁ ବରଂ ଏଠାରେ ଶାନ୍ତି ଓ ବିକାଶ ପାଇଁ ବାଟ ଖୋଲିଛି।

ଅମିତ ଶାହ କହିଥିଲେ ଯେ, ଆଜି ଏଠାରେ କାମାକ୍ଷାନଗର-ଡୁବୁରୀ ସେକ୍ସନରେ ଚାରି ଲେନ୍‌ ବିଶିଷ୍ଟ ରାଜପଥ ପ୍ରଶସ୍ତିକରଣ କାମ ଲୋକାର୍ପଣ କରାଯାଇଛି । ୫୧ କିଲୋମିଟର ଲମ୍ବ ଏହି ସଡ଼କ ପାଇଁ ୭୬୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ରାଜପଥ ଓଡ଼ିଶାର ଖଣିଜ ସମୃଦ୍ଧ ଜିଲ୍ଲା ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ରାଜ୍ୟର ଅବଶିଷ୍ଟ ଭାଗ ସହିତ ଯୋଡ଼ିବ । ଏହାଛଡ଼ା ଜାତୀୟ ରାଜପଥ ମାଧ୍ୟମରେ ଦେଶର ଅବଶିଷ୍ଟ ଭାଗ ସହିତ ଦୁଇ ଜିଲ୍ଲାକୁ ଯୋଡ଼ିବାରେ ପ୍ରମୁଖ ଭୂମିକା ନିର୍ବାହ କରିବ । ସେ କହିଥିଲେ ଯେ, ଦେଶର ଭାଗ୍ୟ, ବିକାଶ, ଅର୍ଥବ୍ୟବସ୍ଥାର ବିକାଶ ରାଜପଥ ସହ ଯୋଡ଼ି ହୋଇ ରହିଛି । ଶ୍ରୀ ଶାହ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀ, ବିଗତ ୯ ବର୍ଷ ମଧ୍ୟରେ ରାଜପଥର ବିକାଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ଆଜି କଳାହାଣ୍ଡିର ମୋଟେର ଠାରୁ ବାନେର ପର୍ଯ୍ୟନ୍ତ ଭାୟା ଲଡ଼ୁଗାଁ ହୋଇ ଏକ ସଡ଼କର ପ୍ରଶସ୍ତିକରଣ ଓ ଉନ୍ନତିକରଣ କାମ ମଧ୍ୟ ଆରମ୍ଭ ହୋଇଛି । ପାଖାପାଖି ୧୫ କିଲୋମିଟର ଲମ୍ବା ଏହି ରାଜପଥ ପ୍ରକଳ୍ପ ପାଇଁ ୩୪ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଗତ ୯ ବର୍ଷ ମଧ୍ୟରେ ଦେଶରେ ଭିତ୍ତିଭୂମି ବିକାଶ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି ଏବଂ ଏଥିପାଇଁ କୌଣସି ପ୍ରକାରରେ ବଜେଟ୍‌ର ଅଭାବ ରଖାଯାଇନାହିଁ । ସେ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଚାରରେ ଭିତ୍ତିଭୂମି ବିକାଶ ବିନା ଦେଶର ବିକାଶ ହୋଇପାରିବ ନାହିଁ, ରାଜପଥ ନିର୍ମାଣ ଦ୍ୱାରା ସ୍ୱାଭାବିକ ଭାବେ ଦେଶରେ ଆର୍ଥିକ ଗତିବିଧି ତ୍ୱରାନ୍ୱିତ ହେବ । ଶ୍ରୀ ଶାହ ଆହୁରି କହିଥିଲେ ଯେ ମୋଦୀ ସରକାର ଫାଷ୍ଟଟ୍ୟାଗ ଜରିଆରେ ଟୋଲ୍‌ ସଂଗ୍ରହକୁ ଦ୍ରୁତ କରିଛନ୍ତି, ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଦକ୍ଷତା ଆସିଛି, ବିବାଦର ଶୀଘ୍ର ସମାଧାନ, ସୂଚନା ପ୍ରଯୁକ୍ତି ଉପରେ ଗୁରୁତ୍ୱ, ପାଣ୍ଠି ଯୋଗାଣର ବିକଳ୍ପ ଉପାୟ ଖୋଜିବା ଆଦି ବୈଜ୍ଞାନିକ ସମନ୍ୱୟ ଆଣି ରାଜପଥ ନିର୍ମାଣର ଗତିକୁ ତ୍ୱରାନ୍ୱିତ କରିଛନ୍ତି । ରାଜପଥ ନିର୍ମାଣ ଦ୍ୱାରା ସ୍ୱାଭାବିକ ଭାବେ ଦେଶରେ ଆର୍ଥିକ ଗତିବିଧି ତ୍ୱରାନ୍ୱିତ ହେବ ବୋଲି ସେ କହିଥିଲେ ।

ଶ୍ରୀ ଶାହ କହିଥିଲେ ଯେ ଓଡ଼ିଶା ପାଇଁ ମୋଦୀ ସରକାର ଅନେକ ବିକାଶ ପ୍ରକଳ୍ପ ଆରମ୍ଭ କରିଛନ୍ତି, ଯାହାଦ୍ୱାରା ରାଜ୍ୟର ଅର୍ଥବ୍ୟବସ୍ଥା ଗତିଶୀଳ ହୋଇଛି । ସେ କହିଥିଲେ ଯେ ନରେନ୍ଦ୍ର ମୋଦୀ ୨୦୧୪ରେ କହିଥିଲେ ଯେପର୍ଯ୍ୟନ୍ତ ଦେଶର ପୂର୍ବାଞ୍ଚଳର ବିକାଶ ହେବ ନାହିଁ, ସେପର୍ଯ୍ୟନ୍ତ ଦେଶର ସମ୍ପୂର୍ଣ୍ଣ ବିକାଶ ସମ୍ଭବ ନୁହେଁ । ପ୍ରଧାନମନ୍ତ୍ରୀ ମୋଦୀ ସବୁବେଳେ ପୂର୍ବ ଭାରତକୁ ଗୁରୁତ୍ୱ ଦେଇ ଆସିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ, ଦେଶର ପୂର୍ବ ଓ ପଶ୍ଚିମ କ୍ଷେତ୍ରର ବିକାଶର ସ୍ତର ଏକସମାନ ହେଲେ ଦେଶର ବିକାଶ ହୋଇପାରିବ । ଏଥିପାଇଁ ନରେନ୍ଦ୍ର ମୋଦୀ ସରକାର ସବୁବେଳେ ପୂର୍ବ ଭାରତକୁ ଏବଂ ଓଡ଼ିଶାକୁ ବିଶେଷ ଗୁରୁତ୍ୱ ଦେଇ ଆସିଛନ୍ତି । ଶ୍ରୀ ଶାହା କହିଥିଲେ, ଏକଦା ଏହି ସମ୍ପୂର୍ଣ୍ଣ କ୍ଷେତ୍ର ନକ୍ସଲ ପ୍ରଭାବିତ ଥିଲା, କିନ୍ତୁ ବିଗତ ୯ ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦୀ ସରକାର ରାଜ୍ୟ ସରକାରଙ୍କ ସହ ମିଶି ନକ୍ସଲବାଦ ଉପରେ ଅଙ୍କୁଶ ଲଗାଇବାକୁ ସଫଳ ପ୍ରୟାସ କରିଛନ୍ତି ଏବଂ ଏହାର ପରିଣାମ ମଧ୍ୟ ଦେଖିବାକୁ ମିଳିଛି । ନକ୍ସଲବାଦ ଉପରେ ଅଙ୍କୁଶ ଲଗାଇବାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁବେଳେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇଛନ୍ତି । ମୋଦୀ ସରକାର ନକ୍ସଲବାଦ ବିରୋଧରେ ମଜବୁତ ଲଢ଼େଇ ପାଇଁ ସଂକଳ୍ପବଦ୍ଧ ଅଛନ୍ତି ।

କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ କହିଥିଲେ ଯେ, ନରେନ୍ଦ୍ର ମୋଦୀ ସରକାର ଓଡ଼ିଶା ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ସେ କହିଥିଲେ ଯେ କେନ୍ଦ୍ରରେ ଥିବା ପୂର୍ବ ସରକାରଙ୍କ ସମୟରେ ହସ୍ତାନ୍ତରଣ ବା ଡିଭୋଲ୍ୟୁସନ୍‌ ଏବଂ ଗ୍ରାଣ୍ଟ ଇନ୍‌ ଏଡ୍‌ ବା ଅନୁଦାନ ଆକାରରେ ଓଡ଼ିଶାକୁ ୧,୧୪,୦୦୦ କୋଟି ଟଙ୍କା ମିଳିଥିଲା। ମୋଦୀ ସରକାର ଉଭୟ ଉତ୍ସରୁ ୪,୫୭,୦୦୦ କୋଟି ଟଙ୍କା ଦେଇଛନ୍ତି । ଏହା ବ୍ୟତୀତ ମୋଟ୍‌ ଆବଣ୍ଟନକୁ ୩ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି କରି ୧୮ ଲକ୍ଷ କୋଟି ଟଙ୍କା କରିବାର କାର୍ଯ୍ୟ ମୋଦୀ ସରକାର କରିଛନ୍ତି, ଯାହାକି ୬ ଗୁଣ ଠାରୁ ମଧ୍ୟ ଅଧିକ । ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାରେ ରେଳବାଇ ପାଇଁ ୧୦ ହଜାର କୋଟି ଟଙ୍କା ଦେଇଛନ୍ତି, ୮୦୦ କୋଟି ଟଙ୍କାରେ ଇଣ୍ଡିଆନ ଅଏଲ୍‌ ପାଇପଲାଇନ କାମ କରିଛନ୍ତି, ଆଇଆଇଟି ଭୁବନେଶ୍ୱର ଏବଂ ଏମ୍ସ ନିର୍ମାଣ କରିଛନ୍ତି । ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା କେନ୍ଦ୍ର ମଧ୍ୟ ଏଠାରେ ଖୋଲାଯାଇଛି । ଭୁବନେଶ୍ୱର ଇଏସଆଇ ହସ୍ପିଟାଲର ଉନ୍ନତିକରଣ ଏବଂ ୧୫୦୦ ଶଯ୍ୟା ବିଶିଷ୍ଟ ଭୁବନେଶ୍ୱର ଏମ୍ସର ମଧ୍ୟ ପ୍ରତିଷ୍ଠା କରାଯାଇଛି ।

ଅମିତ ଶାହା କହିଥିଲେ ଯେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଓଡ଼ିଶାର ବିକାଶରେ ଆଦୌ ହେଳା କରିବାକୁ ଚାହୁଁ ନାହିଁ ଏବଂ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି । ସେ କହିଥିଲେ ଯେ କିଷାନ ସମ୍ମାନ ନିଧି ଯୋଜନା ଅଧୀରେ ରାଜ୍ୟର ୪୦ ଲକ୍ଷ ଚାଷୀ ଲାଭବାନ ହୋଇଛନ୍ତି । ଜଳ ଜୀବନ ମିଶନ ଅଧୀନରେ ୫୪ ଲକ୍ଷ ଘରକୁ ବିଶୁଦ୍ଧ ପାନୀୟ ଜଳ ପହଞ୍ଚି ପାରିଛି । ୯୦ ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି । ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାସିକ ୫ କିଲୋଗ୍ରାମ ମାଗଣା ଚାଉଳ ମିଳୁଛି, ୬ ଲକ୍ଷ ଉଜ୍ଜ୍ୱଳା ସଂଯୋଗ ଦିଆଯାଇଛି ଏବଂ ୧୭ ଲକ୍ଷ ଗ୍ରାମୀଣ ପରିବାରକୁ ଆବାସ ଯୋଗାଣ ଭଳି କାମ ମୋଦୀ ସରକାର କରି ଦେଇଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ରାଜ୍ୟ କିନ୍ତୁ ବିପର୍ଯ୍ୟୟ ପରିଚାଳନା ପାଇଁ ମୋଦୀ ସରକାରଙ୍କ ସବୁ ଯୋଜନାକୁ ଶ୍ରୀ ନବୀନ ପଟ୍ଟନାୟକ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିଛନ୍ତି । ନିଜେ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରି ସାରା ଦେଶକୁ ଦେଖାଇ ଦେଇଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାର ସାଥୀ ହୋଇ କାମ କଲେ ପ୍ରାକୃତିକ ବିପର୍ଯ୍ୟୟକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରିବ ।

ଶ୍ରୀ ଶାହ କହିଥିଲେ ଯେ, ୧୯୯୯ରେ ଓଡ଼ିଶାରେ ଆସିଥିବା ମହାବାତ୍ୟା ଯୋଗୁ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ କିନ୍ତୁ ଆଜି ଯେତେବେଳେ ଓଡ଼ିଶାକୁ ବାତ୍ୟା ଆସୁଛି, ଏଠାରେ ଶୂନ୍ୟ ମୃତ୍ୟୁହାର ଦେଖିବାକୁ ମିଳୁଛି ଯାହାକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି । ସେ ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନଡିଆରଏଫ, ଏନଡିଏମଏ ମାଧ୍ୟମରେ ବିପର୍ଯ୍ୟୟ ପରିଚାଳନାକୁ ପ୍ରଶାସନର ସ୍ୱଭାବରେ ପରିଣତ କରିଛନ୍ତି ଏବଂ ଓଡ଼ିଶା ସରକାର ଏଥିରେ ସମ୍ପୂର୍ଣ୍ଣ ସମର୍ଥନ ଦେଇଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ଦେଲେ ଅମିତ ସାହା, ଧର୍ମେନ୍ଦ୍ରଙ୍କ ମୁହଁ ତଳକୁ

ଭୁବନେଶ୍ବର: ସମସ୍ତେ ଯାହା ଆଶା କରୁଥିଲେ ତାହା ହିଁ ହେଲା। ନବୀନ ପଟ୍ଟନାୟକ ଏବଂ ତାଙ୍କ ସରକାରଙ୍କୁ ପ୍ରଶଂସାରେ ପୋତି ଦେଲେ ଗୃହମନ୍ତ୍ରୀ ଅମିତ ସାହା। ଓଡିଶା ଗସ୍ତରେ ଆସିଥିବା ସାହା, ଆଜି ଲୋକସଭା ଭବନ ପ୍ରେକ୍ଷାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ସେହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। ଏଥିସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।

ବିଜେପିର ଚାଣକ୍ୟ ବୋଲି କୁହାଯାଉଥିବା ଅମିତ ସାହା ନବୀନଙ୍କୁ ପ୍ରଶଂସା ଉପରେ ପ୍ରଶଂସା କରିଥିଲେ। ଥରେ ନୁହେଁ ଦୁଇଥର ସେ ନବୀନ ପଟ୍ଟନାୟକଙ୍କୁ ବହୁତ ଧନ୍ୟବାଦ ବୋଲି କହିଥିଲେ। ପ୍ରଥମେ ସେ ନକ୍ସଲ ମୁକାବିଲା ଉପରେ ଭାଷଣ ରଖିଥିଲେ। ସେଥିରେ ସେ ନବୀନ ସରକାର କରିଥିବା ପଦକ୍ଷେପ ଏବଂ ସହଯୋଗ ପାଇଁ ପ୍ରଶଂସା କରିଥିଲେ।

ସେ କହିଥିଲେ ଯେ, କେନ୍ଦ୍ର ସହିତ ମିଶି ରାଜ୍ୟ ସରକାର ନକ୍ସଲ ମୁକାବିଲା କରିଛନ୍ତି। ଆଉ ଏଥିରେ ସଫଳ ମଧ୍ୟ ପାଇଛୁ। ବର୍ତ୍ତମାନ ନକ୍ସଲ ହିଂସା ବହୁ ମାତ୍ରାରେ ହ୍ରାସ ପାଇଛି ବୋଲି ସାହା କହିଥିଲେ। ତେବେ ବିପର୍ଯ୍ୟୟ ମୁକାବିଲା କରିବାରେ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ପ୍ରଶଂସା କରିଥିଲେ ସାହା। ଏହି ମଞ୍ଚରେ ଥିବା ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାହାଙ୍କ ଏପରି ପ୍ରଶଂସାକୁ ଶୁଣୁଥିଲେ ଆଉ ମୁହଁ ତଳକୁ କରୁଥିଲେ।

ସେ କହିଥିଲେ ଯେ, ବିପର୍ଯ୍ୟୟ ମୁକାବିଲା କରିବାରେ ନବୀନ ପଟ୍ଟନାୟକ ଯେପରି କାର୍ଯ୍ୟ କରିଛନ୍ତି ତାହା ଆଜି ସାରା ଦେଶକୁ ସେ ଏକ ରାସ୍ତା ଦେଖାଇଛନ୍ତି। ପୂର୍ବେ ଓଡିଶାରେ ବାତ୍ୟା ହେଲେ ହଜାର ହଜାର ଲୋକଙ୍କର ଜୀବନ ଯାଉଥିଲା। ହେଲେ ନବୀନବାବୁଙ୍କ ସମୟରେ ତାହା ବର୍ତ୍ତମାନ ଶୂନକୁ ଖସିଆସିଲା। ସେଥିପାଇଁ ମୁଁ ନବୀନ ପଟ୍ଟନାୟକଙ୍କୁ ଏବଂ ତାଙ୍କ ସରକାରଙ୍କୁ ପୁଣି ଥରେ ଧନ୍ୟବାଦ ଦେଉଛି ବୋଲି ସାହା କହିଥିଲେ।

ତେବେ ସବୁଠାରୁ ମଜଦାର କଥା ହେଲା ଯେ, ଜାତୀୟ ରାଜପଥ ପ୍ରକଳ୍ପ ଉଦଘାଟନ। ଏହି ସମୟରେ ଅମିତ ସାହାଙ୍କୁ ରିମୋଟ ଟିପି ପ୍ରକଳ୍ପ ଉଦଘାଟନ କରିବା ପାଇଁ ଅନୁରୋଧ କରାଯାଇଥିଲା। ହେଲେ ଅମିତ ସାହା ପାଖରେ ବସିଥିବା ନବୀନ ପଟ୍ଟନାୟକଙ୍କ ପାଖକୁ ଆସି ରିର୍ମୋଟ ଟିପିବା ପାଇଁ ତାଙ୍କ ହାତକୁ ଭିଡି ଆଣିଥିଲେ। ଉଭୟ ଅମିତ ସାହା ଏବଂ ନବୀନ ପଟ୍ଟନାୟକ ରିର୍ମୋଟ ଟିପି ପ୍ରକଳ୍ପ ଉଦଘାଟନ କରିଥିଲେ। ଧର୍ମେନ୍ଦ୍ର ଦୂରରେ ବସି ଏହାକୁ ଉପଭୋଗ କରୁଥିଲେ।

ଏହି କାର୍ଯ୍ୟକ୍ରମକୁ ସମସ୍ତ ଟିଭି ଚ୍ୟାନଲରେ ସିଧା ପ୍ରସାରଣ କରାଯାଉଥିଲା। ବିଜେପି ନେତାଙ୍କଠାରୁ ଆରମ୍ଭ କରି କର୍ମିମାନେ ଅମିତ ସାହାଙ୍କ ଭାଷଣ ଶୁଣୁଥିଲେ। କାରଣ ଅମିତ ସାହା ଆସିଲେ ନବୀନଙ୍କ ଉପରେ କଣ କହିବେ ସେ ନେଇ ସେମାନେ ଅପେକ୍ଷା କରିଥିଲେ। ହେଲେ ସାହା ଏହି ବାଣୀ ଶୁଣିବା ପରେ ସେମାନଙ୍କୁ ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ନୂଆ ରେଳ ଲାଇନ ପାଇଁ ଡିପିଆର ପ୍ରସ୍ତୁତିକୁ ଅନୁମୋଦନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ରେଳ ଗମନାଗମନକୁ ଅଧିକ ସୁଦୃଢ କରିବା ପାଇଁ ଝାରସୁଗୁଡ଼ାରୁ ବାରକୋଟ୍ ପର୍ଯ୍ୟନ୍ତ ନୂଆ ରେଳ ଲାଇନ ତିଆରି କରିବା ପାଇଁ ଆନୁଷଙ୍ଗିକ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୬୦ କିମି ବିଶିଷ୍ଟ ବାରକୋଟ ଏବଂ ଝାରସୁଗୁଡା ରେଳ ଲାଇନ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଫାଇନାଲ ଲୋକେସନ୍ ସର୍ଭେ(ଏଫଏଲଏସ) କରିବା ପାଇଁ ରେଳ ମନ୍ତ୍ରଣାଳୟ ମଞ୍ଜୁର କରିଛି। ନୂଆ ରେଳ ଲାଇନ ଶିଳ୍ପ ସମୃଦ୍ଧ ଅଞ୍ଚଳ ଝାରସୁଗୁଡା ଠାରୁ ଦେବଗଡ଼ ଜିଲ୍ଲାର ବାରକୋଟ୍ ସହ ସଂଯୋଗ କରିବ। ଏହି ପଦକ୍ଷେପ ଦ୍ୱାରା ଦେବଗଡ଼ ଜିଲ୍ଲା ପ୍ରଥମ ଥର ପାଇଁ ରେଳ ଲାଇନ ସହ ସଂଯୋଗ କରିବାକୁ ଯାଉଛି, ଯାହା ଖୁସିର ବିଷୟ।

ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ କଳ୍ପନାରେ ମୋଦି ସରକାର ଓଡ଼ିଶାକୁ ସବୁ କ୍ଷେତ୍ରରେ ପ୍ରାଥମିକତା ଦେଇ ଆସୁଛନ୍ତି। ଏହି ରେଳ ଲାଇନ କାର୍ଯ୍ୟକ୍ଷମ ହେଲେ ଝାରସୁଗୁଡା ଏବଂ ଦେବଗଡ଼ ଜିଲ୍ଲାରେ ବିକାଶର ନୂଆ ଧାରା ସୃଷ୍ଟି ହେବ। ଏହି ଅଞ୍ଚଳ ରେଳ ଭିତ୍ତିଭୂମି ସହ ସଠିକ୍ ଭାବରେ ଯୋଡ଼ିହେଲେ ଚାଷୀ ଭାଇମାନେ ଉପକୃତ ହେବା ସହ ଆର୍ଥିକ ଅଭିବୃଦ୍ଧି ଘଟିବ। ଦେବଗଡ ଜିଲ୍ଲାରେ ପର୍ଯ୍ୟଟନର ବିକାଶକୁ ମଧ୍ୟ ଗତି ମିଳିବ। ବିଶେଷ ଭାବରେ ଦେବଗଡବାସୀଙ୍କ ଦୀର୍ଘ ଦିନର ଅପେକ୍ଷାକୁ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ପୁନର୍ବାର କୃତଜ୍ଞତା ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଜୁଲାଇ ୧୦ ତାରିଖରେ ଦେବଗଡ ଜିଲ୍ଲାର ନାଗରିକ କମିଟିର ଅନୁରୋଧ କ୍ରମେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏ ସମ୍ପର୍କରେ ପତ୍ର ଲେଖିଥିଲେ।

Categories
ଆଜିର ଖବର ଜାତୀୟ ଖବର

‘ଅଖିଳ ଭାରତୀୟ ଶିକ୍ଷା ସମାଗମ’ର ଉଦଯାପନୀ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ: ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଶିକ୍ଷକଙ୍କ କାପାସିଟି ବିଲଡିଂ ବଢାଇବା ପାଇଁ ପ୍ରଶିକ୍ଷଣ ଦେବା ଦିଗରେ ବ୍ୟାପକ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ରବିବାର ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ ଠାରେ ଆୟୋଜିତ ଦୁଇ ଦିବସୀୟ ‘ଅଖିଳ ଭାରତୀୟ ଶିକ୍ଷା ସମାଗମ’ର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଜାତୀୟ ଶିକ୍ଷା ନୀତି -୨୦୨୦ ପ୍ରଣୟନର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଶିକ୍ଷାନୁଷ୍ଠାନ ଏକ ମନ୍ଦିର। ଆମେ ସମସ୍ତେ ଶିକ୍ଷା ପରିବାରର ଏକ ଅଂଶ, ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଥିବା ଆମର ଦାୟିତ୍ୱବୋଧକୁ ସମ୍ପାଦନ କରିବା ଆମର ଦାୟିତ୍ୱ। କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ଦେଶକୁ ଆଗକୁ ନେବା ପାଇଁ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଶିକ୍ଷକଙ୍କ ଶିକ୍ଷକଙ୍କ କାପାସିଟି ବିଲଡିଂ ବଢାଇବା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଉପରେ ବ୍ୟାପକ ଯୋଜନା ପ୍ରସ୍ତୁତ ହେଉଛି। ଚଳିତ ଶିକ୍ଷାବର୍ଷରେ ୧୦୦ଟି ଡାଇଟ୍ (DIET)କୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ। ଆମ ଦେଶରେ ୧ କୋଟି ସ୍କୁଲ ଶିକ୍ଷକ ଅଛନ୍ତି। ତାଙ୍କର କ୍ଷମତା ବଢାଇବା ଆମର ପ୍ରାଥମିକତା। ଆମ ଦେଶରେ ୫୦ ହଜାର କଲେଜ ଏବଂ ୧୧୦୦ ବିଶ୍ୱବିଦ୍ୟାଳୟ ଓ ତତସହ ଅନୁବନ୍ଧିତ ଅନେକ ଶିକ୍ଷାନୁଷ୍ଠାନ ଅଛି। ଏହାକୁ ଗତି ଦେବା ପାଇଁ ୟୁଜିସି ଓ ଉଚ୍ଚ ଶିକ୍ଷାନୁଷ୍ଠାନ ବିଭାଗ ପ୍ରାରମ୍ଭରେ ମାଲବୀୟ ମିଶନ ଅନ୍ତର୍ଗତ ସବୁ ରାଜ୍ୟରେ ଉଚ୍ଚ ଶିକ୍ଷା କ୍ଷେତ୍ରର ଶିକ୍ଷକ ମାନଙ୍କ ପାଇଁ କାପାସିଟି ବିଲଡିଂ ନିମନ୍ତେ ବ୍ୟବସ୍ଥା କରାଯିବ। ଏହାବ୍ୟତିତ ଏକବିଂଶ ଶତାବ୍ଦୀର ନୂଆପିଢି ପାଇଁ ସ୍କୁଲ୍ ଶିକ୍ଷା ପାଇଁ ୧୦୦ଟି, ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ୧୦୦ଟି ଏବଂ ଦକ୍ଷତା ପରିସଂସ୍ଥାନ କ୍ଷେତ୍ରରେ ୧୦୦ଟି ଟ୍ରେନର ଟ୍ରେନିଂ ଇନଷ୍ଟିଚ୍ୟୁସନ ଏବଂ ଟିଚର୍ କାପାସିଟି ବଲଡିଂ ଇନଷ୍ଟ୍ୟୁଚେସନ ପ୍ରତିଷ୍ଠା କରିବା ପାଇଁ ଭାରତ ସରକାର କାମ କରୁଛନ୍ତି।

ଜାତୀୟ ଶିକ୍ଷା ନୀତି ଏପରି ଏକ ଦସ୍ତାବିଜ, ଯାହା ଦେଶର ଶିକ୍ଷା ବ୍ୟବସ୍ଥାକୁ ପରିବର୍ତ୍ତନ କରିବାର କ୍ଷମତା ରଖିଛି। ଦେଶକୁ ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ କରିବାକୁ ହେଲେ ଏହି ଶିକ୍ଷା ନୀତିକୁ କ୍ରିୟାନ୍ୱୟନ କରିବାକୁ ପଡିବ। ବିଶ୍ୱ ସମସ୍ୟାର ସମାଧାନର ରାସ୍ତା ବାହାର କରିବା ହେଉ କିମ୍ବା ଦେଶକୁ ଜ୍ଞାନ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ନୂଆ ଶିକ୍ଷା ନୀତିକୁ ଲାଗୁ କରାଇବା ପାଇଁ ପଡିବ। ସେହିପରି ପିଏମ୍ ଶ୍ରୀସ୍କୁଲ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନର ପ୍ରାରମ୍ଭିକ ପ୍ରୟୋଗଶାଳା ହେବ। ଏହି ସ୍କୁଲକୁ ସଫଳ କରିବା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନ ସମେତ ସମସ୍ତଙ୍କର ସହଯୋଗ ଆବଶ୍ୟକ। ପିଏମ ଶ୍ରୀ ସ୍କୁଲ ଶିକ୍ଷାର ଏକ ବୃହତ ବ୍ୟବସ୍ଥା। ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ ଏହାର ଦାୟିତ୍ୱ ନେବା ଉଚିତ୍। ଏହାବ୍ୟତିତ ମୋଦି ସରକାରରେ ଦେଶରେ ଶିକ୍ଷା ବ୍ୟବସ୍ଥାରେ ରେକର୍ଡସଂଖ୍ୟକ ଅର୍ଥ ବ୍ୟୟବରାଦ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଶିକ୍ଷା କ୍ଷେତ୍ରରେ ଜିଡିପିର ୪.୬୭ ପ୍ରତିଶତ ନିବେଶ ବୃଦ୍ଧି ପାଇଛି। ପିଲା ମାନଙ୍କୁ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଉତ୍ତମ ସୁବିଧା ପ୍ରଦାନ କରିବା, ଗବେଷଣା ପାଇଁ ତଥା ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ଦାୟିତ୍ୱ ନିଆଯାଇଛି। ଦେଶରେ ଶିଶୁଙ୍କ ସାମଗ୍ରିକ ବିକାଶକୁ ଜାତୀୟ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆଯାଇଛି। ବାଲବାଟିକାର ଶୁଭାରମ୍ଭ କରାଯାଇଛି। ପ୍ରଥମ ଥର ପାଇଁ ପ୍ରାରମ୍ଭିକ ଶିଶୁ ଯତ୍ନ ଏବଂ ଶିକ୍ଷା (ଇସିସିଇ) ଆନୁଷ୍ଠାନିକ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ସମନ୍ୱିତ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଶିକ୍ଷା ସମାଗମରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷା ସମାଜର ସମର୍ଥନ ଉତ୍ସାହଜନକ। ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଏକ ଅନୁଷ୍ଠାନରେ ପରିଣତ କରିବା ପାଇଁ ସମସ୍ତେ ଉଦ୍ୟମ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ସ୍କୁଲ, ଉଚ୍ଚଶିକ୍ଷାନୁଷ୍ଠାନ ଓ ସ୍କିଲିଂ କ୍ଷେତ୍ରରେ ୧୦୬ଟି ଗୁରୁତ୍ୱପୂର୍ଣ୍ଣ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏହି ଉପଲକ୍ଷେ ଆୟୋଜିତ ହୋଇଯାଇଥିବା ପ୍ରଦର୍ଶନୀରେ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ଓ ଶିକ୍ଷା ଏବଂ ଦକ୍ଷତା ବିକାଶ ବିଭାଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଭାରତକୁ ଜ୍ଞାନର କେନ୍ଦ୍ର ବନାଇବାରେ ଏନଇପିର ଭୂମିକାକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାତୀୟ ଶିକ୍ଷା ନୀତିର ତୃତୀୟ ବର୍ଷପୂର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଲିଖିତ ‘ୱାନ୍ସ ଏଗେନ୍‌, ଏ ନଲେଜ୍ ହବ୍‌’ ଆଲେଖ୍ୟକୁ ସେୟାର କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରି କହିଛି ଯେ, ‘ଜାତୀୟ ଶିକ୍ଷା ନୀତିର ତୃତୀୟ ବର୍ଷପୂର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ, ଭାରତକୁ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କେନ୍ଦ୍ରରେ ପରିଣତ କରିବା ପାଇଁ କିପରି ଏହି ନୀତି ପ୍ରସ୍ତୁତ କରାଯାଇଛି’।

Categories
ଆଜିର ଖବର ଜାତୀୟ ଖବର

ନୀତିନ-ଧର୍ମେନ୍ଦ୍ର ମଧ୍ୟରେ ବୈଠକ: ଓଡିଶାର ଅନେକ ପ୍ରକଳ୍ପ ବିଷୟରେ ହେଲା ଆଲୋଚନା

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା କରିବା ସହ ଆଲୋଚନା କରିଛନ୍ତି।

ଏହି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କ ସହ କଟକ-ସମ୍ବଲପୁର ଜାତୀୟ ରାଜପଥର ଅଗ୍ରଗତି ନେଇ ଆଲୋଚନା ହୋଇଛି। କୋଷ୍ଟାଲ ହାଇଓ୍ୱେ, ସମ୍ବଲପୁର ରିଙ୍ଗ୍ ରୋଡ, କ୍ୟାପିଟାଲ ରିଙ୍ଗ୍ ରୋଡ୍ କାର୍ଯ୍ୟର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା ହୋଇଛି। ସେହିପରି ଢେଙ୍କାନାଳ ଜିଲ୍ଲାର ଭୁବନ ଓ କାମାକ୍ଷାନଗର ଦେଇ ଯାଇଥିବା ଡୁବୁରିରୁ ବହ୍ଲର ଛକ ପର୍ଯ୍ୟନ୍ତ ୫୩ ନମ୍ବର ଜାତୀୟ ରାଜପଥ, ଗୋଡିବନ୍ଧରୁ ବଅଁରପାଳ ପର୍ଯ୍ୟନ୍ତ ରାଜପଥର ପ୍ରଶସ୍ତିକରଣ ସମେତ ଅନ୍ୟାନ୍ୟ ପ୍ରକଳ୍ପ ଉପରେ ମଧ୍ୟ ବୈଠକରେ ଚର୍ଚ୍ଚା କରାଯାଇଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ସବୁ ରାଜପଥ ପ୍ରକଳ୍ପ ଗୁଡ଼ିକର ପରିବେଶ ମଞ୍ଜୁରୀ, ଟେଣ୍ଡର ପ୍ରକ୍ରିୟା, ଆଲାଇନମେଣ୍ଟ ଏବଂ ଅନ୍ୟାନ୍ୟ ସମସ୍ୟା ବିଷୟରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ କଳ୍ପନାରେ ଓଡ଼ିଶାରେ ସଡକପଥ ଭିତ୍ତିଭୂମିକୁ ମଜଭୂତ୍ କରାଯାଉଛି । ଭାରତ ସରକାରଙ୍କ ଏନଏଚଏଆଇ ଦ୍ୱାରା ଓଡ଼ିଶାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଆଲୋଚନା ହୋଇଥିବା ସବୁ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ଶ୍ରୀ ଗଡକରୀ ଆଶ୍ୱସ୍ତ କରିଥିବା ଶ୍ରୀ ପ୍ରଧାନ କହିଛନ୍ତି।

ଏହି ବୈଠକରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସମେତ ଏନଏଚଏଆଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିଲେ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ମେଟା ଗ୍ଲୋବାଲ ଆଫେୟାର୍ସର ସଭାପତି

ନୂଆଦିଲ୍ଲୀ: ଫେସବୁକ, ହ୍ୱାଟ୍ସଆପ ଏବଂ ଇନଷ୍ଟାଗ୍ରାମକୁ ସଂଚାଳିତ କରୁଥିବା ମେଟା ଗ୍ଲୋବାଲ ଆଫେୟାର୍ସର ସଭାପତି ନିକ୍ କ୍ଲେଗ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ସାକ୍ଷାତ୍ କରିଛନ୍ତି।

ଭାରତର ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ଷେତ୍ରରେ ମେଟା ଟେକ୍ନୋଲୋଜିକୁ କିପରି ବ୍ୟବହାର କରାଯାଇପାରିବ ସେ ବିଷୟରେ କେନ୍ଦ୍ରମନ୍ତ୍ରୀ ଏହି ବୈଠକ କାଳରେ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଜାତୀୟ ଶିକ୍ଷା ନୀତି ଟେକ୍ନୋଲୋଜି ଆଧାରିତ ଶିକ୍ଷାକୁ ପ୍ରୋତ୍ସାହନ ଦେଉଛି। ଷ୍ଟାର୍ଟଅପରେ ନିୟୋଜିତ ଥିବା ଯୁବ ଉଦ୍ୟୋଗୀମାନେ କିପରି ସେମାନଙ୍କର ବ୍ୟବସାୟକୁ ଟେକ୍ନୋଲୋଜି ମାଧ୍ୟମରେ ବଢାଇପାରିବେ ସେ ବାବଦରେ ଅବଗତ କରାଇଥିଲେ। ସେହିପରି ଟେକ୍ନୋଲୋଜି ଇନୋଭେସନ, ଉଦ୍ୟମିତା କ୍ଷେତ୍ରକୁ ଉପଯୋଗ କରିବା ଉପରେ ଚର୍ଚ୍ଚା ସହ ଡିଜିଟାଲ ଇଣ୍ଡିଆ ଏବଂ ସ୍କିଲ୍ ଇଣ୍ଡିଆ ମିଶନ ସଶକ୍ତ କରିବା ପାଇଁ ମେଟାକୁ ନିମନ୍ତ୍ରଣ କରିଥିଲେ କେନ୍ଦ୍ରମନ୍ତ୍ରୀ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିକ୍ କ୍ଲେଗଙ୍କୁ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ପ୍ରଦାନ କରିବା ସମୟରେ ଓଡ଼ିଶାର ପ୍ରତିଭାସମ୍ପନ୍ନ ବ୍ୟକ୍ତି ଓ କଳାକାରଙ୍କ ସମେତ ରାଜ୍ୟର କଳା, ସଂସ୍କୃତି, ପରମ୍ପରା ଉପରେ ଚର୍ଚ୍ଚା କରିଥିଲେ। ଦେଶ ସମେତ ଓଡ଼ିଶା ଭଳି ରାଜ୍ୟରେ ମେଟା ଟେକ୍ନୋଲୋଜି କିଭଳି ଯୁବ ପ୍ରତିଭାଙ୍କୁ ଅଧିକ ଦକ୍ଷ କରିବା ସହ ସ୍କିଲ୍ କ୍ଷେତ୍ରକୁ ମଜଭୂତ୍ କରିବ, ତାହା ଉପରେ କାମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ସିବିଏସଇ ସ୍କୁଲରେ ସମସ୍ତ ଭାରତୀୟ ଭାଷାରେ ପାଠପଢା ବିଜ୍ଞପ୍ତି ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ସିବିଏସଇ ଅନୁବନ୍ଧିତ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କୁ ବିକଳ୍ପ ଭାଷା ଭାବରେ ମାତୃଭାଷାରେ ଶିକ୍ଷାଦାନ ଦିଆଯାଇପାରିବ। ଏଥିପାଇଁ ସିବିଏସଇ ବିଜ୍ଞପ୍ତି ଜାରି କରିସାରିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ବିଶ୍ୱର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ରାଷ୍ଟ୍ରୀୟ ଶିକ୍ଷା ନୀତି ସମସ୍ତ ଭାରତୀୟ ଭାଷାକୁ ଗୁରୁତ୍ୱ ଦେଉଅଛି। ପୂର୍ବରୁ ସିବିଏସଇ ସ୍କୁଲରେ କେବଳ ଇଂରାଜୀ ଓ ହିନ୍ଦିରେ ପାଠ ପଢ଼ାଯିବାର ବ୍ୟବସ୍ଥା ଥିଲା। ଏଣିକି ସମସ୍ତ ସିବିଏସଇ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ଇଂରାଜି ଓ ହିନ୍ଦି ଭାଷା ବ୍ୟତିତ ପିଲାଙ୍କ ଇଚ୍ଛାନୁସାରେ ଓଡ଼ିଆ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାରେ ଶିକ୍ଷା ଦିଆଯିବ।

ମାତୃଭାଷାରେ ପାଠ ପଢ଼ିଲେ ହିଁ ଛାତ୍ରଛାତ୍ରୀମାନେ ଭଲ ଭାବେ ପାଠକୁ ବୁଝି ପାରିବେ। ମୂଳ ବିଷୟର ସ୍ପଷ୍ଟତା ଆସିବ। ଛାତ୍ରଛାତ୍ରୀଙ୍କର ଚିନ୍ତନ ଶକ୍ତି ବୃଦ୍ଧି ପାଇବ, ଯାହା ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି। ତେବେ ପିଲାମାନେ କେଉଁ ଭାଷାରେ ପାଠ ପଢିବେ, ସେଥିପାଇଁ କୌଣସି ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯିବନାହିଁ। ସିବିଏସଇ ସ୍କୁଲ ଗୁଡ଼ିକ ଧୀରେ ଧୀରେ ଏ ବ୍ୟବସ୍ଥାକୁ ଆପଣାଇବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ପଦକ୍ଷେପ ଭାରତୀୟ ଭାଷା ଆଧାରିତ ଶିକ୍ଷାକୁ ବଢାଇବ। ଶିକ୍ଷାର ଆଉଟକମ ପାଇଁ ଏହା ଏକ ଭଲ ଶୁଭାରମ୍ଭ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ରୋଜଗାର ମେଳାରେ ୧୮୧ ଜଣଙ୍କୁ ନିଯୁକ୍ତିପତ୍ର ବିତରଣ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଆମ ଦେଶକୁ ଦୁନିଆର ୧ ନମ୍ବର ଅର୍ଥନୀତିର ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ଯୁବଶକ୍ତିଙ୍କୁ ବିଲକ୍ଷଣ ପ୍ରତିଭାର ଅଧିକାରୀ ହେବାକୁ ପଡିବ। ଏଥିପାଇଁ ସଫ୍ଟଓୟାର ଭଳି ଦୁଇଟି କୋଡିଂକୁ ନିଜ ମନ ଭିତରେ ରଖିବା ପାଇଁ ପଡିବ। ତାହା ହେଲା “ମୁଁ ଯାହା କରୁଛି, ସମାଜ, ଦେଶ ଏବଂ ମାନବତା ପାଇଁ କରୁଛି” ଏବଂ ଅନ୍ୟଟି ହେଲା “ଆମକୁ ଖୋଲା ମନରେ ନିଷ୍ପତି ନେବାକୁ ହେବ”। ଏହି ଦୁଇଟି ମନୋଭାବ ରଖିଲେ ହିଁ ଆଗାମୀ ଦିନରେ ବିକଶିତ ଭାରତର ସଂକଳ୍ପ ପୂରଣ ହୋଇପାରିବ ବୋଲି ନବନିଯୁକ୍ତ ରୋଜଗାର ପାଇଥିବା ଯୁବପିଢିଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ଭୁବନେଶ୍ୱର ସ୍ଥିତ ରେଳ ଅଡିଟୋରିୟମ ଠାରେ ‘ରାଷ୍ଟ୍ରୀୟ ରୋଜଗାର ମେଳା’ର ସପ୍ତମ ପର୍ଯ୍ୟାୟ ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଏହି ଅବସରରେ ଭାରତ ସରକାରଙ୍କ ସିବିଆଇସି, ନାଲକୋ, ସେଲ୍, ଡାକ ବିଭାଗ, ଆଇଆଇଟି ଭୁବନେଶ୍ୱର, ବ୍ୟାଙ୍କ ସମୂହ, ଭାରତୀୟ ରେଳ, ଭାରତୀୟ ଖାଦ୍ୟ ନିଗମ ତଥା ବିଭିନ୍ନ ବିଭାଗରେ ୧୮୧ ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ବିତରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିଥିବା ସମସ୍ତ ଯୁବସାଥୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ଅଭିବୃଦ୍ଧି ଦ୍ରୁତ ଗତିରେ ଆଗକୁ ବଢୁଛି। ଭାରତ ବିଶ୍ୱର ତୃତୀୟ ଉର୍ଜା ଉପଭୋକ୍ତାର ରାଷ୍ଟ୍ର ହୋଇଛି। ଭାରତ ୩ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହୋଇଛି। ବିଶ୍ୱର ପଞ୍ଚମ ଅର୍ଥନୀତିର ରାଷ୍ଟ୍ର ଭାବେ ପରିଚିତ ହୋଇଛି। ଦେଶରେ ବିଗତ ବର୍ଷ ମାନଙ୍କରେ ଡିଜିଟାଲ ଅର୍ଥ କାରବାର, ଟେଲି ଯୋଗାଯୋଗ, ବ୍ୟାଙ୍କ୍, ଡାକ ବିଭାଗ, ଭାରତୀୟ ରେଳ ବିଭାଗ, ଷ୍ଟାର୍ଟଅପ୍ ଭଳି ବିଭିନ୍ନ କ୍ଷେତ୍ରରେ ନୂଆ ଉଚ୍ଚତାକୁ ଯାଉଛି।

ଆଗାମୀ ୨୫ ବର୍ଷର କଳ୍ପନା ଆମ ପାଖରେ ଅଛି । ପ୍ରଧାନମନ୍ତ୍ରୀ ମୋଦି ନବନିଯୁକ୍ତ ରୋଜଗାର ପାଉଥିବା ଯୁବପିଢିଙ୍କୁ ଅମୃତ ପିଢିର ବିକଶିତ ଭାରତର ଜଣେ ଜଣେ ଯୋଦ୍ଧା ବୋଲି ଅଭିହିତ କରିଛନ୍ତି। ଆଧୁନିକ ଦୁନିଆରୁ ସମସ୍ତଙ୍କୁ ଇଜ୍ ଅଫ୍ ଲିଭିଂରେ ଅଭ୍ୟସ୍ତ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ତେଣୁ ଭାରତକୁ ଆଗକୁ ନେବାକୁ ହେଲେ ଯୋଜନା ବନାଇବାକୁ ପଡିବ। ଗବେଷଣା ସହ ନବସୃଜନ କରିବାକୁ ପଡିବ। ବର୍ତ୍ତମାନ ସମୟରେ ଆର୍ଟିଫିସିଆଲ ବା ଏଆଇ ଏବଂ ହ୍ୟୁମାନ ଇଣ୍ଟେଲିଜେନ୍ସ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଏହାକୁ ଦୃଷ୍ଟିରେ ରଖି ନୂତନ ପୃଥିବୀରେ ଭାରତକୁ ନୂଆ ଶିଖରରୁ ନେବା ପାଇଁ ନୂଆ ଆଇଡିଆ ମାଧ୍ୟମରେ ଗବେଷଣା ଓ ନବସୃଜନକୁ ପ୍ରୋତ୍ସାହନ ଦେବାକୁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପ୍ରକୃତି ଓ ପରିବେଶର ସୁରକ୍ଷା ଏବଂ ସଂରକ୍ଷଣ ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

ନୂଆଦିଲ୍ଲୀ: ପ୍ରକୃତି ତଥା ପରିବେଶର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ୧ କୋଟି ଗଛ ଲଗାଇବା ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକ ମାନଙ୍କୁ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

 

ଶ୍ରୀ ପ୍ରଧାନ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ପ୍ରକୃତି ଆମକୁ ଅନେକ କିଛି ଦେଇଛି ଏବଂ ଏଥିପାଇଁ ମୁଁ ପ୍ରକୃତି ମାତାଙ୍କ ପାଖରେ ସବୁବେଳେ କୃତଜ୍ଞ।  ବର୍ତ୍ତମାନ ସମୟରେ ଭବିଷ୍ୟତ ପିଢ଼ି ପାଇଁ ଆମ ପରିବେଶର ସୁରକ୍ଷା କରିବା, ଆମର ଏକ ଗୁରୁ ଦାୟିତ୍ୱ ହୋଇପଡିଛି। ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ଅନୁସାରେ, ଜଳବାୟୁର ପରିବର୍ତ୍ତନ ଏବଂ ପ୍ରାକୃତିକ ସମ୍ପଦର ଅତ୍ୟଧିକ ଶୋଷଣ କେବଳ ବୈଷୟିକ ପଦ୍ଧତି ଦ୍ୱାରା ସମାଧାନ ହୋଇପାରିବ ନାହିଁ। ଏହାର ନିରାକରଣ ନାଗରିକ ମାନଙ୍କ ସାମୂହିକ ଏକତା ଓ ଇଚ୍ଛାଶକ୍ତି ଦ୍ୱାରା ସମ୍ଭବ।

ଆମ ପାଖରେ ପ୍ରକୃତି ଅଛି ଏବଂ ପରିବେଶକୁ ପୁନରୁଦ୍ଧାର କରିବାର ଅପାର ଶକ୍ତି ମଧ୍ୟ ଅଛି। ଆମର ଧରାପୃଷ୍ଠକୁ ସୁସ୍ଥ ରଖିବା ପାଇଁ ସମସ୍ତେ ନିଜେ ବ୍ୟକ୍ତିଗତ ସ୍ତରରେ ଯୋଗଦାନ କରିବା ଜରୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ‘ମିଶନ ଲାଇଫ୍’ ଆଧାରରେ ସମସ୍ତେ ମିଳିତ ଭାବରେ ପରିବେଶର ସୁରକ୍ଷା ଓ ସଂରକ୍ଷଣ କରିବା ପାଇଁ ପଦକ୍ଷେପ ନେବା। ଚଳିତ ମୌସୁମୀ ଋତୁରେ ସମସ୍ତେ ୧ କୋଟି ଗଛ ଲଗାଇବାର ସଂକଳ୍ପ ନେବା। ବୃକ୍ଷରୋପଣକୁ କେବଳ ନିଜ ଭିତରେ ସୀମିତ ରଖିବା ନାହିଁ, ଏକ ଜନଆନ୍ଦୋଳନରେ ପରିଣତ କରିବା। ଆଗାମୀ ସିଓପି୨୮ ଶିଖର ସମ୍ମିଳନୀକୁ ଦୃଷ୍ଟିରେ ରଖି ସମସ୍ତେ ଏକାଠି ହେବା ଏବଂ ଏକ ସବୁଜ ଏବଂ ସ୍ଥାୟୀ ବିଶ୍ୱର ସ୍ୱପ୍ନକୁ ବାସ୍ତବରେ ସାକାର କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟ୍ରେଲିଆର ଦକ୍ଷତା ଓ ପ୍ରଶିକ୍ଷଣ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଅଷ୍ଟ୍ରେଲିଆର ଦକ୍ଷତା ଓ ପ୍ରଶିକ୍ଷଣ ମନ୍ତ୍ରୀ ବ୍ରେନଡେନ୍ ଓ’ କୋନୋରଙ୍କୁ ନୂଆଦିଲ୍ଲୀ ଠାରେ ସାକ୍ଷାତ୍ କରିଛନ୍ତି। ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଦୁଇ ଦେଶର ସହଭାଗିତାକୁ ଆହୁରି ସୁଦୃଢ କରିବା ସହ ସମ୍ପ୍ରସାରଣ କରିବା ଦିଗରେ ଉଭୟ ଦେଶର ମନ୍ତ୍ରୀ ଆଲୋଚନା କରିଛନ୍ତି।

ଖଣିଜ ପଦାର୍ଥ ଭଳି ପ୍ରାକୃତିକ ସମ୍ପଦର ପରିଚାଳନା କରିଛି ଏବଂ ଲୋକଙ୍କ ଦକ୍ଷତା ବୃଦ୍ଧି କରିବାରେ ଅଷ୍ଟ୍ରେଲିଆର ଭୂମିକାକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ। ସେ କହିଥିଲେ ଯେ ଦୁଇ ଦେଶ ଭାରତରେ ଏହା ଉପରେ ଗୁରୁତ୍ୱ ଦେବା ସହ ବର୍ତ୍ତମାନ ମୟରେ ଉଭା ହେଉଥିବା ନୂଆ ଚାକିରି ପାଇଁ ଯୁବକ ଯୁବତୀ ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଉପାୟ ଅନ୍ୱେଷଣ କରିବା ଉଚିତ୍। ଏହାବ୍ୟତିତ ଖଣି ଖନନ, କୃଷି ପ୍ରଯୁକ୍ତିବିଦ୍ୟା, ଜଳ ପରିଚାଳନା, ଅକ୍ଷୟ ଉର୍ଜା, ଏଆଇ ରୋବୋଟିକ୍ସ ଭଳି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ମିଳିତ ପାଠ୍ୟକ୍ରମ ବିକଶିତ କରିବା ତଥା ଗ୍ରୀନ ହାଇଡ୍ରୋଜେନ୍ ପାଠ୍ୟକ୍ରମର ବିଷୟ ଗୁଡିକର ବିକଶିତ କରିବା ପାଇଁ ମିଳିତ ଉଦ୍ୟମ କରିବା ପାଇଁ ଉଭୟ ମନ୍ତ୍ରୀ ଆଲୋଚନା କରିଥିଲେ।

ଶ୍ରୀ ପ୍ରଧାନ କହିଥିଲେ ଭାରତ ଓ ଅଷ୍ଟ୍ରେଲିଆ ସମ୍ପର୍କ ପାଇଁ ଏହା ଏକ ବିଶେଷ ମୁହୂର୍ତ୍ତ, ଯାହାର ଇତିହାସ ନୂଆ ଉଚ୍ଚତାକୁ ଯାଇଛି। ଅଷ୍ଟ୍ରେଲିଆର ଦକ୍ଷତା ଓ ପ୍ରଶିକ୍ଷଣ ମନ୍ତ୍ରୀ ଶିକ୍ଷାଗତ ଯୋଗ୍ୟତାର ପାରସ୍ପରିକ ସ୍ୱୀକୃତି, ମାଇଗ୍ରେସନ ଓ ମୋବିଲିଟି ପାର୍ଟନରସିପ୍ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ଭାରତ ଓ ଅଷ୍ଟ୍ରେଲିଆର ଦକ୍ଷତା କ୍ଷେତ୍ର ସହ ଜଡ଼ିତ ନିୟମକୁ ମିଳିତ ଭାବରେ କାର‌୍ୟ୍ୟ କରିବା ଉପରେ ଆଲୋଚନା କରିଛନ୍ତି। ଉଭୟ ଦେଶରେ ଧନ୍ଦାମୂଳକ କୌଶଳର ମାନ୍ୟତା ପ୍ରଦାନକୁ ତ୍ୱରାନ୍ୱିତ କରିବା, ଡୁଆଲ୍ ସାର୍ଟିଫିକେସନ ପ୍ରଦାନ କରିବା,ଭର୍ଚ୍ଚୁଆଲ ଏବଂ ଫିଜିକାଲ କାର‌୍ୟ୍ୟକ୍ରମର ଆଦାନପ୍ରଦାନ ସହ ଆପ୍ରେଣ୍ଟସିପ୍ କାର‌୍ୟ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଉପର ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଶ୍ରୀ ପ୍ରଧାନ ଭାରତର ଦକ୍ଷତା ବିକାଶରେ କ୍ଷମତାକୁ ବୃଦ୍ଧି କରିବା ଦିଗରେ ଅଷ୍ଟ୍ରେଲିଆର ଭେଟ୍ ଟ୍ରେନିଂ ପାର୍ଟନରକୁ ସ୍ୱାଗତ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆ ମନ୍ତ୍ରୀଙ୍କୁ ଚଳିତବର୍ଷ ସେପ୍ଟେମ୍ବରରେ ଗୁଜୁରାଟର ଗାନ୍ଧୀନଗରରେ ଅନୁଷ୍ଠିତ ହେବାକୁ ଥିବା ସପ୍ତମ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ(ଏଆଇଇଏସସି) ବୈଠକରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି। ଏହି ବୈଠକ ଉଭୟ ଦେଶର ଶିକ୍ଷା, ଦକ୍ଷତା ବିକାଶ କ୍ଷେତ୍ରରେ ସହଭାଗିତାକୁ ସୁଦୃଢ ପ୍ରଦାନ କରିବା ପାଇଁ ଅଧିକ ସୁଯୋଗ ପ୍ରଦାନ କରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।

ଅଷ୍ଟ୍ରେଲିଆ ମନ୍ତ୍ରୀ କହିଥିଲେ ଯେ ଷ୍ଟୁଡେଣ୍ଟ  ମୋବିଲିଟିକୁ ପୁନରୁଦ୍ଧାର କରିବା ତାଙ୍କ ଦେଶର ପ୍ରାଥମିକତାରେ ରହିଛି। ଭିସା ପ୍ରକ୍ରିୟାକୁ ସରଳୀକରଣ କରିବା ଉପରେ କାର‌୍ୟ୍ୟ କରାଯିବା ଉପରେ ସେ ମତପ୍ରକାଶ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜି-୨୦ ସିଙ୍ଗାପୁର-ଭାରତ ହକାଥନ ୨୦୨୩ ସମାରୋହରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ଲାରେନ୍ସ ଓଙ୍ଗ୍ ରବିବାର ଆଇଆଇଟି ଗାନ୍ଧିନଗରରେ ଅନୁଷ୍ଠିତ ‘ଜି-୨୦ ସିଙ୍ଗାପୁର ଭାରତ ହକାଥନ-୨୦୨୩’ର ତୃତୀୟ ସଂସ୍କରଣରେ ଯୋଗଦେଇଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମାଜର ଆହ୍ୱାନ ଗୁଡିକର ସମାଧାନର ସୂତ୍ର ଅନ୍ୱେଷଣ କରିବା ଦିଗରେ ହକାଥନକୁ ଆଗକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସର୍ବଭାରତୀୟ ବୈଷୟିକ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ଏବଂ ନାନୟାଙ୍ଗ୍ ଟେକ୍ନୋଲୋଜିକାଲ ବୈଷୟିକ ବିଶ୍ୱବିଦ୍ୟାଳୟ(ଏନଟିୟୁ) ପକ୍ଷରୁ ଏହି ହକାଥନର ତୃତୀୟ ସଂସ୍କରଣ ଆୟୋଜିତ ହୋଇଥିଲା । ଏହି ସମାରୋହରେ ଉଭୟ ମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପାଇଁ ସମାଧାନ ସୃଷ୍ଟି କରିବା ପାଇଁ ସହଯୋଗ କରୁଥିବା ହକାଥନର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ପ୍ରଧାନ ହକାଥନରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଏବଂ ଷ୍ଟାର୍ଟଅପ୍ ସହ ଆଲୋଚନା କରିଥିଲେ । ନବନୃଜନ ଏବଂ ଉଦ୍ୟମିତା ମାଧ୍ୟମରେ ଲୋକଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇବା ଏବଂ ବିଶ୍ୱକୁ ଏକ ସର୍ବଶ୍ରେଷ୍ଠ ସ୍ଥାନରେ ରଖିବା ଦିଗରେ ସେମାନଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ । ସିଙ୍ଗାପୁର-ଭାରତ ହକାଥନ ୨୦୨୩ର ସମସ୍ତ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ ଏହିଭଳି ହକାଥନ ଜ୍ଞାନ ବିନିମୟକୁ ସୁଗମ କରିବା ଏବଂ ଉଭୟ ଦେଶର ଯୁବବର୍ଗଙ୍କ ଲୁକ୍କାୟିତ ସାମର୍ଥ୍ୟକୁ ପ୍ରସ୍ଫୁଟିତ କରିବାର ଏକ ଉତ୍ତମ ମାଧ୍ୟମ । ଜ୍ଞାନଶକ୍ତି, ଗବେଷଣା, ନବସୃଜନ ମାଧ୍ୟମରେ ଭାରତ ଓ ସିଙ୍ଗାପୁର ଭବିଷ୍ୟତ ପାଇଁ ବିଶ୍ୱର କଲ୍ୟାଣକୁ ଆଗେଇ ନେବା ପାଇଁ ପ୍ରତିଶ୍ରୁତିବଦ୍ଧ।

ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ସିଙ୍ଗାପୁର ଉପପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍କୁଲରୁ ସ୍କିଲ୍ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆଲୋଚନା ହୋଇଥିଲା । ସ୍କୁଲରେ ଧନ୍ଦାମୂଳକ ଶିକ୍ଷାର ସମନ୍ୱୟ, ଗୁରୁତ୍ୱପୂର୍ଣ୍ଣ ସ୍କିଲ୍ ସହ ଯୁବବର୍ଗଙ୍କୁ ସଶକ୍ତ କରିବା, ଭବିଷ୍ୟତର ମାନବସମ୍ବଳ ପ୍ରସ୍ତୁତ କରିବା ଉପରେ ଚର୍ଚ୍ଚା କରିଥିଲେ କେନ୍ଦ୍ରମନ୍ତ୍ରୀ । ସେହିପରି ଶିକ୍ଷାନୁଷ୍ଠାନ, ଶିକ୍ଷକ ଏବଂ ପ୍ରଶିକ୍ଷକ ମାନଙ୍କ କ୍ଷମତା ନିର୍ମାଣ ଓ ଭାରତର ପ୍ରାଥମିକତାରେ ଥିବା ଗବେଷଣା ଏବଂ ନବଉନ୍ମେଷ ଉପରେ ସହଯୋଗ ହେବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣା ପତ୍ର ଚୂଡ଼ାନ୍ତ କରିବା ଓ ପାରସ୍ପରିକ ବେଷ୍ଟ୍ ପ୍ରାକ୍ଟିସେସକୁ ଯୋଡିବା ଏବଂ ଏବଂ ଆମର ଭବିଷ୍ୟତ ପିଢ଼ି ପାଇଁ ଜ୍ଞାନ ଏବଂ ଦକ୍ଷତା ସହଭାଗିତାର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉପଲବ୍ଧ କରିବା ପାଇଁ ଏକ ଜଏଣ୍ଟ ଓ୍ୱାର୍କିଂ ଗ୍ରୁପ ଗଠନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ସମ୍ମତି ପ୍ରକାଶ କରିଛନ୍ତି ।

ଉଲ୍ଲେଖନୀୟ ଯେ, ପ୍ରାୟ ୮୦୦ ରୁ ଅଧିକ ଛାତ୍ରଛାତ୍ରୀ, ଷ୍ଟାର୍ଟଅପ୍, ନିବେଶକ, ନୀତି ସଂସ୍କାରକ,କର୍ପୋରେଟ ଏବଂ ଏକାଡେମିକ୍ସ ଏହି ହକାଥନରେ ଯୋଗଦେଇଥିଲେ । ଶ୍ରୀ ପ୍ରଧାନ ଏହି ଅବସରରେ ଆଇଆଇଟି ଗାନ୍ଧିନଗର ରିସର୍ଚ୍ଚ ପାର୍କ ମଧ୍ୟ ପରିଦର୍ଶନ କରିଥିଲେ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆବୁଧାବୀରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଏମଓୟୁ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଆବୁଧାବୀରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ(ଏମଓୟୁ) ହୋଇଛି। ଏହା ଦ୍ୱାରା ଭାରତର ଶିକ୍ଷାର ଅନ୍ତର୍ଜାତୀୟକରଣ ଦିଗରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ପଦକ୍ଷେପ ନୂଆ ଭାରତର ନୂତନତ୍ୱ ଓ ଦକ୍ଷତା କ୍ଷେତ୍ରରେ ଏକ ଉଦାହରଣ। ୟୁଏଇରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ସ୍ଥାପନ ହେବା ଭାରତ ଏବଂ ୟୁଏଇ ବନ୍ଧୁତ୍ୱର ଏକ ପ୍ରତିଫଳନ। ଏହି ପଦକ୍ଷେପ ଜାତୀୟ ଶିକ୍ଷା ନୀତିରେ କଳ୍ପନାକୁ ବାସ୍ତବର ରୂପ ଦେବ ତଥା ଉଭୟ ଦେଶର ପାରସ୍ପରିକ ସମୃଦ୍ଧି ଏବଂ ବିଶ୍ୱର ବିକାଶ ଦିଗରେ ଜ୍ଞାନଶକ୍ତିର ଉପଯୋଗ ପାଇଁ ଏହା ଏକ ନୂତନ ଢାଞ୍ଚା ସ୍ଥାପିତ କରିବ। ଭାରତ ଓ ୟୁଏଇର ରଣନୈତିକ ଭାଗିଦାରୀ ସୁଦୃଢ ହେବ। ଭାରତୀୟ ଓ ବିଶ୍ୱର ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଉଲ୍ଲେଖନୀୟ ଯେ, ନିକଟରେ ଗତ ୧୦ ତାରିଖରେ ଆଇଆଇଟି ଦିଲ୍ଲୀ ଠାରେ ୟୁଏଇର ପ୍ରାଥମିକ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ସାରା ମୁସଲ୍ଲମଙ୍କୁ ସାକ୍ଷାତ୍ କରିବା ଅବସରରେ ଆବୁଧାବୀରେ ଦିଲ୍ଲୀର ଆଇଆଇଟି କ୍ୟାମ୍ପସ ପ୍ରତିଷ୍ଠା ହେବା ନେଇ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ। ଏହା ପୂର୍ବରୁ ଗତ ୭ ତାରିଖରେ ବିଦେଶରେ ଆଇଆଇଟିର ସର୍ବପ୍ରଥମ କ୍ୟାମ୍ପସ ତଥା ତାଞ୍ଜାନିଆର ଜାଞ୍ଜିବରରେ ଆଇଆଇଟି ମାଡ୍ରାସର କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ବିଶ୍ୱ ଯୁବ ଦକ୍ଷତା ଦିବସରେ ‘ଏଆଇ ଫର୍ ଇଣ୍ଡିଆ ୨.୦’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଉପରେ ଏକ ମାଗଣା ଅନଲାଇନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ଏଆଇ ଫର୍ ଇଣ୍ଡିଆ ୨.୦’ର ଶୁଭାରମ୍ଭ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ, ସ୍ଥାନୀୟ ଭାଷାରେ ଅନଲାଇନ୍ ଟେକ୍ନୋଲୋଜି ଶିକ୍ଷା ଦେଉଥିବା ବୈଷୟିକ ପ୍ଲାଟଫର୍ମ ଗୁଭି, ରାଷ୍ଟ୍ରୀୟ ଧନ୍ଦାମୂଳକ ଶିକ୍ଷା ଏବଂ ପ୍ରଶିକ୍ଷଣ ପରିଷଦ(ଏନସିଇଭିଟି) ଏବଂ ଆଇଆଇଟି ମାଡ୍ରାସର ମିଳିତ ଉଦ୍ୟମରେ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ। ଏହି ସ୍ୱୀକୃତିପ୍ରାପ୍ତ ଅନଲାଇନ୍ କାର୍ଯ୍ୟକ୍ରମ ଯୁବପିଢ଼ିଙ୍କୁ ଦକ୍ଷତା କ୍ଷେତ୍ରରେ ସଶକ୍ତ କରିବ। ଗୁଭି ଏହି କାର୍ଯ୍ୟକ୍ରମକୁ ୯ଟି ଭାରତୀୟ ଭାଷାରେ ପ୍ରସ୍ତୁତ କରିଛି। ପ୍ରଯୁକ୍ତିବିଦ୍ୟା ଶିକ୍ଷାରେ ଭାଷା ପ୍ରତିବନ୍ଧକକୁ ଦୂର କରିବା ଏବଂ ବିଶେଷ ଭାବରେ ଗ୍ରାମାଞ୍ଚଳରେ ଥିବା  ଆମ ଯୁବଶକ୍ତିଙ୍କୁ ଭବିଷ୍ୟତରେ ସଶକ୍ତ କରିବା ଦିଗରେ ଏହା ଏକ ଭଲ ପଦକ୍ଷେପ। ଏହି ଅବସରରେ ଶ୍ରୀ ପ୍ରଧାନ ଗୁଭିକୁ ସମସ୍ତ ଭାରତୀୟ ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାପାନ, ଜର୍ମାନ ଭଳି ପ୍ରଗତିଶୀଳ ରାଷ୍ଟ୍ର ଇଂରାଜୀ ଭାଷାରେ ସେତେ ସଶକ୍ତ ନୁହଁନ୍ତି । କିନ୍ତୁ ସେମାନେ ଏଆଇ କ୍ଷେତ୍ରରେ ବହୁତ ସୁଦୃଢ। ତେଣୁ ଇଂରାଜି ନୁହେଁ ବରଂ ନିଜ ଭାଷାରେ ହିଁ ସବୁ ଶିକ୍ଷା ଓ ଟେକ୍ନୋଲୋଜି କ୍ଷେତ୍ରରେ ପ୍ରାଥମିକତା ଦେବା ଦରକାର। ଏହାବ୍ୟତିତ ସେ କହିଛନ୍ତି ଯେ ଏଆଇ ବର୍ତ୍ତମାନ ସବୁସ୍ଥାନରେ। ଆଜି ଭାରତର ୟୁପିଆଇ ପେମେଣ୍ଟ ଟେକ୍ନୋଲୋଜି କ୍ଷେତ୍ରରେ ଏକ ଅଭୂତପୂର୍ବ ସଫଳତା ହାସଲ କରିଛି। ଦେଶରେ ଜିଏସଟି ଅଭିବୃଦ୍ଧି ଘଟୁଛି। ତେଣୁ ଦେଶ ଏହି କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଖୁବ ଶିଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ, ଧର୍ମେନ୍ଦ୍ର ହଟିବେ, ଚର୍ଚ୍ଚାରେ ଓଡିଶାର ଦୁଇ ସାଂସଦ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ କରିବେ। ଏ ନେଇ ଚର୍ଚ୍ଚା ଦୀର୍ଘଦିନ ଧରି ଚାଲିଛି। ହେଲେ ଗତ କିଛିଦିନ ଧରି ଏହି ଚର୍ଚ୍ଚା ଜୋରଦାର ହେବାରେ ଲାଗିଛି। ବିଶେଷ କରି ଜାତୀୟ ଗଣମାଧ୍ୟମରେ ମନ୍ତ୍ରୀ ମଣ୍ଡଳରେ କିଏ ଯିବ କିଏ ଆସିବ ସେ ନେଇ ଆଲୋଚନା ଚାଲିଛି।

ସେହି ଆଲୋଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମୌସୁମୀ ଅଧିବେସନ ପୂର୍ବରୁ ଏହି ଅଦଳବଦଳ କରିବେ। ଏହାର କାରଣରେ କୁହାଯାଇଛି ଯେ, ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେତେକ ଆଯୋଗ୍ୟ ମନ୍ତ୍ରୀଙ୍କୁ ବାହାର କରାଯିବ। ତାଙ୍କ ବଦଳରେ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡିକର ସାଂସଦଙ୍କୁ ମନ୍ତ୍ରୀ କରାଯିବ।

ତେବେ ଓଡିଶା ପ୍ରସଂଗରେ ଦେଖିବାକୁ ଗଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତ୍ରୀ ପଦ ଚାଲିଯିବ ବୋଲି ଚର୍ଚ୍ଚା ଚାଲିଛି। ପୂର୍ବରୁ ସେ ବେଶ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ପରବର୍ତ୍ତି ସମୟରେ ସେଥିରୁ ଖସି ଶିକ୍ଷା ବିଭାଗକୁ ଆସିଲେ। ବର୍ତ୍ତମାନ ସେ ପୁରା ମନ୍ତ୍ରୀମଣ୍ଡଳରୁ ବିଦା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ମୁଖ୍ୟତଃ ଧର୍ମେନ୍ଦ୍ରଙ୍କ ରାଜନୈତିକ ଗୋଟିଚାଳନାକୁ ନେଇ କେନ୍ଦ୍ର ଖୁସି ନାହିଁ। ତାଙ୍କ ଦ୍ବାରା ଓଡିଶାରେ ସଂଗଠନ ହୋଇପାରିବ ନାହିଁ ବୋଲି ରାଷ୍ଟ୍ରୀୟ ନେତୃତ୍ବ ଅନୁଭବ କରିସାରିଲେଣି।

ସେହିପରି ଓଡିଶାରୁ ରାଜ୍ୟସଭାକୁ ଯାଇ ମନ୍ତ୍ରୀ ହୋଇଥିବା ଅଶ୍ବିନୀ ବୈଷ୍ଣବଙ୍କ ପରିସ୍ଥିତ ମଧ୍ୟ ଭଲ ନାହିଁ। ହେଲେ ସେ ମନ୍ତ୍ରୀ ମଣ୍ଡଳରୁ ବିଦା ନ ହୋଇ ତାଙ୍କର ଗୁରୁତ୍ବପୂର୍ଣ୍ଣ ରେଳ ବିଭାଗ ବାହାର କରିନିଆଯିବ ବୋଲି କୁହାଯାଉଛି। କାରଣ ବାହାନଗା ରେଳ ଦୁର୍ଘଟଣା ପରେ ସେ ବିବାଦୀୟ ହୋଇପଡିଛନ୍ତି। ଅନ୍ୟପକ୍ଷରେ ଅଶ୍ବିନୀଙ୍କ କାର୍ଯ୍ୟଦକ୍ଷତା ଦଳୀୟ ରାଜନୀତି ପାଇଁ କୌଣସି କାମରେ ଆସିପାରୁ ନାହିଁ। ସେଥିପାଇଁ ତାଙ୍କୁ କମ ଗୁରୁତ୍ବ ଥିବା ବିଭାଗର ମନ୍ତ୍ରୀ କରାଯିବ ବୋଲି ଅନୁମାନ କରାଯାଉଛି।

ତେବେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ପଦରୁ ଯିବା ପରେ ଆଉ ଜଣଙ୍କୁ ମନ୍ତ୍ରୀ ପଦ ଦିଆଯିବ ବୋଲି ଚର୍ଚ୍ଚା ଚାଲିଛି। ତେବେ ଏଥିରେ ଦୁଇ ଜଣଙ୍କ ନାମ ବେଶ ଚର୍ଚ୍ଚାକୁ ଆସୁଛି। ସେମାନେ ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ। ଏହି ଦୁଇଜଣଙ୍କ ମଧ୍ୟରୁ ଜୁଏଲଙ୍କ ନାମ ଅଧିକ ଚର୍ଚ୍ଚା ଚାଲିଛି।

ତେବେ ଏହି ମନ୍ତ୍ରୀମଣ୍ଡଳ ଅଦଳବଦଳରେ ଅର୍ଥ, ଗୃହ, ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ବିଭାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏଥିସହିତ ନୂଆ ଭାବେ ପ୍ରଫୁଲ ପଟେଲ ଏବଂ ଚିରାଗ ପାଶୱାନଙ୍କୁ ଏଥର ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ ବୋଲି ଚର୍ଚ୍ଚା ଚାଲିଛି। ତେବେ ଏହି ନୂଆ ମନ୍ତ୍ରୀ ମଣ୍ଡଳର ମନ୍ତ୍ରୀମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ କେତେକ ଦଳିୟ କାର୍ଯ୍ୟରେ ନିୟୋଜିତ ହେବା ପାଇଁ ଟାସ୍କ ଦିଆଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଫକୀରମୋହନ ବିଶ୍ଵବିଦ୍ୟାଳୟର ୨୫ତମ ସ୍ଥାପନା ଦିବସରେ କେନ୍ଦ୍ରମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର: ଫକୀରମୋହନ ବିଶ୍ଵବିଦ୍ୟାଳୟ ଖାଲି ଏକ  ଶିକ୍ଷାନୁଷ୍ଠାନ ନୁହେଁ, ଏହା ଅବିଭକ୍ତ ବାଲେଶ୍ୱର ବାସୀଙ୍କ ଉଚ୍ଚଶିକ୍ଷା ପ୍ରତି ଆଗ୍ରହ, ଆବେଗ, ସ୍ଵପ୍ନ ଓ ନିଷ୍ଠାର ଏକ ଜୀବନ୍ତ ସୌଧ ବୋଲି ବିଶ୍ୱବିଦ୍ୟାଳୟର ୨୫ତମ ସ୍ଥାପନା ଦିବସ ସମାରୋହ ଅବସରରେ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଫକୀରମୋହନ ବିଶ୍ଵବିଦ୍ୟାଳୟର ରଜତ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ  ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଓଡ଼ିଶା ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ। ଅନେକ ମହାମନିଷୀଙ୍କୁ ଜନ୍ମ ଦେଇ ଏହି ଜିଲ୍ଲା ଉତ୍କଳ ଜନନୀଙ୍କର ମୁଖ ଉଜ୍ଜ୍ୱଳ କରିଛି। ପୁରୀ ଗୋବର୍ଦ୍ଧନ ପୀଠର ପୂର୍ବତନ ଶଙ୍କରାଚାର୍ଯ୍ୟ, ଭାଗବତର ଆଦି-ଟିକାକାର ଶ୍ରୀଧର ସ୍ୱାମୀ, ଭକ୍ତକବି ଦୀନକୃଷ୍ଣ ଦାସ, କବିବର ରାଧାନାଥ ରାୟ, ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, କବିଶେଖର ଚିନ୍ତାମଣି ମହାନ୍ତି, ଜାତୀୟ କବି ବାଞ୍ଚାନିଧି ମହାନ୍ତି ଏବଂ ସର୍ବୋପରି ସେହି ମହାନ କବି, ଲେଖକ, ଗାଳ୍ପିକ ଓ ପ୍ରାବନ୍ଧିକ, ଯାହାଙ୍କ ନାମରେ ଏହି ବିଶ୍ୱବିଦ୍ୟାଳୟ ନାମିତ ; ବ୍ୟାସକବି ଫକୀରମୋହନ ସେନାପତିଙ୍କୁ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।

ବାଲେଶ୍ଵର ମାଟି ହେଉଛି ସାହିତ୍ୟ, ସଂସ୍କୃତି ଓ ସଂଗ୍ରାମର ମାଟି। ଆମର ଓଡ଼ିଆ ଅସ୍ମିତା ତଥା ଭାଷା ଓ ସାହିତ୍ୟ ପାଇଁ ଏ ମାଟି ବେଶ୍ ଗୁରୁତ୍ଵ ବହନ କରେ। ଏହି ଜିଲ୍ଲା ମୋ ପାଇଁ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର। ଏ ମାଟି ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପବିତ୍ର ଭୂମି। ଯେତେବେଳେ ଓଡ଼ିଆ ଭାଷା ତା’ର ଅସ୍ମିତାକୁ ବଞ୍ଚାଇବା ଲାଗି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିଲା, ସେତେବେଳେ ସେ ତାଙ୍କର ବଳିଷ୍ଠ ନେତୃତ୍ୱ ବଳରେ ଆମ ଭାଷା ଓ ସାହିତ୍ୟକୁ ରକ୍ଷା କରିଥିଲେ। ଫକୀରମୋହନ ହେଉଛନ୍ତି ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ଜନକ ତଥା ଆମ ଭାଷାର ତ୍ରାଣକର୍ତ୍ତା। ଫକୀରମୋହନ ଆମ ଭାଷାକୁ ବଞ୍ଚାଇ ଥିବାରୁ ତାକୁ ଆଧାର କରି ଭାଷାଭିତ୍ତିକ ରାଜ୍ୟ ଗଠନର ଦାବି ଉପସ୍ଥାପିତ କରିଥିଲେ ମଧୁବାବୁ । ପ୍ରଥମ ବାଳିକା ବିଦ୍ୟାଳୟ ବି ପ୍ରତିଷ୍ଠା କରିଥିଲେ ଫକୀରମୋହନ। ଫକୀରମୋହନ ସେନାପତି ଥିଲେ ଗାନ୍ଧୀ ଚେତନାର ଅଗ୍ରଦୂତ୍ତ। ଗାନ୍ଧିଜୀଙ୍କ ଅସହଯୋଗ ଓ ଲବଣ ସତ୍ୟାଗ୍ରହର ବହୁ ପୂର୍ବରୁ ଲେଖନୀ ଚାଳନା ମାଧ୍ୟମରେ ସତ୍ୟାଗ୍ରହର କଥା କହିଥିଲେ ଫକୀରମୋହନ।

ବିଗତ ଅଶୀ ଦଶକରେ ବାଲେଶ୍ଵରର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସ୍ଵର୍ଗତ ରବିନ୍ଦ୍ର ମୋହନ ଦାସଙ୍କ ନେତୃତ୍ଵରେ ଏ ଅଞ୍ଚଳରେ ଉଚ୍ଚଶିକ୍ଷାର ପ୍ରସାର ଲାଗି ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା ତାହା ଆଜିକୁ ୨୪ ବର୍ଷ ତଳେ ଫକୀରମୋହନ ବିଶ୍ଵବିଦ୍ୟାଳୟ ରୂପରେ ସ୍ୱୀକୃତି ପାଇଥିଲା। ଏହି ପବିତ୍ର ଅନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ସହିତ ସେମାନଙ୍କୁ ସୁନାଗରିକ କରି ଭବିଷ୍ୟତ ଗଠନ କରିବା ଦିଗରେ ସହଯୋଗୀ ହୋଇଛି । ଶିକ୍ଷକ- ଶିକ୍ଷୟିତ୍ରୀ ମାନଙ୍କର ଗୁଣାତ୍ମକ ଗବେଷଣା ମଧ୍ୟ ଏ ବିଶ୍ଵବିଦ୍ୟାଳୟକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସୁଖ୍ୟାତି ଦେଇଛି।

ଏହି ଶିକ୍ଷାନୁଷ୍ଠାନ କେବଳ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲା ପାଇଁ ନୁହେଁ, ସାରା ଦେଶରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ଆକର୍ଷଣୀୟ ଅନୁଷ୍ଠାନ ହୋଇପାରିଛି। ଏହା କିଛି କମ୍ ଗୌରବର କଥା ନୁହେଁ। ଛାତ୍ରଛାତ୍ରୀ ମାନଙ୍କର ବୌଦ୍ଧିକ କ୍ଷମତାର ବିକାଶ କରିବା ସହିତ ସେମାନଙ୍କର ବଳିଷ୍ଠ ବ୍ୟକ୍ତିତ୍ଵ ଗଠନ କରି ସୁନାଗରିକ ହିସାବରେ ଦେଶ-ମାତୃକା ଲାଗି ସମର୍ପିତ ହେବା ପାଇଁ ଏହି ଶିକ୍ଷାନୁଷ୍ଠାନ ନିଶ୍ଚିତ ଭାବରେ ପ୍ରେରଣା ଦେବ। ଏହା ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚଳିତ ନୂତନ ଜାତୀୟ ଶିକ୍ଷା ନୀତିର ଆହ୍ଵାନ।

ଜାତୀୟ ଶିକ୍ଷା ନୀତି ଅନେକ ବର୍ଷରୁ ଅପେକ୍ଷା ରଖାଯାଇଥିବା ଦେଶର ଶିକ୍ଷା ବ୍ୟବସ୍ଥାରେ ଏକ ଐତିହାସିକ ଏବଂ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଗୁଣାତ୍ମକ ଶିକ୍ଷା, ବହୁମୁଖୀ ଶିକ୍ଷାକୁ ପ୍ରୋତ୍ସାହନ, ସାମଗ୍ରିକ ଶିକ୍ଷା ଆହରଣ, ଗବେଷଣା ଏବଂ ଇନୋଭେସନକୁ ସୁଦୃଢ଼ କରିବା ତଥା ନିଯୁକ୍ତି ଓ ଉଦ୍ୟମିତା, ସାମାଜିକ ଜ୍ଞାନ ଓ ପରିବେଶ ସଚେତନତାକୁ ପ୍ରୋତ୍ସାହିତ କରି ଭାରତକୁ ଜ୍ଞାନର ବିଶ୍ୱ ଗୁରୁ ଭାବରେ ପରିଣତ କରିବା – ଏହି ଶିକ୍ଷା ନୀତିର ଲକ୍ଷ୍ୟ ରହିଛି। ଜାତୀୟ ଶିକ୍ଷା ନୀତି ଆଧାରରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଆଗାମୀ ଦିନରେ ବୈଶ୍ୱିକ ନାଗରିକ ସୃଷ୍ଟି କରିବ, ଯେଉଁମାନେ କେବଳ ରାଜ୍ୟ ପାଇଁ ନୁହେଁ ବରଂ ଦେଶ ଏବଂ ବିଶ୍ୱର ମାନବ କଲ୍ୟାଣ ପାଇଁ କାମ କରିବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

ବ୍ୟାସଦେବଙ୍କ ରଚିତ ମହାଭାରତର ଓଡ଼ିଆ ଅନୁବାଦ କରି ଫକୀର ମୋହନ ସେନାପତି ବ୍ୟାସକବିର ଆଖ୍ୟା ପାଇଥିଲେ। ଛାତ୍ରଛାତ୍ରୀମାନେ ସେହିପରି ନିଜ ନିଜ ବିଷୟରେ ପାରଦର୍ଶିତା ଲାଭ କରି ତାଙ୍କ ନାମରେ ନାମିତ ବିଶ୍ଵବିଦ୍ୟାଳୟର ଖ୍ୟାତିକୁ ଦେଶ ଓ ବିଦେଶରେ ବଢାଇବ – ଏହା ଆମ ସମସ୍ତଙ୍କର ଅଭିଳାଷ। ୨୦୩୬ରେ ଆଉ ପ୍ରାୟ ୧୩ ବର୍ଷ ପରେ ଓଡିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ୨୦୪୭ରେ ଆଉ ପ୍ରାୟ ୨୪ ବର୍ଷ ପରେ ଭାରତ ସ୍ୱାଧୀନତା ପାଇବାର ୧୦୦ ବର୍ଷ ପୂରଣ କରିବ। ଏହି ଅମୃତ କାଳରେ ବିଶ୍ୱର ସମ୍ଭାବନା ଓ ସୁଯୋଗକୁ ସ୍ୱୟଂ ପାଇଁ ନୁହେଁ ବରଂ ସମୂହଙ୍କ ପାଇଁ ବ୍ୟବହାର କରିବାକୁ ହେବ। ଏଥିପାଇଁ ବଡ ଭାବିବାକୁ ପଡିବ, ବଡ ସ୍ୱପ୍ନ ଦେଖିବାକୁ ପଡିବ। ଆପଣମାନେ ସମସ୍ତେ ଏହି କଥାକୁ ଅନୁସରଣ କରିବେ ବୋଲି ଶ୍ରୀ ପ୍ରଧାନ ବିଶ୍ୱାସବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସ ଅନୁଷ୍ଠାନ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସ(ଆଇଏଚଏସ) ପରିଦର୍ଶନ କରିବା ଅବସରରେ ଏହି ଅନୁଷ୍ଠାନକୁ ସ୍ୱୟଂଶାସିତ ମହାବିଦ୍ୟାଳୟ ଭାବରେ ଘୋଷଣା କରିଛନ୍ତି। ଏହି ପ୍ରତିଷ୍ଠାନକୁ ୟୁନିଭରସିଟି ଗ୍ରାଣ୍ଟ୍ କମିଶନ (ୟୁଜିସି) ସ୍ୱତନ୍ତ୍ର ବର୍ଗରେ ଅଟୋନୋମସ କଲେଜ ଭାବରେ ମାନ୍ୟତା ପ୍ରଦାନ କରିଛି ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଗସ୍ତ କାଳରେ କ୍ୟାମ୍ପସ ପରିସରରେ ଦିବ୍ୟାଙ୍ଗ ଶିଶୁ ମାନଙ୍କ ପାଇଁ ଥିବା ମଡେଲ୍ ସେଣ୍ଟର, ଇଣ୍ଟିଗ୍ରେଟେଡ ରିହାବିଲିଟେସନ ସେଣ୍ଟର, କ୍ଲିନିକ୍ ବ୍ଲକ, ଏକାଡେମିକ ବ୍ଲକ, ବାଲମୁକୁନ୍ଦ ରେହାବ ହସ୍ପିଟାଲ ବୁଲି ଦେଖିବା ସହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ପ୍ରଶିକ୍ଷକ ମାନଙ୍କୁ ଭେଟିଥିଲେ। ସେ କହିଛନ୍ତି ଆଜି ମୋ ପାଇଁ ଏକ ସ୍ମରଣିୟ ଦିନ। ଶିକ୍ଷାନୁଷ୍ଠାନର ଅନୁକୂଳଯୁକ୍ତ ଶୈକ୍ଷିକ ବାତାବରଣରେ ଦିବ୍ୟାଙ୍ଗ ମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ବିଭିନ୍ନ ଚିକିତ୍ସା, ଥେରାପି ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଉଦ୍ୟମ ଖୁବ ପ୍ରଶଂସନୀୟ। ଆଜି ଏହି ଶିକ୍ଷାନୁଷ୍ଠାନକୁ ଆସି ଦିବ୍ୟାଙ୍ଗ ମାନଙ୍କୁ ଭେଟି ଭଗବାନଙ୍କୁ ପୂଜା କରିବା ଠାରୁ ଅଧିକ ସୌଭାଗ୍ୟ ମିଳିଲା।

ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଏକ ଉତ୍କର୍ଷ କେନ୍ଦ୍ର ଭାବେ ପରିଣତ ହେଉଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସକୁ ୟୁଜିସି ବିଶେଷ ବର୍ଗରେ ସ୍ୱୟଂଶାସିତ ମହାବିଦ୍ୟାଳୟ ପାଇଁ ମାନ୍ୟତା ପ୍ରଦାନ କରାଯିବା ଖୁସିର ବିଷୟ। ଏଣିକି ଏହି ଅନୁଷ୍ଠାନର ନିଜସ୍ୱ ପାଠ୍ୟକ୍ରମ, ପରୀକ୍ଷା ପଦ୍ଧତି ସହ ସାର୍ଟିଫଫିକେଟ୍ ପ୍ରଦାନ କରାଯିବ। ଏହି ଅନୁଷ୍ଠାନ ସହ ମେଧାବୀ ଓଡ଼ିଆ ପିଲାମାନେ ଯୋଡି ହେଉଛନ୍ତି। ଏହାର ଅର୍ଥ ଏହି ପାଠ୍ୟକ୍ରମ ପ୍ରତି ପିଲା ମାନଙ୍କ ମଧ୍ୟରେ ସମ୍ବେଦନଶୀଳତା ଅଛି। ଦିବ୍ୟାଙ୍ଗଙ୍କ ପାଠପଢାକୁ ସୁଗମ କରିବା ସହ ସମାଜରେ ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ଦାୟିତ୍ୱ ନେବା ପାଇଁ ପଡିବ। ଦୀର୍ଘ ୨୫ ବର୍ଷ ଧରି ଦିବ୍ୟାଙ୍ଗ ମାନଙ୍କୁ ପାଠ ପଢାଇବା ସହ ମଣିଷ ତିଆରି କାମରେ ଲାଗିଥିବା ଏହି ଅନୁଷ୍ଠାନକୁ ଆଗକୁ ନେବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ପ୍ରଥମ ଥର ପାଇଁ ଦିବ୍ୟାଙ୍ଗଙ୍କ ପରିଭାଷା ବଦଳାଇଛନ୍ତି। ମୋଦି ସରକାରରେ ଦିବ୍ୟାଙ୍ଗ ମାନଙ୍କୁ ଉଚିତ୍ ସମ୍ମାନ ମିଳିଛି। ବିଶେଷ ଭାବରେ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ହେବା ପରେ ଏହା ଉପରେ ଧ୍ୟାନ ଦେବା ଭାରତ ସରକାରଙ୍କ ପ୍ରାଥମିକତାର ବିଷୟ ହୋଇଛି। ଏହି ଅନୁଷ୍ଠାନରେ ଅଧ୍ୟୟନରତ ଦିବ୍ୟାଙ୍ଗ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ବ୍ୟତିତ ସମ୍ମାନର ସହ କୁଶଳୀ କରି ସେମାନଙ୍କୁ ରୋଜଗାର ବ୍ୟବସ୍ଥା ସହ ଯୋଡିବା ପାଇଁ ବ୍ୟବସ୍ଥା କରାଯିବ। ଶିକ୍ଷକଙ୍କୁ ପ୍ରଶିକ୍ଷଣ ସହ ଭିତ୍ତିଭୂମିର ବିକାଶ ଦିଗରେ ଗୁରୁତ୍ୱ ଦିଆଯିବ। ଏହି ଅନୁଷ୍ଠାନକୁ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।