Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାକୁ ନବୀନ ଆଣିଲେ ୨୧,୦୦୦ କୋଟି ଟଙ୍କାର ପୁଞ୍ଜି, ସଫଳ ହେଲା ଦୁବାଇ ଇନଭେଷ୍ଟରସ ମିଟ୍

   

ସୁଧାଶ୍ରୀ ଦାସ, ଦୁବାଇ

ୟୁଏଇ ଏବଂ ମଧ୍ୟ ପୂର୍ବ ଏବଂ ଉତ୍ତର ଆଫ୍ରିକା ଅଞ୍ଚଳର କମ୍ପାନୀଗୁଡିକରୁ ଓଡିଶାକୁ ଆସିବ   ୨୧,୦୦୦ କୋଟିରୁ ଅଧିକ ମୂଲ୍ୟର ପୁଞ୍ଜି। ଏଥିରେ ପ୍ରାୟ ୧୯,୦୦୦ ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବାର ସମ୍ଭାବନା ରହିଛି। ଆଜି ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ପ୍ରତିଶୃତି ଦେଇଛନ୍ତି ଆରବ ଦେଶର ବିଭିନ୍ନ କଂପାନୀ।

ବୁଧବାର ଦୁବାଇର ଓବରାଇ ହୋଟେଲରେ ଉଦଘାଟିତ ହୋଇଥିବା ଓଡିଶା ଇନଭେଷ୍ଟର ମିଟରେ କମ୍ପାନୀଗୁଡିକ ଭିତ୍ତିଭୂମି, ଆତିଥ୍ୟ, ଲଜିଷ୍ଟିକ୍ସ, ରାସାୟନିକ ପଦାର୍ଥ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି କ୍ଷେତ୍ରଗୁଡିକରେ ରାଜ୍ୟରେ ପୁଞ୍ଜି ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଥିବାର ଜଣାପଡିଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ତରଫରୁ କଂପାନୀଗୁଡିକୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।

ଦୁବାଇର ଏହି ବୈଠକରେ ପ୍ରାୟ ୧୫୦ ରୁ ଅଧିକ ବଡ କମ୍ପାନୀର ଅଧିକାରୀ ଯୋଗ ଦେଇଥିଲେ। ସେମାନଙ୍କୁ ଉଦବୋଧନ ଦେଇ ନବୀନ କହିଛନ୍ତି ଯେ ଗତ ଦୁଇ ବର୍ଷ କୋଭିଡ ପରି ମହାମାରି ସତ୍ବେ ଓଡିଶାରେ ୫୦ ବିଲିୟନ ଡଲାର ମୂଲ୍ୟର ପୁଞ୍ଜି ବିନିଯୋଗ ହୋଇପାରିଛି। ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗ (FDI) ପାଇଁ ରାଜ୍ୟ ଏକ ଆକର୍ଷଣୀୟ ସ୍ଥାନ ଅଟେ।

ଏହି ବୈଠକରେ ଖଣିଜ ପଦାର୍ଥ, ଧାତୁ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ୍ସ, ରାସାୟନିକ ପଦାର୍ଥ, ପ୍ଲାଷ୍ଟିକ, ଭାରୀ ଶିଳ୍ପ, ଅକ୍ଷୟ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ବୈଦ୍ୟୁତିକ ଉପକରଣ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ଲଜିଷ୍ଟିକ୍ସ ଏବଂ ଗୋଦାମ ଘର, ରିଅଲ୍ ଇଷ୍ଟେଟ୍ ଏବଂ ଆତିଥ୍ୟ ପ୍ରଭୃତି କ୍ଷେତ୍ରର କଂପାନୀ ପ୍ରତିନିଧି ଏହି ସଭାରେ ଯୋଗ ଦେଇଥିଲେ।

ନବୀନଙ୍କ ବ୍ୟତୀତ ଓଡିଶାର ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧୀ ଦଳ, FICCI ଏବଂ ୟୁଏଇରେ ଥିବା ଭାରତୀୟ ଦୂତାବାସ ଅଧିକାରୀ ଏହି ସଭାରେ ଯୋଗ ଦେଇଥିଲେ। ୟୁଏଇରେ ଭାରତୀୟ ରାଷ୍ଟ୍ରଦୂତ ସୁନଜୟ ସୁଧୀର ମଧ୍ୟ ଏହି ଉତ୍ସବରେ ଆଗ୍ରହ ପ୍ରକାଶ କରିଛନ୍ତି।

ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା “ଓଡିଶାର ଇଣ୍ଡଷ୍ଟ୍ରିଆଲ୍ ଇକୋସିଷ୍ଟମ୍” ଉପରେ ଏକ ଉପସ୍ଥାପନା କରି ରାଜ୍ୟରେ ବିପୁଳ ପୁଞ୍ଜି ବିନିଯୋଗର ସୁଯୋଗକୁ ଆଲୋକପାତ କରିଛନ୍ତି। ସେହିପରି ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ମଧ୍ୟ ଓଡିଶାରର ଭିତ୍ତିଭୂମି ଉପରେ ନିଜର ମତ ରଖିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଦୁବାଇରୁ ଆସିଲା ପୁଞ୍ଜି, ଲୁଲୁ ଗ୍ରୁପ ଓଡିଶାରେ ଖୋଲିବ ମଲ, ବ୍ୟୟ ଅଟକଳ ୧୫ଶହ କୋଟି

ସୁଧାଶ୍ରୀ ଦାସ, ଦୁବାଇ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦୁବାଇରେ ଆରମ୍ଭ ହୋଇଥିବା ଇନଭେଷ୍ଟରସ ମିଟ ରେ ପୁଞ୍ଜି ଆସିବା ଆରମ୍ଭ ହୋଇଛି। ଆଜି ମଧ୍ୟାହ୍ନରେ ହୋଟେଲ ଓବରାଇରେ ବସିଥିବା ଏହି ବୈଠକରେ ବିଶ୍ବର ନାମଜାଦା ହାଇପର ମାର୍କେଟ କଂପାନୀ ଲୁଲୁ ଗ୍ରୁପ ଓଡିଶାରେ ଖୋଲିବ ମଲ।

ଆଜି ଏ ନେଇ କଂପାନୀ ତରଫରୁ ଘୋଷଣା କରାଯାଇଛି। ଦୁବାଇର ଏହି କଂପାନୀ ଓଡିଶାରେ ପ୍ରାୟ ୧୫00 କୋଟି ଟଙ୍କା ବିନିଯୋଗ କରିବ ବୋଲି ଘୋଷଣା କରିଛି।

ଏ ନେଇ କଂପାନୀର ବରିଷ୍ଠ ଅଧିକାରୀମାନେ ଓଡିଶା ସରକାରଙ୍କ ସହିତ ବୁଝାମଣା କରିଛି। ଏଥିରେ କଂପାନୀ ଘୋଷଣା କରିଛି ଯେ, ଲୁଲୁ ଗ୍ରୁପ ଓଡିଶାରେ ହାଇପରମାର୍କେଟ ସ୍ଥାପନ ସହିତ ଉତ୍ପାଦକ ମଧ୍ୟ କ୍ରୟ କରିବ। ଏଥି ପାଇଁ କଂପାନୀର ବରିଷ୍ଠ ଅଧିକାରୀମାନେ ଖୁବ ଶିଘ୍ର ଓଡିଶା ଆସିବେ ବୋଲି ଏହି ବୈଠକରେ କୁହାଯାଇଛି।

ଲୁଲୁ ଗ୍ରୁପ ବର୍ତ୍ତମାନ ବିଭିନ୍ନ ଦେଶରେ ତାହାର ମଲ ଖୋଲି ବେଶ୍ ଲୋକପ୍ରିୟ ଅର୍ଜନ କରିପାରିଛି। ବର୍ତ୍ତମାନ କଂପାନୀରେ ପ୍ରାୟ 57 ହଜାର ଲୋକ କାମ କରୁଛନ୍ତି। ଏହି କଂପାନୀର ପ୍ରତିଷ୍ଠାତା ହେଉଛନ୍ତି ଭାରତରେ ଜନ୍ମିତ ୟୁଶୁଫ ଅଲ୍ଲି। ସେ ଆରବ ଦେଶକୁ ଯାଇ ଏହି ବ୍ୟବସାୟକୁ ପ୍ରତିଷ୍ଠା କରିପାରିଛନ୍ତି। ଏହି କଂପାନୀର ଭାରତରେ ଗ୍ରେଟର ନୋଇଡା, ଜମ୍ମୁ, ଅହମ୍ମଦାବାଦରେ ମଲ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୁବାଇର ଓବରାଇ ହୋଟେଲରେ ଆରମ୍ଭ ହେଲା ବହୁ ପ୍ରତିକ୍ଷୀତ ଇନଭେଷ୍ଟର ମିଟ୍

ଦୁବାଇରୁ ସୁଧାଶ୍ରୀ ଦାସଙ୍କ ରିପୋର୍ଟ

ବହୁ ପ୍ରତିକ୍ଷୀତ ଦୁବାଇ ଇନଭେଷ୍ଟର ମିଟ ଦୁବାଇର ଓବରାଇ ହୋଟେଲର ବିଜିନିନେସ ବେଏ ରେ ଆରମ୍ଭ ହୋଇଛି। ଏଥିରେ ଦୁବାଇ ସମେତ ବିଭିନ୍ନ ଦେଶର ବହୁ ଶିଳ୍ପପତି ଯୋଗ ଦେଇଛନ୍ତି। ଆଜି ସକାଳ 11ଟାରୁ ଏହି ବିଜିନେସ ମିଟରେ ଯୋଗଦେବା ପାଇଁ ପଂଜୀକରଣ ଆରମ୍ଭ ହୋଇଥିଲା। ଏଥିରେ ଦୁବାଇର ବହୁ ନାମିଦାମି ଉଦ୍ୟୋଗପତି ଯୋଗ ଦେଇଛନ୍ତି।

ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ଦିନ 11ଟାରେ ପଂଜୀକରଣ କରାଯାଇଥିଲା। ଏହାପରେ 12ଟାରୁ 2 ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରହିଛି। ଏହାପରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ସେହି ହୋଟେଲରେ କେତେକ ବଡ ବଡ ଶିଳ୍ପପତିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ଏହାପରେ ମୁଖ୍ୟମନ୍ତ୍ରୀ ପ୍ରାୟ ପାଞ୍ଚଶହ ପ୍ରବାସୀ ଓଡିଆଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଦୁବାଇ ସହିତ ଓମାନ ଏବଂ ବେହେରିନ ପ୍ରଭୃତି ଦେଶରେ ଥିବା ଓଡିଆମାନେ ଯୋଗଦେବେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଦୁବାଇରେ ଲାଗିଲା ଓଡିଶା ଇନଭେଷ୍ଟରସ୍ ମିଟ ହୋର୍ଡିଂ, ଆସନ୍ତାକାଲି ଶିଳ୍ପପତିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ଦୁବାଇରେ ହେବ ବହୁ ପ୍ରତିକ୍ଷିତ ଇନଭେଷ୍ଟର ମିଟ୍। ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସହିତ ଆଲୋଚନା କରିବେ। ସେଥିପାଇଁ ଦୁବାଇରେ ଲାଗିଲାଣି ସ୍ବାଗତଂ ଗେଟ। ଏ ନେଇ ନିଜେ ମୁଖ୍ୟମନ୍ତ୍ରୀ ଗତକାଲିଠାରୁ ଦୁବାଇରେ ପହଞ୍ଚିସାରିଛନ୍ତି। ଏଥିସହିତ ଓଡିଶାରୁ ଯାଇଥିବା ଶିଳ୍ପ ସଚିବ ମଧ୍ୟ ଦୁବାଇରେ ଅଛନ୍ତି।

ଏହି ନିବେଶକ ସମ୍ମିଳନୀ ଓଡ଼ିଶା ସରକାର ଓ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଦ୍ୱାରା ମିଳିତ ଭାବେ ଆୟୋଜିତ ହେବ। ଓଡିଶାରେ ଭରପୁର ଖଣିଜ ପଦାର୍ଥ ରହିଛି ଏହାର ସୁଯୋଗ ନେବା ଲାଗି ସେଠାରେ ନବୀନ ଶିଳ୍ପପତିଙ୍କୁ ଆହ୍ୱାନ ଦେଇଛନ୍ତି। ନିବେଶକ ସମ୍ମିଳନୀ ପରେ ଆସନ୍ତାକାଲି ସନ୍ଧ୍ୟାରେ ପ୍ରବାସୀ ଓଡ଼ିଆଙ୍କୁ ନବୀନ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ସେ ୩୦ ତାରିଖ ୩ଟା ୨୫ ମିନିଟରେ ଦୁବାଇ ଛାଡ଼ିବେ। ସେ ରାତି ୮ଟା ୨୦ରେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ରାତି ୯ ଟା ୩୦ମିନିଟରେ ଭୁବନେଶ୍ୱର ଅଭିମୁଖେ ବାହାରିବେ। ଭୁବନେଶ୍ବରରେ ସେ ସାଢ଼େ ୧୧ଟାରେ ପହଂଚିବେ ବୋଲି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।

ଏହା ପୂର୍ବରୁ ନବୀନ ରୋମ ଗସ୍ତ କରିଥିଲେ। ରୋମ ରହଣି ସମୟରେ ସେ WFP ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଡେଭିଡ ବିସ୍ଲି ବରିଷ୍ଠ ନେତୃତ୍ୱଙ୍କୁ ସାକ୍ଷାତ କରିଥିଲେ। ସେଠାରେ ସେ ଓଡିଶାର ସହଭାଗୀତା ଏବଂ ଭବିଷ୍ୟତର ପ୍ରକଳ୍ପଗୁଡିକ ଉପରେ ସେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ଭାଟିକାନରେ ପୋପ୍ ଫ୍ରାନ୍ସିସଙ୍କୁ ମଧ୍ୟ ଭେଟିଥିଲେ। ଶେଷରେ ୟୁରୋପରେ ଥିବା ପ୍ରବାସୀ ଓଡିଆଙ୍କ ସହିତ ମଧ୍ୟ ସେ କିଛି ସମୟ ଆଲୋଚନା କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରୋମ ଛାଡିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭାରତୀୟ ରାଷ୍ଟ୍ରଦୂତ ଦେଲେ ବିଦାୟ ସମ୍ବର୍ଦ୍ଧନା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟର ରୋମ ଛାଡିଛନ୍ତି। ଆଜି ଅପରାହ୍ନ ୩ଟା ୨୫ରେ ସେ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି। ତାଙ୍କ ସାଥୀରେ ଥିବା ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିୟାନ ଏବଂ ଭି ଭି ଯାଦବ ମଧ୍ୟ ତାଙ୍କ ସହିତ ଦୁବାଇ ଆସୁଛନ୍ତି। ସେମାନେ ରୋମ ଛାଡିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ ଇଟାଲୀରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନୀନା ମାଲହୋତ୍ରା।

ନବୀନ ଦୁବାଇରେ ୨୯ ତାରିଖରେ ଭାରତ ସରକାର ଓ ଫିକ୍କି ଦ୍ୱାରା ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ସେ ଯୋଗ ଦେବେ। ସେଠାରେ ନବୀନ ପଟ୍ଟନାୟକ ମଧ୍ୟ ପୂର୍ବ ଏବଂ ଦୁବାଇର ବିଭିନ୍ନ ଅଞ୍ଚଳର କେତେକ ନିବେଶକଙ୍କୁ ଭେଟିବେ। ସେଠାରେ ନିବେଶକମାନଙ୍କୁ ଓଡିଶାରେ ପୁଞ୍ଜି ବିନିଯୋଗ କରିବାକୁ ଆମନ୍ତ୍ରଣ କରିବେ। କେତେକ ଶିଳ୍ପପତିଙ୍କ ସହିତ ୱାନ ଟୁ ୱାନ ଭେଟିବା କାର୍ଯ୍ୟକ୍ରମ ରହିଛି।

ସେ ୩୦ ତାରିଖ ୩ଟା ୨୫ ମିନିଟରେ ଦୁବାଇ ଛାଡ଼ି ରାତି ୮ଟା ୨୦ରେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ରାତି ୯ ଟା ୩୦ମିନିଟରେ ଭୁବନେଶ୍ୱର ଅଭିମୁଖେ ବାହାରିବେ। ଭୁବନେଶ୍ବରରେ ସେ ସାଢ଼େ ୧୧ଟାରେ ପହଂଚିବେ ବୋଲି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।

ରୋମ ରହଣି ସମୟରେ ନବୀନ WFP ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଡେଭିଡ ବିସ୍ଲି ବରିଷ୍ଠ ନେତୃତ୍ୱଙ୍କୁ ସାକ୍ଷାତ କରିଥିଲେ। ସେଠାରେ ସେ ଓଡିଶାର ସହଭାଗୀତା ଏବଂ ଭବିଷ୍ୟତର ପ୍ରକଳ୍ପଗୁଡିକ ଉପରେ ସେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହିତ  ମୁଖ୍ୟମନ୍ତ୍ରୀ ଭାଟିକାନରେ ପୋପ୍ ଫ୍ରାନ୍ସିସଙ୍କୁ ମଧ୍ୟ ଭେଟିଥିଲେ। ଶେଷରେ ୟୁରୋପରେ ଥିବା ପ୍ରବାସୀ ଓଡିଆଙ୍କ ସହିତ ମଧ୍ୟ ସେ କିଛି ସମୟ ଆଲୋଚନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ କଣ କହିଲେ

ଭୁବନେଶ୍ବର: ଆଜି ବିଦେଶରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ରୌପଦୀ ମୁର୍ମୁଙ୍କ ସହିତ କଥା ହୋଇଛନ୍ତି। ଏଥିରେ ନବୀନ ଦ୍ରୌପଦୀଙ୍କୁ ଜିତିବେ ବୋଲି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଆପଣଙ୍କ ପ୍ରାର୍ଥୀତ୍ବ ଓଡିଶା ପାଇଁ ଏକ ଗର୍ବର ବିଷୟ। ଓଡିଶାର ସବୁ ଭୋଟ ଯେପରି ଆପଣଙ୍କ ସପକ୍ଷରେ ଯିବ ସେ ନେଇ ଆମେ ଏକାଠି ଚେଷ୍ଠା କରିବା ବୋଲି ନବୀନ କହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

ସୁଦୂର ରୋମରୁ ରହି ସରକାରୀ କାମ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ରୋମ ଗସ୍ତରେ ଥିଲେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଜରୁରୀ ସରକାରୀ କାମ ଜାରି ରଖିଛନ୍ତି । ଓଡ଼ିଶା ସରକାରଙ୍କ ଡିଜିଟାଲ ଓ୍ବାର୍କ ପ୍ଲାଟଫର୍ମ ଓସ୍ବାସ୍ ଦ୍ବାରା ଏହା ସମ୍ଭବ ହୋଇପାରିଛି ବୋଲି ଖୋଦ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଏ ସମ୍ପର୍କରେ ଏକ ଟୁଇଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଏଠାରେ (ରୋମରେ) ଥିବା କେତେକ କାର‌୍ୟ୍ୟକ୍ରମକୁ ଯିବା ପୂର୍ବରୁ, କିଛି ଜରୁରୀ ସରକାରୀ କାମ ଶେଷକରୁଛି । ଏଥିପାଇଁ ଆମର ଡିଜିଟାଲ ଓ୍ବାର୍କ ପ୍ଲାଟଫର୍ମ ଓସ୍ବାସକୁ ଧନ୍ୟବାଦ ହେବି । ପ୍ରକୃତରେ ଟେକନଲୋଜୀ ହେଉଛି ଆମ ଭବିଷ୍ୟତ ।

ସୂଚନାଯୋଗ୍ୟ ଯେ ଓସ୍ବାସ ବା ଓଡ଼ିଶା ସେକ୍ରେଟାରିଏଟ ଓ୍ବାର୍କଫ୍ଲୋ ଅଟୋମେସନ ସିଷ୍ଟମ ବା ଓଡ଼ିଶା ସଚିବାଳୟ କାର‌୍ୟ୍ୟପ୍ରବାହ ସ୍ୱୟଂଚଳନ ବ୍ୟବସ୍ଥା ହେଉଛି ଓଡ଼ିଶା ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ନିଜସ୍ବ ଇ-ପ୍ରଶାସନ ବ୍ୟବସ୍ଥା । ଓସ୍ବାସର ଉଦ୍ଦେଶ୍ୟ ହେଉଛି ସରକାରୀ କାର‌୍ୟ୍ୟପଦ୍ଧତିକୁ ଦକ୍ଷ ଓ ପ୍ରଭାବୀ କରାଇବା, କର୍ମଚାରୀମାନଙ୍କ ଉତ୍ପାଦିକା ଶକ୍ତିରେ ଅଭିବୃଦ୍ଧି ଘଟାଇବା, ତଥ୍ୟର ଦକ୍ଷ ପରିଚାଳନା, ଉତ୍ତମ ଯୋଗାଯୋଗ ତଥା ସମନ୍ୱୟ ସ୍ଥାପନ ଏବଂ ଜ୍ଞାନ ପରିଚାଳିତ ଶାସନ ବ୍ୟବସ୍ଥା ଦିଗରେ ଅଗ୍ରଗତି । ଓଡ଼ିଶା ସରକାରଙ୍କ ଏହି ବ୍ୟବସ୍ଥାକୁ କେନ୍ଦ୍ର ସରକାର ଓ ଅନ୍ୟ ରାଜ୍ୟମାନେ ପ୍ରଶଂସା କରିଛନ୍ତି ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ରୋମରେ ସାରା ବିଶ୍ବକୁ ନବୀନ ବାଣ୍ଟିଲେ ଓଡ଼ିଶାର ସଫଳତା, ଜାତିସଂଘ କଲା ଉଚ୍ଚ ପ୍ରଶଂସା

ରୋମ / ଭୁବନେଶ୍ୱର: ଆଜି ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (WFP) ମୁଖ୍ୟାଳୟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଖାଦ୍ୟ ସଂଙ୍କଟରୁ କିପରି ମୁକୁଳି ବଳକା ରାଜ୍ୟରେ ପରିଣତ ହୋଇଛି ସେ ନେଇ ବକ୍ତବ୍ୟ ରଖିଛନ୍ତି। WFP ର ନିମନ୍ତ୍ରଣ କ୍ରମେ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ରୋମରେ ଅଛନ୍ତି ଏବଂ ଏହାର ମୁଖ୍ୟାଳୟ ପରିଦର୍ଶନ କରିବା ସହ ରାଜ୍ୟର ପରିବର୍ତ୍ତନମୂଳକ ପଦକ୍ଷେପ ସାରା ବିଶ୍ବକୁ ଅବଗତ କରାଇଛନ୍ତି।

ସେ WFP କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ ବିସ୍ଲି ଏବଂ WFP ର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ନବୀନ ବିସ୍ତୁତ ତଥ୍ୟ ପ୍ରଦାନ କରିଥିଲେ। ବର୍ତ୍ତମାନ WFP ଏବଂ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ରାଜ୍ୟରୁ କ୍ଷୁଧା ଦୂର କରିବା ପାଇଁ ଯେଉଁ କାର୍ଯ୍ୟକ୍ରମ ଚାଲିଛି ତା ଉପରେ ସେ ନିଜର ମତ ରଖିଥିଲେ।

“ଗତ ଦୁଇ ଦଶନ୍ଧି ମଧ୍ୟରେ ଖାଦ୍ୟ ଉତ୍ପାଦନ, ଖାଦ୍ୟ ନିରାପତ୍ତା, ଜୀବିକା ନିର୍ବାହ, ବିପର୍ଯ୍ୟୟ ପରିଚାଳନା ଇତ୍ୟାଦି କ୍ଷେତ୍ରରେ ଓଡିଶା ଏକ ପରିବର୍ତ୍ତନଶୀଳ ଯାତ୍ରା ଦେଇ ଗତି କରିଛି। ଖାଦ୍ୟ ପର୍ଯ୍ୟାପ୍ତତା ହାସଲ କରିବା, ପରିବର୍ତ୍ତିତ ଜଳବାୟୁରେ ଜୀବିକା ଏବଂ ପୁଷ୍ଟିକର ଖାଦ୍ୟ ସୃଷ୍ଟି ପାଇଁ ପରିକଳ୍ପିତ ବୃହତ ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିବା କଥା କହିଥିଲେ।  ରାଜ୍ୟ ସହଭାଗୀତା ଉପରେ ଧ୍ୟାନ ଦେଇ ନିରନ୍ତର ବିକାଶ ଲକ୍ଷ୍ୟ ଦିଗରେ କ୍ରମାଗତ ଭାବରେ ଗତି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, WFP ଏବଂ ଏହାର ସହଯୋଗୀ ସଂସ୍ଥା ମାଧ୍ୟମରେ ବିଶ୍ବରେ ଆମର ଅଭିଜ୍ଞତା ବାଣ୍ଟିବା ଆମ ପାଇଁ ଖୁସିର ବିଷୟ। ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ଏବଂ ଭାରତରେ WFP ସହଭାଗିତାରେ ରାଜ୍ୟ କରୁଥିବା ଅଭିନବ କାର୍ଯ୍ୟ ଉପରେ ଆମର ଭାବନା ବାଣ୍ଟିବା ଅତ୍ୟନ୍ତ ଆନନ୍ଦଦାୟକ ବିଷୟ ବୋଲି ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିଛନ୍ତି।

ଓଡ଼ିଶାରେ ଜୀବିକା ନିର୍ବାହ ଏବଂ ଖାଦ୍ୟ ନିରାପତ୍ତାକୁ ଦୃଢ କରିବା ପାଇଁ ଆମର ମିଳିତ ଲକ୍ଷ୍ୟ, ବିଶେଷକରି ମହିଳାମାନଙ୍କ ପାଇଁ ଅନ୍ତର୍ଭୂକ୍ତ ବିକାଶ ତଥା ନୂତନ ଅର୍ଥନୈତିକ ସୁଯୋଗକୁ ସମର୍ଥନ କରିବା ପାଇଁ ବହୁ ଉଚ୍ଚକୋଟୀର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଜିରୋ କ୍ଷୁଧା ଏବଂ ଅନ୍ୟାନ୍ୟ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାରେ ଆମର ସହଯୋଗ କିପରି ଓଡିଶାର ଅଗ୍ରଗତି କରିବାରେ ସାହାଯ୍ୟ କରୁଛି ତାହା ଦେଖିବା ଉତ୍ସାହଜନକ ବୋଲି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିସ୍ଲି କହିଛନ୍ତି।

ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଏବଂ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଓଡିଶା ରାଜ୍ୟ ସରକାରଙ୍କ ପରିବର୍ତ୍ତନଶୀଳ କାର୍ଯ୍ୟକୁ ଆମେ ସ୍ୱୀକୃତି ଦେଉଛୁ ଏବଂ ପ୍ରଶଂସା କରୁଛୁ। ଓଡିଶାର ସଫଳତାର କାହାଣୀ ଅନ୍ୟାନ୍ୟ ସମାନ ଦେଶ ପାଇଁ ଶିକ୍ଷଣୀୟ ଜ୍ଞାନ ପ୍ରଦାନ କରିପାରିବ ବୋଲି ସେ କହିଛନ୍ତି।

ଆଜି ଆମେ ଆଲୋଚନା କରିଛୁ ଯେ ଏହି ଶିକ୍ଷା ଆଗକୁ ନେବ ଏବଂ ଏକ ବିଶ୍ୱସ୍ତରୀୟ ତାଲିମ ପ୍ଲାଟଫର୍ମ ଯୋଗାଇବା ପାଇଁ ଓଡ଼ିଶା ସରକାର ଏବଂ WFP ସହଯୋଗ କରିବେ। ବିଭିନ୍ନ କ୍ଷେତ୍ରରେ WFP ସହ ସହଭାଗିତା ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ଯାହା କେବଳ ରାଜ୍ୟରେ ପ୍ରଭାବଶାଳୀ ନୁହେଁ ବରଂ ଜାତୀୟ ସ୍ତରରେ ମଧ୍ୟ ବୃଦ୍ଧି ପାଇଛି।

ରୋମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ସହକାରୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମନୋଜ ଜୁନାଜା, WFPର ଭାରତ ମୁଖ୍ୟ ବିଶୋ ପାରାଜୁଲି ଏବଂ WFPର ଓଡିଶା ମୁଖ୍ୟ ହିମାଂଶୁ ବଳ ମଧ୍ୟ ଉପସ୍ଥିତ ଥିଲେ।  ଆଲୋଚନା ସମୟରେ 5 ଟି ସଚିବ ଭି କେ ପାଣ୍ଡିଆନ୍, ମୁଖ୍ୟ ଶାସନ ସଚିବ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗର ପ୍ରମୁଖ ସଚିବ ଭି ଭି ଯାଦବ, ରେସିଡେଣ୍ଟ କମିଶନର ରବିକାନ୍ତ ଉପସ୍ଥିତ ଥିଲେ।

WFP ଏବଂ ଓଡିଶା ସରକାର 2021 ମସିହାରେ ଚାରୋଟି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ସେଥିରେ ଛଅଟି ନୂତନ ପ୍ରକଳ୍ପ ଆରମ୍ଭ କରାଯାଇଛି। ସେଥିମଧ୍ୟରେ ରହିଛି ପବ୍ଲିକ୍ ବିତରଣ ସିଷ୍ଟମ୍ ଏବଂ ଧାନ କ୍ରୟ, ଶସ୍ୟ ଏଟିଏମ୍ ଏବଂ ସ୍ମାର୍ଟ ମୋବାଇଲ୍ ଷ୍ଟୋରେଜ୍ ୟୁନିଟ୍ ଏବଂ ପୁଷ୍ଟିକର ସୁରକ୍ଷା ଯୋଜନା, ଓଡ଼ିଶା ମିଲେଟ ମିଶନ ସହିତ ପ୍ରୋଗ୍ରାମ ମନିଟରିଂ ସହଭାଗୀତା, ମତ୍ସ୍ୟଚାଷ ସହିତ  ଏବଂ ପଶୁ ସମ୍ପଦ ବିକାଶ ଏବଂ ମିଶନ ଶକ୍ତି କାର୍ଯ୍ୟକ୍ରମ ରହିଛି। ସେହିପରି ମିଶନ ଶକ୍ତି ମାଧ୍ୟମରେ ସାତ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କାର୍ଯ୍ୟକ୍ରମ ରହିଛି।

Categories
ବିଶେଷ ଖବର

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପ୍ରାୟ ନିଶ୍ଚିତ, ବିରୋଧୀଙ୍କ ଖେଳ ବିଗାଡ଼ିଲେ ଜଗନ୍ ଏବଂ ନବୀନ

ଭୁବନେଶ୍ବର: ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ଦ୍ୱାରା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷିତ କରାଯାଇଛି। ଏହା ପରେ ମୁର୍ମୁ ମଧ୍ୟ ତାଙ୍କ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି। ଯଦିଓ ଯଶୱନ୍ତ ସିହ୍ନାଙ୍କୁ ବିରୋଧୀ ଏହି ନିର୍ବାଚନ ପାଇଁ ପ୍ରାର୍ଥୀ କରିଛନ୍ତି, କିନ୍ତୁ ଏହି ଆକଳନକୁ ଦେଖିଲେ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ହେବା ପ୍ରାୟ ନିଶ୍ଚିତ। ଏହି କାରଣରୁ ମୁର୍ମୁଙ୍କ ବିଜୟକୁ ନେଇ ବିଜେପି ଏବଂ ସମଗ୍ର ଏନଡିଏ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ ମନେ ହେଉଛି। ପରିସଂଖ୍ୟାନ ସାହାଯ୍ୟରେ ଆସନ୍ତୁ ସଂପୂର୍ଣ୍ଣ ଗଣିତ ବୁଝିବା….

ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ମୂଲ୍ୟର ଆକଳନ ଅନୁଯାୟୀ, ଏନଡିଏର ଏକ ବଡ଼ ହାତ ରହିଛି। ରାଷ୍ଟ୍ରପତି ନିର୍ବାଚନରେ ​​ଲୋକସଭାର ୫୪୦ ସାଂସଦ ଏବଂ ରାଜ୍ୟସଭାର ୨୨୯ ସାଂସଦଙ୍କ ବ୍ୟତୀତ ମୋଟ ୪ ହଜାର ୩୩ ବିଧାୟକ ଭୋଟ ଦିଅନ୍ତି। ନିର୍ବାଚନ ସମୟରେ ଏହି ସମସ୍ତ ଜନ ପ୍ରତିନିଧୀଙ୍କ ଭୋଟର ମୂଲ୍ୟ ଗଣନା କରାଯାଏ। ସମୁଦାୟ ଭୋଟ୍ ମୂଲ୍ୟ ୧୦ ଲକ୍ଷ ୭୮ ହଜାର ୯୧୫ ଥିବାବେଳେ କୌଣସି ପ୍ରାର୍ଥୀ ସଂଖ୍ୟାଗରିଷ୍ଠତା ପାଇଁ ୫ ଲକ୍ଷ ୩୯ ହଜାର ୪୫୮ ଆବଶ୍ୟକ କରନ୍ତି।

ରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ୍ ମୂଲ୍ୟ:

ଲୋକସଭା ସାଂସଦ- ୩,୭୮,୦୦୦
ରାଜ୍ୟସଭା ସାଂସଦ- ୧,୬୦,୩୦୦
ବିଧାୟକ- ୫,୪୦,୬୧୫
ମୋଟ ଭୋଟ୍- ୧୦,୭୮,୯୧୫
ସଂଖ୍ୟାଗରିଷ୍ଠତା- ୫,୩୯,୪୫୮

କାହା ପାଖରେ କେତେ ଭୋଟ୍?:

ବର୍ତ୍ତମାନ ମିଳିତ ମେଣ୍ଟ ଅନୁଯାୟୀ, ଯଦି ଆମେ ସେମାନଙ୍କ ସାଂସଦ ଏବଂ ବିଧାୟକଙ୍କ ଭୋଟ୍ ମୂଲ୍ୟକୁ ଏକାଠି ଦେଖିବା, ତେବେ ଏନଡିଏରେ ସର୍ବାଧିକ ୫ ଲକ୍ଷ ୨୬ ହଜାର ୯୬୬ ଭୋଟ୍ ହେବ। ଅନ୍ୟ ପଟେ, ୟୁପିଏ ମ୍ୟାଜିକ୍ ଫିଗର୍ ଠାରୁ ବହୁତ କମ୍ ଭୋଟ୍ ଥିବା ପରି ମନେହୁଏ। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ମଧ୍ୟ ଏନଡିଏ ପ୍ରାର୍ଥୀ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି। ଏଥିରୁ ସ୍ପଷ୍ଟ ଯେ, ବିରୋଧୀ ସଂଖ୍ୟାଗରିଷ୍ଠତା ହୋଇପାରିବ ନାହିଁ।

ବର୍ତ୍ତମାନ ଯଦି ଆମେ ମୋଟ ଭୋଟ୍ ବିଷୟରେ କଥା ହେବା, ତେବେ ଏନଡିଏ ୫ ଲକ୍ଷ ୨୬ ହଜାର ୯୬୬ ଭୋଟ୍ ଦେଖାଉଥିବାବେଳେ ୟୁପିଏ ର ମାତ୍ର ୨ ଲକ୍ଷ ୬୪ ହଜାର ୧୫୮ ଭୋଟ୍ ଅଛି। ଯଦି ଆମେ ଅନ୍ୟମାନଙ୍କ ବିଷୟରେ ଆଲୋଚନା କରିବା, ତେବେ ସେମାନଙ୍କ ପାଖରେ ୨ ଲକ୍ଷ ୮୭ ହଜାର ୭୯୧ଭୋଟ୍ ଅଛି। ବର୍ତ୍ତମାନ ସମୟରେ କୌଣସି ମିଳିତ ମେଣ୍ଟର ସଂଖ୍ୟାଗରିଷ୍ଠତା ନାହିଁ, କିନ୍ତୁ ଏନଡିଏ ଏହାର ନିକଟତମ। ଏନଡିଏର ମୋଟ ଭୋଟ୍ ମୂଲ୍ୟ ହେଉଛି ୫ ଲକ୍ଷ ୨୬ ହଜାର ୯୬୬, ଅର୍ଥାତ୍ ଏନଡିଏକୁ କେବଳ ୧୨ ହଜାର ୪୯୨ ଭୋଟ୍ ଯୋଗାଡ କରିବାକୁ ପଡିବ।

ବିଜେଡି ଏବଂ ୱାଏସଆର କଂଗ୍ରେସର ସମର୍ଥନରେ ମୁର୍ମୁ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛନ୍ତି। କାରଣ ନବୀନ ପଟ୍ଟନାୟକଙ୍କ ବିଜେଡି ମୁର୍ମୁକୁ ସମର୍ଥନ ଘୋଷଣା କରିଛି। ଯଦି ବିଜେଡିର ୩୧ ହଜାର ୬୬୮ ଭୋଟ୍ ମୂଲ୍ୟ ଏନଡିଏ ସହିତ ମିଶ୍ରିତ ହୁଏ ତେବେ ଦ୍ରୌପଦୀ ମୁର୍ମୁ ବହୁମତ ସଂଖ୍ୟା ଅତିକ୍ରମ କରୁଛନ୍ତି। ଏହା ସହିତ ବର୍ତ୍ତମାନ ଜଗନ୍ ମୋହନ ରେଡ୍ଡୀଙ୍କ ୱାଏସଆର କଂଗ୍ରେସର ୪୫ ହଜାରରୁ ଅଧିକ ଭୋଟ୍ ମଧ୍ୟ ଯୋଡାଯିବ। ଏହାର ଅର୍ଥ ହେଉଛି ଦ୍ରୌପଦୀ ମୁର୍ମୁ ସହଜରେ ରାଷ୍ଟ୍ରପତି ଆସନରେ ପହଞ୍ଚି ପାରିବେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ୟୁରୋପରେ ଥିବା ଓଡିଆମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପାଣ୍ଡିୟାନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲୀର ରୋମରେ ପ୍ରବାସୀ ଓଡିଆଙ୍କୁ ଭେଟିଛନ୍ତି। ୟୁରୋପର 12 ଟି ଦେଶରୁ ଆସିଥିବା ପ୍ରବାସୀ ଓଡିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍ ଏବଂ ରେସିଡେଣ୍ଟ୍ କମିଶନର ଶ୍ରୀ ରବି କାନ୍ତ ମଧ୍ୟ ଆଲୋଚନା କରିଛନ୍ତି।

ଏଥିରେ ୟୁରୋପରେ ରହି ଚାକିରୀ କରୁଥିବା, ଉଦ୍ୟୋଗୀ, ଗବେଷକ, ମିଶନାରୀ, ବିଭିନ୍ନ ବର୍ଗର ଛାତ୍ର ଯେପରିକି ଡାକ୍ତରୀ, ଇଂଜିନିୟରିଂ, ଆଇଟି ସହିତ ବୁଦ୍ଧିଜୀବୀ, ବ୍ୟବସାୟୀ ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ରାଜ୍ୟର ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି, ବିପର୍ଯ୍ୟୟ ପରିଚାଳନା ସହିତ ମହିଳା ସଶକ୍ତିକରଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ସଫଳତାକୁ ବର୍ଣ୍ଣନା କରି ଗର୍ବ ଅନୁଭବ କରିଥିଲେ।

ଓଡ଼ିଶାର ବିକାଶ ପାଇଁ ସେମାନଙ୍କର ଭାଗୀଦାରୀ ଏବଂ ଉତ୍ସର୍ଗୀକୃତ ମନୋଭାବକୁ ପ୍ରତିଶୃତି ଦେଇଥିଲେ। ଏପରି ପ୍ରତିଶୃତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଧନ୍ୟବାଦ ଜଣାଇଲେ। ୟୁରୋପରେ ଓଡିଆମାନେ ଭଲ ପ୍ରଦର୍ଶନ କରୁଥିବା ଦେଖି ସେ ବିଶେଷ ଆନନ୍ଦିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଓଡିଶାରେ ଚାଲିଥିବା ପରିବର୍ତ୍ତନଶୀଳ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ ଏବଂ ରାଜ୍ୟର ବିକାଶ ଦିଗରେ ରାଜ୍ୟ ସରକାରଙ୍କ ସହ ସହଭାଗୀ ହେବାକୁ ଆମନ୍ତ୍ରଣ କରିଥିଲେ।

ବ୍ରିଟେନର ଓଡିଆ ଆସୋସିଏସନର ପ୍ରତିନିଧୀମାନେ ସେଠାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ପଦକ୍ଷେପ ନେଉଥିବା ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିପାଇଁ ସମସ୍ତ ସହଯୋଗ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ବିଦେଶରେ ଓଡିଆମାନେ ସଫଳତାର ସହ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ଏବଂ ସେମାନଙ୍କ ସଫଳତା ପାଇଁ ରାଜ୍ୟ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ବିଶେଷ ଖବର

ରାଷ୍ଟ୍ରପତି ନିର୍ବାଚନ: ନବୀନ ପଟ୍ଟନାୟକଙ୍କ ସମର୍ଥନ ପରେ ମଜବୁତ ସ୍ଥିତିରେ ଦ୍ରୌପଦୀ ମୁର୍ମୁ, ପଢନ୍ତୁ ଭୋଟର ସମ୍ପୂର୍ଣ୍ଣ ଗଣିତ

ନୂଆଦିଲ୍ଲୀ/ଭୁବନେଶ୍ବର: ଓଡିଶାରେ ଶାସକ ବିଜୁ ଜନତା ଦଳର ସମର୍ଥନ ପାଇବା ପରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ନିର୍ବାଚନର ରାସ୍ତା ଆହୁରି ସହଜ ହୋଇଛି। ଏଥି ସହିତ, ଏହି ସମଗ୍ର ବିକାଶ ଦ୍ୱାରା ପ୍ରଭାବିତ ନ ହୋଇ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା କହିଛନ୍ତି ଯେ, ଏହା ଏକ ବିଚାରଧାରାର ଲଢେଇ ହେବ ଏବଂ ଦେଶକୁ ‘ରବର-ଷ୍ଟାମ୍ପ ରାଷ୍ଟ୍ରପତି’ ଦରକାର ନାହିଁ।

ନବୀନ ପଟ୍ଟନାୟକ ଦଳର ସମର୍ଥନରେ ଓଡ଼ିଶାର ସାନ୍ତାଳ ସମ୍ପ୍ରଦାୟର ମୁର୍ମୁ ପ୍ରାୟ ୫୨ ପ୍ରତିଶତ ଭୋଟ୍ ପାଇଛନ୍ତି (ପ୍ରାୟ ୫,୬୭,୦୦୦ ଭୋଟ୍)। ରାଷ୍ଟ୍ରପତି ନିର୍ବାଚନ ପାଇଁ ସମୁଦାୟ ୧୦ ଲକ୍ଷ ୮୬ ହଜାର ୪୩୧ ଭୋଟ ଅଛି। ମୁର୍ମୁଙ୍କ ପାଇଁ ଏହି ସମ୍ଭାବ୍ୟ ଭୋଟ୍ ମଧ୍ୟରୁ ୩ ଲକ୍ଷ ୮ ହଜାର ଭୋଟ୍ ବିଜେପି ଏବଂ ଏହାର ସହଯୋଗୀ ଦଳରୁ ଆସିଛି। ଅନ୍ୟପକ୍ଷରେ ବିଜୁ ଜନତା ଦଳର ପ୍ରାୟ ୩୨ ହଜାର ଭୋଟ୍ ରହିଛି, ଯାହା ମୋଟ ଭୋଟ୍ ମୂଲ୍ୟର ୨.୯ ପ୍ରତିଶତ ଅଟେ।

ବିଜୁ ଜନତା ଦଳର ସଭାପତି ତଥା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁଲାଇ ୧୮ ତାରିଖରେ ହେବାକୁ ଥିବା ନିର୍ବାଚନରେ ​​୬୪ ବର୍ଷିୟା ମୁର୍ମୁଙ୍କୁ ସମର୍ଥନ କରିବାକୁ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ଇଟାଲୀ ଗସ୍ତରେ ଥିବା ପଟ୍ଟନାୟକ ମୁର୍ମୁଙ୍କୁ ସମର୍ଥନ କରିବାକୁ ନିବେଦନ କରିଛନ୍ତି ଏବଂ ତାଙ୍କୁ ଓଡିଶାର ଝିଅ ବୋଲି ବର୍ଣ୍ଣନା କରିଛନ୍ତି।

ଏଥି ସହିତ ବୁଧବାର ସକାଳେ ଭୁବନେଶ୍ୱର ଯିବା ପୂର୍ବରୁ ମୁର୍ମୁ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ପ୍ରାଧାନ୍ୟ ରାୟରଙ୍ଗପୁରରେ ଶିବ ମନ୍ଦିରକୁ ଝାଡୁ କରିଛନ୍ତି। ଅଗଷ୍ଟ ୨୦୨୧ରେ ଝାଡଖଣ୍ଡ ରାଜ୍ୟପାଳ ପଦରୁ ଅବସର ନେବା ପରଠାରୁ ସକାଳେ ମନ୍ଦିରକୁ ସଫା କରିବା ମୁର୍ମୁଙ୍କର ନିତ୍ୟକର୍ମରେ ପରିଣତ ହୋଇଥିଲା। ଅନ୍ୟ ଦିନ ପରି ମୁର୍ମୁ ସ୍ନାନ କରିବା ପରେ ମନ୍ଦିରରେ ପୂଜା କରିଥିଲେ ଏବଂ ନନ୍ଦୀଙ୍କ କାନରେ ତାଙ୍କର ଇଚ୍ଛା କହିଥିଲେ।

ତେବେ କଂଗ୍ରେସ ବିଧାନସଭା ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ ନିର୍ବାଚନ ମହାବିଦ୍ୟାଳୟରେ ବିଜେଡିର ଭୋଟ୍‌କୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ମୁର୍ମୁଙ୍କୁ ପ୍ରାର୍ଥୀ କରିଛି। ସେ କହିଛନ୍ତି ଯେ, ନିର୍ବାଚନରେ ​​ତାଙ୍କୁ ଉପଯୁକ୍ତ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଆମେ ତାଙ୍କୁ ସମର୍ଥନ କରିବା ଉଚିତ୍ ନୁହେଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦ୍ରୌପଦୀଙ୍କୁ ସମର୍ଥନ ଦେବେ ନବୀନ, ଓଡିଶାର ସବୁ ଦଳ ବିଧାୟକଙ୍କୁ କଲେ ଅପିଲ

ଭୁବନେଶ୍ବର: ଯାହା ଚିନ୍ତା କରାଯାଉଥିଲା ତାହା ହିଁ ହେଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବେ। ଏ ନେଇ ଆଜି ନବୀନ ଟୁଇଟ କରି ଘୋଷଣା କରିଛନ୍ତି। କେବଳ ସମର୍ଥନ ନୁହେଁ, ରାଜ୍ୟର ଅନ୍ୟ ଦଳର ବିଧାୟକଙ୍କୁ ମଧ୍ୟ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ,

‘Appeal all the members of Odisha Legislative Assembly, cutting across party lines, to extend unanimous support to elect the daughter of Odisha – Smt Drupadi Murmu to the country’s highest office.
ନବୀନଙ୍କ ଏହି ଘୋଷଣା ପରେ ବର୍ତ୍ତମାନ ଏନଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କ ପଲା ଭାରୀ ହୋଇଯାଇଛି। ସେ ନିଶ୍ଚିତ ଜିତିବେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।
Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING: ପୋପଙ୍କୁ ଭେଟିଲେ ନବୀନ ପଟ୍ଟନାୟକ, ସାଥୀରେ ଥିଲେ ଭି କେ ପାଣ୍ଡିୟାନ

ଭୁବନେଶ୍ବର: ଆଜି ରୋମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖ୍ରୀଷ୍ଟ ଧର୍ମଗୁରୁ ପୋପ ଫ୍ରାନସିସଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିୟାନ ମଧ୍ୟ ପୋପଙ୍କୁ ସାକ୍ଷାତ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଭାଟିକାନ ସିଟି ଯାଇ ସେଠାରେ ବିଶ୍ବର ଏହି ପ୍ରତିଷ୍ଠିତ ଧର୍ମଗୁରୁଙ୍କ ସହିତ କିଛି ସମୟ ଆଲୋଚନା ମଧ୍ୟ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଗତ ସୋମବାର ଦିନ ରୋମରେ ପହଞ୍ଚିବା ପରେ ପ୍ରଥମେ ଭାରତୀୟ ଦୂତାବାସକୁ ଯାଇଥିଲେ। ସେଠାରେ ଭାରତୀୟ ରାଷ୍ଟ୍ରଦୂତ ଡ ମୀନା ମାଲହୋତ୍ରା ସ୍ବାଗତ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଗତକାଲି ରୋମରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ରୋମ ଗସ୍ତ ଆରମ୍ଭ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

୬୬୩ଟି ପଦବୀରେ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ମଂଜୁରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ତିନୋଟି ଇଣ୍ଡିଆ ରିଜର୍ଭ ବାଟାଲିଅନ (IR Battalion) ପାଇଁ ୬୬୩ଟି ପଦବୀକୁ (Security Coys) ମଞ୍ଜୁର କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ରିଜର୍ଭ ବାଟାଲିଅନ ପାଇଁ ୨୨୧ଟି ପଦବୀ ସୃଷ୍ଟି କରାଯାଇଛି।

ଏହି ନୂତନ ପଦବୀ ଗୁଡିକ ହେଲା ଡେପୁଟି କମାଣ୍ଡାଣ୍ଟ-୧, ହାବିଲଦାର ମେଜର-୧୮, ହାବିଲଦାର-୨୩, କନେଷ୍ଟବଳ-୧୫୪, ଇନିସ୍‌ପେକ୍ଟର (WT)-୧, ସବ୍‌ଇନିସ୍‌ପେକ୍ଟର (WT)-୨, ହାବିଲଦାର (WT)-୪, କନେଷ୍ଟବଳ(WT)-13, ହେଡକ୍ଲର୍କ-୧, ମେଡିକାଲ ଅଫିସର-୧, ଫାର୍ମାସିଷ୍ଟ-୨ ଓ ଷ୍ଟାଫ ନର୍ସ-୧ । ଏହିପରି ପ୍ରତ୍ୟେକ ବାଟାଲିଅନରେ ୨୨୧ ଜଣ କର୍ମଚାରୀ ଓ ଅଧିକାରୀ ନିୟୋଜିତ ହେବେ।

ଏହାସହିତ ପ୍ରତ୍ୟେକ ବାଟାଲିଅନରେ ବିଭିନ୍ନ ସହାୟକ କାର୍ଯ୍ୟ ପାଇଁ ୪୪ଟି ପଦବୀ ସୃଷ୍ଟି କରାଯାଇଛି, ଯାହାକି ଆଉଟ ସୋର୍‌ସିଂ ଜରିଆରେ ପୂରଣ କରାଯିବ। ୩ଟି ବାଟାଲିଅନ ପାଇଁ ୧୩୨ଟି ଆଉଟ ସୋର୍‌ସିଂ ପଦବୀ ସୃଷ୍ଟି କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

BREAKING: ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ରୋମ କାର୍ଯ୍ୟକ୍ରମ ଆରମ୍ଭ କଲେ ନବୀନ

ଭୁବନେଶ୍ବର: ରୋମ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସେଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ରୋମର ପିଆଜାଠାରେ ଥିବା ମହାତ୍ମା ଗାନ୍ଧୀ ମେମୋରିଆଲ ଷ୍ଟାଚ୍ୟୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ରୋମ ଗସ୍ତ ଆରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଏବଂ ନୀତି ଦ୍ୱାରା ସେ ଅନୁପ୍ରାଣିତ।

୨୦୧୮ ମସିହାରେ, ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପାଳନ ପାଇଁ ଜାତୀୟ କମିଟିର ପ୍ରଥମ ବୈଠକରେ ଶ୍ରୀ ପଟ୍ଟନାୟକ ଏକ ପ୍ରସ୍ତାବ ଦେଇଥିଲ। ତାହାଥିଲା ଭାରତ ଗାନ୍ଧୀଜୀଙ୍କୁ ୧୫୦ ତମ ବାର୍ଷିକୀ ଅବସରରେ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ଅନ୍ତର୍ଭୁକ୍ତ କରିବା ଉଚିତ୍। ହିଂସା, ଭାରତୀୟ ସମ୍ବିଧାନର ପ୍ରାରମ୍ଭରେ ଶ୍ରୀ ପଟ୍ଟନାୟକ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଉଦ୍ଧେଶ୍ୟରେ କହିଛନ୍ତି ଯେ ଶାନ୍ତି ବିନା କୈଣସି ଅଗ୍ରଗତି ହୋଇପାରିବ ନାହିଁ।

୨୦୧୯ ରେ ଶ୍ରୀ ପଟ୍ଟନାୟକ ଲୋକସେବା ଭବନରେ ଗାନ୍ଧିଜୀ ତୈଳ୍ୟଚିତ୍ରକୁ ଉନ୍ମୋଚନ କରିଥିଲେ। ସେହି ସମୟରେ ସେ କହିଥିଲେ ଯେ ଗରିବ ଲୋକଙ୍କ ଗରିବଙ୍କ ପାଇଁ ନିଃସ୍ୱାର୍ଥପର ଭାବରେ କାର‌୍ୟ୍ୟ କରିବାକୁ  ଏହି ଚିତ୍ର ସମସ୍ତଙ୍କୁ ପ୍ରେରଣା ଯୋଗାଇବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦୁଇ ବର୍ଷ ପରେ ତିନି ଠାକୁରଙ୍କୁ ରଥରେ ଦେଖିବେ ଭକ୍ତ, ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରଥାଯାତ୍ରା ଯେପରି ଶାନ୍ତିଶୃଙ୍ଖଳା ସହିତ ସୁରୁଖୁରୁରେ ଅନୁଷ୍ଠିତ ହେବ, ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।

ଦୁଇ ବର୍ଷ ପରେ ଭକ୍ତମାନଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଏଥିରେ ଖୁସି ପ୍ରକାଶ କରି କହିଛନ୍ତି ଯେ ଏବର୍ଷ ବହୁତ ଅଧିକ ଭକ୍ତ ଆସିବେ। ତେଣୁ ସବୁପ୍ରକାର ଆଗୁଆ ବନ୍ଦୋବସ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସମସ୍ତେ ଯେପରି ଭଲ ଅନୁଭବ ନେଇ ଫେରିବେ, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ସେ କହିଛନ୍ତି ।

କୋଭିଡ ସମୟରେ ରଥଯାତ୍ରା ପରିଚଳନାରେ ସେବାୟତ ବନ୍ଧୁମାନେ ଯେପରି ସହଯୋଗ କରିଥିଲେ, ନିଜେ ରଥକୁ ଟାଣି ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ, ସେଥିପାଇଁ ସେ ସେବାୟତ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ବୈଠକରେ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ରଥଯାତ୍ରା ପ୍ରସ୍ତୁତି ସଂପର୍କରେ ବିଭିନ୍ନ ନିଷ୍ପତ୍ତି ଏବଂ ଏହାର ଅନୁପାଳନ ସଂପର୍କରେ ସୂଚନା ଦେଇଥିଲେ।

ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା ରଥାଯାତ୍ରା ପାଇଁ ନିଆଯାଇଥିବା ସମସ୍ତ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନିଲ ବଂଶଲ ଆଇନ ଶୃଙ୍ଖଳା ବ୍ୟବସ୍ଥା, ପରିଚାଳନା ଓ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ ।

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଶ୍ରୀ ବୀର ବିକ୍ରମ ଯାଦବ ସ୍ବାଗତ ଭାଷଣ ଦେଇଥିଲେ ଏବଂ କେନ୍ଦ୍ରାଞ୍ଚଳ ଆର.ଡି.ସି ଧନ୍ୟବାଦ ଅର୍ପଣ କରିଥିଲେ।

ବୈଠକରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ପୁରୀ ସାଂସଦ ଓ ବିଧାୟକ ପ୍ରମୁଖଙ୍କ ସହିତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ ପୁରୀ ଜିଲ୍ଲାପାଳ, ସେବାୟତ ଓ ଛତିଶା ନିଯୋଗର ସଦସ୍ୟମାନେ ଯୋଗ ଦେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ କାର୍ଯ୍ୟକ୍ରମ, ଆଜି ଯିବେ ଦିଲ୍ଲୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆରମ୍ଭ ହେଲା ଦ୍ବିତୀୟ ବିଦେଶ ଗସ୍ତ କାର୍ଯ୍ୟକ୍ରମ। ସେଥିପାଇଁ ଆଜି ଦିଲ୍ଲୀ ଗସ୍ତ କରିବେ ନବୀନ। ସେ ଆଜି ଅପରାହ୍ନ ସାଢ଼େ ୧ଟାରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିବେ। ସେଠାରେ ସେ ଦୁଇଦିନ ଅବସ୍ଥାନ କରିବା ପରେ ୨୦ ତାରିଖରେ ରୋମ୍ ଅଭିମୁଖେ ଯାତ୍ରା କରିବେ।

ମୁଖ୍ୟମନ୍ତ୍ରୀ ୧୩ ଦିନିଆ ବିଦେଶ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତକାଳରେ ସେ ରୋମସ୍ଥିତ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମ ବା ୱାଲର୍ଡ ଫୁଡ୍ ପ୍ରୋଗ୍ରାମରେ ଓଡ଼ିଶାର ସଫଳତା କାହାଣୀ ଉପରେ ଆଲୋଚନା କରିବେ। ଏହା ସହିତ ଇଟାଲୀର ବିଭିନ୍ନ ସ୍ଥାନ ମଧ୍ୟ ସେ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରୋମ ଗସ୍ତ ସାରି ୨୬ ତାରିଖ ଅପରାହ୍ନ ୩ଟା ୨୫ରେ ଦୁବାଇ ଅଭିମୁଖେ ଗସ୍ତ କରିବେ। ଦୁବାଇରେ ୨୯ ତାରିଖରେ ଭାରତ ସରକାର ଓ ଫିକ୍କି ଦ୍ୱାରା ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ସେ ଯୋଗ ଦେବେ।

୩୦ ତାରିଖ ୩ଟା ୨୫ ମିନିଟରେ ଦୁବାଇ ଛାଡ଼ି ରାତି ୮ଟା ୨୦ରେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ରାତି ୯ଟା ୩୦ମିନିଟରେ ଭୁବନେଶ୍ୱର ଅଭିମୁଖେ ଆସିବେ। ଭୁବନେଶ୍ବରରେ ସେ ସାଢ଼େ ୧୧ଟାରେ ପହଂଚିବେ ବୋଲି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।

ମୁଖ୍ୟମନ୍ତ୍ରୀ ହେବା ପରଠାରୁ ନବୀନ ଗୋଟିଏ ଥର ବିଦେଶ ଗସ୍ତ କରିଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଥିଲା। ସେ ବିଦେଶ ଗସ୍ତରେ ଥିବା ବେଳେ ତାଙ୍କର ଅତ୍ୟନ୍ତ ବିଶ୍ବସ୍ଥ ପ୍ୟାରୀମୋହନ ମହାପାତ୍ର ମୁଖ୍ୟମନ୍ତ୍ରୀ ହେବା ପାଇଁ ପ୍ରସ୍ତୁତି କରିଥିଲେ। ଏହି ଖବର ଜଣାପଡିବା ପରେ ନବୀନ ତାଙ୍କର ବିଦେଶ ଗସ୍ତର ଅଧାରୁ ଭୁବନେଶ୍ବର ଫେରିବାକୁ ପଡିଥିଲା। ବର୍ତ୍ତମାନ ନବୀନଙ୍କ ଏହା ହେଉଛି ଦ୍ବିତୀୟ ବିଦେଶ ଗସ୍ତ।

Categories
ବିଶେଷ ଖବର

ଭବାନୀପାଟଣାରେ କିସ୍‌ ପକ୍ଷରୁ ପ୍ରତିଷ୍ଠିତ ସ୍କୁଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ କିସ୍‌ ପକ୍ଷରୁ ପ୍ରତିଷ୍ଠିତ ଏକ ସ୍କୁଲ ଉଦ୍‌ଘାଟନ କରିଛନ୍ତି। ଏହି ବିଦ୍ୟାଳୟରେ ୧୨୦୦ ଜନଜାତି ପିଲା ବିନା ମୂଲ୍ୟରେ ପାଠ ପଢିବାର ସୁଯୋଗ ପାଇବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ଜିଲ୍ଲାରେ ସ୍କୁଲ ଖୋଲି ଶିକ୍ଷାର ଉନ୍ନତି ପାଇଁ, ବିଶେଷକରି ଜନଜାତି ପିଲାଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ କିସ୍‌ର ଉଦ୍ୟମକୁ ଉଚ୍ଚପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳାହାଣ୍ଡି ଏବେ ଶିକ୍ଷା କ୍ଷେତ୍ରରେ ଆଗକୁ ବଢୁଛି। ଜିଲ୍ଲାରେ ବିଶ୍ବ ବିଦ୍ୟାଳୟ, ସରକାରୀ ଇଂଜିନିୟରିଂ କଲେଜ ଆଦି ଜିଲ୍ଲା ପାଇଁ ନୂଆ ପରିଚୟ ସୃଷ୍ଟି କରିଛି ବୋଲି ସେ କହିଥିଲେ।

ଶିକ୍ଷା ହିଁ ରୂପାନ୍ତରର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଶିକ୍ଷା ଉପରେ ରାଜ୍ୟ ସରକାର ସବୁଠାରୁ ଅଧିକ ଗୁରୁତ୍ବ ଆରୋପ କରୁଛନ୍ତି। ୫-ଟି ଉପକ୍ରମରେ ସ୍କୁଲ ରୂପାନ୍ତରକୁ ହିଁ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଇଛି। ରାଜ୍ୟରେ ୪୦୦ଟି ସ୍କୁଲର ରୂପାନ୍ତର କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳାହାଣ୍ଡି ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ୧୨୯ଟି ସ୍କୁଲର ରୂପାନ୍ତର କରାଯାଇଛି। ରୂପାନ୍ତର ପିଲାଙ୍କ ଭିତରେ ଆଗ୍ରହ, ଉତ୍ସାହ ଓ ଭବିଷ୍ୟତ ପ୍ରତି ଦୃଢ ସଂକଳ୍ପ ସୃଷ୍ଟି କରିଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ବସନ୍ତ ପଣ୍ଡା, ସାଂସଦ ଶ୍ରୀ ସୁଜିତ କୁମାର ବିଧାୟକ ପ୍ରଦୀପ ଦିଶାରୀ ପ୍ରମୁଖ ଯୋଗ ଦେଇ ଜନଜାତି ପିଲାଙ୍କ ମଧ୍ୟରେ ଶିକ୍ଷାର ପ୍ରସାର କ୍ଷେତ୍ରରେ କିସ୍‌ର ଉଦ୍ୟମ ପାଇଁ ଏହାର ପ୍ରତିଷ୍ଠାତା ତଥା ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ଉଚ୍ଚ ପ୍ରଶଂସା କରିଥିଲେ।

କିସ୍‌ର ପ୍ରତିଷ୍ଠାତା ଓ ସାଂସଦ ଡଃ ଅଚ୍ୟୁତ ସାମନ୍ତ ସ୍ବାଗତ ଭାଷଣ ଦେଇଥିଲେ ଓ କଳାହାଣ୍ଡି ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ: ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମର ନୀତି ହେଉଛି ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଏହି ନୀତିକୁ ଅନୁସରଣ କରି ଓଡିଶା ଭଳି ଗୋଟିଏ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ଆମେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ କରି ଏ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ହୋଇପାରିଛୁ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ପ୍ରତ୍ୟେକ ବର୍ଷର ଜୁନ୍‌ରୁ ଅକ୍ଟୋବର ମାସ ସମୟ ଅତି ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ବନ୍ୟା, ବାତ୍ୟା, ମରୁଡି ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆସେ। ତେଣୁ ଏହି ସମୟ ଭିତରେ ବାତ୍ୟା ଓ ବନ୍ୟା ଏକ ସମୟରେ ଆସିବାର ମଧ୍ୟ ସମ୍ଭାବନା ରହିଛି। ଏ ବାବଦରେ ଆମର ପ୍ରସ୍ତୁତିକୁ ସୁଦୃଢ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ସମସ୍ତ ପ୍ରଶାସନିକ କଳ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆଗୁଆ ବିପର୍ଯ୍ୟୟ ସୂଚନା ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ କାର୍ଯ୍ୟ, ପାନୀୟ ଜଳ ବ୍ୟବସ୍ଥା ସ୍ବାସ୍ଥ୍ୟ ଓ ପ୍ରାଣୀସେବା ବ୍ୟବସ୍ଥା ଆଦି ସମସ୍ତ ବ୍ୟବସ୍ଥା ଗୁଡିକୁ ପ୍ରସ୍ତୁତ କରି ରଖିବା ଜରୁରୀ।

ଏହାସହିତ ସମସ୍ତ ଓଡ୍ରାଫ ଓ ଅଗ୍ନିସେବା ବାହିନୀ ପ୍ରସ୍ତୁତ ହୋଇ ରହିବା ଜରୁରୀ ବୋଲି ସେ କହିଥିଲେ। ବିପର୍ଯ୍ୟୟ ପ୍ରବଣ ଓ ଦୁର୍ଗମ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟପଦାର୍ଥକୁ ମହଜୁଦ ରଖିବା, ଜିଲ୍ଲାସ୍ତରୀୟ ଜରୁରୀକାଳୀନ କେନ୍ଦ୍ରଗୁଡିକୁ ୨୪ ଘଣ୍ଟିଆ କାର୍ଯ୍ୟକାରୀ କରିବା, ପଶୁ ଖାଦ୍ୟ ମହଜୁଦ ରଖିବା ଓ ବିପର୍ଯ୍ୟୟ ସମୟରେ ପ୍ରାଣୀସେବା କ୍ୟାମ୍ପ ଖୋଲିବା ପାଇଁ ସେ ପରାମର୍ଶ ଦେଇଥିଲେ। ଗର୍ଭବତୀ ମହିଳା, ଶାରୀରିକ ଓ ମାନସିକ ଭିନ୍ନକ୍ଷମ ବ୍ୟକ୍ତି, ଶିଶୁ, ବିଧବା ଓ ବୟସ୍କ ଲୋକମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବୈଠକରେ ରାଜ୍ୟସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଯେଉଁସବୁ ପଦକ୍ଷେପ ନେଇଛନ୍ତି, ତା ଉପରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ରାଜ୍ୟରେ ୮୭୯ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ଥିବାବେଳେ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ ବିନିଯୋଗ କରାଯାଇ ଆହୁରି ୫୫ଟି ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ, ବିଶେଷ କରି ଉପକୂଳ ଅଞ୍ଚଳରେ ବିପର୍ଯ୍ୟୟ ପ୍ରତିରୋଧି ଗୃହ ନିର୍ମାଣ କରାଯାଉଛି ବୋଲି ସେ କହିଥିଲେ।

ଏହି ବୈଠକରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରମୁଖ ବକ୍ତବ୍ୟ ରଖି ନିଜ ନିଜ ଅଞ୍ଚଳରେ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ସୁଚିନ୍ତିତ ମତାମତ ଦେଇଥିଲେ।

ଉନ୍ନୟନ କମିଶନର-ତଥା-ସ୍ବତନ୍ତ୍ର ରିଲିଫ କମିଶନର ପି.କେ. ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ବୈଠକରେ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବରିଷ୍ଠ ଅଧିକାରୀ ଓ ବିଭିନ୍ନ ଜିଲ୍ଲାର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସ୍କୁଲ ରୂପାନ୍ତରଣର ଶେଷ ଦିନରେ ୫ଟି ଜିଲ୍ଲାର ୪୧୬ ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କଲେ ନବୀନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦ୍ବିତୀୟ ପର୍ଯ୍ୟାୟର ଷଷ୍ଠ ତଥା ଶେଷ ଦିବସରେ ୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏହାଦ୍ବାରା ଦୁଇଟି ପର୍ଯ୍ୟାୟରେ ସମୁଦାୟ ୩୯୭୮ଟି ସ୍କୁଲ ରୂପାନ୍ତରିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ 1075 ଟି ସ୍କୁଲ ରୂପାନ୍ତରିତ ହୋଇଥିବା ବେଳେ, ଦ୍ବିତୀୟ ପର୍ଯ୍ୟାୟରେ 2906ଟି ସ୍କୁଲର ରୂପାନ୍ତରଣ ହୋଇଛି।

ଏହି ଅବସରରେ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍କୁଲ ରୂପାନ୍ତରଣ କେବଳ ସ୍କୁଲର କାୟିକ ପରିବର୍ତ୍ତନ ନୁହେଁ । ଏହା ପିଲା ମାନଙ୍କର ମାନସିକ ସ୍ତରରେ ବିରାଟ ପରିବର୍ତ୍ତନ ଆଣିପାରିଛି। ପିଲାଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇଛି। ଭବିଷ୍ୟତରେ ସେମାନେ ସଫଳ ହେବା ସହିତ ଓଡିଶାର ରୂପାନ୍ତରରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖି ପାରିବେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ସ୍କୁଲ ରୂପାନ୍ତର ବାସ୍ତବରେ ଓଡିଶାର ଭବିଷ୍ୟତର ରୂପାନ୍ତର ପାଇଁ ମୂଳଦୁଆ ପକାଇଛି ବୋଲି ସେ କହିଥିଲେ ।

ପିଲାଙ୍କ ଭିତରେ ମୁଁ ଭବିଷ୍ୟତ ଓଡିଶା ର ଝଲକ ଦେଖିପାରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ.

ସେହିପରି ପିଲାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଅତ୍ୟନ୍ତ ଉତ୍ସାହର ସହିତ ନିଜ ଭବିଷ୍ୟତର ସ୍ବପ୍ନକୁ ଉପସ୍ଥାପିତ କରିଥିଲେ। ସେମାନଙ୍କ ଭିତରେ ଆତ୍ମବିଶ୍ବାସ ଝରି ଉଠୁଥିଲା। ସେମାନେ କହିଥିଲେ ଯେ ଉନ୍ନତ ସୁବିଧା ସହିତ ମାଗଣା ବିଜୁଳି ଓ ଇଣ୍ଟରନେଟ୍‌ ସୁବିଧା ଯୋଗୁଁ, ଯେ କୌଣସି ବିଷୟରେ ସେମାନେ ତୁରନ୍ତ ଆବଶ୍ୟକୀୟ ତଥ୍ୟ ବା ଜ୍ଞାନ ପାଇପାରୁଛନ୍ତି। ସାରା ବିଶ୍ବର ଜ୍ଞାନ ଏବେ ସେମାନଙ୍କ ହାତ ମୁଠାରେ। ତେଣୁ ରୂପାନ୍ତର ଯୋଗୁ ଏବେ ସ୍କୁଲ ସେମାନଙ୍କ ପାଇଁ ପ୍ରକୃତରେ ଏକ ଜ୍ଞାନ ମନ୍ଦିର ହୋଇପାରିଛି ବୋଲି ସେମାନେ କହିଥିଲେ. ସେମାନଙ୍କ ସ୍କୁଲ ଏବେ ଉତ୍କର୍ଷର କେନ୍ଦ୍ର ହୋଇଛି ବୋଲି ପିଲାମାନେ ମତ ଦେଇଥିଲେ.

ଏହି ଅବସରରେ ଆଲୋଚନାରେ ଭାଗ ନେଇ କୋରାପୁଟରୁ ନିବେଦିତା, ଗଜପତିରୁ ରେଶମା, ସମ୍ବଲପୁରରୁ ଆକୃତି ବଲାଙ୍ଗୀରରୁ ଅଞ୍ଜନେୟ ଏହଂ ଯାଜପୁରରୁ ମନୀଷା ଆଦି ଛାତ୍ରଛାତ୍ରୀ ସେମାନଙ୍କ ବ୍ୟକ୍ତବ୍ୟରେ ସ୍କୁଲ ରୂପାନ୍ତର ବିଷୟରେ ସେମାନଙ୍କ ଅନୁଭବ ବର୍ଣନା କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାର ୯୫ଟି ହାଇସ୍କୁଲ, ଗଜପତିର ୩୧ଟି, ସମ୍ବଲପୁରର ୪୦ଟି, ବଲାଙ୍ଗୀରର ୧୦୦ଟି ଓ ଯାଜପୁରର ୧୫୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି । ଏହା ସହିତ ଦ୍ଵିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ଶେଷ ହୋଇଛି.

ଏହି ଅବସରରେ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି । ରୂପାନ୍ତର ସେମାନଙ୍କ ମାନସିକ ସ୍ତରରେ ମଧ୍ୟ ପରିବର୍ତ୍ତନ ଆଣିଛି। ସେମାନେ ଆଗ ଅପେକ୍ଷା ଅଧିକ ଆତ୍ମବିଶ୍ବାସର ସହ ନୂଆ ଆଶା ଓ ସଂକଳ୍ପ ନେଇ ଆଗକୁ ବଢୁଛନ୍ତି । ଏହା ଓଡିଶାର ଭବିଷ୍ୟତ ପାଇଁ ଏକ ଶୁଭ ସଂକେତ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି ।

ପ୍ରତ୍ୟେକ ପିଲା ସ୍ବତନ୍ତ୍ର ଏବଂ ତା ଭିତରେ ଭରି ରହିଛି ବିପୁଳ ସମ୍ଭାବନା । ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ। ଜୀବନରେ କିଛି ବଡ କରିବାର ସ୍ବପ୍ନ। ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ବପ୍ନରେ ଡେଣା ଯୋଡିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି । ତେଣୁ ଆତ୍ମବିଶ୍ୱାସ ର ସହ ଆଗକୁ ବଢିବାକୁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ. ପିଲାମାନଙ୍କ ସ୍ବପ୍ନ ସାକାର ହେଲେ, ନୂଆ ଓଡିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡିଶା ଗଠନର ଭିତ୍ତି ସ୍ଥାପିତ ହେବ।

ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍‌ ଭାବରେ ଉପଯୋଗ କର ଏବଂ ନିଜପାଇଁ, ନିଜ ପରିବାର ପାଇଁ ଓ ପ୍ରିୟ ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ପିଲାମାନଙ୍କୁ ୫-ଟି ମହତ୍ତ୍ବ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍ନୋଲୋଜି, ଟିମୱାର୍କ, ଟାଇମ ବା ସମୟ ଏବଂ ଟ୍ରାନ୍ସପ୍ୟାରେନ୍ସି ବା ସ୍ବଚ୍ଛତାର ପ୍ରୟୋଗରେ ଆସେ ରୂପାନ୍ତର ।

ଟେକ୍ନୋଲୋଜି ଦ୍ବାରା ସେମାନଙ୍କ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା ହେବା ସହିତ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଗଲା । ସେହିପରି ଟିମ୍ୱାର୍କରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ଆଦି ସମସ୍ତେ ମିଳିମିଶି ଏ ରୂପାନ୍ତର କାମରେ ସାମିଲ ହୋଇଛନ୍ତି ।

ସେହିପରି ଟାଇମ ବା ସମୟକୁ ଗୁରୁତ୍ବ ଦିଆଯାଇ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଠିକ୍‌ ସମୟରେ କାର୍ଯ୍ୟ ଶେଷ ହୋଇଛି । ସେହିପରି ଟ୍ରାନ୍‌ସପ୍ୟାରେନ୍‌ସି ବା ସ୍ବଚ୍ଛତାର ପ୍ରୟୋଗ କରାଯାଇ ସବୁ କାମ ସମସ୍ତଙ୍କ ସହ ଆଲୋଚନା କରି କରାଯାଇଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି କାମ ତଦାରଖ ପର୍ଯ୍ୟନ୍ତ ସମସ୍ତଙ୍କ ଜ୍ଞାତସାରରେ ସବୁ କାର୍ଯ୍ୟ ହୋଇଛି। ଏହି ସ୍ବଚ୍ଛତା ହେଉଛି ୫-ଟି କାର୍ଯ୍ୟକ୍ରମର ବଡ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏସବୁ ମିଶି ରୂପାନ୍ତର ଆସିଛି ବୋଲି ସେ ମତବ୍ୟକ୍ତ କରିଥିଲେ ।

ଏ ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ, ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ, ବିଧାୟକ ଶ୍ରୀ ରଘୁରାମ ପଡଲ ଓ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି. ତିରୁପତି ରାଓ ପ୍ରମୁଖ ଉଦବୋଧନ ଦେଇ ସ୍କୁଲ ମାନଙ୍କର ଅନୁକୂଳ ପରିବେଶ ପିଲା ଓ ଅଭିଭାବକ ମାନଙ୍କ ଭିତରେ ଭରସା ସୃଷ୍ଟି କରିଛି।

କାର୍ଯ୍ୟକ୍ରମ ପରିଚାଳନା କରି ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ କହିଥିଲେ ଯେ ଦୁଇଟି ପର୍ଯ୍ୟାୟ ରେ 3981ଟି ହାଇସ୍କୁଲ ରୂପାନ୍ତରଣ ଶେଷ ହୋଇଛି. କୋଭିଡ ଓ ପଂଚାୟତ ନିର୍ବାଚନ ପରି ଆହ୍ୱାନ ମୂଳକ ସମୟ ସତ୍ୱେ ଏହା ସଫଳ ହୋଇ ଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉନ୍ନୟନ କମିସନର ଶ୍ରୀ ପ୍ରଦୀପ ଜେନା ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

BREAKING: ଥୋମାସ କପ ବିଜୟୀ ଭାରତୀୟ ଦଳକୁ ସମ୍ବର୍ଦ୍ଧିତ କରିବ ଓଡ଼ିଶା

ଭୁବନେଶ୍ୱର: 14 ଥର ଥୋମାସ କପ ବିଜେତା ଇଣ୍ଡୋନେସିଆକୁ ପରାସ୍ତ କରି ଟାଇଟଲ ହାସଲ କରିଥିବା ଭାରତୀୟ ପୁରୁଷ ବ୍ୟାଡମିନଟନ ଦଳକୁ ଓଡ଼ିଶା ସମ୍ବର୍ଦ୍ଧିତ କରିବ। ଏଥିଲାଗି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଲୋକସେବା ଭବନ ଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହେଉଛି।

ଆସନ୍ତା କାଲି ଅର୍ଥାତ ଜୁନ 8 ତାରିଖରେ ମୁଖମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିଜେ ଉପସ୍ଥିତ ରହି ପ୍ରତ୍ୟେକ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ। ଏହି ଉତ୍ସବରେ ପୂର୍ବତନ ବ୍ୟାଡମିଟନ ଖେଳାଳି ତଥା ପୁଲେଲା ଗୋପିଚାନ୍ଦଙ୍କ ସମେତ ଭାରତୀୟ ବ୍ୟାଡ଼ମିଣ୍ଟନ ଦଳକୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି I