Categories
ଆଜିର ଖବର ରାଜ୍ୟ ଖବର

ଗାଡି ଧକ୍କାରେ ଯୁବକ ମୃତ!, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ଥାନା ହିଂଜାମୁରା ନିକଟସ୍ଥ ସିରଗିଡା ନାଳ ବୁଲାଣିରେ ଏକ କାର୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ ବାଟଗାଁ ଗ୍ରାମର ବାବୁଲି ଦେହୁରୀ (୪୪)ବୋଲି ଜଣାପଡିଛି।

ସୂଚନା ଅନୁସାରେ ବାବୁଲି ଗତକାଲି ସଂନ୍ଧ୍ୟା ୮ଟା ବେଳେ ବାଟଗାଁ ରୁ ବାଇକ ଯୋଗେ ନାକଟିଦେଉଳ ପଟକୁ ଆସୁଥିବା ବେଳେ ଏକ କାର୍ ଧକ୍କା ଦେଇ ଫେରାର ହୋଇଯାଇଥିଲା। ତେବେ ବାବୁଲାଙ୍କୁ ଗୁରୁତର ଆହତ ଅବସ୍ଥାରେ ଆମ୍ବୁଲାନ୍ସରେ ରେଢ଼ାଖୋଲ ଆଣୁଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଘଟଣା ସମ୍ପର୍କରେ ଖବର ପାଇ ନାକଟିଦେଉଳ ପୋଲିସ ପହଂଚି ଅନୁସନ୍ଧାନ ଜାରି ରଖିଥିବା ଜଣାପଡିଛି। ଆଜି ଦୁର୍ଘଟଣା ଘଟାଇଥିବା କାର୍ କୁ ରେଢାଖୋଲ ନିକଟସ୍ଥ ଏକ ଢାବା ନିକଟରୁ ଜବତ କରାଯାଇଛି। ହେଲେ ଗାଡି ଚାଳକ ଫେରାର୍ ଥିବା ଜଣା ପଡିଛି।

ମୃତକଙ୍କ ସାନ ଭାଇଙ୍କ ଅଭିଯୋଗ ସାହେବୀ ଗ୍ରାମର ସରପଞ୍ଚ ରାମଚନ୍ଦ୍ର ସାହୁ ମୋ ଭାଇଙ୍କୁ ଗାଡି ଚପାଇ ହତ୍ୟା କରିଛି। ଦୁର୍ଘଟଣା କରି ସେ ରେଢାଖୋଲ =କୁ ଫେରାର୍ ମାରିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ଗତକାଲି ସେଇ ରାସ୍ତାରେ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସରାପାଲିରୁ ମୃତ ନବଯାତ ଶିଶୁ କନ୍ୟା ଉଦ୍ଧାର

ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ଥାନା ସରାପାଲି ଗ୍ରାମରୁ ଏକ ନବଯାତ ଶିଶୁ କନ୍ୟାକୁ ମୃତ ଅବସ୍ଥାରେ ଉଦ୍ଧାର କରା ଯାଇଛି।

ସରାପାଲି ରଥ ସାହି ବିନୋଦ ବିଶ୍ୱାଳଙ୍କ ଘର ପଛପଟ ଧାନ କ୍ଷେତ ନିକଟରେ କେହି ଶିଶୁ କନ୍ୟାଟିକୁ ଜନ୍ମ କରି ମୃତ ହେଉ ବା ଜୀବିତ ହେଉ ଫୋପାଡି ଦେଇଥିବା ଅନୁମାନ କରାଯାଉଛି। ମୃତ ଶିଶୁ କନ୍ୟାଟିକୁ କିଏ କଣ ପାଇଁ ଫୋପାଡି ଦେଇଛି, ତାହାର କାରଣ ଜଣା ପଡି ନାହିଁ।

ତେବେ ଏସମ୍ପର୍କରେ ଖବର ପାଇ ନାକଟିଦେଉଳ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀମାନେ ମୃତ ଶିଶୁକୁ ନେଇଆସି ଥାନାକୁ ଖବର ଦେଇଥିଲେ। ନାକଟିଦେଉଳ ପୋଲିସ ଡାକ୍ତରଖାନା ପହଞ୍ଚି ତଦନ୍ତ କରିଥିବା ବେଳେ ମୃତ ଶିଶୁଟିର କେହି ଦାବିଦାର ନଥିବାରୁ ବିଭାଗ ପକ୍ଷରୁ ଶବ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଯାଇଥିବା ଜଣା ପଡିଛି। କେହି କେହି ଏହାକୁ କୁଆଁରୀ ମାତୃତ୍ଵ ହେଇଥିବା ଚର୍ଚ୍ଚା ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍କୁଟି ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର 

ରେଢାଖୋଲ (କନ୍ଦର୍ପ ବେହେରା): ଆଜି ଅପରାହ୍ନ ପାଞ୍ଚଟା ସମୟରେ ସ୍କୁଟି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିବା ଜଣା ପଡିଛି।

ସୂଚନାରୁ ପ୍ରକାଶ ଯେ, ନାକଟିଦେଉଳ ଥାନା ଅନ୍ତର୍ଗତ କୁଞ୍ଜାମୁରା ଗ୍ରାମର ମମତା ନାଏକ ଓ ତଅପୋଇ ବେହେରା କୌଣସି କାମରେ ନାକଟିଦେଉଳ ଯାଉଥିଲେ। ଏହି ସମୟରେ ହିଂଜାମୁରା ସିରିଗିଡା ପୋଲ ନିକଟସ୍ଥ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା କଡରେ ପୋତା ହୋଇଥିବା ପିଲର ଖୁଣ୍ଟରେ ଉଭୟ ପିଟିହୋଇଥିଲେ।

ଏ ସମ୍ପର୍କରେ ଖବରପାଇ ନାକଟିଦେଉଳରୁ ଦମକଳବାହିନୀ ଯାଇ ଉଦ୍ଧାରକରି ନାକଟିଦେଉଳ ଡାକ୍ତରଖାନାରେ ଉଭୟଙ୍କୁ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତଅପୋଇ ବେହେରା (୩୨)ଙ୍କୁ ମୃତ ଘୋଷଣା କରିଥିଲେ।

ଗୁରୁତର ଆହତ ମମତା ନାଏକ (୪୦)ଙ୍କୁ ପ୍ରାଥମିକ ଚିକତ୍ସା ପରେ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି।

ନାକଟିଦେଉଳ ପୋଲିସ ଡାକ୍ତରଖାନା ପହଂଚି ମୃତକଙ୍କ ଶବକୁ ଜବତ କରି ଥିବା ବେଳେ ଆସନ୍ତାକାଲି ବ୍ୟବଛେଦ ପାଇଁ ରେଢ଼ାଖୋଲ ପଠାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ନାକଟିଦେଉଳ ବ୍ଲକ୍ ରେ ବଜ୍ରପାତରେ ଜଣେ ଯୁବକଙ୍କ ସହ ୪ ଗୋରୁ ମ୍ରୁତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଗଦାଧରପୁର ଗ୍ରାମରେ ବଜ୍ରପାତରେ ୪ ଗୋରୁ ମ୍ରୁତ୍ୟୁବରଣ କରିଥିବା ଜଣାପଡ଼ିଛି।

ଆଜି ଦିନ ୨ଟା ବେଳେ ବଜ୍ରପାତରେ ବାଟଗା ଗ୍ରା’ପ ଅନ୍ତର୍ଗତ ଗଦାଧରପୁର ବିଛଣ୍ଡ ଆଠଜଉଆଳୀଙ୍କର ୪ଟି ଗାଈବଳଦ ଙ୍କର ମୃତ୍ୟୁ ହୋଇଛି। ସେହିପରି ଜାମୁଜୋରୀ ପଂଚାୟତ ବାଗବର ନିକଟସ୍ଥ କୁହ୍ଲବସା ନୂତନ ବ୍ରିଜ୍ ନିକଟରେ ଗାଧୋଇବାକୁ ଯାଇ ଜଣେ ଯୁବକର ବଜ୍ରପାତରେ ମ୍ରୁତ୍ୟୁ ହୋଇଥିବା ଜଣାପଡ଼ିଛି।

ମ୍ରୁତକ ଜଣଙ୍କ ହେଲେ ମୁନା ବସାତ୍ ଘର କଇଙ୍ଗ ବୋଲି ଜଣାପଡ଼ିଛି। ସେ ଜେସିବି ଅପରେଟର ଭାବରେ କାମ କରୁଥିବା ବେଳେ ଗାଧୋଉଥିବା ସମୟରେ ହିଁ ବଜ୍ରପାତ ହୋଇଥିଲା। ପାଣି ଭିତରେ ହିଁ ସେ ମ୍ରୁତ୍ୟୁବରଣ ହୋଇଥିବା ଜଣାପଡ଼ିଛି। ମ୍ରୁତକର ପରିବାରକୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପାଇଁ ଦାବୀ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୁବତୀଙ୍କୁ ଆକ୍ରମଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ଗିରଫ କଲା ନାକଟିଦେଉଳ ପୋଲିସ୍

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ସାଲେଭଟ୍ଟା ପଞ୍ଚାୟତ ଅନ୍ତର୍ଗତ ଵୁଢାକଟା ଗ୍ରାମର ଜନୈକା ଯୁବତୀଙ୍କୁ ଦୁଷ୍କର୍ମ ହୋଇ ଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରିଛି ନାକଟିଦେଉଳ ପୋଲିସ୍।

ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ କେଲୋ ଗ୍ରାମର ରାଜେଶ ଜାଲ (୨୧)। ପୋଲିସ ଏନେଇ ନାକଟିଦେଉଳ ଥାନା କେସ ନମ୍ବର ୩୮/୨୩ ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ ଶୁକ୍ରବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ପୋଲିସ ସୂତ୍ରରୁ ଜଣା ପଡିଛି ଯେ, ନାକଟିଦେଉଳ ଥାନା ଅନ୍ତର୍ଗତ ବୁଢାକଟା ଗ୍ରାମର ୧୯ ବର୍ଷୀୟ ଯୁବତୀ ତା ୧୪.୦୩.୨୩ ରିଖ ଦିନ ନଦୀକୁ ଶୌଚ ହେବା ପାଇଁ ଯିବା ସମୟରେ ରାଜେଶ୍ ଜାଲ୍ ନାମକ ଯୁବକ ଏକାକୀ ଦେଖି ତାଙ୍କ ମୁଣ୍ଡ, ଗାଲ,ନାକ ରେ ଆଘାତ କରି ମୁଥ ମାରି କପଡା ଚିରି ତାଙ୍କୁ ଧର୍ଷଣ କରିଥିଲା। ଯୁବତୀ ଜଣଙ୍କ ପାଟି କରି ବାରୁ ନିକଟ ରେ ଛେଳି ଚଳାଉଥିବା ମହିଳା ମାନେ ଚାଲି ଆସି ଥିବାରୁ ଅଭିଯୁକ୍ତ ଖସି ଯିବାରେ ସମର୍ଥ ହୋଇଥିଲା।

ଏନେଇ ଯୁବତୀ ଜଣଙ୍କ ନାକଟିଦେଉଳ ଥାନାରେ ଗତ ୧୪ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ କେଲୋ ଗ୍ରାମର ରାଜେଶ ଜାଲକୁ ପୋଲିସ ଗିରଫ କରି ଭାରତୀୟ ପିଙ୍ଗଳ କୋଡ୍ ର ଧାରା ୩୪୧,.୩୨୩ ଓ ୩୭୬ ଅନୁସାରେ କୋର୍ଟ ଚାଲାଣ କରାଯାଇଛି ବୋଲି ନାକଟିଦେଉଳ ଥାନାଧିକାରୀ କୃପା ବାଗ ପ୍ରକାଶ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମଦ ବେପାରୀକୁ କାବୁ କରି ପୋଲିସକୁ ଜିମା ଦେଲେ ଗ୍ରାମବାସୀ

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ଥାନା ଅନ୍ତର୍ଗତ ଗୋଧିଢିପ ଛକରେ ଦେଶୀ ମଦ ପାଉଚ ନେଇ ଯାଉଥିବା ଜଣେ ବ୍ୟକ୍ତିକୁ ଗ୍ରାମବାସୀ ମାନେ ଅଟକ ରଖି ପୋଲିସ ପାଖରେ ଜିମା ଦେଇଥିବା ଜଣା ପଡିଛି। ସୂଚନାରୁ ପ୍ରକାଶ ଯେ, ମାରୱାଡି ମୁଣ୍ଡା ଗ୍ରାମର ଶଙ୍କର ନାଏକ ନିଜ ଟିଭିଏସ ମୋପେଡ ଗାଡ଼ିରେ ଗୋଟିଏ ବସ୍ତାରେ ମଦ ପାଉଚ ନେଇ ଯାଉଥିବା ବେଳେ ଗୋଧିଢିପ ଛକରେ ଗ୍ରାମବାସୀ ମାନେ ଅଟକାଇ ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ପୋଲିସ ପହଂଚି ଭର୍ତ୍ତୀ ଥିବା ବସ୍ତାରେ ମଦ ପାଉଚ ସହ ଶଙ୍କରକୁ ଗିରଫ କରି ଥାନାକୁ ନେଇଯାଇଥିଲେ। ତେବେ ପୋଲିସ ଶଙ୍କର ନାମରେ ଆଗରୁ ଥାନାରେ ଥିବା ୱାରେଣ୍ଟ ସହ ବେଆଇନ ଭାବେ ନେଇଯାଉଥିବା ୨୦୦ପାଉଚ ଲିଟର ମଦ ଜବତ କରି ଆଜି ତାକୁ କୋର୍ଟ ଚାଲାଣ କରିଥିବା ପୋଲିସ ପ୍ରକାଶ କରିଛି।

ଅପରପକ୍ଷେ ସରାପାଲି ପଂଚାୟତକୁ ମଦମୁକ୍ତ ଅଞ୍ଚଳ କରିବାପାଇଁ ପ୍ରୟାସ ଜାରିରହିବ ବୋଲି ସ୍ଥାନୀୟ ସରପଞ୍ଚ ଶିବାନୀ ବାରିକ ପ୍ରକାଶ କରିଅଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମାଇକ୍ରୋଫାଇନାନସ୍ କର୍ମଚାରୀ ଠାରୁ ଡକାୟତି ଘଟଣା: ୫ ଅଭିଯୁକ୍ତ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: କିଛି ଦିନ ତଳେ ନାକଟିଦେଉଳ ଥାନା ଚରଡପଶି ଠାରେ ଦିନ ଦି ପ୍ରହରରେ ଜନୈକ ମାଇକ୍ରୋ ଫାଇନାନସ୍ କର୍ମଚାରୀଙ୍କ ଠାରୁ ଛୁରୀ ଦେଖାଇ ନଗଦ ଟଙ୍କା ଲୁଟ୍ କରି ଅପରାଧିମାନେ ଫେରାର ହେବାରେ ସକ୍ଷମ ହୋଇଥିଲେ। ନାକଟିଦେଉଳ ପୋଲିସ୍‌କୁ ଏହା ମୁଣ୍ଡ ବ୍ୟଥାର କାରଣ ହୋଇଥିଲା। ଗତକାଲି ପୋଲିସ୍ ଟିମ୍ ଏହି ଡକାୟତି ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଆଜି ରେଢାଖୋଲ ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏହି ଡକାୟତି ମାନଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତ ୮/୯/୨୦୨୨ ତାରିଖରେ ନାକଟିଦେଉଳ ଥାନା ଚରଡପଶି ନିକଟରେ ନାକଟିଦେଉଳ ଠାରେ ଥିବା ମାଇକ୍ରୋଫାଇନାନସ୍ କଂପାନୀର ଫିଲଡ୍ ଅଫିସର୍ ଆଲୋକ ସାହୁ ଘୋଷରାମାଳ ପଂଚାୟତର ରାଇଲ୍, ଘୋଷରାମାଳ, ଝାଟକିମାଳ, ଲାଣ୍ଡିମାଳ ଆଦି ଗ୍ରାମରୁ ଏସଏଚ୍‌ଜି ଗ୍ରୁପ୍ ମାନଙ୍କ ଠାରୁ ଟଙ୍କା ଅସୁଲ କରି ଫେରୁଥିବା ବେଳେ ଡକାୟତି ମାନଙ୍କ ହାବୁଡରେ ପଡିଯାଇଥିଲେ। ଚରଡପଶି ଗ୍ରାମ ଛକ ଠାରେ ଅପରାହ୍ନ ୨.୩୦ ରୁ ୨.୪୫ ମଧ୍ୟରେ ତିନି ଜଣ ଡକାୟତି ଏକ ନୀଳ ରଙ୍ଗର ହୋଣ୍ଡା ମୋଟର ସାଇକେଲରେ ଆସି ଛୁରି ଦେଖାଇ ଆଲୋକ ସାହୁ ନାମକ ଏହି ମାଇକ୍ରୋଫାଇନାନସ୍ କର୍ମଚାରୀ ଠାରୁ ନଗଦ ୪୦ ହଜାର ସାତଶହ ପଚାଶ ଟଙ୍କା ଛଡାଇ ନେଇ ଫୋରାର୍ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ କର୍ମଚାରୀ ଜଣଙ୍କ ରେଢାଖୋଲ ପୋଲିସ୍ ଓ ନାକଟିଦେଉଳ ପୋଲିସ୍‌କୁ ଖବର ଦେଇଥିଲେ। ଡକାୟତି ମାନେ ବ୍ୟବହାର କରୁଥିବା ଏକ ମୋଟର ସାଇକେଲ୍ କୁ ଛାଡି ପଳାଇଥିଲେ। ଏ ନେଇ ନାକଟିଦେଉଳ ଥାନା କେସ୍ ନଂ ୧୭୭ ତା ୮/୯/୨୦୨୨୧ ୟୁ/ଏସ୍ ୩୯୪ ଆଇପିସି ଧାରାରେ ମାମଲା ରୁଜୁ ହୋଇଥିଲା।

ଡକାୟତି ଦଳକୁ ଧରିବାକୁ ପୋଲିସ୍ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିବା ବେଳେ ଟେକନିକାଲ ଟିମ୍ , ସାଇବର ଟିମ୍ ଆଦିର ବ୍ୟବହାର କରିଥିଲା ପୋଲିସ୍। ଏପରିକି ସିସିଟିଭି ଫୁଟେଜ୍ କୁ ଆଧାର କରି ଯାଂଚ କରିଥିଲା ପୋଲିସ୍। ସମ୍ବଲପୁର ଏସ୍‌.ପିଙ୍କ ନିର୍ଦ୍ଦେଶ କ୍ରମେ ନାକଟିଦେଉଳ, କିସିଣ୍ଡା, ରେଢାଖୋଲ ଓ ଚାରମାଳ ର ପୋଲିସ୍ ଏହାର ତଦନ୍ତ ଚଳାଇଥିଲେ। ଏହି ଡକାୟତିର ମୁଖ୍ୟ ଅଭିଯୁକ୍ତ ପୂର୍ବରୁ ଭାରତ ଫାଇନାନସ୍ କଂପାନୀ ଲଇକେରାରେ କାମ କରୁଥିଲା।

ପୂର୍ବରୁ ଏହି ଅଭିଯୁକ୍ତମାନେ ବିଭିନ୍ନ ସମୟରେ ଚାରମାଳ – ଗୁହିରାଦାଦର ରାସ୍ତାରୁ ଜଣେ ମାକ୍ରୋଫାଇନାନ୍‌ସ କର୍ମଚାରୀଙ୍କ ଠାରୁ ୬୩, ୨୨୦ଟଙ୍କା , ରେଢାଖୋଲ ବୁର୍ଡା ରାସ୍ତା ରୁ ୪୦ ହଜାର ,ଜୁଜୁମୁରାରୁ ମୋହନ୍ଦେରା ରାସ୍ତା ପାଖରୁ ୨୦,୨୨୦ଟଙ୍କା ଝାଙ୍କରପାଲି ଗ୍ରାମ ନିକଟରୁ ୮୯,୭୩୯ଟଙ୍କା ଏବଂ କିସିଣ୍ଡା ଧଳପୁର ରାସ୍ତାରୁ ୬୭, ୬୮୦ ଟଙ୍କା ଡକାୟତି କରିଥିଲେ। ରମେଶ ଭୋଇ ହେଉଛି ମୁଖ୍ୟ ଅଭିଯୁକ୍ତ ଯିଏ କି କେମିତି ଟଙ୍କା ଡକାୟତି ହେବ ରାସ୍ତା, ସମୟ ସାରଣୀ ସବୁ ସ୍ଥିର କରୁଥିଲା ଏହା ପରେ ଅନ୍ୟ ସାଥି ଡକାୟତି ମାନଙ୍କୁ ସାମିଲ୍ କରୁଥିଲା।

ଗିରଫ ଡକାୟତି ମାନଙ୍କ ପାଖରୁ ୩ ଟି ମୋଟର ସାଇକେଲ୍‌, ୭ ଟି ମୋବାଇଲ୍ , ନଗଦ ୧୨ ହଜାର ଟଙ୍କା , ହେଲ୍ ମେଟ୍ , କପଡା, ୧ ଟି ଛୁରୀ ୧ ଟି ଟାବଲେଟ୍ ,୧ ଟି ବାଇଓମେଟ୍ରିକ୍ ଇଷ୍ଟୁମେଂଟ୍ ଜବତ କରିଛି। ଗିରଫ ଡକାୟତି ମାନେ ହେଲେ ସମ୍ବଲପୁର ଭୀମଭୋଇ ନଗର ର ସୁନୀଲ କୁମାର ବେହେରା (୩୭), ଆମ୍ବସରଭଟା ର ରମେଶ ଭୋଇ (୩୨), ସୋନପୁର ଜିଲ୍ଲା ଜଟେସିଂହାର ଗଙ୍ଗାଧର ବାଦୀ (୩୫),ସୋନପୁର କୁଡାପଡା ହରିଜନ ସାହିର ସୁଶାନ୍ତ ଲୁହା(୨୮), ସୋନପୁର କମରିଆ ଗ୍ରାମର କାହ୍ନୁଚରଣ ତାଣ୍ଡି(୨୬) ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଜାମିନ୍ ନାମ ମଂଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣା ପଡିଛି। ସୁନୀଲ କୁମାର ବେହେରା ନାମରେ ରେଢାଖୋଲ, ଚାରମାଳ, ଜୁଜୁମୋରା, ଅନୁଗୋଳ, କିଆକଟା ଓ ଛେଣ୍ଡିପଦା ଥାନା ଆଦିରେ ୮ ଟି ମାମଲା ରହିଛି। ଠିକ୍ ସେଇ ପରି ସୁଶାନ୍ତ ଲୁହା ନାମରେ ବୌଦ୍ଧର କଂଟାମାଳ ଥାନାରେ ଗୋଟିଏ ମାମଲା, ରମେଶ ଭୋଇ, ଗଙ୍ଗାଧର ବାଦୀ, କାହ୍ନୁଚରଣ ତାଣ୍ଡି , ଦୟାନିଧି ଲୁହା ନାମରେ ରେଢାଖୋଲ, ଚାରମାଳ, ନାକଟିଦେଉଳ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଥିବା ଜଣା ପଡିଛ। ସୁନୀଲ କୁମାର ବେହେରା , ରମେଶ ଭୋଇ ନାମରେ ଜୁଜୁମୋରା ଥାନା, କିସିଣ୍ଡା ଥାନାରେ ୩ ଟି, ସୁନ୍ଦରଗଡ ଜିଲ୍ଲା ତଲସରା, ଶାସନ, ସୋନପୁର ଜିଲ୍ଲା ସୁବଳୟା ଥାନାରେ ୭ ଟି ମାମଲା ରହିଥିବା ପୋଲିସ୍ କହିଛି।

ମୁଖ୍ୟ ଅଭିଯୁକ୍ତ ସୁନୀଲ କୁମାର ବେହେରା ଏବଂ ରମେଶ ଭୋଇ ବହୁ ସମୟରେ ସୁନ୍ଦରଗଡ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ ଆଦି ଜିଲ୍ଲାରେ ମାଇକ୍ରୋଫାଇନାସ୍ କର୍ମଚାରୀମାନଙ୍କ ଠାରୁ ବିଭିନ୍ନ ସମୟରେ ଲୁଟ୍ କରିିଥିବା ପୋଲିସ୍ କହିଛି। ଏହି ଡକାୟତି ମାନଙ୍କୁ ଧରିବା ରେ ରେଢାଖୋଲ ଏସ୍ ଡିପି ପ୍ରଶାନ୍ତ କୁମାର ମେହେର ଙ୍କ ସମେତ ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ, କିସିଣ୍ଡା ଥାନାଧିକାରୀ ପ୍ରଶାନ୍ତ ସାମଲ, ଚାରମାଳ ଥାନାଧିକାରୀ ବସନ୍ତ ଦଳେଇ ଏବଂ ନାକଟିଦେଉଳ ଥାନାଧିକାରୀ ବିଭୁତି ଭୂଷଣ ଦଳାଇ ପ୍ରମୁଖ ସାମିଲ୍ ହୋଇଥିଲେ।

Categories
ଆଞ୍ଚଳିକ

ସର୍ପାଘାତରେ ମହିଳା ମୃତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ଥାନା ବାଟଗାଁରେ ଜନୈକା ମହିଳା ଘର ପଛପଟେ ଘାସ ଉପାଡୁଥିବା ସମୟରେ ଏକ ବିଷଧର ନାଗସାପ କାମୁଡିବାରୁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ପ୍ରକାଶ ଯେ, ନାକଟିଦେଉଳ ଥାନା ବାଟଗାଁ ଗ୍ରାମର କଟି ମାଝୀ (୭୦) ନିଜ ଘର ଚାରିପାଖ ସଫା କରୁଥିଲେ। ଏହି ସମୟରେ ଏକ ନାଗ ସାପ ତାଙ୍କୁ ଚୋଟ ମାରିଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନ ଆଣି କୁଞ୍ଜାମୁରା ଶିବ ମନ୍ଦିର ନେଇଯାଇଥିଲେ।  ସେଠାରେ ସେ ଭଲ ନ ହେବାରୁ ଘରକୁ ଆଣିଥିଲେ।

ଆଜି ସକାଳେ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନାକଟିଦେଉଳ ପୋଲିସ୍ ଖବର ପାଇ ଗାଁରେ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡ଼ିଛି।

Categories
ଆଞ୍ଚଳିକ

ସମ୍ବଲପୁର ପୋଲିସ ଦ୍ବାରା ନାକଟିଦେଉଳ ଥାନାରେ ରକ୍ତଦାନ ଶିବିର: ୧୧୫ ୟୁନିଟ୍ ରକ୍ତ ସଂଗ୍ରହ

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ଥାନାରେ ମୋ ସରକାର ୫ଟି ସେଲ ସମ୍ବଲପୁର ଦ୍ଵାରା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ଏସ ଡି ପି ଓ ରେଢ଼ାଖୋଲ ପ୍ରଶାନ୍ତ କୁମାର ମେହେର ଉଦ୍ଘାଟନ କରିଥିବାବେଳେ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ସାହୁ, ଆଇଆଇସି ବିଭୂତି ଭୂଷଣ ଦଳେଇ, ଉପସ୍ଥିତ ଥିଲେ।

ଏହି ଶିବିରରେ ୧୧୫ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା। ଏହି ଶିବିରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର ଡାକ୍ତର କଳ୍ପେଷ୍ କକ୍କଡ୍, ସନ୍ତୋଷ ଗୌଡ଼, କର୍ମଦେବ ପଟେଲ, ଗଣେଶ ସେଟ୍, ମନବୋଧ ନାୟକ ଏବଂ ରେଢାଖୋଲ ରକ୍ତଭଣ୍ଡାରର ଇନ୍ଦ୍ରମଣି ବେହେରା, ସୁଦର୍ଶନ ନାଏକ ଏବଂ ଯାମିନି ସାହୁ, ତ୍ରିପୁରାରି ଗଡତିଆ ପରିଚାଳନା କରିଥିଲେ।

ହାବିଲଦାର ଏବଂ କନେଷ୍ଟବଳ ଶାଖା ସଂଘ ସଭାପତି ରାମଦାସ ପଣ୍ଡାଙ୍କ ସଂଯୋଜନାରେ ଏହି ଶିବିର ଆୟୋଜନ କରାଯାଇଥିଲା। ଏହି ରକ୍ତଦାନ ଶିବିରରେ ମହିଳାମାନେ ଉତ୍ସାହ ସହକାରେ ରକ୍ତଦାନ କରିଥିଲେ। ନାକଟିଦେଉଳ ଥାନାର ସମସ୍ତ କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏସ ଡି ପି ଓ ପ୍ରଶାନ୍ତ ମେହେର ରକ୍ତଦାତା ମାନଙ୍କୁ ମାନପତ୍ର ଦେଇ ଉତ୍ସାହିତ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ନାକଟିଦେଉଳ ଥାନାର ସମସ୍ତ କର୍ମଚାରୀ, ସାମ୍ବାଦିକ, ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର, ସରାପାଲି ସ୍କୁଲ ଶିକ୍ଷକ, ନାକଟିଦେଉଳ ଆଦର୍ଶ ସ୍କୁଲ୍ ଶିକ୍ଷକ, ବ୍ୟାଙ୍କ କର୍ମଚାରୀ, ବ୍ଲକ୍ ଅଫିସ୍ କର୍ମଚାରୀ, ତହସିଲ ଅଫିସ କର୍ମଚାରୀ ବିଭିନ୍ନ ପ୍ରାଥମିକ ସ୍କୁଲର ଶିକ୍ଷକ, ଆମ ପୋଲିସ୍ ସମିତି, ବ୍ୟବସାୟୀ ସଂଘ, ବିଭିନ୍ନ ରାଜନୈତିକ ଦଳର କର୍ମୀ, ଫରେଷ୍ଟ କର୍ମଚାରୀ, ଫାୟାର କର୍ମଚାରୀ, ନାକଟିଦେଉଳ,ଫାଇନାନ୍ସ କମ୍ପାନୀ କର୍ମଚାରୀ ଓ ସ୍ଥାନୀୟ ଲୋକ ରକ୍ତ ଦାନ କରିଥିଲେ। ଆଇ ଆଇ ସି ବିଭୂତି ଭୂଷଣ ଦଳେଇ ଧନ୍ୟବାଦ୍ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରାକଟରରୁ ପଡ଼ି ଶ୍ରମିକ ମୃତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ଥାନା କତରାପାଲି ଗ୍ରାମରେ ଆଜି ସଂଧ୍ୟାରେ ଏକ ଚିପସ୍ ବୋଝେଇ ଟ୍ରାକଟରରୁ ଖସି ପଡ଼ି ଜନୈକ ଯୁବକ ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି। ମୃତକଙ୍କ ଘର ମାରଓ୍ବାଡି ମୁଣ୍ଡା ଗ୍ରାମର ପିଙ୍କୁ ମାହାର ବୋଲି ଜଣାପଡ଼ିଛି।

ଖବରରୁ ପ୍ରକାଶ ଯେ, ନାକଟିଦେଉଳ ଥାନା କତରାପାଲିରୁ ଚିପସ୍ ଲୋଡ଼୍ କରି ଫେରୁଥିବା ଟ୍ରାକଟର (ଓଡ଼ି ୧୫ ଇ –୫୧୦୯)ରୁ ଯୁବକ ଜଣଙ୍କ ଖସି ପଡ଼ିଥିଲେ। ଘଟଣା ସ୍ଥଳରେ ହିଁ ଯୁବକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଟ୍ରାକଟରର ମାଲିକ ନାକଟିଦେଉଳ ଥାନା ଗୌଡପଡ଼ା ଗ୍ରାମର ପିଣ୍ଟୁ ଧଳଙ୍କର ବୋଲି ଜଣାପଡ଼ିଛି।

ପୋଲିସ୍ ଘଟଣା ସ୍ଥଳରେ ପହଂଚିଛି ନାକଟିଦେଉଳ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ୍ ତଦନ୍ତ କରୁଛି। ରେଢ଼ାଖୋଲ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଇକ୍ ଦୁର୍ଘଟଣାରେ ୨ ଆହତ, ବୁର୍ଲା ସ୍ଥାନାନ୍ତର

କନ୍ଦର୍ପ ବେହେରା
ରେଢ଼ାଖୋଲ: ଆଜି ପୂର୍ବାହ୍ନ ପାଖାପାଖି ୧୨ ଟା ସମୟରେ ରେ ନାକଟିଦେଉଳ ଥାନା ମୂଷାକାନୀ ନିକଟରେ ବାଇକ୍ ଦୁର୍ଘଟଣାରେ ୨ ଜଣ ଙ୍କର ଗୋଡ ଭାଙ୍ଗି ଆହତ ହୋଇଥିବା ଜଣା ପଡ଼ିଛି। ଆହତ ଦ୍ବୟକୁ ପୋଲିସ୍ ଉଦ୍ଧାର କରି ବୁର୍ଲା ପଠାଇଥିବା ଖବର ହସ୍ତଗତ ହୋଇଛି।

ପ୍ରକାଶ ଯେ, ନାକଟିଦେଉଳ ଥାନା ସାହେବୀ ପାଟୁଳିଢ଼ିପ ଗ୍ରାମର ୨ ଜଣ ଯୁବକ ନାକଟିଦେଉଳ କୁ କୌଣସି କାମରେ ଆସି ବାଇକ୍ ରେ ଫେରୁଥିବା ସମୟରେ ମୂଷାକାନୀ ନିକଟରେ ବାଇକ୍ ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଛିଟିକି ପଡ଼ିଥିଲା। ଉଭୟଙ୍କର ଗୋଡ ଭାଙ୍ଗିଥିବା ଜଣା ପଡ଼ିଛି।

ଆହତ ଦ୍ବୟଙ୍କୁ ତୁରନ୍ତ ପୋଲିସ୍ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାକୁ ପଠାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଆହତଙ୍କର ପରିଚୟ ମିଳିପାରି ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବଏଲର ଫାର୍ମରୁ ଚୋରୀ ଅଭିଯୋଗରେ ଜଣେ ଗିରଫ, ଜଣେ ଫେରାର

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ଥାନା ବେଠିଆବେନି ଗ୍ରାମରେ ବଏଲର ଫାର୍ମରୁ ଚୋରି ଅଭିଯୋଗରେ ଗ୍ରାମବାସୀ ଜଣକୁ କାବୁ କରି ପୋଲିସ୍ ର ଜିମା ଦେଇଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଫେରାର୍ ମାରିଥିବା ପୋଲିସ୍ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛି।

ପୋଲିସ୍ ସୂତରୁ ପ୍ରକାଶ ଯେ, ଗତ ତା ୨୧ /୪/୨୦୨୨ ରିଖ ରାତି ପ୍ରାୟ ୧ଘ. ୩୦ ମିନିଟ୍ ସମୟରେ ନାକଟିଦେଉଳ ଥାନା ବେଠେିଆବେନି ଗ୍ରାମର କେଦାର ଦେହୁରୀଙ୍କ ବଏଲର୍ ଫାର୍ମକୁ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କ ଫାର୍ମରୁ ଦୁଇଟି ମୋବାଇଲ୍ ଫୋନ୍ ଏବଂ ୧୦ ହଜାର ଟଙ୍କା ଚୋରି କରି ନେଇଥିଲେ। ସେଇ ପାଖ ଆଉ ଏକ ଫାର୍ମରୁ ଅନୁରୁପ ଭାବରେ ଚୋର ଦୁଇଜଣ ପଶି ଶିବଶଙ୍କର ଦେହୁରୀଙ୍କ ଫାର୍ମରୁ ଗୋଟିଏ ମୋବାଇଲ୍ ଫୋନ୍ ଏବଂ କୈଳାସ ଦେହୁରୀଙ୍କ ବେକରୁ ଏକ ରୂପା ଚେନ୍ ଚୋରି କରି ଫେରାର୍ ହେବାକୁ ଉଦ୍ୟମ କରୁଥିବା ବେଳେ ଜଣଙ୍କୁ କାବୁ କରାଯାଇଥିଲା। ଏବଂ ଅନ୍ୟ ଅଭିଯୁକ୍ତଜଣଙ୍କ କୈଳାସ ଦେହୁରୀଙ୍କୁ କାମୁଡି ଦେଇ ପଳାଇବାରେ ସକ୍ଷମ ହୋଇଥିଲା।

ଖବର ପାଇ ଭୋରରୁ ପୋଲିସ୍‌ ଘଟଣା ସ୍ଥଳରେ ପହଂଚି ଅଭିଯୁକ୍ତ କାର୍ତ୍ତିକ ନାଏକଙ୍କୁ ଗିରଫ କରିଥିଲା। କାର୍ତ୍ତିକ ନାଏକଙ୍କ ଠାରୁ ତିନୋଟି ମୋବାଇଲ୍ , ରୂପା ଚେନ୍ ଏବଂ ଏକ କାଠ ବେଂଟ ଜବତ କରିଛି।

ନାକଟିଦେଉଳ ଥାନା କେସ୍ ନଂ ୮୫ତା ୨୨/୪/୨୦୨୨ ୟୁ/ଏସ୍ ୩୯୭/୩୯୪/୩୪ ଆଇପିସି ରେ ମାମଲା ରୁଜୁ କରି ଆଜି କାର୍ତ୍ତିକ ନାଏକକୁ କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତକୁ ପୋଲିସ୍ ଖୋଜୁଥିବାର ଜଣା ପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗିରଫ ହେଲେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ: ନାବାଳିକାଙ୍କୁ ବଳପୂର୍ବକ ବିବାହ କରିଥିବା ଅଭିଯୋଗ

କନ୍ଦର୍ପ ବେହେରା

ରେଢାଖୋଲ: ଗତ ୨୦ ତାରିଖ ଦିନ ନାକଟିଦେଉଳ ଥାନାରେ ଜଣେ ୧୫ ବର୍ଷିୟା ନାବାଳିକା ଦୁଇ ଦିନରୁ ନିଖୋଜ ଥିବାର ଅଭିଯୋଗ ହୋଇଥିଲା। ଏହି ପରିପ୍ରେକ୍ଷୀରେ ପୋଲିସ କେଶ ନମ୍ବର ୮୩/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଥିଲା। ହେଲେ ଉକ୍ତ ଦିନ ରାତିରେ ଜନୈକ ନାବାଳିକାଙ୍କୁ ପୋଲିସ ହୀରାଲୋଇ ଗ୍ରାମରୁ ତାଙ୍କ ଭଉଣୀଙ୍କ ଘରୁ ଉଦ୍ଧାର କରିଥିଲା। ତେବେ ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ନାବାଳିକା ଜଣଙ୍କୁ ସାହେବି ଗ୍ରାମର ପୂର୍ବତନ ସରପଞ୍ଚ ତଥା ପୂର୍ବତନ କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟ ବିରଞ୍ଚି ବେହେରା (୫୪) ଜୋର ଜବରଦସ୍ତ ସିନ୍ଦୁର ପିନ୍ଧାଇ ବିବାହ କରିଥିଲେ ଏବଂ ଦୀର୍ଘ ଏକ ବର୍ଷ ଧରି ନାବାଳିକାଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ।

ଗତବର୍ଷ ବିରଞ୍ଚିଙ୍କ ଧର୍ମ ପତ୍ନୀଙ୍କ ସଡ଼କ ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଯିବାରୁ ସେ ଜନୈକ ନାବାଳିକାଙ୍କ ପିତାଙ୍କୁ ଚିକିତ୍ସା ପାଇଁ ଡାକିଥିଲେ। ଏହାର ସୁଯୋଗ ନେଇ ନାବାଳିକାଙ୍କ ପିତାଙ୍କୁ ବିରଞ୍ଚି ତାଙ୍କ ପତ୍ନୀଙ୍କୁ କାର୍ଯ୍ୟରେ ସହଯୋଗ ପାଇଁ ଝିଅକୁ ପଠେଇବା ପାଇଁ ଅନୁରୋଧ କରିଥିଲେ। ଏହି ସମୟରେ ବିରଞ୍ଚି ମନ୍ଦ ଉଦ୍ଦେଶ୍ୟ ନେଇ ନାବାଳିକାଙ୍କୁ ଜୋର ଜବରଦସ୍ତ ବିବାହ କରିବା ସହ ତାଙ୍କ ଅନିଚ୍ଛା ସତ୍ତ୍ୱେ ଶାରୀରିକ ସମ୍ବନ୍ଧ ରଖିଥିଲେ।

ନାବାଳିକା ଜଣକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କର ୫ ଜଣ ଭଉଣୀ ଅଛନ୍ତି। ତେବେ ଗତ ୧୫ ଦିନ ତଳେ ନାବାଳିକା ଜଣକ ସାହେବି ଗ୍ରାମସ୍ଥିତ ତାଙ୍କ ଘରକୁ ପରିବାରବର୍ଗଙ୍କୁ ଦେଖିବାକୁ ଯାଇଥିଲେ। କିନ୍ତୁ ଏହା ଜାଣି ବିରଞ୍ଚି ନାବାଳିକାଙ୍କ ଘରକୁ ଯାଇ ତାଙ୍କୁ ଫେରିଆସିବା ପାଇଁ ବାଧ୍ୟ କରିଥିଲେ। ହେଲେ ସେ ରୋକଠୋକ ମନା କରିବା ସହ ତାଙ୍କ ପରିବାରକୁ ନଜଣାଇ ତାଙ୍କ ଭଉଣୀ ଘରକୁ ଲୁଚି ପଳାଇଥିଲେ।

ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ମାମଲାଟି ଗମ୍ଭୀର ହୋଇଛି ଏବଂ ଉକ୍ତ ମାମଲାରେ ପୋକସୋ ଓ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଫା ଲାଗିଛି। ଉକ୍ତ ଘଟଣାରେ ପୋଲିସ ବିରଞ୍ଚି ବେହରାଙ୍କୁ ଗିରଫ କରିଥିବା ବେଳେ ଆସନ୍ତାକାଲି କୋର୍ଟଚଲାଣ କରିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ପୋଖରୀରେ ବୁଡ଼ି ନାବାଳକ ମୃତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ଆଜି ସନ୍ଧ୍ୟାରେ ନାକଟିଦେଉଳ ଥାନା ଅଂଚଳରେ ଜନୈକ ନାବାଳକ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ପ୍ରକାଶ ଯେ, ନାକଟିଦେଉଳ ଥାନା କେଲୋବେନି ଗ୍ରାମର ହୃଦା ନାଏକ (୧୫) ନାମକ ନାବାଳକ ସଂନ୍ଧ୍ୟାରେ ପୋଖରୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଗୋଡ଼ ଖସିଯିବାରୁ ତାଙ୍କର ମୃତ୍ୟୁବରଣ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ପରିବାରକୁ ସରକାରଙ୍କ ତରଫରୁ ସହଯୋଗ ଦେବାକୁ ଦାବୀ ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିବାହ ପ୍ରତିଶୃତି ଦେଇ ୨ ନାବାଳିକା ଅପହରଣ ଘଟଣାରେ ଜଣେ ଗିରଫ

କନ୍ଦର୍ପ ବେହେରା

ରେଢାଖୋଲ: ନାକଟିଦେଉଳ ଥାନା ଅନ୍ତର୍ଗତ ସାହେବୀ ପଂଚାୟତର ଝାରବେଡା ଗ୍ରାମରେ ୨ ନାବାଳିକାକୁ ମିଥ୍ୟା ବିବାହର ପ୍ରତିଶୃତି ଦେଇ ଜଣେ ଯୁବକ ଅପହରଣ କରିଥିଲା। ସୂଚନା ଅନୁସାରେ ଝାରବେଡା ଗ୍ରାମର ସୁଶାନ୍ତ ନାଏକ (ଝାରୁ) ୨୮ ବର୍ଷ ମିଥ୍ୟା ବିବାହର ପ୍ରତିଶୃତି ଦେଇ ୨ ନାବାଳିକାକୁ ଗତ ୬ ତାରିଖରେ ଅପହରଣ କରି ନେଇଯାଇଥିଲା। ଏ ନେଇ ଗତ ୮ ତାରିଖ ସକାଳେ ସଂପୃକ୍ତା ନାବାଳିକାର ବାପା ଶଙ୍କର ମୁଣ୍ଡା ନାକଟିଦେଉଳ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତି କରି ନାକଟିଦେଉଳ ପୋଲିସ ଅନୁସନ୍ଧାନ କରି ଦେବଗଡ ଜିଲ୍ଲାରୁ ଅଭିଯୁକ୍ତ ସୁଶାନ୍ତକୁ ଗିରଫ କରିବା ସହ ୨ ନାବାଳିକା ଝିଅକୁ ଉଦ୍ଧାର କରିଥିବା ଜଣା ପଡିଛି। ତେବେ ନାବାଳିକା ଦୁଇ ଜଣଙ୍କୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ବେଳେ ନାକଟିଦେଉଳ ଥାନାରେ କେସ ନଂ ୫୧/୨୨ ରେ ୩୬୩ ,୩୬୬,୩୭୬ (୨) ଆଇପିସି ଧାରାରେ ମାମଲା ରୁଜୁ କରିଥିବା ବେଳେ ଆସନ୍ତା କାଲି ଅଭିଯୁକ୍ତର ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ବିଧୁଭୁଷଣ ଦଳେଇ ପ୍ରକାଶ କରିଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୁଡାନାଳି ନିକଟରେ ଟ୍ରାକଟର ଓଲଟି ଜଣେ ମୃତ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସକାଳେ ନାକଟିଦେଉଳ ଥାନା କୁଡାନାଳି ନିକଟରେ ଏକ ଟ୍ରାକଟର ଭାରସାମ୍ୟ ହରାଇ ଓଲଟି ପଡିବାରୁ ଘଟଣା ସ୍ଥଳରେ ଡ୍ରାଇଭର ମୃତ୍ୟୁବରଣ ହୋଇଥିବା ଜଣା ପଡିଛି।

ପ୍ରକାଶ ଯେ, ନାକଟିଦେଉଳ ଥାନା ଜାମୁଜୋରୀ ଗ୍ରାମର ଆର୍ତତ୍ରାଣ କୁମ୍ଭାର କୁଡାନାଳି ରାସ୍ତାରେ ଯାଉଥିବା ବେଳେ କୁଡାନାଳି ନିକଟସ୍ଥ ଏକ ସ୍ଥାନରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଡ୍ରାଇଭର ଆର୍ତତ୍ରାଣ କୁମ୍ଭାର ଟ୍ରାକଟର ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ଜଣା ପଡିଛି।

ନାକଟିଦେଉଳ ପୋଲିସ୍ ଘଟଣା ସ୍ଥଲରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ଡାକ୍ତରଖାନାକୁ ପଠାଇଛି। ପୋଲିସ୍ ଏକ ମାମଲା ରୁଜୁ କରିଥିବା ଜଣା ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ସଡକ ଦୁର୍ଘଟଣା: ଟାଟା ମେଜିକ ଓ ବାଇକ ଧକ୍କାରେ ୨ ଆହତ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ନାକଟିଦେଉଳ ଥାନା ମାରଓାଡିମୁଣ୍ଡା ଗ୍ରାମ ନିକଟରେ ଟାଟାମେଜିକ ଓ ବାଇକ ମୁହାଁ ମୁହିଁ ହେବାଫଳରେ ୨ ଜଣ ଆହତ ହୋଇଥିବା ଜଣା ପଡିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଦେବଗଡ ଜିଲ୍ଲା କଣ୍ଢଳ ନିକଟସ୍ଥ ବାବୁତଇଲା ଗ୍ରାମର ସୁନିଲ୍ ଡୁଙ୍ଗଡୁଙ୍ଗ (୩୦) ଓ ସରୋଜ୍ କୁଜୁର(୨୬) ଅପରାହ୍ନ ୪ଟାରେ ନାକଟିଦେଉଳ ପଟୁ ନିଜ ଗ୍ରାମ ବାବୁତଇଲାକୁ ନିଜର ହୋଣ୍ଡାସାଇନ୍ ରେ ଫେରୁଥିବା ବେଳେ ମାରଓାଡିମୁଣ୍ଡା ନିକଟରେ ଅପରପାଶ୍ୱର୍ରୁ ଆସୁଥିବା ଟାଟା ମେଜିକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ବାଇକ୍ ଚାଳକ ସୁନିଲ୍ ଓ ସରୋଜ ଆହତ ହୋଇଥିଲେ।

ସେମାନଙ୍କୁ ତୁରନ୍ତ ନାକଟିଦେଉଳ ଡାକ୍ତରଖାନାକୁ ନେଇଥିଲେ କିଛି ସ୍ୱେଚ୍ଛାସେବୀ। ସୁନିଲ୍ ଡୁଙ୍ଗଡୁଙ୍ଗ ଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡିଛି। ସରୋଜ ସୁସ୍ଥଥିବା ଜଣା ପଡିଛି। ବେପରୁଆ ଗାଡିଚାଳନା ଯୋଗୁଁ ଏପରି ଦୁର୍ଘଟଣା ହେଉଥିବା ବେଳେ ଗାଡିଚାଳକ ମାନେ ନୀତିନିୟମକୁ ମାନୁ ନାହାନ୍ତି ଯା ଫଳରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୋଠ ଘରୁ ବୃଦ୍ଧଙ୍କର ମୃତ ଦେହ ଉଦ୍ଧାର କଲା ପୋଲିସ୍

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ନାକଟିଦେଉଳ ଥାନା ହିତସରା ଗ୍ରାମର ଏକ କୋଠ ଘରୁ ଜଣେ ବୃଦ୍ଧଙ୍କର ମୃତ ଦେହକୁ ନାକଟିଦେଉଳ ପୋଲିସ୍ ଜବତ କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ନାକଟିଦେଉଳ ଥାନା ବାଟଗାଁ ପଂଚାୟତର କୁଞାମୁରା ଗ୍ରାମର ଭୁକ୍ଲା ବେହେରା ଏକ ଦେବୀ ପ୍ରତିମା ଧରି ଗାଁ ଗାଁ ବୁଲି ଭିକ୍ଷା ବୃତ୍ତି କରୁଥିଲା। ପ୍ରତ୍ୟେକ ଦିନ ପରି ଗତକାଲି ମଧ୍ୟ ସେମିତି ଢଙ୍ଗରେ ଭିକ୍ଷା ବୃତ୍ତି କରି ସାରିବା ପରେ ହିତସରା ଗ୍ରାମର ଦାଶରଥି ମୁଣ୍ଡା ସାହିରେ ଥିବା କୋଠ ଘରେ ରାତ୍ରିଯାପନ କରିଥିଲା।

ଆଜି ସକାଳୁ ସକାଳୁ ଭୁକୁଲା ମରି ପଡିଥିବା ଗାଁ ଲୋକମାନେ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ନାକଟିଦେଉଳ ଥାନାକୁ ଖବର ଦେଇଥିଲେ ଗ୍ରାମବାସୀ। ନାକଟିଦେଉଳ ପୋଲିସ୍ ହିତସରା ଗ୍ରାମକୁ ଯାଇ ଭୁକୁଲାର ଶବକୁ ଜବତ କରିଥିଲା। ନାକଟିଦେଉଳ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ନାକଟିଦେଉଳ ଥାନାଧିକାରୀ ବିଧୂଭୂଷଣ ମିଶ୍ର ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୁଡାନାଳିରେ ଅଘଟଣ: ପୋଖରୀରେ ବୁଡି ନାବାଳିକାର ମୃତ୍ୟୁ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ନାକଟିଦେଉଳ ଥାନା କୁଡାନାଳି ଗ୍ରାମରେ ଜନୈକା ନାବାଳିକା ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି।

ପ୍ରକାଶ ଯେ, ନାକଟିଦେଉଳ ଥାନା କୁଡାନାଳି ଗ୍ରାମର ନବିନ ମାଝୀଙ୍କ ଝିଅ ପଦ୍ମିନୀ ମାଝୀ(୮) ଗତକାଲି ଅପରାହ୍ନ ୪ ଟାରେ ପୋଖରୀକୁ ଏକଲା ଗାଧୋଇବା ପାଇଁ ଯାଇଥିଲା। ନୂତନ ଭାବରେ ଖୋଳାଯାଇଥିବା କୂଅରେ ଗାଧୋଉଥିବା ବେଳେ ନାବାଳିକା ଝିଅଟିର ମୃତ୍ୟୁବରଣ ହୋଇଥିବା ଜଣା ପଡିଛି।

ନାକଟିଦେଉଳ ପୋଲିସ୍ କୁଡାନାଳି ଗ୍ରାମରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢାଖୋଲ ଡାକ୍ତରଖାନାକୁ ପଠାଇଥିବା ଥାନାଧିକାରୀ ବିଧୂଭୂଷଣ ମିଶ୍ର ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚମ୍ପାଳି ନିକଟରେ ହାଇୱା ଓଲଟି ଡ୍ରାଇଭର ଗୁରୁତର

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଅପରାହ୍ନରେ ନାକଟିଦେଉଳ ଥାନା ପେଣ୍ଠବାହାଳ ଗ୍ରାମ ଚମ୍ପାଳି ନିକଟରେ ଏକ ଚିପସ୍ ବୋଝେଇ ହାଇୱା ଓଲଟି ପଡିବାରୁ ଗାଡି ଡ୍ରାଇଭର ଗୁରତର ଆହତ ହୋଇ ଥିବା ଖବର ହସ୍ତଗତ ହୋଇଛି।

ପ୍ରକାଶ ଯେ, ଚିପସ୍ ବୋଝେଇ ହାଇୱା ଗାଡିଟି (ଓଡି ୧୫ଏଲ୍ ୪୪୩୨) ରେଢାଖୋଲରୁ ନାକଟିଦେଉଳ ପଟେ ଯାଉଥିବା ସମୟରେ ପେଣ୍ଠବାହାଳ ନିକଟସ୍ଥ ହାତୀମରା ବୁଲାଣିରେ ଏକ ପୋଲ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ଆହତ ଡ୍ରାଇଭରଙ୍କୁ ଆମ୍ବଲାନସ୍ ରେ ପ୍ରଥମେ ରେଢାଖୋଲ ଡାକ୍ତରଖାନାକୁ ଭର୍ତ୍ତି କରାଯାଇଥିଲା। ମୁଣ୍ଡ ଓ ହାତରେ ଆଘାତ ଲାଗିଥିବାରୁ ତାକୁ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣା ପଡିଛି। ନାକଟିଦେଉଳ ପୋଲିସ୍ ଏକ ମାମଲା ରୁଜୁ କରିଥିବା ଜଣାପଡିଛି। ଆହତ ଡ୍ରାଇଭରର ଘର ନାକଟିଦେଉଳ ଥାନା ସରାପାଲି ଗ୍ରାମର ସଞ୍ଜୟ ଅଢା ବୋଲି ଜଣା ପଡିଛି।