Categories
ଆଜିର ଖବର ଆଞ୍ଚଳିକ

ଘୋଷରାମାଳରେ ହାତୀ ଘଉଡାଉଥିବା ବେଳେ ନାଗ ସାପ କାମୁଡାରେ ଜଣେ ମୃତ

କନ୍ଦର୍ପ ବେହେରା
ରେଢାଖୋଲ: ଗତକାଲିି ରାତିରେ ଘୋଷରାମାଳ ଗ୍ରାମରେ ହାତୀ ଘଉଡାଉଥିବା ବେଳେ ଜଣେ ବ୍ୟକ୍ତି ନାଗ ସାପ କାମୁଡାରେ ମୃତ୍ୟୁ ବରଣ କରିଥିବା ଜଣା ପଡିଛି।
ପ୍ରକାଶ ଯେ, ରେଢାଖୋଲ ଥାନା ଘୋଷରାମାଳ ଗ୍ରାମକୁ ଗତକାଲି ରାତିରେ ହାତୀ ପଲ ଆସି ଧାନ ଫସଲ ଖାଇଦେଉଥିଲେ। ଗ୍ରାମବାସୀ ଖବର ପାଇ ହାତୀପଲକୁ ଘଉଡାଇବାକୁ ଗ୍ରାମର ଲୋକମାନେ ରାତିରେ ଯାଇଥିଲେ। ଗ୍ରାମର ଅମୂଲ୍ୟ ରାଉଳ (୫୩)ନାମକ ବ୍ୟକ୍ତି ହାତୀ ଘଉଡାଇବାକୁ ଜମି ହିଡରେ ଯାଉଥିବା ବେଳେ ଜମି ହିଡରେ ଏକ ନାଗ ସାପ ତାଙ୍କର ଗୋଡକୁ ଚୋଟ ମାରିଥିଲା। ସଙ୍ଗେ ସଙ୍ଗେ ଗୁରୁତର ଅମୂଲ୍ୟ ରାଉଳଙ୍କୁ ରେଢାଖୋଲ ଡାକ୍ତରଖାନା ଗ୍ରାମବାସୀ ନେଇଯାଇଥିଲେ। ହେଲେ ଡାକ୍ତରଖାନା ପହଂଚିବା ଆଗରୁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଆଜି ତାଙ୍କର ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ମୃତ ପରିବାରକୁ ସରକାରଙ୍କ ତରଫରୁ ଆବଶ୍ୟକୀୟ ସହାୟତା ପ୍ରଦାନ କରିବାକୁ ପରିବାର ଲୋକେ ଦାବୀ କରିଛନ୍ତି।