Categories
ଆଞ୍ଚଳିକ

ବାଲୁଗାଁ ଅବକାରୀ ବିଭାଗର ବାଣପୁର ଓ ନାଚୁଣୀ ଥାନା ଅଞ୍ଚଳରେ ଚଢ଼ାଉ: ମଦ ଜବତ, ଦୁଇ ଗିରଫ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ବାଲୁଗାଁ ଅବକାରୀ ବିଭାଗ ବାଣପୁର ଓ ନାଚୁଣୀ ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ କରିଛି। ସୂଚନା ମୁତାବକ ନାଚୁଣୀ ବଜାରରେ ଚଢ଼ାଉ କରାଯାଇ ଅଭିଯୁକ୍ତ ଗୋବିନ୍ଦ ପଲେଇଙ୍କୁ ୯ ଲିଟର ଆସ୍କା-୪୦ ଏବଂ ବାଣପୁର ଥାନା ରାଣୀପଡ଼ା ଗ୍ରାମରେ ଚଢ଼ାଉ କରାଯାଇ ଅଭିଯୁକ୍ତ କାର୍ତ୍ତିକ ଦାସଙ୍କୁ ୯୦ ଲିଟର ଦେଶୀ ମଦ ଓ ବାଇକ ସହ ଗିରଫ କରାଯାଇଛି।

ଉଭୟଙ୍କ ବିରୁଦ୍ଧରେ ଦୁଇ ଗୋଟି ଅବକାରୀ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବା ବାଲୁଗାଁ ଅବକାରୀ ଅଧିକାରିଣୀ ସ୍ମିତା ପଣ୍ଡା ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ନାଚୁଣୀ: ବିଷ ପାନ କରି ଆତ୍ମହତ୍ୟା କଲେ ବୃଦ୍ଧ

ନାଚୁଣୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଏକ ଅପମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଉକ୍ତ ଥାନା ଅନ୍ତର୍ଗତ ଖଜୁରିଆ ଗ୍ରାମର ବିଦେଶୀ ପ୍ରଧାନ (୭୮) ବିଷ ପାନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ପୋଲିସ ସୂଚନା ମୁତାବକ ବିଦେଶୀଙ୍କ ପତ୍ନୀ ହବିଷ ପାଇଁ ପୁରୀ ଯାଇଥିବା ବେଳେ ଗତକାଲି ବିଦେଶୀ ପତ୍ନୀଙ୍କୁ ଘରକୁ ଫେରି ଆସିବା ପାଇଁ ଜିଦି କରିଥିଲେ। ତେବେ ପତ୍ନୀ ନ ଆସିବାରୁ ରାଗରେ ବିଷପାନ କରିଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଗମ୍ଭାରୀମୁଣ୍ଡା ଏବଂ ପରେ ଟାଙ୍ଗୀ ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଜି ନାଚୁଣୀ ପୋଲିସ ଶବ ଜବତ କରି କେସ ନମ୍ବର ୧୨/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ପଠାଇଦେଇଛି।

Categories
ଆଞ୍ଚଳିକ

ଚିଲିକା: ମହଙ୍ଗା ପଡିଲା ବିକଟାଳ ଶବ୍ଦ କରି ମଟରସାଇକେଲ ଚଲାଇବା: ଛଅ ବାଇକ ଜବତ

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଏକାଧିକ ବ୍ୟକ୍ତି କ୍ଷିପ୍ରଗତିରେ ଏବଂ ବିକଟାଳ ଶବ୍ଦ କରି ମଟରସାଇକେଲ ଚଲାଉଥିବା ଅଭିଯୋଗ ହେବାପରେ ଆକ୍ସନ ମୋଡ଼କୁ ଆସିଛି ପୋଲିସ। ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ଏକ ଟିମ ଗଠନ କରି ଆଜି ଅମାନିଆ ବାଇକ ଚାଳକଙ୍କ ଉପରେ ଚଢ଼ାଉ କରିଥିଲେ। ଫଳସ୍ୱରୂପ ଆଜି ଛଅ ଗୋଟି ବାଇକ ଜବତ କରିଛି ପୋଲିସ। ଉକ୍ତ ବାଇକ ଚାଳକ ମାନେ କ୍ଷିପ୍ର ଗତିରେ ବିକଟାଳ ଶବ୍ଦ କରି ନାଚୁଣୀ ବଜାରରେ ବାଇକ ଚଲାଉଥିବା ବେଳେ ପୋଲିସ ହାତରେ ଧରା ପଡିଛନ୍ତି।

ନାଚୁଣୀ ପୋଲିସ ଉକ୍ତ ବାଇକ ଜବତ କରିବା ସହ ବିଭିନ୍ନ ଦିଗରେ ତଦନ୍ତ ଜାରି ରଖିଛି।  ତେବେ ନାଚୁଣୀ ଅଞ୍ଚଳରେ ଏପରି ଗତିବିଧିକୁ କେବେବି ବରଦାସ୍ତ କରାଯିବ ନାହିଁ ଏବଂ ଏହିପରି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଆଇଆଇସି ଶ୍ରୀ ଜେନା କହିଛନ୍ତି।  ନାଚୁଣୀ ପୋଲିସର ଉକ୍ତ ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିବା ସହ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ମାନସିକ ଅନଗ୍ରସର ମହିଳାଙ୍କୁ ଧର୍ଷଣ ଅଭିଯୋଗ, ଅଭିଯୁକ୍ତ ଗିରଫ୍

ନାଚୁଣୀ: ମାନସିକ ଅନଗ୍ରସର ମହିଳାଙ୍କୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ଘଟଣାରେ ଅଜା ବୟସର ବ୍ୟକ୍ତିଙ୍କୁ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତକୁ ଗିରଫ କରି ଟାଙ୍ଗି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ପରୀକ୍ଷା କରାଇବା ପରେ କୋର୍ଟ ଚାଲାଣ କରିଛି ପୋଲିସ୍।

ସୂଚନା ଅନୁଯାୟୀ, ନାଚୁଣୀ ଥାନା ଅଞ୍ଚଳର ଜଣେ ମାନସିକ ଅନଗ୍ରସର ମହିଳା ଘର ବାରଣ୍ଡାରେ ଶୋଇଥିବା ବେଳେ ସେହି ଗ୍ରାମର କିଶୋର ତରାଇ (୫୭) ମହିଳାଙ୍କୁ ଫୁସୁଲାଇ ଏକ ନିକାଞ୍ଚନ ସ୍ଥାନକୁ ନେଇଥିଲେ। ସେଠାରେ ନିଜର କାମନା ଚରିତାର୍ଥ କରିବା ଉଦ୍ଦେଶ୍ୟରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ମହିଳାଜଣଙ୍କ ଘଟଣା ସମ୍ପର୍କରେ ଘରେ କହିବା ପରେ ନାଚୁଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ନାଚୁଣୀ ଥାନା ପୋଲିସ୍ ଗ୍ରାମରେ ତୁରନ୍ତ ଚଢ଼ାଉ କରି ଅଭିଯୁକ୍ତ କିଶୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

Categories
ଆଞ୍ଚଳିକ

ବାଣପୁର: ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କାରଣ ଅସ୍ପଷ୍ଟ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ନାଚୁଣୀ ଥାନା ଅନ୍ତର୍ଗତ ପଙ୍କାଳ ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି।

ସୂଚନା ମୁତାବକ ଆଜି ରାତିରେ ପଙ୍କାଳ ଗ୍ରାମର ଅନାମ ପଲେଇଙ୍କ ପୁତ୍ର ରଞ୍ଜିତ ପଲେଇ (୩୦) ଙ୍କୁ ପରିବାର ବର୍ଗ ଗୁରୁତର ଅବସ୍ଥାରେ ଡାକ୍ତରଖାନା ଆଣିଥିବା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ଡାକ୍ତର ସ୍ଥାନୀୟ ପୋଲିସକୁ ସୂଚନା ଦେବା ପରେ ପୋଲିସ ମେଡିକାଲରେ ପହଞ୍ଚିଛି।

ତେବେ ଏହା ଦଉଡି ଲଗାଇ ଆତ୍ମହତ୍ୟା ଘଟଣା ସନ୍ଦେହ ହେଉଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁର: ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ଆୟତପୁର ଗ୍ରାମର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଲକ୍ଷ୍ମଣ ପ୍ରଧାନଙ୍କ ପୁତ୍ର ଦୀପକ ପ୍ରଧାନ (୨୫)। ଦୀପକଙ୍କୁ ଗୁରୁତର ଅବସ୍ଥାରେ ଗମ୍ଭାରୀମୁଣ୍ଡା ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବା ସହ ନାଚୁଣୀ ଥାନାକୁ ସୂଚନା ଦେଇଥିଲେ।

ଖବର ପାଇ ନାଚୁଣୀ ପୋଲିସ ମେଡିକାଲ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଦୀପକଙ୍କ ପରିବାର ବର୍ଗ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ପରିବାର ଲୋକଙ୍କ କହିବା ମୁତାବକ ଦୀପକଙ୍କ ସହିତ ତାଙ୍କ ଖୁଡିଙ୍କ ଅନୈତିକ ସମ୍ପର୍କ ଥିବାବେଳେ ଗତ ୧୮ ତାରିଖରେ ୩୦ ହଜାର ଟଙ୍କା ନେଇ ବିଦେଶ ଯିବାକୁ କହି ଘରୁ ଆସିଥିଲେ। କିନ୍ତୁ ବିଦେଶ ନ ଯାଇ ବାଣପୁର ଥାନା ଅନ୍ତର୍ଗତ ଖୁଡିଙ୍କ ବାପଘର ମେଘାମ୍ବରୀ ପାଟଣା ଠାରେ ରହୁଥିଲେ।

ପରିବାର ଲୋକ ଏହା ଜାଣିପାରି ସେଠାରୁ ନେବାକୁ ଆସିଥିଲା ବେଳେ ଖୁଡି ଓ ତାଙ୍କ ବାପଘର ଲୋକ ଘରେ ନ ଥିବା କହି ତାଙ୍କ ସାଥିରେ ଗଣ୍ଡଗୋଳ କରିଥିଲେ। ଏବଂ ସେଠାରୁ ତାଙ୍କୁ ଲୁଚେଇବା ପାଇଁ ବାଲୁଗାଁ ଥାନା ଅନ୍ତର୍ଗତ ରାମପୁରରେ ଖୁଡିଙ୍କ ଭଉଣୀ ଘରକୁ ନେଇଯାଇଥିଲେ। ଗତକାଲି ପରିବରଲୋକଙ୍କୁ ଖୁଡିଙ୍କ ଭଉଣୀ ଖବର ଦେଇଥିଲେ କି ଦୀପକ ବିଷ ଖାଇ ଦେଇଥିବାରୁ ତାଙ୍କୁ ବାଲୁଗାଁ ଡାକ୍ତରଖାନାକୁ ଅଣାଯାଇଛି।

ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ଭୁବନେଶ୍ୱର ନ ନେଇ ଆମ୍ଭ ଗ୍ରାମକୁ ଆଣି ଶୀଘ୍ର ଡାକ୍ତରଖାନା ନେବାକୁ କହିଥିଲେ।  ଦୀପକଙ୍କୁ ଗମ୍ଭୀରୀମୁଣ୍ଡା ମେଡିକାଲ ନେବାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ତେଣୁ ମୋର ଭାଇକୁ ଖୁଡି ବିଷ ଦେଇ ମାରିଦେଇଥିବା ପରିବାର ଲୋକ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି।

ଉକ୍ତ ଘଟଣାକୁ ନେଇ ଦୀପକଙ୍କ ଭାଇ ବାଣପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଏହା ବାଲୁଗାଁ ଥାନା ଅଞ୍ଚଳରେ ଘଟିଥିବାରୁ ତାଙ୍କୁ ବାଲୁଗାଁ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଛି ବାଣପୁର ପୋଲିସ।

Categories
ଆଞ୍ଚଳିକ

ନାଚୁଣୀ ଓଭରବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ରୋଗୀଙ୍କ ସମେତ ୩ ଗୁରୁତର

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ନାଚୁଣୀ ଓଭରବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ଜଣେ ରୋଗୀଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ଖବର ମୁତାବକ ବାଣପୁର ଥାନା ଚିଆଁଙ୍କ ସାହି ଅଞ୍ଚଳର ଜଣେ ପକ୍ଷାଘାତ ରୋଗୀଙ୍କୁ ନେଇ ୩ ଜଣ ଆଜି ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିଲେ।  ତେବେ ଚିକିତ୍ସା ସାରି ବାଣପୁର ଫେରିବା ସମୟରେ ଅପରାହ୍ନ ପାଖାପାଖି ପାଞ୍ଚ ଘଟିକା ସମୟରେ କାରଟି ନାଚୁଣୀ ଓଭରବ୍ରିଜ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କାର ଚାଳକ ଭାରସାମ୍ୟ ହରାଇ କାରକୁ ଡିଭାଇଡରରେ ପିଟି ଦେଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।  ଫଳରେ କାରର ଚକାଟି ଫାଟିଯାଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଗାଡ଼ି ଚାଳକ ସମେତ ଗାଡ଼ିରେ ଉପସ୍ଥିତ ଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଛି।  ତେବେ ସୌଭାଗ୍ୟବଶତଃ ଗାଡ଼ିରେ ଉପସ୍ଥିତ ଥିବା ବାଣପୁର ଭଗବତୀ ସାହିର ଜନୈକ ଯୁବକ ସୁରକ୍ଷିତ ଅଛନ୍ତି। ଗାଡିଟି ଏଯାବତ ଓଭରବ୍ରିଜ ଉପରେ ଛିଡା ହୋଇଥିବାର ଦେଖିବାକୁ ମିଳିଛି।

Categories
ଆଞ୍ଚଳିକ

ନାଚୁଣୀ କଉଡ଼ିଖଣି ଛକରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା: ଚାଳକ ଗୁରୁତର

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଉଡ଼ିଖଣି ଛକରେ ଆଜି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଆହତ ହୋଇଛନ୍ତି।

ପୋଲିସ ସୂଚନା ମୁତାବକ ଏକ କୋବି ବୋଝେଇ ଆଇଚର ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଅନୁରୂପ ଭାବେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ ନାଚୁଣୀ କଉଡ଼ିଖଣି ଛକରେ ମୁହାଁମୁହିଁ ଧକ୍କା ହୋଇଥିଲେ।  ଫଳରେ କୋବି ବୋଝେଇ ଆଇଚରର ଚାଳକ ଗୁରୁତର ଆହତ ହୋଇଛନ୍ତି।

ଖବର ପାଇ ନାଚୁଣୀ ପୋଲିସ ଏବଂ ସ୍ଥାନୀୟ ଜନସାଧାରଣ ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଛନ୍ତି। ତେବେ ପୋଲିସ ଉଭୟ ଗାଡ଼ି ଜବତ କରି ତଦନ୍ତ ଜାରି ରଖିଥିବାର ଆଇଆଇସି ଚନ୍ଦ୍ରଶେଖର ଜେନା ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଗମ୍ଭାରୀମୁଣ୍ଡା: ଲୁଟେରାମାନଙ୍କ ଖୋଲା ଚ୍ୟାଲେଞ୍ଜ, ପୋଲିସ ବିଟ ହାଉସରୁ ଚୋରି କଲେ ବାଇକ୍

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଧିନସ୍ଥ ଗମ୍ଭାରୀମୁଣ୍ଡା ପୋଲିସ ବିଟ ହାଉସରୁ ଆଜି ଏକ ମୋଟର ସାଇକେଲ ଚୋରି ହୋଇଯାଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଥାଉକି ନାଚୁଣୀ ଫାଣ୍ଡିରୁ ଥାନାରେ ରୂପାନ୍ତରିତ ହେଲାପରେ ଥାନା ଅଧିକାରୀ ଉକ୍ତ ଅଂଚଳରେ ଚଢ଼ାଉ ଜାରିରଖି ବିଭିନ୍ନ ପ୍ରକାର ଅପରାଧ ରୋକିବାରେ ଲାଗିପଡିଛନ୍ତି। କିନ୍ତୁ ଆଜି ଗମ୍ଭାରୀମୁଣ୍ଡା ବିଟ ହାଉସ ଭିତରୁ ବାଇକ ଚୋରି ପରେ ପୋଲିସକୁ ଲୁଟେରାମାନେ ଖୋଲା ଚାଲେଞ୍ଜ ଦେଇଛନ୍ତି।

ଉକ୍ତ ବାଇକଟି ଜଣେ ପୋଲିସ ବାବୁଙ୍କର ବୋଲି ଜଣାପଡିଛି। ପରେ ପୋଲିସ ଉକ୍ତ ଅଞ୍ଚଳରେ ଦୁର୍ବୁତ୍ତକୁ ଧରିବାକୁ ଜୋରଦାର ଚଢ଼ାଉ ଜାରି ରଖିଥିବା ବେଳେ ବାଇକଟି ବିଟ ହାଉସ ବାହାରେ ଥିବାରୁ ଦୁର୍ବୁତ୍ତ ସହଜରେ ଚୋରି କରିନେଇଥିବା ଥାନା ଅଧିକାରୀ ଚନ୍ଦ୍ରଶେଖର ଜେନା କହିଛନ୍ତି। ବିଗତ ଦିନରେ ଉକ୍ତ ଅଂଚଳରୁ ପୋଲିସ ବହୁ ଚୋରା ବାଇକ ଜବତ ସହ ଦୁର୍ବୁତ୍ତକୁ ଗିରଫ କରିଥିବା ବେଳେ ଆଜି ବିଟ ହାଉସ ଭିତରୁ ବାଇକ ଚୋରି ପୋଲିସ ପାଇଁ ଚାଲେଞ୍ଜ ବୋଲି ସାଧାରଣରେ ଆଲୋଚନା ହେଉଛି। ସବୁ କର୍ମଚାରୀ କଲେଜ ଡିଉଟିକୁ ଚାଲିଯାଇଥିବାରୁ ବିଟ ହାଉସରେ କେହି ନଥିବାର ସୁଯୋଗ ନେଇ ଦୁର୍ବୁତ୍ତ ଚୋରି କରିଥିବା ବିଟ ହାଉସ ଅଧିକାରୀ ଦିଲ୍ଲୀପ ବିଶ୍ୱାଳ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ଥାନାକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି ଖୋର୍ଦ୍ଧା ଜିଲ୍ଲାର ନୂତନ ଥାନା ‘ନାଚୁଣୀ ଥାନା’। ଏହାକୁ ଶ୍ରୀ ପଟ୍ଟନାୟକ ଭରଚୁଆଲ ମୋଡ଼ରେ ଉଦଘାଟନ କରିଥିଲେ।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ନାଚୁଣୀ ଥାନା ପରିସରରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା, ଯେଉଁଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ସିଦ୍ଧାର୍ଥ କଟାରିଆ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସନା ବେହେରା ଓ ବାଣପୁର ନଗରପାଳ ମିଟୁ ନାୟକ ଆଦି ଉପସ୍ଥିତ ଥିଲେ। ଉକ୍ତ ମଞ୍ଚକୁ ପରିଚାଳନା କରିଥିଲେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ।

ଅନୁରୂପ ଭାବେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଉପଜିଲ୍ଲାପାଳ, ଖୋର୍ଦ୍ଧା ଅତିରିକ୍ତ ଏସପି, ବାଣପୁର ଓ ଚିଲିକା ତହସିଲଦାର, ବାଣପୁର ଓ ଚିଲିକା ବିଡ଼ିଓ, ବାଣପୁର ବାଲୁଗାଁ ଓ ଟାଙ୍ଗୀ ଥାନାଧିକାରୀ, ବିଭିନ୍ନ ସରକାରୀ ବିଭାଗ ଅଧିକାରୀ ମାନେ, ବିଭିନ୍ନ ପଞ୍ଚାୟତ ସରପଞ୍ଚ ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟଏବଂ ବହୁ ଜନସାଧାରଣ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ଆଜି ଏକା ସଙ୍ଗେ ରାଜ୍ୟର ୨୩ ଜିଲ୍ଲାର ୩୦ ଗୋଟି ନୂତନ ଥାନାକୁ ଭିଡିଓ କନଫରେନସିଂ ଦ୍ୱାରା ଲୋକାର୍ପିତ କରିଥିଲେ।

ସୂଚନା ଥାଉ କି ପୁର୍ବରୁ ନାଚୁଣୀ ଫାଣ୍ଡି ବାଣପୁର ଥାନା ଅଧୀନରେ ଥିବା ବେଳେ ଆଜିଠାରୁ ଏହା ସ୍ୱତନ୍ତ୍ର ଥାନାର ମାନ୍ୟତା ପାଇଛି। ଏଠାରେ ନୂତନ ଆଇଆଇସି ଭାବେ ଚନ୍ଦ୍ରଶେଖର ଜେନା କାର୍ଯ୍ୟରେ ଯୋଗ ଦେଇଛନ୍ତି।

ନାଚୁଣୀ ଥାନା ଅଧୀନରେ ଗମ୍ଭାରୀମୁଣ୍ଡା ବିଟ ହାଉସ ରହିବା ସହ ବାଣପୁର ବ୍ଲକର ଛଅ ଗୋଟି ପଞ୍ଚାୟତ ଯଥା ନାଚୁଣୀ, ମୋରାମୋରି, ଗମ୍ଭାରୀମୁଣ୍ଡା, ଦେଓଗାଁ, ଆୟତ୍ତପୁର, କୁଲେଇ ଏବଂ ଚିଲିକା ବ୍ଲକର ଚାରି ଗୋଟି ପଞ୍ଚାୟତ ଯଥା କୁମାଣ୍ଡଳ ପାଟଣା, ହରିପୁର, ବଉଳାବନ୍ଧ ଏବଂ ନଈରୀ ଏହା ଅଧୀନରେ ରହିବ।

ଏହି ଥାନା ପାଇଁ ଜଣେ ମହିଳା ସବ ଇନ୍ସପେକ୍ଟର ସମେତ ଦୁଇ ଜଣ ସବ ଇନ୍ସପେକ୍ଟର, ଦୁଇ ଏଏସଆଇ ନିୟୋଜିତ ହୋଇଛନ୍ତି। ସାମୟିକ ଭାବେ ନାଚୁଣୀ ଥାନା ଅସ୍ଥାୟୀ ଭାବେ ଫାଣ୍ଡି ପରିସରରେ କାର୍ଯ୍ୟକ୍ଷମ ହେବ ଏବଂ ଫାଣ୍ଡି ପଛ ପାର୍ଶ୍ୱରେ ଉଭୟ ନାଚୁଣୀ ନୂତନ ଥାନା ଏବଂ ବାଲୁଗାଁ ଏସଡ଼ିପିଓଙ୍କ ନୂତନ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବାର ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୯ ରେ ନାଚୁଣୀ ଥାନାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ: ଶେଷ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି

ସୀତାରାମ ଅଗ୍ରୱାଲ

ନାଚୁଣୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆସନ୍ତା ସୋମବାର ଦିନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଥାନା ଉଦଘାଟିତ ହେବ। ଏହାକୁ ଭରଚୁଆଲ ମୋଡ଼ରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି।

ତେବେ ଉଦଘାଟନ ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୋଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ମାସ ତଳେ ଅନୁମୋଦନ କରିଥିଲେ, ଯେଉଁଥିରେ ନାଚୁଣୀ ଫାଣ୍ଡି ଅନ୍ୟତମ।

ବର୍ତ୍ତମାନ ନାଚୁଣୀ ଫାଣ୍ଡି ବାଣପୁର ଥାନା ଅଧୀନରେ ଥିବା ବେଳେ ସୋମବାର ଠାରୁ ଏହା ସ୍ୱତନ୍ତ୍ର ଥାନା ହେବ। ନାଚୁଣୀ ଥାନା ଅଧୀନରେ ଗମ୍ଭାରୀମୁଣ୍ଡା ବିଟ ହାଉସ ରହିବା ସହ ବାଣପୁର ବ୍ଲକର ଛଅ ଗୋଟି ପଞ୍ଚାୟତ ଯଥା ନାଚୁଣୀ, ମୋରାମୋରି, ଗମ୍ଭାରୀମୁଣ୍ଡା, ଦେଓଗାଁ, ଆୟତ୍ତପୁର, କୁଲେଇ ଏବଂ ଚିଲିକା ବ୍ଲକର ଚାରି ଗୋଟି ପଞ୍ଚାୟତ ଯଥା କୁମାଣ୍ଡଳ ପାଟଣା, ହରିପୁର, ବଉଳାବନ୍ଧ ଏବଂ ନଈରୀ ଏହା ଅଧୀନରେ ରହିବ।

ଏହି ପରିପ୍ରେକ୍ଷୀରେ ନାଚୁଣୀ ଥାନା ପାଇଁ ଜଣେ ଇନ୍ସପେକ୍ଟର, ଜଣେ ମହିଳା ସବ ଇନ୍ସପେକ୍ଟର ସମେତ ଦୁଇ ଜଣ ସବ ଇନ୍ସପେକ୍ଟର, ଦୁଇ ଏଏସଆଇ ନିୟୋଜିତ ହୋଇଥିବାର ଏସପି ଶ୍ରୀ କଟାରିଆ କହିଛନ୍ତି।

ତେବେ ପୂର୍ବପରି ନାଚୁଣୀ ଥାନାର ମାମଲା ଗୁଡ଼ିକ ଉଭୟ ବାଣପୁର ଓ ଚିଲିକା କୋର୍ଟରେ ବିଚାର ହେବାକୁ ଥିବା ବେଳେ ବାଣପୁର ମେଡିକାଲ ଅଧୀନରେ ଏହା ରହିବ ବୋଲି ଜଣାପଡିଛି। ୯ ତାରିଖରୁ ବାଲୁଗାଁ ପୋଲିସ ସବ ଡିଭିଜନ ଅଧୀନରେ ନାଚୁଣୀ କୁ ମିଶାଇ ୫ ଗୋଟି ଥାନା ରହିବ। ଉକ୍ତ ଉଦଘାଟନ ଉତ୍ସବରେ ଖୋର୍ଦ୍ଧା ଏସପି, ବାଲୁଗାଁ ଏସଡିପିଓ, ବାଣପୁର ଆଇଆଇସି ଆଦି ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

ତତସହିତ ନାଚୁଣୀ ଥାନା ବର୍ତ୍ତମାନ ଅସ୍ଥାୟୀ ଭାବେ ଫାଣ୍ଡି ପରିସରରେ କାର୍ଯ୍ୟକ୍ଷମ ହେବ ଏବଂ ଫାଣ୍ଡି ପଛ ପାର୍ଶ୍ୱରେ ଉଭୟ ନାଚୁଣୀ ନୂତନ ଥାନା ଏବଂ ବାଲୁଗାଁ ଏସଡ଼ିପିଓଙ୍କ ନୂତନ କାର୍ଯ୍ୟାଳୟ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବାର ଏସପି କହିଛନ୍ତି।