Categories
ଆଜିର ଖବର ଜାତୀୟ ଖବର

ନାଶିକ୍-ଶିରିଡି ରାଜପଥରେ ବସ୍ ଟ୍ରକ୍ ମଧ୍ୟରେ ଭୀଷଣ ଟକ୍କର, ୧୦ ସାଇ ଭକ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଜି ସକାଳେ ମହାରାଷ୍ଟ୍ରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଖବର ଆସୁଛି। ସୂଚନା ଅନୁଯାୟୀ, ଶିରିଡି ରାଜପଥରେ ପାଥେର ନିକଟରେ ଏକ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ବସ୍‌ରେ ପ୍ରାୟ ୪୫ ରୁ ୫୦ ଜଣ ଲୋକ ଥିଲେ। ସେଥିମଧ୍ୟରୁ ୧୦ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେହିଭଳି ଅନେକ ଲୋକଙ୍କୁ ଆହତ ହୋଇଥିବା କୁହାଯାଉଛି।

ମୃତ୍ୟୁବରଣ କରିଥିବା ଦଶ ଜଣଙ୍କ ମଧ୍ୟରୁ ୭ ଜଣ ମହିଳା ଏବଂ ତିନି ଜଣ ପୁରୁଷ ଥିବା ଜଣାପଡିଛି। ଆହତମାନଙ୍କୁ ସାଇବାବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁଥିରେ କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନାଶିକ-ଶିରିଡି ରାଜପଥରେ ବସ୍ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୫-୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ଘଟଣାର ତଦନ୍ତ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।